ପୁଣି ଶୂନରୁ ଆରମ୍ଭ

ପ୍ରଖ୍ୟାତ ଆଇରିସ୍‌ ନାଟ୍ୟକାର ସାମୁଏଲ୍‌ ବେକେଟଙ୍କ ନାଟକ ‘ଓ୍ଵଟିଂ ଫର୍‌ ଗୋଦ’ରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ଗୋଦ’କୁ ଅପେକ୍ଷା କଲା ଭଳି ଓଡ଼ିଶା ପ୍ରଦେଶ କଂଗ୍ରେସର ନେତୃତ୍ୱ ପରିବର୍ତ୍ତନ ନେଇ ଅନ୍ତହୀନ ମନେ ହେଉଥିବା ପ୍ରତୀକ୍ଷାର ଶେଷରେ ଅନ୍ତ ଘଟିଛି। ଲେଡ଼ିଗୁୁଡ଼ କହୁଣିକୁ ବୋହି ଯିବାକୁ ବସିଥିବା ବେଳେ କଂଗ୍ରେସ ହାଇକମାଣ୍ଡ ଓଡ଼ିଶାରେ ଦଳର ଶୋଚନୀୟ ଦୁରବସ୍ଥା ପ୍ରତି ଚେତିଛନ୍ତି ଓ ନୂଆ ନେତାଙ୍କ ହାତରେ ଉଣେଇଶ ପାଇଁ ସଂଗଠନକୁ ପ୍ରସ୍ତୁତ କରିବା ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ୨୦୧୧ ମେ’ରୁ ୨୦୧୩ ଜୁନ୍‌ ପର୍ଯ୍ୟନ୍ତ ତେଇଶ ମାସ ପ୍ରଦେଶ କଂଗ୍ରେସ ସଭାପତି ରହିବା ପରେ ଅତ୍ୟନ୍ତ ରହସ୍ୟଜନକ ସ୍ଥିତିରେ ପଦରୁ ଅବ୍ୟାହତି ଦିଆଯାଇଥିବା ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କୁ ପୁନର୍ବାର ରାଜ୍ୟ କଂଗ୍ରେସର ମୁଖ୍ୟ ଭାବେ ଅବସ୍ଥାପିତ କରାଯାଇଛି। ଅବଶ୍ୟ, ୨୦୧୧, ମେ’ ପିସିସି ନେତୃତ୍ୱ ପରିବର୍ତ୍ତନ ଠାରୁ ୨୦୧୮ ଏପ୍ରିଲ ପରିବର୍ତ୍ତନର ଚିତ୍ର ଓ ଚରିତ୍ର ସମ୍ପୂର୍ଣ୍ଣ ଭିନ୍ନ।

