ମୃତ୍ୟୁ ବଦଳରେ ଆଜୀବନ କାରାବାସକୁ ଅଧିକ ପସନ୍ଦ କରିଥିବା ଆଣ୍ଟନ ଚେକଭ୍ଙ୍କ କାଳଜୟୀ ଗଳ୍ପ ‘ଦ ବେଟ୍’ (ବାଜି)ର ଓକିଲ ଚରିତ୍ରଟିର ଦୁର୍ଦ୍ଦଶା ଯେଉଁମାନେ ମନେ ପକେଇପାରୁଥିବେ ସେମାନଙ୍କ ପାଇଁ ଯୁକ୍ତରାଷ୍ଟ ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତିଙ୍କ ରିପୋର୍ଟ ବିଶେଷ ନୂତନତ୍ବ ରଖୁନଥିବ। ଚେକଭ୍ଙ୍କ ସେହି ଗଳ୍ପର ଓକିଲ ଚରିତ୍ରଟି ଦୁଇ ନିୟୁତ ରୁବଲ୍ସ ବଦଳରେ ପାଞ୍ଚ ବର୍ଷ କଣ ପନ୍ଦର ବର୍ଷ ସୁଦ୍ଧା ନିଃସଙ୍ଗ କାରାବାସରେ ବିତେଇ ପାରିବ ବୋଲି ଦମ୍ଭ ରଖିଥିଲା। ମାତ୍ର ସମୟ ଯେତିକି ଯେତିକି ଗଡ଼ି ଚାଲିଥିଲା ତା’ର ନିଃସଙ୍ଗତା ସେତିକି ସେତିକି କରୁଣ ହୋଇଚାଲିଥିଲା। ମଣିଷର ନିଃସଙ୍ଗତା କେତେ ନିର୍ମମ ଏବଂ ବେଦନାଦାୟକ ତାହା ଆଲେକଜାଣ୍ଡାର ସେଲକାର୍କଙ୍କ ମର୍ମସ୍ପର୍ଶୀ କବିତା ‘ସଲିଚ୍ୟୁଡ’ରେ ଆହୁରି ସ୍ପଷ୍ଟତର ଭାବେ ଫୁଟିଉଠିଛି।
‘ନିର୍ବାସିତର ବିଳାପ’ ଶୀର୍ଷକରେ ଭକ୍ତକବି ମଧୁସୂଦନ ରାଓଙ୍କ ଚମତ୍କାର ଭାଷାନ୍ତରରେ ଅନୂଦିତ ଏହି ପ୍ରାଣସ୍ପର୍ଶୀ କବିତାର ପ୍ରଥମ ଦୁଇଟି ଧାଡ଼ି ଏଭଳି- ‘‘ଦେଖଇ ନେତ୍ର ଯାହା ଚଉଦିଗର/ ସେ ସର୍ବର ଅଟଇ ମୁଁ ଅଧୀଶ୍ବର।’’ ଆଖି ଚାରିପଟେ ଦିଶୁଥିବା ସବୁ କିଛିର ଅଧୀଶ୍ବର ହୋଇ ସୁଦ୍ଧା ସ୍ଥଳଭାଗରୁ ବିଚ୍ଛିନ୍ନ ଗୋଟିଏ ଦ୍ବୀପରେ ଓ ସମ୍ପର୍କୀୟମାନଙ୍କ ଠାରୁ ଦୂରରେ ରହିଥିବା ମଣିଷଟିଏ କିଭଳି ପ୍ରତି ମୁହୂର୍ତ୍ତରେ ଛଟପଟ ହୋଇଛି ତାହା ହିଁ ସେ କବିତାର ବିଷୟବସ୍ତୁ। ନିଃସଙ୍ଗତା ଏଭଳି ଏକ ତୀବ୍ର ଅନୁଭବ ଯାହା ମଣିଷକୁ ଧୀରେ ଧୀରେ କବଳିତ କରି ପ୍ରଥେମ ତା’ ଭିତରୁ ଜିଇଁବାର ଇଚ୍ଛା ଏବଂ ପରେ ତା’ର ପ୍ରାଣଶକ୍ତିକୁ ବିନଷ୍ଟ କରିଦିଏ। ନିକଟରେ ଯୁକ୍ତରାଷ୍ଟ୍ର ଆମେରିକାର ସର୍ଜନ ନେଜେରାଲ ଉପସ୍ଥାପନ କରିଥିବା ସ୍ବାସ୍ଥ୍ୟ ରିପୋର୍ଟ ଅନୁସାରେ ସେହି ଦେଶ ନିଃସଙ୍ଗତାକୁ ଏକ ମହାବ୍ୟାଧି ଭାବରେ ଗ୍ରହଣ କରିଛି। ଦିନକୁ ଦଶଟି ସିଗାରେଟ ଟାଣୁଥିବା ଅଭ୍ୟାସ ମଣିଷର ପ୍ରତ୍ୟହ ଯେତିକି କ୍ଷତି କରେ ନିଃସଙ୍ଗତା ତାହାଠାରୁ ଅଧିକ କ୍ଷତି କରୁଥିବା ଦର୍ଶାଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଅଛି ଯେ, ନିଃସଙ୍ଗତା ଭୋଗୁଥିବା ମଣିଷମାନଙ୍କର ମୃତ୍ୟୁ ଆଶଙ୍କା ସାଧାରଣ ମଣିଷର ମୃତ୍ୟୁ ଆଶଙ୍କାଠାରୁ ଶତକଡ଼ା ତିରିଶ ଭାଗ ଅଧିକ।
ଗତ ଚାରି ଦଶନ୍ଧିର ତଥ୍ୟାବଳୀର ଅନୁଶୀଳନରେ ପ୍ରସ୍ତୁତ ଏହି ରିପୋର୍ଟ କୋଭିଡ ପୂର୍ବବର୍ତ୍ତୀ ସମୟକୁ ତାହାର ଅନୁଶୀଳନର କାଳଖଣ୍ଡ ଭାବେ ଗ୍ରହଣ କରିଥିଲା। ଏହାର ଅର୍ଥ କୋଭିଡ ପରବର୍ତ୍ତୀ ସମୟର ବ୍ୟକ୍ତି-ବ୍ୟବହାର ପ୍ରସଙ୍ଗ ଅନୁଶୀଳନ କରାଗଲେ ତାହାର ଫଳାଫଳ ଅାହୁରି ଅଧିକ ଉଦ୍ବେଗଜନକ ହୁଅନ୍ତା। ଏହି ରିପୋର୍ଟରେ ଦର୍ଶାଯାଇଅଛି େଯ ଗତ ୬୦ ବର୍ଷ ଭିତରେ ଆମେରିକାରେ ଜଣିକିଆ ବା ଏକଲା ମଣିଷ ରହୁଥିବା ଘରର ସଂଖ୍ୟା ଦୁଇଗୁଣ ବଢ଼ିଯାଇଅଛି। ଏହି ଘରଗୁଡ଼ିକରେ ରହୁଥିବା ସଙ୍ଗହୀନ ମଣିଷ ପ୍ରତ୍ୟେକ ଜଣେ ଜଣେ ଆତ୍ମନିର୍ବାସିତ ବ୍ୟକ୍ତି କହିଲେ ଅତ୍ୟୁକ୍ତି ହେବନାହିଁ, ଯାହାଙ୍କ ପାଖରେ ଭାବ ଆଦାନପ୍ରଦାନ ପାଇଁ କୌଣସି ରକ୍ତମାଂସଧାରୀ ମଣିଷ ଉପସ୍ଥିତ ନାହାନ୍ତି। ଆମେରିକା ସରକାରଙ୍କର ଏହି ରିପୋର୍ଟ ଅନୁସାରେ ନିଃସଙ୍ଗତା ଉଦ୍ବେଗ, ଉଦାସୀନତା, ବିଷାଦ, ବିସ୍ମୃତି ଏବଂ ହୃଦ୍ଘାତ ପରି ସମସ୍ୟା ସୃଷ୍ଟି କରିଥାଏ ଯାହାଯୋଗୁଁ ବ୍ୟାଧିଗ୍ରସ୍ତ ମଣିଷ ମୃତ୍ୟୁମୁଖରେ ପଡ଼ିଥାଏ। ମୂର୍ତ୍ତିଙ୍କର ଏହି ରିପୋର୍ଟକୁ ଆମେରିକା ଅଧିକ ଗୁରୁତ୍ବ ଦେବାର ଅନ୍ୟତମ କାରଣ ହେଉଛି ଏଥିପାଇଁ ତାଙ୍କର ବିଶେଷଜ୍ଞ ଦଳ ସମାଜବିଜ୍ଞାନ, ମନସ୍ତତ୍ବ, ରାଜନୀତି, ଅର୍ଥନୀତି ଓ ସାଧାରଣ ସ୍ବାସ୍ଥ୍ୟ ପ୍ରଭୃତି ବିଭିନ୍ନ ବିଭାଗର ପ୍ରତିନିଧିଙ୍କୁ ନେଇ ଗଠିତ ହୋଇଥିଲା ଯାହା ନିଃସଙ୍ଗତା ଭୋଗୁଥିବା ନାଗରିକମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଜାଣିବା ପାଇଁ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲା। ଏହି ସର୍ଭେ ରିପୋର୍ଟର ଆଧାରରେ ସର୍ଜନ ଜେନେରାଲ ଆମେରିକା ସରକାରଙ୍କୁ ତୁରନ୍ତ ସେହିସବୁ ପଦକ୍ଷେପ ନେବାପାଇଁ ପରାମର୍ଶ ଦେଇଛନ୍ତି ଯାହା ପୂର୍ବରୁ ଡ୍ରଗ୍ସ-ତମାଖୁ, ମୋଟାପଣ ପରି ବ୍ୟାଧିର ନିରାକରଣ ପାଇଁ ନିଆଯାଇଅଛି। ଅନ୍ୟଥା ଏହି ନିଃସଙ୍ଗତା ରୂପକ ବ୍ୟାଧି ଏକ ଭୟଙ୍କର ସାମାଜିକ ବ୍ୟାଧିର ରୂପ ନେବ ବୋଲି ତାଙ୍କର ମତ।
ଆମେରିକାର ସର୍ଜନ ଜେନେରାଲ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଯେ କେବଳ ସେହି ଦେଶ ପାଇଁ ପ୍ରଯୋଜ୍ୟ ବା ତାହାର ପରିଣତି ସେହି ଦେଶ ମଧ୍ୟରେ ସୀମିତ ସେକଥା କୁହାଯାଇନପାରେ। କୋଭିଡ ପରବର୍ତ୍ତୀ କାଳରେ, ଆମ ଦେଶ ଭାରତରେ ଯାହା ଅଧିକ ଭାବେ ଦୃଶ୍ୟମାନ ବା ଅନୁଭୂତ ହେଉଛି ସେହି ନିଃସଙ୍ଗତା ବ୍ୟାଧିର ଉପସର୍ଗ ଅନେକ ଆଗରୁ ଦେଖିବାକୁ ମିଳିଥିଲା। ପରିବାର ଭିତରେ ସଂଗତିର ଅଭାବ, ବିବାହ ବିଚ୍ଛେଦ, ଅର୍ଥନୈତିକ ବିଫଳତା ଓ ସାମାଜିକ ସୁବିଧା ସୁଯୋଗର ସଂକୋଚନ ନିଃସଙ୍ଗତାର କେତୋଟି କାରଣ ହୋଇଥିବା ବେଳେ ପ୍ରିୟଜନର ମୃତ୍ୟୁ, କ୍ୟାରିୟରରେ ଅସଫଳତା, ମାନସିକ ଅବସାଦ, ଶାରୀରିକ ଅସୁସ୍ଥତା ଏବଂ ଦୈନନ୍ଦିନ ଚାପ ସହ ଖାପ ଖୁଆଇନପାରିବା ଆଉ କେତୋଟି କାରଣ। କୋଭିଡ ସମୟ ମଣିଷକୁ ରାଜପଥ ଉପରୁ ଭିଡ଼ିଆଣି ଘର ଭିତରେ ବନ୍ଦୀ କରିଦେଲା। ମଣିଷ ତାହାର ଆବେଗ ପ୍ରକାଶ ପାଇଁ ଅଥବା ଆଗ୍ରହର ପରିପୂର୍ତ୍ତି ପାଇଁ ଉପଲବ୍ଧ ସୁଯୋଗର ଉପଯୋଗରୁ ବଞ୍ଚିତ ହେଲା। କାହା ସାଙ୍ଗେ ତା’ର ବ୍ୟକ୍ତିଗତ ଦେଖାଚାହାଁ ହେଲା ନାହିଁ କିମ୍ବା କାହାରି ଆଗରେ ନିଜର ମନୋଭାବ ସେ ପ୍ରକାଶ କରିପାରିଲା ନାହିଁ। ଯଦି ଲୋକମାନେ ବଜାର ଘାଟକୁ ନ ଯାଆନ୍ତି ବା ମାଆମାନେ ପିଲାମାନଙ୍କୁ ଖୋଲା ଖେଳ ପଡ଼ିଆରେ ଖେଳିବାକୁ ନ ଛାଡ଼ନ୍ତି ଅଥବା ଲୋକମାନେ ବର୍ଷର ଅଧିକାଂଶ ସମୟ ଘର ଭିତରେ ନିଜକୁ ବନ୍ଦୀ କରି ରଖନ୍ତି, ତାହାହେଲେ ତାହାର କି ଭୟଙ୍କର ପରିଣାମ ହେବ ସେକଥା ନିକଟରେ ନୋବେଲ ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଏକ ପ୍ରବନ୍ଧରେ ଉଲ୍ଲେଖ କରି ସମସ୍ତଙ୍କୁ ସତର୍କ କରି ଦେଇଛନ୍ତି।
