ଯେଉଁମାନେ କର୍ଣ୍ଣାଟକକୁ ଦକ୍ଷିଣ ଭାରତରେ ‘ବି.ଜେ.ପି. ବ୍ରାଣ୍ତ’ ରାଜନୀତିର ଏକ ‘ଲାବରେଟରି’ ବା ପରୀକ୍ଷାଗାର ବୋଲି ବିବେଚନା କରୁଥିଲେ, ସେମାନେ ଗଲା ଶନିବାର ଦିନ ଘୋଷିତ ହୋଇଥିବା କର୍ଣ୍ଣାଟକ ନିର୍ବାଚନ ଫଳାଫଳରେ ଦିଶୁଥିବା ଅତ୍ୟନ୍ତ ସ୍ପଷ୍ଟ ତଥା ଶାଣିତ ସ˚କେତମାନ ପଢ଼ି ପାରିଥିବେ। ଏହାକୁ କ˚ଗ୍ରେସର ଏକ ବୃହତ୍ ବିଜୟ ରୂପେ ଅଭିହିତ କରି ସଫଳତାର ସ˚ପୂର୍ଣ୍ଣ ଶ୍ରେୟ ଦଳକୁ ପ୍ରଦାନ କରୁଥିବା ବେଳେ ସେମାନେ ହୁଏ’ତ ଏକ ଗୂଢ଼ ଓ ପ୍ରକୃତ ଅର୍ଥରେ ଏହାକୁ ବିଜେପିର ପରାଜୟ ରୂପେ ବିବେଚନା କରିବାକୁ ଅଧିକ ଯଥାର୍ଥ ମଣୁଥିବେ। ଗଲା ନିର୍ବାଚନରେ ୧୭୦ଟି ଆସନରେ ବିଜୟ ଲାଭ କରି କ୍ଷମତାସୀନ ହୋଇଥିବା କର୍ଣ୍ଣାଟକ ବି.ଜେ.ପି., ବି. ଏସ୍. ୟେଦୁରପ୍ପାଙ୍କ ଭଳି ଜଣେ ଅତ୍ୟନ୍ତ ଅଭିଜ୍ଞ, ବିଚକ୍ଷଣ ଏବ˚ ଅତ୍ୟନ୍ତ ବିଶାଳ ଜନାଧାର-ସ˚ପନ୍ନ ନେତାଙ୍କ ଉପସ୍ଥିତି ସତ୍ତ୍ବେ, କିଭଳି ତା’ର ନୂତନ ରାଜନୈତିକ ପରୀକ୍ଷଣର ଆଗ୍ରହାତିଶଯ୍ୟରେ ଆତ୍ମଘାତ କରି ଏକମାତ୍ର ଦକ୍ଷିଣ ଭାରତୀୟ ରାଜ୍ୟରେ ସୃଷ୍ଟି କରିପାରିଥିବା ପଦଚିହ୍ନକୁ ଲିଭାଇ ଦେବାର ଧୃଷ୍ଟତା କରିଛି, ତାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ।
ପ୍ରଥମ କଥା, ଗଲା ବିଧାନସଭା ନିର୍ବାଚନରେ ୟେଦୁରପ୍ପାଙ୍କ ନେତୃତ୍ବ ବିଜେପିକୁ ଏକ ବିଶାଳ ବିଜୟ ପ୍ରଦାନ କରିଥିଲେ ସୁଦ୍ଧା ଶାସନ ପରିଚାଳନାର ବିଭିନ୍ନ ସ୍ତରରେ ସେ ନୂଆଦିଲ୍ଲୀସ୍ଥ ଦଳୀୟ କ୍ଷମତା କେନ୍ଦ୍ରର ଅନାବଶ୍ୟକ ହସ୍ତକ୍ଷେପରୁ ମୁକ୍ତ ହୋଇ ପାରି ନ ଥିଲେ ଏବ˚ ପରିଶେଷରେ କାର୍ଯ୍ୟ କାଳର ଅର୍ଦ୍ଧେକ ପୂରଣ କରି ସାରିଛନ୍ତି କି ନାହିଁ ଅଶ୍ରୁସଜଳ ନୟନରେ ପଦ ତ୍ୟାଗ କରିବାକୁ ଏକ ପ୍ରକାର