ଏକଦା ମହାକାଶ ସମ୍ବନ୍ଧରେ ଆମର ଅନୁସନ୍ଧିତ୍ସା ପୂରଣର ଏକମାତ୍ର ଉପାୟ ଥିଲା ଆଖି ତୋଳି ଆକାଶ ଆଡ଼େ ଅନାଇବା। ସପ୍ତଦଶ ଶତାବ୍ଦୀରେ ମନୁଷ୍ୟର ଏହି ସୀମିତ ଦୃଷ୍ଟିଶକ୍ତିରେ ଚମକପ୍ରଦ ବୃଦ୍ଧି ଘଟାଇଲା ହାନ୍ସ ଲିପର୍ସି ଓ ଗାଲିଲିଓ ଗାଲିଲେଇଙ୍କ ପରି ଜ୍ୟୋତିର୍ବିଜ୍ଞାନୀମାନେ ତାକୁ ଯୋଗାଇ ଦେଇଥିବା ଦୂରବୀକ୍ଷଣ ଯନ୍ତ୍ର, ଯାହା ମହାକାଶର ଅସୀମ ଗର୍ଭରେ ଲୁଚି ରହିଥିବା ଦୃଶ୍ୟରାଜିକୁ ମନୁଷ୍ୟ ପାଇଁ ଦୃଶ୍ୟମାନ କରି ତୋଳିଲା। ତେବେ ଏ ସମସ୍ତ ଦୃଶ୍ୟର ବାହକ ଥିଲା ଦୃଶ୍ୟମାନ ଆଲୋକ। ସମୟକ୍ରମେ ଆମେ ହଦୃୟଙ୍ଗମ କଲୁ ଯେ ଦୃଶ୍ୟମାନ ଆଲୋକ ହେଉଛି ବିଦ୍ୟୁତ୍ଚୁମ୍ବକୀୟ ତରଙ୍ଗ (ଇଲେକ୍ଟ୍ରୋମାଗ୍ନେଟିକ୍ େଵଭ୍ସ)ମାନଙ୍କର ଏକ ସ˚କୀର୍ଣ୍ଣ ବଳୟ (ବ୍ୟାଣ୍ତ୍) ମାତ୍ର। ମନୁଷ୍ୟର ପ୍ରକୃତିଦତ୍ତ ଚକ୍ଷୁ ଏହି ଦୃଶ୍ୟମାନ ଆଲୋକ ବଳୟ ବାହାରେ ଥିବା ଇନ୍ଫ୍ରାରେଡ, ରେଡିଓ, ଏକ୍ସ-ରେ’, ଗାମା-ରେ’ ଆଦି ବହନ କରୁଥିବା ସୂଚନା ସବୁକୁ ଦେଖିବା ପାଇଁ ସମର୍ଥ ହୋଇ ନଥାଏ। ଗାଲିଲିଓଙ୍କ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ମଧ୍ୟ ନୁହେଁ।
ବି˚ଶ ଶତାବ୍ଦୀରେ ଯେତେବେଳେ ଇନ୍ଫ୍ରାରେଡ୍, ରେଡିଓ, ଏକ୍ସ-ରେ’, ଗାମା-ରେ’ ଦୂରବୀକ୍ଷଣ ଯନ୍ତ୍ରମାନଙ୍କର ଉଦ୍ଭାବନ ହେଲା, ତା’ ମାଧ୍ୟମରେ ମନୁଷ୍ୟ ସମ୍ମୁଖରେ ମହାକାଶର ଆହୁରି ଅନେକ ଚମକପ୍ରଦ ଚିତ୍ରମାନ ଉନ୍ମୋଚିତ ହେଲା। ଏବେ ଏକବି˚ଶ ଶତାବ୍ଦୀରେ ଆମେ ପୁଣି ଥରେ ମହାକାଶର ମୁହଁକୁ ଢାଙ୍କିଥିବା ପରଦାକୁ ଆଉ ଟିକିଏ ମେଲା କରିବାକୁ ଆରମ୍ଭ କରିଛୁ। ଏପର୍ଯ୍ୟନ୍ତ ଆମେ ଆମର ଦୃଷ୍ଟିଶକ୍ତି ବ୍ୟବହାର