ସଂକଟରେ ନ୍ୟାୟପାଳିକା

ଭାରତୀୟ ନ୍ୟାୟପାଳିକା ଇତିହାସରେ ଗୋଟିଏ ଅଭୁତପୂର୍ବ ଅଥଚ ନିହାତି ଅସ୍ୱାଭାବିକ ଓ ଅସ୍ୱସ୍ତିକର ଘଟଣା ଘଟିଥିଲା ଗତ ଜାନୁଆରି ମାସ ୧୨ ତାରିଖ ଦିନ। ଉଚ୍ଚତମ ନ୍ୟାୟାଳୟର ଚାରିଜଣ ବରିଷ୍ଠତମ ନ୍ୟାୟମୂର୍ତ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନ ନ୍ୟାୟାଧୀଶଙ୍କ କାର୍ଯ୍ୟଶୈଳୀରେ ସାଧୁତା, ସ୍ୱଚ୍ଛତା ଓ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଥିଲେ। ଏହି ପ୍ରକ୍ରିୟାରେ ମାନ୍ୟବର ନ୍ୟାୟମୂର୍ତ୍ତିଗଣ ଖୋଦ୍‌ ନିଜେ ଧର୍ମାବତାର ଆସନରେ ବସିଥିବା ନ୍ୟାୟର ମନ୍ଦିରର ପବିତ୍ରତାକୁ କାଠଗଡ଼ାରେ ଠିଆ କରିଥିଲେ। ଫଳରେ ଦେଶର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ପବିତ୍ରତମ ଅଙ୍ଗ ତଥା ସର୍ବାଧିକ ବିଶ୍ୱସନୀୟ ଅନୁଷ୍ଠାନ-ନ୍ୟାୟପାଳିକାର ସ୍ୱାଧୀନତା, ନିରପେକ୍ଷତା ଓ ସର୍ବୋପରି ଏହାର ଗରିମା ଉପରେ ବିଶାଳ ପ୍ରଶ୍ନ ଚିହ୍ନ ଲାଗି ଯାଇଥିଲା। ଏହାର ସିଧାସଳଖ ପ୍ରଭାବରେ ନ୍ୟାୟବ୍ୟବସ୍ଥା ପ୍ରତି ସାଧାରଣ ଜନତାଙ୍କ ଆସ୍ଥା ଓ ବିଶ୍ୱାସ ଦୋହଲି ଯାଇଥିଲା।

ଇତିମଧ୍ୟରେ ପ୍ରାୟ ଅଢ଼େଇ ମାସ ବିତିଯାଇଛି। ଏହି ସମୟ ଭିତରେ ଅବସ୍ଥାରେ ଏମିତି କିଛି ସୁଧାର କିମ୍ବା ପରିବେଶରେ ପରିବର୍ତ୍ତନ ଆସି ନାହିଁ, ଯାହାଦ୍ୱାରା ନ୍ୟାୟପାଳିକା ପ୍ରତି ଊଣା ପଡ଼ି ଟାଇଥିବା ଜନତାଙ୍କ ଆସ୍ଥା ଓ ବିଶ୍ୱାସ ଫେରି ଆସିବ। ଅନ୍ୟପକ୍ଷରେ ନ୍ୟାୟପାଳିକାର ଆହୁରି ଏମିତି କିଛି ଗୁମର ପଦାକୁ ଆସିଛି, ଯାହା ଜନତାଙ୍କ ଆସ୍ଥା ଓ ବିଶ୍ୱାସକୁ ଅଧିକ ଦୋହଲାଇ ଦେଇଛି। ନ୍ୟାୟପାଳିକାର ସ୍ୱାଧୀନତା, ନିରପେକ୍ଷତା ଉପରେ ସଂଶୟର କଳା ବାଦଲକୁ ଅଧିକ ଘନୀଭୂତ କରିଛି ଓ ଅନୁଷ୍ଠାନର ଭାବମୂର୍ତ୍ତିର ଉଜ୍ଜ୍ୱଳତାକୁ ଅଧିକ ମଳିନ କରିଛି। ଏହି କ୍ରମରେ ସଦ୍ୟତମ ଘଟଣା ହେଲା, ସୁପ୍ରିମ୍‌କୋର୍ଟର ‘ନମ୍ବର ୨’ ବିଚାରପତି ନ୍ୟାୟମୂର୍ତ୍ତି ଜେ.ଚେଲାମେଶ୍ୱର ଉଚ୍ଚତମ ନ୍ୟାୟାଳୟର ସବୁ ୨୨ ଜଣ ଯାକ ବିଚାରପତିଙ୍କୁ ନକଲ ସହ ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ର। ଗତ କିଛିଦିନ ତଳେ ପ୍ରଧାନ ନ୍ୟାୟାଧୀଶଙ୍କ ଉଦ୍ଦେଶ୍ୟରେ ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ଲେଖିଥିବା ପତ୍ର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ନ୍ୟାୟପାଳିକାର ଆଭ୍ୟନ୍ତରୀଣ ବ୍ୟାପାର ଓ ଏହାର ସ୍ୱାଧୀନତା, ନିରପେକ୍ଷତା ପ୍ରସଙ୍ଗରେ ଚାଲିଥିବା ବିତର୍କ ନୂଆ ମୋଡ଼ ନେଇଛି। ନ୍ୟାୟପାଳିକା ପାଇଁ ବୋଧହୁଏ ଅଧିକ ଅସମୟ ଆଉ କିଛି ହୋଇ ନ ପାରେ। ନ୍ୟାୟମୂର୍ତ୍ତି ଚେଲାମେଶ୍ୱରଙ୍କ ପତ୍ର ଏମିତି ଏକ ସମୟରେ ବିବାଦକୁ ତେଜିଛି, ଯେତେବେଳେ ବିରୋଧୀଙ୍କ ପକ୍ଷରୁ ପ୍ରଧାନ ବିଚାରପତିଙ୍କ ବିରୋଧରେ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ଲାଗି । ଯୋଜନା ଚାଲିଛି। ଏଥିରେ କୌଣସି ସନ୍ଦେହ ନାହିଁ ଯେ ନ୍ୟାୟପାଳିକାର ସଂକଟ କ୍ରମଶଃ ଗୁରୁତର ରୂପ ନେଉଛି।

