ଗ୍ରୀଷ୍ମ ଋତୁରେ ବାୟୁମଣ୍ଡଳର ତାପମାତ୍ରାରେ ବୃଦ୍ଧି ସହିତ ତାଳ ଦେଇ ଦେଶରେ ଗୋଟିକ ପରେ ଗୋଟିଏ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ପରେ ଅନେକ ହତାଶ ଛାତ୍ରଛାତ୍ରୀଙ୍କର ଆତ୍ମହତ୍ୟା ଖବର ପ୍ରକାଶ ପାଇବା ଏକ ନିୟମିତ ଧାରାରେ ପରିଣତ ହୋଇ ସାରିଲାଣି। ଚଳିତ ବର୍ଷ ମଧ୍ୟ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ସେ ଧାରାରେ କୌଣସି ବ୍ୟତିକ୍ରମ ଘଟି ନାହିଁ। ଗଣମାଧ୍ୟମରେ ନିୟମିତ ଭାବରେ ପ୍ରକାଶିତ ଏ ସମ୍ପର୍କିତ ସମ୍ବାଦ ସମସ୍ତ ପିତାମାତା ତଥା ବୃହତ୍ତର ସମାଜକୁ ଆତଙ୍କିତ କରି ଚାଲିଛି।
ଚଳିତ ବର୍ଷର ପରିସଂଖ୍ୟାନ ବର୍ତ୍ତମାନ ଉପଲବ୍ଧ ନ ଥିଲେ ହେଁ ‘ନେସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ’ (‘ଏନ୍ସିଆର୍ବି’) ସୂତ୍ରରୁ ଯେଉଁ ସର୍ବଶେଷ ପରିସଂଖ୍ୟାନ ପ୍ରକାଶିତ ହୋଇଛି, ସେଥିରୁ ସମସ୍ୟାର ଗମ୍ଭୀରତା ସମ୍ବନ୍ଧରେ ଏକ ସମ୍ୟକ୍ ଧାରଣା କରି ହେବ। ଏହା ଅନୁସାରେ ଦେଶରେ ୨୦୨୦ରେ ପ୍ରାୟ ୧୨,୫୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ବେଳେ ୨୦୨୧ରେ ସେଇ ସଂଖ୍ୟା ୧୩,୦୦୦ ଅତିକ୍ରମ କରିଥିଲା। ଲଣ୍ଡନ୍ରୁ ପ୍ରକାଶିତ ଚିକିତ୍ସା ବିଜ୍ଞାନ ଓ ଗବେଷଣା ପତ୍ରିକା ‘ଲାନ୍ସେଟ୍’ ଅନୁସାରେ ପ୍ରକୃତ ସଂଖ୍ୟା ‘ଏନ୍ସିଆର୍ବି’ ଦ୍ବାରା ପ୍ରଦତ୍ତ ଏହି ସଂଖ୍ୟାମାନଙ୍କ ଠାରୁ ବହୁ ଅଧିକ ହୋଇଥିବାର ଦୃଢ଼ ସମ୍ଭାବନା ରହିଛି।
ଏହା ଦେଖି ମନେ ହୁଏ ମାତ୍ରାଧିକ ସଂଖ୍ୟାରେ ଦୁର୍ଘଟଣା ଜନିତ ମୃତ୍ୟୁ ଯୋଗୁଁ ଭାରତର ସଡ଼କମାନ ଯେମିତି ମୃତ୍ୟୁ ଯନ୍ତା ପାଲଟିଛନ୍ତି, ଭାରତର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ମଧ୍ୟ ସେଇଭଳି ବିପଦ ସଂକୁଳ ହୋଇପଡ଼ିଛି। ପ୍ରତି ବର୍ଷ ପରୀକ୍ଷା ଋତୁ ପାଖେଇ ଆସିବା ସଙ୍ଗେ ସଙ୍ଗେ ଆତଙ୍କିତ ଛାତ୍ରଛାତ୍ରୀମାନଙ୍କର ଉଦ୍ବେଗ ମାତ୍ରା ବୃଦ୍ଧି ପାଇ ପାଇ ଅସହନୀୟ ସ୍ତରରେ ପହଞ୍ଚିଥାଏ। ପରୀକ୍ଷା