କିଛିଦିନ ତଳେ ନ୍ୟୁଜିଲାଣ୍ଡର ପ୍ରଧାନ ମନ୍ତ୍ରୀ ଜାକିଣ୍ଡା ଆର୍ଡେନ୍ ଯେତେବେଳେ ନିଜ ସରକାରର ଦୁଇ ବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ କହିବା ପାଇଁ ୩ ମିନିଟ୍ରୁ କମ୍ ସମୟ ନେଲେ, ସେତେବେଳେ ତାହା ବିଶ୍ବବାସୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏକ ଭିଡିଓରେ ସେ ୯୨ ହଜାର ନିଯୁକ୍ତି ସୃଷ୍ଟିଠାରୁ ଆରମ୍ଭ କରି ‘ଜିରୋ କାର୍ବନ ବିଲ୍’ ପର୍ଯ୍ୟନ୍ତ ସମସ୍ତ ବିଷୟରେ ସଂକ୍ଷିପ୍ତ ତଥା ସୂଚନାଧର୍ମୀ ବିବରଣୀ ପ୍ରଦାନ କରିଥିଲେ। ନିଜର ଏହି ସଂକ୍ଷିପ୍ତ ଅବଧିର ଭିଡିଓକୁ ନେଇ ପ୍ରଧାନ ମନ୍ତ୍ରୀ ଆର୍ଡେନ୍ଙ୍କ ମନ୍ତବ୍ୟ ଆହୁରି ଆଶ୍ଚର୍ଯ୍ୟଜନକ ଥିଲା। ସେ କହିଥିଲେ, ଦୁଇବର୍ଷର କାର୍ଯ୍ୟକ୍ରମ ସମ୍ପର୍କରେ ୨ ମିନିଟ୍ରେ ବକ୍ତବ୍ୟ ରଖିବା ପାଇଁ ସହକର୍ମୀମାନେ ଆହ୍ବାନ ଜଣାଇଥିଲେ। ମାତ୍ର, ସେ ୨ ମିନିଟ୍ ୫୬ ସେକେଣ୍ଡ ନେଇଥିଲେ।
ପ୍ରଶ୍ନଉଠେ, ଆମ ରାଜ୍ୟରେ କିମ୍ବା ଦେଶରେ ଏହା କ’ଣ ସମ୍ଭବ ହୋଇପାରିବ? ନୋବେଲ ବିଜେତା ଅମର୍ତ୍ତ୍ୟ ସେନଙ୍କ ଭାଷାରେ ଆମେ ଭାରତୀୟମାନେ ପ୍ରଗଳ୍ଭ ଯୁକ୍ତିବାଦୀ ଏବଂ ଆମର ଯୁକ୍ତି ଉପସ୍ଥାପନ ହେଉଛି ଆମ ଦୁର୍ବଳତାର ପାର୍ଶ୍ବ ପ୍ରତିକ୍ରିୟା। କେହିକେହି ପରିହାସ ଛଳରେ କୁହନ୍ତି, ଜାପାନୀମାନେ କାମ ନକଲେ ରହିପାରିବେ ନାହିଁ, ଚୀନାମାନେ ଜୁଆଡ଼ି ନ େହଲେ ରହିପାରିବେ ନାହିଁ, ନିଜକୁ ଶ୍ରେଷ୍ଠ ନଭାବିଲେ ବ୍ରିଟିସମାନେ ରହିପାରିବେନି; ମାତ୍ର, ଯଦି ଦୀର୍ଘ ସମୟ କଥା ନ କହିବେ ତାହାହେଲେ ଜଣେ ଭାରତୀୟ ରହିପାରିବ ନାହିଁ। ମିଳିତ ଜାତିସଂଘରେ ସର୍ବାଧିକ ସମୟ ବକ୍ତବ୍ୟ ରଖିବାର ରେକର୍ଡ ଜଣେ ଭାରତୀୟଙ୍କ ନାଁରେ ହିଁ ରହିଛି। ୧୯୫୭ ମସିହାରେ ଭି.କେ. କ୍ରିଷ୍ଣାମେନନ୍ କାଶ୍ମୀର ପ୍ରସଙ୍ଗରେ ଭାରତର ଭୂମିକାକୁ ଯଥାର୍ଥ ଦର୍ଶାଇବାକୁ ଯାଇ ପାଖାପାଖି ୮ ଘଣ୍ଟା ଧରି ଭାଷଣ ଦେଇଥିଲେ। କହିବା ବାହୂଲ୍ୟ, ମତ ଓ ମନ୍ତବ୍ୟକୁ ଦୀର୍ଘ କରିବା ଆମ ମାନସିକତାର ଅଂଶବିଶେଷ। ଏହି ମାନସିକତା କେବଳ ବ୍ୟକ୍ତିଗତ ସ୍ତରରେ ସୀମିତ ନୁହେଁ, ବରଂ ପ୍ରଗଳ୍ଭତା ଆମର ଶାସନ ବ୍ୟବସ୍ଥା ସହିତ ଜଡ଼ିତ। ସାଧାରଣ ସଭାର ଭାଷଣଠାରୁ ଅାରମ୍ଭ କରି ବିଧାନସଭା କି ଲୋକସଭା ବିତର୍କ ପର୍ଯ୍ୟନ୍ତ ଆମର ଅଧିକାଂଶ ବକ୍ତବ୍ୟ ଦୀର୍ଘ ହୋଇଥାଏ। ଆମର କମିସନ୍ ଓ କମିଟି ଗୁଡ଼ିକର ରିପୋର୍ଟ ମଧ୍ୟ ବିରାଟକାୟ ହୋଇଥାନ୍ତି। କମ୍ ସମୟରେ ବେଶି କାର୍ଯ୍ୟ କରିବାର ମାନସିକତାକୁ ସାରା ବିଶ୍ବ ଗ୍ରହଣ କରୁଥିବା ବେଳେ ଆମ ଦେଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଆସୁଛି।
ବିଭିନ୍ନ ଦେଶ ଏବଂ ବଡ଼ ବଡ଼ କମ୍ପାନି ଗୁଡ଼ିକ ଏବେ ଚାରିଦିନିଆ କାର୍ଯ୍ୟସପ୍ତାହ ଫର୍ମୁଲାର ପ୍ରୟୋଗ କରୁଥିବା ଦେଖିବାକୁ ମିଳୁଛି। ବିଶ୍ବର ଏକ ପ୍ରମୁଖ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନି ‘ମାଇକ୍ରୋସଫ୍ଟ’ର ଜାପାନ ଶାଖାରେ ଗତ ଅଗଷ୍ଟ ମାସରେ ଏକ ପରୀକ୍ଷା କରାଯାଇଥିଲା, ଯେଉଁଥିରେ ନିୟମିତ କର୍ମଚାରୀମାନଙ୍କୁ ସପ୍ତାହକୁ ଚାରି ଦିନ କାମ କରିବାକୁ କୁହାଯାଇଥିଲା। ଏହି ସମୟରେ କର୍ମଚାରୀମାନେ ‘ଅନ୍ଲାଇନ୍’ ଜରିଆରେ କଥାବାର୍ତ୍ତା କଲେ। ଦେଖାଗଲା ଯେ ସେହି ମାସରେ ପ୍ରତି କର୍ମଚାରୀ ତାଙ୍କ ବିକ୍ରିରେ ୪୦% ଅଭିବୃଦ୍ଧି ଦେଖାଇଛନ୍ତି। ଏବେ ଜାପାନରେ ବାର୍ଦ୍ଧକ୍ୟ ହେତୁ ବିଦାୟ ନେଉଥିବା କର୍ମଚାରୀଙ୍କ ତୁଳନାରେ କମ୍ ସଂଖ୍ୟକ ତରୁଣ କର୍ମଚାରୀ ପ୍ରବେଶ କରୁଥିବାରୁ ମାନବସମ୍ବଳଜନିତ ଏକ ସଂକଟ ଦେଖାଦେଇଛି। ଏହି କାରଣରୁ କର୍ମଚାରୀମାନେ ଅଧିକ ସମୟ କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି। କିନ୍ତୁ, ଏହାଦ୍ବାରା କର୍ମଚାରୀମାନଙ୍କ ପ୍ରଦର୍ଶନ ଆଶାନୁରୂପକ ହେଉନାହିଁ। କେବଳ ମାଇକ୍ରୋସଫ୍ଟ ନୁହେଁ, ପ୍ରଚଳିତ ଜ୍ଞାନକୌଶଳ ଉତ୍ପାଦକତା ବୃଦ୍ଧି ପାଇଁ ବିଭିନ୍ନ ନୂଆନୂଆ ପଦକ୍ଷେପ ଗ୍ରହଣ କରୁଥିବେଳେ ଅନ୍ୟାନ୍ୟ ବଡ଼ବଡ଼ କମ୍ପାନି ସମେତ ବହୁ ରାଷ୍ଟ୍ର ଏବେ ସପ୍ତାହିକୀ ୪ ଦିନ କାର୍ଯ୍ୟ ଉପରେ ଅଗ୍ରାଧିକାର ଦେଉଛନ୍ତି। ଏହି ପ୍ରସଙ୍ଗରେ ଜେ.