କେତେଦିନ ତଳେ ଆମେରିକାର ଟ୍ରେଜେରି ସେକ୍ରେଟାରି (ବିତ୍ତମନ୍ତ୍ରୀ) ଜେନେଟ୍ ୟେଲେନ୍ ଏକ ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଥିଲା ଯେ ଆମେରିକା ଯେଉଁଭଳି ଅର୍ଥନୈତିକ ବାସନ୍ଦ କୌଶଳ ପ୍ରୟୋଗ ମାଧ୍ୟମରେ ତା’ର ମୁଦ୍ରା ଡଲାର୍କୁ ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛି, ତାହାର ପରିଣାମ ସ୍ବରୂପ ଦିନେ ଆନ୍ତର୍ଜାତିକ ମୌଦ୍ରିକ ବ୍ୟବସ୍ଥାରେ ଡଲାର ଉପଭୋଗ କରି ଆସୁଥିବା ନିରଙ୍କୁଶ ରାଜତ୍ବର ଅନ୍ତ ଘଟିବ। େସ ପୁଣି କହିଥିଲେ ଯେ ଡଲାର୍ ମାଧ୍ୟମରେ ଅନ୍ୟ ଦେଶମାନଙ୍କର ଆଚରଣକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବା ଦ୍ବାରା ଅାମେରିକା କୌଣସି ଦେଶ ସହିତ ବନ୍ଧୁତା ପ୍ରତିଷ୍ଠା କରି ପାରିବ ନାହିଁ, କିମ୍ବା ବନ୍ଧୁମାନଙ୍କୁ ନିଜ ପଟରେ ରଖିପାରିବ ନାହିଁ। ବିଶେଷ କରି ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ପରେ ଆମେରିକା ରୁଷିଆ ପ୍ରତି ଲାଗୁ କରିଥିବା ଅର୍ଥନୈତିକ ବାସନ୍ଦ ବ୍ୟବସ୍ଥାର ସମ୍ଭାବ୍ୟ ଫଳାଫଳ ପ୍ରତି ଲକ୍ଷ୍ୟ କରି ଶ୍ରୀମତୀ ୟେଲେନ୍ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ।
ଭାରତ କିପରି ଆମେରିକାର ଏହି ବାସନ୍ଦ ନିର୍ଦ୍ଦେଶକୁ ବେଖାତିର କରି ରୁଷିଆଠାରୁ ତୈଳ ଓ ଅସ୍ତ୍ରଶସ୍ତ୍ର ଆଦି ଆମଦାନି କରୁଛି ତାହା ଆନ୍ତର୍ଜାତିକ ସ୍ତରରେ ସୁବିଦିତ। ଏହା ମଧ୍ୟ ସୁବିଦିତ ଯେ ରୁଷିଆ ସହିତ ଏହି ବାଣିଜ୍ୟ କାରବାରରେ ଭାରତ ମୁଖ୍ୟତଃ ନିଜର ମୁଦ୍ରା ଟଙ୍କାକୁ ଦେଣନେଣର ମାଧ୍ୟମ ରୂପେ ବ୍ୟବହାର କରୁଥିବା ବେଳେ ରୁଷିଆ ସେହିପରି ନିଜର ମୁଦ୍ରା ରୁବ୍ଲକୁ ବ୍ୟବହାର କରୁଛି। ଏହାଦ୍ବାରା ଭାରତ ସ୍ପଷ୍ଟ ରୂପେ ଆମେରିକାର ଇଚ୍ଛା ବିରୋଧରେ କାର୍ଯ୍ୟ କରିଛି। କିନ୍ତୁ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସତେ ଯେମିତି ଜେନେଟ୍ ୟେଲେନ୍ଙ୍କର ଉପଦେଶ ମାନିବା ଭଳି ତାଙ୍କ ଦେଶର ସରକାର ଭାରତ ଦ୍ବାରା ହୋଇ ଚାଲିଥିବା ଏଭଳି ବାସନ୍ଦ ଉଲ୍ଲଂଘନ ପାଇଁ ତା’ ପ୍ରତି ଏ ପର୍ଯ୍ୟନ୍ତ କୌଣସି ଦ୍ବିତୀୟ ସ୍ତରୀୟ ବାସନ୍ଦ ବା ‘ସେକେଣ୍ଡାରି ସାଙ୍କ୍ସନ୍’ ଲାଗୁ କରିନାହିଁ।
କିନ୍ତୁ ଏହାର ଅର୍ଥ ନୁହେଁ ଯେ ରୁଷିଆ ସହିତ ଆମର ଟଙ୍କା-ରୁବ୍ଲ କାରବାର ଏଥିଯୋଗୁଁ ସୁରୁଖୁରୁରେ କାର୍ଯ୍ୟ କରୁଛି। ଏକ ବିଡ଼ମ୍ବନା ସ୍ବରୂପ ଏ ଦୁଇ ଦେଶ ମଧ୍ୟରେ ଏହି ବାଣିଜ୍ୟ କାରବାର ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ବନ୍ଧରେ ସ୍ବୀକାରୋକ୍ତି ଶୁଣିବାକୁ ମିଳିଥିଲା ଖୋଦ୍ ରୁଷିଆର ବୈବେଶିକ ମନ୍ତ୍ରୀ ସର୍ଗେ ଲାଭ୍ରଭ୍ଙ୍କ ତୁଣ୍ଡରୁ, ଯେତେବେଳେ ସେ ଏବେ ଗୋଆଠାରେ ସଦ୍ୟ ସମାପ୍ତ ‘ସାଂଘାଇ କୋଅପରେସନ ଅର୍ଗାନାଇଜେସନ୍’ (‘ଏସ୍ସିଓ’) ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ସମୟରେ ରୁପି-ରୁବ୍ଲ ଯୁଗଳ ନୃତ୍ୟରେ ଦେଖାଦେଇଥିବା ତାଳଭଙ୍ଗ ସମ୍ପର୍କରେ ଏକ ସ୍ପଷ୍ଟୀକରଣ ପ୍ରଦାନ କରିଥିଲେ। ଲାଭ୍ରଭ୍ କହିଥିଲେ ଯେ ଏହି ରୁପି-ରୁବ୍ଲ ବାଣିଜ୍ୟ କାରବାର ଯୋଗୁଁ ରୁଷିଆ ପାଖରେ ଏତେ ବିଶାଳ ପରିମାଣର ଭାରତୀୟ ଟଙ୍କା ଗଚ୍ଛିତ ହୋଇଗଲାଣି, ଯାହାକୁ ବ୍ୟବହାର କରିବା ରୁଷିଆ ପାଇଁ ଏକ ସମସ୍ୟା ରୂପେ ଆବିର୍ଭୂତ ହେଲାଣି।
ରୁଷିଆ ପାଖରେ ଏପରି ବିପୁଳ ପରିମାଣର ଭାରତୀୟ ଟଙ୍କା ଗଚ୍ଛିତ ହେବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଯୁଦ୍ଧ ପରେ ରୁଷିଆ ରିହାତି ଦରରେ ଭାରତକୁ ତୈଳ ଯୋଗାଇବା ଆରମ୍ଭ କରିବାରୁ ଭାରତ ତା’ର ତୈଳ କ୍ରୟର ଦିଗ ପରିବର୍ତ୍ତନ କରି ଏଥିରେ ରୁଷିଆର ଅଂଶରେ ଯେଉଁ ଚମକପ୍ରଦ ବୃଦ୍ଧି ଘଟାଇଲା ତାହାର ମୂଲ୍ୟ ବାବଦରେ ଟଙ୍କା ଆକାରରେ ହିଁ ଦେୟ ପଇଠ କଲା। ୨୦୨୨ ଫେବ୍ରୁଆରିରେ ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଭାରତର ମୋଟ ତୈଳ ଆମଦାନିରେ ରୁଷିଆର ଅଂଶ ଥିଲା ମାତ୍ର ଏକ ଶତାଂଶରୁ ମଧ୍ୟ କମ୍। ଏହାର ବର୍ଷକ ପରେ କିନ୍ତୁ ରୁଷିଆର ଏହି ଅଂଶରେ ବୃଦ୍ଧି ଘଟି ପ୍ରାୟ ୩୫ ଶତାଂଶ ଛୁଇଁଥିଲା। ଏକଦା ଭାରତ ତା’ର ଚାହିଦା ପୂରଣ ନିମିତ୍ତ ମୁଖ୍ୟତଃ ଇରାକ୍ ଓ ସାଉଦି ଆରବରୁ ତୈଳ ଆମଦାନି କରୁଥିବା ବେଳେ ବର୍ତ୍ତମାନ ରୁଷିଆରୁ ହେଉଥିବା ତୈଳ ଆମଦାନି ପରିମାଣ ସେ ଉଭୟ ଦେଶରୁ ହେଉଥିବା ମିଳିତ ଆମଦାନି ପରିମାଣକୁ ଟପିଯାଇଛି। ଏହାର ଫଳ ସ୍ବରୂପ ରୁଷିଆରୁ ଭାରତ କରୁଥିବା ଆମଦାନି ମୂଲ୍ୟ ପ୍ରାୟ ୧୦ ବିଲିଅନ୍ ଡଲାର୍ରୁ ବୃଦ୍ଧି ପାଇ ଏବେ ୫୧ ବିଲିଅନ୍ ଡଲାର୍ ଅତିକ୍ରମ କରି ସାରିଲାଣି। ଏହି ସମୟ ମଧ୍ୟରେ କିନ୍ତୁ ଭାରତ ରୁଷିଆକୁ କରୁଥିବା ରପ୍ତାନି ୩.୬୧ ବିଲିଅନ୍ ଡଲାରରୁ ହ୍ରାସ ପାଇ ହୋଇଛି ୩.୪୩ ବିଲିଅନ ଡଲାର୍। ଏହା ଭାରତ ପାଇଁ ଏକ ବିଶାଳ ଆକାରର ବାଣିଜ୍ୟ ନିଅଣ୍ଟ ସୃଷ୍ଟି କରିଛି।
