ଦୁର୍ଯ୍ୟୋଧନୀଙ୍କ ନାତି

ଶଶି ଥରୁର ହେଉଛନ୍ତି ଆଧୁନିକ ବ୍ୟାସଦେବ। କେବଳ ନିଜର ବିଦ୍ୟାବୁଦ୍ଧି, ଲେଖିବା ଚାତୁରୀ ଏବଂ କହିବା ଚାତୁରୀ ପାଇଁ ଯେ ତାଙ୍କୁ ମହାକାବ୍ୟ ମହାଭାରତର ଏହି ମହାନ୍‌ ରଚୟିତାଙ୍କ ସହିତ ତୁଳନା କରାଯାଇପାରେ, ତାହା ନୁହେଁ, ସେ ମଧ୍ୟ ଖୋଦ୍‌ ଆକ୍ଷରିକ ଅର୍ଥରେ ମହାଭାରତ ରଚନା କରି ତାଙ୍କର ପ୍ରାରମ୍ଭିକ ସାହିତ୍ୟିକ ପ୍ରସିଦ୍ଧି ଲାଭ କରିଥିଲେ। ବର୍ତ୍ତମାନ ଭାରତୀୟ ଜାତୀୟ କଂଗ୍ରେସ ଦଳର ଜଣେ ତୁଙ୍ଗ ନେତା ରୂପେ ସୁପରିଚିତ ଥରୁର୍‌ ୧୯୮୯ ସାଲରେ ପ୍ରକାଶ କରିଥିବା ଯେଉଁ ପୁସ୍ତକ ତାଙ୍କୁ ରାତାରାତି ଆନ୍ତର୍ଜାତିକ ଖ୍ୟାତି ଆଣି ଦେଇଥିଲା, ତାହାର ଶୀର୍ଷକ ହେଲା- ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ନଭେଲ୍‌’। ଶଶି ଥରୁର୍‌ ଏପରି ଏକ ଶୀର୍ଷକ ପସନ୍ଦ କରିବାର କାରଣ ହେଲା, ଏହା ହେଉଛି ‘ମହାଭାରତ’ର ଆକ୍ଷରିକ ଇଂରେଜୀ ଅନୁବାଦ: ଗ୍ରେଟ୍‌-ମହା, ଇଣ୍ଡିଆ-ଭାରତ। ଶଶି ‘ଗ୍ରେଟ୍‌ ଇଣ୍ଡିଆ’କୁ ସାମାନ୍ୟ ସମ୍ପ୍ରସାରିତ କରି ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ନଭେଲ୍‌’ରେ ପରିଣତ କରି ଦେଇଥିଲେ।

ଶଶି ଥରୁର୍‌ କେବଳ ନିଜ ପୁସ୍ତକର ନାମ ‘ମହାଭାରତ’ ରଖିଥିଲେ, ତାହା ନୁହେଁ, ସେ ଏହାକୁ ଏକ ସାମ୍ପ୍ରତିକ ମହାଭାରତ ରୂପେ ଉପସ୍ଥାପିତ କରି ମୂଳ ମହାଭାରତର ସମସ୍ତ ମୁଖ୍ୟ ପାତ୍ରପାତ୍ରୀଙ୍କୁ ନିଜ କାହାଣୀରେ ସ୍ଥାନୀତ କରିଥିଲେ। ଅବଶ୍ୟ ସେ ଏଥିପାଇଁ ସେମାନଙ୍କର ନାମସବୁ ପରିବର୍ତ୍ତନ କରିଦେଇଥିଲେ। ମୂଳ ମହାଭାରତ ଭଳି ତତ୍‌କାଳୀନ କ୍ଷମତା ରାଜନୀତିକୁ କେନ୍ଦ୍ର କରି ଚାଲିଥିବା ଦ୍ୱନ୍ଦ୍ୱ ଥିଲା ଥରୁର୍‌ଙ୍କ ଆଧୁନିକ ମହାଭାରତର କାହାଣୀ, ଯାହାକୁ ସେ ଏକ ସମ୍ପୂର୍ଣ୍ଣ ବ୍ୟଙ୍ଗାତ୍ମକ ଢଙ୍ଗରେ ପରିବେଷଣ କରିଥିଲେ। ସ୍ୱାଧୀନତା ପରବର୍ତ୍ତୀ ଭାରତର ଇତିହାସକୁ ଥରୁର୍‌ ଏଥିରେ ବସ୍ତୁତଃ ଗଣତନ୍ତ୍ରର ଭାଗ୍ୟର ଉତ୍‌ଥାନ ପତନ ରୂପେ ପ୍ରଦର୍ଶିତ କରିଛନ୍ତି। ଏହି ଉଦ୍ଦେଶ୍ୟରେ ସେ ଗଣତନ୍ତ୍ରକୁ ଦ୍ରୌପଦୀଙ୍କ ଭୂମିକାରେ ଅବତୀର୍ଣ୍ଣ କରାଇଛନ୍ତି ଓ ଏହାର ଏପରି ନାମକରଣ କରିଛନ୍ତି, ଯେପରି ଦ୍ରୌପଦୀଙ୍କ ସହିତ ଏହାର ସମ୍ପର୍କ ସ୍ପଷ୍ଟ ଦେଖାଯିବ। ଗଣତନ୍ତ୍ରର ଇଂରେଜୀ ‘ଡେମୋକ୍ରାସି’ର ପ୍ରଥମ ଅକ୍ଷର ହେଉଛି ‘ଡି’ ଏବଂ ଇଂରେଜୀରେ ‘ଦ୍ରୌପଦୀ’ ଲେଖାଗଲେ ପ୍ରଥମ ଅକ୍ଷର ହେବ ସେଇ ‘ଡି’। ଥରୁର୍‌ ଚତୁରତାର ସହିତ ତାଙ୍କ କାହାଣୀରେ ତେଣୁ ଦ୍ରୌପଦୀ ଚରିତ୍ରର ନାମ ରଖିଛନ୍ତି- ‘ଡି. ମୋକ୍ରାସି।’

ଥରୁର୍‌ଙ୍କ କାହାଣୀ ଅନୁସାରେ ଭାରତ ଭୂମିରେ ଡି. ମୋକ୍ରାସିଙ୍କର ସମସ୍ୟା ଆରମ୍ଭ ହୋଇଛି ଯେତେବେଳେ ଗଣତନ୍ତ୍ରର ମହାନ୍‌ ପୂଜାରୀ ଧୃତରାଷ୍ଟ୍ର (ଜବାହରଲାଲ୍‌ ନେହରୁ)ଙ୍କର ପରଲୋକ ଘଟିଛି। ଦେଶ ପାଇଁ ଏକ ମହାନ ନଭଶ୍ଚୁମ୍ବୀ ଭବିଷ୍ୟତର ସ୍ୱପ୍ନ ଦେଖି ସର୍ବଦା ଉପରକୁ ଚାହିଁଥିବା ଧୃତରାଷ୍ଟ୍ର ତାଙ୍କ ଅନ୍ତେ ତାଙ୍କ ନାକତଳେ ଛକି ରହିଥିବା ଡି. ମୋକ୍ରାସି ପ୍ରତି ବିପଦ ସମ୍ବନ୍ଧରେ ଆଦୌ ସଚେତନ ନଥିଲେ। ତେଣୁ ଡି. ମୋକ୍ରାସିଙ୍କର ଯନ୍ତ୍ରଣା ଆରମ୍ଭ ହୋଇଗଲା ଯେତେବେଳେ ଧୃତରାଷ୍ଟ୍ରଙ୍କ ମୃତ୍ୟୁ ପରେ ତାଙ୍କ କନ୍ୟା ‘ପ୍ରିୟା ଦୁର୍ଯ୍ୟୋଧନୀ’ କ୍ଷମତା ଦଖଲ କଲେ। (ମୂଳ ମହାଭାରତରେ ଧୃତରାଷ୍ଟ୍ରଙ୍କ ପୁତ୍ର ‘ଦୁର୍ଯ୍ୟୋଧନ’ ଏବଂ ନେହରୁଙ୍କ କନ୍ୟା ‘ଇନ୍ଦିରା ପ୍ରିୟଦର୍ଶିନୀ’କୁ ମିଶାଇ ଥରୁର ‘ପ୍ରିୟା ଦୁର୍ଯ୍ୟୋଧନୀ’ ଚରିତ୍ର ସୃଷ୍ଟି କରିଛନ୍ତି।) ଥରୁର୍‌ଙ୍କ ଭାଷାରେ ‘କୌରବ ପାର୍ଟି’ର ପୁରୁଖା ନେତାମାନଙ୍କ ବିରୁଦ୍ଧରେ ପ୍ରିୟା ଦୁର୍ଯ୍ୟୋଧନୀଙ୍କର ବିଦ୍ରୋହ ଶେଷରେ ବିଭିନ୍ନ ଘଟଣାକ୍ରମ ଦେଇ ଯେଉଁ ଜରୁରୀକାଳୀନ ପରିସ୍ଥିତି ବା ଏମର୍ଜେନ୍‌ସିର ରୂପ ନେଇଥିଲା, ତାହା ଥିଲା ଡି. ମୋକ୍ରାସିଙ୍କ ବସ୍ତ୍ରହରଣ ପାଇଁ ଚରମ ଉଦ୍ୟମ। ଉଲ୍ଲେଖ ନିଷ୍ପ୍ରୟୋଜନ, ‘କୌରବ ପାର୍ଟି’ ଅବଶ୍ୟ ହେଉଛି କଂଗ୍ରେସ ପାର୍ଟି। ‘ଏମର୍ଜେନ୍‌ସି’ ବା ଡି. ମୋକ୍ରାସିଙ୍କ ବସ୍ତ୍ରହରଣ ସଂଘଟିତ କରିବା ଦିଗରେ ପ୍ରିୟା ଦୁର୍ଯ୍ୟୋଧନୀଙ୍କର କ୍ରମଶଃ ଅଗ୍ରଗତି