ଯଃ ପଳାୟତି

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଏହି ଓଡ଼ିଆ ଢଗ ସହିତ ଆଦୌ ପରିଚିତ ନଥିବେ: ‘‘ଇଡିଗଲା ପାଣି ଆଉ ହୁଡ଼ିଗଲା କଥା କେବେ ଲେଉଟାଇ ଆଣି ହୁଏ ନାହିଁ।’’ କିନ୍ତୁ ଯଦି ସେ ଏ ଢଗଟିକୁ ଜାଣିଥାନ୍ତେ, ଏହା ଯେ ନିଷ୍ଠୁର ଭାବରେ କେତେ ସତ, ତାହା ତାଙ୍କଠାରୁ ଆଉ ଅଧିକ ଭଲ ଭାବରେ କେହି ଅନୁଭବ କରନ୍ତା ନାହିଁ। ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ସମୟରୁ ରାହୁଲ ହଠାତ୍‌ ନିଜକୁ ଜଣେ ଶିବଭକ୍ତ ହିନ୍ଦୁ ବ୍ରାହ୍ମଣ ରୂପେ ପ୍ରଦର୍ଶିତ କରିବାକୁ ଆପ୍ରାଣ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ପୂର୍ବରୁ ସଂଖ୍ୟାଲଘୁ ତୁଷ୍ଟୀକରଣକାରୀ ରୂପେ ତାଙ୍କର ଓ ତାଙ୍କ ଦଳର ପରିଚୟରେ ପରିବର୍ତ୍ତନ ଆଣି ହିନ୍ଦୁ ମତଦାତାମାନଙ୍କୁ ଆକର୍ଷିତ କରିବାରେ ଏହା ସାହାଯ୍ୟ କରିବ ବୋଲି କେହି ତାଙ୍କୁ ବୁଝାଇ ଦେଇଛି। ସେ ତେଣୁ ବାସ୍ତବରେ ଆଦୌ ଜଣେ ହିନ୍ଦୁ ନହୋଇଥିଲେ ହେଁ, ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିର ସମେତ କୋଡ଼ି କୋଡ଼ି ଅନ୍ୟାନ୍ୟ ହିନ୍ଦୁ ମନ୍ଦିରକୁ ଯାଇ ସେ ପୂଜା ଅର୍ଚ୍ଚନା କରିବା ଦେଖା ଯାଇଥିଲା। ତାଙ୍କର ମାତା ସୋନିଆ ଗାନ୍ଧୀ ମଧ୍ୟ ଏହା ରାହୁଲଙ୍କର ଏକ ନୂତନ ନିର୍ବାଚନୀ ରଣକୌଶଳ ବୋଲି କେତେ ଦିନ ତଳେ ଏକ ଟେଲିଭିଜନ୍‌ ଚାନେଲ୍‌ ଦ୍ୱାରା ଆୟୋଜିତ ଆଲୋଚନାଚକ୍ରରେ ଅଂଶ ଗ୍ରହଣ କରିବା ଅବସରରେ ସ୍ୱୀକାର କରିଥିଲେ। ସେଇ ଧାରାକୁ ଅବ୍ୟାହତ ରଖି ରାହୁଲ ଏବେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନର ଠିକ ପୂର୍ବରୁ ବୁଲି ବୁଲି ହିନ୍ଦୁ ମଠ ମନ୍ଦିରରେ ପ୍ରବେଶ କରିବା ଦେଖାଯାଉଛି। ଠିକ ଏକ ଚାବିଦିଆ କଣ୍ଢେଇ ଭଳି ସେ ତାଙ୍କର ଗୁଜରାଟ ଅଭିଯାନର ପୁନରାବୃତ୍ତି କର୍ଣ୍ଣାଟକରେ କରୁଥିବା ବେଳେ ସୋମବାର ଦିନ ହାଇଦରାବାଦ ସ୍ଥିତ ଏନ୍‌ଆଇଏ କୋର୍ଟ ପ୍ରଦାନ କରିଥିବା ଏକ ରାୟ ଉଭୟ ସଭାପତି ରାହୁଲ ଓ କଂଗ୍ରେସ ଦଳକୁ ଘୋର ଅସ୍ୱସ୍ତିରେ ପକାଇ ଦେଇଛି। ଏହି ରାୟ ଦେଇ ମାନ୍ୟବର କୋର୍ଟ ୨୦୦୭ର ମକ୍କା ମସଜିଦ୍‌ ବିସ୍ଫୋରଣରେ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦ ସମେତ ପାଞ୍ଚଜଣ ଯାକ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ କରି ଦେଇଛନ୍ତି। ପାଞ୍ଚଜଣ ଯାକ ଅବଶ୍ୟ ହେଉଛନ୍ତି ହିନ୍ଦୁ, ଯେଉଁ କାରଣରୁ ସୁଶୀଲ ସିନ୍ଦେରୁ ଆରମ୍ଭ କରି ଦିଗ୍‌ବିଜୟ ସିଂହ, ପି ଚିଦମ୍ବରମ୍‌ ଓ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ଛାମୁଆଁ କଂଗ୍ରେସ ନେତାମାନେ ଦେଶରେ ହିନ୍ଦୁ ଆତଙ୍କ କାୟା ବିସ୍ତାର କଲାଣି ବୋଲି ସତର୍କବାଣୀ ଶୁଣାଇ ଚାଲିଥିଲେ। ୨୦୧୩ରେ ଜୟପୁର ଠାରେ ଅନୁଷ୍ଠିତ କଂଗ୍ରେସର ଏକ ଚିନ୍ତନ ବୈଠକରେ ଭାଗ ନେଇ ତତ୍କାଳୀନ ଗୃହମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ ଖୋଲାଖୋଲି ଅଭିଯୋଗ କରିଥିଲେ ଯେ ଭାରତୀୟ ଜନତା ପାର୍ଟି ଓ ଆର୍‌ଏସ୍‌ଏସ୍‌ ଆତଙ୍କବାଦ ତାଲିମ ଶିବିର ମାନ ଆୟୋଜନ କରିବା ଖବର ସେ ପାଉଛନ୍ତି ଏବଂ ମକ୍କା ମସ୍‌ଜିଦ୍‌, ସମଝୌତା ଏକ୍ସପ୍ରେସ୍‌ ଓ ମାଲେଗାଓଁ ବିସ୍ଫୋରଣ ମାନ ଘଟାଇବା ପାଇଁ ବୋମା ଖଞ୍ଜା ଯାଇଥିଲା। ସେ ଏହାକୁ ‘ଗୈରିକ ଆତଙ୍କବାଦ’ ରୂପେ ଅଭିହିତ କରିଥିଲେ। ସେଇ ବୈଠକରେ ହିଁ ଏହାର ଠିକ ଦିନକ ପୂର୍ବରୁ ରାହୁଲ ଗାନ୍ଧୀ ଦଳର ଉପସଭାପତି ରୂପେ ଅଭିଷିକ୍ତ ହୋଇଥିଲେ। ସିନ୍ଦେଙ୍କ ପୂର୍ବରୁ ତାଙ୍କର ପୂର୍ବବର୍ତ୍ତୀ ଗୃହମନ୍ତ୍ରୀ ପି. ଚିଦମ୍ବରମ୍‌ ମଧ୍ୟ ‘ଗୈରିକ ଆତଙ୍କବାଦ’ ତତ୍ତ୍ୱର ପ୍ରଚାର ଘଟାଇ ଚାଲିଥିଲେ। ସିନ୍ଦେ କିନ୍ତୁ ପ୍ରଥମ କରି ସିଧାସଳଖ ଏହାକୁ ଭାଜପା ସହିତ ସଂଯୁକ୍ତ କରିଥିଲେ। ନିକଟ ଅତୀତରେ ତତ୍କାଳୀନ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ଆର୍‌ ଭି ଏସ୍‌ ମଣି ଦେଶବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ ଯେତେବେଳେ ସେ ପ୍ରକାଶ କରିଥିଲେ ଇସରତ୍‌ ଜହାନ୍‌ ମାମଲାରେ ଏକ ପରିବର୍ତ୍ତିତ ଦ୍ୱିତୀୟ ସତ୍ୟପାଠ ଦାଖଲ କରିବାକୁ ତତ୍କାଳୀନ ଗୃହମନ୍ତ୍ରୀ ଚିଦମ୍ବରମ୍‌ ତାଙ୍କ ଉପରେ କିଭଳି ଚାପ ପକାଇଥିଲେ। ଏହା ଯଦି ତଥାକଥିତ ‘ଗୈରିକ ଆତଙ୍କ’କୁ କଂଗ୍ରେସ ନେତାମାନଙ୍କ ଦ୍ୱାରା ହିନ୍ଦୁମାନଙ୍କ ବିରୁଦ୍ଧରେ ରଚିତ ଏକ ଚକ୍ରାନ୍ତ ରୂପେ ପ୍ରଦର୍ଶିତ କରିଥିଲା, ଅଦାଲତରେ ଏ ମାମଲା ମାନଙ୍କର ଭାଗ୍ୟ ମଧ୍ୟ କଂଗ୍ରେସର ଏହି ହିନ୍ଦୁ ବିରୋଧୀ କୁଚକ୍ର ପ୍ରତି ସନ୍ଦେହକୁ ଆହୁରି ଦୃଢ଼ୀଭୂତ କରିଛି। ଏକ ଅଦାଲତ ୨୦୦୮ର ମାଲେଗାଓଁ ବିସ୍ଫୋରଣ ମାମଲାରେ କର୍ଣ୍ଣେଲ ଏସ୍‌ କେ ପୁରୋହିତ ଓ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ଲଗା ଯାଇଥିବା କଠୋର ମହାରାଷ୍ଟ୍ର ଆଇନ ‘ଏମ୍‌କୋକା’ ଅନ୍ତର୍ଗତ ଦଫା ସବୁକୁ ରଦ୍ଦ କରି ଦେଇଛନ୍ତି। ସେ ଦୁଇ ଜଣ ଦୀର୍ଘକାଳ ଜେଲ୍‌ରେ ରହି ଅକଥନୀୟ ଯନ୍ତ୍ରଣା ଭୋଗିବା ପରେ ବର୍ତ୍ତମାନ ଜାମିନରେ ମୁକୁଳିଛନ୍ତି। ମାଲେଗାଓଁ ଓ ମକ୍କା ମସଜିଦ୍‌ ମାମଲାରେ ଏନ୍‌ଆଇଏ ଅଦାଲତରେ ଦାଖଲ କରିଥିବା ହିନ୍ଦୁ ଆତଙ୍କବାଦ ଅଭିଯୋଗ ମାମଲାମାନ ଭୁଶୁଡ଼ି ପଡ଼ିଛି।

ଉପରୋକ୍ତ ‘ହିନ୍ଦୁ ଆତଙ୍କ’ କାହାଣୀ ରଚୟିତାମାନଙ୍କ ମଧ୍ୟରୁ ସୁଶୀଲ୍‌ ସିନ୍ଦେ ଓ ସଲ୍‌ମାନ୍‌ ଖୁର୍ସିଦ୍‌ ବର୍ତ୍ତମାନ ପ୍ରାୟ ବିସ୍ମୃତି ଗର୍ଭରେ, ଦିଗ୍‌ବିଜୟ ସିଂହ ତାଙ୍କର ନବ ବିବାହିତା ପତ୍ନୀଙ୍କ ସହିତ ନର୍ମଦା ପରିକ୍ରମା ସମାପ୍ତ କରୁଛନ୍ତି, ପି ଚିଦମ୍ବରମ୍‌ ତାଙ୍କ ପୁଅ କାର୍ତ୍ତିଙ୍କ ସମସ୍ୟାର ସମାଧାନ ଖୋଜିବାରେ କିମ୍ବା ଏଆର୍‌ପୋର୍ଟରେ ଚା’ କଫିର ଦାମ୍‌ ଆବିଷ୍କାର କରିବାରେ ବ୍ୟସ୍ତ। କେବଳ ସେଦିନର ଉପସଭାପତି ରାହୁଲ ଗାନ୍ଧୀ ବର୍ତ୍ତମାନ ସଭାପତି ରୂପେ ହିନ୍ଦୁମାନଙ୍କର ପୁଞ୍ଜୀଭୂତ ପାଲଟା କ୍ରୋଧର ସମ୍ମୁଖୀନ ହେବା ପାଇଁ ସମର ଭୂମିରେ ଏକଲା। ଏପରି ପରିସ୍ଥିତିରେ ପଳାୟନ ଯେ ଏକମାତ୍ର ପନ୍ଥା ରାହୁଲ ଅନ୍ତତଃ ସେତିକି ଭଲ ଭାବରେ ବୁଝିଛନ୍ତି। ତେଣୁ ସୋମବାର ଅଦାଲତରେ ମକ୍କା ମସ୍‌ଜିଦ୍‌ ରାୟ ପ୍ରକାଶ ପରେ ସାମ୍ବାଦିକମାନେ ଆମେଥି ଗସ୍ତରେ ଥିବା ରାହୁଲଙ୍କୁ ଯେତେବେଳେ ତାଙ୍କର ‘ହିନ୍ଦୁ ଆତଙ୍କବାଦ’ ଅଭିଯୋଗ ସମ୍ବନ୍ଧରେ ପ୍ରଶ୍ନ କଲେ, ରାହୁଲ କୌଣସି ଉତ୍ତର ନ ଦେଇ ଗାଡ଼ି ଧରି ସେଠାରୁ ପଳାୟନ କଲେ।

