୨୦୧୬ରେ ନରେନ୍ଦ୍ର ‌ମୋଦୀ ସରକାର ଦ୍ବାରା କରାଯାଇଥିବା ବିମୁଦ୍ରୀକରଣ ଯେ ଏକ ସମ୍ପୂର୍ଣ୍ଣ ବିଫଳ ପଦକ୍ଷେପ ଥିଲା, ତାହା ସେବେ ଠାରୁ ସାବ୍ୟସ୍ତ ହୋଇସାରିଛି, ଯେବେ ଠାରୁ ଜଣାପଡ଼ିଲାଣି ଯେ ଏହାଦ୍ବାରା ଅଚଳ କରାଯାଇଥିବା ପ୍ରାୟ ସବୁତକ ୫୦୦ ଟଙ୍କିଆ ଓ ୧,୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ନିଷ୍କଳଙ୍କ ଭାବରେ ପୁଣି ବ୍ୟାଙ୍କ୍‌ମାନଙ୍କ ପାଖକୁ ଫେରି ଆସିଛନ୍ତି। ଏଥିରୁ ସାବ୍ୟସ୍ତ ହୋଇଥିଲା ଯେ ଦେଶରୁ କଳାଧନ ମୂଳପୋଛ କରିବା ଉଦ୍ଦେଶ୍ୟରେ ମୋଦୀ ଗ୍ରହଣ କରିଥିବା ଏହି ଅଚାନକ ପଦକ୍ଷେପ ଦେଶରେ କଳାଧନ ପ୍ରତି ସାମାନ୍ୟତମ ଆଞ୍ଚ ମଧ୍ୟ ଆଣି ପାରିନଥିଲା। ଅପରପକ୍ଷେ ସରକାର ସମଗ୍ର ଦେଶବାସୀଙ୍କ ପାଇଁ ସୃଷ୍ଟି କରିଥିବା ଏହି ଅନାବଶ୍ୟକ କସରତ ସେ ସମୟରେ ଦୀର୍ଘ କାଳ ଧରି ଯେଉଁ ଚରମ ମାନବୀୟ ଦୁର୍ଦ୍ଦଶା ସୃଷ୍ଟି କରିଥିଲା‌, ତାହା ଭୁକ୍ତଭୋଗୀମାନଙ୍କ ସ୍ମୃତିରେ ଏବେ ମଧ୍ୟ ତ‌‌ାଜା ଅଛି। ତେଣୁ ବର୍ତ୍ତମାନ ଯେତେବେଳେ ମୋଦୀ ସରକାର ଦେଶର ମୁଦ୍ରା ଯୋଗାଣରୁ ସର୍ବୋଚ୍ଚ ମୂଲ୍ୟଯୁକ୍ତ ୨,୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ପ୍ରତ୍ୟାହାର କରି ‌େନବାକୁ ଏକ ପଦକ୍ଷେପ ନେଇଛି, ଅତୀତର ସେଇ ତିକ୍ତ ଅନୁଭୂତି ଯୋଗୁଁ, ଏହାକୁ ଆଉ ଏକ ବିମୁଦ୍ରୀକରଣ ବୋଲି ଅନେକ ଲୋକ ସେମାନଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

Advertisment

କିନ୍ତୁ ସରକାରଙ୍କର ବର୍ତ୍ତମାନର ପଦକ୍ଷେପର ଅତୀତର ବିମୁଦ୍ରୀକରଣ ସହିତ ଘନିଷ୍ଠ ସମ୍ପର୍କ ରହିଥିଲେ ହେଁ, ଏହା ଯେ ଆଉ ଏକ ବିମୁଦ୍ରୀକରଣ ନୁହେଁ, ସାମାନ୍ୟ ଯତ୍ନର ସହିତ ଏହି ସଦ୍ୟତମ ମୌଦ୍ରିକ ପୁନର୍ବିନ୍ୟାସ ଉଦ୍ୟମ ଉପରେ ଦୃଷ୍ଟି ନିକ୍ଷେପ କଲେ ସ୍ପଷ୍ଟ ହୋଇଥାଏ। ଏଥିପାଇଁ ବର୍ତ୍ତମାନ ପ୍ରତ୍ୟାହୃତ ହେବାକୁ ଯାଉଥିବା ୨,୦୦୦ ଟଙ୍କିଆ ନୋଟ୍‌ର ଉତ୍ପତ୍ତିକୁ ଏହି ଅନୁଶୀଳନର ପରିସରଭୁକ୍ତ କରିବା ଉଚିତ ହେବ। ୨୦୧୬ର ବିମୁଦ୍ରୀକରଣ ରାତାରାତି ଗୋଟିଏ‌ ଚୋଟରେ ଦେଶର ମୁଦ୍ରା ଯୋଗାଣର ପ୍ରାୟ ୮୬ ଶତାଂଶକୁ ଅଚଳ କରିଦେଇ ଅର୍ଥନୀତିକୁ ସ୍ଥାଣୁ କରି ଦେବା ଭଳି ଅବସ୍ଥା ସୃଷ୍ଟି କରିଥିଲା। ମୁଦ୍ରା ଯୋଗାଣରେ ଏହି ବିଶାଳ ଶୂନ୍ୟସ୍ଥାନ ପୂରଣ କରି ଅର୍ଥନୀତିକୁ ଚଳମାନ ରଖିବା ପାଇଁ ନୂତନ ୫୦୦ ଟଙ୍କିଆ ନୋଟ୍‌ମାନ ଛାପା ହେବା ଏକ ସମୟସାପେକ୍ଷ କାର୍ଯ୍ୟ ଥିଲା।

ଏହି ସମୟରେ ମୋଦୀଙ୍କର କୌଣସି ପରାମର୍ଶଦାତାଙ୍କ ମସ୍ତିଷ୍କରେ ଢୁକିଲା ଯେ ଯଦି ଖଣ୍ଡିଏ ୨,୦୦୦ ଟଙ୍କିଆ ନୋଟ୍‌ ଛପାଯାଏ, ତାହା ଚାରିଖଣ୍ଡି ୫୦୦ ଟଙ୍କିଆ ଛପାଇବା ଭଳି ହେବ; ତେଣୁ ଯଦି ୨,୦୦୦ ଟଙ୍କିଆ ନୋଟ୍‌ ପ୍ରବର୍ତ୍ତନ କରାଯାଏ, ତାହା ମୂଲ୍ୟ ଆକାରରେ ମୁଦ୍ରା ଯୋଗାଣ ବୃଦ୍ଧିକୁ ତ୍ବରାନ୍ବିତ କରିବ। କିନ୍ତୁ ଏଭଳି ପ୍ରସ୍ତାବ ବହନ କରୁଥିବା ଏକ ଅନ୍ତର୍ନିହିତ ଅସଂଗତି କାହାରି ଦୃଷ୍ଟି ଏଡ଼ାଇ ନ ଥିଲା। ବିମୁଦ୍ରୀକରଣର ମୂଳ ଲକ୍ଷ୍ୟ ଥିଲା ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍‌ ଆକାରରେ ଠୁଳ କରାଯାଇଥିବା କଳାଧନକୁ ଅକାମି କରିଦେବା। ଅତଏବ ୨,୦୦୦ ଟଙ୍କିଅ ନୋଟ୍‌ ରୂପରେ ଆହୁରି ଅଧିକ ଉଚ୍ଚ ମୂଲ୍ୟର ନୋଟ୍‌ ଛପାଇ ପ୍ରଚଳନ କରିବା ସେ ଉଦ୍ଦେଶ୍ୟର ସମ୍ପୂର୍ଣ୍ଣ ପରିପନ୍ଥୀ ଥିଲା, କାରଣ, କଳାଧନ ସାଇତିବା ନିମିତ୍ତ ଏହି ନୋଟ୍‌ଗୁଡ଼ିକ ଆହୁରି ଅଧିକ ଉପଯୋଗୀ ହେଲା।

ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ସମୟରେ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ଥିବା ନୃପେନ୍ଦ୍ର ମିଶ୍ର ୨୦୨୦ରେ ଏକ ସମ୍ବାଦପତ୍ର ସ୍ତମ୍ଭରେ ଉଲ୍ଲେଖ କରିଥିଲେ ଯେ ଏହି ୨,୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନ ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସମର୍ଥନ ନ ଥିଲେ ହେଁ ସେ ଉପଦେଷ୍ଟାମାନଙ୍କର ମତକୁ ଟାଳି ଦେଇ ପାରିନଥିଲେ। ମିଶ୍ର ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଏଥିପାଇଁ ପରବର୍ତ୍ତୀ ସମୟରେ ଘୋର ସମାଲୋଚନାର ସମ୍ମୁଖୀନ ହୋଇଥିଲେ ହେଁ ମୋଦୀ ସେଇ ଉପଦେଷ୍ଟାମାନଙ୍କ ମୁଣ୍ଡରେ କେବେ ହେଲେ ଦୋଷ ଲଦି ନ ଥିଲେ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ କୌଣସି ବ୍ୟକ୍ତି ନିଜର କୌଣସି ଭୁଲ୍‌ ନିଷ୍ପତ୍ତି ପାଇଁ ଯେଉଁଭଳି ବ୍ୟକ୍ତିଗତ ରୂପେ ଦାୟୀ ହୋଇଥାଏ, କୌଣସି ଭୁଲ୍‌ ଉପଦେଶ ଗ୍ରହଣ କରିବା ପାଇଁ ମଧ୍ୟ ସେଇଭଳି ଦାୟୀ ହେବା ଉଚିତ।

ବୋଧହୁଏ ଏ ସମ୍ବନ୍ଧରେ ସଚେତନ ହୋଇ ଏହି ଭୁଲ୍‌ର ସଂଶୋଧନ ନିମିତ୍ତ ଏହା ପରେ ପରେ ଯେଉଁ ଉଦ୍ୟମ ଆରମ୍ଭ ହୋଇଯାଇଥିଲା, ବର୍ତ୍ତମାନର ଘୋଷିତ ପଦକ୍ଷେପ ହେଉଛି ତାହାର ଏକ ସ୍ବାଭାବିକ ଅଂଶ।। ରିଜର୍ଭ ବ୍ୟାଙ୍କ୍‌ ଦେଇଥିବା ସୂଚନା ଅନୁସାରେ ଯଥେଷ୍ଟ ପରିମାଣର ଅନ୍ୟ ମୂଲ୍ୟର ନୋଟ୍‌ମାନ ଛାପା ହୋଇଯିବା ପରେ ଆଉ ୨,୦୦୦ ଟଙ୍କିଆ ନୋଟ୍‌ ପ୍ରଚଳନର ଆବଶ୍ୟକତା ନାହିଁ, ଓ ସେଥିଯୋଗୁଁ ୨୦୧୮-୧୯ ଠାରୁ ଏହା ଛାପା ହେବା ବନ୍ଦ କରି ଦିଆଯାଇଛି। ବ୍ୟାଙ୍କ୍‌ ପାଖକୁ ଫେରୁଥିବା ୨,୦୦୦ ଟଙ୍କିଆ ନୋଟ୍‌କୁ ପ୍ରସାରରୁ କାଢ଼ି ନିଆଯାଉଛି। ଫଳରେ ୨୦୧୮ ମାର୍ଚ୍ଚ ୩୧ରେ ଦେଶରେ ମୋଟ ୬.୭୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨,୦୦୦ ଟଙ୍କିଆ ନୋଟ୍‌ ପ୍ରଚଳିତ ଥିବା ବେଳେ ୨୦୨୩ ମାର୍ଚ୍ଚ ୩୧ରେ ତାହା ହ୍ରାସ ପାଇ ହୋଇଥିଲା ୩.୬୨ ଲକ୍ଷ କୋଟି ଟଙ୍କା, ଯାହା ହେଉଛି ଦେଶରେ ପ୍ରଚଳିତ ମୋଟ ମୁଦ୍ରା ମୂଲ୍ୟର ୧୦.୮ ଶତାଂଶ ମାତ୍ର।