ବାଧୢ ହୋଇଥିଲେ। ଏଭଳି ନେତୃତ୍ବ ପରିବର୍ତ୍ତନକୁ ଦିଲ୍ଲୀ କ୍ଷମତା କେନ୍ଦ୍ର ପକ୍ଷରୁ ‘ତାରୁଣ୍ୟର ପ୍ରବେଶ’ ବୋଲି ଅଭିହିତ କରାଯାଇ ଯେଉଁ ବାସବରାଜ ବୋମାଇଙ୍କୁ ପଦାସୀନ କରାଯାଇଥିଲା, ସେ ଅବଲୀଳା କ୍ରମେ ଜଣେ ରାଜନୈତିକ ଲିଲିପୁଟରେ ପରିଣତ ହେଲେ ଏବ˚ ତାଙ୍କ ଅମଳରେ ମନ୍ତ୍ରୀ ସ୍ତରୀୟ ଦୁର୍ନୀତିର କାୟା ବିସ୍ତାର ଲୋକକଥାର ବିଷୟବସ୍ତୁ ପାଲଟିଗଲା; ଯେ କୌଣସି ଠିକାଦାରି କାର୍ଯ୍ୟ ଲାଗି ମନ୍ତ୍ରୀମାନେ ୪୦% ପି.ସି. ଦାବି କରୁଥିବାର ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ପହଞ୍ଚିଲା ଏବ˚ ଜଣେ ଯୁବ ଠିକାଦାର ଏହି କାରଣରୁ ହତାଶା ଜର୍ଜର ହୋଇ ଆତ୍ମହତ୍ୟା ମଧୢ କଲେ।
କିନ୍ତୁ ବିଡ଼ମ୍ବନା, ଦଳ ଏ ଦିଗରେ ଏକ ନିରବ ଦର୍ଶକ ସାଜିଲା, ଅଥଚ ସା˚ପ୍ରଦାୟିକ ଧ୍ରୁବୀକରଣ ରାଜନୀତିକୁ ମାତ୍ରାଧିକ ଗୁରୁତ୍ବ ପ୍ରଦାନ କଲା, ଯହିଁରେ ‘ହିଜାବ’, ‘ହଲାଲ ମା˚ସ’ ଓ ‘ଟିପୁ ସୁଲତାନଙ୍କ ଦେଶଭକ୍ତି’ ଭଳି ପ୍ରସଙ୍ଗମାନ କେନ୍ଦ୍ର ସ୍ଥଳରେ ଆବିର୍ଭୂତ ହେଲେ। ସୁତରା˚, ଏକ ପଶ୍ଚାତ୍ମୁଖୀ ଏବ˚ ଚଳତ୍ ଶକ୍ତିହୀନ ସରକାର ଗାଦିନସୀନ ହୋଇ ରହିଲା ଏବ˚ ନିର୍ବାଚନ ସମୟରେ କୌଣସି ସ୍ଥାନୀୟ ନେତାଙ୍କୁ ଦୃଢ଼ତାର ସହିତ ଉପସ୍ଥାପନ କରି ନ ପାରି କର୍ଣ୍ଣାଟକ ରାଜ୍ୟ ବି.ଜେ.ପି. ନରେନ୍ଦ୍ର ମୋଦୀ ଏବ˚ ଅମିତ ଶାହଙ୍କୁ ନିର୍ବାଚନ ପ୍ରଚାର ଲାଗି ଏକାନ୍ତ ଭାବେ ଲୋଡ଼ିଲେ। ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଜଣେ ଲିଙ୍ଗାୟତ ନେତା ହୋଇଥିଲେ ସୁଦ୍ଧା ଏହି ଅତିକାୟ ସ˚ପ୍ରଦାୟ (୧୮%ରୁ ଅଧିକ ଭୋଟର ବିଶିଷ୍ଟ) ପିତୃତୁଲ୍ୟ ମଣୁଥିବା ୟେଦୁରପ୍ପାଙ୍କ ଅଶ୍ରୁପାତକୁ ଭୁଲି ପାରିଲେ ନାହିଁ ଏବଂ ସେଥି ସକାଶେ ବିଜେପିକୁ କ୍ଷମା ମଧ୍ୟ କଲେ ନାହିଁ। ସୁତରା˚, ଏକ ଅଯୋଗ୍ୟ ସରକାରର ପତନ ଘଟିବା ଅନିବାର୍ଯ୍ୟ ହୋଇଗଲା।