ଗୋଟିଏ ପଟେ ସାମାଜିକ ସମ୍ବନ୍ଧ ଏହିପରି ହୁଗୁଳା ହୋଇ ଚାଲିଥିବା ବେଳେ ଅନ୍ୟପଟେ ଜୀବନକୁ ସହଜ କରିବା ପାଇଁ ଆବିଷ୍କୃତ ଯନ୍ତ୍ରପାତି ଓ କାରିଗରୀ କୌଶଳ ମଣିଷକୁ ଅଧିକ ଏକୁଟିଆ କରି ଦେଉଅଛି। ଆଧୁନିକ ଉପଭୋକ୍ତାକୁ ଆଜି ତା’ର ଦୈନନ୍ଦିନ କାର୍ଯ୍ୟ ବା ଆବଶ୍ୟକତା ପୂରଣ ପାଇଁ ଯଥା- ପରିବା କିମ୍ବା ସଉଦା କିଣିବା ଲାଗି ବା ବ୍ୟାଙ୍କ୍ରୁ ଟଙ୍କା ଉଠେଇବା ଲାଗି ଅଥବା ସାମାଜିକ ଉତ୍ସବାନୁଷ୍ଠାନରେ ଯୋଗ ଦେବା ଲାଗି ଆମନ୍ତ୍ରଣ କରିବା ପାଇଁ ଏପରିକି ବହି କିଣିବା ଲାଗି ସୁଦ୍ଧା ଦୋକାନକୁ ଯିବା ଲାଗି ପଡୁନାହିଁ। ଏହାଦ୍ବାରା ତାହାର ଜୀବନଯାପନ ହୁଏତ ସହଜ ହୋଇପଡ଼ିଛି; ମାତ୍ର ଏହି ସହଜିଆ ଜୀବନଯାପନ ପଦ୍ଧତି ତାକୁ ହାଟ ବଜାରର କୋଳାହଳ, ସଂପର୍କ, ସଂପ୍ରୀତି ଏବଂ ତାଜାପଣରୁ ପ୍ରତ୍ୟାହାର କରି ଆଣି ସୀମିତ ଓ ସଂକୀର୍ଣ୍ଣ ଘରକୋଣରେ ପକାଇ ଦେଇଅଛି। ଯେଉଁଭଳି ଭାବେର ଆଜି ମଣିଷ ଯନ୍ତ୍ରପାତି ଉପରେ ନିର୍ଭରଶୀଳ ହୋଇଚାଲିଛି ତହିଁରୁ ଆକଳନ କରିବା କଷ୍ଟ ନୁହେଁ ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସର୍ବବ୍ୟାପୀ ହେବା ଆଗରୁ ମଣିଷ ନିଜେ ଯନ୍ତ୍ର ପାଲଟିଯାଇଥିବ। ଏହି ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟଫର୍ମ ଗୁଡ଼ିକର ଭୂମିକା ମଧ୍ୟ ବିବାଦାସ୍ପଦ। ବିଶ୍ବମୁଖୀ ଆଧୁନିକ ମଣିଷ ଯଦି କ୍ରମେ ପଛକୁ ଫେରି ଫେରି ଗୁମ୍ଫାରେ ରହୁଥିବା ପ୍ରାଗୈତିହାସିକ ପ୍ରାଣୀ ପାଲଟିଯାଏ ତାହାହେଲେ ଏଥିପାଇଁ କିଏ ଦାୟୀ ହେବ? ପୁଣି ପ୍ରାଗୈତିହାସିକ ମଣିଷ ଗୁମ୍ଫାରେ ରହୁଥିବା ସତ୍ତ୍ବେ ଖୁସି ଥିଲା, କାରଣ ତାହାର ମହାତ୍ତ୍ବାକାଂକ୍ଷା, କିମ୍ବା ଅଭିଳାଷ ଆକାଶଚୁମ୍ବୀ ନ ଥିଲା କିମ୍ବା ବିଫଳତାର ଅବସାଦ ତାକୁ ଆଜିପରି ବ୍ୟାଧିଗ୍ରସ୍ତ କରି ଦେଉନଥିଲା। ମାତ୍ର ଆଜିର ପରିସ୍ଥିତି ଅତ୍ୟନ୍ତ ଜଟିଳ।
