ବ୍ୟାଙ୍କର୍‌ମାନେ ସାଧାରଣତଃ ଏକ ହୁସିଆର, ସଂଯତ, ରକ୍ଷଣଶୀଳ ଗୋଷ୍ଠୀ ରୂପେ ସର୍ବଦା ବିବେଚିତ ହୋଇଥାନ୍ତି। ‘କୋଟାକ୍‌ ମହୀନ୍ଦ୍ରା ବ୍ୟାଙ୍କ୍‌’ର ‘ସିଇଓ’ ଉଦୟ କୋଟାକ୍‌ ହେଉଛନ୍ତି କେବଳ ଭାରତରେ ନୁହେଁ, ଆନ୍ତର୍ଜାତିକ ସ୍ତରରେ ସୁଖ୍ୟାତି ଅର୍ଜନ କରିଥିବା ଏହି ଗୋ‌ଷ୍ଠୀର ଜଣେ ପ୍ରମୁଖ ପ୍ରତିନିଧି। ତେଣୁ ଏବେ ଏକ ସମାବେଶରେ ଅଭିଭାଷଣ ପ୍ରଦାନ କରିବା ଅବସରରେ ଉଦୟ କୋଟାକ୍‌ ଦେଇଥିବା ଏକ ମନ୍ତବ୍ୟ ବିତ୍ତୀୟ ପରିସରରୁ ଆରମ୍ଭ କରି ରାଜନୈତିକ ପରିସର ପର୍ଯ୍ୟନ୍ତ ଏକ ମୃଦୁ ଗୁଞ୍ଜରଣ ସୃଷ୍ଟି କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ତାଙ୍କର ଏହି ମନ୍ତବ୍ୟଟିକୁ ଅସଂଯତ ପଦବାଚ୍ୟ ବୋଲି ଯେ କୌଣସି ପର୍ଯ୍ୟବେକ୍ଷକ ବିଚାର କରିବ। ସେ ତାଙ୍କର ଶ୍ରୋତାମାନଙ୍କୁ ଚକିତ କରି କହିଥିଲେ: ‘‘ଆମେରିକୀୟ ଡଲାର୍‌ ହେଉଛି ପୃଥିବୀରେ ସବୁଠାରୁ ବଡ଼ ବିତ୍ତୀୟ ଆତଙ୍କବାଦୀ।’’

Advertisment

ସେ ଏପରି ମତ ପୋଷଣ କରିବାର କାରଣ ସ୍ବରୂପ ଯାହା ଦର୍ଶାଇଥଲେ, ତାହା ହେଲା, ଡଲାର୍‌ ଏକ ନିରାପଦ ମୁଦ୍ରା ରୂପେ ବିବେଚିତ ହେଉଥିବାରୁ ଏହାକୁ ଏକ ‘ରିଜର୍ଭ କରେନ୍‌ସି’ ମର୍ଯ୍ୟାଦା ପ୍ରଦାନ କରି ଅଧିକାଂଶ ଦେଶ ବ୍ୟାଙ୍କ୍‌ର ‘ନୋଷ୍ଟ୍ରୋ ଆକାଉଣ୍ଟ’ମାନଙ୍କରେ ଡଲାର ମହଜୁଦ କରି ରଖିଥାନ୍ତି; ଯଦି କାଲି ସକାଳେ ଆମେରିକା ଏହି ମହଜୁଦ ଡଲାର ପ୍ରତ୍ୟାହାର ଉପରେ ନିଷେଧାଦେଶ ଲଗାଇ ଦିଏ, ତେବେ ଏ ଦେଶମାନଙ୍କ ଅବସ୍ଥା‌ କ’ଣ ହେବ? ସତେ ଯେମିତି ଏକ ଆତଙ୍କବାଦୀ ପାଖରେ ବନ୍ଦୀମାନେ ମୁଣ୍ଡଜାମିନ ଥିବା ଭଳି ଏ ସବୁ ଦେଶମାନେ ଡଲାର ପାଖରେ ମୁଣ୍ଡଜାମିନ ଅଛନ୍ତି।