କରି ମହାକାଶର ସ୍ବରୂପ ସମ୍ବନ୍ଧରେ ଅବଗତ ହେବାକୁ ଚେଷ୍ଟା କରି ଆସିଥିଲୁ; ଏଥର କିନ୍ତୁ ଆମେ ଏଥିପାଇଁ ଆମର ଶ୍ରବଣ ଶକ୍ତିକୁ କାର୍ଯ୍ୟରେ ଲଗାଇଛୁ। ଜୁନ୍ ୨୯ରେ ପ୍ରକାଶିତ ଘୋଷଣା ଅନୁସାରେ ଏକ ଆନ୍ତର୍ଜାତିକ ଗବେଷକ ଗୋଷ୍ଠୀ ଏ ଉଦ୍ଦେଶ୍ୟରେ ସ୍ଥାପିତ ସୂକ୍ଷ୍ମାତିସୂକ୍ଷ୍ମ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ବ୍ୟବହାର କରି ପ୍ରଥମ ଥର ପାଇଁ ଏକ ଚିତ୍ତାକର୍ଷକ ଗୁଞ୍ଜନ ଶୁଣିବାକୁ ପାଇଛନ୍ତି, ଯାହା ସାରା ବିଶ୍ବରେ ସଞ୍ଚରି ଯାଉଥିବା ଅତ୍ୟନ୍ତ ନୀଚା ଫ୍ରିକ୍ବେନ୍ସି (ଅଲ୍ଟ୍ରା ଲୋ ଫ୍ରିକ୍ବେନ୍ସି) ଯୁକ୍ତ ମାଧ୍ୟାକର୍ଷଣ ତରଙ୍ଗମାନ (ଗ୍ରାଭିଟେସ୍ନାଲ୍ େଵଭ୍ସ) ଦ୍ବାରା ସୃଷ୍ଟ। ଏହି ଆନ୍ତର୍ଜାତିକ ଗବେଷକ ଗୋଷ୍ଠୀରେ ଭାରତର ସାତଟି ପ୍ରତିଷ୍ଠାନର ବୈଜ୍ଞାନିକମାନେ ତଥା ପୁନେ ନିକଟସ୍ଥ ‘ଜାଏଣ୍ଟ୍ ମିଟର୍େଵଭ୍ ରେଡିଓ ଟେଲିସ୍କୋପ୍’ ଅନ୍ତର୍ଭୁକ୍ତ।
ବର୍ତ୍ତମାନ ଆବିଷ୍କୃତ ହେଉଥିବା ଏହି ମାଧ୍ୟାକର୍ଷଣ ତରଙ୍ଗମାନଙ୍କର ଉପସ୍ଥିତି ସମ୍ବନ୍ଧରେ ଯିଏ ଶହେ ବର୍ଷରୁ ଅଧିକ କାଳ ତଳେ ପ୍ରଥମେ ଭବିଷ୍ୟବାଣୀ କରିଥିଲେ ସେ ହେଉଛନ୍ତି ସାଧାରଣ ଆପେକ୍ଷିକ ତତ୍ତ୍ବ (ଜେନେରାଲ୍ ଥିଓରି ଅଫ୍ ରିଲେଟିଭିଟି)ର ଆବିଷ୍କର୍ତ୍ତା ଆଲ୍ବର୍ଟ ଆଇନ୍ଷ୍ଟାଇନ୍। ୧୯୧୫ରେ ଆଇନ୍ଷ୍ଟାଇନ୍ ଆବିଷ୍କାର କରିଥିବା ଏହି ତତ୍ତ୍ବ ଅନୁସାରେ ନିଉଟନ୍ ବିଶ୍ବାସ କରିଥିବା ଭଳି ମାଧ୍ୟାକର୍ଷଣ ଏକ ଶକ୍ତି ନୁହେଁ, ଏହା ହେଉଛି ଏକ ଜ୍ୟାମିତି। ‘ସ୍ଥାନ ପ୍ରସାର-କାଳ’ (ସ୍ପେସ୍ଟାଇମ୍) ରୂପକ ଚାଦର ବା ଚାନ୍ଦୁଆରେ କୌଣସି ବସ୍ତୁର ଉପସ୍ଥିତି ଯେଉଁ ବକ୍ରତା (କର୍ଭେଚର୍) ସୃଷ୍ଟି କରିଥାଏ, ତାହା ହିଁ ହେଉଛି ମାଧ୍ୟାକର୍ଷଣ। ଜେନେରାଲ୍ ରିଲେଟିଭିଟି ତତ୍ତ୍ବ କରିଥିବା ଭବିଷ୍ୟବାଣୀ ଅନୁସାରେ ସ୍ପେସ୍-ଟାଇମ୍ ଚାନ୍ଦୁଆରେ ଗ୍ରହ ନକ୍ଷତ୍ର ଭଳି କୌଣସି ବସ୍ତୁ ସ୍ଥିର ହୋଇ ରହିଥିବା ବେଳେ ଚାନ୍ଦୁଆଟି ଦବିଯାଇ ସେଠାରେ ଯେମିତି ଏକ ବକ୍ରତା ସୃଷ୍ଟି ହୁଅନ୍ତା, ସେଇଭଳି ଗ୍ରହ ନକ୍ଷତ୍ର ବା ଅନ୍ୟାନ୍ୟ ବସ୍ତୁ ଯଦି ଇତସ୍ତତଃ ଭ୍ରମଣ କରନ୍ତି, ସେଥିଯୋଗୁଁ ସ୍ପେସ୍ଟାଇମ୍ର ବକ୍ରତାରେ ତରଙ୍ଗମାନ ସୃଷ୍ଟି ହେବା ଅନିବାର୍ଯ୍ୟ। ଯେମିତି ପୋଖରୀକୁ ଟେକାଟିଏ ଫିଙ୍ଗିଲେ ତାହା ବାହ୍ୟପ୍ରସାରଗାମୀ ଜଳ ତରଙ୍ଗମାନ ସୃଷ୍ଟି କରିଥାଏ, ମହାକାଶରେ ଟେକା ପଡ଼ିଲା ପରି କୌଣସି ଘଟଣା ଘଟିଲେ ତାହା ‘ସ୍ପେସ-ଟାଇମ୍’ ଚାନ୍ଦୁଆରେ ଜଳ ତରଙ୍ଗ ଭଳି ବାହ୍ୟ ପ୍ରସାରଶୀଳ ତରଙ୍ଗମାନ ସୃଷ୍ଟି କରିଥାଏ। ଯେତେବେଳେ ଅସୀମ ଦୂରତାରେ ଥିବା ଏକ ତାରକାର ବିରାଟ ବିସ୍ଫୋରଣ ଘଟେ (ସୁପର୍ନୋଭା) ତାହା ‘ସ୍ପେସ୍-ଟାଇମ୍’ ରୂପକ ପୋଖରୀକୁ ଏକ ଟେକା ଫିଙ୍ଗିବା ଭଳି ହୋଇଥାଏ ଯାହା ମାଧ୍ୟାକର୍ଷଣ ତରଙ୍ଗମାନ ସୃଷ୍ଟି କରିଥାଏ। ତେବେ ଜଳ ତରଙ୍ଗ ବା ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଓ ମାଧ୍ୟାକର୍ଷଣ ତରଙ୍ଗ ମଧ୍ୟରେ ଏକ ମୌଳିକ ପାର୍ଥକ୍ୟ ରହିଛି। ପ୍ରଥମୋକ୍ତ ତରଙ୍ଗମାନ ‘ସ୍ପେସ୍-ଟାଇମ୍’ ମାଧ୍ୟମ ଦେଇ ଗତି କରିଥାନ୍ତି କିନ୍ତୁ ‘ସ୍ପେସ୍-ଟାଇମ୍’ର ଜ୍ୟାମିତିରେ କୌଣସି ପରିବର୍ତ୍ତନ ଘଟାଇ ନଥାନ୍ତି; କିନ୍ତୁ ମାଧ୍ୟାକର୍ଷଣ ତରଙ୍ଗ ‘ସ୍ପେସ୍-ଟାଇମ୍’ର ଅ˚ଶ ରୂପେ ଗତି କରି ତା’ର ଜ୍ୟାମିତିରେ ପରିବର୍ତ୍ତନ ଘଟାଇଥାନ୍ତି। ସାଧାରଣ ଭାଷାରେ କହିଲେ ମାଧ୍ୟାକର୍ଷଣ ତରଙ୍ଗ ଗତି କଲାବେଳେ ‘ସ୍ପେସ୍-ଟାଇମ୍’ ଚାନ୍ଦୁଆ ଲୋଚାକୋଚା ହୋଇଯାଇଥାଏ।
