ଏହା ସମ୍ଭବତଃ ବିଧି ନିର୍ଦ୍ଦିଷ୍ଟ ଥିଲା ଯେ ଭାରତ ଏବଂ ପାକିସ୍ତାନ ଦୁଇ ପରସ୍ପର ବିଦ୍ବେଷୀ ପଡ଼ୋଶୀ ରାଷ୍ଟ୍ର ରୂପେ ବିରାଜମାନ କରିବେ ଏବଂ କୌଣସି କ୍ଷେତ୍ରରେ ସାଫଲ୍ୟ ଏବଂ ବିଫଳତା ପରିପ୍ରେକ୍ଷୀରେ ଉଭୟ ରାଷ୍ଟ୍ର ଅପର ସହିତ ତୁଳନା କରି ଆପଣା ସ୍ଥିତି ଅନୁସାରେ ଆହତ ହେବେ ବା ସନ୍ତୋଷ ଲାଭ କରିବେ। ଅବଶ୍ୟ, ଇତିମଧ୍ୟରେ ଭାରତ ତା’ର ଅଗ୍ରଗତି ପଥରେ ପାକିସ୍ତାନକୁ ଏଭଳି ଅତିକ୍ରମ କରିସାରିଛି ଯେ ‘କ୍ରିକେଟ୍ ସାମର୍ଥ୍ୟ’ ବା ‘ସାମରିକ ଶକ୍ତି’ ଭଳି ହାତଗଣତି କେତେକ ବିଷୟକୁ ବାଦ୍ ଦେଲେ ଅନ୍ୟାନ୍ୟ ପ୍ରାୟ କୌଣସି କ୍ଷେତ୍ରରେ ପାକିସ୍ତାନ ସହିତ ଭାରତ ନିଜକୁ ତୁଳନା କରିବାର ଆବଶ୍ୟକତା ଅନୁଭବ କରୁନାହିଁ; ଯଦିଓ ପାକିସ୍ତାନ ଏଭଳି ତୁଳନା ଦ୍ବାରା ନୈରାଶ୍ୟ, ବିମର୍ଷ ଏବଂ ଅନେକ ସମୟରେ ଗାତ୍ରଦାହର ଶିକାର ହେଉଛି। ଏହାର ସଦ୍ୟତମ ଦୃଷ୍ଟାନ୍ତ ହେଲା ପାକିସ୍ତାନକୁ ଚରମ ଆର୍ଥିକ ଦୁଃସ୍ଥିତିରୁ ଉଦ୍ଧାର କରିବା ଲାଗି ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ ବା ‘ଆଇ.ଏମ୍.ଏଫ୍.’ ପକ୍ଷରୁ ଜୀବନ ରକ୍ଷାକାରୀ ମହୌଷଧି ସ୍ବରୂପ ପ୍ରଦାନ କରାଯାଉଥିବା ୩ ବିଲିଅନ ଆମେରିକୀୟ ଡଲାରର ଏକ ଋଣ ରାଶି; କାରଣ ଏ ଯାବତ୍ ସ୍ବାଧୀନତୋତ୍ତର ଭାରତ ମାତ୍ର ଦୁଇ ଥର ‘ଆଇ.ଏମ୍.ଏଫ୍.’ ଋଣର ସାହାଯ୍ୟ ଲୋଡ଼ିଥିବା ବେଳେ (୧୯୯୧ ମସିହାରେ ଶେଷ ଥର) ସ୍ବାଧୀନ ପାକିସ୍ତାନ ଏ ପର୍ଯ୍ୟନ୍ତ ଏହାକୁ ମିଶାଇ ୨୪ ଥର ପାଇଁ ‘ଆଇ.ଏମ୍.ଏଫ୍.’ର ଅନୁକଂପା ପ୍ରାର୍ଥୀ ହୋଇ ସାରିଲାଣି ଏବଂ ଏହି ବିତ୍ତୀୟ ସଂସ୍ଥା ଦ୍ବାରା ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର ରୂପେ ଏକ ଲଜ୍ଜାଜନକ ପରିଚୟର ଅଧିକାରୀ ମଧ୍ୟ ହେଲାଣି। ଏହା ସ୍ବାଭାବିକ ଭାବେ ଅସଂଖ୍ୟ ସଚେତନ ପାକିସ୍ତାନୀଙ୍କୁ ଗଭୀର ଭାବେ ମୁହ୍ୟମାନ କରିଥିବ, ଯେଉଁଥି ଲାଗି ଭାରତ ସହିତ ଏକ ତୁଳନାତ୍ମକ ଚିତ୍ର ସମ୍ବଳିତ ଟୁଇଟ୍ର ଝଡ଼ ସୃଷ୍ଟି ହୋଇଛି।
