ଦେଶରେ ନିଯୁକ୍ତିର ସ୍ଥିତି ସମ୍ବନ୍ଧରେ ଧାରଣା ହାସଲ କରିବା ନିମିତ୍ତ ଅର୍ଥନୀତିଜ୍ଞମାନେ ବେକାରି ହାର ଉପରେ ନଜର ପକାଇଥାନ୍ତି। ପ୍ରଚଳିତ ମଜୁରି ହାରରେ କାର୍ଯ୍ୟ କରିବାକୁ ଇଚ୍ଛୁକ ଥିବା ଉପଯୁକ୍ତ ଲୋକମାନେ ଯେତେବେଳେ ନିଯୁକ୍ତିହୀନ ଅବସ୍ଥାରେ ଥାନ୍ତି, ତାହାକୁ ଅର୍ଥନୀତିଜ୍ଞମାନେ ଅନିଚ୍ଛାକୃତ ବେକାରି ରୂପେ ବର୍ଣ୍ଣନା କରିଥାନ୍ତି। ଦେଶରେ ଏହି ଅନିଚ୍ଛାକୃତ ବେକାରି ହାର ଯେତେ ଉଚ୍ଚା ଥାଏ, ଦେଶରେ ଶ୍ରମଶକ୍ତିର ମନୋବଳ ସେତେ ନୀଚା ହୋଇଥାଏ। ନିଯୁକ୍ତି ହାସଲ କରିବାରେ ସଫଳତା ପ୍ରାପ୍ତି ନେଇ ସେମାନଙ୍କର ଆତ୍ମବିଶ୍ବାସ ଦୁର୍ବଳ ହୋଇଥାଏ।
ସେଇଭଳି ଶ୍ରମିକ-ଆତ୍ମବିଶ୍ବାସ ସମ୍ବନ୍ଧେର ଧାରଣା ସଂଗ୍ରହ କରିବା ନିମିତ୍ତ ଅର୍ଥନୀତିଜ୍ଞମାନେ ଯେଉଁ ଅନ୍ୟ ଏକ ସୂଚକ ଉପରେ ମଧ୍ୟ ଦୃଷ୍ଟି ରଖିଥାନ୍ତି, ତାହାକୁ ‘ଶ୍ରମବଜାର ମନ୍ଥନ’ (‘ଲେବର ମାର୍କେଟ ଚର୍ନ’) ରୂେପ ଅଭିହିତ କରାଯାଇଥାଏ। ଏହି ତଥାକଥିତ ‘ମନ୍ଥନ’ ବା ‘ଚର୍ନ’ ହେଉଛି ବାସ୍ତବରେ ଦଧିମନ୍ଥନ ଭଳି ଏକ ‘ମନ୍ଥନ’, ଯେଉଁଥିରେ ଶ୍ରମିକମାନେ ସେମାନଙ୍କର ନିଯୁକ୍ତିର ସ୍ଥାନ ପରିବର୍ତ୍ତନ କରିଥାନ୍ତି। ସେମାନେ ଯେତେ ଅଧିକ ସଂଖ୍ୟାରେ ଓ ଯେତେ ଅଧିକ ଥର ନିଯୁକ୍ତି ସ୍ଥଳରେ ପରିବର୍ତ୍ତନ ଘଟାଇଥାନ୍ତି, ଏହି ମନ୍ଥନ େସତେ ଦ୍ରୁତତର ହୋଇଥାଏ ଓ ମନ୍ଥନ ହାର ସେତେ ଉଚ୍ଚା ହୋଇଥାଏ।
ଏହା ବୁଝିବା ନିମିତ୍ତ ଅର୍ଥଶାସ୍ତ୍ରରେ କୌଣସି ବିଶେଷ ଜ୍ଞାନର ଆବଶ୍ୟକତା ନାହିଁ ଯେ ଅର୍ଥନୀତିରେ ନିଯୁକ୍ତି ସୁଯୋଗ ଯେତେବେଳେ ଭରପୂର ହୋଇଥାଏ, ଜଣେ ଶ୍ରମିକଙ୍କ ପାଇଁ ଗୋଟିଏ କମ୍ପାନି ଛାଡ଼ି ଆଉ ଗୋଟିଏ କମ୍ପାନିରେ, ଗୋଟିଏ ଉଦ୍ୟୋଗରୁ ଇସ୍ତଫା ଦେଇ ଆଉ ଗୋଟିଏ ଉଦ୍ୟୋଗରେ ନିଯୁକ୍ତି ପାଇବା ସେତେ ସହଜ ହୋଇଥାଏ। ସେମାନେ ସେତେ ଅଧିକ ଦୃଢ଼ ନିଶ୍ଚିତ ଥାନ୍ତି ଯେ ଗୋଟିଏ ନିଯୁକ୍ତି ତ୍ୟାଗ କଲେ ତାଙ୍କୁ ଯେଉଁ ନୂତନ ନିଯୁକ୍ତି ମିଳିଯିବ ତାହା ତାଙ୍କର ଦକ୍ଷତା ସହିତ ଅଧିକ ମେଳ ଖାଇବ ଓ ସେଇ ଅନୁଯାୟୀ ତାଙ୍କର ପାରିଶ୍ରମିକ ସେତେ ଅଧିକ ହେବ।
ସ୍ବାଭାବିକ ଭାବରେ ଯେତେବେଳେ ଅର୍ଥନୀତିରେ ନୂତନ ଜ୍ଞାନକୌଶଳ ପ୍ରବେଶ କରିଥାଏ, ସେତେବେଳେ ଏହି ଜ୍ଞାନକୌଶଳ ହାସଲ କରିଥିବା ଶ୍ରମିକମାନଙ୍କ ପାଇଁ ନୂତନ ନିଯୁକ୍ତି ଲାଭ କରିବା ସମ୍ଭାବନା ସେତେ ବୃଦ୍ଧି ପାଇଥାଏ। ଅର୍ଥାତ୍ ଜ୍ଞାନ କୌଶଳ ସ୍ଥିର ଥାଇ ଅର୍ଥନୀତିର ସମ୍ପ୍ରସାରଣ ଘଟିଲେ ଶ୍ରମ ବଜାରରେ ମନ୍ଥନ ଯେଉଁଭଳି ଦ୍ରୁତତର ହୋଇଥାଏ, ଜ୍ଞାନ କୌଶଳରେ ପରିବର୍ତ୍ତନ ଘଟିଲେ ମଧ୍ୟ ମନ୍ଥନ ହାରରେ ସେଇଭଳି ବୃଦ୍ଧି ଘଟିଥାଏ। କାରଣ ଯାହା ହେଉଥାଉ ନା କାହିଁକି, ଏକ ଉଚ୍ଚ ମନ୍ଥନ ହାର ନିଶ୍ଚିତ ରୂପେ ଏକ ଉଚ୍ଚ ଶ୍ରମିକ-ଆତ୍ମପ୍ରତ୍ୟୟର ବାହକ ହୋଇଥାଏ।
ଏହି ପରିପ୍ରେକ୍ଷୀରେ ‘ୱାର୍ଲ୍ଡ ଇକନମିକ୍ ଫୋରମ୍’ (‘ଡବ୍ଲ୍ୟୁଇଏଫ୍’) ଦ୍ବାରା ସଦ୍ୟ ପ୍ରକାଶିତ ‘ଫ୍ୟୁଚର୍ ଅଫ୍ ଜବ୍ସ ୨୦୨୩’ ରିପୋର୍ଟ ଆମ ପାଇଁ ବିଶେଷ ତାତ୍ପର୍ଯ୍ୟ ବହନ କରିଥାଏ। ନୂତନ ନିଯୁକ୍ତି ସୁଯୋଗର ସୃଷ୍ଟି ସହିତ ପୁରାତନ ନିଯୁକ୍ତିର ବିଲୟ ଘଟିବା ଯୋଗୁଁ ଶ୍ରମବଜାରରେ ଶ୍ରମିକମାନଙ୍କର ଯେଉଁ ଚଳନ ଘଟିଥାଏ ତାହାକୁ ମୋଟ ନିଯୁକ୍ତିପ୍ରାପ୍ତ ଶ୍ରମିକ ସଂଖ୍ୟାର ଏକ ଅନୁପାତ ଆକାରରେ ଏହି ରିପୋର୍ଟରେ ପ୍ରକାଶ କରାଯାଇଛି, ଯାହା ହେଉଛି ଶ୍ରମ ବଜାରରେ ଘଟୁଥିବା ମନ୍ଥନର ହାର। ଉପରୋକ୍ତ ରିପୋର୍ଟ ଅନୁସାରେ ଭାରତୀୟ ନିଯୁକ୍ତି ବଜାରରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୨ ପ୍ରତିଶତ ହାରରେ ମନ୍ଥନ ଘଟିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ରିପୋର୍ଟରେ ସାରା ପୃଥିବୀର ନିଯୁକ୍ତି ବଜାରରେ ଏହି ସମୟ କାଳ ମଧ୍ୟରେ ଘଟିବାକୁ ଯାଉଥିବା ମନ୍ଥନ ହାର ଏହାଠାରୁ ମାତ୍ର ଏକ ଶତାଂଶ ଅଧିକ, ୨୩ ଶତାଂଶ ହେବ ବୋଲି ଦର୍ଶାଯାଇଛି। ସେଥିରେ ପୂର୍ବାନୁମାନ କରାଯାଇଛି ଯେ ଏହି ପ୍ରକ୍ରିୟାର ଅଂଶ ସ୍ବରୂପ ୨୦୨୭ ସୁଦ୍ଧା ପୃଥିବୀରେ ୮୩ ନିୟୁତ ଉପସ୍ଥିତ ନିଯୁକ୍ତିମାନଙ୍କର ବିଲୟ ଘଟିବାକୁ ଯାଉଥିବା ବେଳେ ୬୯ ନିୟୁତ ନୂତନ ନିଯୁକ୍ତି ସୃଷ୍ଟି ହେବାକୁ ଯାଉଛି- ଅର୍ଥାତ୍ ଉପସ୍ଥିତ ନିଯୁକ୍ତିର ୨ ଶତାଂଶ ଧ୍ବଂସ ପାଇବ।
ଭାରତର ନିଯୁକ୍ତି ବଜାରରେ ଯେଉଁ ମନ୍ଥନ ଘଟିବ, ତାହା ମୁଖ୍ୟତଃ ପ୍ରାବିଧିକ କାରଣରୁ ଘଟିବ ବୋଲି ଏହି ରିପୋର୍ଟରେ କୁହାଯାଇଛି; ଯାହାର ଅବଦାନ ହେଉଛି ଏହିପରି: ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ (ଏଆଇ) ଓ ‘ମେସିନ୍ ଲନିଙ୍ଗ୍’ (ଏମଏଲ)- ୩୮ ଶତାଂଶ; ଡେଟା ଆନାଲିଷ୍ଟସ ଓ ସାଇଣ୍ଟିଷ୍ଟସ୍- ୩୩ ଶତାଂଶ; ଡେଟା ଏଣ୍ଟ୍ରି କ୍ଲର୍କ୍ସ- ୩୨ ଶତାଂଶ। ଏଠାରେ ସୂଚନାଯୋଗ୍ୟ ଯେ ଅର୍ଥନୀତିର ଯେଉଁ କ୍ଷେତ୍ରରେ ଏହି ମନ୍ଥନ ସବୁଠାରୁ ଦୁର୍ବଳ ହେବ, ତାହା ହେଉଛି ଶ୍ରମ-ସଘନ କ୍ଷେତ୍ର, ଅର୍ଥାତ୍ ଯେଉଁଠି ମାନବୀୟ ଶାରୀରିକ ଶ୍ରମ ହିଁ ସମ୍ପୃକ୍ତ ଅର୍ଥନୈତିକ କାର୍ଯ୍ୟର ପ୍ରଧାନ ଆଧାର ହୋଇଥାଏ। ଏଥିରୁ ଯାହା ସ୍ପଷ୍ଟ ହୋଇଥାଏ, ତାହା ହେଲା ଭାରତରେ ଧ୍ବଂସ ପାଇବାକୁ ଯାଉଥିବା ଉପସ୍ଥିତ ନିଯୁକ୍ତି ସଂଖ୍ୟା ତୁଳନାରେ ସୃଷ୍ଟି ହେବାକୁ ଯାଉଥିବା ନୂତନ ନିଯୁକ୍ତି ସଂଖ୍ୟା ଅଧିକ ହେଉ କି ନ ହେଉ, ଆମର ଭବିଷ୍ୟତର ନିଯୁକ୍ତି ଆଶାୟୀମାନଙ୍କୁ ଏ ସମସ୍ତ ନୂତନ ନିଯୁକ୍ତି ନିମିତ୍ତ ଉପଯୁକ୍ତ ବିବେଚିତ ହେବା ନିମନ୍ତେ ଆବଶ୍ୟକ ଜ୍ଞାନକୌଶଳମାନଙ୍କରେ ପଟୁତା ହାସଲ କରିବାକୁ ହେବ।
ଏହି ପରିପ୍ରେକ୍ଷୀରେ ବିକଶିତ ଦେଶମାନଙ୍କର ଏକ ସଂଗଠନ, ‘ଅର୍ଗାନାଇଜେସନ୍ ଅଫ୍ ଇକନମିକ୍ କୋଅପରେସନ୍ ଆଣ୍ଡ ଡେଭଲପ୍ମେଣ୍ଟ’ (‘ଓଇସିଡି’) ଭାରତୀୟ ନିଯୁକ୍ତି ସନ୍ଧାନୀମାନଙ୍କ ସମ୍ପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ଏହି ସଂଗଠନ ବିଶ୍ବାସ କରେ ଯେ ପୃଥିବୀର ଦେଶମାନଙ୍କ ମଧ୍ୟରେ ଭାରତରେ ଶ୍ରମଶକ୍ତି ‘ଏଆଇ’ରେ ପଟୁତା ପ୍ରଦର୍ଶନ କରିବାର ସମ୍ଭାବନା ହେଉଛି ସର୍ବାଧିକ। କିନ୍ତୁ ତା’ ସତ୍ତ୍ବେ ‘ନାସକମ୍’ର ଏକ ରିପୋର୍ଟ ଅନୁସାରେ ‘ଏଆଇ’ ଓ ‘ଏମ୍ଏଲ୍’ ଆଦି ଜ୍ଞାନକୌଶଳଧାରୀମାନଙ୍କ ପାଇଁ ରହିଥିବା ଚାହିଦା ତୁଳନାରେ ଏଠାରେ ଉପଲବ୍ଧ ଯୋଗାଣ ହେଉଛି ୫୧ ଶତାଂଶ କମ୍। ପୁଣି ନିକଟରେ ‘ଅାସ୍ପାୟାରିଙ୍ଗ୍ ମାଇଣ୍ଡସ୍’ ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦେଶରେ ସୃଷ୍ଟି ହେଉଥିବା ଏକ ବିଶାଳ ଅନୁପାତର ଇଞ୍ଜିନିଅରିଙ୍ଗ୍ ସ୍ନାତକମାନେ ଆଦୌ ନିଯୁକ୍ତି ଯୋଗ୍ୟ ନୁହନ୍ତି। ତେଣୁ ଆଗାମୀ ଦିନରେ ଭାରତର ନିଯୁକ୍ତି କ୍ଷେତ୍ରରେ ଘଟିବାକୁ ଯାଉଥିବା ମନ୍ଥନକୁ ଆମର ନିଯୁକ୍ତି ଆଶାୟୀମାନଙ୍କ ପାଇଁ ଏକ ଅମୃତ ମନ୍ଥନରେ ପରିଣତ କରିବାକୁ ହେଲେ ସେମାନଙ୍କର ସଂଖ୍ୟାରେ ବୃଦ୍ଧି ଘଟାଇବା ସହିତ ସେମାନଙ୍କର ଗୁଣାତ୍ମକ ମାନରେ ମଧ୍ୟ ବ୍ୟାପକ ଉନ୍ନତି ଘଟାଇବା ନିମିତ୍ତ ପଦକ୍ଷେପମାନ ଗ୍ରହଣ କରାଯିବା ଜରୁରୀ।