ହେଉଛି ‘ମେଧାତନ୍ତ୍ର’ର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଏକ ମେଧାତନ୍ତ୍ରରେ ମେଧାବୀମାନେ ରାଜତ୍ବ କରିଥାନ୍ତି, ସମାଜ ଓ ଅର୍ଥନୀତିର ସମସ୍ତ ଗୁରୁତ୍ବପୂର୍ଣ୍ଣ ସ୍ଥାନମାନଙ୍କରେ ସେମାନେ ଅବସ୍ଥାପିତ ହୋଇଥାନ୍ତି। ପ୍ରଚଳିତ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ ସେମାନଙ୍କୁ ସେଥିପାଇଁ ଯୋଗ୍ୟ କରି ଗଢ଼ିବା। ପରୀକ୍ଷା ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହୋଇଥାଏ ଶିକ୍ଷା ଲାଭ କରିଥିବା ଏହି ଛାତ୍ରଛାତ୍ରୀମାନଙ୍କର ଯୋଗ୍ୟତା ପରିମାପ କରି ସେମାନଙ୍କ ଠାରେ ସେଇ ଅନୁସାରେ ମୋହର ଲଗାଇ ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ସଜାଇ ରଖିବା। ନିଯୁକ୍ତି ପ୍ରଦାନକାରୀ କମ୍ପାନିମାନଙ୍କ ଠାରୁ ଉଚ୍ଚତର ଶିକ୍ଷାନୁଷ୍ଠାନମାନଙ୍କ ପର୍ଯ୍ୟନ୍ତ ଏହି ମେଧାବୀ ତାଲିକାର ଶୀର୍ଷ ଅଞ୍ଚଳ ମଣ୍ଡନ କରୁଥିବା ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କୁ ଆଦରରେ ସଙ୍ଖୋଳି ନେଇଥିବା ବେଳେ ତାଲିକାର ତଳ ଆଡ଼େ ସ୍ଥାନ ପାଇଥିବା କିମ୍ବା ତାଲିକାରୁ ବାଦ୍ ପଡ଼ିଥିବା ପିଲାମାନେ ବସ୍ତୁତଃ ଅଲୋଡ଼ା ହୋଇ ପଡ଼ି ରହିଥାନ୍ତି।
କେବଳ ଭାରତ ନୁହେଁ, ଅନୁରୂପ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥା ପ୍ରଚଳିତ ଥିବା ପୃଥିବୀର ପ୍ରାୟ ସମସ୍ତ ଦେଶରେ ମେଧାବୀମାନଙ୍କର ଏଭଳି ରାଜତ୍ବ ଦେଖିବାକୁ ମିଳିଥାଏ, ଯାହାକୁ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ଦାର୍ଶନିକ ମାଇକେଲ୍ ସାଣ୍ଡେଲ୍ ମେଧାର ଅତ୍ୟାଚାର ରୂପେ ଅଭିହିତ କରି ୨୦୨୦ରେ ପ୍ରକାଶିତ ତାଙ୍କର ଏ ସମ୍ପର୍କିତ ପୁସ୍ତକର ନାମକରଣ ମଧ୍ୟ କରିଛନ୍ତି: ‘ଦି ଟିରାନୀ ଅଫ୍ ମେରିଟ୍’ (‘ମେଧାର ଅତ୍ୟାଚାର’)। ସେ ପୁସ୍ତକରେ ସାଣ୍ଡେଲ୍ ଯେଉଁ ମୁଖ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି, ତାହା