ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୟୁନାଇଟେଡ୍‌ ଆରବ ଏମିରେଟ୍‌ସ (ୟୁଏଇ) ଗସ୍ତ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର ଶକ୍ତିକାନ୍ତ ଦାସ ଓ ‘ୟୁଏଇ’ର କେନ୍ଦ୍ରୀୟ ବ୍ୟାଙ୍କ୍‌ ‘ସେଣ୍ଟ୍ରାଲ ବ୍ୟାଙ୍କ୍‌ ଅଫ୍‌ ୟୁଏଇ’ର ଗଭର୍ନର୍ ଖାଲେଦ୍‌ ମହମଦ୍‌ ବାଲା‌ମାଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏକ ବୁଝାମଣା ପତ୍ର (‘ଏମ୍‌ଓୟୁ’) ଏକ ଗତାନୁଗତିକ କୂଟନୈତିକ ପଦକ୍ଷେପ ଭଳି ମନେ ହେଉଥିଲେ ହେଁ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ କାରବାର ପଦ୍ଧତିରେ ତାହା ଏକ ଯୁଗାନ୍ତକାରୀ ପରିବର୍ତ୍ତନର ସୂତ୍ରପାତ କରିଛି। ଏଥିସହିତ ଏହା ଭାରତ ତା’ର ମୁଦ୍ରା ‘ଟଙ୍କା’କୁ ଏକ ଆନ୍ତର୍ଜାତିକ ମୁଦ୍ରାରେ ପରିଣତ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛି, ତାହାକୁ ଆଗେଇ ନେବାରେ ଯେ ସହାୟକ ହୋଇଛି ତାହା ଉଭୟ ପକ୍ଷ ଭଲ ରୂପେ ଜାଣନ୍ତି।

Advertisment

ଚୁକ୍ତିନାମା ଅନୁସାରେ ଏଣିକି ଉଭୟ ଦେଶର ଆମଦାନି ଓ ରପ୍ତାନିକାରୀମାନେ ନିଜ ନିଜ ଦେଶର ମୁଦ୍ରା ଆକାରରେ ଇନ୍‌ଭଏସ୍‌ ପ୍ରସ୍ତୁତ କରି ପାରିବେ ଏବଂ ପାଉଣା ପଇଠ କରିପାରିବେ। ଏହାର ଫଳ ସ୍ବରୂପ ଏଣିକି ଉଭୟ ଦେଶ ମଧ୍ୟରେ ସମସ୍ତ ୮୫ ବିଲିଅନ୍‌ ଡଲାର୍‌ ମୂଲ୍ୟର ବାଣିଜ୍ୟ କାରବାର, ଯେଉଁଥିରେ ୩୬ ବିଲିଅନ୍‌ ଡଲାର୍‌ର ତୈଳ ଓ ପ୍ରାକୃତିକ ବାଷ୍ପ ଅନ୍ତର୍ଭୁକ୍ତ, ସ୍ଥାନୀୟ ମୁଦ୍ରା (ଭାରତୀୟ ‘ଟଙ୍କା’, ୟୁଏଇ ‘ଦିର୍‌ହାମ୍‌’) ଆକାରରେ ସମ୍ପନ୍ନ ହେବ, ଯେଉଁ କାରବାରୁ ଆମେରିକୀୟ ଡଲାର୍‌ ତା’ର ପୂର୍ବର ପ୍ରଭୁତ୍ବ ହରାଇ ସମ୍ପୂର୍ଣ୍ଣ ରୂପେ ବାଦ୍‌ ପଡ଼ିବ। ଏହି ସ୍ଥାନୀୟ ମୁଦ୍ରାଭିତ୍ତିକ ଦେୟ ପଇଠ ବ୍ୟବସ୍ଥା ବା ‘ଲୋକାଲ୍‌ କରେନ୍‌ସି ସେଟ୍‌ଲମେଣ୍ଟ (ଏଲ୍‌ସିଏସ୍‌) ସିଷ୍ଟମ୍‌’ ନିଶ୍ଚିତ ରୂପେ ସମଗ୍ର ମଧ୍ୟପ୍ରାଚ୍ୟ ଓ ଭାରତୀୟ ଉପ ମହାଦେଶ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିବ। ଉଭୟ ଅଞ୍ଚଳର ଅନ୍ୟ ଦେଶମାନେ ଏହି ନୂତନ ବ୍ୟବସ୍ଥାକୁ ଅନୁକରଣ କରିବାର ଦୃଢ଼ ସମ୍ଭାବନା ରହିଛି। ଆମେରିକୀୟ ଡଲାର୍‌ର ଅସୁବିଧାଜନକ ବନ୍ଧନରୁ ମୁକୁଳିବା ପାଇଁ ଏହା ଏକ ନୂତନ ଦ୍ବାର ଉନ୍ମୁକ୍ତ କରିଛି। ଏହାର ଅଳ୍ପ ଦିନ ପୂର୍ବେ ବେଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଆଫ୍ରିକାର ତାଞ୍ଜିନିଆ ଓ ଭାରତ ମଧ୍ୟରେ ବାଣିଜ୍ୟ କାରବାରରେ ଡଲାର୍‌କୁ ବହିଷ୍କାର କରି ଉଭୟ ଦେଶର ମୁଦ୍ରା ବ୍ୟବହାର ‌କରାଯିବ ବୋଲି ଦୃଢ଼ ଆଶା ପୋଷଣ କରିଥିବା ପ୍ରକାଶ କରିଥିଲେ।

