ହୋମର୍ଙ୍କ ମହାକାବ୍ୟ ‘ଓଡିସି’ର ନାୟକ ଗ୍ରୀକ୍ ବୀର ଓଡିସିଅସ୍ (ୟୁଲିସେସ୍ ନାମରେ ମଧ୍ୟ ପରିଚିତ) ଟ୍ରୋଜାନ୍ ଯୁଦ୍ଧରୁ ବାହୁଡ଼ିବା ବାଟରେ ସାଇରେନ୍ମାନଙ୍କ ତରଫରୁ ବିପଦର ସମ୍ମୁଖୀନ ହୋଇ ପାରନ୍ତି ବୋଲି ଆଶଙ୍କା କରୁଥିଲେ। ସାଇରେନ୍ମାନେ ହେଉଛନ୍ତି ଏକ ଦ୍ବୀପରେ ବାସ କରୁଥିବା ଅଧା-ନାରୀ, ଅଧା-ବିହଙ୍ଗ ଶରୀରଧାରିଣୀ ସମ୍ମୋହନକାରିଣୀମାନେ ଯେଉଁମାନଙ୍କର ସୁଲଳିତ ସଙ୍ଗୀତ ଯାହାର କାନରେ ପଡ଼େ ସେ ସମ୍ପୂର୍ଣ୍ଣ ରୂପେ ସମ୍ମୋହିତ ହୋଇ ନିଜର ବୁଦ୍ଧିବିବେକ ହରାଇ ବସି ନିଜର ଧ୍ବ˚ସ ସାଧନ କରିବସେ। ଓଡିସିଅସ୍ ତେଣୁ ଏହି ବିପଦ ଟାଳିବା ପାଇଁ ତାଙ୍କ ଜାହାଜ ସେଇ ଦ୍ବୀପ ବାଟ ଦେଇ ଯିବା ବେଳେ ତାଙ୍କର ସମସ୍ତ ନାବିକମାନଙ୍କ କାନ ମହମବିଣ୍ତା ଦେଇ ନିବୁଜ କରି ଦେଇଥିଲେ, କେବଳ ନିଜ କାନ ଖୋଲା ରଖିଥିଲେ। ସେ କିନ୍ତୁ ନିଜକୁ ନିଜର ନାବିକମାନଙ୍କ ଦ୍ବାରା ଜାହାଜର ମାସ୍ତୁଲରେ ଏପରି ଶକ୍ତ ଭାବରେ ବାନ୍ଧି ଦେଇଥିଲେ ଯେପରି ସାଇରେନ୍ମାନଙ୍କ ସଙ୍ଗୀତ ଶୁଣି ନିଜ ଉପରୁ ନିୟନ୍ତ୍ରଣ ହରାଇଲେ ମଧ୍ୟ ସେ ସେଇ ବନ୍ଧନରୁ ମୁକୁଳି ପାରିବେ ନାହିଁ କି କାହାର କିଛି କ୍ଷତି ଘଟାଇ ପାରିବେ ନାହିଁ। ଏହି ଆତ୍ମନିୟନ୍ତ୍ରଣ ମାଧ୍ୟମରେ ଓଡିସିଅସ୍ ନିରାପଦରେ ସେଇ ବିପଦସଙ୍କୁଳ ସାଇରେନ୍ମାନଙ୍କ ଦ୍ବୀପ ପାର ହୋଇଯିବାରେ ସଫଳ ହୋଇଥିଲେ।
ବର୍ତ୍ତମାନ ପୃଥିବୀରେ କୃତ୍ରିମ ମେଧା (‘ଏଆଇ’) ଜଗତରେ ନାୟକ ଭୂମିକାରେ ଆବିର୍ଭୂତ ହୋଇଥିବା ‘ଚାଟ୍ଜିପିଟି’ର ସ୍ରଷ୍ଟା ‘ଓପନ୍ଏଆଇ’ କମ୍ପାନିର ସିଇଓ ସାମ୍ ଆଲ୍ଟମ୍ୟାନ୍ ଯେଉଁଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବା ଦେଖାଯାଉଛି, ତାଙ୍କୁ ସେଥିପାଇଁ ବର୍ତ୍ତମାନ ସମୟର ଓଡିସିଅସ୍ ବୋଲି ବିଚାର କରିବା ଭୁଲ୍ ହେବ ନାହିଁ। ଗତ ନଭେମ୍ବରରେ କୃତ୍ରିମ ମେଧା ଦୃଶ୍ୟପଟରେ ‘ଚାଟ୍ଜିପିଟି’ ନାମକ ଭାଷାଭିତ୍ତିକ ‘ଚାଟ୍ବଟ୍’ର ଆବିର୍ଭାବ ପର