ଅରକ୍ଷିତ ପିଠି

ପ୍ରାୟ ମାସେ ତଳେ ଦେଶର ଅଗଣିତ ନିମ୍ନ ଆୟ ବର୍ଗର ଲୋକମାନଙ୍କୁ ଉପହାସ କଲା ଭଳି ‘ନିତି ଆୟୋଗ’ର ଭାଇସ୍ ଚେଆର୍‌ମ୍ୟାନ୍ ରାଜୀବ କୁମାର ଏକ ମନ୍ତବ୍ୟ ପ୍ରଦାନ କରିବା ଦେଖାଯାଇଥିଲା ଯେ ସରକାର ଯଦି ବଜାରରେ ସାମଗ୍ରିକ ଚାହିଦା ବୃଦ୍ଧି ଲକ୍ଷ୍ୟ ନେଇ ଏହି ଶ୍ରେଣୀର ଲୋକମାନଙ୍କ ପକେଟ୍‌ରେ ସିଧାସଳଖ ପଇସା ଭର୍ତ୍ତି କରି ଦେବେ (‘ପ୍ରତ୍ୟକ୍ଷ ଆୟ ହସ୍ତାନ୍ତର’), ତାହା ଆଦୌ ଫଳପ୍ରଦ ହେବ ନାହିଁ; କାରଣ ସେମାନେ ସେ ପଇସାକୁ ବଜାରରେ ଖର୍ଚ୍ଚ କରିବା ପରିବର୍ତ୍ତେ ନେଇ ବ୍ୟାଙ୍କ୍‌ରେ ସଞ୍ଚୟ କରିଦେବେ। ତାଙ୍କ ମତରେ ସରକାରଙ୍କ ‘ପ୍ରତ୍ୟକ୍ଷ ଆୟ ହସ୍ତାନ୍ତର’ ଉଦ୍ୟମର ଫଳ ସ୍ବରୂପ ବଜାର ଆବଶ୍ୟକ କରୁଥିବା ସାମଗ୍ରିକ ଚାହିଦାରେ ବୃଦ୍ଧି ଘଟିବା ପରିବର୍ତ୍ତେ, ଯେଉଁଥିରେ ବୃଦ୍ଧି ଘଟିବ, ତାହା ହେଉଛି ଏହାର ଠିକ୍ ବିପରୀତ- ସାମଗ୍ରିକ ସଞ୍ଚୟ।

ଅନ୍ୟ ଭାଷାରେ କହିଲେ, ‘ନିତି ଆୟୋଗ’ର ଭାଇସ୍ ଚେଆର୍‌ମ୍ୟାନ୍ ବିଶ୍ବାସ କରନ୍ତି ଯେ ଚୀନା କରୋନା ଯୋଗୁଁ ନିଯୁକ୍ତି ଓ ଆୟ ହରାଇ ଭୋକ ଉପାସରେ କାଳ କାଟୁଥିବା କୋଟି କୋଟି ଲୋକମାନେ ପେଟରେ ଓଦାକନା ପକାଇ ଶୋଇବେ ପ‌ଛକେ ସରକାରଙ୍କ ଠାରୁ ଯଦି ସିଧାସଳଖ ପଇସା ମିଳେ ତାକୁ ସାଙ୍ଗେ ସାଙ୍ଗେ ଧାଇଁ ଯାଇ ବ୍ୟାଙ୍କ୍‌ରେ ସାଇତି ଦେବେ। ଏଣୁ ସରକାର ‘ପ୍ରତ୍ୟକ୍ଷ ଆୟ ହସ୍ତାନ୍ତର’ ନୀତି ଅବଲମ୍ବନ କରିବା ଉଚିତ ନୁହେଁ। ସେ ସମୟରେ ଏହି ସମ୍ବାଦପତ୍ର ଏହି ସ୍ତମ୍ଭରେ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିଥିଲା ଯେ ରାଜୀବ କୁମାରଙ୍କ ଏତାଦୃଶ ଉଦ୍ଭଟ ଯୁକ୍ତି ଅର୍ଥଶାସ୍ତ୍ରର ଏକ ମୌଳିକ ସତ୍ୟର ବିରୋଧାଚରଣ କରିଥାଏ, ଯାହା ହେଲା ସମାଜର ଆୟ ସିଡ଼ିର ନିମ୍ନ ଦେଶରେ ଥିବା ପାହାଚମାନଙ୍କରେ ଥିବା ଲୋକମାନଙ୍କର ଖର୍ଚ୍ଚ କରିବାର ସୀମାନ୍ତ ପ୍ରବୃତ୍ତି ପ୍ରାୟ ଶତପ୍ରତିଶତ ହୋଇଥିବା ବେଳେ ସଞ୍ଚୟ କରିବାର ସୀମାନ୍ତ ପ୍ରବୃତ୍ତି ପ୍ରାୟ ଶୂନ୍ୟ ପ୍ରତିଶତ ହୋଇଥାଏ। ଏଣୁ ରାଜୀବ କୁମାର ଏହି ଶ୍ରେଣୀର ଲୋକମାନଙ୍କର ସଞ୍ଚୟ ପ୍ରବଣତା ବିରୋଧରେ କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ।