ଗତ ଜାନୁଆରି ୧୨ ତାରିଖ ଦିନ ସାମ୍ବାଦିକ ସମ୍ମିଳନୀରେ ଚାରିଜଣ ବିଚାରପତିଙ୍କ ମିଳିତ ସ୍ୱାକ୍ଷରରେ ଜାରି ସାତ ପୃଷ୍ଠାର ପତ୍ରରେ ମୁଖ୍ୟତଃ ନ୍ୟାୟପାଳିକା ପ୍ରତି ଆଭ୍ୟନ୍ତରୀଣ ବିପଦ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲା। ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ଏବେ ତାଙ୍କ ପତ୍ରରେ ‘ବାହ୍ୟ ବିପଦ’ ପ୍ରତି ସତର୍କ ସଂକେତ ଦେଇଛନ୍ତି। ପତ୍ରର ପୃଷ୍ଠଭୂମିରେ ରହିଛି କର୍ଣ୍ଣାଟକର ଏକ ଘଟଣା।

ସୁପ୍ରିମ୍‌କୋର୍ଟ କଲେଜିୟମ୍‌ ଦ୍ୱାରା ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଲାଗି ମନୋନୀତ କର୍ଣ୍ଣାଟକର ଜଣେ ଜିଲ୍ଲା ଜଜ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗର ସାନି ତଦନ୍ତ ପ୍ରସଙ୍ଗରେ ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ଏହି ଚିଠି ଲେଖିଛନ୍ତି। ଦୁଇବର୍ଷ ତଳେ ତତ୍‌କାଳୀନ ହାଇକୋର୍ଟ ମୁଖ୍ୟ ବିଚାରପତି ଅଭିଯୋଗର ତଦନ୍ତ କରି ସମ୍ପୃକ୍ତ ଜିଲ୍ଲା ଜଜ୍‌ଙ୍କୁ ‘ନିର୍ଦୋଷ’ ଘୋଷଣା କରିଥିଲେ। କିନ୍ତୁ ନିକଟରେ ଛଅ ଜଣଙ୍କ ମଧ୍ୟରେ କଲେଜିୟମ୍‌ ସମ୍ପୃକ୍ତ ଜିଲ୍ଲାଜଜ୍‌ଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଲାଗି ଚୟନ କଲାପରେ ଆଇନ ମନ୍ତ୍ରଣାଳୟ ସୁପ୍ରିମ୍‌ କୋର୍ଟଙ୍କୁ ଅନ୍ଧାରରେ ରଖି ସିଧାସଳଖ କର୍ଣ୍ଣାଟକ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ମାର୍ଫତରେ ସମ୍ପୃକ୍ତ ବିଚାରପତିଙ୍କ ବିରୋଧରେ ଦୁଇବର୍ଷ ତଳେ ଆସିଥିବା ଅଭିଯୋଗର ସାନି ତଦନ୍ତ କରାଇଛନ୍ତି। ଏହା ଉପରେ ନ୍ୟାୟମୂର୍ତ୍ତି ଚେଲାମେଶ୍ୱର କଡ଼ା ଆପତ୍ତି ଉଠାଇଛନ୍ତି। ଏହା ନ୍ୟାୟପାଳିକାର ସ୍ୱାଧୀନତା ତଥା ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ କାର୍ଯ୍ୟନିର୍ବାହୀର ଅଯଥା ସିଧାସଳଖ ହସ୍ତକ୍ଷେପ ବୋଲି ସେ ଦର୍ଶାଇଛନ୍ତି।

