ଗଲା ଶନିବାର ଦିନ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ନେଇ ଗଣମାଧୢମରେ ସୃଷ୍ଟ ଆଲୋଚନା ଓ ବାକ୍-ବିତଣ୍ତାର ଶ୍ବାସରୁଦ୍ଧକାରୀ ଘୂର୍ଣ୍ଣିଝଡ଼ ମଧୢରେ ଆଉ ଯେଉଁ ଏକ ସମ୍ବାଦ ଆତ୍ମପ୍ରକାଶ କରି ଆଲୋଡ଼ନ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା, ତାହା ଥିଲା ମୁମ୍ବାଇ ‘ନାର୍କୋଟିକ୍ କ˚ଟ୍ରୋଲ ବ୍ୟୁରୋ’ ବା ‘ଏନ୍.ସି.ବିି.’ର ପୂର୍ବତନ ମୁଖ୍ୟ ସମୀର ଵାନଖେଡ଼େଙ୍କ ବିରୋଧରେ ବଟି ଆଦାୟ, ଅସତ୍ ଉପାୟରେ ବିପୁଳ ସ˚ପତ୍ତି ଅର୍ଜନ ଓ ଷଡ୍ଯନ୍ତ୍ର ଅଭିଯୋଗରେ ସି.ବି.ଆଇ. ଦ୍ବାରା ଏଫ୍.ଆଇ.ଆର. ଦାଖଲ। ଏଠାରେ ପ୍ରଣିଧାନଯୋଗ୍ୟ ଯେ ମୁମ୍ବାଇର ଜଣେ ସରକାରୀ ପଦାଧିକାରୀଙ୍କ ବିରୋଧରେ ଏକ ମାମଲା ହୁଏ’ତ ଏଭଳି ଚାଞ୍ଚଲ୍ୟ ସୃଷ୍ଟି କରନ୍ତା ନାହିଁ, ଯଦି ସେ ତାଙ୍କର ମାତ୍ର ଦେଢ଼ ଦଶନ୍ଧିର କାର୍ଯ୍ୟ କାଳ ମଧୢରେ ବେଆଇନ କାରବାର ପ୍ରତି ଜଣେ ଶୂନ୍ୟ ସହନଶୀଳ ତଥା ଅତ୍ୟନ୍ତ କଠୋର ଅଫିସର ଭାବେ ବାରମ୍ବାର ଶିରୋନାମା ଅଧିକାର କରୁ ନ ଥାଆନ୍ତେ। ସେହି କ୍ରମରେ ୨୦୨୧ ମସିହାର ‘କର୍ଡେଲିଆ କ୍ରୁଇଜ୍’ ନିଶା କାରବାର ଏବ˚ ସେବନ ଘଟଣାରେ ଚଳଚ୍ଚିତ୍ର ତାରକା ଶାହରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଖାଁଙ୍କ ଗିରଫଦାରି ଏବ˚ ଅଠେଇଶ ଦିନର କାରାବାସ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଥିଲା। କିନ୍ତୁ ବିଡ଼ମ୍ବନା, ବର୍ତ୍ତମାନ ସି.ବି.ଆଇ.ର ଅଭିଯୋଗ ତାଙ୍କୁ ଏକ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ଚତୁର ଅଧିକାରୀ ରୂପେ ଦର୍ଶାଇଛି, ଯିଏ ସରକାରୀ କ୍ଷମତାକୁ ଅସ୍ତ୍ର କରି ଗୋଟିଏ ପଟେ ଯଶ ଓ ପ୍ରଶସ୍ତି ଅର୍ଜନ କରି ଚାଲିଥିବା ବେଳେ ସମ ତାଳରେ ଭୟଙ୍କର ଦୁର୍ନୀତିର ଲାଭାକୁ ଏକ ଅନ୍ତଃସ୍ରୋତ ଭାବେ ପ୍ରବାହିତ କରି ରଖିଥିଲେ।
