ନିର୍ବୋଧର ପୁନରାବୃତ୍ତି

ବାହାନଗା ରେଳ ଦୁର୍ଘଟଣାକୁ ଆଠଦିନ ପୂରିଗଲାଣି। କିନ୍ତୁ ଓଡ଼ିଶାର ବାଲେଶ୍ବର ଜିଲ୍ଲାର ଏଇ ଛୋଟିଆ ଗାଁଟି ଏପର୍ଯ୍ୟନ୍ତ ସ୍ବାଭାବିକତାକୁ ଫେରିନାହିଁ। ଏବେ ବି ନିଜ ଆତ୍ମୀୟଙ୍କୁ ଖୋଜି ଖୋଜି ସେଠି ପହଞ୍ଚୁଛନ୍ତି ଅସହାୟ ସଂପର୍କୀୟ, ପ୍ରଶ୍ନ ପଚାରି ପଚାରି ଅଥୟ କରୁଛନ୍ତି ନିଜ ଆତ୍ମୀୟଙ୍କ ଶବ ପାଉନଥିବା ପଶ୍ଚିମବଙ୍ଗ ଓ ବିହାରର ବାସିନ୍ଦା। ଜୁନ୍‌ ଦୁଇ, ଅଶୁଭ ଶୁକ୍ରବାର ରାତିରେ ଶହ ଶହ ଶବଙ୍କୁ ଆଖି ସାମ୍ନାରେ ବୁହା ହେଉଥିବାର ଦୃଶ୍ୟ ଦେଖିଥିବା ବାହାନଗା ରେଳ ଷ୍ଟେସନ ପାର୍ଶ୍ବବର୍ତ୍ତୀ ‌େଲାକମାନେ ସଞ୍ଜ ଅନ୍ଧାର ହେବାକ୍ଷଣି ଭୟରେ ଶାଙ୍କୁଡ଼ି ଯାଉଛନ୍ତି ଓ ସ୍କୁଲ ପିଲାମାନେ ଅଦ୍ଭୁତ ଆତଙ୍କରେ ଥରି ଉଠୁଛନ୍ତି। ହୁଏତ ଆଉ କିଛିଦିନ ପରେ ଏସବୁରୁ ମୁକ୍ତି ପାଇ ସ୍ବାଭାବିକତା ଫେରି ପାଇବ ବାହାନଗା। କିଛିଦିନ ପରେ ଏଠୁ ‌େରଳବାଇ ପୁଲିସଙ୍କ ଭିଡ଼ କମିଯିବ, ଗଣମାଧ୍ୟମ ପ୍ରତିନିଧିଙ୍କ ଗହଳ ଚହଳ ବି। ଭାରତର ଅନ୍ୟତମ ଭୀଷଣ ଏବଂ ଭୟଙ୍କର ରେଳ ଦୁର୍ଘଟଣାର ଖବର ଆସ୍ତେ ଆସ୍ତେ ଫିକା ପଡ଼ିଆସିବ ସାଧାରଣ ସ୍ମୃତିରୁ, ପୁଣି ଏକ ଦୁର୍ଘଟଣା ଆଉ କୋଉଠି ନ ଘଟିବା ଯାଏ।

ଜର୍ମାନ ଦାର୍ଶନିକ ଜର୍ଜ ହେଗେଲଙ୍କର ଗୋଟିଏ ପ୍ରସିଦ୍ଧ ଉକ୍ତି ହେଲା, ଇତିହାସ ଠାରୁ ଆମେ ଗୋଟିଏ ମାତ୍ର କଥା ଶିକ୍ଷା କରୁ ଏବଂ ତାହା ହେଲା ଆମେ ଇତିହାସ ପାଖରୁ କିଛି ଶିଖି ନ ଥାଉ। ମଣିଷ ସମାଜର ସାମୂହିକ ଉଦାସୀନତା ଏବଂ ଶାସନ ବ୍ୟବସ୍ଥାର ଦାୟିତ୍ବହୀନତା ସମ୍ବନ୍ଧରେ ଏହାଠାରୁ ବଳି ତୀକ୍ଷ୍‌ଣ ଓ ସ୍ପଷ୍ଟ କଥା ଅାଉ କିଛି କୁହାଯାଇନପାରେ। ହେଗେଲଙ୍କ ଏ ଉକ୍ତିଟି ଉଦ୍ଧାର କରିବାର କାରଣ ବାହାନଗାର ଭୟଙ୍କର ରେଳ ଦୁର୍ଘଟଣା, ଯହିଁରେ ସରକାରୀ ଭାବେ ୨୮୮ ଜଣ ଯାତ୍ରୀ ମୃତ ଘୋଷିତ ହୋଇଛନ୍ତି ବା ଆହୁରି ଶତାଧିକ ନିରୁଦ୍ଦିଷ୍ଟ ଅଛନ୍ତି କିମ୍ବା ସହସ୍ରାଧିକ ଯାତ୍ରୀ ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କେବଳ ନୁହେଁ, ଏହାର କାରଣ ହେଉଛି ନିୟମିତ ବ୍ୟବଧାନରେ ଆମ ଦେଶରେ ଦାରୁଣ ରେଳ ଦୁର୍ଘଟଣା ଏବଂ ଯାତ୍ରୀମାନଙ୍କର କରୁଣ ମୃତ୍ୟୁ ଘଟି ଚାଲିଥିଲେ ମଧ୍ୟ ଆମର ବ୍ୟବସ୍ଥା ଆବଶ୍ୟକ କରୁଥିବା ସର୍ବନିମ୍ନ ଭିତ୍ତିଭୂମି ବିକାଶ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିବା। ବାହାନଗାର ରେଳ ଦୁର୍ଘଟଣା‌ ପଛରେ ଅନ୍ତର୍ଘାତୀ କାର୍ଯ୍ୟକଳାପ ଅଛି ବୋଲି ଆଶଙ୍କା କରି ସରକାର ଏହାର ସିବିଆଇ ତଦନ୍ତ କଥା ଘୋଷଣା କରିଛନ୍ତି ଏବଂ ଇତି ମଧ୍ୟରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତାହାର ତଦନ୍ତ ଆରମ୍ଭ କରି ଦେଇଛି। ଏହା ଆଗରୁ ଅନ୍ୟ କୌଣସି ଅନୁରୂପ ଦୁର୍ଘଟଣା କ୍ଷେତ୍ରରେ ଏତେ ଶୀଘ୍ର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତ ଆରମ୍ଭ କରିଥିବାର ଉଦାହରଣ ହୁଏତ ନାହିଁ।

ମୁହୂର୍ତ୍ତକ ପାଇଁ ଧରି ନିଆଯାଉ ଯେ ରେଳମନ୍ତ୍ରୀଙ୍କ ଆଶଙ୍କା ସତ୍ୟ ଏବଂ ବାହାନଗା ଷ୍ଟେସନର ଇଲେକ୍‌ଟ୍ରୋନିକ ଇଣ୍ଟରଲକିଂ ବ୍ୟବସ୍ଥାରେ କେହି ଜାଣିଶୁଣି ହସ୍ତକ୍ଷେପ କରିଥିଲେ। ମାତ୍ର ଏ ପ୍ରକାର ଭୟଙ୍କର ଦୁର୍ଘଟଣା ଘଟିବାର ମାତ୍ର ଛଅଦିନ ପରେ, ଆଠ ତାରିଖ ସନ୍ଧ୍ୟାରେ ଓଡ଼ିଶାର ଯାଜପୁର ରୋଡ ଷ୍ଟେସନର ଚୂନଭାଟିରେ ଅବ୍ୟବହୃତ ବଗିଗୁଡ଼ିକର ଚକତଳେ ପଡ଼ି ମରିଥିବା ଛଅ ଛଅ ଜଣ ଦରିଦ୍ର ଶ୍ରମିକଙ୍କ ମୃତ୍ୟୁକୁ ବି କଣ ଷଡ୍‌ଯନ୍ତ୍ର ବୋଲି କୁହାଯିବ? ମାସ ମାସ ଧରି ଅବ୍ୟବହୃତ ଭାବେ ପଡ଼ି ରହିଥିବା ୩୨ଟି ରେଳ ବଗିରୁ ଅଠରଟି ବଗି ସେଦିନ, ଝଡ଼ତୋଫାନ ପବନରେ ଅଲଗା ଗଡ଼ି ଗଡ଼ି, ତଳକୁ ମାଡ଼ି ଯାଇଥିଲା ଏବଂ ବର୍ଷା ପବନରୁ ରକ୍ଷା ପାଇଁ ବଗିଗୁଡ଼ିକ ତଳେ ଆଶ୍ରୟ ନେଇଥିବା ଶ୍ରମିକମାନେ ଏହି ବଗିଗୁଡ଼ିକର ଚକତଳେ ‌େପଶି ହୋଇ ଯାଇଥିଲେ। ଏ କ୍ଷେତ୍ର‌େର ସାଧାରଣ ପ୍ରଶ୍ନଟିଏ ମନ ଭିତରେ ଉଙ୍କି ମାରୁଛି, ଏଭଳି ଅବସ୍ଥାରେ ବଗିଗୁଡ଼ିକୁ ‌େରଳ ଧାରଣା ଉପରେ ମାସ ମାସ ଧରି ଛାଡ଼ିଦେବା କେଉଁ ଦୂରଦୃଷ୍ଟିର ପରିଚୟ ଦେଇଥାଏ? ଏହା କ’ଣ ଅକ୍ଷମଣୀୟ ଦୟିତ୍ବହୀନତାର ଏକ ଉଦାହରଣ ନୁହେଁ? ସରକାରୀ କ୍ଷତିପୂରଣ ବ୍ୟବସ୍ଥା କଦାପି ଯଥାର୍ଥ କ୍ଷତପୂରଣ ହୋଇନପାରେ। କାରଣ ମଣିଷ ଜୀବନର ବିକଳ୍ପ ଅର୍ଥ ନୁହେଁ।

ଏବେ ବାହାନଗା ପ୍ରସଙ୍ଗକୁ ଫେରିବା। କେନ୍ଦ୍ର ସରକାରଙ୍କ ଆଗ୍ରହ କ୍ରମେ ସିବିଆଇ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଘଟଣାର ତଦନ୍ତ ଭାର ନିଜ ହାତକୁ ନେଇଛି। ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ କେତେକ ପ୍ରଶ୍ନ କରିଛନ୍ତି। ସେଥିମଧ୍ୟରୁ କେତୋଟି ହେଲା: ୨୦୧୮-୧୯ ବଜେଟରେ ରେଳଧାରଣା ମରାମତି ଏବଂ ନୂଆ ଟ୍ରାକ ବିଛାଯିବା ପାଇଁ ୯୬୦୭ କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ ୨୦୧୯-୨୦ରେ ତାହାକୁ ୭୪୧୭ କୋଟିକୁ କମାଇ ଦେବା ଘଟଣାର ତଦନ୍ତ କ’ଣ ସିବିଆଇ କରିବ? ସିବିଆଇ କ’ଣ ରେଳବାଇ ମନ୍ତ୍ରାଳୟ କାହିଁକି ଜାତୀୟ ରେଳ ନିରାପତ୍ତା ପାଣ୍ଠିକୁ ଯେଉଁ ୨୦ ହଜାର କୋଟି ଟଙ୍କା ଦେବା କଥା ତାହା ଦେଇନାହିଁ, ତାହାର ତଦନ୍ତ କରିବ? ରେଳ ବିଭାଗ ତା’ ନିଜର ପରିଚାଳନାଗତ ଅଯୋଗ୍ୟତାକୁ ଲ‌ୁଚେଇବା ପାଇଁ ଷଡ୍‌ଯନ୍ତ୍ର ଆଶଙ୍କା ଆଧାରରେ ସିବିଆଇ ତଦନ୍ତକୁ ବ୍ୟବହାର କରିବା କଥାକୁ କାହିଁକି ଅଯୌକ୍ତିକ ବୋଲି କୁହାଯିବ? ବାସ୍ତବରେ ଏଥିମଧ୍ୟରୁ ପ୍ରଥମ ଦୁଇଟି ପ୍ରଶ୍ନ ସିଏଜି ରିପୋର୍ଟରେ ଦର୍ଶାଯାଇଥିବା ମନ୍ତବ୍ୟ ଉପରେ ଆଧାରିତ। ଏହା ଆଉ ଏକ ଦୁର୍ଭାଗ୍ୟଜନକ ଅଭିଜ୍ଞତା ଯେ, ଯେଉଁ ସିଏଜି ରିପୋର୍ଟ ଆଧାରରେ ବିରୋଧୀ ଦଳଗୁଡ଼ିକ ସରକାରକୁ କାଠଗଡ଼ା ଭିତରକୁ ଭିଡ଼ି ନେଇଥାଆନ୍ତି, ସେଇ ବିରୋଧୀ ଦଳ ଭିତରୁ କେହି କ୍ଷମତାକୁ ଆସିିବା ପରେ ଏହି ରିପୋର୍ଟ ପ୍ରତି ସମାନ ପ୍ରକାର ଉଦାସୀନତା ପ୍ରଦର୍ଶନ କରିଥାଆନ୍ତି। ସେତେବେଳେ ତାହା ତାଙ୍କୁ ଗୁରୁତ୍ବହୀନ ମନେହୁଏ। ଏ ପ୍ରକାର ମନୋବୃତ୍ତି କାହିଁକି?

୨୦୨୨‌ର ସିଏଜି ରିପୋର୍ଟରେ ସ୍ପଷ୍ଟ ଦର୍ଶାଇ ଦିଆଯାଇଥିଲା ଯେ ଭାରତରେ ଘଟୁଥିବା ରେଳ ଦୁର୍ଘଟଣା ପଛରେ ମୋଟ ୩୩ ପ୍ରକାର କାରଣ ରହିଛି ଏବଂ ଏହା ମଧ୍ୟରୁ ଅଧିକାଂଶ କାରଣ ପାଇଁ ଇଞ୍ଜିିନିଅରିଂ ବିଭାଗ ଦାୟୀ ଯେଉଁମାନଙ୍କ ଉପରେ ରେଳ ଧାରଣାର ରକ୍ଷଣାବେକ୍ଷଣ ଦାୟିତ୍ବ ନ୍ୟସ୍ତ କରାଯାଇଛି। ଏହି ରିପୋର୍ଟରେ ଦର୍ଶାଇ ଦିଆଯାଇଥିଲା ଯେ ରେଳ ଧାରଣାଗୁଡ଼ିକର ‘‘ଷ୍ଟ୍ରକ୍‌ଚରାଲ ଆଣ୍ଡ ଜିଓମେଟ୍ରିକାଲ’’ ପରିସ୍ଥିତି ନିରୀକ୍ଷଣ କରିବା ପାଇଁ ଯେଉଁ ଟ୍ରାକ୍‌ ରେକର୍ଡିଙ୍ଗ୍‌ କାର୍‌ ଗୁଡ଼ିକର ବ୍ୟବସ୍ଥା ରଖାଯାଇଛି ତାହାର ଉପଯୋଗ କେଉଁଠି ଶତକଡ଼ା ତିିରିଶ ହେଉଛି ତ କେଉଁଠି ଶତକଡ଼ା ଶହେରୁ ଶହେ ହେଉନାହିଁ ଅର୍ଥାତ୍‌ ଆଦୌ ନିରୀକ୍ଷଣ ହେଉନାହିଁ। ଏହି ରିପୋର୍ଟରେ ଆଉ ଯେଉଁ କଥାଟି ଉଲ୍ଲେଖ କରାଯାଇଛି ତାହାକୁ ବିରୋଧୀ ଦଳ ଉତ୍‌ଥାପନ କରିଛନ୍ତି ଏବଂ ଟିକିଏ ଆଗରୁ ତାହାର ସୂଚନା ଦିଆଯାଇଛି। ୨୦୧୭-୧୮ ବଜେଟ୍‌ରେ କେନ୍ଦ୍ର ଅର୍ଥମନ୍ତ୍ରୀ ୧ ଲକ୍ଷ କୋଟି ଟଙ୍କାର ଏକ ‘କର୍ପସ ଫଣ୍ଡ’ କଥା ଘୋଷଣା କରିଥିଲେ। ଏଥିପାଇଁ ରେଳ ବିଭାଗକୁ ବାର୍ଷିକ ପାଞ୍ଚ ହଜାର ଟଙ୍କା ଆଭ୍ୟନ୍ତରୀଣ ସମ୍ବଳ ଯୋଗାଡ଼ କରିବା କଥା କୁହାଯାଇଥିଲା। ମାତ୍ର ରାଷ୍ଟ୍ରୀୟ ରେଳ ସଂରକ୍ଷକ କୋଷ ପାଇଁ ରେଳ ବିଭାଗ ତାହାର ଦାୟିତ୍ବ ନିର୍ବାହରେ ବିଫଳ ହେଲା। ଏହି କାରଣରୁ ଗୁରୁତ୍ବପୂର୍ଣ୍ଣ ନିରାପତ୍ତା, ପୁନର୍ନବୀକରଣ ଇତ୍ୟାଦି କାର୍ଯ୍ୟ ସଂପନ୍ନ ହୋଇପାରିନାହିଁ। ଏହା ସାଙ୍ଗକୁ ସିଏଜି ଏକଥା ମଧ୍ୟ ଦର୍ଶାଇଥିଲେ ଯେ ଗୋଟିଏ ପଟେ ରେଳ ବିଭାଗ ଅର୍ଥ ଅଭାବ ଯୋଗୁଁ ଯାତ୍ରୀମାନଙ୍କର ନିରାପତ୍ତା ପ୍ରସଙ୍ଗ ପରି ଗୁରୁତ୍ବପୂର୍ଣ୍ଣ କଥାକୁ ଏଡ଼ାଇ ଯାଇଥିବାବେଳେ ଅନ୍ୟପଟେ ଏକାଧିକ ଗୁରୁତ୍ବହୀନ କାର୍ଯ୍ୟ ପାଇଁ ଏହି କୋଷରୁ ଅର୍ଥ ବ୍ୟୟ କରାଯାଇଛି।

ସିଏଜିଙ୍କର ଏହି ରିପୋର୍ଟ ସାଙ୍ଗକୁ ଆଉ ଗୋଟିଏ କଥାର ଉଲ୍ଲେଖ କରିବା ଏଠା‌ରେ ପ୍ରାସଙ୍ଗିକ ହେବ। ଏହି ବର୍ଷ ଫେବ୍ରୁଆରି ମାସରେ କେନ୍ଦ୍ର ରେଳମନ୍ତ୍ରୀ ଉଲ୍ଲେଖ କରିଥିବା ରେଳ ଧାରଣାର ଇଣ୍ଟରଲକିଂ ବ୍ୟବସ୍ଥାର ସମସ୍ୟା ପରି ସମାନ ସମସ୍ୟା ସମ୍ବନ୍ଧରେ ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ଅପରେସନ ମ୍ୟାନେଜର ଏକ ଜରୁରି ଚିଠି ଲେଖି ସରକାରଙ୍କୁ ଜଣାଇ ଦେଇଥିଲେ। ସେହି ସମୟରେ, ବାଙ୍ଗାଲୋର-ନୂଆଦିଲ୍ଲୀ ‘ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ’ର ଡ୍ରାଇଭର ପ୍ରତ୍ୟୁତ୍ପନ୍ନମତିତା ଦେଖାଇ ହୋସଦୁର୍ଗା ରୋଡ୍‌ ଷ୍ଟେସନ ପୂର୍ବରୁ ବ୍ରେକ ଦେଇ ଏକ ଭୟଙ୍କର ଦୁର୍ଘଟଣାକୁ ଟାଳି ଦେଇପାରିଥିଲେ। ସେ ସମୟରେ ବାହାନଗା ଘଟଣା ପରି ଇଣ୍ଟରଲକିଂ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଇଲେକ୍‌ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମର ଏଇ ଦୁର୍ବଳତାକୁ ସଜଡ଼ା ନ ଗଲେ ଏହାର ପରିଣତି ‘ଭୟାବହ’ ହେବ ବୋଲି ଦକ୍ଷିଣ-ପଶ୍ଚିମ ରେଳବାଇର ମୁଖ୍ୟ ଅପରେସନ ମ୍ୟାନେଜର ଚେତାବନୀ ଦେଇଥିଲେ। ମାତ୍ର ଏହା ଭିତରେ ଚାରିମାସ ବିତି ଯାଇଥିଲେ ମଧ୍ୟ ନିଜ ବିଭାଗର ଜଣେ ଦାୟିତ୍ବବାନ ଉଚ୍ଚ ଅଧିକାରୀଙ୍କର ଚେତାବନୀ ପ୍ରତି ଆବଶ୍ୟକ ଦୃଷ୍ଟି ଦିଆଯାଇପାରିଲା ନାହିଁ। ତାହା ଦିଆଯାଇଥିଲେ ଆଜି ହୁଏତ ଏଭଳି ଦାରୁଣ, ନିର୍ମମ ଏବଂ ଭୟଙ୍କର ବାହାନଗା ଦୁର୍ଘଟଣା ଘଟିନଥାନ୍ତା।

ଏହି ପରିପ୍ରେକ୍ଷୀରେ ଗୋଟିଏ କଥା କୁହ‌ାଯାଇପାରିବ ଯେ ଅଧିକାଂଶ ଦୁର୍ଘଟଣା ଆକସ୍ମିକ ଦିଶୁଥିଲେ ମଧ୍ୟ ଆକସ୍ମିକ ନୁହେଁ। ଏହା ପଛରେ କ୍ରମାଗତ ଅବହେଳା ଏବଂ ଚଳେଇ ନେବାର ମନୋବୃତ୍ତି ରହିଥାଏ। ଏସବୁର ପରିଣତି ହିଁ ଭୟଙ୍କର ଦୁର୍ଘଟଣାକୁ ଡାକି ଆଣେ। ପୂର୍ବ ଅଭିଜ୍ଞତାରୁ ଏକଥା ସ୍ପଷ୍ଟ ଯେ ଭାରତରେ କୌଣସି ବଡ଼ ଧରଣର ଦୁର୍ଘଟଣା ଘଟିବା ପରେ ଯେଉଁ ପ୍ରକାର ତତ୍ପରତା ଓ ବ୍ୟଗ୍ରତା ପ୍ରକାଶ ପାଏ, ଦୁର୍ଘଟଣା ରୋକିବା କ୍ଷେତ୍ରରେ ତାହାର କ୍ଷୁଦ୍ରଭାଗ ସୁଦ୍ଧା ପ୍ରକାଶ ପାଇନଥାଏ। ୨୦୧୦ରେ ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣା ଘଟିଥିଲା ଯହିଁରେ ୧୪୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ। ସେତେବେଳେ ମଧ୍ୟ ଅନୁରୂପ ବ୍ୟଗ୍ରତା ପ୍ରକାଶ ପାଇଥିଲା। ମାତ୍ର କିଛିଦିନ ପରେ ତାହା ନିରବ ହୋଇ ଯାଇଥିଲା। ବାହାନଗା ଦୁର୍ଘଟଣା ଜାତୀୟ ସ୍ତରରେ ଯେଉଁ ତତ୍ପରତା ପ୍ରକାଶ କରାଇଛି ତାହା ଭବିଷ୍ୟତର ଅନୁରୂପ ଦୁର୍ଘଟଣାଗୁଡ଼ିକୁ ରୋକିବା ପାଇଁ ଏ ସରକାରଙ୍କ ବିବେକ ଓ ବ୍ୟବସ୍ଥାକୁ ବାଧ୍ୟ କରିବ କି? ଗୋଟିଏ କଥା କୁହାଯାଇଥାଏ ଯେ ଭୁଲ୍‌ ସମସ୍ତେ କରନ୍ତି, ମାତ୍ର ନିର୍ବୋଧମାନେ ସମାନ ଭୁଲ୍‌ର ପୁନରାବୃତ୍ତି କରି ଚାଲିଥାଆନ୍ତି। ଗୋଟିଏ ପଟେ ବିକଶିତ ଭାରତ, ବୁଲେଟ ଟ୍ରେନ, ବନ୍ଦେ ଭାରତ ଏବଂ ବିଶ୍ବସ୍ତରୀୟ ଭିତ୍ତିଭୂମିର କଥା କହୁଥିବା ଭାରତୀୟ ରେଳବାଇ ନିଜକୁ ନିର୍ବୋଧ ସାବ୍ୟସ୍ତ କରିବା ଦେଶ ବା ଦେଶବାସୀ କାହାରି ପାଇଁ ଗ୍ରହଣୀୟ ହେବ ନାହିଁ।

ସମ୍ବନ୍ଧିତ ଖବର