ମନେ କରାଯାଉ ଜଣେ ଯୁବକ/ଯୁବତୀ ଆଧୁନିକ ଯୁଦ୍ଧ ବିଦ୍ୟାରେ ଶିକ୍ଷା ଓ ତାଲିମ ଲାଭ କରିବା ପାଇଁ ‘ଏନ୍‌ଡିଏ’ ଓ ‘ଆଇଏମ୍‌ଏ’ରେ ପ୍ରବେଶ କରି ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ। ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ଏହି ସାମରିକ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରବେଶ ମଧ୍ୟ ସହଜ ନୁହେଁ। କେବଳ ଅତ୍ୟନ୍ତ ମେଧାବୀ ତଥା ଉତ୍ତମ ଶାରୀରିକ ଓ ମନସ୍ତାତ୍ତ୍ବିକ କ୍ଷମତାସମ୍ପନ୍ନ ପ୍ରାର୍ଥୀମାନେ ହିଁ ଏଥିପାଇଁ ଅନୁଷ୍ଠିତ କଠିନ ପ୍ର‌ବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି। ମନେ କରାଯାଉ ଉପରୋକ୍ତ ଯୁବକ/ଯୁବତୀ ଜଣକ ‘ଆଇଏମ୍‌ଏ’ରୁ ଉତ୍ତୀର୍ଣ୍ଣ ହେବା ପରେ ଦେଶ ରକ୍ଷା ନିମିତ୍ତ ସେନାବାହିନୀରେ ଯୋଗ ନ ଦେଇ ଏକ ହୋଟେଲ୍‌ରେ ପରିଚାଳକ ଭାବରେ ଯୋଗ ଦେଲେ। ଶିକ୍ଷା ସମାପ୍ତ ହେବା ପରେ ବୃତ୍ତି ଚୟନରେ ତାଙ୍କର ଏହି ନିଷ୍ପତ୍ତିକୁ ବୃହତ୍ତର ସମାଜ ସମର୍ଥନ କରିପାରିବ କି? ଯଦି ଉପରୋକ୍ତ ଶିକ୍ଷାନୁଷ୍ଠାନମାନଙ୍କରୁ ଉତ୍ତୀର୍ଣ୍ଣ ହେଉଥିବା ସମସ୍ତ ଯୁବକଯୁବତୀ ଏଇଭଳି ବେସାମରିକ ବୃତ୍ତିମାନ ଚୟନ କରନ୍ତି, ତା’ହେଲେ ଦେଶର ପ୍ରତିରକ୍ଷା ଯେ ସମ୍ପୂର୍ଣ୍ଣ ରୂପେ ଭୁଶୁଡ଼ି ପଡ଼ିବ, ଏଥିରେ କୌଣସି ସନ୍ଦେହ ନାହିଁ। ଉପରୋକ୍ତ ଅନୁଷ୍ଠାନମାନ ପ୍ରତିଷ୍ଠା କରିବାରେ ଓ ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବାରେ ରାଷ୍ଟ୍ର ଯେଉଁ ବିପୁଳ ସମ୍ବଳ ବିନିଯୋଗ କରିଥାଏ, ସେଥିରୁ ଶୂନ୍ୟ ଫଳ ମିଳିବ।

Advertisment

ଏବେ ‘ଆଇଆଇଟି-ମାଡ୍ରାସ୍‌’ର ନିର୍ଦ୍ଦେଶକ ଭି. କାମ୍‌କୋଟି ଦେଶର ଏହି ମର୍ଯ୍ୟାଦାଜନକ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରୁ ଶିକ୍ଷା ସମାପ୍ତ କରି ଉତ୍ତୀର୍ଣ୍ଣ ହେଉଥିବା‌ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ସଂଖ୍ୟକ ବିଚକ୍ଷଣ ଇଞ୍ଜିନିଅର୍‌ମାନେ ପରବର୍ତ୍ତୀ ସମୟରେ କୌଣସି ଇଞ୍ଜିନିଅରିଙ୍ଗ୍‌ ବୃତ୍ତି ଗ୍ରହଣ ନ କରି ଅଣ-ଇଞ୍ଜିନିଅରିଙ୍ଗ୍‌ ଇଲାକାରେ ବୃତ୍ତି ଗ୍ରହଣ କରିବାର ଧାରା ଯେଉଁ ଭଳି ବୃଦ୍ଧି ପାଇ ଚାଲିଛି, ସେ ନେଇ ଘୋର ଚିନ୍ତା ପ୍ରକଟ କରିବା ହେଉଛି ଉପରୋକ୍ତ କାଳ୍ପନିକ ସାମରିକ ଉଦାହରଣର ପ୍ରତିଧ୍ବନି ଭଳି। ନିର୍ଦ୍ଦେଶକ ମହୋଦୟ ନିର୍ଦ୍ଦିଷ୍ଟ ଭାବରେ ଚିନ୍ତା ପ୍ରକଟ କରିଛନ୍ତି ଯେ ଦେଶରେ ବର୍ତ୍ତମାନ ଯେତେବେଳେ ଭିତ୍ତିଭୂମି ନିର୍ମାଣ ଓ ଏରୋସ୍ପେସ୍‌ ଇଲାକାରେ ଦ୍ରୁତ ପ୍ରସାର ନିମିତ୍ତ ଉଦ୍ୟମ ଚାଲିଛି, ସେଇ ସମୟରେ ତାଲିମ ପ୍ରାପ୍ତ ଇଞ୍ଜିନିଅର୍‌ମାନଙ୍କର ଅଣ-ଇଞ୍ଜିନିଅରିଙ୍ଗ ଇଲାକାମାନ ଦିଗରେ ପଳାୟନ ଯୋଗୁଁ ସେଇ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମାନଙ୍କରେ ଆବଶ୍ୟକ ସଂଖ୍ୟକ ଇଞ୍ଜିନିଅର ଉପଲବ୍‌ଧ ହେଉନାହାନ୍ତି ଓ ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରମାନଙ୍କର ବିକାଶ ତଥା ଜାତୀୟ ସ୍ବାର୍ଥ ବାଧା ପ୍ରାପ୍ତ ହେଉଛି।

ସୂଚନାଯୋଗ୍ୟ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେ‌ହରୁ ରାଷ୍ଟ୍ର ନିର୍ମାଣର ମୁଖ୍ୟ ଭିତ୍ତି ରୂପେ ଯେଉଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ପରିକଳ୍ପନା କରିଥିଲେ, ସେଗୁଡ଼ିକୁ ସେ ‘ଆଧୁନିକ ଭାରତର ମନ୍ଦିର’ ରୂପେ ବର୍ଣ୍ଣନା କରିଥିଲେ। ଏହି ମନ୍ଦିରମାନଙ୍କରେ ‘ପୂଜା’ କରିବା ପାଇଁ ଆବଶ୍ୟକ ଏକ ସୁଦକ୍ଷ ଇଞ୍ଜିନିଅର ବାହିନୀ ସୃଷ୍ଟି କରିବା ନିମିତ୍ତ ରାଷ୍ଟ୍ରୀୟ ସମ୍ବଳ ବିନିଯୋଗ ହୋଇ ପ୍ରତିଷ୍ଠା କରାଯାଇଥିଲା ପ୍ରଫେସର କାମକୋଟିଙ୍କର ଅନୁଷ୍ଠାନ ଭଳି ‘ଆଇଆଇଟି’ମାନ। ପରବର୍ତ୍ତୀ ସମୟରେ ଏହି ‘ଆଇଆଇଟି’ମାନ ବୈଷୟିକ ଶିକ୍ଷାଦାନରେ ଉତ୍କର୍ଷ ପାଇଁ କେବଳ ଯେ ଦେଶ ଭିତରେ ପ୍ରତିଷ୍ଠା ଲାଭ କରିଛନ୍ତି, ତାହା ନୁହେଁ, ଆନ୍ତର୍ଜାତିକ ସ୍ତରରେ ମଧ୍ୟ ସେମାନେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଇଞ୍ଜିନିଅରିଙ୍ଗ୍‌ ଶିକ୍ଷା ଲାଭ କରିବା ପାଇଁ ଲକ୍ଷ୍ୟ ରଖିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ଏକ ‘ଆଇଆଇଟି’ରେ ସ୍ଥାନଟିଏ ପାଇବା ଏକ ସ୍ବପ୍ନରେ ପରିଣତ ହୋଇଛି।

ଏହି ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇବା ପାଇଁ ଯେଉଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥ‌ାଏ, ତାହା ପୃଥିବୀରେ ଅନୁଷ୍ଠିତ ଅନୁରୂପ ପ୍ରବେଶିକା ପରୀକ୍ଷାମାନଙ୍କ ମଧ୍ୟରେ କଠୋରତମ ରୂପେ ପରିଚିତି ଲାଭ କରିଛି। ଏହାର ସୁଖ୍ୟାତି ଏଭଳି ଯେ, ଯିଏ ଏହି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସଫଳ ହୋଇଥାଏ, ତାକୁ ସମ୍ଭାବ୍ୟ ନିଯୁକ୍ତିଦାତାମାନେ ସାଦରେ ସ୍ବାଗତ କରି ନେଇଥାନ୍ତି। ଏହାର ଫଳ ସ୍ବରୂପ ଯେଉଁ ଛାତ୍ରଛାତ୍ରୀମାନେ ‘ଆଇଆଇଟି’ରେ ଶିକ୍ଷା ଲାଭ କରିବା ପାଇଁ ଲକ୍ଷ୍ୟ ରଖୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ଇଞ୍ଜିନିଅରିଙ୍ଗ୍‌ ବୃତ୍ତି ପାଇଁ ସେମାନଙ୍କର ତୀବ୍ର ଆବେଗ ଯୋଗୁଁ ତାହା କରୁନାହାନ୍ତି; ସେମାନଙ୍କର ଅସଲ ଉଦ୍ଦେଶ୍ୟ ହେଉଛି ଅନ୍ୟ ଅର୍ଥକାରୀ ବୃତ୍ତିରେ ପ୍ରବେଶ ନିମିତ୍ତ ‘ଆଇଆଇଟି’ ଡିଗ୍ରି ରୂପକ ପାସ୍‌ପୋର୍ଟଟିଏ ହାସଲ କରିବା। ସେମାନଙ୍କ ମଧ୍ୟରୁ କେତେକ ନିଜର ନିଯୁକ୍ତି ଯୋଗ୍ୟତାରେ ଆହୁରି ଉନ୍ନତି ଘଟାଇବା ନିମିତ୍ତ ‘ଏମ୍‌ବିଏ’ ଡିଗ୍ରି ହାସଲ ନିମିତ୍ତ ଉତ୍ତମ ବି-ସ୍କୁଲରେ ପ୍ରବେଶ କରିଥାନ୍ତି; ଅନେକ ମଧ୍ୟ ବିଦେଶକୁ ଚାଲି ଯାଇଥାନ୍ତି ଓ ଆଉ କେତେକ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ସିଭିଲ୍‌ ସର୍ଭିସରେ ପ୍ରବେଶ କରିଥାନ୍ତି।

ଯେଉଁମାନେ ବିଦେଶକୁ ଚାଲିଯାଆନ୍ତି, ସେମାନେ ଦେଶର ମେଧା ଭଣ୍ଡାରରେ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି କରନ୍ତି, ତାହା ‘ବ୍ରେନ୍‌ ଡ୍ରେନ୍‌’ ନାମରେ ସୁବିଦିତ। ଏ ସମ୍ବନ୍ଧରେ ଏକ ତାଜା ଧାରଣା ପ୍ରଦାନ କରିଥାଏ ଆମେରିକାର ‘ଜର୍ନାଲ ଅଫ୍‌ ଡେଭେଲପ୍‌ମେଣ୍ଟ୍‌ ଇକନୋମିକ୍‌ସ’ରେ ଶୀଘ୍ର ପ୍ରକାଶ ପାଇବାକୁ ଯାଉଥିବା ଏକ ଅନୁଶୀଳନ ପତ୍ର। ହାର୍ଭାଡ୍‌ ବିଜ୍‌ନେସ୍‌ ସ୍କୁଲ୍‌ର