ଉଲ୍ଲେଖଯୋଗ୍ୟ ଯେ ୨୦୨୧ ମସିହାରେ ସମଗ୍ର ଦେଶରେ ହୁଲସ୍ତୁଲ ସୃଷ୍ଟି କରିଥିବା ଆର୍ଯ୍ୟନ ଖାଁ ଗିରଫଦାରି ଘଟଣାର ଦଶ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୧୧ ମସିହାରୁ ସମୀର ଵାନଖେଡ଼େ ଯଶର ଆଲୋକରେ ଆଲୋକିତ ହେବା ଆରମ୍ଭ କରିଥିଲେ; ଯେଉଁ ସମୟରେ କଷ୍ଟମ୍ସ ବିଭାଗର ମୁଖ୍ୟ ଭାବେ ସେ ଅଭିନେତା ଶାହରୁଖ ଖାଁଙ୍କ ସମେତ ବଲିଉଡ୍ର ଅନେକ ପ୍ରଖ୍ୟାତ ସେଲିବ୍ରିଟିଙ୍କୁ ବିମାନ-ବନ୍ଦରର କଷ୍ଟମ୍ସ ଫାଟକ ନିକଟରେ ଅଟକାଇ ନିୟମ ବହିର୍ଭୂତ ଭାବେ ଅଥବା ଗୋପନରେ ଦେଶକୁ ଅଣାଯାଉଥିବା ବିଭିନ୍ନ ଦ୍ରବ୍ୟ ଲାଗି ଜରିମାନା ଆଦାୟ କରିବାର ଆସ୍ପର୍ଦ୍ଧା ପ୍ରଦର୍ଶନ କରିଥିଲେ। ତାଙ୍କ ଅନମନୀୟ ସାଧୁତା ସେତିକି ବେଳେ ଦେଖିବାକୁ ମିଳିଥିଲା, ଯେତେବେଳେ ଭାରତୀୟ କ୍ରିକେଟ୍ ଟିମ୍ ଦୁବାଇରେ ଜିଣିଥିବା ଟି-ଟ୍ବେଣ୍ଟି ବିଶ୍ବ କପ୍ ଟ୍ରଫିର ଭାରତ ପ୍ରବେଶ ସକାଶେ ମଧୢ ସେ ‘କଷ୍ଟମ୍ସ ଡ୍ୟୁଟି’ ଦାବି କରିଥିଲେ।
୨୦୨୦ ମସିହାରେ ବଲିଉଡ୍ ଅଭିନେତା ସୁଶାନ୍ତ ସି˚ହ ରାଜପୁତଙ୍କ ଅପମୃତ୍ୟୁ ସହିତ ବଲିଉଡ୍ରେ ଡ୍ରଗ୍ସ କାରବାର ଓ ସେବନର ସ˚ପୃକ୍ତି ନେଇ ଉଠୁଥିବା ସନ୍ଦେହ, ସେତେବେଳେ ‘ଏନ୍.ସି.ବି.’