କେନ୍ଦୁଝର ଜିଲ୍ଲାର ଏକ ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ଦାଶଙ୍କୁ ମାତୃତ୍ବ ଛୁଟି ବା ‘ମାଟର୍ନିଟି ଲିଭ୍‌’ ମଞ୍ଜୁର କରାଯିବା ସଂକ୍ରାନ୍ତରେ ଗତ ସପ୍ତାହରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ର ପ୍ରଦାନ କରିଥିବା ରାୟକୁ କେବଳ ଉଦାହରଣ ସୃଷ୍ଟିକାରୀ ବୋଲି କହିଲେ ଯଥେଷ୍ଟ ହେବ ନାହିଁ, ଏହା ହେଉଛି ଏକାଧାରରେ ମାନବଧର୍ମୀ, ଲିଙ୍ଗ‌ ସଚେତନ, ଦୂରଦର୍ଶୀ ଓ ଯୁଗାନ୍ତକାରୀ। ଦେଶବ୍ୟାପୀ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ଥିବା ଏହି ରାୟରେ ଜଷ୍ଟିସ୍‌ ମିଶ୍ର ସ୍ପଷ୍ଟ କରିଛନ୍ତି ଯେ ମହିଳା କର୍ମଚାରୀମାନଙ୍କୁ ‘ମାଟର୍ନିଟି ଲିଭ୍‌’ ପ୍ରଦାନ କରାନଯିବା ହେଉଛି ସେମାନଙ୍କୁ ସେମାନଙ୍କର ମୌଳିକ ମାନବାଧିକାରରୁ ବଞ୍ଚିତ କରାଯିବା ସହିତ ସମାନ। ସେ ମଧ୍ୟ କହିଛନ୍ତି ‘ମାଟର୍ନିଟି ଲିଭ୍‌’ ଆବେଦନ ପ୍ରତ୍ୟାଖ୍ୟାନ କରାଯିବା ହେଉଛି ଭାରତୀୟ ସଂବିଧାନର ଧାରା-୨୧ରେ ପ୍ରଦାନ କରାଯାଇଥିବା ଜୀବନ ଉପରେ ବ୍ୟକ୍ତିର ମୌଳିକ ଅଧିକାରର ଉଲ୍ଲଂଘନ। ମାତୃତ୍ବ ଲାଭ ହେଉଛି ପ୍ରତ୍ୟେକ ନାରୀର ଜୀବନର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରାକୃତିକ ଅଂଶ ଏବଂ କର୍ମଜୀବୀ ନାରୀମାନଙ୍କୁ ଏଥିପାଇଁ ଆବଶ୍ୟକ ସହଯୋଗ ଓ ସହାୟତା ପ୍ରଦାନ କରିବା ହେଉଛି ନିଯୁକ୍ତି ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ବୋଲି ଅଦାଲତ ଏହି ରାୟରେ ଆଦେଶ ଦେଇ କହିଛନ୍ତି।

Advertisment

