ଅନନ୍ତ କାଳ!

ଏହି ସ୍ତମ୍ଭର ଯେଉଁ ପାଠକପାଠିକାମାନେ ବିଶ୍ବ ପ୍ରସିଦ୍ଧ ଆଲେଜେରୀୟ ଲେଖକ ଆଲବର୍ଟ କାମ୍ୟୁଙ୍କ ଏକ ମର୍ମସ୍ପର୍ଶୀ ଗଳ୍ପ ‘ଦ ଗେଷ୍ଟ୍’(ଅତିଥି)କୁ ପଢ଼ିଥିବେ, ସେମାନେ ସେହି ଗଳ୍ପରେ କୁହାଯାଇଥିବା ଭଳି ଅପରାଧ, ଦଣ୍ତ ଓ ନୈତିକ ମୂଲ୍ୟବୋଧ ଭିତରେ ନିହିତ ଥିବା ଏକ ସୂକ୍ଷ୍ମ ସ˚ପର୍କ ବିଷୟରେ ଅବଗତ ଥିବେ। କିନ୍ତୁ, ଯେଉଁମାନେ ଏହି ଗଳ୍ପଟିକୁ ପଢ଼ି ନାହାନ୍ତି, ସେମାନଙ୍କ ଲାଗି ଅତି ସ˚କ୍ଷେପରେ କାହାଣୀଟିର ଅବତାରଣା କରାଗଲେ ପ୍ରସଙ୍ଗଟି ବୋଧଗମ୍ୟ ହେବ। ତାହା ଏହିପରି। ଜଣେ ନରହନ୍ତା ବନ୍ଦୀକୁ ଦୂର ପାହାଡ଼ ସେପାରି ଜେଲ୍‌ରେ ପହଞ୍ଚାଇବା ସକାଶେ ଜଣେ ସୈନିକ ଯାତ୍ରା ଆରମ୍ଭ କରି ପାହାଡ଼ ଉପରେ ପହଞ୍ଚିଲା ବେଳକୁ ରାତି ହୋଇଯିବାରୁ ଅଗତ୍ୟା ସେହିଠାରେ ବାସ କରୁଥିବା ଜଣେ ଉଦାରଚେତା ଓ ମାନବବାଦୀ ଶିକ୍ଷକଙ୍କ ଗୃହରେ ଆଶ୍ରୟ ନିଅନ୍ତି। ତେବେ, ଦୈବାତ୍‌ ରାଜଧାନୀରୁ ଏକ ଜରୁରୀ ଡାକରା ଆସନ୍ତେ ସୈନିକ ଜଣକ ସେହି ଅପରାଧୀକୁ ଜେଲ୍‌ରେ ପହଞ୍ଚାଇବାର ଦାୟିତ୍ବ ଶିକ୍ଷକଙ୍କୁ ଅର୍ପଣ କରି ତରତର ହୋଇ ଫେରିଯାଆନ୍ତି। ପରଦିନ ଶିକ୍ଷକ ବନ୍ଦୀକୁ ବନ୍ଧନମୁକ୍ତ କରି ତାଙ୍କ ସହିତ ଚଲାଇ ଚଲାଇ ପାହାଡ଼ ପାଦଦେଶରେ ଥିବା ଜେଲ ଆଡ଼କୁ ଅଗ୍ରସର ହେଲା ବେ‌େ‌ଳ ପଳାୟନ କରିବା ଲାଗି ଆଦୌ ଉଦ୍ୟତ ହେଉ ନ ଥିବା ଅପରାଧୀଟି ପ୍ରତି ତାଙ୍କ ମନରେ କରୁଣା ଉଦ୍ରେକ ହୁଏ। ସୁତରାଂ, ଗୋଟିଏ ସ୍ଥାନରେ ସେ ଅଟକି ଯାଇ ବନ୍ଦୀକୁ ଆଗରେ ପଡ଼ିଥିବା ଦୁଇଟି ରାସ୍ତା ଦେଖାଇ ଦେଇ ତା ମଧୢରୁ ଯେ କୌଣସି ଗୋଟିଏକୁ ବାଛି ନେବାକୁ କହି ଫେରି ଆସନ୍ତି। ଉଲ୍ଲେଖ ଥାଉ କି ସେହି ଦୁଇଟି ରାସ୍ତାରୁ ଗୋଟିଏ ଯାଇଥାଏ ଜେଲ୍‌ ଆଡ଼କୁ ଏବ˚ ଅନ୍ୟଟି