ଈଶ୍ବର ଭରସା

ଆଜିର ତରୁଣ ବର୍ଗ ଭିତରୁ ଯେଉଁମାନେ ଗଲା ୨୦୧୬ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଏୟାର ଲିଫ୍‌ଟ’ ଦେଖି ରୋମା˚ଚିତ ହୋଇଥିବେ, ସେମାନଙ୍କ ପିତାମାତାମାନେ ୧୯୯୦ ମସିହାରେ ଆପଣା ତାରୁଣ୍ୟରେ ଏହାର ବାସ୍ତବ ଚିତ୍ରଟି ଦେଖିଥିଲେ। ସେହି ବର୍ଷ କୁଏତ୍‌ ଉପରେ ଇରାକ୍‌ର ଅତର୍କିତ ଆକ୍ରମଣ ପରେ ସେଠାରେ ଫସିଥିବା ୧ଲକ୍ଷ ୭୬ ହଜାର ଭାରତୀୟଙ୍କୁ ୪୪୮ଟି ଏୟାର ଇଣ୍ତିଆ ବିମାନ ଲଗାତାର ୫୯ଦିନ ଧରି ବୋହିଆଣି ଭାରତରେ ଭୂମି ସ୍ପର୍ଶ କରାଇଥିଲା। ପୃଥିବୀ ଇତିହାସରେ ଆକାଶ ମାର୍ଗରେ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିବାରେ ଏହା ହେଉଛି ଏକ ରେକର୍ଡ‌୍‌। ତେଣୁ ଏଭଳି ସ୍ଥଳେ ଚୀନ୍‌ର ଅବରୁଦ୍ଧ ଉହାନ ସହରରେ କରୋନା ଭାଇରସ୍‌ ସ˚କ୍ରମଣର ଘନଘଟା ମଧ୍ୟରେ ପ୍ରାୟ ବନ୍ଦୀ ଭାବେ ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ସ୍ବଦେଶକୁ ଫେରାଇ ଆଣିବା ଥିଲା ଭାରତ ସରକାରଙ୍କ ଲାଗି ଏକ ମାମୁଲି କାର୍ଯ୍ୟ। ସୁତରାଂ, ଏ ପରିପ୍ରେକ୍ଷୀରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟମାନେ ଯେତେବେଳେ ହରିଆଣାରେ ସ୍ଥାପିତ ଏକ ‘ସ୍ବାସ୍ଥ୍ୟ ପରୀକ୍ଷା’ ଶିବିରରେ ଭାଙ୍ଗଡ଼ା ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା, ସେତିକି ବେଳେ ଉହାନରେ ଅଟକି ରହିଥିବା ପାକିସ୍ତାନୀ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଘର ବାହୁଡ଼ା ସକା‌େଶ କରାଯାଉଥିବା ବିକଳ ଗୁହାରିକୁ ପାକିସ୍ତାନ ସରକାରଙ୍କ ଦୃଢ଼ ପ୍ରତ୍ୟାଖ୍ୟାନ ନିଶ୍ଚିତ ଭାବେ ଏକ ବ୍ୟଥିତ କଲା ଭଳି ଘଟଣା। ଏକ ଭୟାବହ ସ˚କ୍ରାମକ ରୋଗର ପ୍ରେତ-ଛାୟା ତଳେ ଉହାନ ସହରରେ ବନ୍ଦୀ ପାକିସ୍ତାନୀମାନଙ୍କ ଅସହାୟତା ଫ୍ରାନ୍‌ଜ କାଫ୍‌କାଙ୍କ ଉପନ୍ୟାସସୁଲଭ ପରିବେଶ ସୃଷ୍ଟି କରିଥିବା ବେଳେ ଯେଉଁ ପ୍ରଶ୍ନ ଏଠାରେ ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, ତାହା ହେଲା ପାକିସ୍ତାନ ସରକାର ଏଭଳି ଏକ ଅଭାବନୀୟ ନିଷ୍ପତ୍ତି ନେଲେ କାହିଁକି?

