ମୃତ୍ୟୁ ଭୟ

‘‘ଜାତସ୍ୟ ହି ଧ୍ରୁବୋ ମୃତ୍ୟୁଃ ଧ୍ରୁବମ୍‌ ଜନ୍ମ ମୃତସ୍ୟ ଚ। ତସ୍ମାତ୍‌ ଅପରିହାର୍ଯ୍ୟେ ଅର୍ଥେ ନା ତ୍ବମ୍‌ ଶୋଚିତୁମର୍ହସି।।’’ ଏହି ଗୀତାଜ୍ଞାନ ଅନୁସାରେ ଯିଏ ଜନ୍ମ ହୋଇଥାଏ ତା’ର ମୃତ୍ୟୁ ସୁନିଶ୍ଚିତ, ଏବ˚ ଯିଏ ମୃତ୍ୟୁ ଲାଭ କରିଥାଏ ତା’ର ଜନ୍ମ ସୁନିଶ୍ଚିତ; ତେଣୁ ଯାହା ଅନିବାର୍ଯ୍ୟ ତା’ ପାଇଁ ଶୋଚନା କରିବା ଉଚିତ ନୁହେଁ। ଜୁନ୍‌ ୧୮ରେ ଆମେରିକା ନିକଟବର୍ତ୍ତୀ ଉତ୍ତର ଆଟ୍‌ଲାଣ୍ଟିକ୍‌ ମହାସାଗରରେ ‘ଟାଇଟାନ୍‌’ ନାମକ ଯେଉଁ କ୍ଷୁଦ୍ର ବୁଡ଼ାଜାହାଜ ଦୁର୍ଘଟଣାରେ ସମସ୍ତ ପାଞ୍ଚ ଜଣ ଯାକ ଆରୋହୀଙ୍କର ପ୍ରାଣନାଶ ଘଟି ପୃଥିବୀ ବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି, ମନେହୁଏ ସମ୍ପୃକ୍ତ ସାମୁଦ୍ରିକ ପର୍ଯ୍ୟଟନ କମ୍ପାନିର ମାଲିକ ତଥା ସେଇ ହତଭାଗ୍ୟ ବୁଡ଼ାଜାହାଜର ଚାଳକ ଷ୍ଟକ୍‌ଟନ୍‌ ରସ୍‌ ଏହି ମୌଳିକ ଗୀତାଜ୍ଞାନ ସହିତ ସୁପରିଚିତ ଥିଲେ। କାରଣ ତାଙ୍କର ଏହି ବୁଡ଼ାଜାହାଜ ଆଡ୍‌ଭେଞ୍ଚର‌୍‌ ଆଦୌ ନିରାପଦ ନୁହେଁ ବୋଲି ଯଦି େକହି ତାଙ୍କୁ ସତର୍କ କରୁଥିଲା, ତାଙ୍କର ସର୍ବଦା ପ୍ରତିକ୍ରିୟା ଥିଲା: ‘‘ଯଦି ନିରାପଦ ରହିବାକୁ ଚାହୁଁଛ, ତେବେ କେବେ ହେଲେ ଖଟରୁ ଓହ୍ଲାଅ ନାହିଁ।’’