ହେଉଛି ଏହି ପରି: ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାକୁ ଏକ ବିଶାଳ ବଛାବଛି ଯନ୍ତ୍ର ରୂପେ ବ୍ୟବହାର କରାଯାଉଛି (ଯେମିତି ଫଳ ବା ପରିବାକୁ ଆକାର, ରୂପ, ଗୁଣ ଅନୁସାରେ ବାଛି ଉତ୍କୃଷ୍ଟ, ନିକୃଷ୍ଟ ଶ୍ରେଣୀଭୁକ୍ତ କରାଯାଇ ଭିନ୍ନ ଭିନ୍ନ ମୂଲ୍ୟରେ ବିକ୍ରୟ କରାଯାଇଥାଏ); ଏଥିଯୋଗୁଁ ସମାଜରେ ଏଭଳି କୃତ୍ରିମ ଭାବରେ ପ୍ରଦତ୍ତ ମାନ୍ୟତା ପ୍ରତି ଏକ ଅନ୍ଧ, ବିଷାକ୍ତ ଆବେଶ ସୃଷ୍ଟି ହୋଇଥାଏ, ଯାହା ସମାଜକୁ ବିଜେତା ଓ ପରାଜିତମାନଙ୍କର ଦୁଇଟି ଗୋଷ୍ଠୀରେ ବିଭକ୍ତ କରି ଦେଇଥାଏ; ଏହା ସମାଜର ସାମଗ୍ରିକ ମଙ୍ଗଳରେ ହ୍ରାସ ଘଟାଇଥାଏ। ଅର୍ଥାତ୍, ସାଣ୍ଡେଲ୍ଙ୍କ ଅନୁସାରେ ଯଦି ଏପରି ଏକ ଶିକ୍ଷା ବ୍ୟବସ୍ଥା କାର୍ଯ୍ୟ କରୁଥାନ୍ତା ଯାହା ସମାଜକୁ ଏପରି ବିଜେତା ଓ ପରାଜିତଙ୍କ ମଧ୍ୟରେ ଦୁଇ ଫାଳ କରି ଚିରି ଦିଅନ୍ତା ନାହିଁ, ଯେଉଁଥିରେ ମାନ୍ୟତା ପ୍ରଦାନକୁ ଗୁରୁତ୍ବ ଦିଆଯିବା ପରିବର୍ତ୍ତେ ଶିକ୍ଷା ଦାନ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦିଆଯାଆନ୍ତା, ତେବେ ତାହା ଯେଉଁ ଅବିଭକ୍ତ, ଅକ୍ଷତ ସମାଜ ସୃଷ୍ଟି କରନ୍ତା, ସେ ସମାଜ ସର୍ବାଧିକ ସମ୍ଭବ ସାମାଜିକ ମଙ୍ଗଳ ହାସଲ କରିବାରେ ସଫଳ ହୁଅନ୍ତା।
ସାଣ୍ଡେଲ୍ଙ୍କର ଏଭଳି ଚିନ୍ତାଧାରାକୁ ଆହୁରି ପରିପୁଷ୍ଟ କରି ଏବେ ଆଗେଇ ନେବା ଦେଖାଯାଇଛି ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ, ‘ଦି ପର୍ଫେକ୍ସନ୍ ଟ୍ରାପ୍’ (‘ନିଖୁଣତା ଯନ୍ତା’)ରେ ଲଣ୍ଡନ୍ ସ୍କୁଲ୍ ଅଫ୍ ଇକନୋମିକ୍ସରେ ଅଧ୍ୟାପନାରତ ସାମାଜିକ ମନସ୍ତତ୍ତ୍ବବିତ୍ ଥମାସ୍ କ୍ୟୁରାନ୍। ତାଙ୍କ ଅନୁସାରେ ମାଇକେଲ୍ ସାଣ୍ଡେଲ୍ ଅବତାରଣା କରିଥିବା ମେଧାର ଅତ୍ୟାଚାରୀ ରାଜତ୍ବ ଛାତ୍ରଛାତ୍ରୀମାନଙ୍କୁ ଏହି ‘ପର୍ଫେକ୍ସନ୍ ଟ୍ରାପ୍’ରେ ନିକ୍ଷେପ କରିଥାଏ, ଯେମିତି ମୂଷା ଯନ୍ତା ଭିତରେ ପଡ଼ିଥାଏ, ଯେଉଁଥିରୁ ସେମାନେ ଆଉ ମୁକୁଳିବାର ବାଟ ପାଇନଥାନ୍ତି। ପ୍ରତ୍ୟେକଟି