ଏବେ ପାକିସ୍ତାନର ଆର୍ଥିକ ଦୁରବସ୍ଥା ଲାଗି ସୁବିଦିତ କାରଣଗୁଡ଼ିକ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତହିଁରୁ ପ୍ରଥମଟି ହେଲା ସ୍ବାଧୀନତା ପର ଠାରୁ ସେହି ରାଷ୍ଟ୍ର ଭୋଗି ଆସିଥିବା ଏକ ଅତ୍ୟନ୍ତ ଅସ୍ଥିର ଶାସନ; ଯହିଁରେ ସାମରିକ ସରକାର ହାତରେ କ୍ଷମତା ଦୀର୍ଘ ୩୩ ବର୍ଷ ରହିଥିବା ବେଳେ ଅବଶିଷ୍ଟ କାଳର ନିର୍ବାଚିତ ସରକାରରେ କୌଣସି ଜଣେ ହେଲେ ପ୍ରଧାନମନ୍ତ୍ରୀ ପାଞ୍ଚ ବର୍ଷର ସଂପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରି ପାରିନାହାନ୍ତି। ଦ୍ବିତୀୟରେ, ଉଭୟ ସାମରିକ ଏବଂ ନିର୍ବାଚିତ ଶାସକମାନେ ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ହୋଇ ରାଜକୋଷକୁ ରିକ୍ତ କରିଛନ୍ତି। ତୃତୀୟ ଏବଂ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ କାରଣ ହେଉଛି ‘କାଶ୍ମୀର ପ୍ରତି ଅନ୍ଧ ମୋହ’: ଯେଉଁଥି ଲାଗି ପାକିସ୍ତାନର ସମସ୍ତ ନିର୍ବାଚିତ ବା ସାମରିକ ଶାସକମାନଙ୍କ ସକ୍ରିୟ ପ୍ରୋତ୍ସାହନରେ ଇସଲାମୀ ଜେହାଦୀ ଓ ଆତଙ୍କବାଦୀ ସଂଗଠନ ଭାରତ ବିରୋଧୀ ହିଂସା ଓ ଆକ୍ରମଣରେ ବ୍ୟାପୃତ ରହିଛନ୍ତି ଏବଂ ସେହି ଉଦ୍ଦେଶ୍ୟରେ ସେମାନଙ୍କୁ ପରିପୁଷ୍ଟ କରିବା ସକାଶେ ଯୁକ୍ତରାଷ୍ଟ୍ର ଆମେରିକା ଠାରୁ ପ୍ରାପ୍ତ ବିପୁଳ ଅର୍ଥରାଶିକୁ ପାକିସ୍ତାନ ଏହି କାର୍ଯ୍ୟରେ ବ୍ୟୟ କରିଛି; ଯେଉଁ କାରଣରୁ ଏକ ବିଡ଼ମ୍ବନା ସ୍ବରୂପ ପାକିସ୍ତାନ ସେହି ଚରମ ଇସଲାମୀୟ ଚିନ୍ତାଧାରାର କବଳିତ ହେବା ସହିତ ପଶ୍ଚାତ୍ମୁଖୀ ହୋଇଛି। ଏଭଳି ସ୍ଥିତିରେ ଆଧୁନିକ ବିକାଶର ପ୍ରଶ୍ନ ଉଠି ନ ଥାଏ ଏବଂ ରାଷ୍ଟ୍ରର ଅର୍ଥନୀତି ରସାତଳଗାମୀ ହୋଇଥାଏ। ପ୍ରକାଶ ଥାଉ କି ସ୍ବାଧୀନତା ପର ଠାରୁ ଯୁକ୍ତରାଷ୍ଟ୍ର ଆମେରିକାର ଅତ୍ୟନ୍ତ ଶ୍ରଦ୍ଧାଭାଜନ ହୋଇ ପାକିସ୍ତାନ ବିପୁଳ ଅର୍ଥ ଏବଂ ଅତ୍ୟାଧୁନିକ ସାମରିକ ଅସ୍ତ୍ରଶସ୍ତ୍ରର ସାହାଯ୍ୟ ପାଇ ଆସୁଥିଲା, ଯେଉଁ ସ୍ରୋତ ଆତଙ୍କବାଦୀ ପ୍ରୋତ୍ସାହନକାରୀ କାର୍ଯ୍ୟକଳାପ ଯୋଗୁଁ ବର୍ତ୍ତମାନ ପ୍ରାୟ ଶୁଷ୍କ। ତେବେ, ‘ଆଇ.