ଷ୍ଟକ୍‌ଟନ୍‌ ରସ୍‌ଙ୍କର ମୃତ୍ୟୁ ପ୍ରତି ଏଭଳି ବେଖାତିର ଭୟଶୂନ୍ୟତା ଏହି ଗୀତାଜ୍ଞାନର ପ୍ରତିଧ୍ବନି ଭଳି ଯେତିକି ମନେ ହୋଇଥାଏ, ସେତିକି ମନେ ହୋଇଥାଏ ପ୍ରାଚୀନ ଗ୍ରୀକ୍‌ ଦାର୍ଶନିକ ଏପିକ୍ୟୁରସ୍‌ଙ୍କ ମୃତ୍ୟୁ ପ୍ରତି ଉଦ୍ଦିଷ୍ଟ ସୁପରିଚିତ ଆଭିମୁଖ୍ୟର ପ୍ରତିନିଧିତ୍ବ କଲା ଭଳି। ଆନନ୍ଦମୟ ଜୀବନର ଉପାସକ ରୂପେ ପ୍ରସିଦ୍ଧ ଏପିକ୍ୟୁରସ୍‌ ଉପରୋକ୍ତ ଗୀତା ଜ୍ଞାନର ଦ୍ବିତୀୟାର୍ଦ୍ଧ ଅର୍ଥାତ୍‌ ପୁନର୍ଜନ୍ମର ଅନିବାର୍ଯ୍ୟତା ସହିତ ଏକମତ ନ ଥିଲେ; କିନ୍ତୁ ପ୍ରଥମାର୍ଦ୍ଧକୁ ଅକ୍ଷରେ ଅକ୍ଷରେ ଅନୁସରଣ କଲା ଭଳି ମୃତ୍ୟୁ ପ୍ରତି ଭୟକୁ ସେ ଏକ ନିର୍ବୋଧର ଆଚରଣ ବୋଲି ଘୋଷଣା କରିଥିଲେ। ମୃତ୍ୟୁ ସମ୍ବନ୍ଧରେ ତାଙ୍କର ଏହି ମତକୁ ସାବ୍ୟସ୍ତ କରିବା ନିମିତ୍ତ ଏପିକ୍ୟୁରସ୍‌ ଏକ ଚତୁର ଯୁକ୍ତିର ବ୍ୟବହାର କରିଥିଲେ। ଏହି ଯୁକ୍ତି ଅନୁସାରେ ଯାହା ତୁମର କ୍ଷତି ସାଧନ କରିବାର ସମ୍ଭାବନା ଥାଏ, କେବଳ ତା’ ପ୍ରତି ହିଁ ତୁମ ଠାରେ ଭୟ ଭାବ ଉଦ୍ରେକ ହୋଇଥାଏ। କିନ୍ତୁ ମୃତ୍ୟୁ କାହାର ହେଲେ କ୍ଷତି କରିପାରେ ନାହିଁ। ଏପିକ୍ୟୁରସ୍‌ଙ୍କ ଅନୁସାରେ ମନୁଷ୍ୟ ଯେତେବେଳେ ଜୀବିତ ଥାଏ, ମୃତ୍ୟୁ ସେତେବେଳେ ଉପସ୍ଥିତ ନଥାଏ; ଆଉ ମୃତ୍ୟୁ ଯେତେବେଳେ ଉପସ୍ଥିତ ଥାଏ, ମନୁଷ୍ୟର ‌େସତେବେଳେ ଅସ୍ତିତ୍ବ ନ ଥାଏ। ଅତଏବ ମୃତ୍ୟୁ ଯେହେତୁ ନା ଜୀବିତର କ୍ଷତି କରିପାରେ, ନା ମୃତର କ୍ଷତି କରିପାରେ, ତେଣୁ ମୃତ୍ୟୁକୁ ଭୟ କରିବାର କୌଣସି କାରଣ ନାହିଁ।

ପରବର୍ତ୍ତୀ ସମୟରେ ଏପିକ୍ୟୁରସ୍‌ଙ୍କର ଏହି ଚିନ୍ତାଧାରାକୁ ଅଗେଇ ନେଇ ଲ୍ୟୁକ୍ରେଟିଅସ୍‌, ସେନେକା ଆଦିଙ୍କ ଭଳି ପ୍ରାଚୀନ ରୋମାନ୍‌ ଦାର୍ଶନିକମାନେ ଆହୁରି ଏକ ବଳିଷ୍ଠ ଯୁକ୍ତି ଆବିଷ୍କାର କରିଥିଲେ। ଲ୍ୟୁକ୍ରେଟିଅସ୍‌ କହିଥିଲେ, ଆମର ଜନ୍ମ ପୂର୍ବରୁ ଆମର ଅସ୍ତିତ୍ବ ନଥିଲା ଏବ˚ ଆମର ମୃତ୍ୟୁ ପରେ ଆମର ଅସ୍ତିତ୍ବ ନଥିବ; ଯଦି ଜନ୍ମ ପୂର୍ବର ଅସ୍ତିତ୍ବହୀନତାକୁ ଆମେ ଆଦୌ ଭୟ କରୁନାହୁଁ, ତେବେ ମୃତ୍ୟୁ ପରବର୍ତ୍ତୀ ଅସ୍ତିତ୍ବହୀନତାକୁ ଆମେ କାହିଁକି ଭୟ କରିବା? ଏହି ପ୍ରଶ୍ନକୁ ଆଉ ଟିକିଏ ପରିପୁଷ୍ଟ କରି ପରେ ସେନେକା ପଚାରିଥିଲେ ଯେ ଯଦି କେହି ଜଣେ ହଜାର ବର୍ଷ ତଳେ ସେ କାହିଁକି ନଥିଲା ବୋଲି ବ୍ୟସ୍ତ ହୋଇ କ୍ରନ୍ଦନ କରୁଥାଏ, ତୁମେ ତାକୁ ଏକ ନିର୍ବୋଧ ବୋଲି ବିଚାର କରିବ ନାହିଁ କି? ସେହିପରି, ଯିଏ ହଜାର ବର୍ଷ ପରେ ସେ ନଥିବ ବୋଲି ବ୍ୟସ୍ତ ହୋଇ କ୍ରନ୍ଦନ କରୁଥାଏ, ତାକୁ ମଧ୍ୟ ତୁମେ ଅନୁରୂପ ଭାବରେ ଏକ ନିର୍ବୋଧ ବୋଲି ବିଚାର କରିବ ନାହିଁ କି? ଅତଏବ ସେଇ ପ୍ରାଚୀନ କାଳରୁ ଏହି ଗ୍ରୀକ୍‌ ଓ ରୋମାନ୍‌ ଦାର୍ଶନିକମାନେ ଦୃଢ଼ ଯୁକ୍ତି ବଳରେ ଯାହା ସାବ୍ୟସ୍ତ କରିଛନ୍ତି, ତାହା ହେଲା- ମୃତ୍ୟୁ ପ୍ରତି ଭୟ ହେଉଛି ଏକ ଚରମ ନିର୍ବୋଧତା।