ଠାରୁ କୃତ୍ରିମ ମେଧାର ଦୁରୁପଯୋଗଜନିତ ବିଭିନ୍ନ ବିପଜ୍ଜନକ ସମ୍ଭାବନାମାନ ସମ୍ବନ୍ଧରେ ପୃଥିବୀବ୍ୟାପୀ ଚର୍ଚ୍ଚା ଜୋର ଧରିଛି। ଏହି ସମୟରେ ଦେଖିବାକୁ ମିଳିଛି ‘ଏଆଇ’ର ଯୁବନାୟକ ୩୮ ବର୍ଷୀୟ ସାମ୍ ଆଲ୍ଟମ୍ୟାନ୍ ଆମେରିକାରୁ ଭାରତ ପର୍ଯ୍ୟନ୍ତ ଗସ୍ତ କରି ସରକାରମାନଙ୍କୁ ଅନୁରୋଧ କରି ଚାଲିଛନ୍ତି: ‘‘ଆମକୁ ନିୟନ୍ତ୍ରଣ କର’’; ଠିକ୍ ଯେମିତି ଓଡିସିଅସ୍ ତାଙ୍କ ନାବିକମାନଙ୍କୁ କହିଥିଲେ। ସେ ‘ଏଆଇ’କୁ ଆଣବିକ ଶକ୍ତି ସହିତ ତୁଳନା କରି ତାହାକୁ ନିୟନ୍ତ୍ରଣ କରି ତା’ର ବ୍ୟବହାରକୁ ନିରାପଦ ରଖିବା ପାଇଁ ଯେମିତି ‘ଇଣ୍ଟର୍ନେସ୍ନାଲ୍ ଆଟମିକ୍ ଏନର୍ଜି ଏଜେନ୍ସି’ କାର୍ଯ୍ୟ କରିଥାଏ, ‘ଏଆଇ’ର ବ୍ୟବହାରକୁ ସେଇଭଳି ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯିବା ଆବଶ୍ୟକ ବୋଲି ଆହ୍ବାନ ଦେଇ ଚାଲିଛନ୍ତି। ଭାରତର ପ୍ରଧାନମନ୍ତ୍ରୀଙ୍କ ସହିତ ସପ୍ତାହକ ତଳେ ତାଙ୍କର ସାକ୍ଷାତକାର ସମୟରେ ସାମ୍ ଆଲ୍ଟମ୍ୟାନ୍ ତାଙ୍କର ଏହି ଆହ୍ବାନକୁ ଦୋହରାଇବା ଦେଖାଯାଇଥିଲା।
ଆଲ୍ଟମ୍ୟାନ୍ଙ୍କ ଏହି ଆହ୍ବାନର ଉତ୍ତର ଭଳି ପୃଥିବୀର ସର୍ବପ୍ରଥମ ରାଷ୍ଟ୍ର ସଙ୍ଗଠନ ରୂପେ ‘ଇଉରୋପିଆନ୍ ୟୁନିଅନ୍’ (‘ଇୟୁ’) ‘ଓଡିସିଅସ୍’ ସାମ୍ ଆଲ୍ମ୍ୟାନ୍ଙ୍କୁ ନିୟନ୍ତ୍ରଣ ରଜ୍ଜୁରେ ବାନ୍ଧିବାକୁ ବର୍ତ୍ତମାନ ଆଗେଇ ଆସିଛି। ଏହି ଉଦ୍ୟମର ଅ˚ଶ ସ୍ବରୂପ ‘ଇଉରୋପିଆନ୍ ପାର୍ଲିଆମେଣ୍ଟ୍’ ଏବେ ଏ ସମ୍ପର୍କିତ ଏକ ଆଇନ ପ୍ରଣୟନର ପ୍ରଥମ ପଦକ୍ଷେପ ଆକାରରେ ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆକ୍ଟ’ର ଚିଠାକୁ ଅନୁମୋଦନ ପ୍ରଦାନ କରିଛି। ତେବେ ଯଦି କେହି ଆଶା କରୁଥାନ୍ତି ବିଜ୍ଞାନ ଉପନ୍ୟାସ କାହାଣୀମାନଙ୍କରେ ଦେଖା ଯାଇଥିବା ଭଳି ‘ଏଆଇ’କୁ ନିୟନ୍ତ୍ରଣ କରିବା ନିମିତ୍ତ ଉଦ୍ଦିଷ୍ଟ ଏହି ଚିଠା ଆଇନ ଏକ ସରଳ ଓ ସିଧାସଳଖ ଆଇନ ହେବାକୁ ଯାଉଛି, ସେମାନଙ୍କୁ ନିଶ୍ଚିତ ହତାଶ ହେବାକୁ ପଡ଼ିବ। ଯେମିତି ଉଦାହରଣ ସ୍ବରୂପ ଆଇଜାକ୍ ଆସିମୋଭ୍ଙ୍କ ଲୋକପ୍ରିୟ ବୁଦ୍ଧିମାନ ରୋବଟ୍ କାହାଣୀମାନଙ୍କର ଏହି ‘ଏଆଇ’ଧାରୀ ଯନ୍ତ୍ରମାନଙ୍କ ପ୍ରତି ମାତ୍ର ତିନିଟି ନିୟମ ଲାଗୁ ହୋଇଥାଏ: କେବେହେଲେ ମନୁଷ୍ୟର କୌଣସି କ୍ଷତି ଘଟାଅ ନାହିଁ; ମନୁଷ୍ୟର ନିର୍ଦ୍ଦେଶ ପାଳନ କରି କାର୍ଯ୍ୟ କର; ନିଜକୁ ରକ୍ଷା କର। ଆସିମୋଭ୍ଙ୍କ କାହାଣୀର ରୋବଟ୍ମାନେ ବହନ କରୁଥିବା କାଳ୍ପନିକ କୃତ୍ରିମ ମେଧା ଅପେକ୍ଷା ଆଲ୍ଟମ୍ୟାନ୍ଙ୍କ ଭଳି ବୈଜ୍ଞାନିକମାନଙ୍କ ଦ୍ବାରା ସୃଷ୍ଟ ବାସ୍ତବ ‘ଏଆଇ’ ହେଉଛି ବହୁଗୁଣ ଅଧିକ ଜଟିଳ, ଶକ୍ତିଶାଳୀ ଓ ସମ୍ଭାବନାପୂର୍ଣ୍ଣ ପ୍ରବିଧି। ଏହାର ପ୍ରତ୍ୟେକ ସମ୍ଭାବ୍ୟ ଦୁରୁପଯୋଗକୁ ଦୃଷ୍ଟିରେ ରଖି ତାହାକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଆଇନ ପ୍ରଣୟନ କରାନଯାଏ ତେବେ ମାନବ ସମାଜ ପାଇଁ ତା’ର ପରିଣାମ ଭୟାବହ ହେବ। ଏହାକୁ ଦୃଷ୍ଟିରେ ରଖି ‘ଇୟୁ’ ଯେଉଁ ଚିଠା ଆଇନ ପ୍ରଣୟନ କରିଛି, ତାହା ସ୍ବାଭାବିକ ଭାବରେ ଜଟିଳ ହୋଇଛି।
ତେବେ ଏହି ଜଟିଳତା ସତ୍ତ୍ବେ ପ୍ରକାଶ ପାଇଥିବା ଚିଠା ଆଇନରେ କେତେକ ଉତ୍ତମ ଚିନ୍ତାଧାରା ଅନ୍ତର୍ଭୁକ୍ତ ହୋଇଥିବା ଦେଖାଯାଇଥାଏ। ଉଦାହରଣ ସ୍ବରୂପ ‘ଚାଟ୍ଜିପିଟି’ ପରି ଚାଟ୍ବଟ୍ ମାନ ଇଣ୍ଟର୍ନେଟ୍ ରୂପକ ଅଗାଧ ସମୁଦ୍ରରୁ ସ˚ଗ୍ରହ କରିଥିବା ତଥ୍ୟ ବ୍ୟବହାର କରି କାର୍ଯ୍ୟ କରିଥାନ୍ତି। ଏଥିରୁ ଅନେକ ତଥ୍ୟ କପିରାଇଟ୍ ଆଇନ ଦ୍ବାରା ସୁରକ୍ଷିତ ହୋଇଥିବାର ସମ୍ଭାବନା ଥାଏ। ଚିଠା ଆଇନ ଅନୁସାରେ ସମ୍ପୃକ୍ତ ଚାଟ୍ବଟ୍କୁ ଘୋଷଣା କରିବାକୁ ପଡ଼ିବ ତାହା କୌଣସି କପିରାଇଟ୍ ଥିବା ବିଷୟବସ୍ତୁ ବ୍ୟବହାର କରିଛି କି ନାହିଁ। ଯେଉଁଠି ବିଶୁଦ୍ଧ ନକଲି ବିଷୟବସ୍ତୁ ସୃଷ୍ଟି କରାଯାଇଥାଏ, ସେଠାରେ ତାହାକୁ ‘ନକଲି’ ବୋଲି ଚିହ୍ନିତ କରିବାକୁ ହେବ। ଚିଠା ଆଇନର ମୁଖ୍ୟ ଆଭିମୁଖ୍ୟ ହେଉଛି ‘ଏଆଇ’ର ପ୍ରୟୋଗକୁ ଏହାର କ୍ଷତିକାରକ ସମ୍ଭାବନା