ଦର୍ପଣ: ଜଳବାୟୁ ପରିବର୍ତ୍ତନ ଭାରତର ଉନ୍ନତ ପ୍ରଦର୍ଶନ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ବରେ ଉଦ୍‍ବେଗଜନକ ସ୍ଥିତିରେ ପହଞ୍ଚିଥିବାରୁ ପରିବେଶ ସୁରକ୍ଷା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବା ଅପରିହାର୍ଯ୍ୟ ହୋଇପଡ଼ିଛି। ନିକଟରେ ତିନିଟି ‘ଏନ୍‍ଜିଓ’ ଦ୍ବାରା ମିଳିତ ଭାବେ ପ୍ରକାଶିତ ‘କ୍ଲାଇମେଟ୍ ଚେଞ୍ଜ୍‌ ପର୍‍ଫରମାନ୍‍ସ ଇନ୍‍ଡେକ୍‌ସ’ (ସିସିପିଆଇ) ବା ‘ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ’ରେ ଭାରତ ପ୍ରଥମ ଥର ପାଇଁ ବିଶ୍ବର ଶୀର୍ଷ ଦଶଟି ଦେଶ ମଧ୍ୟରେ ସ୍ଥାନ ପାଇଛି। ଜଳବାୟୁ ପରିବର୍ତ୍ତନକୁ ରୋକିବା ପାଇଁ ବିଭିନ୍ନ ଦେଶର ପଦକ୍ଷେପ ଓ ନୀତି ଆଧାରରେ ସେଗୁଡ଼ିକୁ ଏହି ତାଲିକାରେ ସ୍ଥାନ ଦିଆଯାଇଥାଏ। ଏ ବର୍ଷ ବିଶ୍ବର ୫୭ଟି ଦେଶ ଓ ୟୁରୋପୀୟ ସଂଘ ମଧ୍ୟରେ ଭାରତ ନବମ ସ୍ଥାନ ଅଧିକାର କରିଛି। ପୂର୍ବ ବର୍ଷ ଭାରତ ଏଥିରେ ଏକାଦଶତମ ସ୍ଥାନରେ ରହିଥିଲା। ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ମୁଖ୍ୟତଃ ଚାରିଟି ବର୍ଗର ପରିମାପକକୁ ନେଇ ପ୍ରତି ବର୍ଷ ଏହି ତାଲିକା ପ୍ରସ୍ତୁତ ହୋଇଥାଏ। ସେଗୁଡ଼ିକ ହେଲା- ସବୁଜ ଗ୍ୟାସ୍ ନିର୍ଗମନ, ନବୀକରଣଯୋଗ୍ୟ ଇନ୍ଧନ, ପରିବେଶ ନୀତି ଓ ଇନ୍ଧନ ବ୍ୟବହାର।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତରେ ମୁଣ୍ଡ ପିଛା ସବୁଜ ଗ୍ୟାସ ନିର୍ଗମନ ଓ ଇନ୍ଧନ ବ୍ୟବହାର ତୁଳନାତ୍ମକ ଭାବେ କମ୍ ରହିଛି। ନବୀକରଣଯୋଗ୍ୟ ଇନ୍ଧନ ବର୍ଗରେ ଭାରତ ମଧ୍ୟମ ପାହ୍ୟାରେ ରହିଥିବା ବେଳେ ପରିବେଶ ନୀତି ଭିତ୍ତିରେ ଭାରତ ଉଚ୍ଚ ସୋପାନରେ ରହିଛି। ନବୀକରଣଯୋଗ୍ୟ ଇନ୍ଧନ ବ୍ୟବହାର ନେଇ କେନ୍ଦ୍ର ସରକାରଙ୍କ ନୀତିକୁ ଏହି ରିପୋର୍ଟରେ ପ୍ରଶଂସା କରାଯାଇଛି। ତେବେ ପରିବେଶ ବିଶେଷଜ୍ଞଙ୍କ ମତ ଯେ ଭାରତକୁ ଜୀବାଶ୍ମ ଇନ୍ଧନ ଉପରୁ ଧୀରେ ଧୀରେ ନିର୍ଭରଶୀଳତା ହ୍ରାସ କରିବାକୁ ପଡ଼ିବ। ସେ ପରିପ୍ରେକ୍ଷୀରେ କୋଇଲା ବ୍ୟବହାରକୁ ବର୍ଜନ କରିବାକୁ ହେବ। ଏହି ତାଲିକାରେ ପ୍ରଥମ ତିନିଟି ସ୍ଥାନ ଖାଲି ରହିଛି, କାରଣ କୌଣସି ଦେଶ ଏହି ସ୍ଥାନ ଅଧିକାର କରିବା ପାଇଁ ଆବଶ୍ୟକ ଅଙ୍କ ହାସଲ କରିପାରି ନାହାନ୍ତି। ତେବେ ସ୍ବିେଡନ, ଡେନମାର୍କ ଓ ମରକ୍କୋ ଯଥାକ୍ରମେ ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଚାଇନିଜ ତାଇପେଇ, ସାଉଦି ଆରବ ଓ ଯୁକ୍ତରାଷ୍ଟ୍ର ଆମେରିକା ସବୁଠାରୁ ଖରାପ ପ୍ରଦର୍ଶନ ଯୋଗୁଁ ସର୍ବନିମ୍ନ ସ୍ଥାନ ଅଧିକାର କରିଛନ୍ତି।

ସମ୍ବନ୍ଧିତ ଖବର