ସାତ ବର୍ଷ ତଳେ ଏକା ନିରଞ୍ଜନଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏଥର କିନ୍ତୁ ସଭାପତି ପଦ ସହ ଏକ ‘ଜୁମ୍ବୋ’ ଟିମ୍‌ ମଧ୍ୟ ନିରଞ୍ଜନକୁ ମିଳିଛି। ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିରଞ୍ଜନଙ୍କ ସହ ଅନ୍ୟ ତିନିଜଣ – ବିଧାୟକ ନବ କିଶୋର ଦାସ ଓ ଚିରଞ୍ଜିବୀ ବିଶ୍ୱାଳ ଏବଂ ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହା ବ୍ୟତୀତ ରାଜ୍ୟରେ ଦଳର ଏମିତି କେହି ବରିଷ୍ଠ ନେତା ନାହାନ୍ତି, ଯାହାଙ୍କୁ କୌଣସି କମିଟିରେ ଅଧ୍ୟକ୍ଷ କିମ୍ବା ସଂଯୋଜକ ଭାବେ ଅବସ୍ଥାପିତ କରାଯାଇ ନାହିଁ। ବସ୍ତୁତଃ, ହାଇକମାଣ୍ଡ ରାଜ୍ୟ କଂଗ୍ରେସ ପାଇଁ ଏକ ମିଳିତ ନେତୃତ୍ୱର ଢାଞ୍ଚା ତିଆରି କରିଛନ୍ତି। ତେବେ ଏହା ଦାୟିତ୍ୱ ବଣ୍ଟନ ନା ସନ୍ତୁଷ୍ଟୀକରଣ ଉଦ୍ଦେଶ୍ୟରେ ଉଦାର ପଦବି ବଣ୍ଟନ, ସଂଗଠନ ଉପରେ ଏହାର ପ୍ରଭାବ କ’ଣ ହେବ, ତାହା ଏକ ଭିନ୍ନ ପ୍ରଶ୍ନ। ତଥାପି ଏ ପରିବର୍ତ୍ତନରୁ ଗୋଟିଏ ବିଷୟ ସ୍ପଷ୍ଟ ଯେ, ଲମ୍ବା ସମୟ ଧରି ଟାଳଟୁଳ ପରେ କଂଗ୍ରେସ ହାଇକମାଣ୍ଡ ଅଗତ୍ୟା ଓଡ଼ିଶା କଂଗ୍ରେସରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ‘ରାଜନୈତିକ ଲିଗାସି’ର ଗୁରୁତ୍ୱକୁ ଉପଲବ୍ଧି କରି ଏହାକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି। ସେହି ‘ଜେ.ବି. ଲିଗାସି’ର ଡୋରି ଧରି ରାଜ୍ୟରେ ସର୍ବପୁରାତନ ଦଳର ପୁନରୁଦ୍ଧାର ଲାଗି ଆଶା ବାନ୍ଧିଛନ୍ତି। ଏହା ଏକ ମାତ୍ର ସଂଯୋଗ ନୁହେଁ ଯେ, ୨୦୧୩ ଅକ୍ଷୟ ତୃତୀୟା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ତେଇଶି ମାସିଆ ପିସିସି ସଭାପତି କାର୍ଯ୍ୟକାଳ ସରିଥିଲା ଏବଂ ପାଞ୍ଚବର୍ଷ ପରେ ପୁଣି ସେହି ଅକ୍ଷୟ ତୃତୀୟା ବେଳକୁ ପିସିସି ମୁଖ୍ୟ ଭାବେ ତାଙ୍କ ଦ୍ୱିତୀୟ ଇନିଂସ୍‌ ଆରମ୍ଭ ହୋଇଛି। ରାଜ୍ୟ କଂଗ୍ରେସ ନେତୃତ୍ୱରେ ସଦ୍ୟତମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଆଉ ଏକ ସଂଯୋଗ ମଧ୍ୟ ଉଲ୍ଲେଖର ଅପେକ୍ଷା ରଖୁଛି, ତା’ହେଲା ଦିନକ ପରେ ଏପ୍ରିଲ ୨୧ରେ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ।

ଯେ କୌଣସି ପରିବର୍ତ୍ତନ ନୂଆ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଥାଏ। ସେହି ନ୍ୟାୟରେ ପିସିସି ନେତୃତ୍ୱରେ ପରିବର୍ତ୍ତନ ମଧ୍ୟ ରାଜ୍ୟ କଂଗ୍ରେସରେ ଦୀର୍ଘ ଅନିଶ୍ଚିତତା ଓ ଅସ୍ଥିରତାର ଅବସାନ ଘଟାଇ ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ନୂଆ ଆଶା ଓ ଉତ୍ସାହ ସୃଷ୍ଟି କରିଛି। ନୂଆ ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନାମ ଘୋଷଣା ପରେ କଂଗ୍ରେସ ଭବନରେ ଉତ୍ସବ ପାଳନ କରୁଥିବା କର୍ମୀଙ୍କ ଚେହେରା ଏବଂ ନେତାଙ୍କ ବୟାନରୁ ପରିବର୍ତ୍ତନ ସୃଷ୍ଟି କରିଥିବା ଆଶା ଓ ଉଦ୍ଦୀପନା ସ୍ପଷ୍ଟ ବାରି ହେଉଛି। ତେବେ ‘ବେଟର୍‌ ଲେଟ୍‌ ଦେନ୍‌ ନେଭର୍‌’ ନ୍ୟାୟରେ ହୋଇଥିବା ଏ ପରିବର୍ତ୍ତନ ଯଦି ଏତେ ବିଳମ୍ବିତ ହୋଇ ନଥାନ୍ତା, ତେବେ ଉତ୍ସାହ ଓ ଆଶାର ମାତ୍ରା ଆହୁରି ଅଧିକ ହୋଇଥାନ୍ତା। ପ୍ରାୟ ଦୁଇବର୍ଷ ହେଲା ରାଜ୍ୟ କଂଗ୍ରେସରେ ଅନିଶ୍ଚିତତା ଓ ଅସ୍ଥିରତା ଲାଗି ରହିଥିଲା। ସଭାପତି ଥାଇ ସୁଦ୍ଧା ନେତୃତ୍ୱରେ ଏକ ଶୂନ୍ୟତା ଦଳକୁ ଆକ୍ରାନ୍ତ କରିଥିଲା।

