ଅସଲି ‘ସିନିକ୍‌’

ରାସ୍ତା କଡ଼ରେ କଡ଼ପଟିଆ ହୋଇ ପଡ଼ିଥିବା ଏକ ଖାଲି ପିମ୍ପା ଭିତରେ ବସି ଖରା ପୋଉଁଥିବା ଭିକାରି ଜଣଙ୍କୁ ଦିଗ୍‌ବିଜୟୀ ଗ୍ରୀକ୍‌ ବୀର ଆଲେକ୍‌ଜାଣ୍ତର‌୍‌ କହିଲେ: ତୁମର ଯାହା ଇଚ୍ଛା ମାଗ, ମୁଁ ତୁମର ଇଚ୍ଛା ପୂରଣ କରିବି। ଭିକାରି ଜଣକ ଆଲେକ୍‌ଜାଣ୍ତର‌୍‌ଙ୍କ ଠାରୁ ଯାହା ମାଗିଲେ, ତାହା ଏହିପରି ଥିଲା: ତୁମେ ମୋ ଖରାକୁ ଅଟକାଉଛ, ଟିକେ ହଟି ଯାଅ। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀ ସମୟର ଏଥେନ୍‌ସ ନଗରୀରେ। ଏବେ ଏକବି˚ଶ ଶତାବ୍ଦୀର ଦ୍ବିତୀୟ ଦଶକର ଶେଷ ବର୍ଷର ଆରମ୍ଭ ସମୟର ଏହି ଦୃଶ୍ୟଟି ପ୍ରତି ଧୢାନ ଦିଆଯାଉ। ସ୍ଥାନ ପୁରୀ ଶ୍ରୀମନ୍ଦିର ସମ୍ମୁଖସ୍ଥ ବଡ଼ଦାଣ୍ତ ଧାର। ସେଠାରେ ଭିକ୍ଷା ଥାଳ ଧରି ବସିଥିବା ଭିକାରି ଜଣଙ୍କୁ ଟେଲିଭିଜନ କ୍ୟାମେରାଧାରୀ ସାମ୍ବାଦିକମାନେ ଜଣେ ସେଲିବ୍ରିଟି ଭଳି ମର୍ଯ୍ୟାଦା ଦେଇ ତାଙ୍କ ଠାରୁ ‘ବାଇଟ୍‌’ ନେଇ ତାଙ୍କର ପ୍ରଚାର କରିବାର ପ୍ରଲୋଭନ ଦେଖାଇବା ପରେ ଭିକାରି ଜଣକ ସେମାନଙ୍କୁ ଏକ ସମୟରେ କହିବା ଦେଖାଯାଇଥିଲା: ତୁମେ ମୋର ଭିକ୍ଷାକୁ ଅଟକାଉଛ, ଟିକେ ହଟି ଯାଅ।
ପ୍ରଥମ ଘଟଣାରେ ଭିକାରି ଜଣକ ଥିଲେ ନେତିବାଦ ବା ‘ସିନିସିଜ୍‌ମ୍‌’ର ଅନ୍ୟତମ ପ୍ରମୁଖ ପ୍ରବକ୍ତା ଗ୍ରୀକ୍‌ ଦାର୍ଶନିକ ଡାୟୋଜିନିସ୍‌। ଦ୍ବିତୀୟ ଘଟଣାର ଭିକାରି ରୂପକ ନାୟକ ଏବେ ଆଉ କାହା ପାଇଁ ଅପରିଚିତ ନୁହଁନ୍ତି- ଇଞ୍ଜିନିଅର ଗିରିଜା ଶଙ୍କର ମିଶ୍ର। ସେ ହେଉଛନ୍ତି ପୁରୀ ପୁଲିସ୍‌ର ଆବିଷ୍କାର, ଠିକ୍‌ ଯେମିତି ୨୦୧୬ରେ ମଧୢପ୍ରଦେଶର ବେତୁଲ୍‌ ପୁଲିସ୍‌ ଆବିଷ୍କାର କରିଥିଲା ବନବାସୀ ଇଞ୍ଜିନିଅର ଆଲୋକ ସାଗରଙ୍କୁ। ୧୯୫୦ରେ ଜନ୍ମିତ ଡକ୍ଟର‌୍‌ ସାଗର ମର୍ଯ୍ୟାଦାଜନକ ଦିଲ୍ଲୀ ଆଇଆଇଟିରେ ଇଲେକ୍ଟ୍ରିକାଲ୍‌ ଇଞ୍ଜିନିଅରିଙ୍ଗ୍‌ ବିଭାଗରେ ପ୍ରଫେସର ପଦ ତ୍ୟାଗ କରି ମଧୢପ୍ରଦେଶର ବନସ୍ତ ଭିତରକୁ ପଳାୟନ କରିବା ପୂର୍ବରୁ ସେଇ ଦିଲ୍ଲୀ ଆଇଆଇଟି, ଆମେରିକାର ହ୍ୟୁଷ୍ଟନ୍‌ସ୍ଥିତ ଖ୍ୟାତନାମା ରାଇସ୍‌ ୟୁନିଭର୍ସିଟି ଏବ˚ କାନାଡ଼ାର ଡେଲ୍‌ହାଉସି ୟୁନିଭର୍ସିଟିରେ ଉଚ୍ଚଶିକ୍ଷା ଓ ଗବେଷଣା ସମାପ୍ତ କରିଥିଲେ। ଧନ ସମ୍ପଦ, ଯଶଖ୍ୟାତି ପ୍ରତି ବୀତସ୍ପୃହ ହୋଇ ଆଲୋକ ସାଗର ଆଧୁନିକ ଜୀବନଶୈଳୀ ତ୍ୟାଗ କରି ଜଙ୍ଗଲ ଭିତରେ ଆଦିବାସୀମାନଙ୍କ ମେଳରେ କାଳ କାଟିବା ସହିତ ପରିବେଶ ସୁରକ୍ଷା ପାଇଁ ହଜାର ହଜାର ଗଛ ଲଗାଇବାରେ ବ୍ୟାପୃତ ଥିଲେ। ପ୍ରାୟ ୩୦ ବର୍ଷ କାଳ ସେ ଏହିପରି ଜୀବନ ବିତାଇବା ପରେ ଏକ ନିର୍ବାଚନୀ ଅଭିଯୋଗର ଅନୁସନ୍ଧାନ କରିବା ସମୟରେ ବେତୁଲ୍‌ ପୁଲିସ୍‌ ଆଲୋକ ସାଗରଙ୍କୁ ହାବୁଡ଼ି ତାଙ୍କର ଅସଲ ପରିଚୟ ଆବିଷ୍କାର କରିଥିଲା, ଯାହା ସେ ସମୟରେ ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟି ଥିଲା। (ଆଲୋକ ସାଗରଙ୍କର ମଧୢ ଏକ ବିଶେଷ ପାର୍ଶ୍ବ ପରିଚୟ ଥିଲା: ସେ ଦିଲ୍ଲୀ ଆଇଆଇଟିରେ ପୂର୍ବତନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର‌୍‌ ରଘୁରାମ ରାଜନ୍‌ଙ୍କର ପ୍ରତ୍ୟକ୍ଷ ଶିକ୍ଷକ ଥିଲେ)।
ଗିରିଜା ଶଙ୍କର ମିଶ୍ରଙ୍କ ଭିକ୍ଷା ସ˚ଗ୍ରହ କାର୍ଯ୍ୟରେ ଜଣେ ରିକ୍‌ସାବାଲା ବାଧା ଦେବାରୁ ଉଭୟଙ୍କ ମଧୢରେ ବିବାଦ ଉପୁଜିବା ପରେ ସେ ପୁରୀ ପୁଲିସର ହସ୍ତକ୍ଷେପ ଲୋଡ଼ିବା ବେଳେ ପୁଲିସ ତାଙ୍କର ଅସଲ ପରିଚୟ ଆବିଷ୍କାର କରିଥିଲା। ସୂଚନା ଅନୁସାରେ ଗିରିଜା ମିଶ୍ର ଲେଖିଥିବା ଏଫ୍‌ଆଇଆର‌୍‌ରେ ସେ ବ୍ୟବହାର କରିଥିବା ଇଂରେଜୀ ଭାଷାରେ ତ୍ରୁଟି ଶୂନ୍ୟ ଉଚ୍ଚ ମାନ ଦ୍ବାରା ଚମତ୍କୃତ ହୋଇ ଗୁଣଗ୍ରାହୀ ଥାନାବାବୁ ଅଭିଯୋଗକାରୀ ଭିକାରିଙ୍କର ପ୍ରକୃତ ପରିଚୟ ଆବିଷ୍କାର କରିଥିଲେ: ସେ ପ୍ଲାଷ୍ଟିକ୍‌ ଇଞ୍ଜିନିଅରିଙ୍ଗ୍‌ରେ ଡିପ୍ଲୋମା ଲାଭ କରି ଏକ ପ୍ରତିଷ୍ଠିତ କମ୍ପାନିରେ କାର୍ଯ୍ୟ କରିବା ପରେ ସ˚ସାର ତ୍ୟାଗ କରି ଭିକ୍ଷାବୃତ୍ତିକୁ ଆଦରି ନେଇଛନ୍ତି। ଆଲୋକ ସାଗରଙ୍କର ପିତା ସେଣ୍ଟ୍ରାଲ ଏକ୍‌ସାଇଜ୍‌ ଓ କଷ୍ଟମ୍‌ସ ବିଭାଗରେ ଜଣେ ଅଫିସର ଥିବାବେଳେ ଗିରିଜା ମିଶ୍ରଙ୍କର ପିତା ଥିଲେ ଜଣେ ଡିଏସ୍‌ପି। ଉଭୟ ଅବିବାହିତ। ଡାୟୋଜିନିସ୍‌ଙ୍କ ପିତା ଥିଲେ ନଗରୀର ମୁଦ୍ରାଶାଳାର ପରିଚାଳକ। ଆମ ମନରେ ଏକ ପ୍ରଶ୍ନ ଉଙ୍କି ମାରିବା ସ୍ବାଭାବିକ୍‌- ଆଲୋକ ସାଗର ଓ ଗିରିଜା ମିଶ୍ରଙ୍କ ମଧୢରୁ କିଏ ପ୍ରକୃତରେ ଡାୟୋଜିନିସ୍‌ଙ୍କ ଉତ୍ତରାଧିକାରୀ ରୂପେ ବିବେଚିତ ହେବା ପାଇଁ ଅଧିକ ହକ୍‌ଦାର?
ଏ ପ୍ରଶ୍ନର ଉତ୍ତର ନିହିତ ଅଛି ଡାୟୋଜିନିସ୍‌ଙ୍କର ଦର୍ଶନରେ। ‘ସିନିସିଜ୍‌ମ’ର ପ୍ରତିଷ୍ଠାତା ଆଣ୍ଟିସ୍ଥିନିସ୍‌ ଦାରିଦ୍ର୍ୟକୁ ଆଲିଙ୍ଗନ କରି ଛିନ୍ନ ବସ୍ତ୍ର, ଭିକ୍ଷାଥଳି ଓ ଖଣ୍ତିଏ ବାଡ଼ିକୁ ସନ୍ନ୍ୟାସୀର ଏକ ମାତ୍ର ସମ୍ବଳ ରୂପେ ଗ୍ରହଣ କରିଥିଲେ। ତାଙ୍କ ଶିଷ୍ୟ ଡାୟୋଜିନିସ୍‌ ଏହି ମତବାଦକୁ ତା’ର ଚରମ ସୀମାକୁ ନେଇ ଯାଇଥିଲେ। ତାଙ୍କ ମତରେ ଜଣେ ପ୍ରକୃତ ‘ସିନିକ୍‌’ ବା ନେତିବାଦୀ ପ୍ରକୃତି ସହିତ ପ୍ରାୟ ଏକାକାର ହୋଇ ଏକ ସରଳ ଜୀବନ ଯାପନ କରିଥାଏ- ଯାହା ବସ୍ତୁତଃ ଏକ କୁକୁର ଭଳି। ସେ ନିଜେ ତେଣୁ ଯେତେବେଳେ ଭୋକ ହେଉଥିଲା, ଯାହା ମିଳୁଥିଲା ଖାଉ ଥିଲେ, କୌଣସି ଖାଦ୍ୟ ତାଙ୍କ ପାଇଁ ନିଷିଦ୍ଧ ନ ଥିଲା; ସେ କୁକୁର ଭଳି ଖୋଲାରେ ସର୍ବ ସମ୍ମୁଖରେ ମଳମୂତ୍ର ତ୍ୟାଗ କରୁଥିଲେ। ସେ ନିଜକୁ ଜଣେ ବିଶ୍ବ ନାଗରିକ ରୂପେ ଅଭିହିତ କରି ସମସ୍ତ ପରମ୍ପରା ଠାରୁ ମୁକ୍ତ ରହିଥିଲେ। ସମାଜ ତ୍ୟାଗ କରି ପଳାୟନ କରିବା ପରିବର୍ତ୍ତେ ସମାଜ ଭିତରେ ରହି ଏକ ଖୋଲା ଖୋଲି ସ୍ବାଧୀନ ଜୀବନ ବିତାଇବା ଥିଲା ତାଙ୍କ ଦର୍ଶନର ଅ˚ଶ। ଏହାର ଅର୍ଥ ସମାଜର କୌଣସି ମତ ମନ୍ତବ୍ୟକୁ ଆଦୌ ଧୢାନ ନ ଦେଇ ସମ୍ପୂର୍ଣ୍ଣ ‘ଲଜ୍ଜାଶୂନ୍ୟ’ ଭାବରେ ନିଜର ସ୍ବାଧୀନ, ସରଳ, ପ୍ରାକୃତିକ ଜୀବନ ଯାପନ କରିବା। ଧନ ସମ୍ପଦ, ସମ୍ମାନ ପଛରେ ଧାଉଁଥିବା ତାଙ୍କ ସମସାମୟିକ ମାନେ କୃତ୍ରିମ ଜୀବନ ବିତାଉଛନ୍ତି, ଯାହା ତାଙ୍କର ମସ୍ତିଷ୍କକୁ ଧୂମାଚ୍ଛାଦିତ କରି ଦେଇଛି ବୋଲି ଡାୟୋଜିନିସ୍‌ କହୁଥିଲେ। ଏହି ଧୂଆଁକୁ ହଟାଇ ପ୍ରାକୃତିକ ଜୀବନ ଯାପନ ମାଧୢମରେ ମାନସିକ ସ୍ବଚ୍ଛତା ଓ ଆନନ୍ଦ ଲାଭ କରିବା ହିଁ ହେଉଛି ଜୀବନର ଲକ୍ଷ୍ୟ ବୋଲି ଡାୟୋଜିନିସ୍‌ ଉପଦେଶ ଦେଇଥିଲେ।
ଆଲୋକ ସାଗର ସହର ଛାଡ଼ି ଜଙ୍ଗଲକୁ ଆସିଛନ୍ତି, କିନ୍ତୁ ସେଠାରେ ସେ ଅଧିବାସୀମାନଙ୍କ ସହିତ ବାସ କରି ଫଳଚାଷ ମାଧୢମରେ ସେମାନଙ୍କର ଅର୍ଥନୈତିକ ସମୃଦ୍ଧି ହାସଲରେ ସାହାଯ୍ୟ କରୁଛନ୍ତି। ସେ ତ୍ୟାଗ କରିଛନ୍ତି, କିନ୍ତୁ ସେଥିପାଇଁ ତାଙ୍କୁ ଡାୟୋଜିନିସ୍‌ଙ୍କ ଭଳି ଲଜ୍ଜା ତ୍ୟାଗ କରିବାକୁ ପଡ଼ିନାହିଁ। ସେ ଭିକ୍ଷାଥାଳ, ଭିକ୍ଷୁକର ବସ୍ତ୍ର କିମ୍ବା ଯଷ୍ଟି ଧରିବାକୁ ସାହସ କରି ନାହାନ୍ତି। ଅପରପକ୍ଷେ ଦୀର୍ଘ ୧୫ ବର୍ଷ ଧରି ଭିକ୍ଷୁକର ଜୀବନ ବିତାଇବା ଓ ସମ୍ପୂର୍ଣ୍ଣ ‘ଲଜ୍ଜାଶୂନ୍ୟ’ ଭାବରେ ନିଜର ପୃଷ୍ଠଭୂମି, ପରମ୍ପରା ଓ ସାମାଜିକ ବନ୍ଧନରୁ ମୁକୁଳି ବିମଳ ଆନନ୍ଦର ସନ୍ଧାନ କରୁଥିବା ଗିରିଜା ଶଙ୍କର ମିଶ୍ର ହିଁ ଯେ ହେଉଛନ୍ତି ଡାୟୋଜିନିସ୍‌ଙ୍କ ଆଧୁନିକ ଅବତାର, ଏଥିରେ କୌଣସି ସନ୍ଦେହ ନାହିଁ। ବୋଧହୁଏ ସବୁଠାରୁ ଯାହା ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଲା ଖୋଦ୍‌ ଗିରିଜା ଶଙ୍କର ଏ ସମ୍ବନ୍ଧରେ ସଚେତନ ଥିବା ସମ୍ଭାବନା ପ୍ରାୟ ଶୂନ୍ୟ- ଯାହା ତାଙ୍କୁ ଏକ ଅସଲି ‘ସିନିକ୍‌’ରେ ପରିଣତ କରିଥାଏ।

ସମ୍ବନ୍ଧିତ ଖବର

Comments are closed.