ନୋବେଲ୍‌-ଯୋଡ଼ି?

ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଓ ଉତ୍ତର କୋରିଆର ଏକଛତ୍ର ଶାସକ କିମ୍‌ ଜଙ୍ଗ୍‌ଉନ୍‌ଙ୍କୁ ମିଳିତ ଭାବରେ ନୋବେଲ୍‌ ଶାନ୍ତି ପୁରସ୍କାର। ଏହା ଅନେକଙ୍କୁ ଏକ ପାଗଳର ପ୍ରଳାପ ଭଳି ମନେ ହୋଇପାରେ। ଆମେରିକାର ମୁଖ୍ୟ ସ୍ରୋତ ଗଣମାଧ୍ୟମରେ ଟ୍ରମ୍ପ୍‌ଙ୍କୁ ଦିନରାତି ଜଣେ ଅନୁଦାର, ଜାତି-ବିଦ୍ୱେଷୀ, ପଶ୍ଚାତ୍‌ମୁଖୀ, ଯୌନଉଚ୍ଛଙ୍ଖଳ, ବୌଦ୍ଧିକତାହୀନ ଚରିତ୍ର, ଯିଏ ଦୈବାତ୍‌ ପୃଥିବୀର ଏକମାତ୍ର ବିଧିବଦ୍ଧ ମହାଶକ୍ତି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ହୋଇ ଯାଇଛନ୍ତି ବୋଲି ପ୍ରଦର୍ଶିତ କରାଯାଉଥିବା ବେଳେ, ଉତ୍ତର କୋରିଆର କିମ୍‌ଙ୍କୁ ଏକ ଅତ୍ୟାଚାରୀ, ରକ୍ତପିପାସୁ, ମୋଟା ରାକ୍ଷସ, ଯିଏ ପୃଥିବୀ ପୃଷ୍ଠରେ ମାନବ ଜାତିକୁ ଲୋପ କରିଦେବା ପାଇଁ ବଦ୍ଧପରିକର ବୋଲି ଆନ୍ତର୍ଜାତିକ ଗଣମାଧ୍ୟମ ସର୍ବଦା ପ୍ରଦର୍ଶିତ କରି ଆସିଛି। ତେଣୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଦିଗରେ ଅବଦାନ ପାଇଁ ପ୍ରଦାନ କରାଯାଉଥିବା ସର୍ବୋଚ୍ଚ ସମ୍ମାନ ପାଇଁ ଏମାନେ ଯେ ସବୁଠାରୁ ଅଧିକ ଅଯୋଗ୍ୟ, ଏହାହିଁ ହେଉଛି ସ୍ୱାଭାବିକ ଭାବରେ ସାଧାରଣ ଧାରଣା। ବ୍ରିଟେନ୍‌ରେ ଘୋଡ଼ା ଦୌଡ଼ ଓ ଫୁଟ୍‌ବଲ୍‌ ମ୍ୟାଚ୍‌ରୁ ନୋବେଲ୍‌ ପ୍ରାଇଜ୍‌ କିମ୍ବା ବୁକର୍‌ ପ୍ରାଇଜ୍‌ ପର୍ଯ୍ୟନ୍ତର ଫଳାଫଳ ଜଣାପଡ଼ିବା ପୂର୍ବରୁ ସମ୍ଭାବ୍ୟ ଫଳାଫଳ ଉପରେ ବାଜି ଲଗାଇବା ହେଉଛି ଏକ ବିଧିବଦ୍ଧ, ଆଇନସମ୍ମତ ବିଶାଳ ବ୍ୟବସାୟ। ଏହି ବ୍ୟବସାୟ କ୍ଷେତ୍ରରେ ସକ୍ରିୟ ଥିବା ଏକ ପ୍ରମୁଖ ସଂସ୍ଥା ‘କୋରାଲ୍‌’ ଏବେ ସମସ୍ତଙ୍କୁ ଚମତ୍କତ କରି ଆଗାମୀ ନୋବେଲ୍‌ ଶାନ୍ତି ପୁରସ୍କାର ପାଇଁ ଯେଉଁମାନଙ୍କ ବିଜୟ ସମ୍ଭାବନା ସର୍ବାଧିକ ବୋଲି ସୂଚନା