ଏଭଳି କଳ୍ପନା ଯେ ନିରାଧାର ନୁହେଁ, ତାହାର ବେଳେ ବେଳେ ପ୍ରମାଣ ଦେଖିବାକୁ ମିଳିଥାଏ, ଯେତେବେଳେ ଆମେରିକା କୌଣସି ଦେଶ ବିରୋଧରେ ଅର୍ଥନୈତିକ ବାସନ୍ଦ ଲାଗୁ କରିଥାଏ, ‌େଯମିତି ୟୁକ୍ରେନ୍‌ ଆକ୍ରମଣ ପରେ ପରେ ରୁଷିଆ ବିରୋଧରେ ଲାଗୁ କରାଯାଇଛି। ଏହି ପ୍ରତିବନ୍ଧ ଅତିକ୍ରମ କରିବା ନିମିତ୍ତ ରୁଷିଆ ବର୍ତ୍ତମାନ ଚୀନ୍‌ ସହିତ ବାଣିଜ୍ୟ କାରବାରରେ ଚୀନା ମୁଦ୍ରା ୟୁଆନ୍‌ ଓ ଭାରତ ସହିତ କାରବାରରେ ଭାରତୀୟ ମୁଦ୍ରା ଟଙ୍କାକୁ ମାଧ୍ୟମ ରୂପେ ବ୍ୟବହାର କରିବାକୁ ଆରମ୍ଭ କଲାଣି। ବାସ୍ତବରେ ପୃଥିବୀରେ ବର୍ତ୍ତମାନ ଯେଉଁ ଡଲାର୍‌ ବିତାଡ଼ନ ‘ଡିଡଲାରାଇଜେସନ୍‌’ ଆନ୍ଦୋଳନ ମୁଣ୍ଡ ଟେକିଛି, ରୁଷିଆ, ଭାରତ, ଚୀନ୍‌ ଆଦିଙ୍କର ଏହି ପଦକ୍ଷେପକୁ ତାହାର ଏକ ଅଂଶ ରୂପେ ବିଚାର କରାଯାଉଛି।

ମାଲେସିଆ, ଇଣ୍ଡୋନେସିଆ, ବାଂଲାଦେଶ ଆଦି ଦେଶମାନେ ଭାରତ ସହିତ ବାଣିଜ୍ୟ କାରବାରରେ ଡଲାର ସ୍ଥାନରେ ଭାରତୀୟ ଟଙ୍କା ବ୍ୟବହାର କରିବା ମଧ୍ୟ ଡଲାର୍‌ କବଳରୁ ମୁକ୍ତିଲାଭ କରିବା ଦିଗରେ ଆରମ୍ଭ ହୋଇଥିବା ଅଭିଯାନର ପରିପ୍ରକାଶ ବୋଲି କୁହାଯାଉଛି। ଏହି ନୂତନ ଧାରାକୁ ଆଧାର କରି ଭାରତୀୟ ମୁଦ୍ରା ‘ଟଙ୍କା’କୁ ଆନ୍ତର୍ଜାତିକ ସ୍ତରରେ ଡଲାର ଭଳି ଏକ ‘ରିଜର୍ଭ କରେନ୍‌ସି’ରେ ପରିଣତ କରିବା ପାଇଁ ଆବିର୍ଭୂତ ହୋଇଥିବା ଏହି ସୁବର୍ଣ୍ଣ ସୁଯୋଗର ସଦ୍‌ବ୍ୟବହାର କରିବା ନିମିତ୍ତ କୋଟାକ୍‌ ତାଙ୍କ ଅଭିଭାଷଣରେ ଆହ୍ବାନ ଦେଇଛନ୍ତି।