ନିକଟରେ ରାଜୀବ କୁମାରଙ୍କ ଯୁକ୍ତିର ଏହି ତାତ୍ତ୍ବିକ ଦୁର୍ବଳତାକୁ ତଥ୍ୟ ପ୍ରମାଣ ଦ୍ବାରା ପଦାରେ ପକାଇବା ଭଳି ଏପରି ଏକ ରିପୋର୍ଟ‌୍ର ଆବିର୍ଭାବ ଘଟିଛି, ଯାହାକୁ ଖୋଦ୍ ରାଜୀବ କୁମାର ମଧ୍ୟ ଆଡ଼େଇ ଦେଇ ପାରିବେ ନାହିଁ। ରିପୋର୍ଟ‌୍ଟି ପ୍ରକାଶ ପାଇଛି କୁମାରଙ୍କ ପଟ ପଡ଼ିଆରେ ଥିବା ମର୍ଯ୍ୟାଦାଜନକ ସରକାରୀ ବ୍ୟାଙ୍କ୍‌ ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର ଅର୍ଥନୈତିକ ଗବେଷଣା ବିଭାଗ ଦ୍ବାରା। ଏହି ରିପୋର୍ଟ ଅନୁସାରେ ଚୀନା କରୋନା ଜନିତ କୋଭିଡ୍-୧୯ ପ୍ୟ‌ାଣ୍ଡେମିକ୍‌ର ଦ୍ବିତୀୟ ଲହର ଆରମ୍ଭରେ ଯାହା ପରିଦୃଷ୍ଟ ହୋଇଥିଲା, ତାହା ଥିଲା ବ୍ୟାଙ୍କ୍‌ମାନଙ୍କରେ ସଞ୍ଚୟ ବୃଦ୍ଧିର ବିପରୀତ- ବିପୁଳ ପରିମାଣର ଜମା ଉଠାଣ। ସମଗ୍ର ବ୍ୟାଙ୍କ୍ ବ୍ୟବସ୍ଥାରୁ ଏପରି ବିପୁଳ ପରିମାଣର ଜମା ଉଠାଣର କାରଣ ଠଉରାଇବା ପାଇଁ ଅର୍ଥଶାସ୍ତ୍ରରେ କିମ୍ବା ବ୍ୟାଙ୍କ୍ ବ୍ୟବସାୟ ପରିଚାଳନା ସମ୍ବନ୍ଧରେ କୌଣସି ଗଭୀର ଜ୍ଞାନର ଆବଶ୍ୟକତା ନାହିଁ। ନିଯୁକ୍ତି ଓ ଆୟ ଉଭାନ୍ ହୋଇଯିବା ପରେ ଜୀବନ ଧାରଣର ମୌଳିକ ଆବଶ୍ୟକତା ପୂରଣ ନିମିତ୍ତ ଖର୍ଚ୍ଚ କରିବା ପାଇଁ ଜମାକାରୀମାନେ ବାଧ୍ୟ ହୋଇ ବ୍ୟାଙ୍କ୍‌ରେ ଥିବା ସଞ୍ଚିତ ପୁଞ୍ଜିର ଉଠାଣ କରିବାରେ ଲାଗିଛନ୍ତି। ଏହାକୁ ଅର୍ଥଶାସ୍ତ୍ରର ଭାଷାରେ କୁହାଯାଇଥାଏ- ‘ପୁଞ୍ଜି ଭକ୍ଷଣ’ (‘କ୍ୟାପିଟାଲ୍ କନ୍‌ସମ୍ପ୍‌ସନ୍’)।