ପ୍ରକାଶ କରିଛି, ସେମାନେ ହେଲେ ଡୋନାଲ୍‌ଡ ଟ୍ରମ୍ପ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌! ସତେ ଯେମିତି ଆମେମାନେ ଚକିତ ହେବା ପାଇଁ ଏତିକି ଯଥେଷ୍ଟ ନୁହେଁ, ‘କୋରାଲ୍‌’ର ଭବିଷ୍ୟବାଣୀ ଅନୁସାରେ ଏ ଦୁଇଜଣ ଅନ୍ୟ ଯେଉଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କୁ ପଛରେ ପକାଇ ଏହି ପୁରସ୍କାର ହାସଲ କରିବାକୁ ଯାଉଛନ୍ତିି, ସେମାନଙ୍କ ମଧ୍ୟରେ ଅଛନ୍ତି ପୋପ୍‌ ଫ୍ରାନ୍‌ସିସ୍‌, ମିଳିତ ଜାତିସଂଘର ଶରଣାର୍ଥୀ କମିସନର୍‌ (ୟୁଏନ୍‌ଏଚ୍‌ସିଆର୍‌) ରାଇଫ୍‌ ବାଦାଓ୍ଵି ଆଦି।

ଅବଶ୍ୟ ‘କୋରାଲ୍‌’ର ଅନୁମାନ ସତ ହେବ କି ନାହିଁ, ତାହା ସମ୍ପୂର୍ଣ୍ଣ ରୂପେ ନିର୍ଭର କରୁଛି ଚଳିତ ମାସ ଶେଷ ଆଡ଼କୁ କିମ୍ବା ଜୁନ୍‌ରେ ହେବାକୁ ଯାଉଥିବା ଡୋନାଲ୍‌ଡ ଟ୍ରମ୍ପ୍‌ ଓ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ମଧ୍ୟରେ ଭେଟ ଏବଂ ତାର ଫଳାଫଳ। ଅତୀତରେ ପରସ୍ପର ମଧ୍ୟରେ ରୋଚକ ଗାଳି ବିନିମୟ କରିଥିବା (ଯେମିତି, ଟ୍ରମ୍ପ୍‌ କିମ୍‌ଙ୍କୁ ‘ପାଗଳ’, ‘ଆତ୍ମହତ୍ୟା ପଥରେ ରକେଟ୍‌ମ୍ୟାନ୍‌’ ଆଦି ବିଶେଷଣରେ ଭୂଷିତ କରିଛନ୍ତି, କିମ୍‌ ସେଇଭଳି ଟ୍ରମ୍ପ୍‌ଙ୍କୁ ‘ମତିଭ୍ରମ ଘଟିଥିବା ଆମେରିକୀୟ ବୃଦ୍ଧ’, ‘ଛାନିଆ ହୋଇ ପଡ଼ିଥିବା କୁକୁର’ ଆଦି ନାମରେ ବର୍ଣ୍ଣନା କରିଛନ୍ତି) ଏ ଦୁଇ ନେତା ଯଦି ସମସ୍ତ ତିକ୍ତତା ଭୁଲି ଅଳ୍ପଦିନ ତଳେ ଦକ୍ଷିଣ କୋରିଆର ରାଷ୍ଟ୍ରପତି ମୁନ୍‌ ଜାଏ-ଇନ୍‌ ଓ ଉତ୍ତର କୋରିଆର କିମ୍‌ ସେମାନଙ୍କର ଉତ୍କଣ୍ଠାପୂର୍ଣ୍ଣ ଭେଟ ସମୟରେ ପ୍ରଦର୍ଶନ କରିଥିବା ସୌହାର୍ଦ୍ଦ୍ୟ, ଆନ୍ତରିକତା ଓ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତି ଏବଂ ଏହାର ଫଳ ସ୍ୱରୂପ ଉତ୍ତର କୋରିଆ ଯଦି ତା’ର ଆଣବିକ କ୍ଷମତା ଉଚ୍ଛେଦ ଦିଗରେ ପ୍ରାଥମିକ ପଦକ୍ଷେପ ନେବା ଆରମ୍ଭ କରେ, ତେବେ ‘କୋରାଲ୍‌’ର ଭବିଷ୍ୟବାଣୀ ସତ ହେବା ସମ୍ପୂର୍ଣ୍ଣ ସମ୍ଭବ।

