ନିଷ୍ଫଳ ନଡ଼ିଆ

୨୦୧୦ରେ ଦିନେ ଚେନ୍ନାଇର ସରଳା ଗୋପାଳନ ବେସାନ୍ତ ନଗର ବେଳାଭୂମି ନିକଟସ୍ଥ ଏକ ହିନ୍ଦୁ ମନ୍ଦିରରେ ୧୦୮ଟି ନଡ଼ିଆ ଭାଙ୍ଗିବା ଦେଖା ଯାଇଥିଲା। ଗତ ରବିବାର ଦିନ ଆମେରିକାର ଏକ ପ୍ରମୁଖ ସମ୍ବାଦପତ୍ରରେ ଏ ଖବର ପ୍ରକାଶିତ ହୋଇଥିଲା। ଏହି ଜଣାଶୁଣା ଛାମୁହାଁ ଉଦାରବାଦୀ ସମ୍ବାଦପତ୍ରରେ ହିନ୍ଦୁମାନଙ୍କୁ ଖୁସି କଲା ଭଳି ଏପରି ଏକ ଖବର ସ୍ଥାନ ପାଇବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆମେରିକାର ରାଷ୍ଟ୍ରପତି ନିର୍ବାଚନକୁ ଆଉ ପ୍ରାୟ ମାତ୍ର ୧୧ ସପ୍ତାହ ବାକି ଅଛି। ଆମେରିକାରେ ବାସ କରୁଥିବା ପ୍ରାୟ ୪୦ ଲକ୍ଷ ଭାରତୀୟ ମୂଳର ଅଧିବାସୀମାନଙ୍କ ମଧୢରୁ ଅଧିକା˚ଶ ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀ। ସମ୍ବାଦପତ୍ରଟି ନିର୍ବାଚନରେ ସ୍ପଷ୍ଟ ରୂପେ ଯେଉଁ ପକ୍ଷକୁ ସମର୍ଥନ କରେ ସେମାନେ ହେଉଛନ୍ତି ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ ଦ୍ବୟ- ଜୋ ବାଇଡେନ୍‌ ଓ କମଳା ହ୍ୟାରିସ୍‌। ସରଳା ଗୋପାଳନ୍‌ ହେଉଛନ୍ତି କମଳା ଦେବୀଙ୍କ ସ୍ବର୍ଗୀୟା ମାତା ଶ୍ୟାମଳା ଗୋପାଳନ୍‌ଙ୍କ ସୂତ୍ରରୁ କମଳାଙ୍କ ସମ୍ପର୍କୀୟା। ୨୦୧୦ରେ କମଳା ଯେତେବେଳେ କାଲିଫର୍ଣ୍ଣିଆର ଆଟର୍ଣ୍ଣି ଜେନେରାଲ୍‌ ପଦ ପାଇଁ ନିର୍ବାଚନ ଲଢ଼ୁଥିଲେ, ସେଥିରେ ବିଜୟ ଲାଭ କରିବା ପାଇଁ ସେ ଏପରି ହିନ୍ଦୁସୁଲଭ ୧୦୮ ନଡ଼ିଆ ଭଙ୍ଗା କୌଶଳ ଅବଲମ୍ବନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସେ ଏଥିରେ ଐତିହାସିକ ବିଜୟ ଲାଭ କରିବାରେ ସଫଳ ହୋଇଥିଲେ।

