ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଜାପାନର ହିରୋସୀମାଠାରେ ସଦ୍ୟ ସମାପ୍ତ ଜି-୭ ଦେଶମାନଙ୍କର ଶୀର୍ଷ ସମ୍ମିଳନୀରେ ନିମନ୍ତ୍ରିତ ଦେଶର ପ୍ରତିନିଧି ରୂପେ ଯୋଗଦାନ ଓ ଅଷ୍ଟ୍ରେଲିଆ, ପାପୁଆ ନିଉଗିନି ଆଦି ଦେଶମାନଙ୍କରେ ଗସ୍ତ ଉଭୟ ଆନ୍ତର୍ଜାତିକ ଓ ଜାତୀୟ ଗଣମାଧ୍ୟମରେ ଯେଉଁଭଳି ପ୍ରସାରିତ ହୋଇଛି, ତାହାକୁ କୂଟନୈତିକ ଭାଷାରେ ଭାରତର କୋମଳ ଶକ୍ତିର ପ୍ରଦର୍ଶନ ବୋଲି ବର୍ଣ୍ଣନା କରାଯାଇଥାଏ। ଏହାକୁ ଯଦି ଆମେ ଭାରତର କୋମଳ ଶକ୍ତି ରପ୍ତାନିରେ ଉତ୍ତମ ପ୍ରଦର୍ଶନ ରୂପେ ବିଚାର କରି ଉଲ୍ଲାସ ଅନୁଭବ କରୁଥାଉ, ଏହି ସମୟରେ ବାଣିଜ୍ୟ କ୍ଷେତ୍ରରେ ଯେଉଁ ବାସ୍ତବ ପଣ୍ୟଦ୍ରବ୍ୟ ରପ୍ତାନିର ଚିତ୍ର ଆମ ସମ୍ମୁଖରେ ଉପସ୍ଥିତ ହୋଇଛି, ତାହା ସେଇ ଉଲ୍ଲାସରେ ଭଟ୍ଟା ପକାଇ ଦେବା ଭଳି ହୋଇଥାଏ।
ସେ ଚିତ୍ରଟି ଚୁମ୍ବକରେ ହେଲା: ଗତ ଏପ୍ରିଲ୍ରେ ଭାରତର ପଣ୍ୟ ଦ୍ରବ୍ୟ ରପ୍ତାନିରେ ୧୨.୭ ଶତାଂଶ ହ୍ରାସ ଘଟିଛି, ଯାହା ହେଉଛି ବିଗତ ତିନି ବର୍ଷ ମଧ୍ୟରେ ଘଟିଥିବା ତୀକ୍ଷ୍ଣତମ ସ୍ଖଳନ। ପଣ୍ୟଦ୍ରବ୍ୟ ରପ୍ତାନିରେ ହ୍ରାସ ଅର୍ଥ ହେଉଛି ଭାରତୀୟ ଶିଳ୍ପୋଦ୍ୟୋଗମାନଙ୍କରେ ଉତ୍ପାଦିତ ଦ୍ରବ୍ୟମାନଙ୍କ ପ୍ରତି ଆନ୍ତର୍ଜାତିକ ଚାହିଦାରେ ସଂକୋଚନ। ଯଦି ଘରୋଇ ବଜାରରେ ଏହାକୁ ଭରଣା କଲାଭଳି ଖାଉଟି ଓ ନିବେଶ ଚାହିଦାରେ ବୃଦ୍ଧି ନ ଘଟେ, ତେବେ ଏଥିଯୋଗୁଁ ଶିଳ୍ପ ଉତ୍ପାଦନ ମନ୍ଥର ହେବ ଓ ଅଭିବୃଦ୍ଧି ଧିମେଇଯିବ। ଭାରତୀୟ ଅର୍ଥନୀତି ୨୦୨୪ ବିତ୍ତ ବର୍ଷରେ ୬.୫ ଶତାଂଶ ହାରରେ ଅଭିବୃଦ୍ଧି ହାସଲ କରିବ ବୋଲି ଯେଉଁ ପୂର୍ବାନୁମାନ ପ୍ରକାଶ ପାଉଛି, ଏଥିଯୋଗୁଁ ତାହା ବାସ୍ତବତାରେ ପରିଣତ ନ ହୋଇପାରେ।
୨୦୨୩ ବିତ୍ତ ବର୍ଷରେ ପେଟ୍ରୋଲିଅମ୍ଜାତ ପଦାର୍ଥମାନ ଆମ ରପ୍ତାନିର ମୁଖ୍ୟ ଅଂଶ ପାଲଟିଥିଲା। ରୁଷିଆରୁ ଶସ୍ତାରେ ଉପଲବ୍ଧ ହେଉଥିବା ଅଶୋଧିତ ତୈଳ ବିପୁଳ ପରିମାଣରେ କ୍ରୟ କରି ଭାରତୀୟ ତୈଳ ବିଶୋଧନାଗାରମାନେ ତାହାକୁ ବିଶୋଧନ କରି ବିଦେଶକୁ ରପ୍ତାନି କରୁଥିଲେ। ଆନ୍ତର୍ଜାତିକ ବଜାରରେ ତୈଳ ଦର ଉଚ୍ଚା ଥିବାରୁ ସେମାନଙ୍କ ପାଇଁ ଏହା ବେଶ୍ ଲାଭଜନକ ଥିଲା। ଇତି ମଧ୍ୟରେ ଆନ୍ତର୍ଜାତିକ ବଜାରରେ ତୈଳ ଦରରେ ହ୍ରାସ ଘଟିଛି। ଏହାର ଅନିବାର୍ଯ୍ୟ ଫଳ ସ୍ବରୂପ ଭାରତରୁ ହେଉଥିବା ଉପରୋକ୍ତ ରପ୍ତାନି ଦ୍ରବ୍ୟମାନଙ୍କର ମୂଲ୍ୟରେ ହ୍ରାସ ଘଟି ରପ୍ତାନିରେ ସଂକୋଚନ ରୂପେ ପ୍ରତିଫଳିତ ହୋଇଛି।
ତେବେ ଭାରତୀୟ ରପ୍ତାନିର ଖରାପ ପ୍ରଦର୍ଶନ ନିମିତ୍ତ କେବଳ ଏହି ପେଟ୍ରୋ ପଦାର୍ଥମାନଙ୍କୁ ଖଳନାୟକ ରୂପେ ଦାୟୀ କରିବା ଉଚିତ ହେବ ନାହିଁ। ଏପ୍ରିଲ୍ରେ ରପ୍ତାନିରେ ଯେଉଁ ସ୍ଖଳନ ଘଟିଛି, ସେଥିରେ ଅଣ-ପେଟ୍ରୋଲିଅମ୍ ଦ୍ରବ୍ୟମାନଙ୍କର ମଧ୍ୟ ଅବଦାନ ରହିଛି। ଏହି ସମୟରେ ପୂର୍ବ ବର୍ଷ ତୁଳନାରେ ପେଟ୍ରୋ ପଦାର୍ଥମାନଙ୍କ ରପ୍ତାନିରେ ୧୭.୬୪ ଶତାଂଶ ହ୍ରାସ ଘଟିଛି ସତ, କିନ୍ତୁ ଅଣ-ପେଟ୍ରୋ ପଦାର୍ଥମାନଙ୍କର ରପ୍ତାନିରେ ମଧ୍ୟ ୧୧.୪୯ ଶତାଂଶ ହାରରେ ହ୍ରାସ ଘଟିବା ଦେଖା ଦେଇଛି। ଗତ ସାତ ମାସ ମଧ୍ୟରୁ ପାଞ୍ଚ ମାସ ଧରି ଭାରତର ପଣ୍ୟ ଦ୍ରବ୍ୟ ରପ୍ତାନିରେ ଏହି ହ୍ରାସ ପରିଦୃଷ୍ଟ ହୋଇଛି। ଏହା ବସ୍ତ୍ର ଶିଳ୍ପ, ଚମଡ଼ା ଶିଳ୍ପ, ରତ୍ନପଥର ଓ ଅଳଙ୍କାର ଆଦି ଶ୍ରମ ସଘନ ଶିଳ୍ପମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା ବେଳେ ଇଞ୍ଜିନିଅରିଙ୍ଗ୍ ଦ୍ରବ୍ୟ ନିର୍ମାତାମାନଙ୍କ ପାଇଁ ମଧ୍ୟ ହତାଶାର କାରଣ ହୋଇଛି। ବିକଶିତ ଦେଶମାନଙ୍କରେ ଲାଗି ରହିଥିବା ଅର୍ଥନୈତିକ ମାନ୍ଦା ଅବସ୍ଥା ଯୋଗୁଁ ସ୍ବାଭାବିକ ଭାବରେ ଭାରତୀୟ ରପ୍ତାନି ଦ୍ରବ୍ୟମାନଙ୍କ ପ୍ରତି ସେ ଦେଶରେ ଚାହିଦା ଦୁର୍ବଳ ହୋଇଛି। ଆମେରିକା ଓ ଇଉରୋପରେ ଦେଖା ଦେଇଥିବା ବ୍ୟାଙ୍କିଙ୍ଗ୍ ସଂକଟ ଦ୍ବାରା ମଧ୍ୟ ସେଠାକାର ଚାହିଦା ପ୍ରଭାବିତ ହୋଇଛି।
ତେବେ ଆମ ପାଇଁ ଏକ ଆଶ୍ବାସନା ସ୍ବରୂପ ପଣ୍ୟଦ୍ରବ୍ୟର ରପ୍ତାନିରେ ଏଭଳି ନିମ୍ନଗତି ଦେଖା ଦେଇଥିବା ବେଳେ ଭାରତୀୟ ସେବାମାନଙ୍କର ରପ୍ତାନିରେ ବୃଦ୍ଧି ଅବ୍ୟାହତ ରହିଛି। ଏହା ଉପରେ ନଜର ରଖିଥିବା ଏକ ଆନ୍ତର୍ଜାତିକ ବ୍ୟାଙ୍କ୍ର ରିପୋର୍ଟ ଅନୁସାରେ ସେବା ରପ୍ତାନି କ୍ଷେତ୍ରରେ ୨୦୨୨ ପରଠାରୁ ଭାରତର ପ୍ରଦର୍ଶନ ଆମେରିକା, ଇଉରୋପ ଓ ଚୀନ୍ଠାରୁ ଅଧିକ ଉତ୍ତମ ହୋଇଛି। ଏହାର ସୁଫଳ ସ୍ବରୂପ ୨୦୨୩ ବିତ୍ତ ବର୍ଷର ଦ୍ବିତୀୟ ଚଉଠରେ ଜିଡିପିର ୩.୭ ଶତାଂଶ ଥିବା ଆମର ‘ଚଳନ୍ତି ହିସାବ ନିଅଣ୍ଟ’ (‘କରେଣ୍ଟ୍ ଆକାଉଣ୍ଟ୍ ଡେଫିସିଟ୍’)ରେ ହ୍ରାସ ଘଟି ତୃତୀୟ ଚଉଠରେ ତାହା ୨.୨ ଶତାଂଶ ହୋଇ ପାରିଥିଲା। ତୈଳ ଆମଦାନି ବାବଦରେ ବ୍ୟୟରେ ଦେଖା ଦେଇଥିବା ହ୍ରାସ ଓ ସେବା ରପ୍ତାନିରୁ ଉପାର୍ଜିତ ଆୟରେ ଘଟି ଚାଲିଥିବା ବୃଦ୍ଧିର ମିଳିତ ପ୍ରଭାବରେ ଏହି ଧାରା ଅବ୍ୟାହତ ରହି ୨୦୨୩ ବିତ୍ତ ବର୍ଷର ଚତୁର୍ଥ ତଥା ଶେଷ ଚଉଠରେ ଭାରତର ଚଳନ୍ତି ହିସାବରେ ନିଅଣ୍ଟ ସ୍ଥାନରେ ଏକ ବଳକା (ସର୍ପ୍ଲସ୍)ର ଆବିର୍ଭାବ ଘଟିପାରେ ବୋଲି ଅନୁମାନ କରାଯାଉଛି, ଯାହା ହେବ ‘ଜିଡିପି’ର ୦.୪ ଶତାଂଶ।
ଏହା ସତ୍ତ୍ବେ ଭାରତକୁ ପଣ୍ୟଦ୍ରବ୍ୟ ରପ୍ତାନି କ୍ଷେତ୍ରରେ ରହିଥିବା ଦୁର୍ବଳତା ଦୂର କରି ସେଥିରେ ବୃଦ୍ଧି ହାସଲ କରିବାକୁ ହେବ, ଏଥିରେ କେହି ଦ୍ବିମତ ହେବାର ଅବକାଶ ନାହିଁ। ରପ୍ତାନିକାରୀମାନେ ଆଶା କରନ୍ତି ଯେ ସରକାର ଆନ୍ତର୍ଜାତିକ ବଜାରରେ ଭାରତୀୟ ରପ୍ତାନି ଦ୍ରବ୍ୟ ବିକ୍ରୟକୁ ସୁଗମ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ଏ ସମସ୍ତ ଦ୍ରବ୍ୟର ପରିବହନ ଉପରୁ ‘ଜିଏସ୍ଟି’ ଉଠାଇବା ଏ ଦିଗରେ ଏକ ପଦକ୍ଷେପ େବାଲି ସେମାନେ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟ ଏକ ସମସ୍ୟା ହେଲା, ସବୁତକ ଅଣ୍ଡା ଗୋଟିଏ ଝୁଡ଼ିରେ ରଖିବା ଭଳି ଭାରତର ସମୁଦାୟ ରପ୍ତାନିର ୪୦ ଶତାଂଶର ଗନ୍ତବ୍ୟସ୍ଥଳ ମାତ୍ର ସାତଟି ଦେଶ ମଧ୍ୟରେ ସୀମିତ ହୋଇଥାଏ। ବିଗତ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଏହି ଗନ୍ତବ୍ୟ ଦେଶମାନଙ୍କର ସଂଖ୍ୟା ବୃଦ୍ଧି କରି ଆମର ରପ୍ତାନିକୁ ବିକ୍ଷିପ୍ତ କରିବାକୁ ଉଦ୍ୟମ ହୋଇ ଚାଲିଥିଲେ ହେଁ ଏହା ହେଉଛି ବର୍ତ୍ତମାନର ଚିତ୍ର। ଏଭଳି କେନ୍ଦ୍ରୀଭୂତ ରପ୍ତାନି ଯୋଗୁଁ ସମ୍ପୃକ୍ତ ଦେଶରେ କୌଣସି ଅର୍ଥନୈତିକ ଅସ୍ଥିରତା ଦ୍ବାରା ଆମର ରପ୍ତାନି ବିଶେଷ ଭାବରେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଧିକ ହୋଇଥାଏ।