ଉଦୟ ‌କୋଟାକ୍‌ ଡଲାର୍‌କୁ ଆତଙ୍କବାଦୀ ରୂପେ ବର୍ଣ୍ଣନା କରିବା ଚାଞ୍ଚଲ୍ୟକର ହୋଇଥିଲେ ହେଁ, ଯଦି ଡଲାର୍‌ର ନିକଟ ଇତିହାସ ଉପରେ ଏକ କ୍ଷିପ୍ର ଦୃଷ୍ଟି ନିକ୍ଷେପ କରାଯାଏ, ତେବେ ତାଙ୍କର ଏହି ଉଗ୍ର ବିଚାରର ଯଥାର୍ଥତା ସମ୍ବନ୍ଧରେ ଏକ ଅଧିକ ସ୍ପଷ୍ଟ ଧାରଣା ଉପଲବ୍‌ଧ ହୋଇଥାଏ। ଏହି ଇତିହାସର ଆରମ୍ଭ ହେଉଛି ୧୯୭୧ ଅଗଷ୍ଟ ୧୫ ଠାରୁ (ଅବଶ୍ୟ ଭାରତର ସ୍ବାଧୀନତା ଦିବସ ସହିତ ଏହାର କୌଣସି ସମ୍ପର୍କ ନାହିଁ)। ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍‌ ସେଦିନ ଘୋଷଣା କଲେ ଯେ ଏଣିକି ବିଦେଶୀ ମାଲିକାନାରେ ଥିବା ଡଲାର୍‌ ଆଉ ସୁନା ସହିତ ପ୍ରତିବଦଳକ୍ଷମ ହେବ ନାହିଁ, ଅର୍ଥାତ୍‌ ସେଇ ଦିନଠାରୁ ଆମେରିକା ଅନୁସରଣ କରୁଥିବା ‘ଆନ୍ତର୍ଜାତିକ ସ୍ବର୍ଣ୍ଣମାନ ବ୍ୟବସ୍ଥା’ (‘ଇଣ୍ଟର୍‌ନେସନାଲ୍‌ ‌େଗାଲ୍‌ଡ ଷ୍ଟାଣ୍ଡାର୍ଡ’)ରେ ଅନ୍ତ ଘଟିଲା। ୧୯୩୧ ଠାରୁ ବଳବତ୍ତର ଥିବା ଏହି ବ୍ୟବସ୍ଥା ଅନୁସାରେ, ଯାହାକୁ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଅନୁଷ୍ଠିତ ଆନ୍ତର୍ଜାତିକ ମୁଦ୍ରାନୀତି ନିର୍ଦ୍ଧାରଣକାରୀ ‘ବ୍ରେଟନ୍‌-ଉଡ୍‌ସ ସମ୍ମିଳନୀ’ ମଧ୍ୟ ସ୍ବୀକୃତି ପ୍ରଦାନ କରିଥିଲା, ଆମେରିକୀୟ ନାଗରିକମାନେ ସେମାନଙ୍କ ପାଖରେ ଥିବା ଡଲାର୍‌ ବଦଳରେ ‘ଫେଡେରାଲ୍‌ ରିଜର୍ଭ’ ଠାରୁ ସୁନା ପାଇ ପାରୁନଥିଲେ; କିନ୍ତୁ ବିଦେଶୀମାନେ ଚାହିଁଲେ ସେମାନଙ୍କ ଡଲାର୍‌ ବଦଳରେ ଆଉନ୍‌ସ ପିଛା ୩୫ ଡଲାର୍‌ ମୂଲ୍ୟରେ ଫେଡେରାଲ୍‌ ରିଜର୍ଭ ଠାରୁ ସୁନା ପାଇ ପାରୁଥିଲେ। ଅର୍ଥାତ୍‌ ସୁନା ସହିତ ପ୍ରତିବଦଳ ଆବଶ୍ୟକତା ଡଲାର୍‌ ଛାପିବା ପ୍ରତି ଏକ ଲଗାମ ଭଳି କାର୍ଯ୍ୟ କରୁଥିଲା; ନିକ୍ସନ୍‌ ସେଇ ଲଗାମ ହଟାଇ ଦେଲେ। ଭିଏତ୍‌ନାମ ଯୁଦ୍ଧଜନିତ ବିଶାଳ ଆର୍ଥିକ ବୋଝ ସମ୍ଭାଳିବା ଉଦ୍ଦେଶ୍ୟରେ ହିଁ ନିକ୍ସନ୍‌ ଏହି ନିଷ୍ପତ୍ତି ଗ୍ରହଣ କରିଥିଲେ।

ସେ ପର୍ଯ୍ୟନ୍ତ ଆମେରିକା ସରକାରଙ୍କ ପାଖରେ ଥିବା ସୁନା ହିଁ ଥିଲା ଡଲାର୍‌ଧାରୀ ଦେଶମାନଙ୍କ ପାଇଁ ସର୍ବାଧିକ ନିରାପଦ ଓ ନିଶ୍ଚିତ ବିବେଚିତ ସମ୍ପଦ; ତା’ ପର ଠାରୁ କେବଳ କାଗଜରେ ଛାପା ଡଲାର୍‌ ନୋଟ୍‌ଗୁଡ଼ିକ ହିଁ ସୁନା ସ୍ଥାନରେ ପୃଥିବୀବାସୀଙ୍କର ସମ୍ପଦର ଆଧାର ରୂପେ ପୃଥିବୀର ‘ରିଜର୍ଭ କରେନ୍‌ସି’ ରୂପେ ବିବେଚିତ ହେଲେ। ବିଦେଶୀ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ (ଯେମିତି ଆମ ରିଜର୍ଭ ବ୍ୟାଙ୍କ୍‌) ଚାହିଁ‌େଲ ଅତି ବେଶୀରେ ସେମାନଙ୍କ ପାଖରେ ଥିବା ଡଲାର୍‌ ବଦଳରେ ଆମେରିକା ସରକାରୀ ଋଣପତ୍ର ‘ଟ୍ରେଜେରି ବଣ୍ଡ୍‌’ମାନ କ୍ରୟ କରିପାରିବେ। ନିୟମ ଅନୁସାରେ ଏହି ବଣ୍ଡ୍‌ଗୁଡ଼ିକର ଅବଧି ପୂର୍ଣ୍ଣ ହୋଇଯିବା ପରେ ଆମେରିକା ସରକାର ତାହାକୁ ପରିଶୋଧ କରିବା କଥା; କିନ୍ତୁ ବଣ୍ଡ୍‌ଧାରୀ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନେ ପରିଶୋଧ ନ ଚାହିଁ ଏଗୁଡ଼ିକର ପୁନର୍ଚଳନ ବା ‘ରୋଲ୍‌ଓଭର୍‌’ କରାଇ ନେଇଥାନ୍ତି, ଯାହା ଅନିର୍ଦ୍ଦିଷ୍ଟ କାଳ ପାଇଁ ଚାଲିଥାଏ। ସମ୍ପୃକ୍ତ କେନ୍ଦ୍ରୀୟ ବ୍ୟାଙ୍କ୍‌ମାନ ଡଲାର୍‌ ଓ ଆମେରିକୀୟ ଟ୍ରେଜେରି ବଣ୍ଡକୁ ନିଜ ନିଜର ମୁଦ୍ରା ବ୍ୟବସ୍ଥାର ମୂଳଭିତ୍ତି ରୂପେ ବ୍ୟବହାର କରୁଥିବାରୁ ଡଲାର୍‌ ଏହିପରି ସାରା ପୃଥିବୀର ମୌଦ୍ରିକ ମୂଳଦୁଆ ରୂପେ ଆବିର୍ଭୂତ ହୋଇଛି।

