ଗତ କାଲି ମୁକ୍ତିଲାଭ କରିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଦ କେରଳ ଷ୍ଟୋରି’ ପ୍ରାୟ ଛଅ ମାସ ପୂର୍ବରୁ ବିବାଦୀୟ ହୋଇ ସାରିଛି, ଯେତେବେଳେ ସେହି ସିନେମାର ମାତ୍ର ଏକ ମିନିଟ୍ ଦୀର୍ଘ ଏକ ଅ˚ଶ ‘ଟିଜର୍’ ରୂପେ ସାମାଜିକ ଗଣମାଧୢମରେ ଆବିର୍ଭୂତ ହୋଇଥିଲା। ତହିଁରେ ଜଣେ ବୁର୍ଖା ପରିହିତା ଭାରତୀୟ ମହିଳା କହିବା ଦେଖାଯାଇଥିଲା ଯେ କିଭଳି ତାଙ୍କ ପରି ପ୍ରାୟ ୩୨,୦୦୦ କେରଳୀ ଅଣ-ମୁସଲିମ୍ ଯୁବତୀଙ୍କୁ ପ୍ରବଞ୍ଚନା ପୂର୍ବକ ଇସଲାମ ଧର୍ମରେ ଦୀକ୍ଷିତ କରାଯାଇ ସିରିଆ ବା ଇରାକ୍ ବା ଆଫଗାନିସ୍ତାନ ଭଳି ଦେଶକୁ ଚାଲାଣ କରାଯାଇଛି, ଯେଉଁଠି ସେମାନେ ଅବଲୀଳା କ୍ରମେ ‘ଇସଲାମିକ୍ ଷ୍ଟେଟ୍’ ଭଳି କୁଖ୍ୟାତ ଆତଙ୍କବାଦୀ ସ˚ଗଠନର ଅ˚ଶ ହେବା ସହିତ କ୍ରୀତଦାସୀତୁଲ୍ୟ ଅତ୍ୟନ୍ତ ନରକୀୟ ଜୀବନଯାପନ କରୁଛନ୍ତି।
ଏହି ପରିପ୍ରେକ୍ଷୀରେ ତତ୍କ୍ଷଣାତ୍ ଯାହା ଏକ ବିବାଦକୁ ଜନ୍ମ ଦେଇଥିଲା, ତାହା ହେଉଛି ‘୩୨,୦୦୦’ ଭଳି ଏକ ବିଶାଳ ସ˚ଖ୍ୟା; ଯାହା ଅବିଶ୍ବାସ୍ୟ ହେବା ସହିତ ଚଳଚ୍ଚିତ୍ରଟିର ନିର୍ମାଣ ପଛରେ ନିହିତ ଦୁରଭିସନ୍ଧି ନେଇ ସନ୍ଦେହ ଜାତ କରିଥିଲା ଯେ ସା˚ପ୍ରଦାୟିକ ବିଦ୍ବେଷ ସୃଷ୍ଟି ଲାଗି ଏହା ଉଦ୍ଦିଷ୍ଟ! ତା’ ସହିତ ଭାରତର ସର୍ବାଧିକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ କେରଳ ଏବ˚ ପୃଥିବୀର ସର୍ବତ୍ର ଆପଣା ପଦଚିହ୍ନ ସୃଷ୍ଟି କରି ପାରିଥିବା ମାଲୟାଲିମାନଙ୍କ ଭାବମୂର୍ତ୍ତି ଏହା ଦ୍ବାରା କ୍ଷୁଣ୍ଣ ହେବାର ଆଶଙ୍କା ମଧୢ ଉଦ୍ବେଗ ସୃଷ୍ଟି କରିଥାଏ। ସେହି ଦୃଷ୍ଟିରୁ ପ୍ରତିବାଦ ସତ୍ତ୍ବେ ମୁକ୍ତିଲାଭ କରିଥିବା ଏହି ସିନେମାର ବହୁ ପ୍ରସ୍ଥୀ ପ୍ରଭାବର ସମ୍ଭାବନା ନେଇ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଉଲ୍ଲେଖଯୋଗ୍ୟ ଯେ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଦୀପ୍ତ ସେନ ବର୍ତ୍ତମାନ ଉପରୋକ୍ତ ସନ୍ଦିଗ୍ଧ ସ˚ଖ୍ୟାଟିକୁ ନେଇ ଆତ୍ମରକ୍ଷାତ୍ମକ ମୁଦ୍ରାରେ; ଯହିଁରେ ସେ ସ୍ବୀକାର କରିଛନ୍ତି ଯେ ଏହା ପଛରେ କୌଣସି ବିଶ୍ବସନୀୟ ପରିସ˚ଖ୍ୟାନ ବଦଳରେ ରହିଛି ଏକ ଅନୁମାନଭିତ୍ତିକ ହିସାବ; ଯାହା ୨୦୧୨ ମସିହାରେ କେରଳର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉମେନ ଚଣ୍ତିିଙ୍କ ପ୍ରଦତ୍ତ ବୟାନ ଉପରେ ଆଧାରିତ। ଉମେନ ଚଣ୍ଡି କହିଥିଲେ ଯେ ୨୦୦୬ରୁ ୨୦୧୨ ମଧୢରେ କେରଳରେ ୨୬୬୭ ଜଣ ମହିଳା ଇସଲାମକୁ ଧର୍ମାନ୍ତରିତ ହୋଇଛନ୍ତି। ଏବେ ଜଣାପଡ଼ିଛି ଯେ ସିନେମାଟିର ବିଷୟବସ୍ତୁ ପ୍ରକୃତରେ ମାତ୍ର ତିନି ଜଣ ହତଭାଗ୍ୟ ମହିଳାଙ୍କ କରୁଣ ଅନୁଭୂତି ଉପରେ ଗଢ଼ି ଉଠିଛି। ଏଠାରେ ପ୍ରକାଶ ଥାଉ କି ସୁଦୀପ୍ତ ସେନ ୨୦୧୮ ମସିହାରେ ‘ଇନ୍ ଦ ନେମ୍ ଅଫ୍ ଲଭ୍’ ନାମକ ଏକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯହିଁରେ ମଧୢ ଏହି ସମାନ ବିଷୟବସ୍ତୁ ଦେଖିବାକୁ ମିଳିଥିଲା।
ସୁତରା˚, ଏକ ଧାରଣା ଜନ୍ମିଥାଏ ଯେ ସୁଦୀପ୍ତ ସେନ ‘ଲଭ୍ ଜିହାଦ୍’ ଭଳି ଏକ ଉଦ୍ୟମକୁ ବିଶ୍ବାସ କରନ୍ତି, ଯହିଁରେ ବହୁ ସ˚ଖ୍ୟାରେ ମୁସଲିମ ଯୁବକ କୌଶଳ କ୍ରମେ ପ୍ରେମ ଓ ପ୍ରତାରଣାର କୁଣ୍ତଳି ମଧୢରେ ଅଣଇସଲାମୀୟ ଯୁବତୀ (ମୁଖ୍ୟତଃ ହିନ୍ଦୁ ଧମାବଲମ୍ବୀ)ମାନଙ୍କୁ ଛନ୍ଦି ଧର୍ମାନ୍ତରଣ, କଠୋରପନ୍ଥୀରେ ପରିବର୍ତ୍ତନ, ବିବାହ ଏବ˚ ଚାଲାଣ ପ୍ରକ୍ରିୟା ଦେଇ ସେମାନଙ୍କୁ ‘ଇସଲାମିକ୍ ଷ୍ଟେଟ୍’ର ଦାସତ୍ବାଧୀନ କରୁଛନ୍ତି ବୋଲି ଅଭିଯୋଗ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଆଜିକୁ ୨୫ ବର୍ଷ ତଳେ ଅର୍ଥାତ୍ ୧୯୯୮ ମସିହାରେ ଗୁଇନ୍ଦା ସୂତ୍ରରୁ ଉପଲବ୍ଧ ତଥ୍ୟ ଆଧାରରେ ପ୍ରସ୍ତୁତ ଏକ ସମ୍ବାଦ ‘କେରଳ କୌମୁଦୀ’ର ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେବା ସହିତ ଏଭଳି ଏକ ଧାରା ସୃଷ୍ଟି ହୋଇଥିବା ବିଷୟରେ ଇଙ୍ଗିତ ପ୍ରଦାନ କରିଥିଲା। ସେହି ସମ୍ବାଦର ଶିରୋମାନା ଥିଲା ‘ରୋମିଓ ଜିହାଦ୍’, ଯାହା ଇତିମଧୢରେ ‘ଲଭ୍ ଜିହାଦ୍’ ନାମକ ଅଭିବ୍ୟକ୍ତିରେ ପରିଣତ ହୋଇଛି।
ତେବେ, ଏହା ମଧୢ ସତ ଯେ କେବଳ ଧର୍ମାନ୍ତରଣ ନୁହେଁ, ତା’ ସହିତ ଏହି ନୂତନ ଧର୍ମାବଲମ୍ବୀମାନଙ୍କୁ ଆତଙ୍କବାଦୀରେ ପରିଣତ କରିବାରେ ‘ଲଭ୍ ଜିହାଦ୍’ର ଭୂମିକା କେରଳରେ ଏକାଧିକ ବାର ତୀବ୍ର କୋଳାହଳ ସୃଷ୍ଟି କଲାଣି। ୨୦୦୯ ମସିହାରେ ଦୁଇ ଜଣ ‘ଏମ୍.ବି.ଏ.’ ଛାତ୍ରୀ (ଜଣେ ଖ୍ରୀଷ୍ଟିଆନ ଓ ଜଣେ ହିନ୍ଦୁ) ହଠାତ୍ ନିରୁଦ୍ଦିଷ୍ଟା ହୋଇଯାଇ କିଛି ଦିନ ପରେ ସିରିଆରେ ଚିହ୍ନଟ ହେବା ବା ୨୦୧୬ ମସିହାରେ ଚାରି ଜଣ ଯୁବତୀ (ଧର୍ମାନ୍ତରିତ)ଙ୍କ ସହିତ ୨୧ ଜଣ କେରଳୀ ଯୁବକ ‘ଇସଲାମିକ ଷ୍ଟେଟ୍’ ଯୋଗ ଦେଇଥିବା ଭଳି ଘଟଣା ତା’ ମଧୢରୁ ଅନ୍ୟତମ। ‘ଲଭ୍ ଜିହାଦ୍’ ସ˚ଦର୍ଭରେ ହୋଇଥିବା ଏକ ଅଦାଲତୀ ମାମଲାର ଶୁଣାଣି ବେଳେ ମାନ୍ୟବର ବିଚାରପତି କେ. ଟି. ଶଙ୍କର ମଧୢ ହୃଦୟଙ୍ଗମ କରିଥିଲେ ଯେ ଆନ୍ତଃ-ସା˚ପ୍ରଦାୟିକ ପ୍ରେମ ବିବାହ ପଛରେ ଏଭଳି ଏକ ଦୁରଭିସନ୍ଧିଭରା ଉଦ୍ୟମ ରହିଥିବା ବିଚିତ୍ର ନୁହେଁ।
ତେବେ, କେତେକ ପୁଲିସ ଅନୁସନ୍ଧାନ ରିପୋର୍ଟ କହିଥାଏ ଯେ କେତେକ ସ୍ଥଳେ ଯୁବତୀମାନେ ପ୍ରଥମେ ଇସଲାମ ଧର୍ମ ପ୍ରତି ଆକୃଷ୍ଟ ହୁଅନ୍ତି ଏବଂ ତା’ ପରେ ଯାଇ ମୁସଲିମ ଯୁବକଙ୍କୁ ବିବାହ କରିଥାଆନ୍ତି। ତେବେ, ଧର୍ମାନ୍ତରଣ ପରେ ‘ଇସଲାମିକ ଷ୍ଟେଟ୍’କୁ ଚାଲାଣ କରାଯାଉଥିବା ମହିଳାମାନଙ୍କ ସ˚ଖ୍ୟା ଯେ ନିଶ୍ଚିତ ଭାବେ ୩୨ ହଜାର ବା ତା’ ପାଖାପାଖି ହୋଇ ନ ଥିବ, ତାହା ନିଃସନ୍ଦେହ। ସାଧାରଣ ଜ୍ଞାନ କହିଥାଏ ଯେ କେରଳ ଭଳି ଏକ କ୍ଷୁଦ୍ର