ଦେଶର ଅର୍ଥନୀତିକୁ ସଂପ୍ରତି ଆକ୍ରାନ୍ତ କରିଥିବା ମାନ୍ଦାବସ୍ଥା ନେଇ ମୋଦୀ ସରକାର ଉପରେ ଉଭୟ ଦଳ ଭିତରୁ ଓ ବାହାରୁ ଲଗାତାର ଆକ୍ରମଣ ଜାରି ରହିଛି। ପ୍ରତିପକ୍ଷ ବିରୋଧୀ ଶିବିରରୁ ପ୍ରତିବାଦର ସ୍ୱର ଅପେକ୍ଷା, ଦଳ ଭିତରୁ ଉଠୁଥିବା ବିରୋଧର ସ୍ୱର ଅଧିକ ଶାଣିତ। ବିଗତ ତିନିବର୍ଷରେ ଦଳ ଭିତରୁ କୌଣସି ପ୍ରସଙ୍ଗରେ ଏ ପ୍ରକାର ସରକାର ବିରୋଧୀ ସ୍ୱର ଉଠିବା ଏହା ପଥମ। ସ୍ୱାଭାବିକ ଭାବେ ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଏହି ମିଳିତ ବିରୋଧ ମୋଦୀ ସରକାରଙ୍କୁ ରକ୍ଷଣାତ୍ମକ ମୁଦ୍ରାକୁ ଠେଲି ଦେଇଛି। ପୂର୍ବରୁ ଅସହିଷ୍ଣୁତା, ରାଷ୍ଟ୍ରବାଦ, ଗୋ-ସୁରକ୍ଷା ଆଳରେ ହିଂସା ଆଦି ଅନେକ ପ୍ରସଙ୍ଗରେ ବିରୋଧୀ ପକ୍ଷ ଏନ୍ଡିଏ ସରକାରଙ୍କୁୁ ଘେରିଥିଲେ। କିନ୍ତୁ ଏବେ ଅର୍ଥନୈତିକ ମାନ୍ଦାବସ୍ଥା ପ୍ରସଙ୍ଗରେ ସରକାରଙ୍କୁ ମିଳିତ ଆକ୍ରମଣ ଆଗରେ ଯେମିତି ରକ୍ଷଣାତ୍ମକ ହେବାକୁ ପଡ଼ିଛି, ପୂର୍ବରୁ ସେମିତି ହେବାକୁ ପଡ଼ି ନଥିଲା। କାରଣ ଅର୍ଥନୀତିର ଦୁଃସ୍ଥିତିର କୁପ୍ରଭାବ ସୁଦୂରପ୍ରସାରୀ ଏବଂ ବ୍ୟାପକ। ଆତ୍ମରକ୍ଷା ପାଇଁ ଶାସକ ପକ୍ଷର ସବୁ ଯୁକ୍ତି ଖୋଦ୍ ସରକାରଙ୍କ ତଥ୍ୟର ପଥରରେ ବାଡ଼େଇ ହୋଇ ପାଣିଫାଟି ଯାଉଛି। ଉପରକୁ ମୁହଁଟାଣ କରି ଅର୍ଥନୀତିର ଅବସ୍ଥା ଠିକ୍ ଅଛି ବୋଲି ଯୁକ୍ତି ଉପସ୍ଥାପନ କରାଯାଉଥିଲେ ସୁଦ୍ଧା, ଭିତରେ ଉଭୟ ସରକାର ଓ ଦଳୀୟ ନେତୃତ୍ୱ ବେଶ୍ ବିଚଳିତ। ଏଥି ପାଇଁ ଯେ, ମାନ୍ଦାବସ୍ଥା ସମାଜର ଦୁଇଟି ପ୍ରମୁଖ ବର୍ଗ- ଚାଷୀ ଓ ଯୁବକଙ୍କ ସମେତ ଆମ୍ ଆଦ୍ମୀଙ୍କ ଦୈନନ୍ଦିନ ଜୀବନଯାତ୍ରା ଓ ଜୀବିକାକୁ ପ୍ରଭାବିତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଯେ କୌଣସି ଶାସନ ବ୍ୟବସ୍ଥା, ବିଶେଷ କରି ଏକ ଜନପ୍ରତିନିଧି ମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅର୍ଥନୈତିକ ଅବସ୍ଥାର ରାଜନୈତିକ ପ୍ରଭାବକୁ ଅଣଦେଖା କରାଯାଇ ନପାରେ। ସାଂପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥାର ପ୍ରଭାବ ଦେଶର ରାଜନୈତିକ ଦୃଶ୍ୟପଟ ଉପରେ ଜଳ ଜଳ। ଅର୍ଥନୀତିରେ ଦେଖାଦେଇଥିବା ମନ୍ଥରତା ଫଳରେ କ୍ଷମତାସୀନ ଏନ୍ଡିଏ ମେଣ୍ଟ ବିରୋଧରେ ପ୍ରତିକୂଳ ରାଜନୈତିକ ପାଣିପାଗ ଦାନା ବାନ୍ଧୁଥିବାର ସୂଚନା ସ୍ପଷ୍ଟ। ସ୍ୱାଭାବିକ ଭାବେ ଏହା ପ୍ରତିପକ୍ଷ ବିରୋଧୀଙ୍କ ପାଇଁ ଅନୁକୂଳ ରାଜନୈତିକ ପାଣିପାଗର ସୂଚନା ଦେବା କଥା। ଏହି ସୂତ୍ର ଆଧାରରେ କେତେକ ମହଲରେ ଏହା ମଧ୍ୟ ଆକଳନ କରାଯାଉଛି ଯେ, ଅର୍ଥନୈତିକ ମାନ୍ଦାବସ୍ଥା ନେଇ ଦାନା ବାନ୍ଧୁଥିବା ରାଜନୈତିକ ପାଣିପାଗରେ ପରିବର୍ତ୍ତନର ସଂକେତ ମିଳିଛି ଓ ଏହା ଦେଶରେ ରାଜନୀତିର ବିଜେପି କୈନ୍ଦ୍ରିକ ମାନଚିତ୍ରକୁ ବଦଳାଇ ଦେବାର ସାମର୍ଥ୍ୟ ରଖୁଛି। ଅତି ମାତ୍ରାରେ ଆଶାବାଦରେ ଖୁନ୍ଦି ହୋଇଥିବା ଏ ଆକଳନ କିନ୍ତୁ ବାସ୍ତବତା ଠାରୁ ବହୁ ଦୂରରେ ଥିବା ଭଳି ମନେ ହେଉଛି।
ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅର୍ଥନୈତିକ ମାନ୍ଦାବସ୍ଥା ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ମେଣ୍ଟ ବିପକ୍ଷରେ ପ୍ରତିକୂଳ ରାଜନୈତିକ ପାଣିପାଗ ଦାନା ବାନ୍ଧୁଛି। କିନ୍ତୁ ଏହା ପ୍ରତିପକ୍ଷ ବିରୋଧୀଙ୍କ ପାଇଁ ଯେ ଏକ ଅନୁକୂଳ ପାଣିପାଗ ତିଆରି କରୁଛି ଏହାର କୌଣସି ସୂଚନା ପରିଲକ୍ଷିତ ହେଉନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିର ବିକଳ୍ପ ଭାବେ ଦେଶବାସୀ ଯେଉଁ ଆଶା ରଖୁଛନ୍ତି, କଂଗ୍ରେସ କିଂବା ଅନ୍ୟ ଅଣ-ବିଜେପି ଦଳ ମାନେ ଅନ୍ତତଃ ବର୍ତ୍ତମାନ ସୁଦ୍ଧା ସେ ଆଶା ପୂରଣ କରିବା ଭଳି କୌଣସି ଲକ୍ଷଣ ଦିଶୁ ନାହିଁ। ମାନ୍ଦାବସ୍ଥା