ଏବଂ ଏଥି ସହିତ ତାଳ ଦେଇ ଡି. ମୋକ୍ରାସିଙ୍କ ଉପରେ ପଡୁଥିବା ପ୍ରଭାବରେ ଘଟୁଥିବା ପରିବର୍ତ୍ତନକୁ ଶଶି ଥରୁର୍‌ ତାଙ୍କର ଏହି ‘ମହାଭାରତ’ରେ ବେଶ୍‌ ରୋଚକ ଢଙ୍ଗରେ ବର୍ଣ୍ଣନା କରିଛନ୍ତି। ଦୁର୍ଯ୍ୟୋଧନୀ ଯେତେବେଳେ ଯୁଧିଷ୍ଠିର (ମୋରାରଜୀ ଦେଶାଇ)ଙ୍କୁ ଉପପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତ କରି ତାଙ୍କ ସହିତ କ୍ଷମତା ବାଣ୍ଟିଛନ୍ତି, ଡି. ମୋକ୍ରାସିଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ଘଟି ସେ ଟିକେ ମୋଟେଇ ଯାଇଛନ୍ତି, କିନ୍ତୁ ତାଙ୍କର ଇସ୍ତଫା ପୁଣି ଡି. ମୋକ୍ରାସିଙ୍କୁ ଅସୁସ୍ଥ କରିଦେଇଛି। ଯୁଧିଷ୍ଠିର କିନ୍ତୁ ଯେତେବେଳେ ପ୍ରତିବାଦ କରି ‘କୌରବ ଓ୍ଵାର୍କିଙ୍ଗ୍‌ କମିଟି’ (କଂଗ୍ରେସ ଓ୍ଵାର୍କିଙ୍ଗ୍‌ କମିଟି)ରୁ ଇସ୍ତଫା ଦେଇଛନ୍ତି, ଡି. ମୋକ୍ରାସିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପୁଣି ଟିକିଏ ଉନ୍ନତି ଘଟିଛି। ଡି. ମୋକ୍ରାସି କିନ୍ତୁ ପୁଣି ଅସୁସ୍ଥତା ଅନୁଭବ କରିଛନ୍ତି ଯେତେବେଳେ ‘ନମ୍ର ମୁସଲମାନ ବିଦ୍ୱାନ’ (ଜାକିର୍‌ ହୁସେନ୍‌) ରାଷ୍ଟ୍ରପତି ପଦରୁ ‘ଇସ୍ତଫା ଦେଇଛନ୍ତି ଏବଂ ତାଙ୍କ ସ୍ଥାନରେ ଦୁର୍ଯ୍ୟୋଧନୀଙ୍କର ମନୋନୀତ ପ୍ରାର୍ଥୀ ଏକଲବ୍ୟ’ (ଭି.ଭି. ଗିରି) ଅଧିଷ୍ଠିତ ହୋଇଛନ୍ତି। ସେହିପରି ଦୁର୍ଯ୍ୟୋଧନୀଙ୍କର ‘ଗରିବୀ ହଟାଓ’ ସ୍ଲୋଗାନ୍‌ର ଫମ୍ପାପଣ ଡି. ମୋକ୍ରାସିଙ୍କୁ ଏକ ଶ୍ୱାସରୋଗୀରେ ପରିଣତ କରିଥିବା ବେଳେ ‘କର୍ଣ୍ଣିସ୍ଥାନ’ (‘ପାକିସ୍ତାନ’- ଏହାର ସ୍ରଷ୍ଟା ମହମ୍ମଦ ଅଲି ଜିନ୍ନା ହେଉଛନ୍ତି ଥରୁର୍‌ଙ୍କ ମହଭାରତରେ ‘କର୍ଣ୍ଣ’)ର ଅଙ୍ଗଚ୍ଛେଦନ ଏବଂ ‘ଗେଲାବିଦେଶ’ (ବାଂଲାଦେଶ)ର ସୃଷ୍ଟି ପ୍ରତିଶୋଧ ପରାୟଣା ଡି. ମୋକ୍ରାସିଙ୍କ ସ୍ୱାସ୍ଥ୍ୟରେ ପୁଣି ଉନ୍ନତି ଘଟାଇଛି। କିନ୍ତୁ ବିଭିନ୍ନ ପ୍ରତିଶ୍ରୁତି ପୂରଣ କରିବାରେ ଦୁର୍ଯ୍ୟୋଧନୀଙ୍କର ଅକ୍ଷମତା ଜନିତ ଜନଅସନ୍ତୋଷକୁ ନେତୃତ୍ୱ ଦେବା ପାଇଁ ‘ଦ୍ରୋଣାଚାର୍ଯ୍ୟ’ (ଜୟ ପ୍ରକାଶ ନାରାୟଣ) ଙ୍କର ଆବିର୍ଭାବ ଏବଂ ନିର୍ବାଚନୀ ଅନିୟମିତତା ଅଭିଯୋଗରେ ଦୁର୍ଯ୍ୟୋଧନୀଙ୍କ ବିରୋଧରେ ଅଦାଲତର ଆଦେଶ ତାଙ୍କୁ ସଙ୍କଟରେ ପକାଇଥିବା ବେଳେ ଦୃଶ୍ୟପଟରେ ଆବିର୍ଭୂତ ହୋଇଛନ୍ତି ଶକୁନି ଶଙ୍କର ଦେ ( ସିଦ୍ଧାର୍ଥ ଶଙ୍କର ରାୟ ଏବଂ ସଞ୍ଜୟ ଗାନ୍ଧୀଙ୍କ ମିଶ୍ର ଚରିତ୍ର) ଯାହାଙ୍କ ଉପଦେଶ ମାନି ଦୁର୍ଯ୍ୟୋଧନୀ ଦେଶରେ ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି ଜାରି କରି ଦେଇ ଡି. ମୋକ୍ରାସିଙ୍କୁ ବିବସ୍ତ୍ର କରିବାକୁ ଉଦ୍ୟମ କରିଛନ୍ତି।

ଏହି ପୃଷ୍ଠଭୂମିରେ ରବିବାର ଦିନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ନିଜ ଦଳକୁ ପାଣ୍ଡବଙ୍କ ଦଳ ଏବଂ ପ୍ରତିପକ୍ଷ ଭାରତୀୟ ଜନତା ପାର୍ଟିକୁ କୌରବଙ୍କ ଦଳ ବୋଲି କହିବା ଅର୍ଥ ଶଶି ଥରୁର୍‌ଙ୍କ ପ୍ରସିଦ୍ଧ ଉପନ୍ୟାସର କାହାଣୀକୁ ଓଲଟାଇ ଦେବା। କିନ୍ତୁ ସମସ୍ୟା ହେଲା ଥରୁର୍‌ଙ୍କ କାହାଣୀର ଚରିତ୍ର ସବୁଙ୍କର ହୁଏତ ନାମ ପରିବର୍ତ୍ତନ କରିଦିଆଯାଇ ପାରିବ, କିନ୍ତୁ ଯେଉଁ ସବୁ ଘଟଣାବଳୀ ଉପରେ ତାଙ୍କର ସେ ଆଧୁନିକ ମହାଭାରତ ଆଧାରିତ, ସେ ସବୁକୁ ତ ବଦଳାଇ ଦେଇ ହେବ ନାହିଁ! ରାହୁଲ ଗାନ୍ଧୀ ନିଜକୁ ପାଣ୍ଡବ ବୋଲି ଦାବି କରିବା ସେ ଏଥି ପୂର୍ବରୁ ନିଜକୁ ପଇତାଧାରୀ ବ୍ରାହ୍ମଣ ରୂପେ ଦାବି କରିବା ସହ ସମାନ (ଅଣହିନ୍ଦୁ ପିତାମାତାଙ୍କ ସନ୍ତାନ ରାହୁଲ ପ୍ରଥମେ ‘ହିନ୍ଦୁ’ ହେଲେ କିପରି?)। ଯଦି ଶଶି ଥରୁର୍‌ଙ୍କ କାହାଣୀକୁ ଅନୁସରଣ କରାଯାଏ, ତେବେ ଯେଉଁ ମୌଳିକ ପ୍ରଶ୍ନର ଉତ୍ତର ପାଇବା କଷ୍ଟ ତାହା ହେଲା: କୌରବ ଦୁର୍ଯ୍ୟୋଧନୀଙ୍କର ନାତି ରାହୁଲ ପାଣ୍ଡବ ହେଲେ କିପରି? ଏହାର ଏକ ସନ୍ତୋଷଜନକ ଉତ୍ତର ସୃଷ୍ଟି କରିବା ପାଇଁ ଶଶି ଥରୁର୍‌ଙ୍କୁ ବୋଧହୁଏ ତାଙ୍କ ଦଳର ସଭାପତିଙ୍କ ବରାଦ ଅନୁସାରେ ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ନଭେଲ୍‌’ର ଦ୍ୱିତୀୟ ଭାଗ ରଚନା କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର