ଦେଶରେ ଦେଖା ଦେଇଥିବା ମୁଦ୍ରାସ୍ଫୀତି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍‌ ତା’ର ମାର୍ଗଦର୍ଶିକା ସୁଧ ହାର ‘ରେପୋ ରେଟ୍‌’ରେ ଲଗାତାର ଭାବରେ ଯେଉଁ ବୃଦ୍ଧି ଘଟାଇ ଚାଲିଥିଲା, ଗତ ଏପ୍ରିଲ୍‌ରେ ଅନୁଷ୍ଠିତ ତା’ର ଦ୍ବିମାସିକ ‘ମୁଦ୍ରାନୀତି ନିର୍ଦ୍ଧାରଣ କମିଟି’ (‘ଏମ୍‌ପିସି’) ବୈଠକରେ ପ୍ରଥମ ଥର ପାଇଁ ସେଥିରେ ବିରତି ଘୋଷଣା କରିବା ଦେଖାଯାଇଥିଲା। ଏବେ ଗତ ଗୁରୁବାର ଦିନ ଅନୁଷ୍ଠିତ ଚଳିତ ବିତ୍ତ ବର୍ଷର ଦ୍ବିତୀୟ ‘ଏମ୍‌ପିସି’ ବୈଠକରେ ସେଇ ବିରତିକୁ ବଜାୟ ରଖିବା ନିମିତ୍ତ ପୁନରାୟ ନିଷ୍ପତ୍ତି ନିଆଯାଇଛି, ଯାହା ପ୍ରାୟ ସମସ୍ତ ପର୍ଯ୍ୟବେକ୍ଷକମାନେ ଆଶା କରୁଥିଲେ।

Advertisment

‘ରେପୋ ରେଟ୍‌’ ହେଉଛି ସେଇ ସୁଧ ହାର, ଯେଉଁ ସୁଧ ହାରରେ ସେ ବାଣିଜ୍ୟିକ ବ୍ୟାଙ୍କ୍‌ମାନଙ୍କୁ ଋଣ ପ୍ରଦାନ କରିଥାଏ। ସ୍ବାଭାବିକ ଭାବରେ ଏହା ବାଣିଜ୍ୟିକ ବ୍ୟାଙ୍କ୍‌ମାନେ ପ୍ରଦାନ କରୁଥିବା ଋଣ ଉପରେ ଆଦାୟ କରୁଥିବା ସୁଧ ହାରକୁ ପ୍ରଭାବିତ କରିଥାଏ। ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ୍‌ ତା’ର ଶେଷ ଦୁଇଟି ‘ଏମ୍‌ପିସି’ ବୈଠକରେ ଏହି ‘ରେପୋ‌ ରେଟ୍‌’କୁ ବାର୍ଷିକ ୬.୫ ଶତାଂଶ ହାରରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି। ଯେହେତୁ ମୁଦ୍ରାସ୍ଫୀତି ବିରୋଧରେ ଯୁଦ୍ଧରେ ରିଜର୍ଭ ବ୍ୟାଙ୍କ୍‌ ‘ରେପୋ ରେଟ୍‌’ର ବୃଦ୍ଧିକୁ ତା’ର ମୁଖ୍ୟ ଅସ୍ତ୍ର ରୂପେ ବ୍ୟବହାର କରିଥାଏ, ରିଜର୍ଭ ବ୍ୟାଙ୍କ୍‌ ବର୍ତ୍ତମାନ ଅବଲମ୍ବନ କରିଥିବା ଏହି ନୀତିକୁ ଅସ୍ତ୍ର ବିରତି ବୋଲି ବିଚାର କରାଯାଇପାରେ।

ଏପ୍ରିଲ୍‌ ବୈଠକରେ ରିଜର୍ଭ ବ୍ୟାଙ୍କ୍‌ ଏହି ଅସ୍ତ୍ର ବିରତି ସମ୍ବନ୍ଧରେ ପ୍ରଥମେ ଘୋଷଣା କରିବା ପରବ‌ର୍ତ୍ତୀ ସମୟରେ ଦେଶରେ ମୁଦ୍ରାସ୍ଫୀତିର ଗତିବିଧି ସମ୍ପର୍କରେ ଯେଉଁ ସୂଚନାମାନ ପ୍ରକାଶ ପାଇଛି, ତାହା ରିଜର୍ଭ ବ୍ୟାଙ୍କ୍‌କୁ ଏହି ଅସ୍ତ୍ର ବିରତି ବଜାୟ ରଖିବାକୁ ଉତ୍ସାହିତ କରିଛି ନିଶ୍ଚୟ। ପ୍ରଥମେ ପ୍ରକାଶ ପାଇଲା ଯେ ମାର୍ଚ୍ଚରେ ଖାଉଟି ମୁଦ୍ରାସ୍ଫୀତି ହାର (‘ସିପିଆଇ’) ଏକ ଦୀର୍ଘ ପ୍ରତୀକ୍ଷାରେ ଅନ୍ତ ଘଟାଇ ସର୍ବୋଚ୍ଚ ସହନ ସୀମା ୬ ଶତାଂଶ ହାର ତଳକୁ ଖସି ହୋଇଛି ୫.୭ ଶତାଂଶ। ଏହା ଥିଲା ୧୫ ମାସ ମଧ୍ୟରେ ‘ସିପିଆଇ’ର ସର୍ବନିମ୍ନ ହାର। ଏହା ପରେ ଏପ୍ରିଲ୍‌ର ‘ସିପିଆଇ’ ହାରରେ ଆହୁରି ହ୍ରାସ ଘଟି ଯେତେବେଳେ ୪.୭ ଶତାଂଶ ଛୁଇଁଲା, ତାହା ଥିଲା ୧୮ ମାସ ମଧ୍ୟରେ ସର୍ବନିମ୍ନ ହାର। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଗତ ଏକ ବର୍ଷ ମଧ୍ୟରେ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ପାଇଁ ସୁଧ ହାରରେ କ୍ରମାଗତ ବୃଦ୍ଧି ଘଟାଇ ଚାଲି ମୋଟ ୨.୫ ଶତାଂଶ ବୃଦ୍ଧି ଘଟାଇ ସାରିଛି। ମୁଦ୍ରାନୀତି ନିର୍ଦ୍ଧାରକମାନେ ତେଣୁ ନିଶ୍ଚିତ ରୂପେ ଆଶ୍ବସ୍ତି ଲାଭ କରିଥିବେ ଯେ ‘ରେପୋ ରେଟ୍‌’ରେ ସେଇ ବୃଦ୍ଧିର ସୁଫଳ ସ୍ବରୂପ ମୁଦ୍ରାସ୍ଫୀତି ଏପରି ନିମ୍ନମୁଖୀ ହୋଇଛି। ତାହା ହିଁ ସେମାନଙ୍କୁ ‘ରେପୋ ରେଟ୍‌’ ବୃଦ୍ଧିରେ ପୂର୍ବ ଘୋଷିତ ବିରତିକୁ ବଳବତ୍ତର ରଖିବା ନିମିତ୍ତ ଏଥର ପ୍ରବୃତ୍ତ କରିଛି।

ଏହା ପର୍ଯ୍ୟ‌େବକ୍ଷକମାନଙ୍କ ମଧ୍ୟରେ ଏକ ଆଶା ସୃଷ୍ଟି କରିପାରିଥାଏ ଯେ ଅନତି ବିଳମ୍ବେ ରିଜର୍ଭ ବ୍ୟାଙ୍କ୍‌ ଦିଗ ପରିବର୍ତ୍ତନ କରି ଆଗାମୀ ଦ୍ବିମାସିକ ‘ଏମ୍‌ପିସି’ ବୈଠକରେ ‘ରେପୋ ରେଟ୍‌’ରେ ହ୍ରାସ ଘଟାଇ ପାରେ, ଯାହାକୁ ଶିଳ୍ପ ବାଣିଜ୍ୟ ମହଲ‌େର ଉତ୍ସୁକତାର ସହିତ ଅପେକ୍ଷା କରାଯାଇଛି। କିନ୍ତୁ ଏହା ମଧ୍ୟ କାହାର ଦୃଷ୍ଟି ଏଡ଼ାଇ ନ ଥିବ ଯେ ରିଜର୍ଭ ବ୍ୟା‌ଙ୍କ୍‌ ଗଭର୍ନର ଶକ୍ତିକାନ୍ତ ଦାସ ଏବେ ମଧ୍ୟ ଏକ ଦୀର୍ଘସ୍ଥାୟୀ ୪ ଶତାଂଶ ମୁଦ୍ରାସ୍ଫୀତି ହାର ଉପରୁ ତାଙ୍କର ଦୃଷ୍ଟି ହଟାଇ ନାହାନ୍ତି ବୋଲି ସେଇ ଏକ ସମୟରେ ଘୋଷଣା କରିଛନ୍ତି। ଏହାର ଅର୍ଥ ହୋଇପାରେ ଏହା ଯେ ଏହି ଲକ୍ଷ୍ୟ ହାସଲ ନ ହେବା ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କ୍‌ ନିକଟ ଭବିଷ୍ୟତରେ ‘ରେପୋ ରେଟ୍‌’ରେ ହ୍ରାସ ଘଟାଇବା ସମ୍ଭାବନା ବୋଧହୁଏ କ୍ଷୀଣ। ରିଜର୍ଭ ବ୍ୟାଙ୍କ୍‌ ବୋଧହୁଏ ଆଶା କରୁଛି ଯେ ସେ ଅତୀତରେ ‘ରେପୋ ରେଟ୍‌’ରେ ଯେଉଁ ବୃଦ୍ଧି ଘଟାଇଛି ତାହାର ପ୍ରଭାବ ଏପର୍ଯ୍ୟନ୍ତ ନିଃଶେଷ ହୋଇନାହିଁ ଓ ତାହାର ପ୍ରଭାବରେ ଆଗାମୀ ଦିନମାନଙ୍କରେ ମୁଦ୍ରାସ୍ଫୀତି ହାରରେ ଆହୁରି ସ୍ଖଳନ ଘଟି ତାହା ୪ ଶତାଂଶ ଲକ୍ଷ୍ୟ ଭେଦ କରିବ।

କିନ୍ତୁ ବର୍ତ୍ତମାନ ଉପସ୍ଥିତ ଥିବା କେତେକ କାରଣ ଯୋଗୁଁ ଏହା ଘଟିବା ସହଜ ନ ହୋଇପାରେ। ପ୍ରଥମ ହେଲା, ବାଣିଜ୍ୟିକମାନେ ବର୍ତ୍ତମାନ ଏତେ ପରିମାଣର ନଗଦ ରାଶିର ଅଧିକାରୀ ହୋଇଛନ୍ତି ଯେ ସେମାନେ ନିଜର ଗ୍ରାହକମାନଙ୍କୁ ଋଣ ପ୍ରଦାନ କରିବା ନିମିତ୍ତ ଆବଶ୍ୟକ ପାଣ୍ଠି ସଂଗ୍ରହ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଉପରେ ଅତ୍ୟଧିକ ନିର୍ଭରଶୀଳ ହେବା ଆବଶ୍ୟକ ହେବ ନାହିଁ। ଅତଏବ ଏକ ଉଚ୍ଚା ‘ରେପୋ ରେଟ୍‌’ ସେମାନଙ୍କୁ ଋଣ ପ୍ରଦାନରେ ବୃଦ୍ଧି ଘଟାଇବାରୁ ନିବୃତ୍ତ କରିବ ନାହିଁ। ଉଦାହରଣ ସ୍ବରୂପ ସରକାରୀ ଖର୍ଚ୍ଚରେ ବୃଦ୍ଧି ଓ ବିଦେଶୀ ପୁଞ୍ଜି ନିବେଶକମାନଙ୍କ ଦ୍ବାରା ସେଆର୍‌ ବଜାରରେ କ୍ରୟ ବୃଦ୍ଧି ଯୋଗୁଁ ମଇ ଶେଷ ବେଳକୁ ବ୍ୟାଙ୍କ୍‌ମାନଙ୍କ ପାଖରେ ପ୍ରାୟ ୧.୭୫ ଲକ୍ଷ କୋଟି ଟଙ୍କାର ନଗଦ ରାଶି ମହଜୁଦ ଥିବାର ସୂଚନା ପ୍ରକାଶ ପାଇଛି। ସେମାନେ ରିଜର୍ଭ ବ୍ୟାଙ୍କ୍‌ରୁ ଋଣ ନ ଆଣି ଏହି ରାଶିକୁ ଋଣ ଦାନରେ ନିୟୋଜିତ କରିପାରିବେ।

ଦ୍ବିତୀୟରେ, ରିଜର୍ଭ ବ୍ୟାଙ୍କ ଅଳ୍ପଦିନ ତଳେ ୨୦୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ପ୍ରଚଳନରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେବା ପରେ ସେଗୁଡ଼ିକ ମଧ୍ୟରୁ ଯେତିକି ବ୍ୟାଙ୍କ୍‌ମାନଙ୍କ ନିକଟକୁ ଫେରିଆସିଲାଣି, ସେଥିଯୋଗୁଁ ବ୍ୟାଙ୍କ୍‌ମାନଙ୍କ ଖାତାରେ ପ୍ରାୟ ୧.୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଜମା ରାଶି ଠୁଳ ହୋଇଗଲାଣି। ଏହାକୁ ବ୍ୟବହାର କରି ପରବର୍ତ୍ତୀ ସମୟରେ ବ୍ୟାଙ୍କ୍‌ମାନେ ଋଣ ପ୍ରଦାନରେ ବୃଦ୍ଧି ଘଟାଇବା ପ୍ରାୟ ନିଶ୍ଚିତ। ଏ ଦୁଇ ସୂତ୍ରରୁ ବଜାରରେ ଚାହିଦା ପାର୍ଶ୍ବରେ ଯେଉଁ ବୃଦ୍ଧି ଘଟିବ, ତାହା ମୁଦ୍ରାସ୍ଫୀତିକୁ ପୁଣି ଊର୍ଦ୍ଧ୍ବମୁଖୀ କରିପାରେ।

ତୃତୀୟରେ ରହିଛି ଆଗାମୀ ମୌସୁମୀ ବୃଷ୍ଟିପାତକୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା। ଏମିତିରେ ମୌସୁମୀର ଆଗମନରେ ଏକ ସପ୍ତାହ ବିଳମ୍ବ ଘଟି ସାରିଲାଣି ଏବଂ ତା’ର ବିଳମ୍ବିତ ଅଗ୍ରଗତି ଯୋଗୁଁ ଖରିଫ ରବି ଫସଲ ବାଧାପ୍ରାପ୍ତ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି। ଏହା ବାଦ ‘ଏଲ୍‌ ନିନୋ’ ପ୍ରଭାବରେ ଚଳିତ ବର୍ଷ ବୃଷ୍ଟି ହାନି ଘଟିବ ବୋଲି ଆଶଙ୍କା ପ୍ରକାଶ ପାଇବାରେ ଲାଗିଛି। ଯଦି ଆଗାମୀ ସମୟରେ କୃଷି ଉତ୍ପାଦନ ଗୁରୁତର ଭାବରେ ବାଧାପ୍ରାପ୍ତ ହୁଏ, ତା’‌େହଲେ କୃଷକମାନଙ୍କର ଆୟ ସୁରକ୍ଷିତ ରଖିବାକୁ ସରକାରଙ୍କୁ ସହାୟକ ଦରରେ ବୃଦ୍ଧି ଘଟାଇବାକୁ ପଡ଼ିବ। ଏଥିଯୋଗୁଁ ବଜାରରେ ଖାଦ୍ୟଶସ୍ୟ ଦର ଉଚ୍ଚା ରହିବ। ପନିପରିବା, ଫଳ, ଦୁଗ୍‌ଧଜାତ ଦ୍ରବ୍ୟ ଭଳି ଅନ୍ୟାନ୍ୟ କୃଷିଜାତ ପଦାର୍ଥମାନଙ୍କର ଉତ୍ପାଦନରେ ହ୍ରାସ ଘଟିଲେ ବଜାରରେ ସେସବୁର ଦରବୃଦ୍ଧି ଘଟିବା ସ୍ବାଭାବିକ। ସୂଚନାଯୋଗ୍ୟ, ବର୍ତ୍ତମାନ ମୁଦ୍ରାସ୍ଫୀତି ହାରରେ ଯେଉଁ ହ୍ରାସ ଘଟିଛି, ତାହା ମୁଖ୍ୟତଃ ଏହିସବୁ କୃଷିଜାତ ଦ୍ରବ୍ୟମାନଙ୍କର ଦରରେ ଘଟିଥିବା ଉଲ୍ଲେଖନୀୟ ହ୍ରାସ ଯୋଗୁଁ ସମ୍ଭବ ହୋଇଛି। ଯଦି ଆଗାମୀ ଋତୁରେ ସେସବୁର ଦରବୃଦ୍ଧି ଘଟି ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟେ ତେବେ ରିଜର୍ଭ ବ୍ୟାଙ୍କ୍‌ ନିଜ ସମ୍ମୁଖରେ ସ୍ଥାପନ କରିଥିବା ଲକ୍ଷ୍ୟ ହାସଲ ଆହୁରି ବିଳମ୍ବିତ ହୋଇଯିବ।

ଏହି ସମସ୍ତ କାରଣମାନ ଯୋଗୁଁ ମନେ ହୁଏ ରିଜର୍ଭ ବ୍ୟାଙ୍କ୍‌ ଆଉ କିଛି କାଳ ବୋଧହୁଏ ବର୍ତ୍ତମାନର ବିରତି ମୁଦ୍ରାରେ ରହିବା ପରେ ପରିସ୍ଥିତି ଅନୁକୂଳ ହେଲେ ଯାଇ ‘ରେପୋ‌ ରେଟ୍‌’ରେ ହ୍ରାସ ଘଟାଇପାରେ। ନଚେତ୍‌ ଆବଶ୍ୟକ ହେଲେ ସେ ପୁଣି ‘ରେପୋ ରେଟ୍‌’ରେ ବୃଦ୍ଧି ଘଟାଇପାରେ। ଅର୍ଥାତ୍‌, ବର୍ତ୍ତମାନ ପାଇଁ ରିଜର୍ଭ ବ୍ୟାଙ୍କ୍‌ ଅସ୍ତ୍ର ବିରତି ଘଟାଇଥିଲେ ମଧ୍ୟ ଅସ୍ତ୍ର ତ୍ୟାଗ କରିବାକୁ ଯାଉନାହିଁ।