ଏହି ପ୍ରକ୍ରିୟାରେ ବୁଡ଼ିଗଲା ଗୋଡ଼ ତଳକୁ ତଳକୁ ଭଳି ଦଳର ଅବକ୍ଷୟ ଧାରା କ୍ଷିପ୍ରତର ହୋଇ ଚାଲିଥିବା ବେଳେ ପରିବର୍ତ୍ତନର ଆଶା ଦାନା ବାନ୍ଧି ପୁଣି ପବନରେ ମିଳାଇ ଯାଉଥିଲା। ବିଭିନ୍ନ ଗୋଷ୍ଠୀ ଦିଲ୍ଲୀ ଧାଉଁଥିଲେ ସିନା ନେତୃତ୍ୱ ପରିବର୍ତ୍ତନର ପଦ୍ମ ଘୁଞ୍ଚି ଘୁଞ୍ଚି ଚାଲିଥିଲା। ଶେଷରେ ହାଇକମାଣ୍ଡ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଲେ, କିନ୍ତୁ ନିଷ୍ପତ୍ତି ନେଲା ବେଳକୁ ଅନେକ ଡେରି ହୋଇଯାଇଛି। ଏ ବିଳମ୍ବ ଯୋଗୁ ଯେଉଁ କ୍ଷତି ହୋଇଛି ତାହା ଭରଣା କରିବା କଂଗ୍ରେସ ପକ୍ଷରେ ସହଜ ହେବ ନାହିଁ। ଆଜି ପରିବର୍ତ୍ତେ ଅନ୍ତତଃ ବର୍ଷକ ପୂର୍ବରୁ, ପଞ୍ଚାୟତ ନିର୍ବାଚନରେ ଶୋଚନୀୟ ବିପର୍ଯ୍ୟୟ ପରେ ଯଦି ପରିବର୍ତ୍ତନ ହୋଇଥାନ୍ତା, ତେବେ ଅବସ୍ଥା ଏତେ ସଙ୍ଗିନ ହୋଇ ନଥାନ୍ତା। ସେତେବେଳେ ନୂତନ ନେତୃତ୍ୱ ପାଇଁ ଆହ୍ଵାନ ଯେତିକି ହୋଇଥାନ୍ତା, ଏବେ ଆହ୍ଵାନ ଶହେଗୁଣ ଅଧିକ। ପରିବର୍ତ୍ତିତ ପରିସ୍ଥିତିରେ ଦଳର ପୁନର୍ବିନ୍ୟାସ ଯେତେ ବଡ଼ ଗୋଟିଏ ଆହ୍ଵାନ ନୁହେଁ, ତା’ଠାରୁ ବଡ଼ ଆହ୍ଵାନ ଅସ୍ତିତ୍ୱ ସଂକଟର ମୁକାବିଲା।

ଇତିମଧ୍ୟରେ ରାଜନୈତିକ ସମୀକରଣ ବଦଳି ଯାଇଛି, ଭୋଟ ଗଣିତରେ ମଧ୍ୟ ନୂଆ ଧାରାର ସୂତ୍ରପାତ ହୋଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଦୁଇ ନମ୍ବରରୁ ତିନି ନମ୍ବରକୁ ଖସି ଆସିଛି। ତିନି ନମ୍ବର ସ୍ଥାନରୁ ବିଜେପି କଂଗ୍ରେସର ଦୁଇ ନମ୍ବର ସ୍ଥାନ ଦଖଲ କରି ନେଇ ଶାସକ ବିଜେଡିର ମୁଖ୍ୟ ବିକଳ୍ପର ‘ଦାବିଦାର’ ଭାବେ ସମ୍ମାନକୁ ଛଡ଼ାଇ ନେଇଛି। ପଞ୍ଚାୟତ ନିର୍ବାଚନ ପରେ ବିଜେପୁର ଉପ ନିର୍ବାଚନ ଏବଂ ନିକଟରେ ଅନୁଷ୍ଠିତ ଦୁଇଟି ଏନ୍‌ଏସି ନିର୍ବାଚନର ଫଳାଫଳ ପରିବର୍ତ୍ତିତ ଦୃଶ୍ୟପଟ ଓ ସମୀକରଣର ପ୍ରାମାଣିକତା ପ୍ରଦାନ କରୁଛି। ନିଃସନ୍ଦେହ, ସାଂପ୍ରତିକ ପରିସ୍ଥିତି ଓ ପରିବେଶରେ ରାଜ୍ୟ କଂଗ୍ରେସର ନୂତନ ନେତୃତ୍ୱଙ୍କ ଆଗରେ ଆହ୍ଵାନ ହିମାଳୟ ତୁଲ୍ୟ। ଲୋକଙ୍କ ମଧ୍ୟରେ ପତିଆରା ସୃଷ୍ଟି କରି ସେମାନଙ୍କ ବିଶ୍ୱାସ ଫେରି ପାଇବା ସକାଶେ ନୂତନ ନେତୃତ୍ୱକୁ ବସ୍ତୁତଃ ଶୂନରୁ ପୁଣି ଥରେ ଆରମ୍ଭ କରିବାକୁ ପଡ଼ିବ। ରାଜ୍ୟରେ କଂଗ୍ରେସ ନିଶ୍ଚୟ ଦୁର୍ବଳ ପଡ଼ିଛି, ଓଡ଼ିଶାରେ ବର୍ତ୍ତମାନର କଂଗ୍ରେସ ଦୁଇ ଦଶକ ତଳ କଂଗ୍ରେସର ଏକ କ୍ଷୀଣ ଛାଇ। ତଥାପି ଦୁର୍ବଳତା ଭିତରେ ଶହେ ବର୍ଷର ପୁରୁଣା ଦଳର କିଛି ଶକ୍ତି ମଧ୍ୟ ରହିଛି, ଯାହାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ।