ଉଚ୍ଚ ନ୍ୟାୟାଳୟଙ୍କର ଏହି ରାୟ ଯେ କେବଳ ଏକ ଉଚ୍ଚମନା ନ୍ୟାୟିକ ଘୋଷଣା ନୁହେଁ, ଏହାର ମଧ୍ୟ ଏକ ସୁଦୂରପ୍ରସାରୀ ବାସ୍ତବ ଦିଗ ରହିଛି, ତାହା ହୃଦୟଙ୍ଗମ କରିବାକୁ ହେଲେ ନିମ୍ନୋକ୍ତ ଏକ ସମ୍ଭାବ୍ୟ ଦୃଶ୍ୟ କଳ୍ପନା କରାଯାଇପାରେ। ପାରମ୍ପରିକ ଭାବରେ ମନୁଷ୍ୟ ସମାଜରେ ଏହି ଧାରଣା ବଳବତ୍ତର ରହି ଆସିଛି ଯେ ଶ୍ବାସକ୍ରିୟା ଯେଉଁଭଳି ହେଉଛି ଜୀବନ୍ତ ମନୁଷ୍ୟ ପାଇଁ ଏକ ସ୍ବାଭାବିକ, ଅପରିହାର୍ଯ୍ୟ ପ୍ରକ୍ରିୟା; ଗର୍ଭଧାରଣ, ସନ୍ତାନ ପ୍ରସବ ଓ ସନ୍ତାନ ସନ୍ତତିଙ୍କ ଲାଳନ ପାଳନ ହେଉଛି ନାରୀମାନଙ୍କ ପାଇଁ ସେଇଭଳି ଏକ ସ୍ବାଭାବିକ ପ୍ରକ୍ରିୟା। ଏହି ପ୍ରକ୍ରିୟା ସମ୍ପାଦନ ଦ୍ବାରା ନାରୀମାନେ ଯେ ମନୁଷ୍ୟ ସମାଜ ପ୍ରତି କିଛି ଅନୁକମ୍ପା ପ୍ରଦର୍ଶନ କରିଥାନ୍ତି, ପୁରୁଷ ପ୍ରଧାନ ସମାଜ ତାହା କେବେହେଲେ ବିଶ୍ବାସ କରିନଥାଏ। ଏବେ କଳ୍ପନା କରାଯାଉ ଉଦାର ଗଣତନ୍ତ୍ର ଥିବା କୌଣସି ଏକ ଦେଶରେ ସମସ୍ତ ନାରୀମାନେ ଏକଜୁଟ ହୋଇ ଏକ ଦୃଢ଼ ନିଷ୍ପତ୍ତି ଗ୍ରହଣ କଲେ ଯେ ସେମାନେ ଆଉ ଗର୍ଭଧାରଣ କରିବେ ନାହିଁ। ଅଚିରେ ଏଭଳି ସମାଜର ବିଲୟ ଯେ ଅନିବାର୍ଯ୍ୟ, ଏହା ସମସ୍ତ ପାଠକ-ପାଠିକାମାନେ ତତ୍‌କ୍ଷଣାତ୍‌ ହୃଦୟଙ୍ଗମ କରିସାରିଥିବେ। ଏହା କାହାକୁ ଯଦି ଏକ ଅବାସ୍ତବ, ଉଦ୍ଭଟ ପରିକଳ୍ପନା ଭଳି ମନେ ହେଉଥାଏ, ତା’ହେଲେ ବର୍ତ୍ତମାନ କେତେକ ସମାଜରେ ଉଙ୍କି ମାରିବାକୁ ଆରମ୍ଭ କରିଥିବା ପ୍ରଜନନ ସମ୍ପର୍କିତ ନିମ୍ନବର୍ଣ୍ଣିତ ଚିତ୍ର ସେମାନଙ୍କର ସେଭଳି ଧାରଣାକୁ ଦୂରୀଭୂତ କରିବ।

ଜନସଂଖ୍ୟା‌ ଶାସ୍ତ୍ରର ମୌଳିକ ଗଣିତ ଅନୁସାରେ କୌଣସି ଏକ ଦେଶର ଜନସଂଖ୍ୟା ସ୍ଥିର ରହିବାକୁ ହେଲେ ସେ ଦେଶର ପ୍ରତ୍ୟେକ ନାରୀ ତାଙ୍କର ଜୀବନ କାଳ ମଧ୍ୟରେ ହାରାହାରି ୨.୧ଟି ସନ୍ତାନ ଉତ୍ପାଦନ କରିବା ଆବଶ୍ୟକ, ଯେଉଁ ହାରକୁ ଜନସଂଖ୍ୟା ଶାସ୍ତ୍ରରେ କୁହାଯାଇଥାଏ ‘ଟୋଟାଲ୍‌ ଫର୍ଟିଲିଟି ରେଟ୍‌’ ବା ‘ଟିଏଫ୍‌ଆର୍‌’। ‘ଟିଏଫ୍‌ଆର୍‌’ର ମୂଲ୍ୟ ଯେତେବେଳେ ୨.