ରିଜର୍ଭ ବ୍ୟାଙ୍କ୍‌ ଅନୁସାରେ କାଗଜ ନୋଟ୍‌ମାନଙ୍କର ଆୟୁଷ ଚାରିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ହୋଇଥିବାରୁ, ୨୦୧୭ ବା ତା’ ପୂର୍ବରୁ ଛାପା ହୋଇଥିବା ଏହି ନୋଟ୍‌ଗୁଡ଼ିକ ଏବେ ପ୍ରତ୍ୟାହୃତ ହେବାର ସମୟ ଉପସ୍ଥିତ। ଅତୀତରେ ୨୦୧୩-୧୪ରେ ମଧ୍ୟ ରିଜର୍ଭ ବ୍ୟାଙ୍କ୍‌ ୨୦୦୫ ପୂର୍ବରୁ ଛାପା ହୋଇଥିବା ସମସ୍ତ ନୋଟ୍‌କୁ (ସେତେବେଳେ ୨,୦୦୦ ଟଙ୍କିଆ ନୋଟ୍‌ ନ ଥିଲା) ଏଇଭଳି ପ୍ରତ୍ୟାହାର କରିନେବା ଦେଖା ଯାଇଥିଲା। ଏହାକୁ ଏକ ପ୍ରକାର ନୋଟ୍ ସଫେଇ କାର୍ଯ୍ୟ ବୋଲି କୁହାଯାଇପାରେ। ବିମୁଦ୍ରୀକରଣ ସମୟରେ ଯେପରି ୫୦୦ ଟଙ୍କିଆ ଓ ୧,୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ରାତାରାତି ଅଚଳ କରି ଦିଆଯାଇଥିଲା, ବର୍ତ୍ତମାନ ୨,୦୦୦ ଟଙ୍କିଆ ନୋଟ୍‌କୁ ସେପରି ଅଚଳ କରି ଦିଆଯାଇନାହିଁ, କେବଳ ସେଗୁଡ଼ିକୁ ଫେରସ୍ତ କରି ଦେବା ପାଇଁ ଜନସାଧାରଣଙ୍କୁ ଉତ୍ସାହିତ କରାଯାଇଛି।

ଏମିତିରେ ଭାରତରେ ବର୍ତ୍ତମାନ ‘ୟୁପିଆଇ’ର ଭଳି ଡିଜିଟାଲ ଦେଣନେଣ କ‌ା‌ରବାର ମୁଦ୍ରା ବ୍ୟବହାରକୁ କ୍ରମେ ଯେଉଁ ଭଳି ଅଧିକରୁ ଅଧିକ ଅନାବଶ୍ୟକ କରିଦେଲାଣି, ସେଥିରେ କାଗଜ ନୋଟ୍‌ମାନ ଅନାହୂତ ଅତିଥି ଭଳି ପ୍ରତୀୟମାନ ହେବାକୁ ଲାଗିଲେଣି। ଏପରି ପରିସ୍ଥିତିରେ ଆମ ମୁଦ୍ରା ଯୋଗାଣରେ ୨,୦୦୦ ଟଙ୍କିଆ ନୋଟ୍‌ର ଉପସ୍ଥିତିର କୌଣସି ଯଥାର୍ଥତା ନାହିଁ, କେବଳ କଳାଧନ ସାଇତିବାର ମାଧ୍ୟମ ରୂପେ ବ୍ୟବହୃତ ହେବା ବ୍ୟତୀତ। ଅବଶ୍ୟ ଏଇ କାରଣରୁ ଆଗାମୀ ନିର୍ବାଚନମାନଙ୍କର ଠିକ୍‌ ପୂର୍ବରୁ ଏହି ପଦକ୍ଷେପ ରାଜନୈତିକ ଦଳମାନଙ୍କ ପାଇଁ ଅସୁବିଧାଜନକ ହୋଇପା‌େର; କିନ୍ତୁ ଅତୀତର ଭୁଲ୍‌ ସୁଧାରିବା ନିମିତ୍ତ ବର୍ତ୍ତମାନ ଗ୍ରହଣ କରାଯାଇଥିବା ଏହି ନିଷ୍ପତ୍ତି ବିଳମ୍ବିତ ହୋଇଥିଲେ ହେଁ ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ।