ଆଇନ ବା ଲ’ ସବୁବେଳେ ଭଲ ଉଦ୍ଦେଶ୍ୟରେ ପ୍ରଣୀତ ହୋଇଥାଏ। ତେବେ ତା’ର ଫଳ ଭଲ ହେବ କି ଭେଲ ହେବ, ତାହା ନିର୍ଭର କରିଥାଏ ଆଇନର ଉପଯୋଗ ବା ଦୁରୁପଯୋଗ ଉପରେ। ଯେ କୌଣସି ଆଇନ ସମ୍ପର୍କରେ ଏହା କୁହାଯାଇପାରେ। ଯେଉଁଠି ଦୁରୁପଯୋଗ କାଁ ଭାଁ ଶ୍ରେଣୀର ହୋଇଥାଏ ତାହାକୁ ଏକ ସ୍ୱାଭାବିକ ବ୍ୟତିକ୍ରମ ରୂପେ ଗ୍ରହଣ କରାଯାଇପାରେ ଏବଂ କୌଣସି ସଂଶୋଧନମୂଳକ ପଦକ୍ଷେପ ନେବାର ଆବଶ୍ୟକତା ଅନୁଭୂତ ହୋଇ ନପାରେ। କିନ୍ତୁ ଯେଉଁଠି ଦୁରୁପଯୋଗ ଏପରି ସ୍ୱାଭାବିକ ବ୍ୟତିକ୍ରମ ସ୍ତରକୁ ଅତିକ୍ରମ କରି ଏକ ନିୟମିତ ଧାରାରେ ପରିଣତ ହେବାକୁ ଆରମ୍ଭ କରେ, ସେଠାରେ ସଂଶୋଧନ ମୂଳକ ପଦକ୍ଷେପ ନିହାତି ଆବଶ୍ୟକ ହୋଇପଡ଼େ।
ନିକଟରେ ମାନ୍ୟବର ସୁପ୍ରିମ୍ କୋର୍ଟ ଦେଶରେ ଦଳିତ ଓ ଆଦିବାସୀମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ଉଦ୍ଦିଷ୍ଟ ଆଇନର ତର୍ଜମା କରି ଏହାର ପ୍ରୟୋଗରେ ଯେଉଁଭଳି ପରିବର୍ତ୍ତନ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ସେଥିରୁ ନିଃସନ୍ଦେହରେ ଯାହା ସାବ୍ୟସ୍ତ ହୋଇଥାଏ, ତାହା ହେଲା ସମ୍ପୃକ୍ତ ଆଇନର ଦୁରୁପଯୋଗ ଅସହନୀୟ ହେଲାଣି ବୋଲି ଅଦାଲତ ବିଚାର କରୁଛନ୍ତି। ଆଇନଟି ହେଉଛି ‘ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ଅତ୍ୟାଚାର ନିରୋଧ) ଆଇନ, ୧୯୮୯’ ବା ‘ଏସ୍ସି ଆଣ୍ଡ୍ ଏସ୍ଟି (ପ୍ରିଭେନ୍ସନ୍ ଅଫ୍ ଆଟ୍ରୋସିଟିଜ୍) ଆକ୍ଟ, ୧୯୮୯’। ଏହି ଆଇନର ଧାରା-୧୮ ଅନୁସାରେ, ଏହି ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗର ସମ୍ମୁଖୀନ କୌଣସି ବ୍ୟକ୍ତିଙ୍କୁ ଆଗୁଆ ଜାମିନ ମିଳିବ ନାହିଁ। ସୁପ୍ରିମ୍ କୋର୍ଟର ଏକ ଦୁଇଜଣିଆ ବେଞ୍ଚ୍ ଏବେ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ଏହି ଧାରାଟି ବିନା ବାଛ ବିଚାରରେ କାହାରିକୁ ହେଲେ ଆଗୁଆ ଜାମିନ ଦିଆଯିବ ନାହିଁ ବୋଲି କହୁନାହିଁ। ଯେଉଁ ଅଭିଯୁକ୍ତଙ୍କ ବିରୋଧରେ ଆପାତ ପ୍ରମାଣଯୋଗ୍ୟ ମାମଲା (ପ୍ରାଇମା ଫେସି କେସ୍) ନଥିବ, ସେ କ୍ଷେତ୍ରରେ ଆଗୁଆ ଜାମିନ ପ୍ରଦାନ କରାଯାଇ ପାରିବ ବୋଲି ସୁପ୍ରିମ୍ କୋର୍ଟ ଏବେ ନିର୍ଦ୍ଦେଶ ଦେଇଛନ୍ତି।
ଜାତିଆଣ ମନ୍ତବ୍ୟରୁ ଆରମ୍ଭ କରି ଜାତିଭିତ୍ତିକ ପାତରଅନ୍ତରରୁ ଉପରୋକ୍ତ ଦୁଇ ଶ୍ରେଣୀର ନାଗରିକମାନଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ଉଦ୍ଦିଷ୍ଟ ଏହି ଆଇନକୁ ଉଚ୍ଚ ଜାତିର ନାଗରିକମାନଙ୍କୁ ହଇରାଣ ହରକତ କରିବା ପାଇଁ ବ୍ୟବହାର କରାଯାଉଛି ବୋଲି ବ୍ୟାପକ ଅଭିଯୋଗ ଶୁଣାଯାଇଥାଏ। ଅଦାଲତ କିନ୍ତୁ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଏ ଆଇନ ହେଉଛି ନିରୀହ ନାଗରିକ ଏବଂ ସରକାରୀ କର୍ମଚାରୀମାନଙ୍କୁ ଧମକ ପ୍ରଦର୍ଶନ କରି ସେମାନଙ୍କ ଠାରୁ କୌଣସି କଥା ଆଦାୟ କରିବା (ବ୍ଲାକ୍ ମେଲ୍) ପାଇଁ ଏକ ଅସ୍ତ୍ର। ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ପ୍ରତିପକ୍ଷ ଉପରେ ରାଗ ଶୁଝାଇବା ପାଇଁ ଆଇନର ବ୍ୟାପକ ଦୁରୁପଯୋଗ କରାହେଉଛି ବୋଲି ଅଦାଲତ ମତପ୍ରକାଶ କରିଛନ୍ତି। ତେଣୁ ଆଗୁଆ ଜାମିନ ବ୍ୟବସ୍ଥାକୁ ସକ୍ରିୟ କରିବା ସହିତ ସୁପ୍ରିମ୍ କୋର୍ଟ ତତ୍କ୍ଷଣାତ୍ ଗିରଫଦାରୀ ଉପରେ ମଧ୍ୟ ଅଙ୍କୁଶ ଲଗାଇଛନ୍ତି। ଜଣକ ବିରୁଦ୍ଧରେ କେବଳ ଦଳିତ ବା ଆଦିବାସୀଙ୍କ ପ୍ରତି ଏହି ଆଇନ ଅନୁସାରେ ଅତ୍ୟାଚାର କରିଥିବାର ଅଭିଯୋଗ ହେବା ମାତ୍ରେ ଯେ ତାଙ୍କୁ ଗିରଫ କରାଯିବ, ଏପରି ନୁହେଁ ବୋଲି ଅଦାଲତ କହିଛନ୍ତି। ବିନା ଅନୁସନ୍ଧାନରେ ସ୍ୱୟଂକ୍ରିୟ ଭାବରେ ତତ୍କ୍ଷଣାତ୍ ଗିରଫଦାରି ନାଗରିକର ମୌଳିକ ଅଧିକାର କ୍ଷୁଣ୍ଣ କରିଥାଏ। ଅଭିଯୋଗ ହେବାର ସାତଦିନ ଭିତରେ ଅନୁସନ୍ଧାନ କରି ଆବଶ୍ୟକ ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବ। ସରକାରୀ କର୍ମଚାରୀମାନେ ଅଧିକତର ମିଥ୍ୟ ଅଭିଯୋଗର ଶିକାର ହେଉଥିବାରୁ ସେମାନଙ୍କୁ ଯଥାସମ୍ଭବ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଭିଯୁକ୍ତ କର୍ମଚାରୀଙ୍କର ନିଯୁକ୍ତିଦାତାଙ୍କ ଠାରୁ ଅନୁମତି ପାଇ ନଥିଲେ ପୁଲିସ ତାଙ୍କୁ ଗିରଫ କରି ପାରିବ ନାହିଁ। ଅଭିଯୁକ୍ତ ଯଦି ବେସରକାରୀ ବ୍ୟକ୍ତି ହୋଇଥାନ୍ତି ତେବେ ସମ୍ପୃକ୍ତ ଜିଲ୍ଲାର ସିନିଅର୍ ଏସ୍ପିଙ୍କ ଅନୁମୋଦନ ବିନା ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ।
ସୁପ୍ରିମ୍ କୋର୍ଟଙ୍କର ଉପରୋକ୍ତ ନିର୍ଦ୍ଦେଶମାନ ଯେ ଏକ ସନ୍ତୁଳନ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ, ଏହା ସ୍ପଷ୍ଟ। ସମାଜରେ ନିଷ୍ପେଷିତ ବର୍ଗଙ୍କୁ ସୁରକ୍ଷା ପ୍ରଦାନ ହେଉଛି ଆଇନର ମାର୍ମିକ ଉଦ୍ଦେଶ୍ୟ। ଆଇନର ଏହି ମର୍ମ ଓ ବ୍ୟକ୍ତି ସ୍ୱାଧୀନତା ମଧ୍ୟରେ ସନ୍ତୁଳନ ପ୍ରତିଷ୍ଠା କରିବା ହେଉଛି ଅଦାଲତଙ୍କର ପଦକ୍ଷେପର ଉଦ୍ଦେଶ୍ୟ। ଜାତିପ୍ରଥା ଓ ଦଳିତଙ୍କ ବିରୁଦ୍ଧରେ ଅତ୍ୟାଚାର ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ମଧ୍ୟ ଭାରତୀୟ ସମାଜର ଏକ ଘୃଣ୍ୟ କଳଙ୍କ ହୋଇ ରହିଛି। (ଏପରିକି ଆମେରିକାରେ ବାସ କରୁଥିବା ଭାରତୀୟମାନେ ସେଠାରେ ମଧ୍ୟ ଜାତିପ୍ରଥାର ଅନୁପ୍ରବେଶ ଘଟାଉଛନ୍ତି ବୋଲି ଅଭିଯୋଗ ଶୁଣା ଯାଇଥାଏ।) ଦଳିତ ଓ ଆଦିବାସୀଙ୍କୁ ସୁରକ୍ଷା ପ୍ରଦାନ ନିମିତ୍ତ ତେଣୁ ଏକ କଠୋର ଆଇନର ଆବଶ୍ୟକତା ନିଶ୍ଚୟ ରହିଛି। ୨୦୧୫ରେ ଆଦିବାସୀ ଓ ଦଳିତମାନେ ସମ୍ମୁଖୀନ ହେଉଥିବା ନୂତନ ପ୍ରକାରର ବାଛବିଚାର ସବୁକୁ ଏକ ସଂଶୋଧନ ମାଧ୍ୟମରେ ଏହି ଆଇନରେ ଅନ୍ତର୍ଭୁକ୍ତ କରାଯାଇଥିଲା।
ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଏକ ଶକ୍ତିଶାଳୀ ଦଳିତ ଆନ୍ଦୋଳନ ବର୍ତ୍ତମାନ ସାରା ଦେଶରେ ମୁଣ୍ଡଟେକିବାକୁ ଆରମ୍ଭ କରିଥିବା ବେଳେ ସୁପ୍ରିମ୍ କୋର୍ଟ ଦଳିତ, ଆଦିବାସୀମାନଙ୍କୁ ସୁରକ୍ଷା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଆଇନର କଠୋରତା ହ୍ରାସ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ତେଣୁ ଆଶା କରାଯାଉଥିବା ଭଳି ସୁପ୍ରିମ୍ କୋର୍ଟଙ୍କ ଆଦେଶ ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖାଦେଲାଣି। ରାଜନୈତିକ ଦଳ ମାନେ ମଧ୍ୟ ଆଗାମୀ ନିର୍ବାଚନରେ ଦଳିତ ସମର୍ଥନ ହାସଲ କରିବା ପାଇଁ ଅଦାଲତଙ୍କ ରାୟ ପ୍ରତି ବିରୋଧ ପ୍ରକଟ କରିବାରେ ଲାଗିଲେଣି। ଅନୁରୂପ କାରଣରୁ ଖୋଦ୍ ଶାସନ କ୍ଷମତାରେ ଥିବା ଦଳ ଏ ବାବଦରେ ସତର୍କତା ଅବଲମ୍ବନ କରିଚାଲିଛନ୍ତି। କେନ୍ଦ୍ର ସରକାରଙ୍କର ସାମାଜିକ ନ୍ୟାୟ ବିଭାଗର ମନ୍ତ୍ରୀ ଥାବରଚାନ୍ଦ ଗେହଲୋତ୍ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ପତ୍ର ଲେଖି ସରକାର କୋର୍ଟଙ୍କ ନିର୍ଦ୍ଦେଶରେ ପୁନଃବିଚାର ପାଇଁ ଆବେଦନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି।
ଏହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ ଉପରୋକ୍ତ ଆଇନର ଦୁରୁପଯୋଗ ନିୟନ୍ତ୍ରଣ ନିମିତ୍ତ ନେଇଥିବା ପଦକ୍ଷେପ ସହିତ ଏହା ମଧ୍ୟ ନିଶ୍ଚିତ କରିବା ଦରକାର ଯେ ସମାଜର ଦୁର୍ବଳ ଶ୍ରେଣୀର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆଇନ ଯେପରି ତାର ଦାନ୍ତ ହରାଇ ନବସେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/sampadakiya-logo-ff-19.jpg)