୧୯୪୭ ଅକ୍ଟୋବର ୨୬ ତାରିଖ ଦିନ ଜମ୍ମୁ, କଶ୍ମୀରର ଶାସକ ମହାରାଜା ହରି ସିଂହ ସ୍ୱାଧୀନ ଭାରତ ସହିତ ତାଙ୍କ ରାଜ୍ୟର ମିଶ୍ରଣ ପାଇଁ ଚୁକ୍ତିନାମା (ଇନ୍ଷ୍ଟମେଣ୍ଟ୍ ଅଫ୍ ଆକ୍ସେସନ୍) ସ୍ୱାକ୍ଷର କରି ଜମ୍ମୁ, କଶ୍ମୀରକୁ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗରେ ପରିଣତ କରିଦେଇଥିଲେ। ଜାତୀୟତାବାଦୀ କଶ୍ମୀର ଅଧିବାସୀମାନେ ଏହି ଦିନକୁ ସେବେଠାରୁ ‘ମିଶ୍ରଣ ଦିବସ’ (ଆକ୍ସେସନ୍ ଡେ) ରୂପେ ପାଳନ କରି ଆସୁଥିବା ବେଳେ ବିଚ୍ଛିନ୍ନତାବାଦୀ କଶ୍ମୀରବାସୀ ମାନେ ଏହାକୁ ‘କଳା ଦିବସ’ ରୂପେ ପାଳନ କରିଥାନ୍ତି। ଦୁର୍ଭାଗ୍ୟଜନକ ଭାବରେ ଉପରୋକ୍ତ ତ୍ରୁଟିପୂର୍ଣ୍ଣ ଚୁକ୍ତିନାମାର ସର୍ତ୍ତ ଅନୁସାରେ ସାରା ଭାରତ ପାଇଁ ଏକ ଜାତୀୟ ପତାକା ରହିଥିବା ବେଳେ, ଜମ୍ମୁ, କଶ୍ମୀର ରାଜ୍ୟର ନିଜର ଏକ ପୃଥକ୍ ରାଜ୍ୟ ପତାକା ରହିଛି। ଚଳିତ ବର୍ଷ ଏହି ମିଶ୍ରଣ ଦିବସ ପାଳନ ଉପଲକ୍ଷେ ସେଠାକାର ଜାତୀୟତାବାଦୀ ରାଜନୈତିକ ଦଳ ‘ନେସନାଲ୍ ପାନ୍ଥର୍ସ ପାର୍ଟି’ ଅକ୍ଟୋବର ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଏକ ର୍ୟାଲିର ଆୟୋଜନ କରିଛି, ଯାହାର ନାମ ହେଉଛି- ‘ତ୍ରିରଙ୍ଗା ର୍ୟାଲି’।
ବୁଝାଇବା ଅନାବଶ୍ୟକ ଭାରତର ଜାତୀୟ ପତାକା ‘ତ୍ରିରଙ୍ଗା ପତାକା’ (ହିନ୍ଦୀରେ ‘ତ୍ରିରଙ୍ଗା’) ନାମ ଅନୁସାରେ ଏହି ର୍ୟାଲିର ନାମକରଣ କରାଯାଇଛି। ପାନ୍ଥର୍ସ ପାର୍ଟିର ସଭାପତି ବଲବନ୍ତ ସିଂହ ମାଙ୍କୋଟିଆଙ୍କ ନେତୃତ୍ୱରେ ଆୟୋଜିତ ଏହି ର୍ୟାଲିର ଦାବି ହେଲା କଶ୍ମୀର ରାଜ୍ୟ ପାଇଁ ଥିବା ଏକ ପୃଥକ୍ ପତାକାର ଉଚ୍ଛେଦ ସାଧନ କରି ଦେଶର ବାକି ରାଜ୍ୟମାନଙ୍କ ଭଳି କଶ୍ମୀର ପାଇଁ ମଧ୍ୟ କେବଳ ଗୋଟିଏ ପତାକା- ଜାତୀୟ ପତାକା ଲାଗୁ ହେଉ ଏବଂ କଶ୍ମୀରବାସୀମାନେ ମଧ୍ୟ ସମସ୍ତ ଭାରତୀୟ ନାଗରିକମାନଙ୍କ ଭଳି ତ୍ରିରଙ୍ଗା ପତାକା ତଳେ ବାସ କରନ୍ତୁ। ମାଙ୍କୋଟିଆ କହିଛନ୍ତି ଯେ ଦେଶର ପ୍ରତ୍ୟେକ ପରିବାରରେ ସେମାନେ ଏହି ସନ୍ଦେଶ ପହଞ୍ଚାଇବା ପାଇଁ ଚାହାଁନ୍ତି ଯେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଭାରତ ହେଉଛି ଗୋଟିଏ ଦେଶ ଏବଂ ଦେଶର ପତାକା ହେଉଛି ଗୋଟିଏ ; ‘‘କଶ୍ମୀରବାସୀ ମାନେ ଦୁଇଟି ପତାକାର ଛାଇ ତଳେ ବାସ କରିବାକୁ ଚାହାନ୍ତି ନାହିଁ।’’
ପାନ୍ଥର୍ସ ପାର୍ଟିର ଏହି ପ୍ରଶଂସନୀୟ ଉଦ୍ୟମ ଯାହା ସ୍ପଷ୍ଟ ଭାବରେ ସାବ୍ୟସ୍ତ କରିଥାଏ ତାହା ହେଲା କୌଣସି ଏକ ରାଜ୍ୟର ଦ୍ୱୈତ-ପତାକା ମାନସିକତା ଓ ବିଚ୍ଛିନ୍ନତାବାଦ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି। ବିଚ୍ଛିନ୍ନତାବାଦୀ ମାନେ ଯେଉଁଭଳି ଦୁଇଟି ପତାକା ଚାହିଁଥାନ୍ତି, କୌଣସି ରାଜ୍ୟରେ ଦୁଇଟି ପତାକାର ପ୍ରଚଳନ ସେହିପରି ବିଚ୍ଛିନ୍ନତାବାଦକୁ ଜନ୍ମ ଦେଇଥାଏ। ଯେଉଁମାନେ କଶ୍ମୀରୀ ବିଚ୍ଛିନ୍ନତାବାଦକୁ ଏହାର ଯଥେଷ୍ଟ ପ୍ରମାଣ ରୂପେ ଗ୍ରହଣ କରିବାକୁ କୁଣ୍ଠିତ ହୋଇଥାନ୍ତି, ସେମାନେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଭାରତରେ ଦେଖା ଦେଇଥିବା ଆଉ ଏକ ଭୟଙ୍କର ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଉପରେ ନଜର ପକାଇ ପାରନ୍ତି। ଏହା ହେଉଛି ଦେଶର ଉତ୍ତର-ପୂର୍ବାଞ୍ଚଳରେ ଲାଗି ରହିଥିବା ନାଗା ଆନ୍ଦୋଳନ। ୧୯୯୭ରେ କେନ୍ଦ୍ର ସରକାରଙ୍କ ସହିତ ଏକ ସନ୍ଧି ଚୂଡ଼ାନ୍ତ ହେବା ପରଠାରୁ ବିଚ୍ଛିନ୍ନତାବାଦୀ ସଶସ୍ତ୍ର ଆନ୍ଦୋଳନର ପୁରୋଭାଗରେ ଥିବା ସଂଗଠନ ଏନ୍ଏସ୍ସିଏନ୍ (ଆଇଏମ୍) ଯେଉଁ ୩୩ଟି ଦାବି ନେଇ ସରକାରଙ୍କ ସହିତ ମୂଲଚାଲ ଚଳାଇ ଆସିଛି ସେଥି ମଧ୍ୟରୁ ଗୋଟିଏ ହେଉଛି ନାଗାମାନଙ୍କ ପାଇଁ ଏକ ପୃଥକ୍ ପତାକା। ୨୦୧୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହି ବିଦ୍ରୋହୀ ସଂଗଠନ ସମସ୍ୟାର ଏକ ଅନ୍ତିମ ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ସହିତ ଏକ ‘ବୁଝାମଣା ଖସଡ଼ା’ (ଫ୍ରେମ୍ ଓ୍ଵାର୍କ ଆଗ୍ରିମେଣ୍ଟ) ସ୍ୱାକ୍ଷର କରିଛି। ଏକ ସନ୍ଦେହ ପ୍ରକାଶ ପାଇଛି ଯେ କଶ୍ମୀରୀ ଭଳି ନାଗାମାନଙ୍କ ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ସମ୍ବିଧାନ, ପତାକା, ପାର୍ଲାମେଣ୍ଟ ଏବଂ ନ୍ୟାୟପାଳିକା ଏହି ଖସଡ଼ାର ଅନ୍ତର୍ଭୁକ୍ତ। ଏହା ଯଦି ସତ୍ୟ ହୋଇଥାଏ ତେବେ ନିଶ୍ଚିତ ରୂପେ ସାଂଘାତିକ।