୧ ହୋଇଥାଏ, ତାହାକୁ ‘ରିପ୍ଲେସ୍‌ମେଣ୍ଟ ରେଟ୍‌’ ବା ‘ଭରଣା ହାର’ ରୂପେ ଅଭିହିତ କରାଯାଇଥାଏ; ଅର୍ଥାତ୍‌ ଜନସଂଖ୍ୟା କୁଣ୍ଡରୁ ଯେତିକି ପାଣି ବାହାରିଯାଏ, ଏହାଦ୍ବାରା ସେଥିରେ ପୁଣି ଠିକ୍‌ ସେତିକି ପାଣି ଭର୍ତ୍ତି ହୋଇଯାଏ। ଗୋଟିଏ ଦଂପତି ଯଦି ଦୁଇଟି ସନ୍ତାନ ଉତ୍ପାଦନ କରନ୍ତି, ସେମାନେ ସଂସାର ତ୍ୟାଗ କଲାପରେ ସେ ଦୁଇ ସନ୍ତାନ ଠିକ୍‌ ସେ ଶୂନ୍ୟସ୍ଥାନ ପୂରଣ କରିଥାନ୍ତି; ଏଣୁ ସେ ଦେଶର ମୋଟ ଜନସଂଖ୍ୟା ସ୍ଥିର ରହେ। ସନ୍ତାନମାନଙ୍କର ସମ୍ଭାବ୍ୟ ମୃତ୍ୟୁ ଜନିତ ଶୂନ୍ୟସ୍ଥାନ ପୂରଣ କରିବା ପାଇଁ ପୂ‌ର୍ବୋକ୍ତ ‘ଭରଣା ହାର’ର ମୂଲ୍ୟ ୨ ସ୍ଥାନରେ ୨.୧ ରୂପେ ନିରୂପିତ ହୋଇଛି।

ଯଦି କୌଣସି ଏକ ଦେଶରେ ‘ଟିଏଫ୍‌ଆର୍‌’ ୨.୧ ତଳକୁ ଖସିଯାଏ, ସମୟ କ୍ରମେ ସେ ଦେଶର ମୋଟ ଜନସଂଖ୍ୟା ହ୍ରାସ ପାଇବାକୁ ଆରମ୍ଭ କରିବ, ଜନସଂଖ୍ୟାରେ ବୃଦ୍ଧବୃଦ୍ଧାଙ୍କ ଅନୁପାତ ବୃଦ୍ଧି ପାଇବାରେ ଲାଗିବ, କାର୍ଯ୍ୟକ୍ଷମ ଯୁବକଯୁବତୀଙ୍କ ଅନୁପାତ ହ୍ରାସ ପାଇବାରେ ଲାଗିବ, କିଛି କାଳ ପରେ ସେ ସମାଜର ବିଲୟ ଘଟିବ। ଏହି ପ୍ରକ୍ରିୟା ମନ୍ଥର ହୋଇଥିବାରୁ ଏହାର ପ୍ରଭାବ ରାତି ପାହିଲା ବେଳକୁ ଅନୁଭୂତ ହୋଇନଥାଏ, କିନ୍ତୁ ତାହା ଘଟିବା ଅନିବାର୍ଯ୍ୟ। ପ୍ରଣିଧାନଯୋଗ୍ୟ ଯେ ବର୍ତ୍ତମାନ ପୃଥିବୀର ଅନେକ ଉନ୍ନତ ଦେଶରେ ଏହି ସତର୍କ ଘଣ୍ଟିର ଶବ୍ଦ ଶୁଣାଯିବାକୁ ଲାଗିଲାଣି। ସେ ଦେଶମାନଙ୍କରେ ‘ଟିଏଫ୍‌ଆର୍‌’ ୨.୧ରୁ କମ୍‌ ହୋଇ ଚାଲିଥିବାରୁ ପରିସ୍ଥିତିରେ କୌଣସି ଉନ୍ନତି ଘଟୁନାହିଁ। ଏଭଳି ଦେଶମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେଉଛି ଦକ୍ଷିଣ କୋରିଆ ଯେଉଁଠି ‘ଟିଏଫ୍‌ଆର୍‌’ ହେଉଛି ଏକ ହତାଶାଜନକ ୦.୭୮ ମାତ୍ର। ଅନ୍ୟ ଏଭଳି ଦେଶମାନଙ୍କ ମଧ୍ୟରେ ଅଛନ୍ତି ଜାପାନ୍‌- ୧.୩୪, ଇଟାଲି- ୧.୨୪, ଜର୍ମାନୀ- ୧.୫୩, ଫ୍ରାନ୍‌ସ- ୧.୮୩, ବ୍ରିଟେନ୍‌- ୧.୫୬। ଚୀନ୍‌ର କମ୍ୟୁନିଷ୍ଟ ସରକାର ଅତୀତରେ ବଳବତ୍ତର କରିଥିବା ଏକ-ସନ୍ତାନ ନୀତି ଯୋଗୁଁ ସେଠାରେ ‘ଟିଏଫ୍‌ଆର୍‌’ ଧରାଶାୟୀ ହୋଇ ହୋଇଛି- ୧.୨୮। ଭାରତର ‘ଟିଏଫ୍‌ଆର୍‌’ ୨୦୨୦ରେ ହୋଇଥିଲା ‘ଭରଣା ହାର’ରୁ ସାମାନ୍ୟ କମ୍‌- ୨.୦୫।