କିନ୍ତୁ ଚିନ୍ତାଶୀଳ ପାଠକପାଠିକାମାନେ ସେଇ ମହାନ୍‌ ଦାର୍ଶନିକମାନଙ୍କର ଏହି ଯୁକ୍ତିରେ ଲୁଚି ରହିଥିବା ଏକ ବିେଶଷ ଦୁର୍ବଳତା ନିଶ୍ଚିତ ରୂପେ ଆବିଷ୍କାର କରି ସାରିଥିବେ। ତାହା ହେଲା, ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ, ସେମାନେ ଯାହାକୁ ଭୟ କରନ୍ତି, ତାହା ହେଲା- ମରଣ ପ୍ରକ୍ରିୟା। ଏକ ଯନ୍ତ୍ରଣାଦାୟକ ଦୀର୍ଘ ମରଣ ପ୍ରକ୍ରିୟାକୁ କିଏ ବା ଭୟ ନକରେ- ନିର୍ବୋଧମାନଙ୍କଠାରୁ ବୁଦ୍ଧିମାନ ଦାର୍ଶନିକମାନଙ୍କ ପର୍ଯ୍ୟନ୍ତ?

ମନେହୁଏ, ମୃତ୍ୟୁ ପ୍ରତି ସମ୍ପୂର୍ଣ୍ଣ ରୂପେ ସେନେକାସୁଲଭ ଭୟଶୂନ୍ୟ ହୋଇଥିବା ‘ଓସନ୍‌ଗେଟ୍‌ ଏକ୍ସପେଡିସନ୍‌ସ’ ସାମୁଦ୍ରିକ ପର୍ଯ୍ୟଟନ କମ୍ପାନିର ମୁଖ୍ୟ ଷ୍ଟକ୍‌ଟନ୍‌ ରସ୍‌ ଦାର୍ଶନିକମାନଙ୍କର ଯୁକ୍ତିରେ ଥିବା ଏହି ଦୁର୍ବଳତା ସମ୍ବନ୍ଧରେ ସଚେତନ ଥାଇ ତାହାକୁ ଦୂର କରିବାର ଉପାୟ ମଧ୍ୟ ବାହାର କରିଥିଲେ। ସେ ଏପରି ଏକ ସାମୁଦ୍ରିକ ଆଡ୍‌ଭେଞ୍ଚର‌୍‌କୁ ନିଜର ବୃତ୍ତି ରୂପେ ଗ୍ରହଣ କରିଥିଲେ, ଯେଉଁଥିରେ ଯଦି ଅଘଟଣ ଘଟି ମୃତ୍ୟୁ ଆସେ, ତାହା ବିଳମ୍ବିତ ନହୋଇ ତତ୍‌କ୍ଷଣାତ୍‌ ହେବାର ସମ୍ଭାବନା ଅଧିକ ହୋଇଥାଏ। ଏଥିପାଇଁ ସେ ତିଆରି କରିଥିଲେ କାର୍ବନ୍‌ ଫାଇବର‌୍‌ ବ୍ୟବହାର କରି ‘ଟାଇଟାନ୍‌’ ନାମକ ଏକ କ୍ଷୁଦ୍ର ବୁଡ଼ାଜାହାଜ ଯାହାର ଆକାର ଥିଲା: ୨୨ ଫୁଟx୯.୨ ଫୁଟ୍‌x୮.୩ ଫୁଟ୍‌। ଏହି କ୍ଷୁଦ୍ର ବୁଡ଼ାଜାହାଜରେ ସେଦିନ ସେ ଅନ୍ୟ ଯେଉଁ ଚାରିଜଣଙ୍କୁ ଯାତ୍ରୀ ରୂପେ ବସାଇ ସମୁଦ୍ରର ପ୍ରାୟ ଚାରି କି.ମି. ଗଭୀରତାରେ ଗତ ୧୧୧ ବର୍ଷ ଧରି ପଡ଼ି ରହିଥିବା କି˚ବଦନ୍ତି ପାଲଟିଥିବା ଯାତ୍ରୀବାହୀ ବିଶାଳ ଜାହାଜ ‘ଟାଇଟାନିକ୍‌’ର ଭଗ୍ନାବଶେଷ ଦେଖାଇବାକୁ ବାହାରି ପଡ଼ିଥିଲେ, ସେମାନେ ସମସ୍ତେ ଥିଲେ ଆଡ୍‌ଭେଞ୍ଚର‌୍‌ ପିପାସୁ ଧନିକମାନେ। ଏହି ଯାତ୍ରୀମାନେ ହେଲେ: ବ୍ରିଟିଶ୍‌ ଶିଳ୍ପପତି ହାମିସ୍‌ ହାର୍ଡିଙ୍ଗ୍‌, ପାକିସ୍ତାନୀ ଧନଶାଳୀ ଶାହଜାଦା ଦାଉଦ୍‌ ଓ ତାଙ୍କର ୧୯ ବର୍ଷୀୟ ପୁତ୍ର ସୁଲେମାନ୍‌, ଏବ˚ ଫରାସୀ ଟାଇଟାନିକ୍‌ ବିଶେଷଜ୍ଞ ପଲ୍‌ ହେନ୍‌ରି ନାର୍ଗିଅଲେଟ୍‌।

