ଖ୍ୟାତନାମା ଆମେରିକୀୟ ପଦାର୍ଥବିଜ୍ଞାନୀ ସ୍ବର୍ଗୀୟ ଅର୍ଚିବାଲ୍ଡ ହୁଇଲର୍ଙ୍କ କହିବା ଅନୁସାରେ ସେ ଥରେ ଏକ ସାଧାରଣ ଶୌଚାଳୟ ବ୍ୟବହାର କରିବା ଅବସରରେ ସେଠାରୁ ‘ସମୟ’ ଓ ‘ସ୍ଥାନ ପ୍ରସରଣ’ (‘ଟାଇମ୍’ ଆଣ୍ତ୍ ‘ସ୍ପେସ୍’) ସମ୍ବନ୍ଧରେ ଏକ ସମ୍ପୂର୍ଣ୍ଣ ଭିନ୍ନ ସ୍ବାଦର ମୌଳିକ ଧାରଣା ସ˚ଗ୍ରହ କରିଥିଲେ। ଜଣେ କେହି ସେ ଶୌଚାଳୟ କାନ୍ଥରେ ଲେଖି ଦେଇଥିଲା: ‘‘ପ୍ରକୃତି ‘ସମୟ’ ଉଦ୍ଭାବନ କରିଛି ଏହା ନିଶ୍ଚିତ କରିବା ପାଇଁ ଯେମିତି ସ˚ସାରର ସମସ୍ତ ଘଟଣା ଏକ ସମୟରେ ନଘଟେ, ‘ସ୍ଥାନ ପ୍ରସରଣ’ ଉଦ୍ଭାବନ କରିଛି ଏହା ନିଶ୍ଚିତ କରିବା ପାଇଁ ଯେମିତି ସ˚ସାରର ସମସ୍ତ ଘଟଣା ଗୋଟିଏ ସ୍ଥାନରେ ନଘଟେ।’’ ଘଟଣାମାନଙ୍କର ଏହି କାଳଗତ ଓ ସ୍ଥାନଗତ ବିକ୍ଷେପ ପୃଥିବୀ ପୃଷ୍ଠରେ ମାନବ ଜୀବନକୁ କିଭଳି ପ୍ରଭାବିତ କରିଛି, ଯଦି କେହି ତା’ର ବର୍ଣ୍ଣନା କରିବସେ, ସେ ଅନତିବିଳମ୍ବେ ହୃଦୟଙ୍ଗମ କରିବା ନିଶ୍ଚିତ ଯେ ତାହା ହେଉଛି ଏକ ଅସରନ୍ତି ଉଦ୍ୟମ।
ଏଥି ମଧ୍ୟରୁ ଗୋଟିଏ ହେଉଛି, ଏହି ବିକ୍ଷେପରୁ ସୃଷ୍ଟି ହୋଇଛି ଗମନାଗମନର ଆବଶ୍ୟକତା। ମାନବ ଇତିହାସ ସାରା ଏହି ଆବଶ୍ୟକତା ପୂରଣ ନିମିତ୍ତ ମନୁଷ୍ୟ ନିରନ୍ତର ନୂତନ ଉପାୟମାନ ଉଦ୍ଭାବନ କରିଚାଲିଛି - ବଳଦଗାଡ଼ିରୁ ଜେଟ୍ବିମାନ ପର୍ଯ୍ୟନ୍ତ - ଯେମିତି ଆହୁରି କମ୍ ସମୟରେ ଆହୁରି ଅଧିକ ଦୂରତା ଅତିକ୍ରମ କରାଯାଇପାରିବ। ଗମନାଗମନ ପ୍ରବିଧିରେ ଘଟିଚାଲିଥିବା ଏହି ବିବର୍ତ୍ତନର ଫଳ ସ୍ବରୂପ ଆଜି ପୃଥିବୀର ଏକ ପ୍ରାନ୍ତରେ ପ୍ରାତଃଭୋଜନ କରିଥିବା ଜଣେ ଯାତ୍ରୀ ପୃଥିବୀର ଆର ପ୍ରାନ୍ତରେ ରାତ୍ରି ଭୋଜନ କରିପାରୁଛି। କିନ୍ତୁ ଏହି କାହାଣୀରେ ଏକ ବିଡ଼ମ୍ବନା ଭଳି ନିଜର ବୁଦ୍ଧି ବଳରେ ବିଶାଳ ଦୂରତା ଉପରେ ଏଭଳି ବିଜୟ ହାସଲ କରିଥିବା ମନୁଷ୍ୟ ହାର ମାନିବା ଦେଖାଯାଉଛି ସ୍ଥାନୀୟ ଦୂରତା ନିକଟରେ।