କର୍ଣ୍ଣାଟକ ଘଟଣାର ପୃଷ୍ଠଭୂମିରେ ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ଏହି ପତ୍ର ଲେଖିଥିଲେ ସୁଦ୍ଧା, ଏଥିରେ ସେ ନ୍ୟୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ସହ ଯୋଡ଼ି ହୋଇଥିବା କିଛି ବୃହତ୍ତର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି, ଯାହା ଅଣଦେଖା କରାଯାଇ ନପାରେ। କଲେଜିୟମ୍‌ ଦ୍ୱାରା ମନୋନୀତ ଜିଲ୍ଲା ଜଜ୍‌ଙ୍କ ବିରୋଧରେ ଅଭିଯୋଗର ସାନି ତଦନ୍ତରେ କୌଣସି ଅସୁବିଧା ନାହିଁ। କିନ୍ତୁ ଆଇନ ମନ୍ତ୍ରଣାଳୟ ସୁପ୍ରିମ୍‌କୋର୍ଟଙ୍କୁ ଏଡ଼ାଇ ସିଧାସଳଖ କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଇବା ନିଶ୍ଚୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ୟପକ୍ଷରେ ସୁପ୍ରିମ୍‌କୋର୍ଟକୁ ଅବଗତ ନକରି ଆଇନ ମନ୍ତ୍ରଣାଳୟର କଥାରେ କର୍ଣ୍ଣାଟକ ମୁଖ୍ୟ ବିଚାରପତି ସାନି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବା ସ୍ୱତଃ ନ୍ୟାୟପାଳିକାର ସ୍ୱାଧୀନତା ସହ ସାଲିସ ଓ ଅଯଥା ବାହ୍ୟ ହସ୍ତକ୍ଷେପକୁ ଆମନ୍ତ୍ରଣ ବୋଲି କୁହାଯାଇପାରେ। ଗୋଟିଏ ପକ୍ଷରେ ଏହା ନ୍ୟାୟପାଳିକା କାର୍ଯ୍ୟରେ ହସ୍ତକ୍ଷେପ ପାଇଁ କାର୍ଯ୍ୟନିର୍ବାହୀର ବ୍ୟଗ୍ରତା ଏବଂ ଅନ୍ୟପକ୍ଷରେ କାର୍ଯ୍ୟନିର୍ବାହୀର ଅନୁଗ୍ରହ ପାଇଁ ବ୍ୟଗ୍ରତାରେ ନ୍ୟାୟପାଳିକା ସଦସ୍ୟଙ୍କ ଅକୁଣ୍ଠିତ ଆନୁଗତ୍ୟ ପ୍ରଦର୍ଶନର ଅସ୍ୱସ୍ତିକର ବିଲକ୍ଷଣ। ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ଯଥାର୍ଥରେ କାର୍ଯ୍ୟନିର୍ବାହୀ ଓ ନ୍ୟାୟପାଳିକା ମଧ୍ୟରେ ଏ ଘନିଷ୍ଠତାକୁ ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ପାଇଁ ‘ମୃତ୍ୟୁ ଘଣ୍ଟି’ ବୋଲି କହିଛନ୍ତି। ନ୍ୟାୟମୂର୍ତ୍ତି ଚେଲାମେଶ୍ୱରଙ୍କ ସିଧାସଳଖ ଅଭିଯୋଗ ହେଲା- କାର୍ଯ୍ୟନିର୍ବାହୀ ନିଜ ପାଇଁ ‘ଅଡୁଆ’ ମନେ କରୁଥିବା ବିଚାରପତିମାନଙ୍କ ନିଯୁକ୍ତିର ବାଟକୁ ନାନା ଫନ୍ଦି କରି ଓଗାଳୁଛନ୍ତି। ସେଥିରେ ନ୍ୟାୟପାଳିକା ସହଯୋଗ କଲାଭଳି ମନେ ହେଉଛି। ସେ କହିଛନ୍ତି ବିଚାରପତି ନିଯୁକ୍ତି ପ୍ରସଙ୍ଗରେ କଲେଜିୟମ୍‌ଙ୍କ ସୁପାରିସ ଗ୍ରହଣ ବିରଳ ଓ ବ୍ୟତିକ୍ରମ ଓ ସୁପାରିସ ଉପରେ ସରକାର ନିଷ୍ପତ୍ତି ନ ନେଇ ବସି ରହିବା ଏକ ଧାରାରେ ପରିଣତ ହେଲାଣି। ଏହା ନ୍ୟାୟପାଳିକାର ସ୍ୱାଧୀନତା ଓ ନିରପେକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଉଛି। ସୁପ୍ରିମ୍‌କୋର୍ଟର ବରିଷ୍ଠ ମହିଳା ଓକିଲ ଇନ୍ଦୁ ମାଲହୋତ୍ରା ଏବଂ ଉତ୍ତରାଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜୋସେଫ୍‌ଙ୍କୁ ସୁପ୍ରିମ୍‌କୋର୍ଟ ବିଚାରପତି ଭାବେ ନିଯୁକ୍ତିରେ ଅହେତୁକ ବିଲମ୍ବକୁ ସରକାରୀ ହସ୍ତକ୍ଷେପର ନଜିର ଭାବେ ସେ ଦର୍ଶାଇଛନ୍ତି। ଏହା ଶାସନ ବ୍ୟବସ୍ଥାର ବିଭିନ୍ନ ଅଙ୍ଗ ମଧ୍ୟରେ ସମ୍ବିଧାନ ନିର୍ଦ୍ଧାରିତ ଭାରସାମ୍ୟ ରକ୍ଷା ପ୍ରତି ବିପଦ।