ନେଇ ଜନ ଅସନ୍ତୋଷ ଯଦି ସରକାର ବିରୋଧୀ ଆକ୍ରୋଶର ରୂପ ନେଉ ନାହିଁ, ତେବେ ତା’ର କାରଣ ହେଉଛି ବିରୋଧୀ ପକ୍ଷ ଜନ ଅସନ୍ତୋଷକୁ ସରକାରଙ୍କ ଆଡ଼କୁ ମୁହାଁଇ ପାରୁ ନାହାନ୍ତି। ଆସନ୍ତା ଡିସେମ୍ବର୍ ବେଳକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘରୋଇ ମଇଦାନ ଗୁଜରାଟରେ ବିଧାନସଭା ପାଇଁ ନିର୍ବାଚନ ହେବାକୁ ଯାଉଛି। ନିଃସନ୍ଦେହ, ସେଠାରେ ମାନ୍ଦାବସ୍ଥା ଓ ଦୀର୍ଘ ଦିନ ଧରି କ୍ଷମତାରେ ଥିବା ବିଜେପି ସରକାରର ପ୍ରଦର୍ଶନ ନେଇ ଅସନ୍ତୋଷ ରହିଛି। କିନ୍ତୁ ଭୋଟରମାନେ ଏ ନେଇ ନିଶ୍ଚିତ ନୁହନ୍ତି ଯେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ କଂଗ୍ରେସ ଏକ ବିକଳ୍ପ ହୋଇପାରିବ। ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ସେଠାରେ ଦଳର ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। କିନ୍ତୁ ତା’ ପୂର୍ବରୁ ରାଜ୍ୟ କଂଗ୍ରେସ ବିଭାଜିତ ହୋଇଯାଇଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶଙ୍କର ସିଂହ ବାଘେଲା କଂଗ୍ରେସ ଛାଡ଼ି ଆଉ ଏକ ସାମ୍ମୁଖ୍ୟ ଗଠନ କରିଛନ୍ତି। ପଟ୍ଟିଦାରଙ୍କ ଅସନ୍ତୋଷକୁ ପୁଞ୍ଜି କରି କଂଗ୍ରେସ ନୂଆ ସୋସିଆଲ୍ ଇଂଜିନିୟରିଂ ମାଧ୍ୟମରେ ବିଜେପିର ମୁକାବିଲା ପାଇଁ ଯୋଜନା କରୁଥିବା ବେଳେ ଆଭ୍ୟନ୍ତରୀଣ କନ୍ଦଳ ଦଳକୁ ଏକ ଦୁର୍ବଳ ବିକଳ୍ପ ଭାବେ ଉପସ୍ଥାପନ କରୁଛି। ସେହିଭଳି ଗୁଜରାଟ ସହ ନିର୍ବାଚନକୁ ଯାଉଥିବା ଅନ୍ୟତମ ରାଜ୍ୟ ହିମାଚଳ ପ୍ରଦେଶରେ ମଧ୍ୟ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କୁ ବିଜେପିର ମୁକାବିଲା କରିବା ପୂର୍ବରୁ ପ୍ରଥମେ ପ୍ରଦେଶ କଂଗ୍ରେସ ମୁଖ୍ୟଙ୍କ ନେତୃତ୍ୱରେ ପରିଚାଳିତ ଅସନ୍ତୁଷ୍ଟ ଗୋଷ୍ଠୀ ସହ ଯୁଝିିବାକୁ ପଡ଼ିବ। ଏଥିରେ ବିଜେପି