ଏବ˚ ଅତ୍ୟନ୍ତ ସଚେତନ ରାଜ୍ୟରେ ଏଭଳି ଏକ ସ˚ଖ୍ୟା ସତ ହୋଇଥିଲେ, ସେଠାରେ ଏକ ତୀବ୍ର ଭୂଚଳନ ସଦୃଶ କଂପନ ସୃଷ୍ଟି ହୋଇ ସମଗ୍ର ଦେଶକୁ ହୁଲସ୍ତୁଲ କରି ପକାନ୍ତା। ସେହି ଦୃଷ୍ଟିରୁ କେରଳ ବିଧାନସଭାରେ କ୍ଷମତାସୀନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ଦ୍ବାରା ପ୍ରଦତ୍ତ ପରିସ˚ଖ୍ୟାନ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଏ ଯାବତ୍ ଏଭଳି ମାତ୍ର ୧୦୦ ଜଣ ମହିଳା ଅଛନ୍ତି, ଯହିଁରୁ ୨୮ ଜଣ ଇସଲାମୀୟ ଆତଙ୍କବାଦୀ ସ˚ଗଠନରେ ଯୋଗ ଦେବାର ନିରୋଳା ଉଦ୍ଦେଶ୍ୟରେ ଦେଶ ଛାଡ଼ିଥିବା ବେଳେ ଅବଶିଷ୍ଟ ୭୨ ଜଣ ବିଭିନ୍ନ କାର୍ଯ୍ୟରେ ଉପସାଗରୀୟ ଅଞ୍ଚଳକୁ ଯାଇ ପରବର୍ତ୍ତୀ ସମୟରେ ସେହିଭଳି ସ˚ଗଠନରେ ଯୋଗ ଦେଇଛନ୍ତି।
୨୦୧୦ ମସିହା ଜୁଲାଇ ମାସ ୪ ତାରିଖରେ ‘ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ତିଆ’ (ବର୍ତ୍ତମାନ ନିଷିଦ୍ଧ) ନାମକ ଏକ ସ˚ଗଠନର କେତେକ ସଦସ୍ୟ ଜଣେ ପ୍ରଫେସରଙ୍କ ଡାହାଣ ହାତ ଏବ˚ ବାମ ଗୋଡ଼କୁ ଅତି ନୃଶ˚ସ ଭାବେ ତାଲିବାନୀ ଶୈଳୀରେ ଛେଦନ କରିଥିଲେ, କାରଣ ସେମାନଙ୍କ ଅଭିଯୋଗ ଥିଲା ଯେ ସେ ପୈଗମ୍ବରଙ୍କ ପ୍ରତି ଅସମ୍ମାନ ପ୍ରଦର୍ଶନ କରିଛନ୍ତି। କହିବା ବାହୁଲ୍ୟ, ଏହି ଘଟଣା କେରଳରେ ଯେଉଁ ଆତଙ୍କର ତରଙ୍ଗ ଖେଳାଇ ଦେଇଥିଲା ତହିଁରେ ଉଦ୍ବିଗ୍ନ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଭି. ଏସ୍. ଅଚ୍ୟୁତାନନ୍ଦନ ଏକ ସାମ୍ବାଦିକ ସମ୍ମଳନୀରେ କହି ପକାଇଥିଲେ ଯେ ଏହି ସ˚ଗଠନ ଆସନ୍ତା ୨୦ ବର୍ଷ ମଧୢରେ କେରଳକୁ ଏକ ମୁସଲିମ-ପ୍ରଧାନ ରାଜ୍ୟରେ ପରିଣତ କରିବାର ଚକ୍ରାନ୍ତ କରୁଛି।