ତା’ ସମୟରେ ‘ଟାଇଟାନିକ୍‌’ ପୃଥିବୀର ବିଶାଳତମ ଜାହାଜ ରୂପେ ତଥା ଏକ ଇ˚ଜିନିୟରିଙ୍ଗ୍‌ ଚମତ୍କାରିତା ରୂପେ ବିଶ୍ବବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଏହାର ନିର୍ମାତାମାନେ ସଗର୍ବରେ ଘୋଷଣା କରିଥିଲେ ଯେ ଯେକୌଣସି ଦୁର୍ଘଟଣାର ସଫଳ ମୁକାବିଲା କରି ଏହି ଜାହାଜ ଭାସମାନ ରହିବାରେ ସମର୍ଥ ହେବ। ୧୯୧୨ ମଇ ମାସରେ ଏହାର ପ୍ରଥମ ଜଳଯାତ୍ରାରେ ଏକ ବରଫ ପାହାଡ଼ ସହିତ ଧକ୍କା ଖାଇ ‘ଟାଇଟାନିକ୍‌’ ଯେତେବେଳେ ବୁଡ଼ିଯାଇ ୧୫୦୦ ଯାତ୍ରୀଙ୍କର ପ୍ରାଣହାନି ଘଟିଲା, ତାହା ସେତେବେଳେ ତେଣୁ ଏକ ବିଶ୍ବବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା, ଯେଉଁ ଚାଞ୍ଚଲ୍ୟର ତରଙ୍ଗ ଏବେ ମଧୢ ସମ୍ପୂର୍ଣ୍ଣ ରୂପେ ଥମି ନାହିଁ। ୧୯୮୫ରେ ଯେତେବେଳେ ପ୍ରଥମ ଥର ପାଇଁ ‘ଟାଇଟାନିକ୍‌’ର ଭଗ୍ନାବଶେଷ ପଡ଼ିରହିଥିବା ସ୍ଥାନ ନିର୍ଦ୍ଦିଷ୍ଟ ଭାବରେ ଆବିଷ୍କୃତ ହେଲା, ତା’ର ଦୁର୍ବାର ଆକର୍ଷଣ ଷ୍ଟକଟନ୍‌ ରସ୍‌ଙ୍କ ଭଳି ନିର୍ଭୟ ଅନିସନ୍ଧିତ୍ସୁମାନଙ୍କୁ ଆକୃଷ୍ଟ କରିବାରେ ଲାଗିଛି। ଏବେ ଏକ ଭୌତିକ କାହାଣୀର ଘଟଣା ଭଳି ସେଇ ‘ଟାଇଟାନିକ୍‌’ର ଭଗ୍ନାବଶେଷ ନିକଟରେ ହିଁ ରସ୍‌ଙ୍କ ‘ଟାଇଟାନ୍‌’ରେ ଏକ ଆଭ୍ୟନ୍ତରୀଣ ବିସ୍ଫୋରଣ ଘଟି ତାହା ସଲିଳ ସମାଧି ଲାଭ କରିଛି। ମୃତ୍ୟୁର ଭୟ ଉପରେ ବିଜୟ ଲାଭ କରିଥିବା ରସ୍ ଓ ତାଙ୍କର ସହଯାତ୍ରୀମାନେ ଏହାଦ୍ବାରା ମରଣ ପ୍ରକ୍ରିୟାର ଭୟ ଉପରେ ମଧ୍ୟ ବିଜୟ ଲାଭ କରିଛନ୍ତି।

ସମ୍ବନ୍ଧିତ ଖବର