ଅଞ୍ଚଳର ସରହଦ ବାହାରକୁ ଅର୍ଥାତ୍‌ ମୁକ୍ତି ଆଡ଼କୁ। ପାହାଡ଼ରେ ଚଢ଼ି କିଛି ବାଟ ପ୍ରତ୍ୟାବର୍ତ୍ତନ କରିଥିବା ଶିକ୍ଷକ କୌତୂହଳ ସମ୍ବରଣ କରି ନ ପାରି ଅପରାଧୀଟି କେଉଁ ମାର୍ଗଟି ଚୟନ କରିଛି ବୋଲି ଯେତେବେଳେ ପଛକୁ ଚାହିଁ ଦେଖନ୍ତି, ସେ ପାଆନ୍ତି ଯେ ଅପରାଧୀ ଧୀର ଅଥଚ ନିଶ୍ଚିତ ପଦବ୍ରଜରେ ଜେଲ୍‌ ଆଡ଼କୁ ଅଗ୍ରସର ହେବାରେ ଲାଗିଛି। ଏହି ଗଳ୍ପର ଅବତାରଣା ଏଠାରେ ପ୍ରାସଙ୍ଗିକ ଏଇଥି ପାଇଁ ଯେ ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ସମସ୍ତ ଚାରି ଅପରାଧୀ ଏବ˚ ସେମାନଙ୍କ ଓକିଲମାନଙ୍କ ଆଭିମୁଖ୍ୟ ଅତି ଦୟନୀୟ ଭାବେ କାମ୍ୟୁଙ୍କ ଗଳ୍ପରେ ବର୍ଣ୍ଣିତ ନରହନ୍ତା ଅପରାଧୀ ଦ୍ବାରା ପ୍ରଦର୍ଶିତ ନୈତିକତାବୋଧର ଚରମ ବିରୋଧାଚରଣ କରିଥାଏ। କେବଳ ସେତିକି ନୁହେଁ ଏହାଦ୍ବାରା ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତି ଯେଉଁଭଳି କ୍ରୂର ପରିହାସ କରାଯାଉଛି, ତାହା ବୋଧହୁଏ ପୂର୍ବରୁ କେବେହେଲେ ପରିଦୃଶ୍ୟ ହୋଇ ନ ଥିଲା।

ସ୍ବାଧୀନତା ପରବର୍ତ୍ତୀ ଭାରତରେ ସ˚ଘଟିତ ହୋଇଥିବା ଅନ୍ୟତମ ସର୍ବାଧିକ ଚାଞ୍ଚଲ୍ୟ ସୃଷ୍ଟିକାରୀ ଅପରାଧ ନିର୍ଭୟା ଗଣ ବଳାତ୍କାର ଏବ˚ ହତ୍ୟା ମାମଲାର ବିଚାର ଏକ ‘ଫାଷ୍ଟ ଟ୍ରାକ୍‌’ ଅଦାଲତରେ ଚାଲିଥିବା ସତ୍ତ୍ବେ ସାତ ବର୍ଷରୁ ଅଧିକ କାଳ ଅତିକ୍ରାନ୍ତ ହୋଇଯିବା ହେଉଛି ଏକ ଚରମ ବିଡ଼ମ୍ବନା ଏବ˚ ଦୁଇ ଦୁଇ ଥର ମୃତ୍ୟୁ ପରୁଆନା ଜାରି ହୋଇ ସାରିଥିଲେ ହେଁ ଫାଶୀ ଘୁଞ୍ଚି ଚାଲିବା ହେଉଛି ଭାରତୀୟ ନ୍ୟାୟିକ ବ୍ୟବସ୍ଥାର ଇତିହାସରେ ବୋଧହୁଏ ପ୍ରଥମ।