ଅପର ପକ୍ଷେ ଅଭିଜ୍ଞ ‘କନ୍ନଡିଗା’ ରାଜନୈତିକ ବ୍ୟକ୍ତିତ୍ବ ମଲ୍ଲିକାର୍ଜୁନ ଖଡ଼ଗେ କ˚ଗ୍ରେସର ରାଷ୍ଟ୍ରୀୟ ଅଧୢକ୍ଷ ହୋଇଥିବା ସତ୍ତ୍ବେ ନିର୍ବାଚନ ଲାଗି ହୋଇଥିବା ସଘନ ପ୍ରସ୍ତୁତି ଉଦ୍ୟମରେ ଯେଉଁ ଦୁଇ ଜଣ ରାଜ୍ୟ ସ୍ତରୀୟ ନେତା ନେତୃତ୍ବ ପ୍ରଦାନ କରିଥିଲେ; ସେମାନେ ଥିଲେ ପ୍ରବୀଣ ସିଦ୍ଦରମେୟା ଏବ˚ ତରୁଣ ଡି. କେ. ଶିବକୁମାର; ଅର୍ଥାତ୍ ଏକ ରାଷ୍ଟ୍ରୀୟ ଦଳ ପ୍ରଭାବଶାଳୀ ସ୍ଥାନୀୟ ଆବେଦନ ଲାଭ କରିଥିଲା। ଦ୍ବିତୀୟରେ କ˚ଗ୍ରେସର ନିର୍ବାଚନୀ ପ୍ରସଙ୍ଗଗୁଡ଼ିକରେ ଦେଖିବାକୁ ମିଳିଥିଲା ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ଓ ସମାଧାନର ପ୍ରତିଶ୍ରୁତି, ସା˚ପ୍ରଦାୟିକ ଧ୍ରୁବୀକରଣର ତୀବ୍ର ବିରୋଧ ଏବ˚ ଦୁର୍ନୀତି ବିରୋଧରେ ଉଚ୍ଚାଟ ସୃଷ୍ଟି। ଅନେକ ବିଶେଷଜ୍ଞ କ˚ଗ୍ରେସର ନିର୍ବାଚନ ପ୍ରଚାର ରଣନୀତିରେ ଏକ ସୂକ୍ଷ୍ମ ଚାତୁର୍ଯ୍ୟଭରା ତ୍ରି-ପ୍ରସ୍ଥୀ ଆଭିମୁଖ୍ୟ ଆବିଷ୍କାର କରନ୍ତି; ଯହିଁରେ ସିଦ୍ଦରମେୟା ଓ ଶିବକୁମାର ତୃଣମୂଳ ସ୍ତରରେ ଭେଦି ଯାଇଥିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ଖଡ଼ଗେ ‘ରୋଡ୍ ସୋ’ ଏବ˚ ‘ଜନସଭା’ ପରିଚାଳନାର ନେତୃତ୍ବ ନେଇଥିଲେ ଏବ˚ ରାହୁଳ ଗାନ୍ଧୀ ‘କାଫେ’ ବା ‘କ୍ଲବ୍’ ବା ‘କଲେଜ କ୍ୟାଣ୍ଟିନ୍’ ବା ‘ରେସ୍ତୋରାଁ’ରେ ସହସା ଆବିର୍ଭୂତ ହୋଇଯାଇ ଏକ ଉତ୍ସାହଭରା ତଥା ବନ୍ଧୁତାପୂର୍ଣ୍ଣ ପରିବେଶରେ ଅନ୍ତରଙ୍ଗ ଆଳାପର ସୁଯୋଗ ସୃଷ୍ଟି କରିବା ସହିତ ଲୋକପ୍ରିୟ ହୋଇ ଉଠିଥିଲେ। ପ୍ରକାଶ ଥାଉ କି ଶିବକୁମାରଙ୍କ କ୍ରମବର୍ଦ୍ଧିଷ୍ଣୁ ରାଜନୈତିକ ପ୍ରଭାବକୁ ପ୍ରତିହତ କରିବା ଲାଗି କ୍ଷମତାସୀନ ସରକାରଙ୍କ ପକ୍ଷରୁ ଅନେକ ଉଦ୍ୟମ କରାଯାଇଛି, ଯହିଁରେ ସେ ଜେଲରେ ପଶିବା ଏବ˚ ଟିକସ ଠକେଇର ଆରୋପରେ ଛନ୍ଦି ହୋଇପଡ଼ିବା ଆଦି ଅନ୍ତର୍ଭୁକ୍ତ। ଏ ସବୁ ସତ୍ତ୍ବେ ତାଙ୍କର ପ୍ରୟାସ କ˚ଗ୍ରେସକୁ ଏଭଳି ସଫଳତା ପ୍ରଦାନ କରିଥିବା କିଛି କମ୍ ଉପଲବ୍ଧିର ବିଷୟ ନୁହେଁ।
ଏ ସମସ୍ତ ବିଷୟକୁ ଅତିକ୍ରମ କରି ଏକ ସୂକ୍ଷ୍ମ ଦୃଷ୍ଟି ପ୍ରସାରିତ କଲେ ହୃଦ୍ବୋଧ ହୋଇଥାଏ ଯେ ପ୍ରକୃତରେ ଏହା ହେଉଛି କର୍ଣ୍ଣାଟକୀ ସାଧାରଣ ନାଗରିକମାନଙ୍କ ବିଜୟ। କ୍ଷମତାର ସ୍ରୋତ ଯେ ସଚିବାଳୟର ଅଳିନ୍ଦ ବା ବିଧାନସଭାର ଅଭ୍ୟନ୍ତରରୁ ପ୍ରବାହିତ ନ ହୋଇ ପ୍ରକୃତରେ ସେମାନଙ୍କ ଠାରୁ ହିଁ ହୋଇଥାଏ, ତାହା ସେମାନେ ପୁନର୍ବାର ପ୍ରମାଣିତ କରି ଦେଖାଇଛନ୍ତି। ସାଧାରଣ ଭୋଟରମାନଙ୍କ ସୂକ୍ଷ୍ମ ବିବେଚନାବୋଧ ଯେ ରାଜ୍ୟ ଓ ରାଷ୍ଟ୍ର ସ୍ବାର୍ଥ ମଧୢରେ ଥିବା ପ୍ରଭେଦକୁ ଠିକଣା ଭାବେ ଠଉରାଇପାରେ, ତା’ର ଏକ ନିଦର୍ଶନ ହେଉଛି ଏହି ନିର୍ବାଚନର ପରିଣାମ; ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିର ପ୍ରଭାବ ତା’ର ବଳିଷ୍ଠ ରାଷ୍ଟ୍ରୀୟ ଆବେଦନ ସତ୍ତ୍ବେ ‘ସ୍ଥାନୀୟତା’ର ଦୁର୍ଗ ଭେଦ କରି ପାରିଲା ନାହିଁ। ସ˚ପ୍ରତିି ଅଧିକା˚ଶ ରାଜ୍ୟରେ ସ୍ଥାନୀୟ ରାଜନୈତିକ ଦଳଗୁଡ଼ିକର ସଫଳତା ପଛରେ ଏହା ହିଁ ଏକମାତ୍ର କାରଣ! ସୁତରା˚, ରାଷ୍ଟ୍ରୀୟ ଦଳଗୁଡ଼ିକ ସେମାନଙ୍କ ରାଜ୍ୟ ଶାଖାରେ ସ୍ଥାନୀୟ ନେତୃତ୍ବକୁ ତା’ ନିଜସ୍ବ ଢଙ୍ଗରେ ପରିଚାଳିତ ହେବାର ସୁଯୋଗ ନ ଦେଲେ ସେମାନେ ଅଗତ୍ୟା ରାଜ୍ୟଗୁଡ଼ିକରେ ସଫଳତା ପାଇବା ଯେ କଷ୍ଟସାଧୢ ହେବ, ତାହା ଏବେ ପ୍ରମାଣିତ ହେବାରେ ଲାଗିଛି।