ନୋବେଲ୍‌ ଶାନ୍ତି ପୁରସ୍କାର ଏହାର ବିଜେତାଙ୍କ ପାଇଁ ଏକ ଚରିତ୍ର ସାର୍ଟିଫିକେଟ୍‌ ନୁହେଁ। ଅତୀତରେ ୟାସେର୍‌ ଆରାଫତ୍‌ଙ୍କ ଭଳି ଆତଙ୍କବାଦର ଜଣେ ପ୍ରମୁଖ ରଚୟିତା କିମ୍ବା ହେନ୍‌ରୀ କିସିଞ୍ଜର୍‌ଙ୍କ ଭଳି ଜଣେ ହିଂସାବାଦୀ କୁଚକ୍ରୀ କୂଟନୀତିଜ୍ଞ (୧୯୭୦ ଦଶକରେ ଲାଟିନ୍‌ ଆମେରିକୀୟ ଦେଶମାନଙ୍କରେ ଆମେରିକାର ଗୁପ୍ତଚର ସଂସ୍ଥା ‘ସିଆଇଏ’ ଦ୍ୱାରା ପ୍ରାୟୋଜିତ ‘ଅପରେସନ୍‌ କଣ୍ଡୋର୍‌’ ନାମକ ଦମନ ଲୀଳା ଓ ରାଜନୈତିକ ହତ୍ୟାକାଣ୍ଡ ଆଦି ସହିତ ଏହି ପରରାଷ୍ଟ୍ର ସଚିବଙ୍କର ସମ୍ପୃକ୍ତି ଥିଲା; କାମ୍ବୋଡିଆରେ ଆମେରିକା କରିଥିବା ବୋମା ମାଡ଼ ପଛରେ ମଧ୍ୟ ସେ ଥିବାର ଅଭିଯୋଗ ହୋଇଛି। ସେଥିପାଇଁ କିସିଞ୍ଜରଙ୍କୁ ପୁରସ୍କାର ପ୍ରଦାନର ବିରୋଧ କରି ସେଇ ପୁରସ୍କାରର ସହ-ବିଜେତା ଭିଏତ୍‌ନାମର ଲେ ଡକ୍‌ ଥୋ ନିଜେ ପାଇଥିବା ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ।)ଙ୍କୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଭଳି ଉଦାହରଣ ହେଉଛି ଏହାର ପ୍ରମାଣ। ସେମାନଙ୍କର ଅବଦାନ ହେଲା ଐତିହାସିକ କନ୍ଦଳ ଓ ପାରସ୍ପରିକ ଅସୂୟାକୁ ଅତିକ୍ରମ କରି ମଧ୍ୟପ୍ରାଚ୍ୟରେ କିମ୍ବା ଭିଏତ୍‌ନାମ୍‌ରେ ଶାନ୍ତି ପ୍ରତିଷ୍ଠା ଦିଗରେ ଇତିହାସକୁ ଏକ ନୂଆ ମୋଡ଼ ଦେବା।

କେବଳ ଟ୍ରମ୍ପ୍‌ ଓ କିମ୍‌ଙ୍କ ଭେଟକୁ ଯଦି ସେଇ ଭଳି ଇତିହାସର ଏକ ନୂଆ ମୋଡ଼ ରୂପେ ବର୍ଣ୍ଣନା କରାଯାଏ, ଏଥିରେ କୌଣସି ଅତିରଞ୍ଜନ ନାହିଁ। ଏକଛତ୍ର ଶାସିତ ନିବୁଜ ଦେଶ ଉତ୍ତର କୋରିଆ ୧୯୪୮ଠାରୁ କିମ୍‌ ବଂଶର ଶାସନାଧୀନ ରହିଆସିଛି। ସେଇବର୍ଷ କିମ୍‌ଙ୍କର ଜେଜେବାପା କମ୍ୟୁନିଷ୍ଟ ବିପ୍ଳବୀ କିମ୍‌ ଇଲ୍‌ ସୁଙ୍ଗ୍‌ କୋରିଆ ଉପଦ୍ୱୀପର ଏହି ଉତ୍ତର ଭାଗକୁ ଦଖଲ କରି ନେଇଥିଲେ। ଆମେରିକା ସହାୟତାପ୍ରାପ୍ତ ଦକ୍ଷିଣ ଭାଗକୁ ସେ ଦଖଲ କରିପାରି ନଥିଲେ। ସେବେଠାରୁ ଆମେରିକା ପ୍ରତି ତୀବ୍ର ବିଦ୍ୱେଷ ଉତ୍ତର କୋରିଆର ସ୍ଥାପନ ମନ୍ତ୍ର ରୂପେ ଗୃହୀତ ହୋଇ ଆସିଛି। ଏପରିକି ସେଠାରେ ଶୈଶବରୁ ପିଲାମାନଙ୍କୁ ଶିକ୍ଷା ଦିଆଯାଇଥାଏ ଯେ ଆମେରିକୀୟମାନେ ହେଉଛନ୍ତି ରାକ୍ଷସ ଶ୍ରେଣୀର ଏବଂ ଉତ୍ତର କୋରିଆର ଧ୍ୱଂସ ସାଧନ ପାଇଁ ସେମାନେ ସର୍ବଦା ଉଦ୍ୟମରତ। ୧୯୯୭ରେ ଉତ୍ତର କୋରିଆରୁ ପଳାୟନ କରି ଚାଲିଆସିଥିବା ହାଇଓନ୍‌ସିଓ ଲି ନାମ୍ନୀ ଜଣେ ପଳାତକ ତାଙ୍କର ଅନୁଭୂତି ବର୍ଣ୍ଣନା କରି ରଚନା କରିଥିବା ପୁସ୍ତକ ‘ଦି ଗାର୍ଲ ଓ୍ଵିଥ୍‌ ସେଭେନ୍‌ ନେମ୍‌ସ’ରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ଚାରିବର୍ଷ ବୟସରୁ ଶିକ୍ଷା ଦିଆଯାଇଥିଲା ଯେ ବର୍ବର ଆମେରିକା ସୈନ୍ୟମାନେ ୧୯୫୦ର କୋରିଆ ଯୁଦ୍ଧ ସମୟରେ ୩୫,୦୦୦ ନିରୀହ ବେସାମରିକ ଉତ୍ତର କୋରିଆ ନାଗରିକମାନଙ୍କୁ ହତ୍ୟା କରିଥିଲେ। ତାଙ୍କୁ କୁହାଯାଇଥିଲା ଯେ ଏହି ରାକ୍ଷସମାନେ ଥରେ ୧୦୦ ଜଣ ଜନନୀଙ୍କ ଠାରୁ ସେମାନଙ୍କର ସଦ୍ୟଜାତ ସନ୍ତାନମାନଙ୍କୁ ଛଡ଼ାଇ ନେଇ ସେମାନଙ୍କୁ କ୍ଷୀର ପରିବର୍ତ୍ତେ ପେଟ୍ରୋଲ୍‌ ପିଆଇ ଦେଇ ସେମାନଙ୍କଠାରେ ନିଆଁ ଲଗାଇ ଦେଇଥିଲେ। ଛୋଟ ପିଲାଙ୍କୁ ବୁଢ଼ୀ ଅସୁରୁଣୀ ଭୟ ଦେଖାଇ ମା’ମାନେ ବିଛଣାରେ ଅଟକାଇ ରଖିବା ଭଳି କିମ୍‌ ବଂଶର ଶାସକମାନେ ପିଢ଼ି ପରେ ପିଢ଼ି ତାଙ୍କର ପ୍ରଜାମାନଙ୍କୁ ଆମେରିକା ଭୟ ଦେଖାଇ ଦେଶ ଭିତରେ ବନ୍ଦ କରି ରଖିଛନ୍ତି। ବାହାର ଦୁନିଆ ସହିତ ବସ୍ତୁତଃ ସେମାନଙ୍କର କୌଣସି ସମ୍ପର୍କ ନାହିଁ କହିଲେ ଚଳେ।

