୨୦୨୨-୨୩ ବିତ୍ତ ବର୍ଷ ପାଇଁ ଭାରତର ମୋଟ ଜାତୀୟ ଉତ୍ପାଦ (‘ଜିଡିପି’) ସମ୍ବନ୍ଧରେ ଗତ ସପ୍ତାହରେ ପ୍ରକାଶ ପାଇଥିବା ରିପୋର୍ଟ କେବଳ ନିରାଶାବାଦୀମାନଙ୍କୁ ଯେ ହତାଶ କରିଛି, ତାହା ନୁହେଁ, ଆଶାବାଦୀମାନଙ୍କୁ ମଧ୍ୟ ସେମାନେ ଆଶା କରିଥିବା ଠାରୁ ଅଧିକ ଉତ୍ତମ ଫଳ ପ୍ରଦର୍ଶନ କରି ଆଶ୍ଚର୍ଯ୍ୟ କରିଛି। ନିରାଶାବାଦୀମାନେ ‘ଜିଡିପି’ର ଅଭିବୃଦ୍ଧି ହାର ୫ ଶତାଂଶ ମଧ୍ୟରେ ସୀମିତ ରହିବ ବୋଲି ପୂର୍ବାନୁମାନ କରିଥିବା ବେଳେ ଆଶାବାଦୀମାନେ ଏହା ୭ ଶତାଂଶ ଛୁଇଁବ ବୋଲି ଆଶା କରିଥିଲେ। କିନ୍ତୁ ଶେଷରେ ଦେଖାଯାଇଛି ଯେ ‘ଜିଡିପି’ର ବାର୍ଷିକ ଅଭିବୃଦ୍ଧି ହାର ହୋଇଛି ୭.୨ ଶତାଂଶ।
ବର୍ତ୍ତମାନ ଜାଗି ଉଠିଥିବା ଏହି ‘ଜିଡିପି’ ଜନ୍ତୁଟି ସମ୍ବନ୍ଧରେ ଧାରଣା କରିବାର ତିନିଟି ବାଟ ଥାଏ। ଗୋଟିଏ ହେଲା, ଅର୍ଥନୀତିର ସେଇ ଏକ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ଦ୍ରବ୍ୟ ଓ ସେବାର ସମଷ୍ଟୀକରଣ; ଦ୍ବିତୀୟଟି ହେଲା, ଅର୍ଥନୀତିରେ କରାଯାଇଥିବା ସମସ୍ତ ଖର୍ଚ୍ଚର ସମଷ୍ଟୀକରଣ; ତୃତୀୟଟି ହେଲା, ଅର୍ଥନୀତିରେ ଅର୍ଜିତ ହୋଇଥିବା ସମସ୍ତ ଆୟର ସମଷ୍ଟୀକରଣ। କହିବା ବାହୁଲ୍ୟ, ଏ ତିନିଟି ଯାକ ଉପାୟ ମାଧ୍ୟମରେ ମିଳିଥିବା ଫଳାଫଳ ନିୟମ ଅନୁସାରେ ପରସ୍ପର ସହିତ ସମାନ ହେବା ପାଇଁ ବାଧ୍ୟ। ‘ଜିଡିପି’କୁ ତେଣୁ ଅର୍ଥନୀତିର ପ୍ରତିନିଧି ରୂପେ ଗ୍ରହଣ କରି ନୀତି ନିର୍ଦ୍ଧାରକମାନେ ତା’ର ଗତିବିଧି ଉପରେ ଦୃଷ୍ଟି ନିବଦ୍ଧ କରିଥାନ୍ତି। ଏହା ଅବଶ୍ୟ ଜଣାଶୁଣା ଯେ ‘ଜିଡିପି’ ଅର୍ଥନୀତିର ସ୍ବାସ୍ଥ୍ୟ ସମ୍ବନ୍ଧରେ ଏକ ସମ୍ପୂର୍ଣ୍ଣ ସନ୍ତୋଷଜନକ ସୂଚନା ଦେଇନଥାଏ; କିନ୍ତୁ ଏକ ସାଧାରଣ ଧାରଣା ପ୍ରଦାନ ଓ ଦିଗ୍ଦର୍ଶନ ନିମିତ୍ତ ଏହାକୁ ଏକ ଉପଯୋଗୀ ସୂଚକ ରୂପେ ବିଚାର କରାଯାଇଥାଏ। ସେଇ ଦୃଷ୍ଟିରୁ ଦେଖିଲେ ଭାରତୀୟ ଅର୍ଥନୀତିର ଏହି ୭.