ଏକ ସେଲୁନ୍ରେ ଜଣେ ସହାୟକ ବାଳକ ରୂପେ କାର୍ଯ୍ୟ କରୁଥିବା ବେଳେ ରିଚାର୍ଡ ଆର୍କରାଇଟ୍ ସଂଗ୍ରହ କରି ଜମା କରିଥିବା ନାରୀ-କେଶ ବିକ୍ରି କରି ଯେଉଁ ପୁଞ୍ଜି ଠୁଳ କରିଥିଲେ, ତାହାକୁ ବ୍ୟବହାର କରି ୧୭୭୧ରେ ଇଂଲାଣ୍ଡରେ ଯେତେବେଳେ ପୃଥିବୀର ସର୍ବପ୍ରଥମ ଆଧୁନିକ କାରଖାନା ସ୍ଥାପନ କଲେ (ଏକ ଲୁଗା କଳ) ସେତେବେଳେ ସେହି ଦେଶର ସମ୍ଭ୍ରାନ୍ତ ଶ୍ରେଣୀ ଏହାକୁ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପାରମ୍ପରିକ ସାମାଜିକ ବ୍ୟବସ୍ଥା ଉପରେ ଏକ ଅବାଞ୍ଛିତ ଆକ୍ରମଣ ରୂପେ ପ୍ରଥମେ ବିଚାର କରିଥିଲେ। ଏହାର ଦୁଇ ଦଶନ୍ଧି ମଧ୍ୟରେ ମାଞ୍ଚେଷ୍ଟର୍ ଯେତେବେଳେ ଏକ କାରଖାନା-ସହରରେ ପରିଣତ ହୋଇଗଲା, ତାହାକୁ ଲକ୍ଷ୍ୟ କରି ପ୍ରସିଦ୍ଧ ବ୍ରିଟିସ୍ ନୌ-ସେନାପତି ଆଡ୍ମିରାଲ୍ ସାର୍ ଜନ୍ ବିଙ୍ଗ୍ ପ୍ରଦାନ କରିଥିବା ମନ୍ତବ୍ୟ ଏବେ ମଧ୍ୟ ସେ ସହରର ବିରୋଧୀମାନେ ଉଦ୍ଧାର କରିଥାନ୍ତି: ‘‘ଆଃ! ମାଞ୍ଚେଷ୍ଟର୍ ହେଉଛି କିଭଳି ଏକ କୁକୁର ଗାତ!’’
ସେତେବେଳେ କିଏ ଜାଣିଥିଲା ଦିନେ ସମଗ୍ର ପୃଥିବୀର ଅର୍ଥନୀତିର ସ୍ବାସ୍ଥ୍ୟ ପୃଥିବୀର ବିଭିନ୍ନ ଦେଶରେ ସୃଷ୍ଟି ହୋଇଥିବା ସେଇଭଳି ଅସଂଖ୍ୟ କୁକୁର ଗାତମାନଙ୍କର ଅବସ୍ଥା ଉପେର ମୁଖ୍ୟତଃ ନିର୍ଭର କରିବ। କୋଭିଡ୍-୧୯ ପାଣ୍ଡେମିକ୍ ସମୟରେ ଏହି କୁକୁର ଗାତମାନଙ୍କ ଭିତରେ ଥିବା କଳ କାରଖାନାମାନଙ୍କରେ ଯେତେବେଳେ ଉତ୍ପାଦନ ବନ୍ଦ ହୋଇଗଲା ବା ଧିମେଇ ଗଲା, ସେତେବେଳେ ସାରା ପୃଥିବୀ ଏକ ଅର୍ଥନୈତିକ ମାନ୍ଦା ଅବସ୍ଥା କବଳରେ ପଡ଼ି ଯାଇଥିଲା। ବର୍ତ୍ତମାନ ପାଣ୍ଡେମିକ୍ ଅପସରି ଯିବା ପରେ ଦେଶମାନେ ଯେତେବେଳେ ସେଥିରୁ ମୁକୁଳିବାକୁ ଉଦ୍ୟମ ଚଳାଇଛନ୍ତି, ସେଥିରେ ସେମାନେ କେତେ ଦୂର ସଫଳତା ହାସଲ କରୁଛନ୍ତି, ତାହା ଠଉରାଇବା ପାଇଁ ଅର୍ଥନୀତିଜ୍ଞମାନଙ୍କ ଦୃଷ୍ଟି ଯାହା ଉପରେ ନିବଦ୍ଧ ହୋଇ ରହିଛି, ତାହା ହେଉଛି ଏହି କୁକୁର ଗାତମାନ। ଆଉ ଏହି କୁକୁର ଗାତରେ ଚାଲିଥିବା କାର୍ଯ୍ୟକଳାପମାନ ସମ୍ବନ୍ଧରେ ଜାଣିବା ପାଇଁ ସେମାନେ ଯେଉଁ ଗୋଟିଏ ସୂଚକ ଉପରେ ବିଶେଷ ଭାବରେ ନିର୍ଭର କରିଥାନ୍ତି, ତାହା ହେଉଛି ‘ପର୍ଚେଜିଙ୍ଗ୍ ମ୍ୟାନେଜର୍ସ ଇଣ୍ଡେକ୍ସ’ ବା ସଂକ୍ଷେପରେ ‘ପିଏମ୍ଆଇ’। କାରଖାନାମାନଙ୍କରେ ଉତ୍ପାଦନ ଘଟିବାକୁ ଆରମ୍ଭ କଲେ ତାହା ସମ୍ଭବ କରାଇବା ପାଇଁ ପରିଚାଳନା କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ଦ୍ରବ୍ୟ ଓ ସେବା କ୍ରୟ କରିବାକୁ ପଡ଼ିଥାଏ। କମ୍ପାନିର ପର୍ଚେଜିଙ୍ଗ୍ ମ୍ୟାନେଜର୍ମାନେ ଏହି ଦାୟିତ୍ବ ନିର୍ବାହ କରିଥାନ୍ତି। ପୃଥିବୀର ୫୦୦ଟି ମାନୁଫାକ୍ଚରିଙ୍ଗ୍ କମ୍ପାନିମାନଙ୍କରେ କାର୍ଯ୍ୟରତ ପର୍ଚେଜିଙ୍ଗ୍ ମ୍ୟାନେଜର୍ମାନଙ୍କ ଠାରୁ ସଂଗୃହୀତ ସୂଚନା ଆଧାରରେ ‘ପିଏମ୍ଆଇ’ ପ୍ରସ୍ତୁତ କରାଯାଇଥାଏ। ଭାରତରେ ୧୯ଟି ବିଭିନ୍ନ ଶିଳ୍ପ ଏହି ସର୍ବେକ୍ଷଣର ଅନ୍ତର୍ଭୁକ୍ତ। ୨୦୦୫ ଠାରୁ ପ୍ରତି ମାସରେ ଏହା ସମ୍ପାଦିତ ହୋଇଆସିଛି, ଯଦିବା ଆମେରିକାରେ ଏହାର ଅୟମାରମ୍ଭ ହୋଇଥିଲା ୧୯୪୮େର।
ପର୍ଚେଜିଙ୍ଗ୍ ମ୍ୟାନେଜର୍ମାନଙ୍କର ପାଞ୍ଚ ଗୋଟି ପ୍ରମୁଖ କାର୍ଯ୍ୟ ପରିସର ଏହି ସର୍ବେକ୍ଷଣର ଅନ୍ତର୍ଭୁକ୍ତ ହୋଇଥାଏ: ନୂତନ ଅର୍ଡର୍, ଉତ୍ପାଦନ ପରିମାଣ, ନିଯୁକ୍ତି, ଯୋଗାଣକାରୀମାନଙ୍କର ଡେଲିଭେରି ଟାଇମ୍ ଅର୍ଥାତ୍ ମାଲ୍ ପହଞ୍ଚାଇବା ପାଇଁ ସେମାନେ ନେଉଥିବା ସମୟ ଓ କ୍ରୟ କରାଯାଇଥିବା ଦ୍ରବ୍ୟ ସବୁର ଷ୍ଟକ୍ ବା ମହଜୁଦ ପରିମାଣ। ଏହି ସୂଚନାମାନ ଅର୍ଥନୀତିଜ୍ଞ ଓ ଅନୁଶୀଳନକାରୀମାନଙ୍କୁ ସମ୍ପୃକ୍ତ ଦେଶର ମୋଟ ବାର୍ଷିକ ଜାତୀୟ ଉତ୍ପାଦ ବା ‘ଜିଡିପି’, ମୁଦ୍ରାସ୍ଫୀତି, ନିଯୁକ୍ତି ଓ ଶିଳ୍ପ ଉତ୍ପାଦନ ଧାରାରେ ସମ୍ଭାବ୍ୟ ପରିବର୍ତ୍ତନର ସଠିକ୍ ପୂର୍ବାନୁମାନ କରିବାରେ ସହାୟକ ହୋଇଥାଏ। ଭାରତ ପାଇଁ ‘ପିଏମ୍ଆଇ’ ପ୍ରସ୍ତୁତ କରିଥାଏ ‘ଏସ୍ଆଣ୍ଡପି ଗ୍ଲୋବାଲ୍’ ନାମକ ଏକ ବିତ୍ତୀୟ ସୂଚନା ଓ ଅନୁଶୀଳନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନି।
ବର୍ତ୍ତମାନ ଏହା ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତ ଯେ ପାଣ୍ଡେମିକ୍ର ଅବସାନ ପରେ ପୃଥିବୀରେ ଯେଉଁ ଦେଶର ଅର୍ଥନୀତି ପୁଣି ଏକ ସନ୍ତୋଷଜନକ ଅଭିବୃଦ୍ଧି ହାର ହାସଲ କରିବାରେ ସର୍ବାଧିକ ସଫଳତା ହାସଲ କରିଛି, ସେ ଦେଶ ହେଉଛି ଭାରତ। ‘ଆଇଏମ୍ଏଫ୍’ରୁ ‘ୱାର୍ଲ୍ଡ ବ୍ୟାଙ୍କ୍’ ପର୍ଯ୍ୟନ୍ତ ବିଶ୍ବସନୀୟ ଆନ୍ତର୍ଜାତିକ ସଂସ୍ଥାମାନେ ମଧ୍ୟ ନିଜସ୍ବ ଅନୁଧ୍ୟାନ ଭିତ୍ତିରେ ଭାରତୀୟ ଅର୍ଥନୀତିର ଏହି ଉପଲବ୍ଧିକୁ ସ୍ବୀକାର କରିଛନ୍ତି। ତଥାପି ଯଦି ଭାରତୀୟ ଅର୍ଥନୀତି ହାସଲ କରିଥିବା ଅଭିବୃଦ୍ଧିକୁ େକହି ଭିତ୍ତିହୀନ ବୋଲି ସନ୍ଦେହ କରୁଥାଏ, ଭାରତର କୁକୁର ଗାତମାନଙ୍କରୁ ଏବେ ମିଳୁଥିବା ଖବର ନିଶ୍ଚିତ ରୂପେ ସେ ସନ୍ଦେହକୁ ସମ୍ପୂର୍ଣ୍ଣ ରୂପେ ଦୂରୀଭୂତ କରିବ। କାରଣ ଏହି ଖବର ବହନ କରୁଥିବା ‘ପିଏମ୍ଆଇ’ ଅନୁସାରେ ଭାରତ ହେଉଛି ପୃଥିବୀର ଏକମାତ୍ର ବୃହତ୍ ଅର୍ଥନୀତି, ଯେଉଁଠି କାରଖାନା ଉତ୍ପାଦନରେ ଉଲ୍ଲେଖନୀୟ ବୃଦ୍ଧି ଘଟିବାରେ ଲାଗିଛି।
ପ୍ରକାଶିତ ସୂଚନା ଅନୁସାରେ ଜୁନ୍ରେ ଭାରତରେ ‘ପିଏମ୍ଆଇ’ ଥିଲା ୫୭.୮, ଯାହା ମଇରେ ଥିଲା ସାମାନ୍ୟ ଅଧିକ ୫୮.୭ (ସୂଚନା ଯୋଗ୍ୟ, ଏହା ଥିଲା ବିଗତ ୩୧ ମାସ ମଧ୍ୟରେ ସର୍ବୋଚ୍ଚ)। ‘ପିଏମ୍ଆଇ’ ହିସାବ ପଦ୍ଧତି ଅନୁସାରେ ଏହାର ମୂଲ୍ୟ ଯେତେବେଳେ ୫୦ରୁ ଅଧିକ େହାଇଥାଏ, ତାହା ସୂଚାଇଥାଏ ଯେ ପୂର୍ବ ମାସ ତୁଳନାରେ ଅର୍ଥନୀତିରେ ବୃଦ୍ଧି ବା ସମ୍ପ୍ରସାରଣ ଘଟିଛି। ଯଦି ‘ପିଏମ୍ଆଇ’ ୫୦ରୁ କମ୍ ହୁଏ, ତାହା ସୂଚାଇଥାଏ ଯେ ପୂର୍ବ ମାସ ତୁଳନାରେ ଅର୍ଥନୀତିର ସଂେକାଚନ ଘଟିଛି। ଭାରତର କାରଖାନାମାନଙ୍କରେ ଉତ୍ପାଦନ ବା ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଯେ ନିଶ୍ଚିତ ରୂପେ ଏକ ପୁନର୍ଜାଗରଣ ଦେଖା ଦେଇଛି, ତାହାର ପ୍ରମାଣ ସ୍ବରୂପ ଏଠାରେ ଲଗାତର ୨୪ ମାସ ଧରି ମାନୁଫାକ୍ଚରିଙ୍ଗ୍ ‘ପିଏମ୍ଆଇ’ ମୂଲ୍ୟ ୫୦ରୁ ଅଧିକ ହେବା ଦେଖାଯାଇଛି। କୁକୁର ଗାତମାନଙ୍କ ଭିତରର ଯେଉଁ ଚିତ୍ରର ଏହା ପ୍ରତିନିଧିତ୍ବ କରିଥାଏ, ତାହା ହେଲା- ଗତ ୧୮ ମାସ ମଧ୍ୟରେ କାରଖାନାମାନଙ୍କରେ ଉତ୍ପାଦନ ବର୍ତ୍ତମାନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ଏବଂ ଗତ ତିନି ମାସ ଧରି ସେଠାରେ ନିଯୁକ୍ତିରେ ବୃଦ୍ଧି ଘଟିବାରେ ଲାଗିଛି।
ଭାରତୀୟ ଅର୍ଥନୀତିର ଅଭିବୃଦ୍ଧି ହାର (ଅର୍ଥାତ୍ ‘ଜିଡିପି’ର ଅଭିବୃଦ୍ଧି ହାର) ଉଚ୍ଚ ରହିବାକୁ ହେଲେ ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଏଇଭଳି ଶକ୍ତିଶାଳୀ ପ୍ରଦର୍ଶନ ଜାରି ରହିବା ଆବଶ୍ୟକ। ବିଗତ ବିତ୍ତବର୍ଷର ଶେଷ ଚଉଠରେ ଭାରତୀୟ ଅର୍ଥନୀତି ହାସଲ କରିଥିବା ଏକ ସନ୍ତୋଷଜନକ ୬.୧ ଶତାଂଶ ଅଭିବୃଦ୍ଧି ହାର ପଛରେ ନିହିତ ଥିଲା ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ସେଇ ସମୟ ମଧ୍ୟରେ ଘଟିଥିବା ୪.୫ ଶତାଂଶ ହାରରେ ଅଭିବୃଦ୍ଧି।
ଯେଉଁ ସମୟରେ ଭାରତରେ କୁକୁର ଗାତମାନ ଏପରି ଉତ୍ତମ ‘ପିଏମ୍ଆଇ’ ଉତ୍ପନ୍ନ କରି ଚାଲିଛନ୍ତି, ପୃଥିବୀର ଅନ୍ୟ ବୃହତ୍ ଅର୍ଥନୀତିମାନ ପଛରେ ପଡ଼ିଯିବା ଦେଖାଯାଇଛି। ଚୀନ୍ର ମଇ ‘ପିଏମ୍ଆଇ’ ୫୦.୯ ଥିବା ବେଳେ ଜୁନ୍ ‘ପିଏମ୍ଆଇ’ ହୋଇଛି ୫୦.୫। ସେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାକୁ ପଦକ୍ଷେପମାନ ନେଉଥିଲେ ହେଁ ସେଠାରେ ରପ୍ତାନି ଚାହିଦାରେ ହ୍ରାସ ଯୋଗୁଁ ଉଭୟ ଉତ୍ପାଦନ ଓ ନିଯୁକ୍ତିରେ ସଂକୋଚନ ଘଟୁଛି। ‘ୟୁରୋପିଆନ୍ ୟୁନିଅନ୍’ ଅନ୍ତର୍ଗତ ‘ୟୁରୋ ଜୋନ୍’ର ଚିତ୍ର ଆହୁରି ବିଷାଦଜନକ: ସେଠାରେ ଜୁନ୍ ‘ପିଏମ୍ଆଇ’ ୪୩.୪ ହୋଇଛି, ଯାହା ମଇର ୪୪.୮ ଠାରୁ ମଧ୍ୟ କମ୍। ସେଠାରେ ଯେ ଅର୍ଥନୈତିକ ସଂକୋଚନ ଅବ୍ୟାହତ ରହିଛି, ଏହା ହେଉଛି ତାହାର ଦୃଢ଼ ସଙ୍କେତ। ଆମେରିକା ପରିସ୍ଥିତି ମଧ୍ୟ ତଦ୍ରୁପ; ସେଠାରେ ମଇ ‘ପିଏମ୍ଆଇ’ ୪୮.୪ ଥିବା ବେଳେ ଜୁନ୍ ‘ପିଏମ୍ଆଇ’ ହୋଇଛି ୪୬.୩। ବ୍ରିଟେନ୍ ମଧ୍ୟ ଏକ ଅନୁରୂପ ଅର୍ଥନୈତିକ ସଂକୋଚନ କବଳରେ ପଡ଼ିଛି। ଅର୍ଥନୀତିଜ୍ଞମାନଙ୍କ ବିଚାରରେ ଭାରତରେ ସରକାରଙ୍କ ପୁଞ୍ଜି ବ୍ୟୟରେ ଘଟିଥିବା ବୃଦ୍ଧି ଓ ଘରୋଇ ଖାଉଟି ଚାହିଦାରେ ଘଟିଥିବା ବୃଦ୍ଧି ହେଉଛି ମାନୁଫାକ୍ଚରିଙ୍ଗ୍ କ୍ଷେତ୍ରରେ ଦେଖାଯାଇଥିବା ଉତ୍ତମ ପ୍ରଦର୍ଶନର କାରଣ। କାରଣ ଯାହା ହୋଇଥାଉ ନା କାହିଁକି, ଆମ କୁକୁର ଗାତମାନଙ୍କୁ ଏହିପରି ଉତ୍ପାଦନ-ଅନୁକୂଳ କରି ରଖିବା ହେଉଛି ଆମ ଅର୍ଥନୈତିକ ନୀତି ନିର୍ଦ୍ଧାରକମାନଙ୍କର ମୁଖ୍ୟ ଦାୟିତ୍ବ।