ଅନୁସାରେ ବିଭିନ୍ନ ଶ୍ରେଣୀଭୁକ୍ତ କରିବା। ଉଦାହରଣ ସ୍ବରୂପ ସ୍ପାମ୍ ଫିଲ୍ଟର, ଭିଡିଓ ଗେମ୍ ଆଦିକୁ ସର୍ବନିମ୍ନ ବିପଜ୍ଜନକ ଶ୍ରେଣୀଭୁକ୍ତ କରାଯାଇଥିବା ବେଳେ, ଯେଉଁ ପ୍ରୟୋଗ ମାଧ୍ୟମରେ ନିଯୁକ୍ତିକୁ ପ୍ରଭାବିତ କରାଯାଇ ପାରିବ, ତାହାକୁ ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀଭୁକ୍ତ କରାଯାଇଛି। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିନାନୁମତିରେ ତାଙ୍କର ମୁଖମଣ୍ତଳ ଅନୁଶୀଳନ କରି ତାଙ୍କୁ ଚିହ୍ନଟ କରିବାକୁ ‘ଏଆଇ’ର ଏକ ବିପଜ୍ଜନକ ପ୍ରୟୋଗ ରୂପେ ବିଚାର କରାଯାଇଛି।
‘ଇୟୁ’ ସର୍ବପ୍ରଥମେ ‘ଏଆଇ’ର ପ୍ରୟୋଗକୁ ନିୟନ୍ତ୍ରଣ କରିବା ନିମିତ୍ତ ଆଇନ ପ୍ରଣୟନ କରିବା ସାରା ପୃଥିବୀ ପାଇଁ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇଥାଏ। ତାହାର ସରଳ କାରଣ ହେଲା ‘ଇୟୁ’ ପ୍ରଣୟନ କରିଥିବା ଏଭଳି ନିୟନ୍ତ୍ରଣ ଆଇନ ଏତେ କଠୋର ହୋଇଥାଏ ଯେ ପୃଥିବୀ ସାରା କମ୍ପାନିମାନେ ତାହାକୁ ପାଳନ କରିବାକୁ ପସନ୍ଦ କରିଥାନ୍ତି। ଏହା ଦ୍ବାରା ସେମାନେ ଯେ କୌଣସି ଦେଶରେ ବ୍ୟବସାୟ କରିବା ସୁଗମ ହୋଇଥାଏ। ଅନ୍ୟ ଦେଶମାନେ ଯେତେବେଳେ ନିଜର ଆଇନ ପ୍ରଣୟନ କରନ୍ତି, ସେମାନେ ‘ଇୟୁ’ ଆଇନକୁ ଆଦର୍ଶ ରୂପେ ଗ୍ରହଣ କରି ତାହାକୁ ସମ୍ପୂର୍ଣ୍ଣ ବା ଆ˚ଶିକ ରୂପେ ଅନୁକରଣ କରିବା ଦେଖା ଯାଇଥାଏ। ଉଦାହରଣ ସ୍ବରୂପ ୨୦୧୮ରେ ଡେଟା ସୁରକ୍ଷା ଉଦ୍ଦେଶ୍ୟରେ ‘ଇୟୁ’ ପ୍ରଣୟନ କରିଥିବା ‘ଜେନେରାଲ୍ ଡେଟା ପ୍ରୋଟେକ୍ସନ୍ ରେଗୁଲେସନ୍’ (‘ଜିଡିପିଆର୍’) ବର୍ତ୍ତମାନ ଆନ୍ତର୍ଜାତିକ ମାନକରେ ପରିଣତ ହୋଇଛି। ତେବେ ଏହା ମଧ୍ୟ ସତ ଯେ ନିୟନ୍ତ୍ରଣ ଆଇନ ଯଦି ଅତ୍ୟଧିକ କଠୋର ହୁଏ, ତେବେ ଭବିଷ୍ୟତରେ ଏହି ନୂତନ ପ୍ରବିଧିର ବିକାଶ ବାଧାପ୍ରାପ୍ତ ହେବ। ଓଡିସିଅସ୍ଙ୍କ ବନ୍ଧନ ଅତି ଶକ୍ତ ହୋଇ ଯଦି ଆଉ ଫିଟି ନପାରେ, ତେବେ ସେ ଚିରଦିନ ବନ୍ଦୀ ଅବସ୍ଥାରେ ରହିଯିବେ।