୨ ଶତାଂଶ ଅଭିବୃଦ୍ଧି ହାର ଯାହା ସୂଚାଇଥାଏ, ତାହା ହେଲା କୋଭିଡ୍-୧୯ ପାଣ୍ଡେମିକ୍ର ଆରମ୍ଭ ପୂର୍ବରୁ ଭାରତୀୟ ଅର୍ଥନୀତିରେ ଯେଉଁ ମାନ୍ଦା ଅବସ୍ଥା ଦେଖା ଦେବାକୁ ଆରମ୍ଭ କରିଥିଲା ଓ କୋଭିଡ୍ ସମୟରେ ଯାହା ଆହୁରି ଶୋଚନୀୟ ହୋଇ ପଡ଼ିଥିଲା ବର୍ତ୍ତମାନ ତାହାକୁ ଭରଣା କରି ଅର୍ଥନୀତି ଆଗକୁ ମାଡ଼ିଯିବାକୁ ଆରମ୍ଭ କରିଛି। ‘ଭାରତୀ ଏଆର୍ଟେଲ’ର ପ୍ରତିଷ୍ଠାତା ସୁନୀଲ ମିତ୍ତଲଙ୍କ ଭାଷାରେ ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ କେନ୍ସୀୟ ‘ଜାନ୍ତବ ଉତ୍ସାହ’ର ପୁନର୍ଜାଗରଣ ଘଟିଲାଣି।
‘ଜିଡିପି’ର ଏହି ସାମଗ୍ରିକ ଅଭିବୃଦ୍ଧି ହାର ବର୍ତ୍ତମାନ ଅଧିକ ଚର୍ଚ୍ଚିତ ହେଉଥିଲେ ହେଁ, ଏହା ପଛରେ ନିହିତ ଥିବା ଅର୍ଥନୀତିର ଆଠଟି କ୍ଷେତ୍ରର ଅବଦାନ ସମ୍ବନ୍ଧରେ ଏଥିରୁ ଯେଉଁ ସୂଚନା ମିଳିଥାଏ ତାହା ଭାରତୀୟ ଅର୍ଥନୀତିର ଶକ୍ତି ଓ ଦୁର୍ବଳତା ସମ୍ବନ୍ଧରେ ଏକ ସମ୍ୟକ୍ ଧାରଣା ପ୍ରଦାନ କରିଥାଏ। ସେଥିରୁ ଜଣାପଡ଼ିଥାଏ ଯେ ଭାରତୀୟ ଅର୍ଥନୀତିର ଏହି ସାମଗ୍ରିକ ଉତ୍ତମ ପ୍ରଦର୍ଶନର ଯାହା ହେଉଛି ମୁଖ୍ୟ ଭିତ୍ତି, ତାହା ହେଉଛି ସେବା କ୍ଷେତ୍ରରେ ପରିଦୃଷ୍ଟ ଉଚ୍ଚ ଅଭିବୃଦ୍ଧି ହାର। ଉଦାହରଣ ସ୍ବରୂପ ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ହାସଲ ହୋଇଥିବା ଅଭିବୃଦ୍ଧି ହାର ହେଉଛି ଉପରୋକ୍ତ ସାମଗ୍ରିକ ଅଭିବୃଦ୍ଧି ହାରର ପ୍ରାୟ ଦୁଇ ଗୁଣ- ୧୪ ଶତାଂଶ। ଏହାର ଠିକ୍ ପଛକୁ ରହିଛି ନିର୍ମାଣ କ୍ଷେତ୍ରରେ ଦେଖାଯାଇଥିବା ୧୦ ଶତାଂଶ ଅଭିବୃଦ୍ଧି ହାର। ବିତ୍ତୀୟ କ୍ଷେତ୍ର ଓ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ପରିଦୃଷ୍ଟ ହୋଇଥିବା ୭.