ବାସ୍ତବ କ୍ଷେତ୍ରରେ ‘ଟଙ୍କା’ର ଆନ୍ତର୍ଜାତିକୀକରଣ ଦିଗରେ ଭାରତ ଏ ଯେଉଁ ଉଦ୍ୟମ ଆରମ୍ଭ କରିଛି, ତାହାକୁ ସଠିକ୍‌ ଦିଗ୍‌ଦର୍ଶନ ଦେବା ପାଇଁ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ରିଜର୍ଭ ବ୍ୟାଙ୍କ୍‌ ମଧ୍ୟ ଏକ ନକ୍‌ସା ପ୍ରସ୍ତୁତ କରିଛି। ନିର୍ଦ୍ଦିଷ୍ଟ ଭାବରେ କହିଲେ ରାଧାଶ୍ୟାମ ରଥଙ୍କ ନେତୃତ୍ବରେ ଗଠିତ ରିଜର୍ଭ ବ୍ୟାଙ୍କ୍‌ର ‘ଇଣ୍ଟର୍‌ ଡିପାର୍ଟମେଣ୍ଟାଲ୍‌ ଗ୍ରୁପ୍‌ ଅନ୍‌ ଇଣ୍ଟର୍‌ନେସନାଲାଇଜେସନ୍‌ ଅଫ୍‌ ଦି ରୁପି’ (ଆଇଡିଜି) ପୁଙ୍ଖାନୁପୁଙ୍ଖ ଭାବରେ ଏହି ପ୍ରସଙ୍ଗର ଅନୁଧ୍ୟାନ କରି ପ୍ରସ୍ତୁତ କରିଥିବା ରିପୋର୍ଟ ଜୁଲାଇ ୫ ତାରିଖରେ ପ୍ରକାଶ ପାଇଛି। ଅବଶ୍ୟ ଭବିଷ୍ୟତ ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟାନୁଷ୍ଠାନରେ ସ୍ବାଧୀନତାକୁ ସଂକୁଚିତ ନ କରିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍‌ ଏହା ସ୍ପଷ୍ଟ କରି ଦେଇଛି ଯେ ରିପୋର୍ଟଟି ବହନ କରିଥିବା ମତାମତ ହେଉଛି ‘ଆଇଡିଜି’ର, ରିଜର୍ଭ ବ୍ୟାଙ୍କ୍‌ର ନୁହେଁ ଏବଂ ଏହାକୁ କାର୍ଯ୍ୟକାରୀ କରିବା ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ ଏହାକୁ ଅନୁଧ୍ୟାନ କରି ଦେଖିବ।

ଏହା ବର୍ତ୍ତମାନ ସୁବିଦିତ ଯେ ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ରୁଷିଆ ବିରୋଧରେ ବିଭିନ୍ନ ଅର୍ଥନୈତିକ ବାସନ୍ଦ ଲାଗୁ କରିବାରୁ ଅନେକ ଦେଶ ସେମାନଙ୍କର ବୈଦେଶିକ ବାଣିଜ୍ୟ କାରବାରରେ କେବଳ ଡଲାର୍‌ ବ୍ୟବହାର କରିବାର ସମ୍ଭାବ୍ୟ ବିପଦ ସମ୍ବନ୍ଧରେ ସଚେତନ ହୋଇ ଛାନିଆ ହୋଇଯାଇଛନ୍ତି। ସେମାନେ ଆମଦାନି ରପ୍ତାନି ପାଇଁ ଇନ୍‌ଭଏସ୍‌ ପ୍ରସ୍ତୁତ କରିବା, ପାଉଣା ପଇଠ କରିବା ଆଦିରେ ଡଲାର୍‌ ବ୍ୟତୀତ ଅନ୍ୟ ମୁଦ୍ରା ମଧ୍ୟ ବ୍ୟବହାର କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି ବିଚାର କରିବାକୁ ଆରମ୍ଭ କଲେଣି। ଏଇଭଳି ଏକ ପରିବେଶରେ ଭାରତ ତା’ର ମୁଦ୍ରାକୁ ଏକ ଅାନ୍ତର୍ଜାତିକ ବିନିମୟର ମାଧ୍ୟମରେ ପରିଣତ କରିବାକୁ ଆରମ୍ଭ କରିଥିବା ଉଦ୍ୟମକୁ ‘ଟଙ୍କା’ର ମର୍ଯ୍ୟାଦା ବୃଦ୍ଧି ନିମିତ୍ତ ଏକ ଜାତୀୟତାବାଦୀ ଉଦ୍ୟମ ରୂପେ କେହି କେହି ବିଚାର କରି ପାରନ୍ତି ଓ ଏଥିରେ ମଧ୍ୟ କିଛି ଅସଂଗତି ନାହିଁ; କିନ୍ତୁ ଏହା ମଧ୍ୟ ଯେ ହେଉଛି ସମୟର ଏକ ଡାକ, ତାହା କେହି ଅସ୍ବୀକାର କରିପାରିବେ ନାହିଁ।

ଭାରତର ଏହି ଉଦ୍ୟମର ଅଂଶ ସ୍ବରୂପ ଗତ ବର୍ଷ ରିଜର୍ଭ ବ୍ୟାଙ୍କ୍‌ ୧୮ଟି ବିଭିନ୍ନ ଦେଶମାନଙ୍କ ସହିତ ବାଣିଜ୍ୟ କାରବାର ଜନିତ ଦେଣନେଣକୁ ଟଙ୍କା ଆକାରରେ ସମ୍ପନ୍ନ କରିବା ପାଇଁ ପ୍ରାୟ ଏକ ଡଜନରୁ ଅଧିକ ବ୍ୟାଙ୍କ୍‌ମାନଙ୍କୁ ଅନୁମତି ପ୍ରଦାନ କରିଥିଲା। କିନ୍ତୁ ଅନ୍ୟ ଦେଶମ‌ାନେ ଏ ପର୍ଯ୍ୟନ୍ତ ଏଥିପ୍ରତି ଯେଉଁଭଳି ଆଗ୍ରହ ପ୍ରଦର୍ଶନ କରିଛନ୍ତି, ତାହାକୁ ଉତ୍ସାହଜନକ ବୋଲି କୁହାଯାଇପାରିବ ନାହିଁ। କେବଳ ଦୁଇଟି ପଡ଼ୋଶୀ ଦେଶ ବ୍ୟତୀତ ସେ ତାଲିକାର ଅନ୍ୟ ଦେଶମାନେ ଏ ପର୍ଯ୍ୟନ୍ତ ଏଥିପ୍ରତି ବିଶେଷ ଆଗ୍ରହ ଦେଖାଇ ନାହାନ୍ତି। ଏ ଦେଶ ଦୁଇଟି ହେଲେ ଶ୍ରୀଲଙ୍କା ଓ ବାଂଲାଦେଶ। କିନ୍ତୁ ଏହା କାହାକୁ ଅବିଦିତ ନୁହେଁ ଯେ ସେ ଦୁଇ ଦେଶର ଆଭ୍ୟନ୍ତରୀଣ ଅର୍ଥନୈତିକ ଅବସ୍ଥା ଏପରି ଶୋଚନୀୟ ହୋଇଥିଲା ଯେ ସେମାନେ ବୁଡ଼ିଗଲା ଲୋକ ପାଇଁ କୁଟା ଖିଏ ଭରସା ନ୍ୟାୟରେ ଭାରତୀୟ ଟଙ୍କାକୁ ଦ୍ବିପାକ୍ଷିକ ବାଣିଜ୍ୟରେ ବ୍ୟବହାର କରିବାକୁ ଆଗେଇ ଆସିଥିଲେ।