ଏହି ପରିପ୍ରେକ୍ଷୀରେ କଶ୍ମୀରରେ ପାନ୍ଥର୍ସ ପାର୍ଟି ପ୍ରଦର୍ଶନ କରିଥିବା ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ ଅଭିନନ୍ଦନୀୟ ଉଦ୍ୟମର ସଂପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶର୍ନ କରି କଶ୍ମୀର ବିଚ୍ଛିନ୍ନତାବାଦ କିମ୍ବା ନାଗା ବିଦ୍ରୋହୀମାନଙ୍କ ସହିତ ତାଳ ଦେବା ଭଳି ଦେଶର ଆଉ ଯେଉଁ ଏକ ରାଜ୍ୟ ଅବିଶ୍ୱାସ୍ୟ ଭାବରେ ନିଜର ଏକ ସ୍ୱତନ୍ତ୍ର ପତାକା ପ୍ରବର୍ତ୍ତନ ପାଇଁ ଦାବି ଉଠାଇବା ଦେଖାଯାଇଛି, ତାହା ହେଉଛି ଦେଶର ଅନ୍ୟତମ ଛାମୁହାଁ ସମୃଦ୍ଧ ରାଜ୍ୟ ରୂପେ ବିବେଚିତ କର୍ଣ୍ଣାଟକ। ଏହା ଯଦି ଯଥେଷ୍ଟ ଭାବରେ ଦୁର୍ଭାଗ୍ୟଜନକ ନୁହେଁ ବୋଲି କେହି ବିଚାର କରୁଥାଏ, ତେବେ ଯାହା ଆହୁରି ଅଧିକ ଦୁର୍ଭାଗ୍ୟଜନକ, ତାହା ହେଲା ଏହି ଦାକ୍ଷିଣାତ୍ୟ ରାଜ୍ୟର କଂଗ୍ରେସ ସରକାର ହିଁ ଏଭଳି ଦାବି ଉଠାଇଛି। ଯଦି କୌଣସି ସଂକୀର୍ଣ୍ଣମନା ଆଞ୍ଚଳିକ ରାଜନୈତିକ ଦଳ ଏଭଳି ଦାବି ଉଠାଇଥାନ୍ତା ତେବେ ନିଜର ଆଞ୍ଚଳିକ ପରିଚୟ ମଜବୁତ କରିବା ପାଇଁ ଏବଂ ତାଦ୍ୱାରା ମତଦାତାଙ୍କ ସମର୍ଥନ ଲାଭ କରିବା ଆଶାରେ ସେ ଦଳ ଏପରି ଜାତୀୟ ସ୍ୱାର୍ଥ ବିରୋଧୀ କାର୍ଯ୍ୟ କରିଛି ବୋଲି ବୁଝାପଡ଼ନ୍ତା। କିନ୍ତୁ କଂଗ୍ରେସ ହେଉଛି ଦେଶର ସର୍ବପୁରାତନ ଜାତୀୟ ଦଳ ଯିଏ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ ନେଇ ଭାରତକୁ ଏକ ସାର୍ବଭୌମ ଗଣତନ୍ତ୍ରରେ ପରିଣତ କରିଥିଲା।