ବିରୋଧରେ ଦାନା ବାନ୍ଧୁଥିବା ପ୍ରତିକୂଳ ପାଣିପାଗ, ପ୍ରତିପକ୍ଷ ବିରୋଧୀଙ୍କ ପାଇଁ ଅନୁକୂଳ ପାଣିପାଗରେ ରୂପାନ୍ତରିତ ହେବ କେମିତି? ନଭେମ୍ବର୍- ଡିସେମ୍ବର୍ରେ ନିର୍ବାଚନ ହେବାକୁ ଥିବା ଗୁଜରାଟ, ହିମାଚଳ ପ୍ରଦେଶ ପରେ ୨୦୧୮ ମଧ୍ୟ ଭାଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି କେତେକ ରାଜ୍ୟରେ ମଧ୍ୟ ବିରୋଧୀଙ୍କ ଦୁର୍ବଳତା ଶାସକ ବିଜେପି ପାଇଁ ସବୁଠାରୁ ବଡ଼ ଢାଲ।
ତେଣୁ ସାଂପ୍ରତିକ ଅର୍ଥନୈତିକ ମାନ୍ଦାବସ୍ଥା ଜନିତ ଅସନ୍ତୋଷ ପ୍ରଧାନମନ୍ତ୍ରୀ ଓ ବିଜେପି ପାଇଁ ପ୍ରତିକୂଳ ରାଜନୈତିକ ପାଣିପାଗ ସୃଷ୍ଟି କରିଥିଲେ ସୁଦ୍ଧା ତାହା କ୍ଷମତାସୀନ ଦଳର ରାଜନୈତିକ ଭାଗ୍ୟ ଓ ଭବିଷ୍ୟତକୁ ସେହି ଅନୁପାତରେ ପ୍ରଭାବିତ କରିବା ସମ୍ଭାବନା କମ୍। ଏଥି ପାଇଁ ଶାସକ ପକ୍ଷର ସବୁଠାରୁ ବଡ଼ ରକ୍ଷା କବଚ ହେଲା, ଏକ ବିକଳ୍ପ ଭାବେ ବିରୋଧୀ ପକ୍ଷଙ୍କ ଉପରେ ଲୋକଙ୍କ ଭରସା ନପାଇବା। କୌଣସି ଗଣତନ୍ତ୍ର ପାଇଁ ଏହା ଏକ ଶୁଭ ସଂକେତ ନୁହେଁ। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଗୋଟିଏ ଶକ୍ତିଶାଳୀ ଶାସକ ପକ୍ଷ ଯେତିକି ଜରୁରୀ, ଗୋଟିଏ ଶକ୍ତିଶାଳୀ ବିରୋଧୀ ପକ୍ଷ ମଧ୍ୟ ତା’ଠାରୁ ଅଧିକ ଜରୁରୀ। ଅନ୍ୟଥା, ଗଣତନ୍ତ୍ରର ଛାଇରେ ସ୍ୱେଚ୍ଛାଚାରିତାକୁ ପ୍ରଶ୍ରୟ ମିଳେ। ସ୍ୱେଚ୍ଛାଚାରିତା ଉପରେ ଅଙ୍କୁଶ ଲଗାଇବା ଲାଗି ମାନ୍ଦାବସ୍ଥା ରାଜନୈତିକ ପାଣିପାଗରେ ଯେଉଁ ପରିବର୍ତ୍ତନ ଆଣିଛି, ତାହା ଏକ ବିକଳ୍ପ ଭାବେ ଉପସ୍ଥାପନ ପାଇଁ ବିରୋଧୀ ପକ୍ଷ ସକାଶେ ସୁଯୋଗ ସୃଷ୍ଟି କରିଛି। ଏ ସୁଯୋଗକୁ ଯଦି ବିରୋଧୀ ପକ୍ଷ ହାତଛଡ଼ା କରନ୍ତି (ଯାହାର ସବୁ ଲକ୍ଷଣ ଜଳ ଜଳ) ତେବେ ପ୍ରତିକୂଳ ରାଜନୈତିକ ପାଣିପାଗ ସତ୍ତ୍ୱେ ବିଜେପି କୈନ୍ଦ୍ରିକ ସ୍ଥିତାବସ୍ଥାରେ ପରିବର୍ତ୍ତନର ସମ୍ଭାବନା କ୍ଷୀଣ।