ର ମୁମ୍ବାଇ ମୁଖ୍ୟ ଭାବେ ଅବସ୍ଥାପିତ ସମୀର ଵାନ୍ଖେଡ଼େଙ୍କୁ ଏଭଳି ସକ୍ରିୟ କରି ପକାଇଥିଲା ଯେ ସେ ପୁନର୍ବାର ଚର୍ଚ୍ଚାର କେନ୍ଦ୍ରକୁ ଚାଲି ଆସିଥିଲେ; ଯହିଁରେ ତାଙ୍କ ନେତୃତ୍ବରେ ହେଉଥିବା ସଘନ ତଦନ୍ତ, କେତେକ ଗିରଫଦାରି ଏବ˚ ଏ ସବୁକୁ ନେଇ ଗଣମାଧୢମରେ ସୃଷ୍ଟ ତୀବ୍ର ଉଚ୍ଚାଟ ପ୍ରାୟ ସାବ୍ୟସ୍ତ କରି ଦେଇଥିଲା ଯେ ବଲିଉଡ୍ ନିଷିଦ୍ଧ ଡ୍ରଗ୍ କାରବାରର ଏକ ଅମରାବତିରେ ପରିଣତ ହୋଇଛି। ସୁତରା˚, ଏହା ପରେ ପରେ ‘କର୍ଡେଲିଆ କ୍ରୁଇଜ୍ ଡ୍ରଗ୍ସ କାରବାର’ ଘଟଣାରେ ଯେତେବେଳେ ଆର୍ଯ୍ୟନ ଖାଁଙ୍କୁ ଗିରଫ କରାଗଲା, ଗଣମାଧୢମ ସମୀର ଵାନ୍ଖେଡ଼େଙ୍କୁ ଏକ ନାୟକ ଭୂମିକାରେ ଉଭା କରାଇଲା, ଯିଏ ସତେ ଯେମିତି ବଲିଉଡ୍ ଧନୀକମାନଙ୍କ ବିପଥଗାମୀ ଦୁଲାଳମାନଙ୍କୁ ସାବାଡ଼ କରିବା ଲାଗି ଧରାବତରଣ କରିଛନ୍ତି। ସୁତରା˚, ଗଣମାଧୢମର ପ୍ରସାଦରୁ ୨୦୦୮ ମସିହାର ଏହି ‘ଆଇ.ଆର୍.ଏସ୍.’ ଅଫିସର ତାଙ୍କ କ୍ୟାରିଅରର ମାତ୍ର ଦେଢ଼ ଦଶନ୍ଧି ନ ପୂରୁଣୁ ଅଗତ୍ୟା ଜଣେ ଆଇକନ୍ରେ ପରିଣତ ହୋଇ ସାରିଥିଲେ।
ସୁତରା˚, ତାଙ୍କ ବିରୋଧରେ ‘ସି.ବି.ଆଇ.’ ଦ୍ବାରା ଅଣାଯାଇଥିବା ସଦ୍ୟ ଅଭିଯୋଗମାନ ପରିପ୍ରେକ୍ଷୀରେ ସ୍ବାଭାବିକ ଭାବେ ସମୀର ଵାନ୍ଖେଡ଼େ କହିବା ଶୁଣିବାକୁ ମିଳିଛି ଯେ ତାଙ୍କ ବିରୋଧରେ ରଚିତ ଏକ ସୁପରିକଳ୍ପିତ ଚକ୍ରାନ୍ତର ଏହା ହେଉଛି ଅ˚ଶବିଶେଷ। କିନ୍ତୁ, ଏକ ବାସ୍ତବତା ହେଲା ‘କର୍ଡେଲିଆ କ୍ରୁଇଜ୍’ ଘଟଣାରେ ଗିରଫଦାରି ଓ ଅନୁସନ୍ଧାନ ପ୍ରକ୍ରିୟା ଅଳ୍ପ ଦିନ ମଧୢରେ ବିଭିନ୍ନ ପ୍ରକାର ସନ୍ଦେହ ସୃଷ୍ଟି କରିଥିଲା; ଯେମିତି କି ଏହି ଘଟଣାରେ ନିଷ୍ପକ୍ଷ ସାକ୍ଷୀ ହୋଇଥିବା ପ୍ରଭାକର ଶୈଳଙ୍କ ସତ୍ୟପାଠ ଭିତ୍ତିକ ବୟାନ ଜଣାଇଥିଲା ଯେ ଆର୍ଯ୍ୟନ ଖାଁଙ୍କୁ ଖଲାସ କରିବା ଲାଗି ତାଙ୍କ ପିତାଙ୍କ ଠାରୁ ୨୫ କୋଟି ଟଙ୍କାର ବଟି ଆଦାୟର ପ୍ରଚେଷ୍ଟା ଚାଲିଛି; ସେହି ସମୟରେ ଏନ୍.