ପ୍ରକାଶ ଥାଉ କି ୧୩ ବର୍ଷ ତଳର ଏହି ମନ୍ତବ୍ୟକୁ ‘ଦ କେରଳ ଷ୍ଟୋରି’ରେ ସ୍ଥାନ ଦିଆଯାଇଛି ଏବ˚ ସେହି ଦିନ ଠାରୁ ଏହି ଭୟ କେରଳର ଆକାଶରେ ଝୁଲି ରହିଛ ଯାହାକୁ ବାସ୍ତବାୟିତ କରିବାର ଉଦ୍ୟମ ଏହି ସିନେମାରେ କରାଯାଇଛି। ଗଲା ୨୦୨୨ ମସିହାରେ ‘ଦ କାଶ୍ମୀର ଫାଇଲ୍ସ’ ଚଳଚ୍ଚିତ୍ରଟି ମୁକ୍ତି ଲାଭ କରିବା ପରେ ଯେଉଁଭଳି ଆଲୋଡ଼ନ, ଚାଞ୍ଚଲ୍ୟ, ଉଦ୍ବେଗ, ଏପରିକି ସା˚ପ୍ରଦାୟିକ ଧ୍ରୁବୀକରଣ ସୃଷ୍ଟି କରିଥିଲା, ‘ଦ କେରଳ ଷ୍ଟୋରି’ ମଧୢ ସମତୁଲ ପ୍ରତିକ୍ରିୟାର ଝଡ଼ ସୃଷ୍ଟି କରିପାରେ। ‘ଦ କାଶ୍ମୀର ଫାଇଲ୍ସ’ ଭଳି ଏହି ସିନେମା ମଧୢ ଅତିର˚ଜନର ଆଶ୍ରୟ ନେଇଥିବାର ଅଭିଯୋଗ ଉଠିପାରେ। ତେବେ, ସିନେମାଟି ଉପରେ ନିଷେଧାଦେଶ ଜାରି କରିବା ସ˚ପର୍କିତ ଏକ ମାମଲାର ଉତ୍ତରରେ ଅଦାଲତ କହିଛନ୍ତି ଯେ ଏହା ମୁକ୍ତିଲାଭ କରିବାରେ କୌଣସି ବାଧା ରହିବା ଉଚିତ ନୁହେଁ। ଯଦି ସିନେମାଟି ମିଥ୍ୟାଶ୍ରୟୀ, ତେବେ ଦର୍ଶକ ତାକୁ ପ୍ରତ୍ୟାଖ୍ୟାନ କରିବେ।
ଏଭଳି ସ୍ଥିତିରେ ପ୍ରସିଦ୍ଧ କଲମ୍ବୀୟ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କ୍ବେଜ ମନେ ପଡ଼ିଯାନ୍ତି, ଯିଏ ଠାଏ ଚଟୁଳତାର ସହ କହିଥିଲେ ଯେ ଯେଉଁ ବ୍ୟକ୍ତି ସାରା ରାତି ପର ସ୍ତ୍ରୀ ସହିତ ଅତିବାହିତ କରି ତା’ ଆର ଦିନ ସକାଳେ ଏହା କହି ନିଜ ପତ୍ନୀ ମନରେ ବିଶ୍ବାସ ଜନ୍ମାଇ ଦିଏ ଯେ ରାତିରେ ତାକୁ ଏକ ତିମି ମାଛ ଗିଳି ଦେଇଥିବାରୁ ତା’ ପେଟରୁ ବାହାରି ଆସିବାରେ ରାତି ପାହିଗଲା; ସେ ହେଉଛି ପୃଥିବୀର ସର୍ବଶ୍ରେଷ୍ଠ ଗାଳ୍ପିକ। ଏହାର ମର୍ମ ହେଲା ଭଲ ଭାବେ କହି ଜାଣିଲେ ଏକ ଉଦ୍ଭଟ ଓ କପୋଳକଳ୍ପିତ କଥାକୁ ମଧୢ ସନ୍ଦେହୀ ପତ୍ନୀର ହୃଦ୍ବୋଧ କରାଇ ଦିଆଯାଇପାରେ। ତାହା ମଧୢ ସିନେମା କ୍ଷେତ୍ରରେ ପ୍ରଯୁଜ୍ୟ। ତେଣୁ ଯଦି ବାସ୍ତବଧର୍ମୀ ସିନେମା ‘ଦ କେରଳ ଷ୍ଟୋରି’ ଖୁବ୍ ଲୋକପ୍ରିୟତା ହାସଲ କରେ; ଏହା ମଧୢ କୁହାଯାଇପାରିବ ନାହିଁ ଯେ ଏହାର ବିଷୟବସ୍ତୁ ସତ୍ୟ ଉପରେ ଆଧାରିତ ଥିଲା!