ଶେଷରେ ମାନବ ଇତିହାସରେ ନୃଶଂସତମ ଆତଙ୍କବାଦୀ ସଂଗଠନ ରୂପେ ବିବେଚିତ ‘ଇସ୍‌ଲାମିକ୍‌ ଷ୍ଟେଟ୍‌’ (ଆଇଏସ୍‌/ଆଇସିସ୍‌/ଆଇସିଲ୍‌)ର ପତନ ଘଟିଥିବା ସମ୍ବାଦ ପ୍ରସାରିତ ହୋଇ ପୃଥିବୀ ସାରା ଏକ ଆଶ୍ୱସ୍ତିର ବାତାବରଣ ସୃଷ୍ଟି କରିଛି। ମଙ୍ଗଳବାର ଦିନ ସିରିଆର ଉତ୍ତର ଭାଗରେ ଅବସ୍ଥିତ ‘ରାକ୍‌କା’ ସହର ପତନ ସହିତ ‘ଆଇଏସ୍‌’ର ପତନ ଘଟିଲା ବୋଲି ବିଶ୍ୱାସ କରାଯାଉଛି। କାରଣ ‘ରାକ୍‌କା’ କେବଳ ‘ଆଇଏସ୍‌’ ଦଖଲରେ ଥିବା ପଶ୍ଚିମ ଏସିଆ ଅଞ୍ଚଳର ଶେଷ ପ୍ରମୁଖ ସହର ଥିଲା, ତାହା ନୁହେଁ, ଆଇଏସ୍‌ ଏହି ସହରକୁ ତା’ର ସ୍ୱପ୍ନର ଖଲିଫା ସାମ୍ରାଜ୍ୟର ରାଜଧାନୀ ରୂପେ ଘୋଷଣା କରିଥିଲା। ବର୍ତ୍ତମାନ ଅଦୃଶ୍ୟ ହୋଇଯାଇଥିବା ଏହି ଇସ୍‌ଲାମୀୟ ଆତଙ୍କବାଦୀ ସଂଗଠନର ମୁଖ୍ୟ ଆବୁ ବକ୍‌ର ଆଲ୍‌ବାଗ୍‌ଦାଦୀ ଆଇସିସ୍‌ର ପ୍ରତିଷ୍ଠା ଘୋଷଣା କରିବାର ଠିକ୍‌ ତିନିବର୍ଷ, ତିନି ମାସ, ଅଠର ଦିନପରେ ଏହି ତଥାକଥିତ ଇସ୍‌ଲାମୀୟ ଖଲିଫା ସାମ୍ରାଜ୍ୟର ପତନ ଘଟିଥିଲେ ହେଁ, ଏହି ଜିହାଦୀମାନଙ୍କର ଅକଥନୀୟ ବର୍ବରତାର ଶିକାର ହୋଇଥିବା ଏ ଅଞ୍ଚଳର ଅଧିବାସୀମାନଙ୍କ ପାଇଁ ତାହା ତିନିଯୁଗରୁ ଅଧିକ କାଳ ଭଳି ମନେ ହୋଇଥିବ। ଆମେରିକୀୟ ସ୍ପେସାଲ ଫୋର୍ସେସ୍‌ ସହାୟତାରେ ସିରିଆନ୍‌ ଡେମୋକ୍ରାଟିକ୍‌ ଫୋର୍ସର ଆରବ ଏବଂ କୁର୍ଦ୍ଦ ଯୋଦ୍ଧାମାନେ ରାକ୍‌କା ଦଖଲ କରିଛନ୍ତି।

Advertisment

ରାକ୍‌କାର ପତନ ସହିତ ଆଇଏସ୍‌ର ପତନ ଘଟିଲା ବୋଲି ବିଶ୍ୱାସ କରିବାର କାରଣ ହେଲା ରାକ୍‌କା ଥିଲା ବସ୍ତୁତଃ ଏହି ଜିହାଦୀ ଆନ୍ଦୋଳନର ପ୍ର୍ରାଣକେନ୍ଦ୍ର। ଆଲ୍‌କାଏଦା ବା ଆଲ୍‌ନୁସ୍‌ରା ବା ସେହିପରି ଗଣ୍ଡା ଗଣ୍ଡା ଆହୁରି ଅନେକ ଛୋଟ ବଡ଼ ଜିହାଦୀ ସଂଗଠନମାନଙ୍କଠାରୁ ଆଇଏସ୍‌ର ଯେଉଁ ବିଶେଷ ପାର୍ଥକ୍ୟ ଥିଲା ତାହା ହେଲା ଅନ୍ୟ କୌଣସି ଜିହାଦୀ ସଂଗଠନ ଆଇଏସ୍‌ ପରି ଐତିହାସିକ ଖଲିଫା ସାମ୍ରାଜ୍ୟର ପୁନଃପ୍ରତିଷ୍ଠା କରିବାକୁ ଏକ ସତସତିକା ଉଦ୍ୟମ ଆରମ୍ଭ କରିନଥିଲେ। ବିଗତ ତିନି ବର୍ଷ ମଧ୍ୟରେ ଏହି ଲକ୍ଷ୍ୟ ହାସଲ ଉଦ୍ଦେଶ୍ୟରେ ଉଭୟ ଇରାକ ଓ ସିରିଆରେ ଯେତିକି ଅଞ୍ଚଳ ଦଖଲ କରିବାରେ ଆଇଏସ୍‌ ସକ୍ଷମ ହୋଇ ଥିଲା, ଏକ ସମୟରେ ତାହାର ମୋଟ ଆୟତନ ନିକଟବର୍ତ୍ତୀ ଦେଶ ଜୋର୍ଡାନ୍‌ର ଆୟତନ ସହ ସମାନ ହୋଇ ଯାଇଥିଲା। ଆବୁ ବକ୍‌ର ଆଲ୍‌-ବାଗ୍‌ଦାଦୀର ଘୋଷିତ ଲକ୍ଷ୍ୟ ଥିଲା କୋରାନ୍‌ର ଆହ୍ଵାନ ଅନୁଯାୟୀ ଶେଷରେ ସାରା ପୃଥିବୀକୁ ଗୋଟିଏ ଇସ୍‌ଲାମୀୟ ଖଲିଫା ସାମ୍ରାଜ୍ୟରେ ପରିଣତ କରିବା। ଏହି ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହୋଇ ଯେଉଁ ରାଜ୍ୟ ଦଖଲ ଅଭିଯାନ ଆରମ୍ଭ ହୋଇଥିଲା, ତାହାର ରାଜଧାନୀ ହୋଇଥିଲା ରାକ୍‌କା। ଏଠାରେ ରହି ଇସ୍‌ଲାମିକ୍‌ ଷ୍ଟେଟ୍‌ର ପ୍ରତିଷ୍ଠାତା ଯେଉଁ ବିଜିତ ପ୍ରଜାମାନଙ୍କୁ ଶାସନ କରୁଥିଲେ, ସେମାନଙ୍କ ସଂଖ୍ୟା ଥିଲା ଆଠ ନିୟୁତ, ଯାହା ଅନେକ ଛୋଟ ଛୋଟ ଦେଶର ଲୋକସଂଖ୍ୟାଠାରୁ ଅଧିକ।

ଆଇଏସ୍‌ର ଅନ୍ୟ ଏକ ବିଶେଷତ୍ୱ ଥିଲା ପୃଥିବୀର ବିଭିନ୍ନ ଅଞ୍ଚଳରୁ ଜିହାଦ୍‌ରେ ସାମିଲ ହେବା ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଆକର୍ଷିତ କରିବା। ପୃଥିବୀର ପାଞ୍ଚଟି ମହାଦେଶରୁ ହଜର ହଜାର ସଂଖ୍ୟାରେ ଯୁବକ ଯୁବତୀ ଆଲୋକ ପାଖକୁ ପତଙ୍ଗମାନେ ଏକ ମୁହାଁ ହୋଇ ମାଡ଼ି ଆସିବା ପରି ଇସ୍‌ଲାମିକ୍‌ ଷ୍ଟେଟ୍‌ରେ ଯୋଗ ଦେବାରେ ଲାଗିଥିଲେ, ପୃଥିବୀର ଆତଙ୍କବାଦୀ ଇତିହାସରେ ସେଭଳି ଘଟିବା କେବେହେଲେ ଦେଖାଯାଇ ନଥିଲା। ୨୦୧୪ ଜୁନ୍‌ ୨୯ ତାରିଖରେ ଇରାକର ଦ୍ୱିତୀୟ ବୃହତ୍ତମ ନଗରୀ ମୋସୁଲ୍‌ର ପ୍ରସିଦ୍ଧ ମସ୍‌ଜିଦ୍‌ରୁ ଆବୁ ବକ୍‌ର ଆଲ୍‌-ବାଗ୍‌ଦାଦୀ ଖଲିଫା ସାମ୍ରାଜ୍ୟ ପ୍ରତିଷ୍ଠା ଘୋଷଣା କରିବା ପରେ ପୃଥିବୀ ସାରା ଧର୍ମାନ୍ଧ ଯୁବକ ଯୁବତୀ ତଥା ଦୁଃସାହସିକ ଆଡ୍‌ଭେଞ୍ଚର୍‌ ସନ୍ଧାନୀମାନଙ୍କ ମନରେ ତାହା ଚମକ ଖେଳାଇ ଦେଇଥିଲା। ଏକ ବିଧିବଦ୍ଧ ରାଜଧାନୀ ରୂପେ ରାକ୍‌କାର ଆବିର୍ଭାବ ଏହି ରୋମାଞ୍ଚକର ଅଭିଯାନକୁ ଏକ ବାସ୍ତବତାର ସ୍ପର୍ଶ ଯୋଗାଇ ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ରାକ୍‌କାର ପତନ ପୂର୍ବରୁ ଦୀର୍ଘ ନ’ମାସର ରକ୍ତାକ୍ତ ସଂଘର୍ଷ ପରେ ଇରାକ୍‌ ସେନା ଜୁଲାଇରେ ମୋସୁଲ୍‌କୁ ଆଇଏସ୍‌ ଦଖଲରୁ ମୁକ୍ତ କରି ନେଇଛି।

ମୋସୁଲ୍‌ ଏବଂ ରାକ୍‌କାର ପତନ ପରେ ଆଲ୍‌-ବାଗ୍‌ଦାଦୀ ଦ୍ୱାରା ପ୍ରତିଷ୍ଠିତ ଇସ୍‌ଲାମୀୟ ସାମ୍ରାଜ୍ୟର ପତନ ଘଟିଛି ବୋଲି କହିବା ଯଥାର୍ଥ। ତେବେ ଏଠାରେ ଯାହା ହୃଦୟଙ୍ଗମ କରିବା ଗୁରୁତ୍ୱପୂର୍ଣ୍ଣ ତାହା ହେଲା ଯାହାର ପତନ ଘଟିଛି ତାହା ହେଉଛି ଏକ ନିର୍ଦ୍ଦିଷ୍ଟ ସଂଗଠନ କିମ୍ବା ଏକ ନିର୍ଦ୍ଦିଷ୍ଟ ରାଜ୍ୟ। ଯଦି ଇସ୍‌ଲାମିକ୍‌ ଷ୍ଟେଟ୍‌କୁ ଏକ ଇସ୍‌ଲାମୀୟ ଆତଙ୍କବାଦୀ ଜିହାଦୀ ଆନ୍ଦୋଳନ ରୂପେ ବିଚାର କରାଯାଏ ତେବେ କେହି ହେଲେ ନିଶ୍ଚିନ୍ତ ହୋଇ ଯାଇ ପାରିବେ ନାହିଁ ଯେ ଏଥି ସହିତ ଏଭଳି ଏକ ବର୍ବର ମାନସିକତା ଓ ଆନ୍ଦୋଳନର ମଧ୍ୟ ଅନ୍ତ ଘଟିଛି। ଆଇଏସ୍‌ ଅଧିକୃତ ଅଞ୍ଚଳରେ ଯେଉଁମାନେ ଏହାର ଅତ୍ୟାଚାରର ଶିକାର ହୋଇଥିଲେ ସେମାନେ ହେଉଛନ୍ତି ମୁଖ୍ୟତଃ ସିଆ, କୁର୍ଦ୍ଦ ଏବଂ ୟାଜିଦି ସମ୍ପ୍ରଦାୟର। କିନ୍ତୁ ସେଠାକାର ସୁନ୍ନି ସମ୍ପ୍ରଦାୟର ମୁସଲମାନମାନଙ୍କ ମଧ୍ୟରେ ଆଇଏସ୍‌ ମଧ୍ୟ ଯେ ସମର୍ଥନ ଉପଭୋଗ କରୁଥିଲା, ଏହା ଏକ ଅପ୍ରିୟ ସତ୍ୟ। ସମ୍ପୃକ୍ତ ଅଞ୍ଚଳରେ ଆଇଏସ୍‌ର ଅପସାରଣ ପରେ ସେଠାକାର ନୂତନ ରାଜନୈତିକ ପରିସ୍ଥିତି ଯେ ସ୍ଥାନୀୟ ଅଧିବାସୀଙ୍କର ମାନସିକତାକୁ ଅନେକାଂଶରେ ପ୍ରଭାବିତ କରିବ, ଏଥିରେ କୌଣସି ସନ୍ଦେହ ନାହିଁ।