ଛାତ୍ର/ଛାତ୍ରୀ ସମ୍ପୂର୍ଣ୍ଣ ନିଖୁଣ ଓ ସର୍ବୋତ୍ତମ ହେବାକୁ ଚେଷ୍ଟା ଚଳାଇଥାନ୍ତି, ଯାହା ଅନେକଙ୍କ ପାଇଁ ବିଫଳତାରେ ସମାପ୍ତ ହେବା ଅବଧାରିତ; (ସେମାନଙ୍କ ମଧ୍ୟରୁ କେତେକ ଯନ୍ତାରୁ ସିନା ମୁକୁଳି ପାରନ୍ତି ନାହିଁ, କିନ୍ତୁ ଆମ ଦେଶରେ ଦେଖାଯାଉଥିବା ଭଳି ଜୀବନରୁ ମୁକୁଳି ଯିବାକୁ ନିଷ୍ପତ୍ତି ନିଅନ୍ତି)।
ଥମାସ୍ କ୍ୟୁରାନ୍ ପିଲାମାନେ ଏହି ଯନ୍ତାରେ ପଡ଼ିବା ପଛରେ ନିହିତ ଥିବା କେତେକ କାରଣ ପ୍ରତି ତାଙ୍କ ପୁସ୍ତକରେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି, ଯାହା ଆମ ସମାଜ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି କାରଣମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ଅଛି ନିଯୁକ୍ତି ନିରାପତ୍ତାର ଅଭାବ; ପିତାମାତାମାନେ ଉତ୍ତମ ପ୍ରଦର୍ଶନ ନିମିତ୍ତ ପିଲାମାନଙ୍କ ଉପରେ ଅନବରତ ପକାଇ ଚାଲୁଥିବା ପାଗଳ ପ୍ରାୟ ଚାପ (ଏପରି ପିତାମାତାଙ୍କର ନାମକରଣ କରାଯାଇଛି- ‘ହେଲିକପ୍ଟର୍ ପ୍ୟାରେଣ୍ଟସ୍’); ଏବଂ ପିଲାମାନଙ୍କ ମନରେ ଗଭୀର ପ୍ରଭାବ ପକାଉଥିବା ସଫଳତାର ଜୟଗାନ କରୁଥିବା ମୁଖ୍ୟ ସ୍ରୋତ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଅହରହ ପ୍ରସାରିତ ବିଜ୍ଞାପନ ତଥା ସୂଚନାମାନ। (ଏହାର ଏକ ଉଦାହରଣ ସ୍ବରୂପ ନିକଟରେ ‘ୟୁପିଏସ୍ସି’ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏ ଉଭୟ ମାଧ୍ୟମରେ ଯେଉଁ ପ୍ରଚାର ବନ୍ୟା ଦେଖା ଦେଇଛି ତାହା କାହାରି ଦୃଷ୍ଟି ଏଡ଼ାଇ ନ ଥିବ; ସତେ ଯେମିତି ଏଥିରେ ଯିଏ କୃତକାର୍ଯ୍ୟ ହୋଇ ପାରି ନାହିଁ, ତା’ ପାଇଁ ଆମ ସମାଜରେ ସ୍ଥାନ ନାହିଁ)।
କ୍ୟୁରାନ୍ କହିଛନ୍ତି ବିଫଳତାକୁ ମଧ୍ୟ ଆମେ ଆଦରି ନେବା ଉଚିତ, କାରଣ ତାହା ଆମକୁ ମନେ ପକାଇ ଦେଇଥାଏ ଯେ କୌଣସି ମନୁଷ୍ୟ ନିଖୁଣ ନୁହେଁ। ଆମର ସମାଜ ଓ ପିତାମାତାମାନେ ଏହା ହୃଦୟଙ୍ଗମ କଲେ ହିଁ ଯାଇ ଆମ ପିଲାମାନେ ଉପରୋକ୍ତ ଯନ୍ତାରୁ ମୁକୁଳି ପାରିବେ।