କିନ୍ତୁ ଏକ ସମୟରେ ରୁଷିଆ ସହିତ ରୁପି-ରୁବ୍‌ଲ ‘ଏଲ୍‌ସିଏସ୍‌’ କାରବାର ସନ୍ତୋଷଜନକ ଭାବରେ ଅଗ୍ରଗତି କରିବ ବୋଲି ମନେ ହେଉଥିଲେ ହେଁ, ବାସ୍ତବରେ ତାହା ମଧ୍ୟ ଘଟି ନାହିଁ। ଗତ ବର୍ଷକ ମଧ୍ୟରେ ଭାରତ ରୁଷିଆ ଠାରୁ ବିପୁଳ ପରିମାଣର ଅଶୋଧିତ ତୈଳ କ୍ରୟ କରିବା ଯୋଗୁଁ ସେ ଦେଶରୁ ଆମେ କରୁଥିବା ଆମଦାନିରେ ବିସ୍ଫୋରକ ବୃଦ୍ଧି ଘଟିଛି। ‘ଏଲ୍‌ସିଏସ୍‌’ ବ୍ୟବସ୍ଥା ଅନୁସାରେ ଭାରତ ରୁଷିଆକୁ ଟଙ୍କା ଆକାରରେ ଏହାର ପାଉଣା ପ୍ରଦାନ କରିବା କଥା। କିନ୍ତୁ ରୁଷିଆ ଏବେ ଚାହୁଁଛି ଭାରତ ଚୀନା ‘ୟୁଆନ୍‌’ କିମ୍ବା ୟୁଏଇର ‘ଦିର୍‌ହାମ୍‌’ ଆକାରରେ ନିଜର ଦେୟ ପଇଠ କରୁ। ଏହାର କାରଣ ହେଲା, ଏଥି ପୂର୍ବରୁ ଭାରତକୁ ତୈଳ ରପ୍ତାନି ସୂତ୍ରରୁ ରୁଷିଆ ଯେଉଁ ବିପୁଳ ପରିମାଣର ଟଙ୍କା ଅର୍ଜନ କରିଛି, ତାହାକୁ ସେ ଖର୍ଚ୍ଚ କରି ପାରୁନାହିଁ, କାରଣ ଭାରତ ବାହାରେ ଟଙ୍କା ଏକ ଗ୍ରହଣୀୟ ମୁଦ୍ରାରେ ପରିଣତ ହୋଇନାହିଁ, ଏବଂ ରୁଷିଆ ଭାରତରୁ କରୁଥିବା ଆମଦାନି ଅତ୍ୟନ୍ତ ସୀମିତ ହୋଇଥିବା ଯୋଗୁଁ ସେ ନିଜ ପାଖରେ ଥିବା ସବୁତକ ଟଙ୍କା ଭାରତରେ ମଧ୍ୟ ଖର୍ଚ୍ଚ କରି ସାରି ଦେଇପାରିବ ନାହିଁ।

ଏହି ପୃଷ୍ଠପଟରେ ‘ୟୁଏଇ’ ସହିତ ଭାରତ ଏବେ ସ୍ବାକ୍ଷର କରିଥିବା ‘ଏମ୍‌ଓୟୁ’ ଟଙ୍କା ଆନ୍ତର୍ଜାତିକ ମୁଦ୍ରାରେ ପରିଣତ ହେବା ପଥକୁ ନିଶ୍ଚିତ ରୂପେ ସୁଗମ କରିବ; ‘ଟଙ୍କା’ର ଟଙ୍କାର ଅଧିକରୁ ଅଧିକ ଦେଶମାନଙ୍କ କାନରେ ପଡ଼ିବ। କ୍ରମେ ଏହାକୁ ଅନୁକରଣ କରି ଅଧିକରୁ ଅଧିକ ଦେଶ ସେମାନଙ୍କର ବୈଦେଶିକ ବାଣିଜ୍ୟ କାରବାରରେ ‌ଟଙ୍କାକୁ ଗ୍ରହଣ କରିବା ଆରମ୍ଭ କଲେ ଭାରତକୁ ଆଉ ଏକ ବିଶାଳ ବୈଦେଶିକ ମୁଦ୍ରା ଭଣ୍ଡାର ମହଜୁଦ ରଖିବାକୁ ପଡ଼ିବ ନାହିଁ, ତଥା ଡଲାର୍‌କୁ ଅସ୍ତ୍ର ରୂପେ ବ୍ୟବହାର କରି ଆମେରିକା ଆମକୁ କେବେ ଅକଳରେ ପକାଇ ପାରିବ ନାହିଁ। ଏଥିପାଇଁ ରାଧାଶ୍ୟାମ ରଥ କମିଟିର ରିପୋର୍ଟର ସୁପାରିସଗୁଡ଼ିକୁ ପରଖି ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରାଯିବା ଉଚିତ।