କର୍ଣ୍ଣାଟକର ମନ୍ତ୍ରୀମାନଙ୍କ ବିପକ୍ଷରେ ଦୁର୍ନୀତିର ଗୁରୁତର ଅଭିଯୋଗମାନ ସତ୍ତ୍ବେ କେନ୍ଦ୍ରୀୟ ତଦନ୍ତକାରୀ ସ˚ସ୍ଥାଗୁଡ଼ିକ ସେ ଦିଗରେ ଦୃଷ୍ଟି ନ ଦେଇ ଦେଶ ତମାମ କେବଳ ବିରୋଧୀ ରାଜନୈତିକ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାର ପ୍ରକରଣରେ ନିହିତ ରାଜନୈତିକ ପ୍ରତିଶୋଧ ଏବ˚ ପକ୍ଷପାତିତା ଏବେ ସାଧାରଣ ଭୋଟରଙ୍କ ଦୃଷ୍ଟିରୁ ବାଦ୍ ପଡୁନାହିଁ। ସେମିତି ‘ଆଇ.ଟି. ହବ୍’ ବା ‘ଷ୍ଟାର୍ଟଅପ’ ବା ‘ୟୁନିକର୍ନ’ମାନଙ୍କ ଭାରତୀୟ ରାଜଧାନୀ ଭାବେ ବିଶ୍ବ ପରିଚିତି ଲାଭ କରିଥିବା କର୍ଣ୍ଣାଟକରେ ସା˚ପ୍ରଦାୟିକ ଧ୍ରୁବୀକରଣର ପଶ୍ଚାତ୍ମୁଖୀ ରାଜନୀତି ଅଚଳ ହୋଇପଡ଼ିଛି; ଯାହା କର୍ଣ୍ଣାଟକ ଭୋଟରମାନେ ସେମାନଙ୍କ ମତଦାନରେ ଚେତାଇ ଦେଇଛନ୍ତି। ସୁତରା˚, ଶାସକ କୋଳାଶ୍ରିତ ଗଣମାଧୢମର ଉଚ୍ଚ ସ୍ବରକୁ ପ୍ରତିହତ କରି ସେମାନେ ଯେ ଯେକୌଣସି ଅଯୋଗ୍ୟ ସରକାର ପ୍ରତି ଦଣ୍ତବିଧାନ କରି ପାରନ୍ତି, ତାହା ପ୍ରମାଣିତ ହୋଇଛି।
ଏଥିରେ ସନ୍ଦେହ ନାହିଁ ଯେ ଏହି ନିର୍ବାଚନ ଫଳାଫଳ ବିଜେପିକୁ ଅତ୍ୟନ୍ତ ମୁହ୍ୟମାନ କରିଥିବ। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏହି ଦଳ ଠିକଣା ମାର୍ଗରେ ଆତ୍ମସମୀକ୍ଷା କରି ପ୍ରକୃତ ତ୍ରୁଟିକୁ ଚିହ୍ନିବା ଆବଶ୍ୟକ। ଉତ୍ତର ଭାରତରେ ସଫଳ ହୋଇଥିବା ସା˚ପ୍ରଦାୟିକ ଧ୍ରୁବୀକରଣର ରାଜନୀତି ଦକ୍ଷିଣ ଭାରତରେ ବିଫଳ ହେଲା। ଏହା ସହିତ ବିଜେପି ଲାଗି ଭାରତ ଏବେ ଦୁଇଟି ମେରୁରେ ବିଭାଜିତ। ଏଭଳି ସ୍ଥଳେ ଆପଣା ରାଜନୈତିକ ଆଭିମୁଖ୍ୟରେ ପରିବର୍ତ୍ତନ ନ ଆଣିଲେ ବିଜେପି ସକାଶେ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ମଧୢରେ ରହିଥିବା ଦୂରତ୍ବ ହୁଏ’ତ ଅଲ˚ଘ୍ୟ ହୋଇଯିବ।