ମନୁଷ୍ୟ ଗମନାଗମନର ସାଧନ ଉଦ୍ଭାବନ କରିବାରେ ହାସଲ କରିଥିବା ସମସ୍ତ ସଫଳତାରେ ଯାହା ହେଉଛି ସର୍ବାଧିକ ଚମକପ୍ରଦ, ତାହା ହେଉଛି ନିଃସନ୍ଦେହରେ ମଟରଗାଡ଼ି। ମଟରକାର୍ର ଆବିର୍ଭାବ ପରେ ଆରାମରେ ଦୂର ପଥ ଅତିକ୍ରମ କରିବା ସହଜ ହୋଇଯାଇଛି ସତ, କିନ୍ତୁ ସହରମାନଙ୍କରେ ଏହି ଯାନର ଏଭଳି ବ˚ଶବୃଦ୍ଧି ଘଟିଛି ଯେ ପୃଥିବୀର ଅଧିକା˚ଶ ସହରର ରାସ୍ତାଘାଟରେ ସେମାନେ ଘଟାଇଥିବା ଭିଡ଼ ଯୋଗୁଁ ସେମାନଙ୍କର ଗତି କଚ୍ଛପ ସଦୃଶ ହେବାକୁ ବାଧ୍ୟ ହୋଇଛି। ଭାରତର ବାଙ୍ଗାଲୋର, ବମ୍ବେ, ଦିଲ୍ଲୀ ଭଳି ସହର ତଥା ଅନ୍ୟାନ୍ୟ ବଡ଼ ବଡ଼ ସହରମାନଙ୍କରେ ଯେଉଁମାନଙ୍କୁ ପ୍ରତିଦିନ କାର୍ଯ୍ୟାଳୟକୁ ଯାତ୍ରା କରିବାକୁ ପଡ଼ିଥାଏ, କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ମଟରଗାଡ଼ିରେ ରାସ୍ତାକୁ ଓହ୍ଲାଇାବକୁ ପଡ଼ିଥାଏ, ଏହି କାରଣରୁ ସେମାନେ ସମ୍ମୁଖୀନ ହେଉଥିବା ଯନ୍ତ୍ରଣା ଅବର୍ଣ୍ଣନୀୟ ହୋଇଥାଏ।
ମଟରକାର୍ ଯୋଗୁଁ ସଡ଼କରେ ଭିଡ଼ ସୃଷ୍ଟି ହେବାର ଅନ୍ୟତମ କାରଣ ହେଉଛି ଏହି ଯାନର ଆକାର। ଶକ୍ତି ବ୍ୟବହାର ଦୃଷ୍ଟିରୁ ଦେଖିଲେ କାର୍ ମଧ୍ୟ ଏକ ଅଦକ୍ଷ ଯନ୍ତ୍ର ରୂପେ ଆବିର୍ଭୂତ ହୋଇଥାଏ। ଗୋଟିଏ କାର୍ ସକ୍ରିୟ ହେବା ପାଇଁ ଯେତିକି ଶକ୍ତି ଭକ୍ଷଣ କରିଥାଏ, ତାହାର ଏକ କ୍ଷୁଦ୍ର ଅ˚ଶମାତ୍ର ତାକୁ ଗତିଶୀଳ କରିବାରେ ନିୟୋଜିତ ହୋଇଥାଏ- ୧୫-୨୦ ଶତା˚ଶ ମାତ୍ର। ବାକିତକ ଶକ୍ତିର କିଛି ଅ˚ଶ ନଷ୍ଟ ହୋଇଥାଏ ଇଞ୍ଜିନ୍ ଅଭ୍ୟନ୍ତରରେ, କିଛି ନଷ୍ଟ ହୋଇଥାଏ ଚକାରେ, କିଛି ନଷ୍ଟ ହୋଇଥାଏ ଶକ୍ତି ସରବରାହକାରୀ ଯନ୍ତ୍ରା˚ଶମାନଙ୍କରେ (ପାଵାର୍ ଟ୍ରେନ୍), ଇତ୍ୟାଦି। କାର୍ ହେଉଛି ଏକ ଚଳମାନ ବୈଠକଖାନା ଭଳି; ଏହାକୁ ଆରୋହୀମାନଙ୍କ ପାଇଁ ଆରାମପ୍ରଦ କରିବା ନିମିତ୍ତ ଶୀତତାପ ନିୟନ୍ତ୍ରିତ କରିବାରେ ମଧ୍ୟ ଉତ୍ପନ୍ନ ଶକ୍ତିର ଏକ ବିଶେଷ ଅ˚ଶ ନିୟୋଜିତ ହୋଇଥାଏ। ଏ ସମସ୍ତ କାରଣରୁ ସହରର ଗହଳି ଭେଦ କରି କାର୍ରେ ଯାତ୍ରା କରିବା କେବଳ ମନ୍ଥର ହୋଇଥାଏ, ତାହା ନୁହେଁ, ବ୍ୟୟବହୁଳ ମଧ୍ୟ ହୋଇଥାଏ। ପ୍ରଦୂଷଣ ମଧ୍ୟ ହେଉଛି ଏହାର ଏକ ପାର୍ଶ୍ବ କୁଫଳ।
ଯେଉଁମାନେ ଯାତ୍ରା କରିବା ପାଇଁ ବୈଠକଖାନାର ଆରାମ ଆବଶ୍ୟକ କରନ୍ତି ନାହିଁ, କେବଳ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଏକମାତ୍ର ଲକ୍ଷ ହୋଇଥାଏ ଓ ସାଧାରଣତଃ ଏକାକୀ ଯାତ୍ରୀ ହୋଇଥାନ୍ତି, ସେମାନଙ୍କ ପାଇଁ ଏହି ଭିଡ଼ ଭେଦ କରି ଅପେକ୍ଷାକୃତ ଶୀଘ୍ର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ନିମିତ୍ତ ଏହି ଚାରିଚକିଆ ଯାନର ଏକ ବିକଳ୍ପ ସ୍ବୟ˚ଚାଳିତ ଯାନ ଉପଲବ୍ଧ ଅଛି- ଦୁଇଚକିଆ ମଟରବାଇକ୍। କାର୍ ଭିଡ଼ରେ ଅଟକି ଯାଉଥିବା ବେେଳ, ବାଇକ୍ ଯେମିତି ଭିଡ଼ କାଟି କାଟି ଗତି କରିପାରେ, ଅଣଓସାରିଆ ରାସ୍ତାରେ ଅବସ୍ଥିତ ଗନ୍ତବ୍ୟସ୍ଥଳୀ ସେହିପରି କାର୍ ପାଇଁ ଅପହଞ୍ଚ ହୋଇଥିବା ବେଳେ, ବାଇକ୍ ପାଇଁ କୌଣସି ସମସ୍ୟା ସୃଷ୍ଟି କରି ନଥାଏ। ବାଇକ୍ରେ ଯାତ୍ରା କାର୍ ଭଳି ଶକ୍ତି ଅପଚୟ ଘଟାଇ ନଥାଏ ତଥା ବ୍ୟୟବହୁଳ ହୋଇ ନଥାଏ।
ନିକଟ ଅତୀତରେ ସହରମାନଙ୍କରେ ଯାତ୍ରା ପାଇଁ ସହଜରେ କାର୍ଟିଏ ଉପଲବ୍ଧ କରାଇବା ପାଇଁ ‘ଉବର୍’, ‘ଓଲା’ ଆଦି ଭଳି ଯାତ୍ରା-ଏକତ୍ରକାରୀ ‘ଆପ୍’ମାନଙ୍କର ଆବିର୍ଭାବ ସହରର ରାସ୍ତାମାନଙ୍କରେ କାର୍ ଭିଡ଼ରେ ଯେ ଆହୁରି ବୃଦ୍ଧି ଘଟାଇଛି, ଏଥିରେ ସନ୍ଦେହ ନାହିଁ। କେତେକଙ୍କ ପାଇଁ ଏହି ସମସ୍ୟାର ଏକ ଆ˚ଶିକ ସମାଧାନର ଉପାୟ ସ୍ବରୂପ ଅନ୍ୟାନ୍ୟ କେତେକ ଦେଶ (ଇଣ୍ତୋନେସିଆ, ଥାଇଲାଣ୍ଡ, ଫିଲିପିନ୍ସ ଇତ୍ୟାଦି) ଭଳି ଭାରତର କେତେକ ସହରରେ ଦୁଇଚକିଆ ମଟରବାଇକ୍ ପାଇଁ ମଧ୍ୟ ଯାତ୍ରା-ଏକତ୍ରକାରୀ ଆପ୍ମାନ- ‘ରାପିଡୋ’, ‘ଉବର୍ ମଟୋ’ ଆଦି ଭଳି ପ୍ରାୟ ପାଞ୍ଚଗୋଟି ‘ଆପ୍’ ନିକଟରେ କାର୍ଯ୍ୟ କରିବା ଆରମ୍ଭ ହୋଇଯାଇଥିଲା। ପ୍ରାୟ ଶହେଟି ଭାରତୀୟ ସହରରେ ଏମାନଙ୍କ ଉପସ୍ଥିତି ଥିବା ଏକ ଆକଳନରୁ ଜଣାପଡ଼ିଥାଏ। କିନ୍ତୁ ‘ବାଇକ୍ ଟ୍ୟାକ୍ସି’ମାନଙ୍କର ଏଭଳି ସ୍ପଷ୍ଟ ଉପଯୋଗିତା ସତ୍ତ୍ବେ ଭାରତର କେତେକ ରାଜ୍ୟ ଓ ସହରରେ ଏଗୁଡ଼ିକୁ ନିଷିଦ୍ଧ କରାଯିବା ଦେଖାଯାଇଛି। ଉଦାହରଣ ସ୍ବରୂପ ମହାରାଷ୍ଟ୍ର, ଦିଲ୍ଲୀ, ଇନ୍ଦୋରରେ ବାଇକ୍ ଟ୍ୟାକ୍ସି ଚଳାଚଳ ନିଷିଦ୍ଧ ହୋଇଥିବା ବେଳେ କର୍ଣ୍ଣାଟକ ଓ ତାମିଲନାଡୁ ଜାରି କରିଥିବା ନିଷେଧାଦେଶ ଉପରେ ସମ୍ପୃକ୍ତ ହାଇକୋର୍ଟମାନେ ସ୍ଥଗିତାଦେଶ ଲାଗୁ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ଗତ ସପ୍ତାହରେ ସୁପ୍ରିମ୍ କୋର୍ଟ ଦିଲ୍ଲୀ ରାଜ୍ୟ ସରକାର ଏକ ଦୁଇଚକିଆ ଟ୍ୟାକ୍ସି ନୀତି ପ୍ରଣୟନ ନକଲା ପର୍ଯ୍ୟନ୍ତ ସେଠାରେ ବାଇକ୍ ଟ୍ୟାକ୍ସି ଚଳାଚଳ ଉପରେ ସେ ରାଜ୍ୟ ସରକାର ଲାଗୁ କରିଥିବା ନିଷେଧାଦେଶ ବଳବତ୍ତର ରହିବ ବୋଲି ଦେଇଥିବା ରାୟ ଏହି ନୂତନ ଡିଜିଟାଲ୍ ବ୍ୟବସାୟ ପାଇଁ ଏକ ଗତିରୋଧକାରୀ ଧକ୍କା ହୋଇଥିବା ବେଳେ, ଏହାର ଅସ˚ଖ୍ୟ ବ୍ୟବହାରକାରୀମାନଙ୍କୁ ହତାଶ କରିବ। କେବଳ ଦିଲ୍ଲୀରେ ପ୍ରାୟ ୩୫,୦୦୦ ବାଇକ୍ ଟ୍ୟାକ୍ସି ଥିଲାବେଳେ ସୁପ୍ରିମ୍ କୋର୍ଟ ରାୟ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ଏହାକୁ ନିଷେଧ କରିବାକୁ ଉତ୍ସାହିତ କରିବ। ବାଙ୍ଗାଲୋରସ୍ଥିତ ‘ରାପିଡୋ’ ପ୍ରକାଶ କରିଥିବା ସୂଚନା ଅନୁସାରେ ଏପର୍ଯ୍ୟନ୍ତ ପ୍ରାୟ ୨.୫ କୋଟି ଥର ଏହାର ଆପ୍ ଡାଉନ୍ଲୋଡ୍ ହୋଇସାରିଲାଣି। ଏଥିରୁ ଏହି ଦୁଇଚକିଆ ସହରୀ ଯାତ୍ରା ମାଧ୍ୟମର ବ୍ୟାପକ ଲୋକପ୍ରିୟତା ସହଜେ ଅନୁମେୟ। କେବଳ ସେତିକି ନୁହେଁ, ଲକ୍ଷ ଲକ୍ଷ ଯୁବକ ବାଇକ୍ ଟ୍ୟାକ୍ସି ଚାଳନ (କ୍ୟାପଟେନ୍) ରୂପେ କାର୍ଯ୍ୟ କରିବା ନିମିତ୍ତ ଚୁକ୍ତି କରି ଅପେକ୍ଷା କରି ରହିଛନ୍ତି। ସେମାନଙ୍କୁ ଏଭଳି ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯିବା ଅନ୍ୟାୟ। ରାଜ୍ୟ ସରକାରମାନେ ଯେତେ ଶୀଘ୍ର ଏ ସମ୍ପର୍କିତ ନୀତି ପ୍ରଣୟନ କରି ବାଇକ୍ ଟ୍ୟାକ୍ସିକୁ ଚଳମାନ କରିବେ, ସମସ୍ତଙ୍କ ପାଇଁ ତାହା ସେତେ ମଙ୍ଗଳପ୍ରଦ ହେବ।