ଚୀନ୍‌କୁ ଛାଡ଼ିଦେଲେ ଉପରୋକ୍ତ ଉନ୍ନତ ରାଷ୍ଟ୍ରମାନଙ୍କରେ ‘ଟିଏଫ୍‌ଆର୍‌’ ଏତେ ନୀଚା ହେବାର କାରଣ ହେଉଛି ମାତୃତ୍ବର ବହୁମୁଖୀ ବୋଝ ବୋହିବା ପାଇଁ ସେଠାକାର ନାରୀମାନଙ୍କର ଅନିଚ୍ଛା। ବିଶେଷ କରି ନାରୀମୁକ୍ତି ଆନ୍ଦୋଳନ ପ୍ରସାର ଲାଭ କରିବା ପରେ, ସେଠାରେ ନାରୀମାନଙ୍କ ମଧ୍ୟରେ ଏକ ସଚେତନତା ଦୃଢ଼ ଭାବରେ ଚେର ବିସ୍ତାର କରିଛି ଯେ ସନ୍ତାନ ଉତ୍ପାଦନ ନାରୀର ଏକ ସ୍ବାଭାବିକ ଦାୟିତ୍ବ ନୁହେଁ, ସ୍ବାର୍ଥପର ପୁରୁଷବାଦୀ ସମାଜ ଏ କଷ୍ଟକର ଦାୟିତ୍ବ ନାରୀ ଉପରେ ଲଦି ଦେଇଛି, ଯାହା ଏକ ବ୍ୟକ୍ତି ରୂପେ ଜଣେ ନାରୀର ବିକାଶ ପଥରେ ଗୁରୁତର ବାଧା ସୃଷ୍ଟି କରିଥାଏ। ଏଭଳି ଚିନ୍ତାଧାରାର ମୂଳଦୁଆ ଯଦି ପକାଇଥିଲା ମହାନ୍‌ ଫରାସୀ ଦାର୍ଶନିକା ସିମନ୍‌ ଡି ବିଭ୍ବାଙ୍କର ୧୯୪୯ର ପ୍ରସିଦ୍ଧ ପୁସ୍ତକ ‘ଦି ସେକେଣ୍ଡ୍‌ ସେକ୍‌ସ’ (ଦ୍ବିତୀୟ ଲିଙ୍ଗ), ତାହାର ପୂର୍ଣ୍ଣ ପରିପ୍ରକାଶ ଘଟାଇଛି ଅନ୍ୟ ଜଣେ ବିଶିଷ୍ଟ ଫରାସୀ ଦାର୍ଶନିକା ଏଲିଜାବେଥ୍‌ ବାଡିଣ୍ଟର୍‌ଙ୍କର ୨୦୧୨ରେ ପ୍ରକାଶିତ ବହୁଳ ପ୍ରସାରିତ ପୁସ୍ତକ ‘ଦି କନ୍‌ଫ୍ଳିକ୍‌ଟ: ହାଓ ମଡର୍ନ ମଦରହୁଡ୍‌ ଅଣ୍ଡର୍‌ମାଇନ୍‌ସ ଦି ଷ୍ଟାର୍ଟସ୍‌ ଅଫ୍‌ ୱିମେନ୍‌’ (‘ସଂଘାତ: ଆଧୁନିକ ମାତୃତ୍ବ କିପରି ନାରୀମାନଙ୍କର ସ୍ଥିତି ଦୁର୍ବଳ କରିଥାଏ’) ଭଳି ରଚନାମାନ ବହନ କରିଥିବା ସନ୍ଦେଶ। ବାଡିଣ୍ଟର୍‌ଙ୍କର ପୁସ୍ତକର ଶୀର୍ଷକ ମାତୃତ୍ବର ବୋଝ ପ୍ରତି ବନ୍ଧନମୁକ୍ତ ଆଧୁନିକ ନାରୀମାନଙ୍କର ଆଭିମୁଖ୍ୟ ସମ୍ବନ୍ଧରେ କୌଣସି ସନ୍ଦେହର ଅବକାଶ ରଖିନଥାଏ।