ରୁଷିଆ ତା’ ପାଖରେ ଠୁଳ ହୋଇଥିବା ଏହି ଟଙ୍କାର ଭଣ୍ଡାର ବ୍ୟବହାର କରି ଯଦି ଭାରତରୁ ବିଭିନ୍ନ ଦ୍ରବ୍ୟ ଆମଦାନି କରନ୍ତା, ତେବେ ଏ ବାଣିଜ୍ୟ ନିଅଣ୍ଟ ଉଭାନ ହୋଇଯାଆନ୍ତା। କିନ୍ତୁ ରୁଷିଆ ଆବଶ୍ୟକ କରୁଥିବା ଦ୍ରବ୍ୟମାନ ଭାରତୀୟ ବଜାରରେ ଉପଲବ୍ଧ ନୁହେଁ; ଟଙ୍କା ବ୍ୟବହାର କରି ଅନ୍ୟ ଦେଶରୁ ଆମଦାନି କରିବା ମଧ୍ୟ ସମ୍ଭବ ନୁହେଁ, କାରଣ ଟଙ୍କା ସିଧାସଳଖ ଅନ୍ୟ ଦେଶମାନଙ୍କେର ଗ୍ରହଣୀୟ ହୋଇନାହିଁ, ଯେମିତି ଚାଇନିଜ୍ ‘ୟୁଆନ୍’ ବା ୟୁଏଇ ‘ଦିର୍ହାମ୍’ ହେବାକୁ ଲାଗିଲେଣି। ତେଣୁ ରୁଷିଆ ଏବେ ଭାରତ ସହିତ ଟଙ୍କା-ରୁବ୍ଲ ବାଣିଜ୍ୟ କାରବାର ସାମୟିକ ଭାବରେ ବନ୍ଦ କରିବା ନିମିତ୍ତ ଚାହୁଁଛି ବୋଲି ଆନ୍ତର୍ଜାତିକ ଗଣମାଧ୍ୟମରେ ଏକ ସମ୍ବାଦ ପ୍ରକାଶ ପାଇଛି। ଏହା ଯଦି ସତ ହୋଇଥାଏ, ତେବେ ଡଲାର ରାଜୁତିରୁ ମୁକ୍ତି ଲାଭ କରି ଟଙ୍କା ଖୋଦ୍ ଏକ କଠିନ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହୋଇଛି, ସେଥିପ୍ରତି ଏହାକୁ ଏକ ଧକ୍କା ରୂପେ ବିଚାର କରିବାକୁ ହେବ, କାରଣ ରୁଷିଆ ସହିତ ଟଙ୍କା-ରୁବ୍ଲ କାରବାରକୁ ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ ରୂେପ ବିଚାର କରାଯାଉଥିଲା।
ଆମେରିକା ଯେତେବେଳେ ଅର୍ଥନୈତିକ ବାସନ୍ଦ ଲାଗୁ କରି ରୁଷିଆକୁ ଆନ୍ତର୍ଜାତିକ ସମୁଦାୟରେ ଏକଘରିକିଆ କରିବାକୁ ଉଦ୍ୟମ ଆରମ୍ଭ କଲା, ସେତେବେଳେ ଯେଉଁ ଦେଶ ବାସନ୍ଦକୁ ଉପେକ୍ଷା କରି ରୁଷିଆ ସହିତ ବାଣିଜ୍ୟିକ ସମ୍ପର୍କକୁ ଅବ୍ୟାହତ ରଖି ସେ ଦେଶର ଅସ୍ବସ୍ତି ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା, ସେ ହେଉଛି ଭାରତ। ତେବେ ଇତି ମଧ୍ୟରେ ରୁଷିଆ ତୈଳ ଉପରେ ଯେଉଁ ତୀକ୍ଷ୍ଣ ରିହାତି ପ୍ରଦାନ କରୁଥିଲା, ସେଥିରେ ଉଲ୍ଲେଖନୀୟ ସଂକୋଚନ ଘଟାଇ ସାରିଲାଣି, ଯାହା ଏକଦା ବ୍ୟାରେଲ୍ ପିଛା ଥିବା ୨୦ ଡଲାର୍ରୁ ହ୍ରାସ ପାଇ ୫ ଡଲାର୍ରେ ପହଞ୍ଚିଲାଣି। ଏହା ଭାରତକୁ ଆଉ ରୁଷିଆ ଠାରୁ ବିପୁଳ ପରିମାଣର ତୈଳ ଆମଦାନି କରିବାରୁ ନିରୁତ୍ସାହିତ କରିପାରେ। ତାହାହେେଲ ରୁଷିଆ ସହିତ ଭାରତ ବାଣିଜ୍ୟ ନିଅଣ୍ଟ କ୍ରମେ ସ୍ବାଭାବିକ ସ୍ତରକୁ ହ୍ରାସ ପାଇପାରେ, ଯାହା ଟଙ୍କା-ରୁବ୍ଲ କାରବାର ଉପରେ ଚାପ ହ୍ରାସ କରିବ। ତା’ହେେଲ ଏହି କାରବାରର ଭିତ୍ତିଭୂମି ସୁଦୃଢ଼ ହେବା ନିମିତ୍ତ ଅଧିକ ସମୟ ମିଳିବ।