ଏହା ହିଁ ଥିଲା ୧୯୧୬ରେ ଆଇନ୍ଷ୍ଟାଇନ୍ଙ୍କର ଭବିଷ୍ୟବାଣୀ, ଯାହାର ପ୍ରତ୍ୟକ୍ଷ ପ୍ରମାଣ ଆବିଷ୍କାର କରିବା ପାଇଁ ବୈଜ୍ଞାନିକମାନଙ୍କୁ ପୂରା ଏକ ଶହ ବର୍ଷ ଲାଗିଯାଇଥିଲା। ୨୦୧୫ରେ ପ୍ରଥମ ଥର ପାଇଁ ବୈଜ୍ଞାନିକମାନେ ଯେତେବେଳେ ‘ଲେଜର୍ ଇଣ୍ଟର୍ଫେରୋମିଟର୍ ଗ୍ରାଭିଟେସ୍ନାଲ୍ େଵଭ୍ ଅବ୍ଜର୍ଭେଟରୀ’ (‘ଲିଗୋ’) ନାମକ ଆମେରିକାରେ ସ୍ଥାପିତ ଅତ୍ୟାଧୁନିକ ତଥା ଅତ୍ୟନ୍ତ ବ୍ୟୟବହୁଳ ପର୍ଯ୍ୟବେକ୍ଷଣ ବ୍ୟବସ୍ଥା ମାଧ୍ୟମରେ ମାଧ୍ୟାକର୍ଷଣ ତରଙ୍ଗକୁ ଠାବ କରି ଆଇନ୍ଷ୍ଟାଇନ୍ଙ୍କ ଅନୁମାନକୁ ସତ୍ୟ ସାବ୍ୟସ୍ତ କଲେ, ତାହା ମହାକାଶ ବିଜ୍ଞାନ ପରିସର ଅତିକ୍ରମ କରି ସର୍ବସାଧାରଣ ପରିସରରେ ମଧ୍ୟ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆମେରିକାର ଉତ୍ତର-ପଶ୍ଚିମସ୍ଥ ୱାସିଂଟନ୍ ରାଜ୍ୟ ଓ ଦକ୍ଷିଣ-ପୂର୍ବସ୍ଥ ଲୁଇଜିଆନା ରାଜ୍ୟରେ ଅବସ୍ଥିତ ‘ଲିଗୋ’ ପର୍ଯ୍ୟବେକ୍ଷଣ କେନ୍ଦ୍ର ଯେଉଁ ମାଧ୍ୟାକର୍ଷଣ ତରଙ୍ଗକୁ ଚିହ୍ନଟ କରିପାରିଥିଲା, ତାହାର ଉତ୍ପତ୍ତି ‘ସ୍ପେସ୍-ଟାଇମ୍’ ପୋଖରୀରେ ଯେଉଁ ଟେକା ପଡ଼ିବା ଯୋଗୁଁ ଘଟିଥିଲା ସୁଦୂର ଅତୀତରେ, ତାହା ହେଉଛି ହଳେ ‘କୃଷ୍ଣଗର୍ତ୍ତ’ ବା ‘ବ୍ଲାକ୍ହୋଲ’ଙ୍କ ମଧ୍ୟରେ ଘଟିଥିବା ସ˚ଘାତ। ଏମାନଙ୍କ ମଧ୍ୟରୁ ପ୍ରତିଟି ‘ବ୍ଲାକ୍ହୋଲ୍’ର ଆକାର ଥିଲା ଆମ ସୂର୍ଯ୍ୟଙ୍କ ଆକାରର ପ୍ରାୟ ୩୦ ଗୁଣ।
ଏହି ମହାଜାଗତିକ ସ˚ଘାତ ଜନିତ ବିସ୍ଫୋରଣ ଯୋଗୁଁ ‘ସ୍ପେସ୍-ଟାଇମ୍’ରେ ଯେଉଁ ତରଙ୍ଗ ସୃଷ୍ଟି ହୋଇଥିଲା ତା’ର ଫ୍ରିକ୍ବେନ୍ସି ଥିଲା ୧୫୦ ହର୍ଜ ଓ େଵଭ୍ ଲେଙ୍ଗ୍ଥ ଥିଲା ପ୍ରାୟ ୨,୦୦୦ କିମି। ଏହି ମାଧ୍ୟାକର୍ଷଣ ତରଙ୍ଗର ଆବିଷ୍କର୍ତ୍ତାମାନଙ୍କୁ ୨୦୧୭ରେ ପଦାର୍ଥବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଦ୍ବାରା ସମ୍ମାନିତ କରାଯାଇଥିଲା। ସେମାନଙ୍କର ଏହି ଚିହ୍ନଟ ଯେଉଁ ‘ମାଧ୍ୟାକର୍ଷଣ-ତରଙ୍ଗ ମହାକାଶ ବିଜ୍ଞାନ’ର ଶୁଭାରମ୍ଭ କରିଥିଲା, ବର୍ତ୍ତମାନ ଚିହ୍ନଟ କରାଯାଇପାରିଥିବା କ୍ଷୁଦ୍ରାତିକ୍ଷୁଦ୍ର ଫ୍ରିକ୍ବେନ୍ସି (ନାନୋ ହର୍ଜ ଇଲାକାର) ବିଶିଷ୍ଟ ମାଧ୍ୟାକର୍ଷଣ ତରଙ୍ଗ ହେଉଛି ତାହାର ଏକ ସୁଫଳ। ଏହା ମହାକାଶ ଅନୁଶୀଳନ ସମୟରେ ବୈଜ୍ଞାନିକମାନେ ସମ୍ମୁଖୀନ ହୋଇ ଆସୁଥିବା ଅଫିଟା ଗଣ୍ଠିମାନଙ୍କ ମଧ୍ୟରୁ କେତେକକୁ ଫିଟାଇବାରେ ସହାୟକ ହେବ।
ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ନିକଟରେ ମହାରାଷ୍ଟ୍ରର ହିଙ୍ଗୋଲିଠାରେ ‘ଲିଗୋ-ଇଣ୍ତିଆ’ ପ୍ରକଳ୍ପ ନିର୍ମାଣ ପାଇଁ ୨,୬୦୦ କୋଟି ଟଙ୍କାର ବ୍ୟୟ ଅନୁମୋଦନ କରିବା ଏକ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ଭାରତ ଏପର୍ଯ୍ୟନ୍ତ ମୁଖ୍ୟତଃ ସୂଚନା ଜ୍ଞାନକୌଶଳର ଫଳପ୍ରଦ ପ୍ରୟୋଗ କ୍ଷେତ୍ରରେ ପାରଦର୍ଶିତା ପାଇଁ ଆନ୍ତର୍ଜାତିକ ସୁଖ୍ୟାତି ଲାଭ କରିଛି। ଆନ୍ତର୍ଜାତିକ ‘ଲିଗୋ’ ଅଭିଯାନରେ ଅ˚ଶଗ୍ରହଣ ବିଶୁଦ୍ଧ ବିଜ୍ଞାନ ଅନୁସନ୍ଧାନ କ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ପ୍ରମାଣିତ କରିବା ପାଇଁ ବିଚକ୍ଷଣ ଭାରତୀୟ ଯୁବ ବୈଜ୍ଞାନିକମାନଙ୍କ ସମ୍ମୁଖରେ ଏକ ସୁଯୋଗ ଓ ଆହ୍ବାନ ଉପସ୍ଥାପନ କରିବ।