ଭାରତୀୟ ଆଇନ ବ୍ୟବସ୍ଥା ଅନୁସାରେ ମୃତ୍ୟୁ ଦଣ୍ତରେ ଦଣ୍ତିତ ଜଣେ ଅପରାଧୀ ନିଜ ଦଣ୍ତକୁ କୋହଳ କରିବା ଲାଗି ଚାରିଟି ସୁଯୋଗ ପାଇଥାଏ। ପ୍ରଥମଟି ହେଉଛି ସର୍ବୋଚ୍ଚ ଅଦାଲତ ଦ୍ବାରା ପ୍ରଦତ୍ତ ମୃତ୍ୟୁ-ଦଣ୍ତାଦେଶର ‘ରିଭ୍ୟୁ’ ବା ପୁନର୍ବିଚାର ଲାଗି ଆବେଦନର ସୁଯୋଗ। ଏଥିରେ ଯଦି ପୂର୍ବ ଦଣ୍ତ କାଏମ ରହେ, ତେବେ ପୁନର୍ବାର ଏକ ‘କ୍ୟୁରେଟିଭ୍‌’ ପିଟିସନର ସୁଯୋଗ। ତହିଁରେ ବିଫଳ ହେଲେ ତୃତୀୟ ସୁଯୋଗଟି ହେଉଛି ରାଷ୍ଟ୍ରପତିଙ୍କ ଠାରେ କ୍ଷମା ଭିକ୍ଷା ଲାଗି ଆବେଦନ। ସେଥିରେ ସୁଫଳ ନ ମିଳିଲେ ଅନ୍ତିମ ସୁଯୋଗ ଭାବେ ରହିଛି ପୁନଶ୍ଚ ଏ ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଠାରେ ଆଶ୍ରୟ। ଆଲୋଚ୍ୟ ନିର୍ଭୟା ଗଣ ବଳାତ୍କାର ଓ ହତ୍ୟା ମାମଲାରେ ଅପରାଧୀମାନଙ୍କ ମଧୢରୁ କେବଳ ମୁକେଶ ସି˚ହ ଏହି ଚାରିଟି ଯାକ ସୁଯୋଗର ସଦ୍‌ ବ୍ୟବହାର କରି ସବୁଥିରେ ସ˚ପୂର୍ଣ୍ଣ ବିଫଳ ହୋଇଛି। ଅବଶିଷ୍ଟ ତିନି ଜଣଙ୍କ ମଧୢରୁ ବିନୟ ଶର୍ମା ୩ଟି, ଅକ୍ଷୟ ଠାକୁର ୨ଟି ଓ ପଵନ ଗୁପ୍ତା ମାତ୍ର ଗୋଟିଏ ସୁଯୋଗର ଉପଯୋଗ କରିଛନ୍ତି। ସୁତରା˚, ଚାରି ଜଣଙ୍କ ଲାଗି ରହିଥିବା ସମୁଦାୟ ଷୋହଳଟି ସୁଯୋଗ ଭିତରୁ ମାତ୍ର ଦଶଟିର ବ୍ୟବହାର କରାଯାଇ ସାରିଛି। କିନ୍ତୁ ସେମାନଙ୍କ ଜୀବନ ଓ ମୃତ୍ୟୁ ମଧୢରେ ଆହୁରି ଛଅଟି ସୁଯୋଗ ବଞ୍ଚି ରହିଛି।

ଏଠାରେ ଏକ ସ୍ବାଭାବିକ ପ୍ରଶ୍ନ ଯେ ପ୍ରତ୍ୟେକ ମୃତ୍ୟୁ ଦଣ୍ତ ପ୍ରାପ୍ତ ଅପରାଧୀ ଏଭଳି ଚାରିଟି ସୁଯୋଗ ଲାଭ କରିବା କ’ଣ ବାଧୢତାମୂଳକ? ଏହାର ସରଳ ଉତ୍ତର ‘ହଁ’; କାରଣ ୧୯୮୨ ମସିହାରେ ଫାଶୀଖୁଣ୍ଟରେ ଝୁଲିଥିବା ତିନି ଜଣ ଅପରାଧୀଙ୍କ ମଧୢରୁ ଜଣେ ନିଜର ଅଜ୍ଞତା କାରଣରୁ ହେଉ ବା ଉପଯୁକ୍ତ ଓକିଲ ପରାମର୍ଶ ଅଭାବରୁ ହେଉ ତିନିଟି ସୁଯୋଗର ଉପଯୋଗ କରି ପାରି ନଥିବା ବିଷୟ ପରେ ପ୍ରକାଶ୍ୟ ହେବାରୁ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହାକୁ ସ˚ପୃକ୍ତ ଅପରାଧୀର ନ୍ୟାୟସ˚ଗତ ଅଧିକାରର ହନନ ବୋଲି ଦର୍ଶାଇଥିଲେ। ତେଣୁ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କ ଲାଗି ଏହି ଚାରିଟି ସୁଯୋଗର ଦ୍ବାର ସର୍ବଦା ଉନ୍ମୁକ୍ତ। ପୁନଶ୍ଚ ଏହି ପରିପ୍ରେକ୍ଷୀରେ ଉଠୁଥିବା ଦ୍ବିତୀୟ ପ୍ରଶ୍ନଟି ହେଉଛି ଏହି ଚାରି ଜଣଙ୍କ ମଧୢରୁ ମୁକେଶ ସି˚ହ ସମସ୍ତ ଚାରିଟି ଯାକ ସୁଯୋଗର ବ୍ୟବହାର କରି ସାରିଥିଲେ ସୁଦ୍ଧା ତାକୁ ମୃତ୍ୟୁ ଦଣ୍ତ ଦିଆଯିବାରେ ଅନ୍ତରାୟ କେଉଁଠି? ଏହି ସ˚ଦର୍ଭରେ ଶତ୍ରୁଘ୍ନ ଚୌହାନ ବନାମ ରାଷ୍ଟ୍ର ମାମଲାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ପ୍ରଣିଧାନଯୋଗ୍ୟ, ଯାହା କହିଥାଏ ଯେ ଗୋଟିଏ ଅପରାଧ ଲାଗି ମୃତ୍ୟୁ ଦଣ୍ତ ପାଇଥିବା ସମସ୍ତ ଦୋଷୀ ଏକା ସାଙ୍ଗରେ ହିଁ ଅନ୍ତିମ ଦଶା ଭୋଗ କରିବେ। ଏହି ଦୁଇଟି ଅଦାଲତୀ ରାୟ ନିର୍ଭୟାଙ୍କ ଅପରାଧୀମାନଙ୍କ ଆୟୁଷକୁ ପ୍ରଲମ୍ବିତ କରିବାରେ ଲାଗିଛି। ଗଲା ଜାନୁଆରି ୩୧ ତାରିଖରେ ଯେତେବେଳେ ପାତିଆଲା ହାଉସ୍‌ ଅଦାଲତ ପରଦିନ ହେବାକୁ ଥିବା ଫାଶୀ ଲାଗି ମୃତ୍ୟୁ ଦଣ୍ତ ପରୁଆନାକୁ ରଦ୍ଦ କରି ଏହାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଦେଶ ଦେଲେ, ସେତିକି ବେଳେ କୁଆଡେ଼ ଏହି ଅପରାଧୀମାନଙ୍କ ଓକିଲ ଏ.ପି. ସି˚ହ କହିବାର ଶୁଣାଯାଇଥିଲା ଯେ ‘ମୃତ୍ୟୁ ଦଣ୍ତ’କୁ ଅନନ୍ତ କାଳ ଯାଏ ଟାଳି ଦିଆଯିବ। କିନ୍ତୁ ଓକିଲ ମହାଶୟ ବୋଧହୁଏ ପା‌ସୋରି ଯାଇଛନ୍ତି ଯେ ନିକଟରେ ମାନ୍ୟବର ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ଼ ନିର୍ଭୟା ମାମଲାରେ ମୃତ୍ୟୁ ଦଣ୍ତାଦେଶର