ନ୍ୟାୟମୂର୍ତ୍ତି ଚେଲାମେଶ୍ୱରଙ୍କ ପତ୍ରରେ ଭାରତୀୟ ନ୍ୟାୟପାଳିକାକୁ ଆକ୍ରାନ୍ତ କରିଥିବା କିଛି ଭୟଙ୍କର ବିଲକ୍ଷଣର କେବଳ ସୂଚନା ମିଳୁିନାହିଁ, ଏହାର ସଂକ୍ରମଣ ବଢ଼ି ଚାଲିଥିବାର ଅଶୁଭ ସଂକେତ ମଧ୍ୟ ମିଳୁଛି। ନ୍ୟାୟପାଳିକାର ବ୍ୟାପାରରେ ହସ୍ତକ୍ଷେପ ପାଇଁ କାର୍ଯ୍ୟନିର୍ବାହୀର ବ୍ୟଗ୍ରତା ଅନୁଷ୍ଠାନର ସ୍ୱାଧୀନତା ଓ ନିରପେକ୍ଷତା ପ୍ରତି ବିପଦ। ଅନ୍ୟପକ୍ଷରେ କାର୍ଯ୍ୟନିର୍ବାହୀର ହସ୍ତକ୍ଷେପର ପ୍ରତିବାଦ ପାଇଁ ନ୍ୟାୟପାଳିକା ସାହସ ଓ ସାମର୍ଥ୍ୟ ଜୁଟାଇ ନ ପାରିବା ମଧ୍ୟ ଆଉ ଏକ ବିପଦ। ତେବେ, ଗତ ଜାନୁଆରି ୧୨ ତାରିଖ ଦିନ ଚାରିଜଣ ବରିଷ୍ଠତମ ନ୍ୟାୟମୂର୍ତ୍ତି ଏବଂ ଏବେ ନ୍ୟାୟମୂର୍ତ୍ତି ଚେଲାମେଶ୍ୱର ତାଙ୍କ ପତ୍ରରେ ନ୍ୟାୟପାଳିକାର ଯେଉଁ ସଂକଟ ପ୍ରତିଫଳିତ ହୋଇଛି, ତା’ର ସମାଧାନ ଅନ୍ୟ କାହାରି ପାଖରେ ନୁହେଁ, ଖୋଦ୍‌ ନ୍ୟାୟପାଳିକା ପାଖରେ ରହିଛି। ନ୍ୟାୟ ବ୍ୟବସ୍ଥାର ଗରିମା, ସ୍ୱାଧୀନତା ଓ ନିରପେକ୍ଷତା ରକ୍ଷା ନ୍ୟାୟପାଳିକାର ସାମୂହିକ ଦାୟିତ୍ୱ। ଆଶା, ନ୍ୟାୟପାଳିକା ପବିତ୍ର ଗୁରୁ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବେ। ସବୁପ୍ରକାର ଆଭ୍ୟନ୍ତରୀଣ ଓ ବାହ୍ୟ ବିପଦକୁ ପ୍ରତିହତ କରି ଅନୁଷ୍ଠାନର ସ୍ୱାଧୀନତା, ନିରପେକ୍ଷତାକୁ ବଜାୟ ରଖିବେ। ଫଳରେ ନ୍ୟାୟପାଳିକାର ଗରିମା ଓ ନ୍ୟାୟବ୍ୟବସ୍ଥା ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଅତୁଟ ରହିବ।

ସମ୍ବନ୍ଧିତ ଖବର