ଆମେରିକାରୁ ପତ୍ର, ବ୍ୟାକରଣର ଗତି ବିଧି

ଅନାଦି ନାୟକ

ଭାଷାକୁ ଶୁଦ୍ଧ ରଖିବା ହେଲା ବ୍ୟାକରଣର କାମ। ଆଜି କାଲିକାର ବ୍ୟସ୍ତ ଜୀବନ ଯାତ୍ରା ଭିତରେ ସମସ୍ତେ ଊଣା ଅଧିକେ କିଛି ନା କିଛି କାମରେ ସବୁବେଳେ ବ୍ୟସ୍ତ। ଏଣୁ ଭାଷା ସାଙ୍ଗରେ ବ୍ୟାକରଣକୁ ଯୋଡିବାକୁ ବେଳ କାହାର ଅଛି? ପୁଣି ଚାକିରି, ପାଠ ପଢା, ବ୍ୟବସାୟ ଯୋଗୁ ବିଭିନ୍ନ ଅଞ୍ଚଳକୁ ଯିବାକୁ ପଡୁଛି। ଓଡିଆ ଲୋକ ଦିଲ୍ଲୀରେ ହିନ୍ଦୀ କହୁଛନ୍ତି ତ ପଞ୍ଜାବୀ ଆସି କଲିକତାରେ ବଙ୍ଗଳା କହୁଛନ୍ତି। ପଞ୍ଜାବୀ, ଓଡିଆ, ବଙ୍ଗାଳୀ ସମସ୍ତେ ବାଙ୍ଗାଲୋରରେ ଇ˚ରେଜୀ, ହିନ୍ଦୀ ଓ କନ୍ନଡ ଭାଷାରେ କଥା ବାର୍ତ୍ତା କରୁଛନ୍ତି। ଓଡିଶାର ବଡବିଲ ଓ ଟେନ୍‌ସା ଅଞ୍ଚଳରେ ହିନ୍ଦୀ, ଓଡିଆ ଓ ବଙ୍ଗଳା ସାଙ୍ଗକୁ ମୁଣ୍ତା ଭାଷା ମଧ୍ୟ ଚଳେ ଓ ପ୍ରତି ଭାଷାର ନିଜସ୍ବ ଶୈଳୀ ଅଛି। ଏଣୁ ଭାଷାକୁ ତା ନିଜ ଶୈଳୀରେ ପ୍ରକାଶ କରି ନ ପାରିଲେ, କେମିତି ହଇରାଣରେ ପଡିବାକୁ ହୁଏ ତାର ଦୁଇଟି ନମୁନା ଏବେ ଦେଖିଲି। ପ୍ରଥମଟି ହେଲା : ଅନୁଜା ରାଜେନ୍ଦ୍ର ନାମକ ଜଣେ ଭାରତୀୟ ମହିଳା ପାଠ ପଢି ଆମେରିକାରେ ନାଗରିକତ୍ବ ନେଇ ମିସିଗନ ପ୍ରଦେଶରେ ଗୋଟିଏ ଛୋଟ କାଟିଆ ବ୍ୟବସାୟର ମାଲିକ ଥିଲେ। ନିଜ ଅଞ୍ଚଳରେ ବ୍ୟବସ୍ଥିତ ହେବା ପରେ ଲୋକ ପ୍ରତିନିଧି ହେବାକୁ ସେ ମନ କଲେ ଓ ଡିମୋକ୍ରାଟିକ ଦଳ ତରଫରୁ ଜଣେ ସିନେଟର ହେବା ପାଇଁ ସେ ଦଳ ତରଫରୁ ହେଉଥିବା ପ୍ରତିଯୋଗିତାରେ ଭାଗ ନେଲେ। ନିଜର ନିର୍ବାଚନ ପ୍ରଚାର ପତ୍ରରେ ସେ ଲେଖିଥିଲେ -‘ଚାରିଟି ସନ୍ତାନର ମାଆ ଭାବରେ ଓ ଆପଣ ମାନଙ୍କର ସିନେଟର ଭାବରେ ମୁଁ ଚାହେଁ ଯେ ମୋ ପିଲାମାନେ ଓ ମିସିଗନର ସବୁ ପିଲା ମାନେ ଉଚ୍ଚ ଧରଣର ଶିକ୍ଷା ପାଇଁ ସମାନ ସୁଯୋଗ ପାଆନ୍ତୁ।’ ସିନେଟର ବୋଲି ନିର୍ବାଚିତ ହେବା ପୂର୍ବରୁ ସେ ଆପଣ ମାନଙ୍କର ସିନେଟର ଭାବରେ ବୋଲି ଲେଖିଥିବାରୁ ବିରୋଧୀ ପକ୍ଷର ଜଣେ ତାଙ୍କ ନାଆଁରେ ଅଭିଯୋଗ ଆଣିଲେ ଯେ ସେ ତାଙ୍କ ପ୍ରଚାର ପତ୍ରରେ ମିଥ୍ୟା ତଥ୍ୟ ଉପସ୍ଥାପିତ କରିଛନ୍ତି। ଏପରି ଅପରାଧରେ ଛଅ ମାସ ପାଇଁ ଜେଲ ଯିବା କଥା। ଅନୁଜା ଭୋଟରେ ତୃତୀୟ ସ୍ଥାନ ପାଇ ସିନେଟର ହୋଇ ପାରିଲେ ନାହିଁ। ଏବେ ଅପରାଧୀମାନଙ୍କ ସହିତ ଜେଲଖାନାରେ ଛ ମାସ କାଟିବା ସମ୍ଭାବନା ତାଙ୍କୁ ଘାରିଲା। ଆମେରିକାର ‘ସିଭିଲ ଲିବର୍ଟି ଇଉନିୟନ’ ତାଙ୍କୁ ସାହାଯ୍ୟ କରି ତାଙ୍କ ପାଇଁ ମୋକଦ୍ଦମା ଲଢିଲେ। ମୋକଦ୍ଦମାଟି ଖାରଜ ହୋଇଗଲା ଓ ଅନୁଜା ତ୍ରାହି ପାଇଲେ। ‘ମୁଁ ଆପଣମାନଙ୍କର ସିନେଟର ହେଲେ’ ବଦଳରେ ‘ଆପଣ ମାନଙ୍କର ସିନେଟର ଭାବରେ’ ବୋଲି ଲେଖି ଥିବାରୁ ତାଙ୍କୁ ଏତେ ହିନସ୍ତା ଭୋଗିବାକୁ ପଡିଲା!