ନୂତନ ନେତୃତ୍ୱ ପାଇଁ ଏହା ଆଶାର ଉତ୍ସ। ଆଶା ଶବ୍ଦର ଏକ ଅଦ୍ଭୁତ ଶକ୍ତି ରହିଛି। ସେହି ଆଶାର ଶକ୍ତି ନିଶ୍ଚୟ ଆହ୍ଵାନର ମୁକାବିଲା ପାଇଁ ନୂତନ ନେତୃତ୍ୱକୁ ବଳ ଯୋଗାଇବ। ତେବେ ସକଳ ଆଶା ମଧ୍ୟରେ କିଛି ଆଶଙ୍କା ମଧ୍ୟ ଉଙ୍କି ମାରୁଛି। ଆଶଙ୍କାର କାରଣ ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ। ଅବଶ୍ୟ, ବାହ୍ୟ କାରଣରୁ ଆଶଙ୍କା ଅପେକ୍ଷା ଆଭ୍ୟନ୍ତରୀଣ କାରଣରୁ ଆଶଙ୍କା ଅଧିକ। ଗୋଟିଏ ବଡ଼ ପ୍ରଶ୍ନ ହେଲା ‘ଜୁମ୍ବୋ ଟିମ୍‌’ ନୂଆ ସଭାପତିଙ୍କ ପାଇଁ ସଂପଦ ଦେବ ନା ବୋଝ? ନିଃସନ୍ଦେହ ନୂଆ ସଭାପତି ‘ଟିମ୍‌’ର କ୍ୟାପ୍‌ଟେନ୍‌। କିନ୍ତୁ, ଟିମ୍‌ର ଅନ୍ୟ ସବୁ ଖେଳାଳି ବଲ୍‌କୁ ଗୋଲ୍‌ପୋଷ୍ଟ ଆଡ଼କୁ ମାରିବେ ତ? ରାଜ୍ୟରେ କ୍ଷମତାରୁ ବିସ୍ଥାପିତ ଅବକ୍ଷୟମୁଖୀ କଂଗ୍ରେସର ସଭାପତି ପଦ ଗତ ଦୁଇ ଦଶକ ହେଲା ଏକ କଣ୍ଟକିତ ମୁକୁଟ ହୋଇ ରହି ଆସିଛି। ଏଥର କିନ୍ତୁ ମୁକୁଟରେ କଣ୍ଟାର ସଂଖ୍ୟା ବହୁ ଗୁଣ ଅଧିକ। ଖାଲି ସେତିକି ନୁହେଁ, ନୂଆ ସଭାପତିଙ୍କୁ ମଥାରେ କଣ୍ଟକିତ ମୁକୁଟ ପିନ୍ଧି, ଖଣ୍ଡାଧାରରେ ଚାଲିବାକୁ ପଡ଼ିବ। ସମୟ କହିବ, ସବୁ ଆଶା ଓ ଆଶଙ୍କା ମଧ୍ୟରେ ଏ କଣ୍ଟକିତ ଦୁର୍ଗମ ରାସ୍ତାରେ ନୂଆ ସଭାପତି ଓ ତାଙ୍କ ଦଳ କେତେଦୂର ଆଗେଇବେ, ଉଣେଇଶରେ କେଉଁଠି ପହଞ୍ଚିବେ?

ସମ୍ବନ୍ଧିତ ଖବର