କମଳା ହ୍ୟାରିସ୍‌ ଡେମୋକ୍ରାଟିକ୍‌ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ରୂପେ ଆବିର୍ଭୂତ ହେବା ପରେ ତାଙ୍କ ସମ୍ବନ୍ଧରେ ଅନେକ ତଥ୍ୟ ବର୍ତ୍ତମାନ ସର୍ବଜନ ବିଦିତ। ଏହି ୫୫ ବର୍ଷୀୟା ବିଚକ୍ଷଣ ରାଜନେତାଙ୍କ ମାତା ଥିଲେ ଜଣେ କ୍ୟାନ୍‌ସର‌୍‌ ଗବେଷିକା, ପିତା ଡୋନାଲ୍‌ଡ ହ୍ୟାରିସ୍‌ ଥିଲେ ଜାମାଇକାରୁ ଆସିଥିବା ଜଣେ କୃଷ୍ଣକାୟ ନିଗ୍ରୋ, ଯିଏ ଥିଲେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟର ଜଣେ ଅର୍ଥଶାସ୍ତ୍ର ଅଧୢାପକ ଓ ଖ୍ରୀଷ୍ଟଧର୍ମାବଲମ୍ବୀ (ବିବାହର ପାଞ୍ଚବର୍ଷ ପରେ ସେମାନଙ୍କର ବିଚ୍ଛେଦ ଘଟିଥିଲା), କମଳା ବିବାହ କରିଛନ୍ତି ଜଣେ ଇହୁଦୀଙ୍କୁ। କମଳା ହ୍ୟାରିସ୍‌ ତାଙ୍କର ରାଜନୈତିକ କ୍ୟାରିଅର‌୍‌ ଆରମ୍ଭ ସମୟରୁ ନିଜକୁ ସର୍ବଦା ଜଣେ କୃଷ୍ଣକାୟା ମହିଳା ରୂପେ ଉପସ୍ଥାପନ କରି ଆସିଛନ୍ତି। ଏଣୁ ଏବେ ହଠାତ୍‌ ତାଙ୍କର ଭାରତୀୟ ଓ ହିନ୍ଦୁ ମୂଳ ପ୍ରଦର୍ଶନ କରିବା ପାଇଁ ହେଉଥିବା ଉଦ୍ୟମ ଆଶ୍ଚର୍ଯ୍ୟଜନକ ନହେଲେ ମଧୢ ନିଶ୍ଚିତ ରୂପେ ଆମୋଦଦାୟକ। ଏହି ଉଦ୍ୟମକୁ ଆଉ ଟିକେ ଆଗେଇ ନେଇ ଏବେ ବାଇଡେନ୍‌-ହ୍ୟାରିସ୍‌ ଯୋଡ଼ି ଘୋଷଣା କରିବା ଦେଖା ଯାଇଛି ଯେ ଭାରତ ସୀମାନ୍ତରେ ଯଦି କେବେ ସ˚ଘର୍ଷର ସୂତ୍ରପାତ ହୁଏ, ସେତେବେଳେ ସେମାନଙ୍କ ପ୍ରଶାସନ ଅଧୀନ ଆମେରିକା ଭାରତକୁ ସମର୍ଥନ କରିବ। ଭାରତ ପ୍ରତି ଏମାନଙ୍କର ଏପରି ସଦିଚ୍ଛା ପ୍ରକାଶ ନିଃସନ୍ଦେହରେ ବେଶ୍‌ ଶ୍ରୁତିମଧୁର। କିନ୍ତୁ ଏହା କେତେଦୂର ନିର୍ବାଚନୀ ଉଚ୍ଚାରଣ ଓ କେତେ ଦୂର ଆନ୍ତରିକତାପୂର୍ଣ୍ଣ, ତାହା ଆକଳନ କରିବା ପାଇଁ ଆମକୁ ଟିକେ ପଛକୁ ଫେରିଯିବାକୁ ହେବ।

୨୦୧୯ ଡିସେମ୍ବରରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର ଆମେରିକା ଗସ୍ତ ସମୟରେ ସେଠାକାର ‘ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ’ର ‘ଫରେନ୍‌ ଆଫେୟାର‌୍‌ସ କମିଟି’ର ଚେଆର‌୍‌ମ୍ୟାନ୍‌ଙ୍କ ସମେତ କେତେକ ପ୍ରମୁଖ ସଦସ୍ୟଙ୍କ ସହିତ ଏକ ସାକ୍ଷାତ୍‌କାରକୁ ବାତିଲ କରିଦେଇ ଆଲୋଡ଼ନ ସୃଷ୍ଟି କରିଥିଲେ। ଏହାର କାରଣ ଥିଲା ଯେ ଏହି ହାଉସ୍‌ କମିଟି ସଦସ୍ୟମାନଙ୍କ ଗହଣରେ ଅନ୍ୟତମ ସଦସ୍ୟା ପ୍ରମିଳା ଜୟପାଲଙ୍କ ଉପସ୍ଥିତି। ଅଳ୍ପଦିନ ପୂର୍ବେ ଭାରତକୁ ତୀବ୍ର ସମାଲୋଚନା କରି ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ଯେଉଁ ପ୍ରସ୍ତାବ ଦୁଇଟି ଗୃହୀତ ହୋଇଥିଲା ସେଗୁଡ଼ିକ ଆଗତ କରିବାରେ ପ୍ରମିଳା ଜୟପାଲ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ଜୟଶଙ୍କର କହିଥିଲେ ଯେ ସେ କୌଣସି ପ୍ରସଙ୍ଗରେ ମନ ଖୋଲା ରଖିଥିବା ବ୍ୟକ୍ତିଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ତୁତ, କିନ୍ତୁ ପୂର୍ବରୁ ନିଜ ମନ ସ୍ଥିର କରି ସାରିଥିବା ଲୋକଙ୍କ ସହିତ ଆଲୋଚନା କରିବା ନିରର୍ଥକ। ଉଭୟ ‘ସିଏଏ’ ଏବ˚ କାଶ୍ମୀର ପ୍ରସଙ୍ଗରେ ଭାରତ ପ୍ରତି ଵାସିଙ୍ଗଟନ୍‌ ରାଜ୍ୟର ଡେମୋକ୍ରାଟିକ୍‌ ପାର୍ଟି ପ୍ରତିନିଧି ପ୍ରମିଳା ଜୟପାଲ କିପରି ନିଜର ମନୋଭାବ କଠିନ କରିସାରିଥିଲେ ତାହା ସେ ଭାରତକୁ ଭର୍ତ୍ସନା କରି ଗୃହରେ ଆଣିଥିବା ପ୍ରସ୍ତାବରୁ ସ୍ପଷ୍ଟ ହୋଇଥାଏ।

ଏହି ସ˚କଳ୍ପରେ କୁହାଯାଇଥିଲା ଯେ ଭାରତ କାଶ୍ମୀରରେ ଚଳାଇଥିବା ମନମୁଖୀ ଅଟକ, ବେସାମରିକ ନାଗରିକମାନଙ୍କ ପ୍ରତି ଅତ୍ୟଧିକ ବଳପ୍ରୟୋଗ, ଶାନ୍ତିପୂର୍ଣ୍ଣ ଅସନ୍ତୋଷ ପ୍ରଦର୍ଶନ ଦମନକୁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ ପ୍ରତ୍ୟାଖ୍ୟାନ କରୁଛି। ସେଇ ସ˚କଳ୍ପରେ ନିରାପତ୍ତା ରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ କରିବା ସମୟରେ ସବୁ ଲୋକଙ୍କର ମାନବାଧିକାର ରକ୍ଷା କରିବା ସହିତ ଆନ୍ତର୍ଜାତିକ ମାନବାଧିକାର ଆଇନ ପାଳନ କରିବା ପାଇଁ ଭାରତ ସରକାରଙ୍କୁ ଆହ୍ବାନ ଦିଆଯାଇଥିଲା। ସେଥିରେ ମଧୢ କାଶ୍ମୀରରେ ସମସ୍ତ ପ୍ରକାର ଯୋଗାଯୋଗ ବ୍ୟବସ୍ଥା ପୁଣି ସକ୍ରିୟ କରିବା ପାଇଁ ଏବ˚ ସମଗ୍ର ଅଞ୍ଚଳରେ ଇଣ୍ଟର‌୍‌ନେଟ୍‌ ସୁବିଧା ତୁରନ୍ତ ଯୋଗାଇ ଦେବା ପାଇଁ ଭାରତ ସରକାରଙ୍କୁ ଜୋର‌୍‌ ଦେଇ କୁହାଯାଇଥିଲା।

ପୁଣି, ଗିରଫ ହୋଇଥିବା ଲୋକମାନଙ୍କୁ କୌଣସି ପ୍ରକାର ଧମକଚମକ ନଦେବା ପାଇଁ ଏବ˚ ମନମୁଖୀ ଭାବରେ ଗିରଫ ହୋଇଥିବା ଲୋକମାନଙ୍କୁ ତତ୍‌କ୍ଷଣାତ୍‌ ଖଲାସ କରିଦେବା ପାଇଁ ଭାରତ ସରକାରଙ୍କୁ କୁହାଯାଇଥିଲା। ଏପରିକି ସମ୍ପୂର୍ଣ୍ଣ ଅନଧିକାର ଚର୍ଚ୍ଚା କରି ସ˚କଳ୍ପରେ ଭାରତ ସରକାରଙ୍କୁ ଚେତାବନୀ ଦେବା ଭଳି ଗିରଫ ଲୋକମାନଙ୍କୁ ଖଲାସ କରିବା ପାଇଁ କୌଣସି ସର୍ତ୍ତ ନରଖିବାକୁ କୁହାଯାଇଥିଲା। ଅର୍ଥାତ୍‌ ଖଲାସ ହେବା ପରେ ସେମାନେ ଯଦି କୌଣସି ରାଜନୈତିକ କାର୍ଯ୍ୟକଳାପରେ ଭାଗ ନିଅନ୍ତି କିମ୍ବା ଭାଷଣବାଜି କରନ୍ତି, ତେବେ ସରକାର ଯେପରି ସେଥିରେ ହସ୍ତକ୍ଷେପ ନ କରନ୍ତି, ସେ ନେଇ ସ˚କଳ୍ପରେ ଭାରତ ସରକାରଙ୍କୁ ସାବଧାନ କରି ଦିଆଯାଇଥିଲା। ଆନ୍ତର୍ଜାତିକ ମାନବାଧିକାର ପର୍ଯ୍ୟବେକ୍ଷକ ଓ ସାମ୍ବାଦିକମାନଙ୍କୁ କାଶ୍ମୀରରେ ପ୍ରବେଶ କରିବାକୁ ଏବ˚ ଅବାଧ ଭ୍ରମଣ କରିବାକୁ ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରିବାକୁ ଭାରତ ସରକାରଙ୍କୁ ସ˚କଳ୍ପରେ ଆହ୍ବାନ ଦିଆଯାଇଥିଲା। ଭାରତରେ ଦେଖାଯାଉଥିବା ସମସ୍ତ ପ୍ରକାର ଧର୍ମୀୟ ହି˚ସା ଓ ସ˚ଖ୍ୟାଲଘୁମାନେ ସମ୍ମୁଖୀନ ହେଉଥିବା ହି˚ସାକୁ ସର୍ବୋଚ୍ଚ ସ୍ତରରେ ନିନ୍ଦା କରାଯାଉଛି ବୋଲି ସ˚କଳ୍ପରେ କୁହାଯାଇଥିଲା।

