ଘରୋଇ ରାଜନୀତି

ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ମଧ୍ୟରେ ଚାଲିଥିବା ଡେଟା ଯୁଦ୍ଧ ମତଦାତାମାନଙ୍କୁ କେନ୍ଦ୍ର କରି ଚାଲିଥିଲେ ହେଁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଅଧିକାଂଶ ସାଧାରଣ ମତଦାତାମାନେ ଏହାର କିଛି କୂଳକିନାରା ପାଉ ନଥିବେ। ଫେସ୍‌ବୁକ୍‌, କେମ୍ବ୍ରିଜ୍‌ ଆନାଲିଟିକା- ଏ ସବୁ ଗଣମାଧ୍ୟମ ଚର୍ଚ୍ଚାରେ ବହୁ ନିନ୍ଦିତ ନାମରେ ପରିଣତ ହୋଇଥିଲେ ହେଁ ମତଦାତା ଜଣେ ବୁଝିପାରୁ ନଥିବ ସେମାନଙ୍କ ମାଧ୍ୟମରେ ଭାଜପା କିମ୍ବା କଂଗ୍ରେସ କିପରି ତା’ର (ମତଦାତାର) ମତଦାନ ଆଚରଣକୁ ନିୟନ୍ତ୍ରିତ କରୁଛି। ରାହୁଲ ଗାନ୍ଧୀ ତ ଆଉ ଶିଶୁସୁଲଭ ପାଦେ ଆଗକୁ ଯାଇ ଅଭିଯୋଗ କଲେଣି ଯେ ନରେନ୍ଦ୍ର ମୋଦୀ ନିଜର ଆପ୍‌ ସାହାଯ୍ୟରେ ଭାରତୀୟମାନଙ୍କ ସମ୍ବନ୍ଧରେ ଡାଟା ସଂଗ୍ରହ କରି ସେ ସବୁକୁ କେବଳ ଯେ ରାଜନୈତିକ ଉଦ୍ଦେଶ୍ୟରେ ନିର୍ବାଚନ ଅଭିଯାନରେ ବ୍ୟବହାର କରୁଛନ୍ତି, ତାହା ନୁହେଁ, ସେ ଏ ସମସ୍ତ ଡେଟାକୁ ବିଦେଶୀ କମ୍ପାନିମାନଙ୍କୁ ବିକ୍ରି କରିଦେଉଛନ୍ତି!

ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମତଦାତାମାନଙ୍କୁ ଏ ପର୍ଯ୍ୟନ୍ତ ଯାହା ପ୍ରଭାବିତ କରିଆସିଥିଲା, ତାହା ହେଲା ସମ୍ପୃକ୍ତ ଦଳ ଓ ପ୍ରାର୍ଥୀଙ୍କର ନୀତି, ଆଦର୍ଶ ଓ କାର୍ଯ୍ୟ ଏବଂ ଖୋଦ୍‌ ପ୍ରାର୍ଥୀ ବା ନେତାଙ୍କର ଭାଷଣ ଦେବାର ଦକ୍ଷତା। ଏହି ବ୍ୟବସ୍ଥାରେ ସାର୍ବଜନୀନ କ୍ଷେତ୍ରରେ ଖୋଲା ଖୋଲି ଭାବରେ ପ୍ରସଙ୍ଗମାନଙ୍କର ଆଲୋଚନା, ତର୍କ ବିତର୍କ ହୁଏ ଏବଂ ଏକ ରାଜନୈତିକ ଦଳ ବା ପ୍ରାର୍ଥୀ ମତଦାତାମାନଙ୍କୁ ସାମୂହିକ ଭାବରେ ଆହ୍ଵାନ ଦେଇଥାନ୍ତି। ଏବେ କିନ୍ତୁ ଡିଜିଟାଲ୍‌/ସୋସିଆଲ୍‌ ନେଟ୍‌ଓ୍ଵାର୍କ ଯୁଗରେ ଗଣତନ୍ତ୍ରର ଏହି ଚରିତ୍ରରେ ପରିବର୍ତ୍ତନ ଘଟିବାକୁ ଆରମ୍ଭ କଲାଣି। ଉଦାହରଣ ଛଳରେ ଏକ ମଟର ଗାଡ଼ି ବିକ୍ରୟ ବ୍ୟବସାୟକୁ ନିଆଯାଉ। ଗାଡ଼ି ନିର୍ମାତା ବା ବିକ୍ରେତା ଅଧିକ ଗାଡ଼ି ବିକ୍ରି କରିବା ପାଇଁ ଏକ ବିଜ୍ଞାପନ ଅଭିଯାନ ଆରମ୍ଭ କରି ସମସ୍ତ ସମ୍ବାଦପତ୍ର ଓ ଟେଲିଭିଜନ୍‌ ଚାନେଲ୍‌ ମାନଙ୍କର ସମସ୍ତ କାର୍ଯ୍ୟକ୍ରମ ମାନଙ୍କରେ ବିଜ୍ଞାପନ ଲଗାଇ ଦେଇ ପାରନ୍ତି। କିନ୍ତୁ ବହୁସଂଖ୍ୟକ ସମ୍ବାଦପତ୍ର ପାଠକ ଓ ଟିଭି ଦର୍ଶକମାନଙ୍କର ଯଦି ଗାଡ଼ିଟିଏ କିଣିବାର ଯୋଜନା ନଥାଏ, ଏ ସମସ୍ତ ବିଜ୍ଞାପନ ସେମାନଙ୍କ ପାଇଁ ନିରର୍ଥକ ହେବ ଓ ଏଥିଯୋଗୁଁ କେବଳ କମ୍ପାନିର ବ୍ୟୟ ଭାର ବୃଦ୍ଧି ପାଇବ ଯାହା। ଅପର ପକ୍ଷେ ଗାଡ଼ିଟିଏ କିଣିବାକୁ ମନସ୍ଥ କରିଥିବା ବ୍ୟକ୍ତିମାନେ ବିଭିନ୍ନ ଗାଡ଼ି ସୋ’ରୁମ୍‌ ପରିଦର୍ଶନ କରି ଶେଷରେ କୌଣସି ଏକ ଗାଡ଼ି ପସନ୍ଦ କଲା ପରେ କିଣିବା ଦେଖାଯାଏ। ଯଦି କୌଣସି ଏକ ଗାଡ଼ି କମ୍ପାନିକୁ ଏହି ସମ୍ଭାବ୍ୟ ଗ୍ରାହକମାନଙ୍କର ଏକ ତାଲିକା ଉପଲବ୍‌ଧ ହୋଇଯାଏ, ତେବେ କମ୍ପାନି ଆଉ ଅନ୍ଧାଧୁନିଆ ବିଜ୍ଞାପନ ପ୍ରସାର ନକରି ନିର୍ଦ୍ଦିଷ୍ଟ ଭାବରେ ଏଇ ସମ୍ଭାବ୍ୟ ଗ୍ରାହକମାନଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ସ୍ଥାପନ କରିବାକୁ ଏକ ଅଧିକ ଫଳପ୍ରଦ କୌଶଳ ରୂପେ ବିଚାର କରିବ। ଗାଡ଼ି ବିକ୍ରି ପାଇଁ ପ୍ରଚାର ଏକ ସାର୍ବଜନୀନ ଉଦ୍ୟମରୁ ସଂକୁଚିତ ହୋଇ ଏକ ବ୍ୟକ୍ତିକୈନ୍ଦ୍ରିକ ଉଦ୍ୟମରେ ପରିଣତ ହେବ।

ନିର୍ବାଚନୀ ରାଜନୀତିରେ ମଧ୍ୟ ଏଭଳି ଘଟିପାରେ ଏବଂ ବୋଧହୁଏ ପ୍ରଥମ କରି ୨୦୦୮ରେ ଆମେରିକାର ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ବାରାକ୍‌ ଓବାମା ଏହି କୌଶଳକୁ ବିଧିବଦ୍ଧ ଭାବରେ କାର୍ଯ୍ୟରେ ଲଗାଇବା ଦେଖାଯାଇଥିଲା। ସୋସିଆଲ୍‌ ମିଡିଆରୁ ତଥ୍ୟ ସଂଗ୍ରହ କରି ଓ ସେ ସବୁର ଅନୁଶୀଳନ କରି ତାଙ୍କର ଅଭିଯାନକାରୀମାନେ କେଉଁ ମତଦାତାମାନେ ଡେମୋକ୍ରାଟିକ୍‌ ପାର୍ଟି/ଓବାମାଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଭଳି ମନେ ହେଉଛନ୍ତି ତାହାର ଏକ ତାଲିକା ପ୍ରସ୍ତୁତ କଲେ। ଏଭଳି ସମର୍ଥକ ମାନଙ୍କର କି କି ଲକ୍ଷଣସବୁ ଥାଇପାରେ ତାହା ସ୍ଥିର କଲା ପରେ ତାହାକୁ ଭିତ୍ତି କରି ଉପରୋକ୍ତ ତାଲିକା ପ୍ରସ୍ତୁତ ହୋଇଥିଲା (ମନେକର ସେମାନେ ପିଜା ଖାଇବାକୁ ଭଲ ପାଉଥିବେ ଏବଂ ସେମାନଙ୍କର ବୟସ ୨୦ ରୁ ୪୦ ମଧ୍ୟରେ ହୋଇଥିବ ବୋଲି ଯଦି ଅନୁମାନ କରାଯାଏ, ତେବେ ସୋସିଆଲ୍‌ ମିଡିଆରୁ ବାଛି ଏଇଭଳି ଲୋକମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇ ପାରିବ)। ତା’ପରେ ଓବାମାଙ୍କ ପ୍ରଚାରକମାନେ (ଆମର ଏଠାରେ ସଂଘ ପ୍ରଚାରକଙ୍କ ଚିତ୍ର କଳ୍ପନା କରାଯାଇ ପାରେ) ସିଧାସଳଖ ଏହି ଟାର୍ଗେଟ୍‌ ମତଦାତାମାନଙ୍କୁ ଭେଟିଲେ। ଦେଖାଗଲା ଏମାନଙ୍କ ମଧ୍ୟରୁ ପ୍ରତି ୧୦ ଜଣରେ ୪ ଜଣ ଥିଲେ ଓବାମାଙ୍କ ପ୍ରତି ସମ୍ବେଦନଶୀଳ। ସେମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପିତ ହେବା ପରେ ଏହି ସମ୍ବେଦନା ଦୃଢ଼ ସମର୍ଥନରେ ପରିଣତ ହେଲା। ଓବାମା କିନ୍ତୁ ୨୦୧୨ରେ ଏହି କୌଶଳକୁ ବହୁ ଅଧିକ ସଫଳତାର ସହିତ ପ୍ରୟାଗ କରିବା ଦେଖାଯାଇଥିଲା। ଏଥର ସମ୍ଭାବ୍ୟ ସମର୍ଥକମାନଙ୍କର ଲକ୍ଷଣ ଏଭଳି ନିର୍ଭୁଲ ଭାବରେ ସଂକଳିତ ହୋଇଥିଲା ଯେ ପ୍ରଚାରକମାନେ ଭେଟିଥିବା ପ୍ରତି ୧୦ ଜଣ ଟାର୍ଗେଟ୍‌ ମତଦାତାଙ୍କ ମଧ୍ୟରୁ ୯ ଜଣ ଓବାମାଙ୍କ ପ୍ରତି ସମ୍ବେଦନଶୀଳ ଥିବା ଦେଖାଯାଇଥିଲା। ଏଇମାନଙ୍କୁ ପ୍ରଚାରକମାନେ ଭେଟିବା ଫଳରେ ସେମାନଙ୍କର ସମର୍ଥନର ଯେ କେବଳ ଧ୍ରୁବୀକରଣ ଘଟିଲା, ତାହା ନୁହେଁ, ସେମାନେ ମତଦାନ ଦିବସରେ ବୁଥ୍‌କୁ ଆସିବାର କଷ୍ଟ ସ୍ୱୀକାର କରିବା ପାଇଁ ମାନସିକ ସ୍ତରରେ ପ୍ରତିଜ୍ଞାବଦ୍ଧ ହୋଇଗଲେ। ୨୦୧୨ରେ ବାରାକ୍‌ ଓବାମା କିପରି ବିପୁଳ ବିଜୟ ଲାଭ କରି ଦ୍ୱିତୀୟ ପାଳି ଆମେରିକାର ରାଷ୍ଟ୍ରପତି ହୋଇଥିଲେ, କେହି ଭୁଲି ନଥିବେ।

ନିକଟ ଅତୀତରେ ଭାରତରେ ହୋଇଥିବା ନିର୍ବାଚନ ମାନଙ୍କରେ ଅନୁରୂପ କୌଶଳ (ଏହାର ବିଭିନ୍ନ ରୂପ ରହିଛି) ଅବଲମ୍ବନ କରାଯାଇଛି ବୋଲି ଚର୍ଚ୍ଚା ଦେଖିବାକୁ ମିଳିଛି। ସେଇ କାରଣରୁ ଖଣିରୁ ସୁନା ବା ହୀରା ଉତ୍ତୋଳନ ଭଳି ସୋସିଆଲ୍‌ ମିଡିଆରୁ ଡେଟା ଉତ୍ତୋଳନ ଏପରି ମୂଲ୍ୟବାନ୍‌ ହୋଇପଡ଼ିଛି ଏବଂ କଂଗ୍ରେସ ଓ ଭାଜପା ମଧ୍ୟରେ ଏପରି ବାକ୍‌ଯୁଦ୍ଧ ଚାଲିଛି। କିନ୍ତୁ ଆମେ ଯଦି ଏହି ତାତ୍‌କାଳିକ ଲଢ଼େଇକୁ ଅତିକ୍ରମ କରି ଆମେ ଜାଣିଥିବା ଗଣତନ୍ତ୍ର ଉପରେ ଏହି ନୂତନ ଡେଟା ଯୁଗର ସମ୍ଭାବ୍ୟ ପ୍ରଭାବ ପ୍ରତି ଧ୍ୟାନ ଦେବା, ତେବେ ଆମେ ଜର୍ମାନ୍‌ ଦାର୍ଶନିକ ୟୁର୍ଗେନ୍‌ ହାବର୍‌ମାସ୍‌ ଗଣତନ୍ତ୍ରର ମୂଳଭିତ୍ତି ସମ୍ବନ୍ଧରେ ପ୍ରଦାନ କରିଥିବା ମନ୍ତବ୍ୟକୁ ବିଚାରକୁ ନେବା ଉଚିତ ହେବ। ତାଙ୍କ ମତରେ ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି ‘ସାର୍ବଜନୀନ କ୍ଷେତ୍ର’ ବା ‘ସାମୂହିକ କ୍ଷେତ୍ର’ (ପବ୍ଲିକ୍‌ ସ୍ଫିଅର)। ଏହି ସାମୂହିକ କ୍ଷେତ୍ରରେ ନେତା ଓ ମତଦାତାମାନଙ୍କ ମଧ୍ୟରେ ସ୍ଥାପିତ ସମ୍ପର୍କ ସର୍ବାଧିକ ସମୂହ ସ୍ୱାର୍ଥ ସମ୍ଭବ କରାଇଥାଏ। ବ୍ୟକ୍ତିଗତ ସ୍ତରରେ ସେହି ସମ୍ପର୍କ ଯେତେ ଅଧିକ ପ୍ରତିଷ୍ଠିତ ହେବ, ସାମୂହିକ କ୍ଷେତ୍ରରେ ସଭା ସମିତି, ବିଚାର ଆଲୋଚନା ସେତେ ବିରଳ ହେବାକୁ ଲାଗିବ। ଗୋଷ୍ଠୀ ସ୍ୱାର୍ଥ ଅପେକ୍ଷା ବ୍ୟକ୍ତି ସ୍ୱାର୍ଥ; ଗୋଷ୍ଠୀର ପସନ୍ଦ ଅପେକ୍ଷା ବ୍ୟକ୍ତିର ପସନ୍ଦ ଦ୍ୱାରା ନେତା ଅଧିକ ପରିଚାଳିତ ହେବେ। ସହଭାଗିତା ଭିତ୍ତିରେ ପ୍ରତିଷ୍ଠିତ ସାମୂହିକ କ୍ଷେତ୍ର ଉଭାନ ହୋଇ ଯେଉଁ ରାଜନୀତିର ଆବିର୍ଭାବ ଘଟିବ ତାହାକୁ ସାମ୍ପ୍ରତିକ ସମାଜଶାସ୍ତ୍ରୀମାନେ କହୁଛନ୍ତି ‘ଘରୋଇ ରାଜନୀତି’। ସେମାନଙ୍କ ଭାଷାରେ ‘ସାମୂହିକ କ୍ଷେତ୍ରର ଏଭଳି ସଂକୋଚନ’ ଯୋଗୁଁ ଗଣତନ୍ତ୍ର ବିପଦଗ୍ରସ୍ତ ହେବ। ଆଜିର ଡେଟା ପୂଜାରୀ ନେତାମାନେ ଏଥିପ୍ରତି କେତେ ସଚେତନ ଅଛନ୍ତି କିଏ ଜାଣେ?

ସମ୍ବନ୍ଧିତ ଖବର