ସୁନା ସହିତ ସମ୍ପର୍କ ଛିନ୍ନ ହେବା ପରେ ମଧ୍ୟ ଡଲାର୍‌ ପ୍ରତି ବିଶ୍ବବାସୀଙ୍କର ବିଶ୍ବାସ ଅତୁଟ ରହିବାର କାରଣ କ’ଣ? ଏହାର କାରଣ ହେଉଛି ଆମେରିକାର ଅର୍ଥନୈତିକ ଶକ୍ତି ଓ ସାମରିକ ଶକ୍ତି ଉପରେ ସେମାନଙ୍କର ବିଶ୍ବାସ। ଏହାର ସୁଯୋଗ ନେଇ ଆମେରିକା ସାରା ପୃଥିବୀରୁ ସହଜରେ ଇଚ୍ଛା ମୁତାବକ ଆମଦାନି ବୃଦ୍ଧି କରି ଚାଲିଥିବା ବେଳେ ତା’ ସହିତ ତାଳ ଦେବା ପାଇଁ ରପ୍ତାନି ବୃଦ୍ଧିର ଆବଶ୍ୟକତା ନାହିଁ। ଡଲାର୍‌ର ଏହି ଅସ୍ବାଭାବିକ ଶକ୍ତିର ଏକ ଉଦାହରଣ ସ୍ବରୂପ ଏ ପର୍ଯ୍ୟନ୍ତ ଆନ୍ତର୍ଜାତିକ ତୈଳ କାରବାର ପାଇଁ ଉପସାଗରୀୟ ଦେଶମାନେ ଡଲାର୍‌କୁ ହିଁ ମାଧ୍ୟମ ରୂପେ ବ୍ୟବହାର କରିଆସିଛନ୍ତି। ଇରାକ୍‌ର ଏକଛତ୍ର ଶାସକ ସଦ୍ଦ‌ାମ ହୁସେନ୍‌ ୨୦୦୦ ସାଲରେ ଏଥିରେ ପରିବର୍ତ୍ତନ ଘଟାଇ ଡଲାର୍‌ ବଦଳରେ ‘ଇଉରୋ’ ବ୍ୟବହାର କରିବା ଆରମ୍ଭ କଲେ। ଅନେକ ପର୍ଯ୍ୟବେକ୍ଷକ ବିଶ୍ବାସ କରନ୍ତି ଯେ ଏହାହିଁ ଥିଲା ୨୦୦୩ରେ ଆମେରିକା ଇରାକ୍‌ ଆକ୍ରମଣ କରିବା ପଛରେ ନିହିତ ଥିବା ଅସଲ କାରଣ।

ଏହାପରେ କୌଣସି ଦେଶ ଡଲାର୍‌-ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବା ପୂର୍ବରୁ ସଦ୍ଦାମ୍‌ଙ୍କ ଦଶା ମନେ ପକାଇ ‌ସେଥିରୁ ନିବୃତ୍ତ ରହୁଥିଲା ବୋଲି କେତେକ ମହଲରେ ବିଶ୍ବାସ କରାଯାଏ। ସେମାନଙ୍କ ଅନୁସାରେ ଇରାକ୍‌ ଆକ୍ରମଣ ମାଧ୍ୟମରେ ଡଲାର୍‌ ବିକାଶଶୀଳ ଦେଶମାନଙ୍କର ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ଏକ ଆତଙ୍କ ପ୍ରସାର କରିଥିଲା। ଉଦୟ କୋଟାକ୍‌ ଏବେ ଡଲାର୍‌କୁ ସିଧାସଳଖ ଏକ ଆତଙ୍କବାଦୀ ରୂପେ ଅଭିହିତ କରିବା ତେଣୁ ଅନ୍ତତଃ ଯାହା ପ୍ରମାଣ କରିଥାଏ, ତାହାହେଲା- ସମୟ ବଦଳି ଯାଇଛି।