ଏମ୍.ଏଫ୍.’ ପକ୍ଷରୁ କୁହାଯାଇଛି ଯେ ଗତ ବର୍ଷର ଭୟଙ୍କର ବନ୍ୟା-ବିତ୍ପାତ କାରଣରୁ ପାକିସ୍ତାନର ଅର୍ଥନୀତି ଆହୁରି ଅଧିକ ଦୁର୍ଦଶାଗ୍ରସ୍ତ ହୋଇଛି, ଯାହା ଜରୁରୀ ଆର୍ଥିକ ସହାୟତା ଆବଶ୍ୟକ କରିଥାଏ। ପ୍ରକାଶ ଥାଉ କି ସଂପ୍ରତି ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାରରେ ରହିଛି ମାତ୍ର ୪.୨ ବିଲିଅନ ଡଲାର, ଯାହା ବଳରେ ମାତ୍ର ଆଉ ଦୁଇ ସପ୍ତାହ ଲାଗି ବିଦେଶରୁ ଅତ୍ୟାବଶ୍ୟକ ଦ୍ରବ୍ୟ ଆମଦାନି କରାଯାଇପାରିବ।
ତେବେ, ଏକ ପୁରୁଣା ଖାତକ ରୂପେ ପାକିସ୍ତାନ ଉପରେ ‘ଆଇ.ଏମ୍.ଏଫ୍.’ ଯେଉଁ ଏକ ଦୀର୍ଘ ରିପୋର୍ଟ ପ୍ରକାଶ କରିଛି, ତାହା ଅତ୍ୟନ୍ତ କୌତୂହଳୋଦ୍ଦୀପକ, ଯହିଁରେ ପାକିସ୍ତାନ ଏକ ଅବାଧ୍ୟ ତରୁଣସୁଲଭ ଆଚରଣ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳେ। ଏହା ବେଶ୍ ଜଣାଶୁଣା ଯେ ‘ଆଇ.ଏମ୍.ଏଫ୍.’ କୌଣସି ରାଷ୍ଟ୍ରକୁ ଋଣ ପ୍ରଦାନ କଲା ବେଳେ କେତେକ କଠୋର ସର୍ତ୍ତ ରଖିଥାଏ; ଯହିଁରେ ନିହିତ ଉଦ୍ଦେଶ୍ୟ ହେଲା ଅନୁଗୃହୀତ ରାଷ୍ଟ୍ରଟି େଯମିତି ସେହି ଋଣ ଅର୍ଥର ଅଯଥା ଅପଚୟ ନ କରେ। ଏହି ସର୍ତ୍ତଗୁଡ଼ିକ ପ୍ରାୟତଃ ଆର୍ଥିକ ସଂସ୍କାରଧର୍ମୀ ହୋଇଥାଏ, ଯହିଁରେ ରାଷ୍ଟ୍ରଗୁଡ଼ିକ ଦ୍ବାରା ଅନୁସୃତ ହେଉଥିବା ଲଗାମହୀନ ରିହାତି ବା ସବ୍ସିଡି ପ୍ରଦାନ ଭଳି ଲୋକଭିମୁଖୀ କାର୍ଯ୍ୟକ୍ରମଗୁଡ଼ିକୁ ନିରୁତ୍ସାହିତ କରାଯାଇଥାଏ। କାରଣ ଏଭଳି ଅର୍ଥ ବ୍ୟୟ ସେହି ରାଷ୍ଟ୍ରଟିକୁ ନିର୍ଦ୍ଦିଷ୍ଟ ଅବଧି ମଧ୍ୟରେ ଋଣ ପରିଶୋଧ ଲାଗି ଅସମର୍ଥ କରି ଋଣ ଖିଲାପୀ ରାଷ୍ଟ୍ରରେ ପରିଣତ କରିବାର ଆଶଙ୍କା ଥାଏ। ପାକିସ୍ତାନ ସଂପର୍କରେ ଏହି ବିତ୍ତୀୟ ସଂସ୍ଥାର ରିପୋର୍ଟଟି କହିଥାଏ ଯେ ‘ଆଇ.ଏମ୍.ଏଫ୍.’