ପୋଡ଼ା ଭୂଇଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବସ୍ତୁତଃ ଭାରତରେ କରୋନା ବିରୋଧରେ ସର୍ବବ୍ୟାପୀ ସମ୍ମୁଖ-ସମରକୁ ପାଖାପାଖି ଆଉ ତିନି ସପ୍ତାହ ବଢ଼ାଇ ଦେଇଛନ୍ତି- ମେ’ ତିନି ତାରିଖ ପର୍ଯ୍ୟନ୍ତ। ଚୀନା କରୋନା ଭଳି ଏକ ଦ୍ରୁତ ସଂକ୍ରମଣଶୀଳ ଭୂତାଣୁ ସହିତ ସମ୍ମୁଖ-ଯୁଦ୍ଧର ଚରିତ୍ର କିନ୍ତୁ ହେଉଛି ସାଧାରଣ ସମ୍ମୁଖ ଯୁଦ୍ଧର ଠିକ୍ ବିପରୀତ। ଗତାନୁଗତିକ ଯୁଦ୍ଧରେ ସମ୍ମୁଖରେ ଥିବା ଶତ୍ରୁ ସହିତ ହାତାହାତି ଲଢ଼େଇକୁ ସମ୍ମୁଖ ଯୁଦ୍ଧ ଶ୍ରେଣୀଭୁକ୍ତ କରାଯାଉଥିବା ବେଳେ କରୋନା ସହିତ ଯୁଦ୍ଧରେ ସାରା ଦେଶକୁ ‘ଲକ୍-ଡାଉନ୍’ କରି ଘର ଭିତରେ ଲୁଚି ରହିବା ହିଁ ହେଉଛି ସମ୍ମୁଖ ସମର। ସାଧାରଣ ଯୁଦ୍ଧରେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟୁଥିବା ଭଳି ‘ଲକ୍‌-ଡାଉନ୍’ ଯୋଗୁଁ ସମ୍ପୃକ୍ତ ଦେଶ‌େର ଅର୍ଥନୀତିର ଘୋର କ୍ଷତି ଘଟିଥାଏ। କରୋନା ଆକ୍ରାନ୍ତ ଅଧିକାଂଶ ଦେଶରେ ଯେଉଁ କୁଢ଼ କୁଢ଼ ମଡ଼ା ସୃଷ୍ଟି ହେବାର ଦୃଶ୍ୟ ପ୍ରସାରିତ ହେଉଛି ତାହା ଯୁଦ୍ଧ କ୍ଷେତ୍ରର ଭ୍ରମ ସୃଷ୍ଟି କରିଥାଏ। ଅନ୍ୟ ଏକ ଦୃଷ୍ଟିରୁ ‘ଲକ୍-ଡାଉନ୍’ ଯୁଦ୍ଧ କୌଶଳକୁ ବେଳେ ବେଳେ ମାଡ଼ିଆସୁଥିବା ଶତ୍ରୁକୁ ପରାସ୍ତ କରିବା ପାଇଁ ଅନୁସୃତ ହେଉଥିବା ‘ପୋଡ଼ା-ଭୂଇଁ ନୀତି’ (‘ସ୍କର୍ଚଡ୍‌ ଆର୍ଥ ପଲିସି’) ସହିତ ତୁଳନା କରାଯାଇପାରେ, ଯାହା ନେପୋଲିଅନ୍‌ଙ୍କ ବିଶାଳ ସୈନ୍ୟ ବାହିନୀକୁ ଭୂଲୁଣ୍ଠିତ କରିବା ପାଇଁ ରୁଷିଆ ଅବଲମ୍ବନ କରିଥିଲା। ଶତ୍ରୁସେନା ପହଞ୍ଚିବା ପୂର୍ବରୁ ସେ ବାଟରେ ଥିବା ସମସ୍ତ ଗାଁ ଗଣ୍ଡା, ଶସ୍ୟକ୍ଷେତ୍ର ଆଦିକୁ ଜଳାଇ ପାଉଁଶ କରି ଦିଆଯାଉଥିଲା। ଶତ୍ରୁସେନା ତେଣୁ ଖାଇବାକୁ ନପାଇ ଭୋକ ଉପାସରେ ଟଳି ପଡ଼ିଲେ।