ଅନୁପାଳନରେ ଅଯଥା ବିଳମ୍ବ ଉପରେ ମତ ଦେଇ କହିଥିଲେ ଯେ ମୃତ୍ୟୁ ଦଣ୍ତାଦେଶ ଅସୀମ କାଳ ଯାଏ ଗଡ଼ି ପାରିବ ନାହିଁ। ଏହା ଏକ ସମୟାବଦ୍ଧ ଚୂଡ଼ାନ୍ତ ସୋପାନରେ ପହଞ୍ଚିବା ଜରୁରୀ। ଉଲ୍ଲେଖ ଥାଉ କି ବାରମ୍ବାର ଫାଶୀକୁ ଘୁଞ୍ଚାଇବା ଲାଗି ହେଉଥିବା ପ୍ରୟାସ ବିରୋଧରେ ଏବେ କେନ୍ଦ୍ର ସରକାର ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଆଶା କରାଯାଏ ଯେ ଏହାଦ୍ବାରା ଏଭଳି କିଛି ରାୟ ପ୍ରକାଶ ପାଇପାରେ, ଯହିଁରେ ଅପରାଧୀର ଅଧିକାର ନୁହେଁ, ପୀଡ଼ିତ ବା ପୀଡ଼ିତାର ଅଧିକାର ଉପରେ ଅଧିକ ଗୁରୁତ୍ବ ଦିଆଯିବ। ଉଲ୍ଲେଖନୀୟ ଯେ ନିର୍ଭୟା ଗଣ ବଳାତ୍କାର ଘଟଣା ପରେ ଭାରତୀୟ ଦଣ୍ତବିଧି ଆଇନରେ ପରିବର୍ତ୍ତନ ଅଣାଯାଇ ବଳାତ୍କାର ଏବ˚ ଅସଦାଚରଣ ସ˚ପର୍କିତ ଆଇନକୁ କଠୋର କରାଯାଇଛି। ଏବେ ସରକାରଙ୍କ ଆବେଦନ ଫଳରେ ହୁଏ’ତ ଏଭଳି ରାୟ ଆସିପାରେ ଯାହା ମୃତ୍ୟୁ ଦଣ୍ତ ମାମଲାରେ ଅଯଥା ବିଳମ୍ବ ଘଟାଉଥିବା ବିଜ୍ଞ ଓକିଲମାନଙ୍କ ଅଭିସନ୍ଧିକୁ ପ୍ରତିହତ କରି ନ୍ୟାୟିକ ବ୍ୟବସ୍ଥାକୁ ଉପହସିତ ହେବାରୁ ରକ୍ଷା କରିବ।

ମହାଭାରତ କାଳରେ ଧର୍ମ ବକ ଧର୍ମରାଜ ଯୁଧିଷ୍ଠିରଙ୍କୁ ପ୍ରଶ୍ନ କରିଥିଲେ: ‘କିମାଶ୍ଚର୍ଯ୍ୟମ୍‌।’ ଅର୍ଥାତ୍‌ ଏ ସ˚ସାରର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥାଟି କ’ଣ? ଉତ୍ତରରେ ଯୁଧିଷ୍ଠିର କହିଥିଲେ ଯେ ତାହା ହେଉଛି ଜୀବନ ଅତ୍ୟନ୍ତ ଅନିଶ୍ଚିତ ବୋଲି ଜାଣି ସୁଦ୍ଧା ଅନନ୍ତ କାଳ ଯାଏ ବଞ୍ଚି ରହିବା ଭଳି ମନୁଷ୍ୟ ପ୍ରଦର୍ଶନ କରୁଥିବା ଆଭିମୁଖ୍ୟ। ଏହି ପରିପ୍ରେକ୍ଷୀରେ ଓକିଲ ଏ.ପି. ସି˚ହଙ୍କ ‘ଅନନ୍ତ କାଳ’ର ସମୟ ସୀମା କେତେ ତାହା ବୋଧହୁଏ କେବଳ ତାଙ୍କୁ ହିଁ ଜଣା।

ସମ୍ବନ୍ଧିତ ଖବର