ଜୁଲାଇରେ ମୋସୁଲ୍‌ ନଗରୀ ଆଇଏସ୍‌ କବଳରୁ ମୁକ୍ତ ହେବା ପରେ ପରେ ତାହା ତତ୍‌କ୍ଷଣାତ୍‌ ଇରାକର ସାର୍ବଭୌମ ଅଧିକାର ଅଧୀନକୁ ଚାଲି ଯାଇଥିଲା। ରାକ୍‌କା ମୁକ୍ତ ହେବା ପରେ କିନ୍ତୁ ଏପରି ଏକ ସହଜ ଓ ସିଧାସଳଖ ହସ୍ତାନ୍ତର ଘଟିବା ସମ୍ଭବ ହୋଇନପାରେ। ରାକ୍କା ହେଉଛି ଆଇନଗତ ଭାବରେ ସିରିଆର ଅଂଶ। ସିରିଆର ଶାସକ ବାସର୍‌ ଆସାଦ୍‌ ହେଉଛନ୍ତି ଆଲାଓ୍ଵିତ୍‌ ସିଆ ସମ୍ପ୍ରଦାୟର। ରାକ୍‌କାର ସୁନ୍ନି ଅଧିବାସୀମାନେ ଆସାଦ୍‌ ଶାସନ ଅଧୀନକୁ ଫେରିବାକୁ କେବେହେଲେ ଚାହିଁବେ ନାହିଁ- ସିରିଆରେ ଲାଗି ରହିଥିବା ଦୀର୍ଘଦିନ ଧରି ରକ୍ତାକ୍ତ ବିଦ୍ରୋହ ମୂଳରେ ରହିଛି ଏହି ସିଆ-ସୁନ୍ନି ବିବାଦ। ଆମେରିକା ଏହି ସ୍ଥାନୀୟ ସୁନ୍ନିମାନଙ୍କୁ ସମର୍ଥନ କରୁଥିବା ବେଳେ ରୁଷିଆ, ଇରାନ ଏବଂ ପଡ଼ୋଶୀ ଲେବାନନ୍‌ ବାସର୍‌ ଆସାଦ୍‌ଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। ଅଡୁଆ କେବଳ ଏଇଠି ଛିଡୁ ନାହିଁ। ରାକ୍‌କା ଅବରୋଧ ସମୟରେ ଆମେରିକୀୟ ବିମାନ ଆକ୍ରମଣରେ ସହରଟି ଧୂଳିସାତ୍‌ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠାରେ ଜନଜୀବନ ସ୍ୱାଭାବିକ ହେବା ପାଇଁ ବ୍ୟାପକ ପୁନଃନିର୍ମାଣର ଆବଶ୍ୟକତା ରହିଛି। ରାଜନୈତିକ ସ୍ଥିରତା ବିନା ତାହା ସମ୍ଭବ ହେବ ନାହିଁ। ସମଗ୍ର ଆଇଏସ୍‌ ମୁକ୍ତ ଅଞ୍ଚଳରେ ଊଣା ଅଧିକେ ବେଶ୍‌ କିଛି ଦିନ ଧରି ଏ ଯେଉଁ ଜଟିଳ ଅସ୍ଥିରତା ଲାଗି ରହିବ, ଆଇଏସ୍‌ କିମ୍ବା ଅନ୍ୟ କୌଣସି ଜିହାଦୀ ସଂଗଠନର ପୁନଃ ଆବିର୍ଭାବ ପାଇଁ ତାହା ଏକ ପ୍ରକୃଷ୍ଟ କ୍ଷେତ୍ର ସୃଷ୍ଟି କରିବ। ତେଣୁ ଯେମିତି କୁହାଯାଇଥାଏ ‘‘ଦି କିଙ୍ଗ୍‌ ଇଜ୍‌ ଡେଡ୍‌ ଲଙ୍ଗ୍‌ ଲିଭ୍‌ ଦି କିଙ୍ଗ୍‌’’ (ରାଜାଙ୍କର ମୃତ୍ୟୁ ଘଟିଛି, ରାଜା ଦୀର୍ଘଜୀବୀ ହୁଅନ୍ତୁ) ସେଇଭଳି କୁହାଯାଇପାରେ କି ‘‘ଆଇଏସ୍‌ ମୃତ, ଆଇଏସ୍‌ ଦୀର୍ଘଜୀବୀ ହେଉ?’’