୧ ଶତାଂଶ ହାର ସାମଗ୍ରିକ ଅଭିବୃଦ୍ଧି ହାର ଠାରୁ କିଞ୍ଚିତ କମ୍ ହୋଇଥିେଲ ହେଁ ୨୦୨୨ ବିତ୍ତ ବର୍ଷ ତୁଳନାରେ ଅଧିକ ହୋଇଛି।
କୃଷି, ବନ୍ୟ ସମ୍ପଦ ଓ ମତ୍ସ୍ୟ ସମ୍ପଦ େକ୍ଷତ୍ରରେ ଦେଖାଯାଇଥିବା ୪ ଶତାଂଶ ହାରରେ ଅଭିବୃଦ୍ଧି ମଧ୍ୟ ଏକ ମଧୁର ବିସ୍ମୟ ଭଳି ହୋଇଛି। ବିଶେଷ କରି ମାର୍ଚ୍ଚରେ ଶେଷ ହୋଇଥିବା ବର୍ଷର ଶେଷ ଚଉଠରେ ଏହି କ୍ଷେତ୍ର ପ୍ରଦର୍ଶନ କରିଥିବା ୫.୫ ଶତାଂଶ ହାରରେ ଅଭିବୃଦ୍ଧି ପୂର୍ବରୁ ପ୍ରକାଶିତ ଆଶଙ୍କାକୁ ଦୂରୀଭୂତ କରିଛି। ଅସମୟରେ ବର୍ଷା ଓ ଉତ୍ତାପ ବୃଦ୍ଧି ଯୋଗୁଁ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ଏହି ପରିସଂଖ୍ୟାନ ତାହାକୁ ସୌଭାଗ୍ୟବଶତଃ ଅମୂଳକ ସାବ୍ୟସ୍ତ କରିଥିବା ଭଳି ମନେହୁଏ। କିନ୍ତୁ ବଜାରରେ ଗ୍ରାମ୍ୟ ଚାହିଦାର ସ୍ଥିତି ଦେଖିଲେ ଏହି ଚିନ୍ତା ପୁଣି ମୁଣ୍ଡ ଟେକିଥାଏ।
ଉଦାହରଣ ସ୍ବରୂପ ଦେଶର ଦ୍ରୁତ ବିକ୍ରୟଶୀଳ ଖାଉଟି ଦ୍ରବ୍ୟ ସବୁ (ସାବୁନ, ସାମ୍ପୁ, ବିସ୍କୁଟ, ମୋବାଇଲ୍ ଫୋନ୍… ଇତ୍ୟାଦି)ର ନିର୍ମାତାମାନେ ପ୍ରକାଶ କରୁଛନ୍ତି ଯେ ଗ୍ରାମାଞ୍ଚଳରେ ପରିଦୃଷ୍ଟ ହେଉଥିବା ଦୁର୍ବଳ ଚାହିଦା ଯୋଗୁଁ ସେମାନେ ବର୍ତ୍ତମାନ ସହରାଞ୍ଚଳରେ ଚାହିଦା ଥିବା ଅପେକ୍ଷାକୃତ ଉଚ୍ଚ ମୂଲ୍ୟଯୁକ୍ତ ତଥା ଅଧିକ ଲାଭଜନକ ଦ୍ରବ୍ୟ ଉତ୍ପାଦନରେ ସମ୍ବଳ ବିନିଯୋଗ କରିବାକୁ ଆରମ୍ଭ କଲେଣି। ଏହାର ଏକ ଉଦାହରଣ ସ୍ବରୂପ କେତେକ ମଟର ବାଇକ୍ ନିର୍ମାତାମାନେ ମୁଖ୍ୟତଃ ଗ୍ରାମାଞ୍ଚଳ ପାଇଁ ଉଦ୍ଦିଷ୍ଟ କମ୍ ଇଞ୍ଜିନ୍ କ୍ଷମତା ସମ୍ପନ୍ନ ବାଇକ୍ ଉତ୍ପାଦନ ସଂକୋଚନ କରିବା ଦେଖାଗଲାଣି। ଏହି ସମୟରେ ‘ଏଲ୍ ନିନୋ’ ସମ୍ବନ୍ଧରେ ପ୍ରକାଶ ପାଇଥିବା ପୂର୍ବାନୁମାନ ଏହି କ୍ଷେତ୍ର ପାଇଁ ନୂତନ ଚିନ୍ତାର କାରଣ ହୋଇଥାଏ। ଏହାର ପ୍ରଭାବ ଯୋଗୁଁ ଯଦି ବୃଷ୍ଟିପାତର ପରିମାଣ କିମ୍ବା ସ୍ଥାନ ବା କାଳଗତ ବଣ୍ଟନରେ ବିଭ୍ରାଟ ସୃଷ୍ଟି ହୁଏ ତେବେ ଗ୍ରାମ୍ୟ ଅର୍ଥନୀତି ବ୍ୟାହତ ହେବାର ଦୃଢ଼ ସମ୍ଭାବନା ରହିଛି, ଯାହା ଦେଶର ସାମଗ୍ରିକ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରଭାବିତ କରିବ।
ଦେଶର ଅର୍ଥନୀତିର ଯେଉଁ ଉଜ୍ଜ୍ବଳ ଚିତ୍ର ପ୍ରକାଶ ପାଇଛି, ସେଥିରେ କିନ୍ତୁ ଯେଉଁ ଇଲାକାଟି ଅନ୍ଧକାରାଚ୍ଛନ୍ନ ରହିଛି ବୋଲି କୁହାଯାଇପାରେ, ତାହା ହେଉଛି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ର, ଯେଉଁଠି ଅଭିବୃଦ୍ଧି ହାର ହୋଇଛି ଏକ ଅତ୍ୟନ୍ତ ନୀଚା ୧.୩ ଶତାଂଶ ମାତ୍ର। ଏହା ମଧ୍ୟ ହେଉଛି ଆଠଟି କ୍ଷେତ୍ର ମଧ୍ୟରେ ପରିଦୃଷ୍ଟ ନ୍ୟୂନତମ ଅଭିବୃଦ୍ଧି ହାର। ମାନୁଫାକ୍ଚରିଙ୍ଗ୍ ଅର୍ଥନୀତିର ଇଞ୍ଜିନ୍ ରୂପେ କାର୍ଯ୍ୟ କରିବ ବୋଲି ସରକାର ସ୍ବପ୍ନ ଦେଖୁଥିବା ବେଳେ ମାନୁଫାକ୍ଚରିଙ୍ଗ୍ର ଏଭଳି ସ୍ଥିତି ଘୋର ଚିନ୍ତାଜନକ ହୋଇଥାଏ।
ମାନୁଫାକ୍ଚରିଙ୍ଗ୍ ସମ୍ମୁଖୀନ ହୋଇଥିବା ଏହି ସମସ୍ୟାକୁ ଏକ ଚକ୍ରାକାର ସମସ୍ୟା ବୋଲି କୁହାଯାଇପାରେ। ମାନୁଫାକ୍ଚରିଙ୍ଗ୍ ମୁଖ୍ୟତଃ ଘରୋଇ ଖାଉଟି ଚାହିଦା ଉପରେ ନିର୍ଭରଶୀଳ ହୋଇଥାଏ। ଖାଉଟି ଚାହିଦା ଖାଉଟିମାନଙ୍କ ଆୟ ଉପରେ ନିର୍ଭର କରିଥାଏ, ଯାହା ସେମାନଙ୍କର ନିଯୁକ୍ତି ଉପରେ ନିର୍ଭର କରିଥାଏ। ଅର୍ଥନୀତିର ଯେଉଁ ନିର୍ମାଣ ଓ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଦେଖାଯାଇଛି, ସେଠାରେ ସୃଷ୍ଟି ହେଉଥିବା ନିଯୁକ୍ତି ମୁଖ୍ୟତଃ ସ୍ବଳ୍ପ ଆୟ ବହନକାରୀ ଶ୍ରମଭିତ୍ତିକ ‘ବ୍ଲୁ କଲାର୍’ ଶ୍ରେଣୀର ହୋଇଥାଏ, ଯାହା ପ୍ରାୟତଃ ଅତ୍ୟାବଶ୍ୟକ ଶ୍ରେଣୀର ଦ୍ରବ୍ୟ କ୍ରୟରେ ଖର୍ଚ୍ଚ ହୋଇଥାଏ। ଅତଏବ ଅପେକ୍ଷାକୃତ ଉଚ୍ଚ ମୂଲ୍ୟଯୁକ୍ତ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଉତ୍ପାଦିତ ପଦାର୍ଥ ପାଇଁ ଏହାଦ୍ବାରା ଚାହିଦା ସୃଷ୍ଟି ହୋଇନଥାଏ। ଅପରପକ୍ଷେ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଯଦି ନିଯୁକ୍ତି ସୃଷ୍ଟି ହୁଅନ୍ତା ତାହା ଉଚ୍ଚ ଆୟ ବିଶିଷ୍ଟ ହୁଅନ୍ତା ଓ ସେ କ୍ଷେତ୍ର ପାଇଁ ଚାହିଦା ସୃଷ୍ଟି କରନ୍ତା। ଚାହିଦା ଅଭାବରୁ ସେ କ୍ଷେତ୍ରରେ ପୁଞ୍ଜି ନିବେଶରେ ବୃଦ୍ଧି ଘଟୁ ନାହିଁ।
ଏହି ଚକ୍ରାକାର ଫାନ୍ଦରୁ ମୁକୁଳିବା ପାଇଁ ସରକାର ‘ପିଏଲ୍ଆଇ’ ଭଳି ପ୍ରୋତ୍ସାହନ ଯୋଜନାମାନ କାର୍ଯ୍ୟକାରୀ କରିଥିଲେ ହେଁ କେବଳ ମୋବାଇଲ୍ ଫୋନ୍ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ତାହା ଯେଉଁଭଳି ସଫଳତା ହାସଲ କରିବା ଦେଖାଯାଇଛି, ଅନ୍ୟ କ୍ଷେତ୍ରରେ ସେଭଳି ଘଟିନାହିଁ। ‘ମେକ୍ ଇନ୍ ଇଣ୍ଡିଆ’ ଲକ୍ଷ୍ୟ ହାସଲ ନିମିତ୍ତ ସରକାରଙ୍କୁ ଆହୁରି ବଳିଷ୍ଠ ପଦକ୍ଷେପ ନେବାକୁ ପଡ଼ିବ। ଆମର ଅଭିବୃଦ୍ଧି ହାର ବର୍ତ୍ତମାନ ପୃଥିବୀରେ ସର୍ବୋଚ୍ଚ େହାଇଥିଲେ ହେଁ, ତାକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ ତାକୁ ଏକ ସୁଦୃଢ଼ ଭିତ୍ତି ପ୍ରଦାନ କରିବାକୁ ହେବ।