ନିଃସଙ୍ଗତା କେବଳ ପ୍ରାପ୍ତବୟସ୍କ ମଣିଷର କ୍ଷତିସାଧନ କରେ କିମ୍ବା ତାହାକୁ ରୋଗଗ୍ରସ୍ତ କରି ପକାଏ ତାହା ନୁହେଁ, ଏହା ସାନ ପିଲାମାନଙ୍କ ମଧ୍ୟରେ ନକାରାତ୍ମକ ପ୍ରତିକ୍ରିୟା ପକାଇଥାଏ। ଗୋଟିକିଆ ପିଲା ଥିବା ପରିବାରର ଅଭିଭାବକମାନେ ତାଙ୍କର ସନ୍ତାନଟି ବିଦ୍ୟାଳୟରେ ବନ୍ଧୁତା ସୃଷ୍ଟି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ସମସ୍ୟା ଅବଶ୍ୟ ଲକ୍ଷ୍ୟ କରିଥିବେ। ବାର୍ଦ୍ଧକ୍ୟରେ ନିଃସଙ୍ଗତାକୁ ତ ଆମ ସମାଜ କେଉଁଦିନୁ ଅନିବାର୍ଯ୍ୟ ବୋଲି ଗ୍ରହଣ କରିସାରିଛି। ପରିବାରର ଭିଡ଼ ଭିତରେ ରହୁଥିବା ବୁଢ଼ାବୁଢ଼ୀମାନଙ୍କ ପାଖକୁ ସେମାନଙ୍କର ସମର୍ଥ ସନ୍ତାନ ସନ୍ତତି ଥରେ ଅଧେ ଯାଉନଥିବା କଥା ସମ୍ବାଦପତ୍ର ଗୁଡ଼ିକର ଏକ ପରିଚିତ ଶିରୋନାମା। ଶୈଶବରୁ ବାର୍ଦ୍ଧକ୍ୟ ବା ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ପ୍ରଲମ୍ବିତ ଅାମ ଜୀବନର ପ୍ରତିଟି ସ୍ତରରେ ଯଦି ନିଃସଙ୍ଗତା ସଙ୍ଗାତ ହୋଇପଡ଼େ ତାହାହେଲେ ପରିସ୍ଥିତି ରୁଗ୍ଣ ଓ ଭୟଙ୍କର ହେବା ଅବଧାରିତ। ଏ ସମସ୍ୟାର ସମାଧାନ କେବଳ ବ୍ୟକ୍ତିଗତ ସ୍ତରରେ ସମ୍ଭବ ନୁହେଁ। କାରଣ ନିଃସଙ୍ଗତାର ଶିକାର ହୋଇଥିବା ମଣିଷଟି ତା’ ସମସ୍ୟାର ସମାଧାନ ଏକାକୀ କରିପାରିବ ନାହିଁ। ଏ ଦିଗରେ ସମାଜ ଏବଂ ସରକାରଙ୍କର ଦାୟିତ୍ବ ମଧ୍ୟ ରହିଛି।
ସେହିଭଳି ସୁସ୍ଥ ଥିବା ସମୟରୁ ହିଁ ମଣିଷ ସମ୍ପର୍କ ଓ ସଂପ୍ରୀତି ବଢ଼ାଇ ଚାଲିବା ପାଇଁ ସବୁପ୍ରକାର ଉଦ୍ୟମ କରିବା ଉଚିତ। ଏକଥା ଉପଲବ୍ଧି ନ କଲେ କବି ଆଲେକଜାଣ୍ଡର ସେଲକର୍କଙ୍କ ବକ୍ତବ୍ୟ ଭିତରେ ତା’ର ଅରଣ୍ୟରୋଦନ ସୀମିତ ହୋଇ ରହିଯିବ- କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର/ ଯାର ପ୍ରାପତି େଯାଗୁଁ ଦେବତା ନର। କିମ୍ବା ଥାଆନ୍ତା ଯେବେ ମୋର ବିହଙ୍ଗ ପକ୍ଷ/ଲଙ୍ଘି ଭୀଷଣ ଗିରି, ସମୁଦ୍ର ବକ୍ଷ/ ଦେଖନ୍ତି ପ୍ରିୟଜନ ମୁଖ-କମଳ/ ହୁଅନ୍ତା ସନ୍ତାପିତ ପ୍ରାଣ ଶୀଳତ। ସୁନ୍ଦର ଦେବତୁଲ୍ୟ ନର ଆନନ/ ଦେଖିବ ନାହିଁ ଆଉ ମୋର ନୟନ/ ଲିଭିବ ଏଥି ମୋର ଜୀବନ-ଦୀପ/ଏ ବାରତା ନ ଯିବ ଜନ ସମୀପ।