ଦୁଃଖର କଥା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସେଇ କଂଗ୍ରେସ ଦଳର ସିଦ୍ଧରାମାୟା ବର୍ତ୍ତମାନ କର୍ଣ୍ଣାଟକ ପାଇଁ ଏକ ସ୍ୱତନ୍ତ୍ର ପତାକା ଦାବି ଉଠାଇ କହି ବୁଲୁଛନ୍ତି ଯେ ଏହା ହେଉଛି ପ୍ରତ୍ୟେକ କନ୍ନଡିଗର ସ୍ୱପ୍ନ। ସେ ଯେ ଏହାଦ୍ୱାରା ଏକ ମିଥ୍ୟାଚାର କରୁଛନ୍ତି,ଏଥିରେ ସନ୍ଦେହ ନାହିଁ। କାରଣ ସ୍ୱତନ୍ତ୍ର ପତାକା ପାଇଁ ଦାବି ଲୋକମାନେ ଉଠାଇ ନାହାନ୍ତି, ଏହା ସରକାର ଉଠାଇ ଲୋକଙ୍କ ପାଖରେ ପହଞ୍ଚାଇ ଏକ ଜନ ଆନ୍ଦୋଳନରେ ପରିଣତ କରି ଆଗାମୀ ନିର୍ବାଚନରେ ଲାଭ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି। ସିଦ୍ଧରାମାୟା ଓ ତାଙ୍କ ଦଳ ଭୁଲି ଯାଉଛନ୍ତି ଯେ ଜାତୀୟ ପତାକା ହେଉଛି ଦେଶର ସାର୍ବଭୌମତ୍ୱର ପ୍ରତୀକ, ଯାହାର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ପ୍ରାଣପାତ କରିବାକୁ ପ୍ରସ୍ତୁତ ରହିବା ଆଶା କରାଯାଏ। ଯେଉଁ ଦଳ ଦେଶକୁ ଏହି ସାର୍ବଭୌମତ୍ୱ ଆଣି ଦେଇଥିଲା, ସେଇ କଂଗ୍ରେସ ଦଳ ବର୍ତ୍ତମାନ କର୍ଣ୍ଣାଟକ ଭଳି ରାଜ୍ୟରେ ତାହାକୁ ବିଭାଜିତ ଓ ଦୁର୍ବଳ କରିବାକୁ ଚାହୁଁଛି।
କଂଗ୍ରେସ ଓ ସିଦ୍ଧରାମାୟା ଆଉ ଯେଉଁ ଏକ ଗୁରୁତ୍ୱପୂର୍ଣ୍ଣ କଥା ଭୁଲି ଯାଉଛନ୍ତି, ତାହା ହେଲା ଜାତୀୟ ପତାକା ସହିତ କଂଗ୍ରେସ ଦଳର ଘନିଷ୍ଠ ବସ୍ତୁଗତ ଓ ଭାବଗତ ସମ୍ପର୍କ। କାରଣ ଆଜିର ତ୍ରିରଙ୍ଗା ପତାକା ଯାହା ଉପରେ ପ୍ରତିଷ୍ଠିତ ତାହା ହେଉଛି ଖୋଦ୍ ଭାରତୀୟ ଜାତୀୟ କଂଗ୍ରେସ ଦଳର ନିଜର ସ୍ୱରାଜ ପତାକା ଯାହାକୁ କଂଗ୍ରେସ ଦଳର ମହାନାୟକ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ମାନସ ସନ୍ତାନ ରୂପେ ବିଚାର କରାଯାଇଥାଏ। ପିଙ୍ଗାଲି ଭେଙ୍କୟାଙ୍କ ନକ୍ସାଙ୍କିତ ଏହି ପତାକା ଏହି ରୂପରେ ପ୍ରଥମେ ସମ୍ବିଧାନ ସଭା ଦ୍ୱାରା ୧୯୪୭ ଜୁଲାଇ ୨୨ ତାରିଖରେ ଗୃହୀତ ହୋଇଥିଲା ଓ ପରେ ଭାରତୀୟ ସାଧାରଣତନ୍ତ୍ରର ସାର୍ବଭୌମତ୍ୱର ବାହକ ରୂପେ ମର୍ଯ୍ୟାଦାପ୍ରାପ୍ତ ହୋଇଥିଲା। କ୍ଷୋଭର କଥା ସେଇ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରି ସେଇ ପତାକାର ଗରିମା କ୍ଷୁଣ୍ଣ କରିବା ପାଇଁ ବର୍ତ୍ତମାନ ଯେଉଁମାନେ ଉଦ୍ୟତ, ସେମାନେ ହେଉଛନ୍ତି ସେଇ ଜାତୀୟ କଂଗ୍ରେସର ଆଜିର ବଂଶଧର।