ପିଲାଙ୍କୁ କାହାଣୀ କହୁ କହୁ ମା’ ମଧ୍ୟ ଯଦି ବୁଢ଼ୀ ଅସୁରୁଣୀରେ ବିଶ୍ୱାସ କରନ୍ତା, ଯେଉଁଭଳି ପରିସ୍ଥିତି ଉପୁଜନ୍ତା, ଉତ୍ତର କୋରିଆର ଶାସକମାନଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ଆମେରିକାକୁ ପ୍ରତିହତ କରିବା ପାଇଁ ସେମାନେ ନିଜ ଦେଶବାସୀମାନଙ୍କୁ ଭୋକ ଉପାସରେ ରଖି ପରମାଣୁ ବୋମା ଓ କ୍ଷେପଣାସ୍ତ୍ର ନିର୍ମାଣ ଓ ପରୀକ୍ଷାରେ ଦେଶର ସମସ୍ତ ସମ୍ବଳ ବିନିଯୋଗ କରିଛନ୍ତି। ଶୀତଳଯୁଦ୍ଧର ଛକା-ପଞ୍ଝାର ଅଂଶ ସ୍ୱରୂପ ରୁଷିଆ ସେମାନଙ୍କୁ ଏଥିରେ ବେଶ୍‌ ସହାୟତା କରିଥିଲା ଓ ପରବର୍ତ୍ତୀ ସମୟରେ ଚୀନ୍‌ ଓ ପାକିସ୍ତାନ ମଧ୍ୟ ସାହାଯ୍ୟ କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଉତ୍ତର କୋରିଆ ବର୍ତ୍ତମାନ ପୃଥିବୀର ମୁଖ୍ୟ ଅବୈଧ ଆଣବିକ ଅସ୍ତ୍ର ଓ ଜ୍ଞାନକୌଶଳ ରତ୍ପାନିକାରୀ ଦେଶରେ ପରିଣତ ହୋଇଛି। ଯଦି ଆତଙ୍କବାଦୀ ସଂଗଠନମାନେ ଅବିଳମ୍ବେ ଉତ୍ତର କୋରିଆଠାରୁ ଏ ସବୁ ହାସଲ କରନ୍ତି, ତେବେ ପୃଥିବୀର ପ୍ରଳୟ ଯେ ସୁନିଶ୍ଚିତ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ। ଆମେରିକା ମଧ୍ୟ ଉତ୍ତର କୋରିଆଠାରୁ ଦକ୍ଷିଣ କୋରିଆକୁ ସୁରକ୍ଷିତ ରଖିବା ପାଇଁ ସେଠାରେ ସୈନ୍ୟସାମନ୍ତ ଠାରୁ କ୍ଷେପଣାସ୍ତ୍ରମାନ ପର୍ଯ୍ୟନ୍ତ ଠୁଳ କରି ରଖିଛି। ଯଦି, ଏହା ଅବଶ୍ୟ ଏକ ବିଶାଳ ଯଦି, ଟ୍ରମ୍ପ ଓ କିମ୍‌ ଏ ଦୀର୍ଘକାଳର ଅବିଶ୍ୱାସ ଓ ସନ୍ଦେହର ବାତାବରଣ ଦୂର କରିବା ଦିଗରେ ଏହି ଅଭାବିତ ଭେଟ ସମୟରେ କୌଣସି ନିଶ୍ଚିତ ପଦକ୍ଷେପ ନିଅନ୍ତି, ତେବେ ବିଶ୍ୱ ଶାନ୍ତି ଦିଗରେ ତାହା ଇତିହାସର ଏକ ଚମକପ୍ରଦ ମୋଡ଼ ହେବ ନାହିଁ କି? ତାହା ହେଲେ ସମସ୍ତ ଅବିଗୁଣ ସତ୍ତ୍ୱେ ସେମାନେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ ବିବେଚିତ ହେବେ। ‘କୋରାଲ’ କଥା ସତ ହେବ।

ସମ୍ବନ୍ଧିତ ଖବର