୨୦୨୩ ମେ ୨୮ ତାରିଖରେ ନୂତନ ସଂସଦ ଭବନର ଉଦ୍‌ଘାଟନ ସହିତ ଭାରତ ଏହାର ଔପନିିବେଶିକ ଇତିହାସକୁ ପଛରେ ଛାଡ଼ି ଆତ୍ମନିର୍ଭର ଭାରତର ସୂର୍ଯ୍ୟୋଦୟକୁ ସ୍ବାଗତ କରିଛି ବୋଲି କେନ୍ଦ୍ର ସରକାର ଦେଶବାସୀଙ୍କ ମନରେ ଏକ ସକାରାତ୍ମକ ଭାବନା ସଂଚାର କରିବାକୁ ଉଦ୍ୟମ କରିଛନ୍ତି। ନୂଆ ସଂସଦର ଆସନଗୁଡ଼ିକୁ କେବଳ ବର୍ତ୍ତମାନର ଲୋକପ୍ରତିନିଧିଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇନାହିଁ, ଭବିଷ୍ୟତର ଆସନ ବୃଦ୍ଧିର ସମ୍ଭାବନାକୁ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଛି। ଆସନ୍ତା ୨୦୨୬ରେ ‘ଡିଲିମିଟେସନ୍‌’ ବା ସୀମା ନିର୍ଦ୍ଧାରଣ ଉପରେ ଲାଗିଥିବା ସ୍ଥଗିତାଦେଶର ସମୟସୀମା ଶେଷ ହେବାକୁ ଯାଉଛି। ତେଣୁ ୨୦୨୬ରେ ଦେଶର ନିର୍ବାଚନମଣ୍ଡଳୀ ଗୁଡ଼ିକର ସୀମା ନିର୍ଦ୍ଧାରଣକୁ ନେଇ ଏବେଠାରୁ ଆଶା ଓ ଉଦ୍‌ବେଗମାନ ପ୍ରକାଶ ପାଇବାରେ ଲାଗିଲାଣି।

Advertisment

ଆମ ସମ୍ବିଧାନର ଅନୁଚ୍ଛେଦ ୮୨ ଅନୁଯାୟୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇଥାଏ, ଯେଉଁଥିରେ ପରିବର୍ତ୍ତିତ ଜନସଂଖ୍ୟା ସଂରଚନାକୁ ଭିତ୍ତି କରି ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକର ସୀମା ପରିବର୍ତ୍ତନ କରାଯାଇଥାଏ। ଉକ୍ତ ଅନୁଚ୍ଛେଦ ଏକ ସ୍ବାଧୀନ ସୀମା ନିର୍ଦ୍ଧାରଣ କମିସନକୁ ଏ କାର୍ଯ୍ୟ କରିବାର କ୍ଷମତା ପ୍ରଦାନ କରିଥାଏ। କମିସନ ସୀମା ନିର୍ଦ୍ଧାରଣ ବେଳେ ଯେଉଁସବୁ ନିୟମଗୁଡ଼ିକୁ ପାଳନ କରିଥାନ୍ତି ସେ ମଧ୍ୟରୁ ଦୁଇଟି ପ୍ରମୁଖ ନିୟମ ହେଲା- ଏକ ରାଜ୍ୟକୁ ମିଳୁଥିବା ଆସନ ସଂଖ୍ୟା ଜନସଂଖ୍ୟାର ଅନୁପାତ ଅନୁଯାୟୀ ହେବା ଆବଶ୍ୟକ ଏବଂ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଜନସଂଖ୍ୟା ପାଖାପାଖି ସମାନୁପାତିକ ହେବା ଅପରିହାର୍ଯ୍ୟ। ଏହା ଫଳରେ ଏକ ନିର୍ବାଚନମଣ୍ଡଳୀର ଭୌଗୋଳିକ ଆକାର ଯାହା ହୋଇଥିଲେ ବି ତାହାର ଜନତାଙ୍କୁ ପ୍ରତିନିଧିତ୍ବ କରୁଥିବା ନେତା ଯେପରି ଅନ୍ୟ ସାଂସଦ ବା ବିଧାୟକଙ୍କ ଠାରୁ କମ୍ ବା ଅଧିକ ଜନସଂଖ୍ୟାର ପ୍ରତିନିଧି ନ ହୁଅନ୍ତି ତାହା ସୁନିଶ୍ଚିତ କରାଯାଇଥାଏ। ଅର୍ଥାତ୍‌, ଏକ ନିର୍ବାଚନମଣ୍ଡଳୀର ସୀମା ଏହାର ଜନସଂଖ୍ୟା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ନିର୍ଦ୍ଧାରଣ କରାଯାଇଥାଏ।

ତେବେ ଏହି ଆଇନରେ କେତେକ ବ୍ୟତିକ୍ରମକୁ ସ୍ଥାନ ଦିଆଯାଇଛି, ଯେମିତିକି ଖୁବ୍ କମ୍ ଜନସଂଖ୍ୟା ଥିବା ସତ୍ତ୍ବେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନ୍ୟୂନ ଗୋଟିଏ ଲୋକସଭା ଆସନ ପ୍ରଦାନ କରାଯିବ। ମୋଟାମୋଟି ଭାବେ ଦେଖିଲେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ଜନସଂଖ୍ୟା ପାଖାପାଖି ସମାନ ହେବା ବିଧେୟ। ଅନୁଚ୍ଛେଦ ୮୨ରେ ଉଲ୍ଲେଖ ରହିଛି ଯେ ପ୍ରତି ୧୦ ବର୍ଷରେ ଥରେ ସୀମା ନିର୍ଦ୍ଧାରଣ କମିସନ ବସାଇ ସଦ୍ୟତମ ଜନଗଣନାର ତଥ୍ୟକୁ ଦୃଷ୍ଟିରେ ରଖି ନିର୍ବାଚନ ମାନଚିତ୍ରର ନବୀକରଣ କରାଯିବ। ସମୟ ସହିତ ଲୋକମାନେ ଗାଁରୁ ସହର ଆଗମନ କରିବା, ବାସସ୍ଥାନ ବଦଳାଇବା ଆଦି ଦ୍ବାରା ଜନସଂଖ୍ୟା ଆବଣ୍ଟନ ମଧ୍ୟ ସ୍ବାଭାବିକ ଭାବେ ବଦଳିବା ଜାରି ରହିଥାଏ। ତେଣୁ ‘ଵାନ ଭୋଟ୍, ଵାନ୍ ଭାଲ୍ୟୁ’ ନୀତିକୁ ଉଜ୍ଜୀବିତ ରଖିବା ପାଇଁ ସୀମା ନିର୍ଦ୍ଧାରଣ ଅପରିହାର୍ଯ୍ୟ, ଯାହା ନିର୍ବାଚନମଣ୍ଡଳୀ ନିର୍ବିଶେଷରେ ପ୍ରତି ବ୍ୟକ୍ତିର ଭୋଟକୁ ସମାନ ମୂଲ୍ୟ ପ୍ରଦାନ କରିଥାଏ।

ସ୍ବାଧୀନତା ପରେ ୧୯୫୨ର ପ୍ରଥମ ଲୋକସଭା ନିର୍ବାଚନ ବେଳେ ଆସନ ସଂଖ୍ୟା ଥିଲା ୪୯୭। େସତେବେଳେ ଅନୁଚ୍ଛେଦ ୮୧ ଅନୁଯାୟୀ ଲୋକସଭାର ଆସନ ସଂଖ୍ୟାରେ ଯେଉଁ ସର୍ବୋଚ୍ଚ ସୀମା ରଖାଯାଇଥିଲା ତାହା ଥିଲା ୫୦୦। ପ୍ରଥମ ଲୋକସଭା ନିର୍ବାଚନ ପରେ ୧୯୫୨ରେ ହିଁ ପ୍ରଥମ ସୀମା ନିର୍ଦ୍ଧାରଣ କମିସନ ବସିଲା। ଏହା ପରେ ୧୯୬୩, ୧୯୭୩ରେ ସଦ୍ୟତମ ଜନଗଣନା ତଥ୍ୟ ଅନୁଯାୟୀ ଦେଶର ନିର୍ବାଚନ ମାନଚିତ୍ରରେ ପରିବର୍ତ୍ତନ ଅଣାଯାଇଥିଲା। ତେବେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ୩୧ତମ ସମ୍ବିଧାନର ସଂଶୋଧନ ଆଇନ ବଳରେ ଲୋକସଭା ଆସନ ସଂଖ୍ୟାର ସର୍ବୋଚ୍ଚ ସୀମାକୁ ୫୦୦ରୁ ୫୨୫କୁ ବୃଦ୍ଧି କରାଯାଇଥିଲା। ୧୯୮୩ରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କମିସନ ବସିବା ପୂର୍ବରୁ ୧୯୭୬ରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ପରବର୍ତ୍ତୀ ୨୫ ବର୍ଷ ପାଇଁ ସ୍ଥଗିତ ରଖିଦେଇଥିଲେ। ଏହା ପଛରେ ଯେଉଁ ଯୁକ୍ତି ଦର୍ଶାଯାଇଥିଲା, ତାହା ହେଲା, ସେହି ସମୟରେ ଭାରତର ଜନସଂଖ୍ୟା ବିସ୍ଫୋରଣ ଜାରି ରହିଥିବାରୁ ସବୁ ରାଜ୍ୟରେ ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ବ ଆରୋପ କରି ଜନସଂଖ୍ୟା ବୃଦ୍ଧିକୁ ସମାନ ସ୍ତରକୁ ଅଣାଯିବ ପରେ ସୀମା ନିର୍ଦ୍ଧାରଣ କରାଯିବା ଉଚିତ। ଏଥିପାଇଁ କେନ୍ଦ୍ର ସରକାର ୪୨ତମ ସଂଶୋଧନ ବଳରେ ପରିବାର ନିୟୋଜନ ଓ ଜନସଂଖ୍ୟା ନିୟନ୍ତ୍ରଣକୁ ସମ୍ବିଧାନର ସଂଯୁକ୍ତ ତାଲିକାରେ ଯୋଡ଼ିଦେଇଥିଲେ ଏବଂ ରାଜ୍ୟମାନଙ୍କୁ ନିଜ ନିଜର ଜନ୍ମ ହାରକୁ ନିୟନ୍ତ୍ରଣରେ ରଖିବା ପାଇଁ ଉପଦେଶ ଦେଇଥିଲେ। ତେଣୁ ୧୯୮୧ ଓ ୧୯୯୧ର ଜନଗଣନା ତଥ୍ୟ ଆସିବା ସତ୍ତ୍ବେ ଉକ୍ତ ଦଶନ୍ଧିମାନଙ୍କରେ ଯେଉଁସବୁ ନିର୍ବାଚନମାନ ହେଲା େସସବୁ ୧୯୭୩ର ସୀମା ନିର୍ଦ୍ଧାରଣ (ଯାହା ୧୯୭୧ର ଜନଗଣନା ତଥ୍ୟ ଉପରେ ପର୍ଯ୍ୟବସିତ) ଦ୍ବାରା ଧାର୍ଯ୍ୟ ଆସନ ଆବଣ୍ଟନ ଅନୁଯାୟୀ ସମ୍ପାଦନ କରାଗଲା।

୨୦୦୧ରେ ୨୫ ବର୍ଷର କଣ୍ଟ ପୂରିଗଲା। କିନ୍ତୁ ଏ ଭିତରେ ଆଉ ଏକ ସମସ୍ୟା ମୁଣ୍ଡ ଟେକି ସାରିଥିଲା। କେନ୍ଦ୍ର ସରକାରଙ୍କ ଉପଦେଶ ପାଳନ କରି ଯେଉଁ ରାଜ୍ୟ ନିଜର ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ ସୀମା ନିର୍ଦ୍ଧାରଣ ହେଲେ ସେଗୁଡ଼ିକ ନିର୍ବାଚନ ଦୃଷ୍ଟିରୁ କ୍ଷତି ସହିବାର ଆଶଙ୍କା ସୃଷ୍ଟି ହେଲା। ଏହି କାରଣରୁ ସୀମା ନିର୍ଦ୍ଧାରଣ କରି କୌଣସି ରାଜ୍ୟକୁ ଦଣ୍ଡିତ କରିବା ବଦଳରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ନେତୃତ୍ବାଧୀନ କେନ୍ଦ୍ର ସରକାର ସୀମା ନିର୍ଦ୍ଧାରଣ ଉପରେ ଲାଗିଥିବା ରହିତାଦେଶକୁ ଆଉ ୨୫ ବର୍ଷ ପାଇଁ (୨୦୨୬ ଯାଏଁ) ବଢ଼ାଇ ଦେଇଥିଲେ। ଏଥି ସହିତ ତତ୍‌କାଳୀନ ସରକାର ଆଶା ପ୍ରକଟ କରିଥିଲେ ଯେ ୨୦୨୬ ଭିତରେ ସବୁ ରାଜ୍ୟର ଜନସଂଖ୍ୟା ବୃଦ୍ଧି ପାଖାପାଖି ସମାନୁପାତିକ ହୋଇଥିବ, ଯାହା ଫଳରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା କୌଣସି ରାଜ୍ୟ ପ୍ରତି ଅଯୌକ୍ତିକ ଦଣ୍ଡ ଭଳି ଅନୁଭୂତ ହେବ ନାହିଁ।

ବର୍ତ୍ତମାନର କେନ୍ଦ୍ର ସରକାର ୨୦୨୬ର ସୀମା ନିର୍ଦ୍ଧାରଣ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତୁତି ଚଳାଇଥିବାର ନାନା ସଂକେତ ଦେଖିବାକୁ ମିଳିଥାଏ। ସବୁଠାରୁ ବଡ଼ ସଂକେତ ହେଉଛି ନୂଆ ସଂସଦରେ ୮୮୮ ଆସନ ପାଇଁ ଭିତ୍ତିଭୂମି ନିର୍ମାଣ କରିବା। ଏଥି ସହିତ ଏକ ଅଭୂତପୂର୍ବ ପରିସ୍ଥିତି ସ୍ବରୂପ ୨୦୨୧ର ଜନଗଣନାକୁ କୋଭିଡ୍ ମହମାରୀ ଯୋଗୁଁ ସ୍ଥଗିତ ରଖାଯାଇଛି। କୋଭିଡ୍‌ର ବିପଦ ଅପସାରିତ ହେବା ସତ୍ତ୍ବେ ଜନଗଣନା ପାଇଁ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। କେତେକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସରକାର ୨୦୨୬ରେ ଜନଗଣନା କରାଇ ତାହାର ପରିସଂଖ୍ୟାନକୁ ଭିତ୍ତି କରି ସେହି ବର୍ଷ ହିଁ ସୀମା ନିର୍ଦ୍ଧାରଣ କମିସନ ବସାଇବାକୁ ଲକ୍ଷ୍ୟ ରଖିଥାଇ ପାରନ୍ତି।

ଉତ୍ତର ପ୍ରଦେଶର ଜଣେ ସାଂସଦ ଆଜି ୩୦ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ବ କରୁଥିବା ବେଳେ କେରଳ ରାଜ୍ୟର ଜଣେ ସାଂସଦ ମାତ୍ର ୧୮ ଲକ୍ଷ ଲୋକଙ୍କ ପ୍ରତିନିଧିତ୍ବ କରୁଛନ୍ତି। ଏହି ବୈଷମ୍ୟ ‘ଵାନ ଭୋଟ୍, ଵାନ୍ ଭାଲ୍ୟୁ’ ନୀତିର ପରିପନ୍ଥୀ। ତେଣୁ ୨୦୨୬ରେ ସୀମା ନିର୍ଦ୍ଧାରଣ ହେବା ଯେ ଅପରିହାର୍ଯ୍ୟ, ତାହା କହିବା ବାହୁଲ୍ୟ ମାତ୍ର। କିନ୍ତୁ ଏହି ନିଷ୍କର୍ଷରେ ପହଞ୍ଚିବା ପୂର୍ବରୁ ଆଉ କେତେକ ଯୁକ୍ତି ସମାନ ଗୁରୁତ୍ବ ଦାବି କରିଥାନ୍ତି। ୧୯୭୩ ମସିହାରୁ ଯେଉଁ କାରଣରୁ ସୀମା ନିର୍ଦ୍ଧାରଣକୁ ସ୍ଥଗିତ ରଖାଯାଇଥିଲା ତାହାର ଭିତ୍ତି ଥିଲା ଜନସଂଖ୍ୟା ବିସ୍ଫୋରଣ ଏବଂ ରାଜ୍ୟ-ରାଜ୍ୟ ମଧ୍ୟରେ ଜନସଂଖ୍ୟା ନିୟନ୍ତ୍ରଣ କାର୍ଯ୍ୟକ୍ରମର ସଫଳତା ମଧ୍ୟରେ ଅସାମଞ୍ଜସ୍ୟ। ଆଜି ବି ରାଜ୍ୟ-ରାଜ୍ୟ ମଧ୍ୟରେ ଜନସଂଖ୍ୟା ବୃଦ୍ଧି ହାର ଭିତରେ ପ୍ରଭେଦ ସୁସ୍ପଷ୍ଟ ରହିଛି। ତେଣୁ ୨୦୨୬ରେ ସୀମା ନିର୍ଦ୍ଧାରଣ ହେଲେ ଉତ୍ତର ଭାରତୀୟ ରାଜ୍ୟମାନଙ୍କ ଲୋକସଭା ଆସନ ସଂଖ୍ୟା ତୁଳନାରେ ଦକ୍ଷିଣ ଭାରତୀୟ ଆସନ ସଂଖ୍ୟା ହ୍ରାସ ପାଇଯିବ। ଏହା ଜନସଂଖ୍ୟା ନିୟନ୍ତ୍ରଣରେ ଉତ୍ତମ ପ୍ରଦର୍ଶନ କରିଥିବା ରାଜ୍ୟମାନଙ୍କ ପ୍ରତି ଦଣ୍ଡ ସ୍ବରୂପ ହେବ। ଏହା ଉତ୍ତମ ଛାତ୍ର ପ୍ରତି ଶାସ୍ତି ବିଧାନ ପରି କଥା ହେବ। ଏ ପ୍ରକ୍ରିୟା ଦକ୍ଷିଣ ଭାରତୀୟ ରାଜ୍ୟମାନଙ୍କ ଭିତରେ କ୍ଷୋଭ ସୃଷ୍ଟି କରିବାର ଆଶଙ୍କା ରହିଛି। ସଂଯୋଗକୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ହିଁ ବିଜେପିର ହିନ୍ଦୁତ୍ବ ରାଜନୀତି କାୟା ବିସ୍ତାର କରିବାରେ ଏ ପର୍ଯ୍ୟନ୍ତ ସଫଳ ହୋଇ ନାହିଁ। ତେଣୁ ସୀମା ନିର୍ଦ୍ଧାରଣ ଦ୍ବାରା ସେହି ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ହ୍ରାସ ପାଇଲେ ସେମାନେ ଜାତୀୟ ରାଜନୀତିରେ ଏକପ୍ରକାର ପ୍ରଭାବହୀନ ହୋଇପଡ଼ିବେ। ତେଣୁ ସୀମା ନିର୍ଦ୍ଧାରଣ କରି ବିଜେପି ଏକ ‘ମାଷ୍ଟର୍‌ଷ୍ଟ୍ରୋକ୍’ ଖେଳିବାକୁ ଯାଉଛି ବୋଲି ପର୍ଯ୍ୟବେକ୍ଷକମାନେ ପୂର୍ବାନୁମାନ କରୁଛନ୍ତି।

ଉଭୟ କଂଗ୍ରେସ ଓ ବିଜେପି ଦଳ ଅତୀତରେ ସୀମା ନିର୍ଦ୍ଧାରଣକୁ ସ୍ଥଗିତ ରଖିଥିବାରୁ ୨୦୨୬ର ସୀମା ନିର୍ଦ୍ଧାରଣ କରାଇବା ସପକ୍ଷରେ ଯୁକ୍ତି କରିବା ଉଭୟଙ୍କ ଲାଗି ଏକ ବଡ଼ ଆହ୍ବାନ ହେବ। ତେବେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଚାଲିବା ମଧ୍ୟ ଉଚିତ ହେବ ନାହିଁ।