ପୃଥ୍ବୀରାଜ ‌େଚୗଧୁରୀ, ମାସାଚ୍ୟୁସେଟ୍‌ସ ବିଶ୍ବବିଦ୍ୟାଳୟର ଇନା ଗାଙ୍ଗୁଲି ଓ ବ୍ରିଷ୍ଟଲ୍‌ ବିଶ୍ବବିଦ୍ୟାଳୟର ପ୍ୟାଟ୍ରିକ୍‌ ଗଲ୍‌ ମିଳିତ ଭାବରେ ପ୍ରସ୍ତୁତ କରିଥିବା ଏହି ଅନୁଶୀଳନ ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ। ସେମାନେ ୨୦୧୦ରେ ‘ଆଇଆଇଟି’ ପ୍ରବେଶିକା ପରୀକ୍ଷାରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ଉପରେ ନଜର ରଖିଥିଲେ। ଏହାର ଆଠ ବର୍ଷ ପରେ ସେମାନେ ଆବିଷ୍କାର କରିଥିଲେ ଯେ ପରୀକ୍ଷା ଫଳ ତାଲିକାର ସର୍ବୋଚ୍ଚ ଏକ ହଜାର ପ୍ରାର୍ଥୀମାନଙ୍କ ମଧ୍ୟରୁ ୩୬ ଶତାଂଶ ବିଦେଶକୁ ଚାଲି ଯାଇଥିଲେ। ଆହୁରି ଗୁରୁତର କଥା ହେଲା ଏହି ତାଲିକାର ସର୍ବୋଚ୍ଚ ଏକ ଶହ ସ୍ଥାନରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୬୨ ଶତାଂଶ ଦେଶ ଛାଡ଼ି ବିଦେଶକୁ ଚାଲିଯାଇଥିଲେ। କହିବା ବାହୁଲ୍ୟ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଗନ୍ତବ୍ୟ ଦେଶ ଥିଲା ଆମେରିକା।

ଅବଶ୍ୟ ଏକ ମୁକ୍ତ ସମାଜରେ ପ୍ରତ୍ୟେକ ବ୍ୟକ୍ତି ନିଜର ବୃତ୍ତି ଚୟନ କରିବାର ସ୍ବାଧୀନତା ଉପଭୋଗ କରିଥାଏ। ଚୁମ୍ବକ ଲୁହାକୁ ଟାଣିବା ଭଳି ଜଣେ ବ୍ୟକ୍ତି ତା’ର ସର୍ବାଧିକ ସମ୍ଭବ ଲାଭଜନକ ବା ସନ୍ତୋଷଦାୟକ ନିଯୁକ୍ତି ଦିଗକୁ ଆକର୍ଷିତ ହେବ। କେତେକଙ୍କୁ ଆର୍ଥିକ ଉପାର୍ଜନ ଅପେକ୍ଷା ସାମାଜିକ ପ୍ରତିଷ୍ଠା ଅଧିକ ଆକର୍ଷିତ ‌କରିଥାଏ। ଭାରତୀୟ ସମାଜର ବର୍ଦ୍ଧିଷ୍ଣୁ ଔପନିବେଶିକ ମାନସିକତାର ପ୍ରଭାବରେ ଏଭଳି କେତେକ ଇଞ୍ଜିନିଅର୍ ସିଭିଲ୍‌ ସର୍ଭିସ୍‌ ପ୍ରତି ଆକର୍ଷିତ ହୋଇଥାନ୍ତି। କିନ୍ତୁ ପ୍ରଶ୍ନ ଉଠେ, ଯେଉଁମାନଙ୍କୁ ପ୍ରସ୍ତୁତ କରିବାରେ ରାଷ୍ଟ୍ର ପ୍ରଭୂତ ସମ୍ବଳ ବିନିଯୋଗ କରିଛି, ସେମାନେ ରାଷ୍ଟ୍ରର ସ୍ବାର୍ଥକୁ ପଦାଘାତ କରି ନିଜର ବ୍ୟକ୍ତିଗତ ସ୍ବାର୍ଥକୁ ଅନୁସରଣ କରିବା ଗ୍ରହଣୀୟ କି? ଏହା ‘ଆଇଏମ୍‌ଏ’ରୁ ଉତ୍ତୀର୍ଣ୍ଣ ଯୋଦ୍ଧାମାନେ ହୋଟେଲ୍‌ ପରିଚାଳକ ହେବା ଭଳି ନୁହେଁ କି? ଏହା ହିଁ ହେଉଛି ପ୍ରଫେସର କାମକୋଟିଙ୍କ ପ୍ରଶ୍ନ।