କରୋନା ଭୂତାଣୁ ଚୀନ୍‌ରୁ ଅତୀତରେ ଚେଙ୍ଗିଜ୍ ଖାନ୍ ବାହାରି ନରସଂହାର ରଚିଥିବା ଭଳି ଏବେ ବାକି ପୃଥିବୀରେ ଯେଉଁ ଭଳି ମାଡ଼ି ଚାଲିଛି, ତାକୁ ଅଟକାଇବାର ଏକମାତ୍ର ଉପାୟ ‘ଲକ୍-ଡାଉନ୍’ ହେଉଛି ଏହି ‘ପୋଡ଼ା ଭୂଇଁ ନୀତି’ ଭଳି। ନୂତନ ଶରୀରରୁ ଆହାର ସଂଗ୍ରହ କରି ନପାରିଲେ କରୋନା ଭୂତାଣୁର କ୍ରମେ ଅନ୍ତ ଘଟିବ। କିନ୍ତୁ ‘ପୋଡ଼ା ଭୂଇଁ ନୀତି’ ଅନୁସରଣ କରାଯିବା ଫଳରେ ଯେମିତି ସମ୍ପୃକ୍ତ ଦେଶର ଅର୍ଥନୀତି, ସମାଜ ଘୋର କ୍ଷତିଗ୍ରସ୍ତ ହୋଇଥାଏ, ‘ଲକ୍-ଡାଉନ୍’ ଯୋଗୁଁ ଦେଶର ଅର୍ଥନୀତି ମଧ୍ୟ ସେମିତି କ୍ଷତିର ସମ୍ମୁଖୀନ ହେବ। ଏଭଳି ସମୟରେ ଦେଶର ନାଗରିକମାନଙ୍କୁ ତ ଘୋର ଦୁଃଖ ଦୁର୍ଦ୍ଦଶାର ବୋଝ ବହନ କରିବାକୁ ହେବ, କିନ୍ତୁ ଦେଶର ସରକାରଙ୍କ ସହାୟତା ବିନା ସେମାନେ ସେ ବୋଝ ତଳେ ଚାପି ହୋଇ ଶେଷ ହୋଇଯାଇ ପାରନ୍ତି।

ଏହି ସମୟରେ ତେଣୁ ଯେ କୌଣସି ଦେଶରେ ଅନୁସୃତ କୌଣସି ନିର୍ଦ୍ଦିଷ୍ଟ ଅର୍ଥନୈତିକ ବ୍ୟବସ୍ଥା ଦ୍ବାରା ବାନ୍ଧି ହୋଇ ନରହି ସରକାର ଦେଶର ଅର୍ଥନୀତିରେ ଏକ ସର୍ବପ୍ରଧାନ, ସର୍ବବ୍ୟାପୀ ଭୂମିକା ନିର୍ବାହ କରିବାକୁ ଆଗେଇ ଆସିବା ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ପୂର୍ବରୁ ସରକାରଙ୍କର ଅର୍ଥନୀତିରେ ହସ୍ତକ୍ଷେପକୁ ଯେତେ ସନ୍ଦେହ ଦୃଷ୍ଟିରେ ଦେଖାଯାଉଥିଲେ ହେଁ, ‘ପୋଡ଼ା ଭୂଇଁ’ କୌଶଳର ସଫଳ ପ୍ରୟୋଗ ପାଇଁ ସରକାରଙ୍କୁ ଅର୍ଥନୀତିର ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରିବାକୁ ହିଁ ପଡ଼ିବ। କେବଳ କାମଧନ୍ଦା ଛାଡ଼ି, ଦୈନିକ ରୋଜଗାର ହରାଇ ଘରେ ବନ୍ଦ ହୋଇ ରହିଥିବା ଦୁର୍ବଳ ଶ୍ରେଣୀର‌ ଲୋକମାନଙ୍କୁ ବଞ୍ଚାଇ ରଖିବା ଦାୟିତ୍ବ ଯେ ସରକାରଙ୍କର, ତାହା ନୁହେଁ, ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଅଭୂତପୂର୍ବ ସ୍ଥାଣୁତାର ଶିକାର ‌େହାଇଥିବା ଉଦ୍ୟୋଗମାନଙ୍କରେ ନୂତନ ପ୍ରାଣ ସଞ୍ଚାର କରିବା ଦାୟିତ୍ବ ମଧ୍ୟ ସରକାରଙ୍କର। ଇତିହାସ ସାରା ଦେଖାଯାଇଛି, ଯେତେବେଳେ ଦୀର୍ଘ ଯୁଦ୍ଧ ଆଦି ଯୋଗୁଁ ସ୍ଥିତାବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଯାଏ, ତା’ର ପରବର୍ତ୍ତୀ ସମୟରେ ସରକାରଙ୍କ ଦାୟିତ୍ବ ଓ କ୍ଷମତାରେ ବ୍ୟାପକ ବୃଦ୍ଧି ଘଟେ ଏବଂ ତାହା ଅଧିକରୁ ଅଧିକ କେନ୍ଦ୍ରୀଭୂତ ହୋଇଯାଏ, ଯାହା ପରବର୍ତ୍ତୀ ସମୟରେ ଆଉ ତଳକୁ ଖସେ ନାହିଁ। ଏକ କଳର ଦାନ୍ତି ଦ୍ବାରା ଉପରକୁ ଉଠିବା ଭଳି ଏହି ପ୍ରକ୍ରିୟାକୁ ତେଣୁ ଅର୍ଥଶାସ୍ତ୍ରରେ କୁହାଯାଇଥାଏ: ‘ରୢ‌ାଚେଟ୍ ଇଫେକ୍‌ଟ’। ବିଂଶ ଶତାବ୍ଦୀର ଦୁଇ ବ୍ରିଟିସ୍ ଅର୍ଥନୀତିଜ୍ଞ, ଆଲାନ୍ ପିକକ୍ ଓ ଜ୍ୟାକ୍ ୱାଇଜ୍‌ମ୍ୟାନ୍ ପ୍ରଥମେ ଯୁଦ୍ଧ ଭଳି କୌଣସି ସଂକଟ ସମୟରେ ସରକାରୀ ଦାୟିତ୍ବ ଓ ଖର୍ଚ୍ଚରେ ଘଟୁଥିବା ପ୍ରାୟ ସ୍ଥାୟୀ ବୃଦ୍ଧି ପ୍ରତି ଦୃଷ୍ଟି ଆକର୍ଷଣ କରି ‘ରୢ‌ାଚେଟ୍ ଇଫେକ୍‌ଟ’ର ଉପସ୍ଥିତି ସମ୍ବନ୍ଧରେ ସୂଚନା ଦେଇଥିଲେ। ଯେଉଁ ତିନିଟି ପାହାଚ ଦେଇ ସରକାରୀ ପ୍ରଭାବରେ ଏଭଳି ବୃଦ୍ଧି ଘଟିଥାଏ, ସେମାନେ ତାହାକୁ ଚିହ୍ନଟ କରିଥିଲେ: ‘ଅସ୍ଥିରତା ପ୍ରଭାବ’ (‘ଡିସ୍‌ପ୍ଲେସ୍‌ମେଣ୍ଟ୍ ଇଫେକ୍‌ଟ’), ‘ନିରୀକ୍ଷଣ ପ୍ରଭାବ’ (‘ଇନ୍‌‌ସପେକ୍‌ସନ୍‌ ଇଫେକ୍‌ଟ’) ଏବଂ ‘କେନ୍ଦ୍ରୀକରଣ ପ୍ରଭାବ’ (‘କନ୍‌ସେଣ୍ଟ୍ରେସନ୍ ଇଫେକ୍‌ଟ’)।
ବର୍ତ୍ତମାନ ଆମେ ସମ୍ମୁଖୀନ ହୋଇଥିବା ବାସ୍ତବ ପରିପ୍ରେକ୍ଷୀରେ ଦେଖିଲେ କୁହାଯାଇପାରେ, ଚୀନା କରୋନା ଭୂତାଣୁର ଅନୁପ୍ରବେଶ ଦେଶରେ ଘୋର ଅସ୍ଥିରତା ସୃଷ୍ଟି କରିଛି ବା ସ୍ଥିତାବସ୍ଥାକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଦେଇଛି; ଜନସାଧାରଣଙ୍କଠାରୁ ଆରମ୍ଭ କରି ନୀତିନିର୍ଦ୍ଧାରକମାନଙ୍କ ପର୍ଯ୍ୟନ୍ତ ଏହି ଅସ୍ଥିର ଅବସ୍ଥାର ନିରୀକ୍ଷଣ କରି ସରକାରୀ ହସ୍ତକ୍ଷେପ ଛଡ଼ା ଅନ୍ୟ ଉପାୟ ନାହିଁ ବୋଲି ସିଦ୍ଧାନ୍ତରେ ପହଞ୍ଚୁଛନ୍ତି: ଅତଏବ ସରକାରଙ୍କର ଖର୍ଚ୍ଚ, ଦାୟିତ୍ବ ଓ କ୍ଷମତା ଅଧିକ କେନ୍ଦ୍ରୀଭୂତ ହେବାରେ ଲାଗିଛି ଏବଂ ଅର୍ଥନୀତିର ଅଧିକ ଅଂଶ ସରକାରୀ ନିୟନ୍ତ୍ରଣକୁ ଚାଲିଯାଉଛି।

ଭାରତରେ ଆମେ ବର୍ତ୍ତମାନ ଏହି ପ୍ରକ୍ରିୟା ମଧ୍ୟ ଦେଇ ଗତି କରୁଛୁ। ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ସରକାର ଅଭାବୀ ଜନତାଙ୍କ ପାଖରେ ଅତ୍ୟାବଶ୍ୟକ ଦ୍ରବ୍ୟ ପହଞ୍ଚାଇବାରୁ ଆରମ୍ଭ କରି କେନ୍ଦ୍ରୀୟ ବ୍ୟାଙ୍କ୍‌ ମାଧ୍ୟମରେ ଅର୍ଥନୀତିରେ ଅଧିକ ଓ ଶସ୍ତା ପୁଞ୍ଜି ଭର୍ତ୍ତି କରିବା ପର୍ଯ୍ୟନ୍ତ; ସରକାର କରୋନାର ଚିକିତ୍ସା ଓ ପ୍ରତିରୋଧର ସମ୍ପୂର୍ଣ୍ଣ ଦାୟିତ୍ବ ନିଜେ ବହନ କରିବାଠାରୁ ସମଗ୍ର ଦେଶବାସୀଙ୍କର ଦୈନନ୍ଦିନ ଜୀବନଯାତ୍ରାର ପ୍ରତ୍ୟକ୍ଷ ନିୟନ୍ତ୍ରଣ ପର୍ଯ୍ୟନ୍ତ ଏହି ପ୍ରକ୍ରିୟାର ସ୍ବାକ୍ଷର ବହନ କରିଥାଏ। ଅଦୂର ଭବିଷ୍ୟତରେ ଯେତେବେଳେ ଏହି ସଂକଟର ଅବସାନ ଘଟିବ, ସରକାର ଯେ ଆଉ ପୂର୍ବ ସ୍ତରକୁ ଫେରିଯିବ ନାହିଁ, ତାହା ନିଶ୍ଚିତ। କରୋନାରୁ ଶିକ୍ଷାଲାଭ କଲା ପରେ ଭବିଷ୍ୟତରେ ସରକାରଙ୍କୁ ସ୍ବାସ୍ଥ୍ୟ, ଶିକ୍ଷା, ନିଯୁକ୍ତି, ଶିଳ୍ପ, ବାଣିଜ୍ୟ ଆଦି କ୍ଷେତ୍ରରେ ଯେଉଁ ପ୍ରତ୍ୟକ୍ଷ ଦାୟିତ୍ବ ବହନ କରିବାକୁ ପଡ଼ିବ, ତାହା ହେଉଛି ‘ପୋଡ଼ା ଭୂଇଁ ନୀତି’ର ଅନିବାର୍ଯ୍ୟ ପାର୍ଶ୍ବଫଳ। ସରକାରଙ୍କୁ ସେଥିପାଇଁ ପ୍ରସ୍ତୁତ ରହିବାକୁ ହେବ ଓ ଦେଶବାସୀଙ୍କୁ ତାହା ଗ୍ରହଣ କରିବାକୁ ହେବ।

ସମ୍ବନ୍ଧିତ ଖବର