ଡେମୋକ୍ରାଟିକ୍‌ ପାର୍ଟି ସଦସ୍ୟ ଆଣିଥିବା ଏହି ସ˚କଳ୍ପ ଯଦି ଯଥେଷ୍ଟ ନଥିଲା, ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ କାଶ୍ମୀର, ସିଏଏ, ତଥା ଜାତୀୟ ନାଗରିକ ପଞ୍ଜିକା ବିରୋଧରେ ବିଷୋଦ୍‌ଗାରକୁ ସର୍ବୋଚ୍ଚ ସ୍ତରରେ ପହଞ୍ଚାଇଛନ୍ତି। ସେ ସ˚କଳ୍ପକୁ ଅନୁସରଣ କଲାଭଳି ଉପରୋକ୍ତ ପ୍ରସଙ୍ଗମାନଙ୍କରେ ଭାରତକୁ ଭର୍ତ୍ସନା କରିବା ସହ ପ୍ରବଚନ ଶୁଣାଇଛନ୍ତି ଯେ ଭାରତ ଗ୍ରହଣ କରିଥିବା ଉପରୋକ୍ତ ପଦକ୍ଷେପମାନ ଭାରତର ଧର୍ମ ନିରପେକ୍ଷତାର ଦୀର୍ଘ ପରମ୍ପରା ଏବ˚ ଏକ ବହୁ-ଜାତି, ବହୁ-ଧର୍ମ ବିଶିଷ୍ଟ ଗଣତନ୍ତ୍ରକୁ ବଜାୟ ରଖିବା ସହିତ ଖାପ ଖାଇନଥାଏ। ସେଇ ସମୟରେ ବର୍ତ୍ତମାନର ଉପରାଷ୍ଟ୍ରପତି ପ୍ରାର୍ଥୀ କମଳା ଦେବୀ ହ୍ୟାରିସ୍‌ କିଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ ଦେଖାଯାଉ। ସେ ଜୟଶଙ୍କରଙ୍କ ପଦକ୍ଷେପକୁ ନିନ୍ଦା କରି କହିଥିଲେ ଯେ ଏକ ହାଉସ କମିଟିର କୌଣସି ସଦସ୍ୟଙ୍କର ଏକ ବୈଠକରେ ଉପସ୍ଥିତିକୁ ବିରୋଧ କରିବାର ଅଧିକାର କୌଣସି ବିଦେଶୀ (ଭାରତ) ସରକାରଙ୍କର ନାହିଁ। କମଳା ସେତେବେଳେ ପ୍ରମିଳା ଜୟପାଲଙ୍କ କାର୍ଯ୍ୟକୁ ସମ୍ପୂର୍ଣ୍ଣ ସମର୍ଥନ କରି ସନ୍ତୋଷ ପ୍ରକାଶ କରିଥିଲେ ଯେ ହାଉସ୍‌ କମିଟିର ଅନ୍ୟ ସଦସ୍ୟମାନେ ପ୍ରମିଳାଙ୍କ ସହିତ ଛିଡ଼ା ହୋଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ସହିତ ପ୍ରମିଳାଙ୍କ ବିନା ସାକ୍ଷାତ କରିନଥିଲେ। କହିବା ବାହୁଲ୍ୟ ଭାରତର ସାର୍ବଭୌମତ୍ବ ଓ ନିରାପତ୍ତା ପାଇଁ ଚରମ ଗୁରୁତ୍ବ ବହନ କରୁଥିବା ଉପରୋକ୍ତ ପ୍ରସଙ୍ଗମାନଙ୍କ ପ୍ରତି ଡେମୋକ୍ରାଟିକ୍‌ ପାର୍ଟି ଓ ଜୋ ବାଇଡେନ୍‌ ଏବ˚ କମଳା ହ୍ୟାରିସ୍‌ଙ୍କର ଆଭିମୁଖ୍ୟ ଯେ ସ୍ପଷ୍ଟରୂପେ ଭାରତର ସ୍ବାର୍ଥ ବିରୋଧୀ, ତାହା ଉପରବର୍ଣ୍ଣିତ ଘଟଣାରୁ ସାବ୍ୟସ୍ତ ହୋଇଥାଏ। ଏବେ କମଳାଙ୍କ ୧୦୮ ନଡ଼ିଆ ଭଙ୍ଗା କାହାଣୀ ଯେତେ ଦୋହରାଇଲେ ମଧୢ ଆମେରିକାରେ ଥିବା ଭାରତୀୟ ତଥା ଭାରତରେ ଥିବା ଭାରତୀୟମାନଙ୍କ ଠାରୁ ଏହି ସତ୍ୟକୁ ଲୁଚାଇ ରଖିହେବ ନାହିଁ।

ସମ୍ବନ୍ଧିତ ଖବର