ତେବେ ଏହା ମଧ୍ୟ ସତ ଯେ ଭାରତୀୟ ନାରୀମାନଙ୍କ ପାଇଁ ମାତୃତ୍ବ ସେଇଭଳି ଏକ ଅସହ୍ୟ ବୋଝ ନ ହୋଇପାରେ ଯେପରି ପାଶ୍ଚାତ୍ୟ ସଂସ୍କୃତିରେ ହୋଇଥାଏ। ମାତୃଭକ୍ତି ହେଉଛି ଭାରତୀୟ ସଂସ୍କୃତିର ଏକ ମୁଖ୍ୟ ଆଧାର; ଜନ୍ମଭୂମି ପରି ଜନନୀ ମଧ୍ୟ ଆମ ପାଇଁ ‘‘ସ୍ବର୍ଗାଦପି ଗରିୟସୀ’’; ଏପରିକି ଶିଶୁକୁ ଆହାର ଯୋଗାଉଥିବା ଗାଈକୁ ମଧ୍ୟ ଆମେ କୃତଜ୍ଞ ସନ୍ତାନ ଭାବରେ ଗୋ-ମାତା ରୂପେ ପୂଜା କରିଥାଉ। ଶିଶୁଟିଏ ଗର୍ଭସ୍ଥ ହେବା ପରଠାରୁ ତାହା ସମଗ୍ର ପରିବାରର ଯୌଥ ଦାୟିତ୍ବରେ ପରିଣତ ହୋଇଥାଏ, ଯାହା ତା’ର ଜନ୍ମ ପରେ ଲାଲନ ପାଳନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଥାଏ। କିନ୍ତୁ ଏହା ମଧ ସତ ଯେ ଅର୍ଥନୈତିକ ବିକାଶ ସହିତ ତାଳ ଦେଇ କ୍ରମେ ଯୌଥ ପରିବାରର ଅବସାନ ଓ କ୍ଷୁଦ୍ର ପରିବାରର ଆବିର୍ଭାବ ଘଟିବା ସଙ୍ଗେ ସଙ୍ଗେ ବୃତ୍ତିଧାରିଣୀ ନାରୀମାନଙ୍କ ପାଇଁ ମାତୃତ୍ବ ଏକ କଠିନ ସଂଗ୍ରାମର ରୂପ ନେବାକୁ ଆରମ୍ଭ କଲାଣି। ଏହା ଯଦି ସେମାନଙ୍କୁ ମାତୃତ୍ବ ପ୍ରତି ସମ୍ପୂର୍ଣ୍ଣ ବିମୁଖ କରି ଦିଏ, ତେବେ ‘ଟିଏଫ୍‌ଆର୍‌’ ଭରଣା ହାର ତଳକୁ ଖସି ସାରିଥିବା ଭାରତ ଅଚିରେ କୋରିଆ ବା ଜାପାନ୍‌ ଭଳି ଜନସଂଖ୍ୟା ସଙ୍କଟର ସମ୍ମୁଖୀନ ହେବାର ଦୃଢ଼ ସମ୍ଭାବନା ରହିଛି। ଏହାକୁ ପ୍ରତିହତ କରିବା ପାଇଁ ଆବଶ୍ୟକ ମାତୃତ୍ବ ବୋଝ ବହନ କରିବାକୁ ଆଗେଇ ଆସିଥିବା ନାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ। ‘ମାଟର୍ନିଟି ଲିଭ୍‌’ ହେଉଛି ଏଇଭଳି ଏକ ସାମାଜିକ ସୁରକ୍ଷା କବଚ। ଶ୍ରୀମତୀ ଦାଶଙ୍କ ପରି ମାତୃତ୍ବ ଯୋଦ୍ଧାମାନଙ୍କ ପାଇଁ ଏହା ନିଶ୍ଚିତ କରିବା ପାଇଁ ଜଷ୍ଟିସ୍‌ ମିଶ୍ର ଦେଇଥିବା ଆଦେଶ କେବଳ ଏକ ଉପଯୁକ୍ତ ମାତୃବନ୍ଦନା ନୁହେଁ, ଭାରତୀୟ ସମାଜକୁ ସମ୍ଭାବ୍ୟ ବିଲୟରୁ ରକ୍ଷା କରିବା ପାଇଁ ଏହା ମଧ୍ୟ ହେଉଛି ଏକ ସ୍ବାଗତଯୋଗ୍ୟ ସମୟୋଚିତ ପଦକ୍ଷେପ।