ସି.ପି.ର ନେତା ନଵାବ ମଲ୍ଲିକ ମଧୢ ଅଭିଯୋଗ ଆଣିଲେ ଯେ ସମୀର ଵାନ୍ଖେଡ଼େଙ୍କ ବେଆଇନ ମାଲିକାନାରେ ଏକ ବାର୍ ଅଛି ବା ଚାକିରି ପାଇବା ଲାଗି ସେ ଦେଇଥିବା ଜାତିଗତ ପ୍ରମାଣ ପତ୍ରରେ ମିଥ୍ୟା ସୂଚନା ରହିଛି ଅଥବା ଜଣେ ସରକାରୀ କର୍ମଚାରୀ ହୋଇଥିବା ସତ୍ତ୍ବେ ତାଙ୍କ ଜୀବନଶୈଳୀ ଓ ବିଦେଶ ଭ୍ରମଣର ସ˚ଖ୍ୟା ଅର୍ବପତିମାନଙ୍କ ସହିତ ସମତୁଲ। ପ୍ରକାଶ ଥାଉ କି ଏହିଭଳି ଅଭିଯୋଗଗୁଡ଼ିକରୁ ହିଁ ତାଙ୍କ ବିରୋଧରେ ଏକ ସି.ବି.ଆଇ. ଅନୁସନ୍ଧାନ ସକାଶେ ବାଟ ଫିଟିଥିଲା, ଯାହା ଫଳରେ ଏହି ସବୁ ଅଭିଯୋଗମାନ ସତ୍ୟ ବୋଲି ଏହି କେନ୍ଦ୍ରୀୟ ଅନୁସନ୍ଧାନ ସ˚ସ୍ଥା ପକ୍ଷରୁ ଏବେ କୁହାଯାଉଛି।
ସି.ବି.ଆଇ. ଦ୍ବାରା ଆଗତ ଅଭିଯୋଗ ପରିପ୍ରେକ୍ଷୀରେ ସମୀର ଵାନଖେଡ଼େଙ୍କ ଭାଗ୍ୟ କେଉଁ ମୋଡ଼ ନେବ, ତାହା ତ ଭବିଷ୍ୟତ୍ କହିବ; କିନ୍ତୁ ଆର୍ଯ୍ୟନ ଖାଁ ମାମଲାରେ ଯେ ଏକ ନିର୍ଦ୍ଦିଷ୍ଟ ଅଭିସନ୍ଧି ଲୁକ୍କାୟିତ ହୋଇ ରହିଥିଲା, ତାହା ଏବେ ପ୍ରାୟ ସ୍ପଷ୍ଟ। ଯଦି ପରିଶେଷରେ ସମୀର ଵାନଖେଡ଼େ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ କାର୍ଯ୍ୟକଳାପରେ ଜଣେ ଚତୁର ଶିରୋନାମା ଶିକାରୀଙ୍କୁ ଦେଖିବାକୁ ମିଳିବ, ଯିଏ ଜଣେ ସଚ୍ଚୋଟ ଅଧିକାରୀ ରୂପେ ପରିଚିତି ସୃଷ୍ଟି କରିବାର ବିଧିବଦ୍ଧ ପ୍ରଚେଷ୍ଟାରେ ରହିଥିଲେ, ଯାହା ବଲିଉଡ୍ ସେଲିବ୍ରିଟିମାନଙ୍କୁ ନିଶାଣ କରିବାର ମାତ୍ରାଧିକ ଆଗ୍ରହରେ ଠାବ କରି ହୁଏ। କେବଳ ସେତିକି ନୁହେଁ, ନିଜ କାର୍ଯ୍ୟକୁ ସନ୍ଦେହମୁକ୍ତ କରି ରଖିବା ସକାଶେ ମଧୢ ସେ ସଯତ୍ନ ନକ୍ସା ପ୍ରସ୍ତୁତ କରିଥିଲେ; ଯାହାର ଉଦାହରଣ ହେଲା ୨୦୧୬ ମସିହାରୁ ୨୦୨୦ ମସିହା ପର୍ଯ୍ୟନ୍ତ ମୁମ୍ବାଇରେ ବର୍ଷକୁ ହାରାହାରି ପଚିଶରୁ ତିରିଶଟି ନିଷିଦ୍ଧ ଡ୍ରଗ୍ସ ସମ୍ବନ୍ଧୀୟ ଚଢ଼ାଉ ହେଉଥିବା ବେଳେ ସମୀରଙ୍କ କାର୍ଯ୍ୟ କାଳରେ ଅର୍ଥାତ୍ ୨୦୨୦-୨୧ରେ ତାହା ତିନି ଗୁଣ ଅଧିକ ଅର୍ଥାତ୍ ନବେରେ ପହଞ୍ଚିଥିଲା; ଯାହା ତାଙ୍କର ଅନମନୀୟ ସାଧୁତା ଓ ନିଷ୍ଠାର ଜୈତ୍ର ଭଳି ଉଡୁଥିଲା। କିନ୍ତୁ ଶିରୋନାମା ଶିକାରର ପ୍ରକରଣରେ ସେ ଏକାକୀ ନ ଥିଲେ। ସତ କହିଲେ ତାଙ୍କୁ ଏଭଳି ପ୍ରସିଦ୍ଧି ଦେବାରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ଗଣମାଧୢମ ମଧୢ ପ୍ରକାରାନ୍ତରେ ‘ଶିରୋନାମା ଶିକାରୀ’ ରୂପେ ଅବତୀର୍ଣ୍ଣ ହୁଏ, ଯାହାର ‘ଟି.ଆର୍.ପି.’ ବୁଭୁକ୍ଷା ଵାନ୍ଖେଡ଼େମାନଙ୍କ ଭଳି ଶିକାର ଦ୍ବାରା ହିଁ ମେଣ୍ଟିଥାଏ।
ଏହି ପରିପ୍ରେକ୍ଷୀରେ କିଛି ବର୍ଷ ତଳର ସେଲିବ୍ରିଟି ‘ଏନକାଉଣ୍ଟର ସ୍ପେସାଲିଷ୍ଟ୍’ ଦୟା ନାଏକ ମଧ୍ୟ ସ୍ମରଣକୁ ଆସନ୍ତି, ଯିଏ ଏକଦା ପୁଲିସ ବିଭାଗର ଜଣେ ‘ପୋଷ୍ଟର ବୟ’ରେ ପରିଣତ ହୋଇଥିବା ବେଳେ ସମାନ୍ତରାଳ ଭାବେ ଏକ ଅଣ୍ତରଵର୍ଲଡ ଗ୍ୟାଙ୍ଗ ଲାଗି କାର୍ଯ୍ୟ କରି ପ୍ରତିପକ୍ଷ ଗ୍ୟାଙ୍ଗଷ୍ଟରମାନଙ୍କୁ ହତ୍ୟା କରି ଚାଲିଥିଲେ। ବର୍ତ୍ତମାନ ସେ ଜେଲ୍ରେ। ସରକାରୀ ବ୍ୟବସ୍ଥାରେ ପ୍ରାପ୍ତ ଅମିତ କ୍ଷମତାର ଜାନ୍ତବ ଶକ୍ତି କିଭଳି ଭୟାବହ ରୂପ ନେଇପାରେ, ଏମାନେ ତା’ର ଉଦାହରଣ; ଏବ˚ ନିଜର ଅଭିସନ୍ଧିକୁ ସଫଳ କରିବା ଲାଗି ସେମାନେ ଯେଉଁ ଏକ କୌଶଳକୁ ଆପଣାନ୍ତି ତାହା ହେଲା ଶିରୋନାମା ଶିକାର; ଯେଉଁ ପ୍ରକରଣରେ ସେମାନେ ଓ ଗଣମାଧୢମ; ଉଭୟ ଏକ ପରସ୍ପରାଶ୍ରୟୀ ଜୀବନ ଜିଅନ୍ତି, ଯାହା ହେଉଛି ଏକ ଦୁର୍ଭାଗ୍ୟ।