ର ତୀକ୍ଷ୍ଣ ଦୃଷ୍ଟି ତଳେ ରହିଥିବା ପର୍ଯ୍ୟନ୍ତ ପାକିସ୍ତାନର ଆର୍ଥିକ କାର୍ଯ୍ୟକଳାପ ଶୃଙ୍ଖଳିତ ହୋଇ ରହେ; କିନ୍ତୁ ଦୃଷ୍ଟିରୁ ଅନ୍ତର ହେବା ମାତ୍ରକେ ତାହା ଅରାଜକତାର ରୂପ ନିଏ; ମାତ୍ରାଧିକ ସରକାରୀ ବ୍ୟୟ ଏବଂ ସବ୍ସିଡି ପ୍ରଦାନର ଧାରା ପୁନଃ ପ୍ରତ୍ୟାବର୍ତ୍ତନ କରେ। ଚଳିତ ବର୍ଷ ‘ଆଇ.ଏମ୍.ଏଫ୍.’ ପକ୍ଷରୁ ବିଜୁଳି, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଉପରୁ ସବ୍ସିଡି ପ୍ରତ୍ୟାହାର ଏବଂ ସରକାରୀ ବ୍ୟବସ୍ଥାରେ ଢାଞ୍ଚାଗତ ପରିବର୍ତ୍ତନ ଉପରେ ଦୃଢ଼ ଗୁରୁତ୍ବ ଆରୋପ କରାଯାଇଛି, ଯାହା ପାଳନ କରିବାକୁ ପାକିସ୍ତାନ ସରକାର ସବୁ ଥର ଭଳି ଏଥର ମଧ୍ୟ ପ୍ରତିଜ୍ଞାବଦ୍ଧ ହୋଇଛନ୍ତି। ତା’ ସତ୍ତ୍ବେ ଏଥର ମଧ୍ୟ ଯେ ପାକିସ୍ତାନ ଅବାଧ୍ୟ ତରୁଣ ସୁଲଭ ଆଚରଣ ପ୍ରଦର୍ଶନ କରିବ ନାହିଁ, ତାହା ମଧ୍ୟ ନିଶ୍ଚିତ ନୁହେଁ!
ଏଠାରେ ପ୍ରକାଶ ଥାଉ କି ‘ଆଇ.ଏମ୍.ଏଫ୍.’ ଠାରୁ ଋଣ ପାଇବା ସକାଶେ ପାକିସ୍ତାନ ସରକାରଙ୍କ ଦ୍ବାରା ପ୍ରେରିତ ଆକୁଳ ନିବେଦନ ଭରା ପତ୍ରଟିରେ ନିଜ ଭୁଲ୍ଗୁଡ଼ିକୁ ସ୍ପଷ୍ଟ ଭାବେ ଚିହ୍ନଟ କରିବା ସହିତ ସେଗୁଡ଼ିକର ଯେମିତି ପୁନରାବୃତ୍ତି ନ ଘଟେ, ସେ ବାବଦରେ ସରକାର ପ୍ରତିଜ୍ଞା କରିଛନ୍ତି। ଏହା ଶୁଣିଲା ମାତ୍ରକେ ପିଲା ଦିନର ଗଳ୍ପଟିଏ ସ୍ମରଣକୁ ଆସିଥାଏ, ଯହିଁରେ ଏକ ଜୁଆଡ଼ି ତରୁଣ ଟଙ୍କା ପାଇବା ସକାଶେ ପିତାଙ୍କ ନିକଟକୁ ପ୍ରତ୍ୟେକ ଥର ଅନୁତାପଭରା ପତ୍ରଟିମାନ ଲେଖି ସେହି ଭୁଲ୍ର ପୁନରାବୃତ୍ତି ଯେମିତି ନ ହୁଏ, ସେ ନେଇ ଅନ୍ତହୀନ ପ୍ରତିଜ୍ଞାମାନ କରି ଚାଲେ। ପରିଶେଷରେ ଏଥିରେ ଅତିଷ୍ଠ ଏବଂ କ୍ଷୁବ୍ଧ ପିତା ତାକୁ ତ୍ୟାଜ୍ୟ ପୁତ୍ର କରିବା ଲାଗି ନିଷ୍ପତ୍ତି ନେଇ ଯେଉଁ କାରଣଟି ଦର୍ଶାନ୍ତି, ତାହା ଜୁଆ ଖେଳର ନିଶା ନୁହେଁ; ବରଂ, ତାହା ହେଉଛି ବାରମ୍ବାର ମିଥ୍ୟା ପ୍ରତିଜ୍ଞା କରିବାର ଅଭ୍ୟାସ! ଏ ଯାବତ୍ ଅବାଧ୍ୟ ତରୁଣସୁଲଭ ଆଚରଣ ପ୍ରଦର୍ଶନ କରି ଆସିଥିବା ପାକିସ୍ତାନ ଏଥର ଅନ୍ତତଃ ତା’ର ପ୍ରତିଜ୍ଞା ପୂରଣ କରୁ, ନଚେତ୍ ଭବିଷ୍ୟତ୍ରେ ସେହି ଦେଶ ‘ଆଇ.ଏମ୍.ଏଫ୍.’ ପିତାଙ୍କ ଦ୍ବାରା ତ୍ୟାଜ୍ୟ ହୋଇପାରେ!