ତେବେ ଅତୀତରେ ତାଙ୍କ ତୁଣ୍ଡରୁ ଯେଉଁ କଥା ବାହାରି ଯାଇଥିଲା ତାହା ବର୍ତ୍ତମାନ ଯେଉଁଭଳି ଆଁ କରି ତାଙ୍କୁ ଗୋଡ଼ାଉଛି, ବିଚରା ରାହୁଲ ଧାଇଁ ପଳାଇବା ବ୍ୟତୀତ କରନ୍ତେ ବା କ’ଣ? ରାହୁଲ ଏହି କଥା ହୁଡ଼ିବା ଘଟଣା ଘଟିଥିଲା ୨୦୦୯ରେ। ୨୦୧୦ରେ ଓ୍ଵିକିଲିକ୍‌ସରୁ ଜଣାପଡ଼ିଥିଲା ଯେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆମେରିକାର ତତ୍କାଳୀନ ପରରାଷ୍ଟ୍ର ସଚିବ ହିଲାରୀ କ୍ଲିଣ୍ଟନ୍‌ଙ୍କ ପାଇଁ ଜୁଲାଇ ୨୦୦୯ରେ ଆୟୋଜନ କରିଥିବା ମଧ୍ୟାହ୍ନ ଭୋଜନ ସଭାରେ ରାହୁଲ ଗାନ୍ଧୀ ଉପସ୍ଥିତ ଥିଲେ। ସେଠାରେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରଦୂତ ଟିମୋଥି ରୋମର ମଧ୍ୟ ଉପସ୍ଥିତ ଥିଲେ। ସେଠାରେ ଯେତେବେଳେ ଭାରତରେ ପାକିସ୍ତାନ ଦ୍ୱାରା ସାହାଯ୍ୟପ୍ରାପ୍ତ ଆତଙ୍କବାଦୀ ଆକ୍ରମଣ ଏବଂ ଇସଲାମୀୟ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ଆଲୋଚିତ ହେଲା, ରାହୁଲ ସେତେବେଳେ ରାଷ୍ଟ୍ରଦୂତ ରୋମରଙ୍କୁ ସତର୍କ କରାଇ ଦେଇ କହିଥିଲେ ଯେ ଏଠାରେ ଏ ସବୁ ଅପେକ୍ଷା ଯାହା ଅଧିକ ବିପଜ୍ଜନକ ତାହା ହେଲା ହିନ୍ଦୁ ଆତଙ୍କ। ଉଲ୍ଲେଖଯୋଗ୍ୟ ୨୬/୧୧ ମୁମ୍ବାଇ ଆକ୍ରମଣର ମାତ୍ର କେତେ ମାସ ପରେ ଏହି ଭୋଜି ସଭା ଆୟୋଜିତ ହୋଇଥିଲା। ରାହୁଲ ସେଠାରେ ମତପ୍ରକାଶ କରିଥିଲେ ଯେ ସେ ଗଣହତ୍ୟାର ରଚୟିତା ଲସ୍କର ଏ ତଇବା ଅପେକ୍ଷା ହିନ୍ଦୁ ଚରମ ପନ୍ଥୀ ଗୋଷ୍ଠୀମାନେ ହେଉଛନ୍ତି ଅଧିକ ବିପଜ୍ଜନକ। ଅବଶ୍ୟ ଏକ ଉଦାର ମନୋଭାବ ନେଇ ଦେଖିଲେ କୁହାଯାଇପାରେ ରାହୁଲଙ୍କ ଏହି ମନ୍ତବ୍ୟ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ନଥିଲା, ତାହା ତାଙ୍କର ସ୍ୱଭାବ ସୁଲଭ ନିର୍ବୋଧତାର ଏକ ଉଦାହରଣ ମାତ୍ର ଥିଲା। କିନ୍ତୁ ଏବେ ତାଙ୍କୁ ସେ କଥା ମନେପକାଇ ପ୍ରଶ୍ନ କଲେ, ପଳାଇବା ଛଡ଼ା ସେ ଆଉ କ’ଣ କରିପାରନ୍ତେ? ଯଃ ପଳାୟତି ସଃ ଜୀବତି।

ସମ୍ବନ୍ଧିତ ଖବର