ନିକଟ ଅତୀତରେ ମୁଦ୍ରାସ୍ଫୀତିର ମୁକାବିଲା ନିମିତ୍ତ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କ୍ମାନେ ସୁଧ ହାରରେ ବୃଦ୍ଧି ଘଟାଇ ଚାଲିଛନ୍ତି। ଭାରତରେ ରିଜର୍ଭ ବ୍ୟାଙ୍କ୍ ମଧ୍ୟ ସେଇ ନୀତି ଅନୁସରଣ କରି ଆସିଛି। ରପ୍ତାନିକାରୀମାନେ ବ୍ୟବସାୟରେ ନିବେଶ ନିମିତ୍ତ ଆବଶ୍ୟକ କରୁଥିବା ଋଣ ଏହା ଦ୍ବାରା ମହଙ୍ଗା ହୋଇ ବିଦେଶ ବଜାରରେ ସେମାନଙ୍କର ପ୍ରତିଯୋଗିତା କ୍ଷମତା ପ୍ରତି ଆଞ୍ଚ ଆଣିଛି।
ସରକାର ଅବଶ୍ୟ ରପ୍ତାନି ପ୍ରୋତ୍ସାହନ ନିମିତ୍ତ ବିଭିନ୍ନ ପଦକ୍ଷେପ ନେଇଛନ୍ତି। କିନ୍ତୁ ଆମେରିକା ଓ ଇଉରୋପରେ ଦେଖା ଦେଇଥିବା ଦରଦାମ ବୃଦ୍ଧି ପରିସ୍ଥିତି ଯୋଗୁଁ ଆଗାମୀ କେତେ ମାସ ଧରି ସେ ଅଞ୍ଚଳରେ ଆମ ରପ୍ତାନି ପ୍ରତି ଚାହିଦା ଦୁର୍ବଳ ରହି ଚାଲିବ ବୋଲି ବାଣିଜ୍ୟ ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଇତି ମଧ୍ୟରେ ପୃଥିବୀର ଦ୍ବିତୀୟ ବୃହତ୍ତମ ଅର୍ଥନୀତି ଚୀନ୍ରେ କୋଭିଡ୍ ଜନିତ ସାମୟିକ ବିରତି ପରେ ସେ ଦେଶର ବିଶାଳ ବଜାର ପୁଣି ଚଳଚଞ୍ଚଳ ହେବାକୁ ଆରମ୍ଭ କଲାଣି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ସେ ପଡ଼ୋଶୀ ଦେଶ ସହିତ ଆମର ତିକ୍ତ ସମ୍ପର୍କ ସତ୍ତ୍ବେ ଏପ୍ରିଲ୍ରେ ସେ ଦେଶ ଥିଲା ଆମ ରପ୍ତାନିର ଚତୁର୍ଥ ବୃହତ୍ତମ ଗନ୍ତବ୍ୟସ୍ଥଳୀ। ଭବିଷ୍ୟତରେ ସେଥିରେ ଆହୁରି ଉଲ୍ଲେଖନୀୟ ବୃଦ୍ଧି ଘଟିବା ନିଶ୍ଚିତ। କିନ୍ତୁ ଜାତୀୟ ସ୍ବାର୍ଥରକ୍ଷା ଦୃଷ୍ଟିରୁ ତାହା କେତେ ଦୂର ନିରାପଦ, ତାହା ମଧ୍ୟ ଆମର ରପ୍ତାନି ନୀତି ନିର୍ଦ୍ଧାରକମାନଙ୍କ ପାଇଁ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ରୂପେ ଆବିର୍ଭୂତ ହୋଇଥାଏ। ଆରମ୍ଭରେ ଉଲ୍ଲେଖ କରାଯାଇଥିବା ଭାରତର କୋମଳ ଶକ୍ତି ପ୍ରଦର୍ଶନ ସେଇ ଚୀନ୍ର ପ୍ରଭାବକୁ ପ୍ରତିହତ କରିବା ନିମିତ୍ତ ଉଦ୍ଦିଷ୍ଟ ନୁହେଁ କି?