ଏମ୍ କେନ୍ସଙ୍କର ଏକ ଉକ୍ତି ମନେପଡ଼େ। ୧୯୩୦ ମସିହା ବେଳକୁ ସାରାବିଶ୍ବର ଅର୍ଥନୀତିରେ ମହାମାନ୍ଦା ଅବସ୍ଥା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି କେନ୍ସ ଭବିଷ୍ୟବାଣୀ କରିଥିଲେ ଯେ, ଶହେ ବର୍ଷ ଭିତରେ କାର୍ଯ୍ୟସପ୍ତାହ ୧୫ ଘଣ୍ଟାକୁ ସୀମିତ ହୋଇଯିବ। ଅର୍ଥାତ୍ ଦୈନିକ କାର୍ଯ୍ୟ ନିର୍ଘଣ୍ଟ ହେବ ୨ ଘଣ୍ଟାରୁ ସାମାନ୍ୟ ଅଧିକ। କେନ୍ସଙ୍କ ଯୁକ୍ତି ଥିଲା ଯେ, ଶିଳ୍ପାୟନ ବୃଦ୍ଧି ହେବ ଏବଂ ଅଧିକ କୁଶଳ କାର୍ଯ୍ୟ ବିଧି ତଦନୁଯାୟୀ ବୃଦ୍ଧି ପାଇବ। ଯେଉଁ କର୍ମଚାରୀ ପର୍ଯାପ୍ତ ଅର୍ଥ ରୋଜଗାର କରୁଛନ୍ତି, ସେ ଘରେ ଅଧିକ ସମୟ ଅତିବାହିତ କରିବାକୁ ଚାହିଁବେ। ସେମାନଙ୍କ କାମ ସପ୍ତାହର ଦୁଇରୁ ତିନି ଦିନକୁ ଖସି ଆସିବ। କେନ୍ସଙ୍କ କଥା ଏବେ କେତେକ ଦେଶରେ ସତ ହେବାକୁ ଯାଉଛି। ମାତ୍ର, ଆମ ଦେଶରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ଦୈନିକ କାର୍ଯ୍ୟସମୟ ୯ ଘଣ୍ଟାକୁ ବୃଦ୍ଧି କରିବା ପାଇଁ ଚିନ୍ତା କରିଛନ୍ତି। ଏହାର ଗୋଟିଏ ବଡ଼ କାରଣ ହୋଇପାରେ ଯେ ଭାରତୀୟମାନେ ଅଧିକ ସମୟ ରହିଲେ ମଧ୍ୟ ଅଫିସ୍ରେ ଖୁବ୍ କମ୍ ସମୟ କାମ କରିଥାଆନ୍ତି।
ସେ ଯାହା ହେଉ, ଆଗାମୀ ଦିନରେ ପରିବର୍ତ୍ତନର ରୂପରେଖ କିଭଳି ହେବ, ତାହା ଆକଳନ କରିବା କଷ୍ଟ। କିନ୍ତୁ, ବ୍ୟକ୍ତିଗତ ହେଉ କିମ୍ବା ସାମୂହିକ ଭାବେ ରାଷ୍ଟ୍ରର ଶାସନକ୍ଷେତ୍ରରେ ହେଉ, ବର୍ତ୍ତମାନ ‘ଦୀର୍ଘ’ ହିଁ ଭାରତର ଅନୁମୋଦିତ ଅବସ୍ଥା। ଆର୍ଡେନୀୟ ମନ୍ତବ୍ୟ ଆମ ଦେଶରେ ଗ୍ରହଣୀୟ ହେବା କଷ୍ଟକର!
ଦେଉଳପଡ଼ା, କେନ୍ଦ୍ରାପଡ଼ା
[email protected]