କୋହିନୁର ହୀରା

ଉନ୍ନାଓ, କଠୁଆ ଧର୍ଷଣ ଘଟଣାମାନ ସହ ହୀରା ବେପାରୀ ନିରବ ମୋଦୀଙ୍କର ସମ୍ପର୍କ କ’ଣ? ଏଭଳି ଏକ ପ୍ରଶ୍ନର ଉତ୍ତର ହୋଇପାରେ, ଏହି ଘଟଣାମାନ ପଳାତକ ନିରବ ମୋଦୀଙ୍କୁ ଦେଶକୁ ଫେରାଇ ଆଣି ପାରନ୍ତି। ଅବଶ୍ୟ ଏ ଜଘନ୍ୟ ଧର୍ଷଣ, ହତ୍ୟା ଆଦି ଅପରାଧମାନ ସହିତ ନିରବ ମୋଦୀଙ୍କର କୌଣସି ସମ୍ପର୍କ ନାହିଁ; ତେଣୁ ନା ଅଭିଯୁକ୍ତ ଭାବରେ, ନା ସାକ୍ଷୀ ଭାବରେ, ନା ଅନୁସନ୍ଧାନରେ ଅନ୍ୟ କୌଣସି ପ୍ରକାରେ ସାହାଯ୍ୟ କରିବା ପାଇଁ ନିରବ ମୋଦୀ ଦେଶକୁ ଫେରି ଆସିବେ। ଫେରିଆସିବେ ବୋଲି କହିବା ମଧ୍ୟ ଠିକ ହେବ ନାହିଁ, ବାସ୍ତବରେ ତାଙ୍କୁ ଫେରାଇ ଅଣାଯିବ। ଆଉ ତାଙ୍କୁ ଫେରାଇ ଆଣିବାକୁ ଯିଏ ଆପ୍ରାଣ ଉଦ୍ୟମ କରିବେ, ସେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ତା’ର ସରଳ କାରଣ ହେଲା ନରେନ୍ଦ୍ର ମୋଦୀ ସରକାର ବିଗତ ଚାରିବର୍ଷର ଶାସନ କାଳ ମଧ୍ୟରେ ବର୍ତ୍ତମାନ ଜନମାନସରେ ଯେଉଁଭଳି ବିଶ୍ୱସନୀୟତା ହରାଇ ବସିଛି, ସେପରି ପୂର୍ବରୁ କେବେ ଘଟି ନାହିଁ। ବର୍ବର ଧର୍ଷଣ କିଭଳି ଏକ ଦେଶବ୍ୟାପୀ ଆବେଗିକ ଜୁଆର ସୃଷ୍ଟି କରିପାରେ, ତାହାର ପ୍ରଥମ ଉଦାହରଣ ଦେଖିବାକୁ ମିଳିଥିଲା ୨୦୧୨ରେ ଦିଲ୍ଲୀରେ ଘଟିଥିବା ନିର୍ଭୟା ଧର୍ଷଣ ଓ ହତ୍ୟା ଘଟଣା ପରେ। କେବଳ ବିଭିନ୍ନ ଆର୍ଥିକ ଦୁର୍ନୀତି କେଳେଙ୍କାରୀ ନୁହେଁ, ଏହି ବର୍ବର ଘଟଣା ମଧ୍ୟ ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ‘ଉପା’ ସରକାରର ଭାବମୂର୍ତ୍ତିକୁ ମଧ୍ୟ ବେଶ୍‌ ଚେପା କରିଦେଇଥିଲା ଓ ଚତୁର ରାଜନେତା ନରେନ୍ଦ୍ର ମୋଦୀ ଏହା ଭଲ ରୂପେ ଜାଣିଥିବେ। ବର୍ତ୍ତମାନ କେବଳ ଉନ୍ନାଓ କିମ୍ବା କଠୁଆ ନୁହେଁ (ଏହାକୁ ତ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ କଡ଼ା ନିନ୍ଦା କରି ସାରିଲେଣି), ସୁରତରୁ ଗ୍ରେଟର୍‌ ନଇଡ଼ା, ପାଟନା, ବାଲେଶ୍ୱର ପର୍ଯ୍ୟନ୍ତରେ ଅନୁରୂପ ଘଟଣାମାନ ଘଟି ଦେଶବାସୀଙ୍କ ମନରେ ଏକ ଧର୍ଷଣ, ବିଶେଷକରି ନାବାଳିକା ଧର୍ଷଣ ମହାମାରୀର ଆତଙ୍କ ସୃଷ୍ଟି କରିଲାଣି ଯେମିତି ସ୍ୱାଇନ୍‌ ଫ୍ଲୁ କିମ୍ବା ବାର୍ଡ ଫ୍ଲୁ କିମ୍ବା ଡେଙ୍ଗୁ ଆଦି କରିଥାନ୍ତି। ଏ ସବୁ ନରେନ୍ଦ୍ର ମୋଦୀଙ୍କର ବହୁପ୍ରଚାରିତ ‘ବେଟୀ ପଢ଼ାଓ, ବେଟୀ ବଚାଓ’ ସ୍ଲୋଗାନ୍‌କୁ କେବଳ ଏକ ଫମ୍ପା ସ୍ଲୋଗାନ୍‌ ରୂପେ ସାବ୍ୟସ୍ତ କରିଛି।

ଏଥି ମଧ୍ୟରୁ ଅଧିକାଂଶ ଘଟଣା ଭାରତୀୟ ଜନତା ପାର୍ଟି ଶାସିତ ରାଜ୍ୟମାନଙ୍କରେ ଘଟିଥିବାରୁ ଏବଂ ନରେନ୍ଦ୍ର ମୋଦୀ ନିଜକୁ ଦଳର ଏକାଙ୍ଗ ଚକ୍ରବର୍ତ୍ତୀରେ ପରିଣତ କରିଥିବାରୁ ଏ ସମସ୍ତ ନାରୀ-ବିରୋଧୀ କାଣ୍ଡକୁ ମୋଦୀଙ୍କର ବ୍ୟକ୍ତିଗତ ବିଫଳତା ରୂପେ ବିଚାର କରାଯାଉଛି। ୨୦୧୯ ନିର୍ବାଚନ ପୂର୍ବରୁ ମୋଦୀଙ୍କର ଭାବମୂର୍ତ୍ତିରେ ଏଭଳି ସ୍ଖଳନ ଯେ ଉଭୟ ଭାଜପା ଏବଂ ନରେନ୍ଦ୍ର ମୋଦୀଙ୍କୁ ବିବ୍ରତ କରି ତୋଳୁଥିବ, ଏଥିରେ କୌଣସି ସନ୍ଦେହ ନାହିଁ। ସେମାନଙ୍କ ପାଇଁ ଏଥିରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେବ ଏହି ବିଷାଦଜନକ ପ୍ରସଙ୍ଗରୁ ଲୋକଙ୍କର ଧ୍ୟାନ ହଟାଇବା। ଏହା ସମ୍ଭବ ହେବ କେବଳ ଯଦି ଅନ୍ୟ କୌଣସି ଚାଞ୍ଚଲ୍ୟକର ପ୍ରସଙ୍ଗରେ ଏକ ଚମତ୍କାର ସଫଳତା ହାସଲ କରି ସେଥିପ୍ରତି ଲୋକମାନଙ୍କ ଧ୍ୟାନ ଆକର୍ଷଣ କରାଯାଏ।

ଆଉ ଏଥିପାଇଁ ଏକମାତ୍ର ସମ୍ଭାବନା ହେଉଛନ୍ତି ନିରବ ମୋଦୀ। ଉନ୍ନାଓ, କଠୁଆ ଘଟଣାମାନ ପୂର୍ବରୁ ମୋଦୀଙ୍କ ଭାବମୂର୍ତ୍ତିର ଆଉ ଏକ ବହୁ ଘୋଷିତ ଦିଗ ପ୍ରତି ଯିଏ ଦାରୁଣ ଧକ୍କା ଦେଇଥିଲେ, ସେ ହେଉଛନ୍ତି ଏହି ଅନ୍ୟ ମୋଦୀ ସାଙ୍ଗିଆଧାରୀ ଜଣକ। ଦେଶର ଧନ ସମ୍ପତ୍ତିକୁ ଜଣେ ସଦା ଜାଗ୍ରତ ଚୌକିଦାର ରୂପେ ଜଗି ରହିବାକୁ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ମଧ୍ୟ ଆଉ ଏକ ଫମ୍ପା ସ୍ଲୋଗାନ୍‌ରେ ପରିଣତ କରି ଏକ ସରକାରୀ ବ୍ୟାଙ୍କ୍‌ର ପ୍ରାୟ ୧୩,୦୦୦ କୋଟି ଟଙ୍କା ଠକି ନେଇ ସପରିବାର ଦେଶଛାଡ଼ି ପଳାଇଥିବା ନିରବ ମୋଦୀ ଏଯାଏଁ ବିଦେଶରେ ଅଛନ୍ତି। ଯେତେବେଳେ ନିରବ ମୋଦୀଙ୍କର ଠକେଇ ଓ ପଳାୟନ ଖବର ପ୍ରଥମ କରି ପ୍ରକାଶ ପାଇଲା, ସାରା ଦେଶର ମିଳିତ ଧ୍ୟାନ ଯେଉଁଭଳି କେବଳ ଏହି ଚାଞ୍ଚଲ୍ୟକର ଘଟଣା ଉପରେ ନିବଦ୍ଧ ହୋଇଥିଲା, ଦେଶବାସୀ ସେହିପରି ଆଉ ସବୁ କଥା ଭୁଲି କେବଳ ଗୋଟିଏ ଘଟଣା ଉପରେ ଦୃଷ୍ଟିନିବଦ୍ଧ କରିବେ ଯଦି କେବେ ନିରବ ମୋଦୀଙ୍କୁ ସରକାର ସଶରୀରେ ଦେଶକୁ ଫେରାଇ ଆଣିପାରନ୍ତି। ତେଣୁ ନରେନ୍ଦ୍ର ମୋଦୀଙ୍କ ପାଇଁ ଉନ୍ନଓ, କଠୁଆଜନିତ ଭାବମୂର୍ତ୍ତି କ୍ଷତି ଭରଣା କରିବାର ଏକ ନିଶ୍ଚିତ ସମ୍ଭାବନା ଯାହା ବହନ କରୁଛି, ତାହା ହେଲା କଳେ ବଳେ କୌଶଳେ ନିରବ ମୋଦୀଙ୍କୁ ବିଦେଶରୁ ଦେଶକୁ ଘୋଷାରି ଆଣିବା।

ପାଣିପାଗରୁ ଯାହା ସୁରାକ୍‌ ମିଳୁଛି, ନରେନ୍ଦ୍ର ମୋଦୀ ବୋଧହୁଏ ନିକଟ ଭବିଷ୍ୟତ୍‌ରେ ଏହି କୌଶଳ ଅବଲମ୍ବନ କରିବାକୁ ଯାଉଛନ୍ତି। ନିରବ ମୋଦୀ ବର୍ତ୍ତମାନ ହଂକଂରେ ଲୁଚି ରହିଥିବା ଜଣାପଡ଼ିଛି। ହଂକଂ ହେଉଛି ଚୀନ୍‌ର ଏକ ଅଂଶ କିନ୍ତୁ ବ୍ରିଟେନ୍‌ ତା’ର ଏହି ଉପନିବେଶକୁ ଚୀନ୍‌କୁ ହସ୍ତାନ୍ତର କରିବା ସମୟରେ ହୋଇଥିବା ଚୁକ୍ତି ଅନୁସାରେ ବର୍ତ୍ତମାନ ପାଇଁ ହଂକଂ ଏକ ସ୍ୱୟଂଶାସିତ ଅଞ୍ଚଳ ରୂପେ କାର୍ଯ୍ୟ କରୁଛି ଯାହା ଚୀନ୍‌ର ବର୍ଣ୍ଣନା ଅନୁସାରେ ହେଉଛି ଗୋଟିଏ ରାଷ୍ଟ୍ର, ଦୁଇଟି ବ୍ୟବସ୍ଥା। ନିରବ ମୋଦୀଙ୍କୁ ଫେରାଇ ଦେବା ପାଇଁ ଭାରତ କରିଥିବା ଅନୁରୋଧର ଉତ୍ତରରେ ଚୀନ୍‌ ଔପଚାରିକ ଭାବରେ ଏହାକୁ ହଂକଂ ସରକାରଙ୍କ ଉପରେ ଛାଡ଼ି ଦେଇଥିଲେ ହେଁ, ବାସ୍ତବରେ ଚୀନ୍‌ ନ ଚାହିଁଲେ ହଂକଂ କୌଣସି ନିଷ୍ପତ୍ତି ନେଇ ପାରିବ ନାହିଁ।

ଏହି ପରିପ୍ରେକ୍ଷୀରେ ମିଳୁଥିବା ସୁରାକ୍‌ ଅନୁସାରେ ଚଳିତ ମାସ ଶେଷ ଆଡ଼କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚୀନ୍‌କୁ ଏକ ଦ୍ୱିପାକ୍ଷିକ ଗସ୍ତରେ ଯିବାର ଦୃଢ଼ ସମ୍ଭାବନା ବେଶ୍‌ ତାତ୍ପର୍ଯ୍ୟ ବହନ କରିଥାଏ। ଏମିତିରେ ମୋଦୀ ଜୁନ୍‌ରେ ‘ସାଂଘାଇ କୋଅପରେସନ୍‌ ଅର୍ଗାନାଇଜେସନ୍‌’ ଶୀର୍ଷ ସମ୍ମିଳନୀରେ ଯୋଗଦେଇ ଏକ ବହୁପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ଚୀନ୍‌ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏବେ ହଠାତ୍‌ ଏକ ଦ୍ୱିପାକ୍ଷିକ ଗସ୍ତରେ ଚୀନ୍‌ ଯିବାକୁ ବାହାରିବା କୌଣସି ଏକ ଜରୁରୀ ଆବଶ୍ୟକତାର ସୂଚନା ଦେଇଥାଏ। ଯଦି ତାହା ହୁଏ ତେବେ ରକ୍ଷାମନ୍ତ୍ରୀ ନିର୍ମଳା ସୀତାରମନ୍‌ ଓ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଚୀନ୍‌ ଗସ୍ତର ଠିକ୍‌ ପରେ ପରେ ତାଙ୍କର ଏହି ଗସ୍ତ ସଂଘଟିତ ହେବ। ଏଥିପୂର୍ବରୁ ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ୍‌ ଡୋଭାଲ ଗୋପନରେ ଚୀନ୍‌ ଗସ୍ତ କରିଥିବା କଥା ଏପ୍ରିଲ୍‌ ୧୩ ତାରିଖରେ ପ୍ରକାଶ ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ଦ୍ୱିପାକ୍ଷିକ ଆଲୋଚନାରେ ଯେଉଁ ସବୁ ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ଅନୁମାନ କରାଯାଉଛି ସେଥିମଧ୍ୟରେ ରହିଛି ଭାରତରେ ଚୀନ୍‌ ଦ୍ୱାରା ଅଧିକ ପୁଞ୍ଜିନିବେଶ, ‘ଆଣବିକ ଯୋଗାଣ ଗୋଷ୍ଠୀ’ (ଏନ୍‌ଏସ୍‌ଜି) ରେ ଭାରତର ସଦସ୍ୟତା ପ୍ରତି ଚୀନ୍‌ ସୃଷ୍ଟି କରୁଥିବା ପ୍ରତିବନ୍ଧ ଦୂରୀକରଣ ଓ ଚୀନ୍‌ ରାଷ୍ଟ୍ରପତିଙ୍କର ପ୍ରିୟ ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ (ବିଆର୍‌ଆଇ)ରେ ପ୍ରବେଶ ପାଇଁ ଭାରତର ପୁନର୍ବିଚାର ଆଦି। କିନ୍ତୁ ‘ବିଆର୍‌ଆଇ’ରେ ଅଂଶଗ୍ରହଣ ପାଇଁ ଭାରତ ରାଜି ହେବା ବଦଳରେ ନରେନ୍ଦ୍ର ମୋଦୀ ଯଦି ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଉପରେ ନିରବ ମୋଦୀକୁ ଭାରତ ହାତରେ ଟେକି ଦେବା ପାଇଁ ଚାପ ପକାନ୍ତି, ଏଥିରେ କେହି ଆଶ୍ଚର୍ଯ୍ୟ ହେବାର ନାହିଁ। ଆଉ ନରେନ୍ଦ୍ର ମୋଦୀ ଯଦି ଏଥିରେ ସଫଳ ହୋଇ ହୀରା ବ୍ୟବସାୟୀ ନିରବ ମୋଦୀଙ୍କୁ ଭାରତକୁ ଫେରାଇ ଆଣିପାରନ୍ତି, ତାହା ତାଙ୍କ ପାଇଁ କୋହିନୁର ହୀରାକୁ ଦେଶକୁ ଫେରାଇ ଆଣିବା ଭଳି ହେବ।

ସମ୍ବନ୍ଧିତ ଖବର