ଏବେ ଦ୍ବିତୀୟ ଉଦାହରଣ। କିଛିଦିନ ତଳେ ଆମେରିକାରେ ନିଯୁକ୍ତ ଥିବା ତତ୍କାଳୀନ ଭାରତୀୟ ରାଷ୍ଟ୍ରଦୂତ ରଣେନ ସେନ ଏକ ଆମେରିକାନ୍‌ ଉକ୍ତିକୁ ଭୁ୍ଲ୍‌ ଭାବରେ ବ୍ୟବହାର କରି ହଇରାଣରେ ପଡିଲେ। ସେତେବେଳେ ଭାରତ ଓ ଆମେରିକା ଭିତରେ ଆଣବିକ ଚୁକ୍ତି ପାଇଁ କଥା ବାର୍ତ୍ତା ଚାଲିଥାଏ। ରଣେନ ସେନ ଭାରତ ତରଫରୁ ଭାଗ ନେଇ ଆଲୋଚନାଟିର ହେପାଜତ କରୁ ଥାଆନ୍ତି। ଠିକ୍‌ ସେତିକି ବେଳକୁ ଦଳେ ପାର୍ଲାମେଣ୍ଟ୍‌ ସଭ୍ୟ ଦିଲ୍ଲୀରୁ ଆସି ଥାଆନ୍ତି। ଆଣବିକ ଚୁକ୍ତି ପାଇଁ କାମ କେମିତି ଚାଲିଛି, ଏ କଥା ଜାଣିବା ପାଇଁ ସେମାନେ ସମସ୍ତେ କୌତୂହଳୀ ରହିବା ସ୍ବାଭାବିକ। ସେମାନେ ବିଭିନ୍ନ ଲୋକଙ୍କୁ ଭେଟି ଏ ବିଷୟରେ ପଚରା ଉଚରା କରୁଥାଆନ୍ତି, ଯାହାକି ଦୂତାବାସକୁ ସୁହାଉ ନ ଥାଏ। ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ରଣେନ ସେନ କହିଲେ – ‘ଏ ପାର୍ଲାମେଣ୍ଟ ସଭ୍ୟମାନେ ମୁଣ୍ତହୀନ କୁକୁଡା ପରି ଏପାଖ ସେପାଖ ହେଉଛନ୍ତି କାହିଁକି?’ କଥାଟି ଭାରତୀୟ ଏମ୍‌.ପି. ମାନଙ୍କ କାନରେ ପଡିଲା।

ପ୍ରକୃତରେ ଆମେରିକାର କଥୋପକଥନରେ ଲୋକେ କହନ୍ତି ମୁଣ୍ତ କଟିଥିବା କୁକୁଡା ଯେମିତି ଚାରି ଆଡେ ଡିଏଁ (running like a chicken head cut off)। ମାତ୍ର କୁକୁଡା ଓ ମୁଣ୍ତହୀନ- ଏ ଦୁଇଟି ଶବ୍ଦ ସଭ୍ୟମାନଙ୍କୁ ଖୁବ୍‌ ବାଧିଲା। ପାର୍ଲାମେଣ୍ଟରେ ଏଥିପାଇଁ ପ୍ରଶ୍ନ ହେଲା ଓ ରଣେନ ସେନ ପାର୍ଲାମେଣ୍ଟକୁ ଅସମ୍ମାନ କରିଛନ୍ତି ବୋଲି ତାଙ୍କୁ ଡାକି ପାର୍ଲାମେଣ୍ଟ ତରଫରୁ ଭର୍ତ୍ସନା କରାଯିବା ଠିକ୍‌ ହେଲା। ରାଷ୍ଟ୍ରଦୂତ ସଭ୍ୟମାନଙ୍କୁ ମିନତି କରିବା ପାଇଁ ଦିଲ୍ଲୀକୁ ଆସି କିଛି ଦିନ କୁହାବୋଲା କଲେ। ଶେଷରେ ସଭ୍ୟମାନଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ତାଙ୍କର ନଥିଲା ବୋଲି ସେ ବାରମ୍ବାର କହିଲେ। ତଥାପି ପାର୍ଲାମେଣ୍ଟ ତରଫରୁ ଭର୍ତ୍ସନା ଶୁଣିଲେ। ସାଧାରଣତଃ ପାର୍ଲାମେଣ୍ଟରୁ ଭର୍ତ୍ସିତ ସରକାରୀ କର୍ମଚାରୀ ତାଙ୍କ ଚାକିରିରେ ତିଷ୍ଠନ୍ତି ନାହିଁ। ମାତ୍ର ପ୍ରଣବ ମୁଖାର୍ଜୀ ଥିଲେ ବୈଦେଶିକ ମନ୍ତ୍ରୀ। ଏଣୁ ରାଷ୍ଟ୍ରଦୂତଙ୍କ ଚାକିରିଟି ରହିଗଲା।
[email protected]

ସମ୍ବନ୍ଧିତ ଖବର