ଏହି ରିପୋର୍ଟ‌୍ରୁ ମିଳିଥିବା ଯେଉଁ ଚିତ୍ର ହେଉଛି ଅତ୍ୟନ୍ତ ଚିନ୍ତାଜନକ, ତାହା ହେଲା ବୃଦ୍ଧି ପାଇ ଚାଲିଥିବା ‘ପାରିବାରିକ ଋଣ ଚାପ’। ପାରିବାରିକ ଋଣର ସମସ୍ତ ସୂତ୍ର- ଖୁଚୁରା ଋଣ, କୃଷି ଋଣ, ବ୍ୟାବସାୟିକ ଋଣ (ବାଣିଜ୍ୟିକ ବ୍ୟାଙ୍କ୍‌, ଋଣ ସମବାୟ ସମିତି, ଅଣବ୍ୟାଙ୍କ୍ ବିତ୍ତୀୟ ସଂସ୍ଥା, ଗୃହ ନିର୍ମାଣ ଋଣଦାନକାରୀ ସଂସ୍ଥା ଆଦି ଠାରୁ)- କୁ ବିଚାରକୁ ନେଇ କରାଯାଇଥିବା ଅନୁଶୀଳନରୁ ଦେଖିବାକୁ ମିଳିଛି ଯେ ଏହି ଋଣ ଭାରର ଅନୁପାତ ୨୦୨୦ ବିତ୍ତ ବର୍ଷରେ ମୋଟ ଜାତୀୟ ଉତ୍ପାଦ (‘ଜିଡିପି’)ର ୩୨.୫ ଶତାଂଶ ଥିବା ବେଳେ ୨୦୨୧ ବିତ୍ତ ବର୍ଷରେ ତାହା ୩୭.୩ ଶତାଂଶକୁ ବୃଦ୍ଧି ପାଇଛି- ପ୍ରାୟ ୫ ଶତାଂଶ ବୃଦ୍ଧି। ରିପୋର୍ଟ‌୍ରେ ଆଶଙ୍କା ପ୍ରକାଶ ପାଇଛି ଯେ ୨୦୨୧ ବିତ୍ତ ବର୍ଷରେ ବ୍ୟାଙ୍କ୍ ଜମାରେ ଦେଖାଯାଇଥିବା ହ୍ରାସ (ଅର୍ଥାତ୍ ଜମାକାରୀଙ୍କ ପାଇଁ ଉପଲବ୍‌ଧ ସଞ୍ଚିତ ପୁଞ୍ଜିରେ ହ୍ରାସ) ସହିତ ସ୍ବାସ୍ଥ୍ୟ ବାବଦରେ ଖର୍ଚ୍ଚରେ ଅପରିହାର୍ଯ୍ୟ ବୃଦ୍ଧି ମିଶି ଯିବା ଦ୍ବାରା ୨୦୨୨ ବିତ୍ତ ବର୍ଷରେ ମଧ୍ୟ ପାରିବାରିକ ଋଣ ଭାରରେ ଦେଖାଦେଇଥିବା ବୃଦ୍ଧି ଧାରା ଅବ୍ୟାହତ ରହି ପାରେ।

ଏହା ଜଣାଶୁଣା ଯେ ଗରିବ ଲୋକଙ୍କ ପାଇଁ ରୋଗବ୍ୟାଧି ଦୁଇ ଗୁଣ ବୋଝ ସୃଷ୍ଟି କରିଥାଏ: ଗୋଟିଏ ହେଲା, ଚିକିତ୍ସା ଖର୍ଚ୍ଚ; ଅନ୍ୟଟି ହେଲା ଅସୁସ୍ଥତା ସମୟରେ ଆୟ ବନ୍ଦ। କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ‘ସାମୟିକ ଶ୍ରମଶକ୍ତି ସର୍ବେକ୍ଷଣ’ (‘ପିରିଅଡିକ୍ ଲେବର୍ ଫୋର୍ସ ସର୍ଭେ’- ‘ପିଏଲ୍‌ଏଫ୍‌ଏସ୍’)ରୁ ଜଣାଯାଏ ଯେ ୨୦୧୯ରେ ଦେଶର ମୋଟ ଶ୍ରମଜୀବୀମାନଙ୍କ ମଧ୍ୟରୁ ୫୨ ଶତାଂଶ ବା ଅର୍ଦ୍ଧାଧିକ ହେଉଛନ୍ତି ଆତ୍ମ-ନିଯୁକ୍ତ। ଅର୍ଥାତ୍ ପ୍ୟ‌ାଣ୍ଡେମିକ୍‌ ଭଳି ସଂକଟ ସମୟରେ ଏମାନଙ୍କ ପିଠିରେ ପଡ଼ିବାକୁ କେହି ନଥା’ନ୍ତି; ନିଜକୁ ହିଁ ନିଜର ପିଠିରେ ପଡ଼ିବାକୁ ହୋଇଥାଏ- ଯାହା ଦୈହିକ ଦୃଷ୍ଟିରୁ ଅସମ୍ଭବ। ଏକ ଜନମଙ୍ଗଳ ଗଣତାନ୍ତ୍ରିକ ରାଷ୍ଟ୍ରରେ କେବଳ ଯେଉଁ ଜଣକ ହିଁ ସେମାନଙ୍କ ଅରକ୍ଷିତ ପିଠିରେ ପଡ଼ିପାରିବ, ସେ ହେଉଛି ନିର୍ବାଚିତ ସରକାର।

ଏଭଳି ପ୍ୟ‌ାଣ୍ଡେମିକ୍‌ ବିଧ୍ବସ୍ତ ଆତ୍ମନିଯୁକ୍ତ ବାହିନୀ ବ୍ୟତୀତ ଅନୂରୂପ ଭାବେ ଅସହାୟ ହୋଇ ପଡ଼ିଥିବା ଆଉ ଏକ ଶ୍ରେଣୀର ଶ୍ରମଜୀବୀ ଅଛନ୍ତି ଯେଉଁମାନେ ଛୋଟ ଛୋଟ ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ କାର୍ଯ୍ୟ କରନ୍ତି। ପ୍ୟ‌ାଣ୍ଡେମିକ୍‌ ଜନିତ ମାନ୍ଦା ବଜାରରେ ଏ ସବୁ ପ୍ରତିଷ୍ଠାନ ବଞ୍ଚି ରହିବାକୁ ସଂଘର୍ଷ କରୁଥିବା ବେଳେ ଏଭଳି ଅସ୍ଥାୟୀ କର୍ମଚାରୀମାନଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଛନ୍ତି। ଏମାନଙ୍କର ସଂଖ୍ୟା ମଧ୍ୟ ବିଶାଳ। ସରକାର ଏହି ଦୁର୍ଦଶାଗ୍ରସ୍ତମାନଙ୍କର ଏକମାତ୍ର ତ୍ରାଣକର୍ତ୍ତା ରୂପେ ସେମାନଙ୍କ ପାଖରେ ସିଧାସଳଖ କ୍ରୟଶକ୍ତି ଉପଲବ୍‌ଧ କରାଇବା ପରିବର୍ତ୍ତେ ଏ ପର୍ଯ୍ୟନ୍ତ ଯେଉଁ ଗୋଟିଏ ବାଟକୁ ଜାବୁଡ଼ି ଧରିବା ଦେଖାଯାଇଛି, ତାହା ହେଉଛି ବିଭିନ୍ନ ପ୍ରକାର ଋଣ ଗ୍ୟାରେଣ୍ଟି ସ୍କିମ୍‌ମାନ ଘୋଷଣା କରି ବ୍ୟାଙ୍କ୍ ଓ ‘କ୍ଷୁଦ୍ର ଋଣ ଅନୁଷ୍ଠାନ’ (‘ଏମ୍‌ଏଫ୍‌ଆଇ’) ମାନଙ୍କୁ ଋଣଦାନରେ ବୃଦ୍ଧି ଘଟାଇବା ପାଇଁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିବା।

ଯେ କୌଣସି ସାଧାରଣ ପର୍ଯ୍ୟବେକ୍ଷକ ଏଥିରେ ଦୁଇଟି ଅସଙ୍ଗତି ଦେଖି ପାରୁଥିବେ: ଋଣ ଭାରରେ ବୁଡ଼ିଥିବା ଲୋକମାନେ ପୁଣି ଋଣ କରିବାକୁ କୁଣ୍ଠିତ ହେବେ; ଋଣଗ୍ରସ୍ତ ହୋଇ ସାରିଥିବା ଗ୍ରାହକମାନଙ୍କର ପରିଶୋଧ କ୍ଷମତା ଦୁର୍ବଳ ହୋଇଥିବାରୁ ବ୍ୟାଙ୍କ୍ ଓ ଅନ୍ୟ ସଂସ୍ଥାମାନେ ସେମାନଙ୍କୁ ଆଉ ଅଧିକ ଋଣ ଦେବାକୁ କୁଣ୍ଠିତ ହେବେ। ଅତଏବ ଅର୍ଥନୀତିକୁ ତୁରନ୍ତ ଉଦ୍ଧାର କରିବାକୁ ହେଲେ ସରକାରଙ୍କୁ ରାଜୀବ କୁମାରସୁଲଭ ‘ପ୍ରତ୍ୟକ୍ଷ ଆୟ ହସ୍ତାନ୍ତର’ କୁଣ୍ଠା ପରିତ୍ୟାଗ କରିବାକୁ ହେବ।

ସମ୍ବନ୍ଧିତ ଖବର