ଉଲ୍ଲେଖନୀୟ ଯେ ଚୀନକୁ ଶାସନ କରୁଥିବା ‘କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଚୀନ’ ଆଜିର ଏକବି˚ଶ ଶତାବ୍ଦୀରେ ମଧ୍ୟ ଦେଶଟିକୁ ଯେଉଁଭଳି ଲୌହ ପରଦାର ଅନ୍ତରାଳରେ ରଖିଛି, ତାକୁ ଅତିକ୍ରମ କରି ସେଠାକାର ବାସ୍ତବ ଚିତ୍ର ପ୍ରକାଶ୍ୟ ହେବା ଅତ୍ୟନ୍ତ କଷ୍ଟକର। ତେବେ, ସରକାରୀ ‘ଫିଲ୍‌ଟର’ ଦେଇ ଯେଉଁ ସଦ୍ୟତମ ସୂଚନା ହସ୍ତଗତ ହୋଇଛି, ତାହା ହେଲା ଚୀନ୍‌ରେ କରୋନା ଭୂତାଣୁ ସ˚କ୍ରମଣଜନିତ ମୃତ୍ୟୁ ସ˚ଖ୍ୟା ହେଲାଣି ୮୧୩(ଜଣେ ଆମେରିକୀୟ ଓ ଜଣେ ଜାପାନୀଙ୍କ ସମେତ), ଗୁରୁତର ଭାବେ ଅସୁସ୍ଥଙ୍କ ସ˚ଖ୍ୟା ୬୧୯୬ ଏବ˚ ଏହାର ସ˚କ୍ରମଣର ଶିକାର ହୋଇଛନ୍ତି କେବଳ ହୁବେଇ ପ୍ରଦେଶରେ ୨୭,୧୦୦ଜଣ; ଯାହା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଭଳି ଏକ ଆତଙ୍କଜନକ ସ୍ଥିତିରେ ପୃଥିବୀର ପ୍ରାୟ ସମସ୍ତ ଦେଶ (ଏପରିକି ବା˚ଲାଦେଶ, ଜର୍ଡାନ୍‌, ମାଲଡିଭ୍‌ସ ଭଳି ରାଷ୍ଟ୍ର) ସେମାନଙ୍କ ନାଗରିକମାନଙ୍କୁ ଆପଣା ଦେଶକୁ ଫେରାଇ ଆଣିବା ଲାଗି ଉଦ୍ୟମରତ। ତେବେ, ଏତିକି ବେଳେ ପାକିସ୍ତାନ ବିସ୍ମୟକର ଭାବେ ଏକ ଓଲଟା ନିଷ୍ପତ୍ତି ନେଲା କାହିଁକି? ପାକିସ୍ତାନ ପକ୍ଷରୁ ଏ ସ˚ଦର୍ଭରେ ଯେଉଁ ଦୁଇଟି କାରଣ ପ୍ରଦାନ କରାଯାଇଛି, ସେଗୁଡ଼ିକ ହେଲା ଚୀନର ଏ ଦୁର୍ବିପାକ ସମୟରେ ତା ସହିତ ଛିଡ଼ା ହୋଇ ଏକାତ୍ମ ଭାବ ପ୍ରଦର୍ଶନ କରିବା ଏକ ମିତ୍ର ରାଷ୍ଟ୍ର ରୂପେ ଅତ୍ୟନ୍ତ ଜରୁରୀ ଏବ˚ ଦ୍ବିତୀୟଟି ହେଲା ଚୀନ୍‌ରୁ କୌଣସି ସ˚କ୍ରମିତ ବ୍ୟକ୍ତିଙ୍କୁ ବାହାରକୁ ଆଣି ବିଶ୍ବ ପ୍ରତି ଅଧିକ ବିପଦ ସୃଷ୍ଟି କରିବାକୁ ପାକିସ୍ତାନ ଅନିଚ୍ଛୁକ ଏବ˚ ଏହା ଦ୍ବାରା ପାକିସ୍ତାନ ‘ବିଶ୍ବ ସ୍ବସ୍ଥ୍ୟ ସ˚ଗଠନ’ର ପରାମର୍ଶକୁ ପାଳନ କରିଛି ମାତ୍ର। ସ୍ବାଭାବିକ ଭାବେ ପାକିସ୍ତାନରେ ଏ ନିଷ୍ପତ୍ତିର ବିରୋଧ କରାଯିବା ଆରମ୍ଭ ହେଲାଣି। କିନ୍ତୁ, ଏହି ନିଷ୍ପତ୍ତିର ତର୍ଜମାକାରମାନେ ଯେଉଁ ଉପସ˚ହାରରେ ପହଞ୍ଚିଛନ୍ତି ତାହା ଭିନ୍ନ। ସେମାନଙ୍କ ମତରେ ସା˚ପ୍ରତିକ ଭୂ-ରାଜନୀତି ବା ‘ଜିଓ ପଲିଟିକ୍‌ସ’ ଦୃଷ୍ଟିରୁ ପାକିସ୍ତାନ ଏବେ କେବଳ ମାତ୍ର ଚୀନ୍‌ର ଏକ ଅନ୍ତରଙ୍ଗ ରାଷ୍ଟ୍ର ହୋଇ ରହି ନାହିଁ; ଏହା ଚୀନର ଏକ ‘ଚାମ୍‌ଚା’ ବା ବଶମ୍ବଦ ରାଷ୍ଟ୍ରରେ ପରିଣତ ହେଲାଣି। ଅବଶ୍ୟ, ପାକିସ୍ତାନର ଏଭଳି ନିଷ୍ପତ୍ତିର ଭୂୟସୀ ପ୍ରଶ˚ସା କରି ପାକିସ୍ତାନ ସହିତ ଚୀନର ସ˚ପର୍କକୁ ଚୀନ ସରକାର ‘ଲୌହ ରଜ୍ଜୁ’ରେ ବନ୍ଧା ଏକ ଦୃଢ଼ ବନ୍ଧନ ବୋଲି ଅଭିହିତ କରିଛନ୍ତି। କିନ୍ତୁ ଏହା ସତ୍ତ୍ବେ ପାକିସ୍ତାନର ଏହି ନିଷ୍ପତ୍ତି ପଛରେ ନିହିତ ଥିବା ଏକ ବାସ୍ତବ କାରଣ ମଧ୍ୟ ଦିଶିଥାଏ। ତାହା ହେଲା, ପାକିସ୍ତାନରେ ସ୍ବସ୍ଥ୍ୟ ସେବାର ପରିସ୍ଥିତି ଏଭଳି କରୁଣ ଯେ ସେଠାରେ ଯଦି ଦୈବାତ୍‌ ‘କରୋନା’ ଭଳି ଏକ ସ˚କ୍ରମଣ ଦେଖାଦିଏ, ତେବେ ତାହା ଏକ ଅବର୍ଣ୍ଣନୀୟ ସ୍ବାସ୍ଥ୍ୟଗତ ବିଭୀଷିକା ସୃଷ୍ଟି କରିବା ନିଶ୍ଚିତ। ଏହି ସ˚ଦର୍ଭରେ ‘ଵାସି˚ଟନ୍‌ ପୋଷ୍ଟ୍’ରେ ପ୍ରକାଶିତ ଏକ ସମ୍ବାଦରୁ ଜଣାପଡ଼ିଛି ଯେ ପାକିସ୍ତାନ ପୃଥିବୀର ସେହି ଅତି ମୁଷ୍ଟିମେୟ ଅଣବିକଶିତ ରାଷ୍ଟ୍ରଙ୍କ ତାଲିକା ଅନ୍ତର୍ଭୁକ୍ତ, ଯେଉଁଠାରେ ଏବେ ସୁଦ୍ଧା ‘ପୋଲିଓ’ର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି। ୨୦୧୯ରେ ପାକିସ୍ତାନରେ ୧୩୦ ଜଣ ପୋଲିଓ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ଏବ˚ ଗଲା ବର୍ଷ ପାକିସ୍ତାନରେ ୪୭,୦୦୦ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ସମ୍ଭବତଃ ପାକିସ୍ତାନ ତାର ସ୍ବଦେଶୀମାନଙ୍କୁ ଚୀନରୁ ଫେରାଇ ଆଣିବା ଲାଗି ବୀତସ୍ପୃହ ହେବା ପଛରେ ଏହା ହିଁ ହେଉଛି ବଡ଼ ବଡ଼ କାରଣ। ତେବେ ବିଡ଼ମ୍ବନା ହେଲା, ଏ ସ˚ଦର୍ଭରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ନିଜ ନିଷ୍ପତ୍ତିର ସମର୍ଥନରେ ପ୍ରଦାନ କରାଯାଇଥିବା ‘ଭାଗ୍ୟବାଦ’ରେ ବିଶ୍ବାସ ବହନକାରୀ କିଛି ମନ୍ତବ୍ୟ; ଯେମିତି କି ଜୀବନ ଓ ମୃତ୍ୟୁ ରହିଛି କେବଳ ଆଲ୍ଲା (ଈଶ୍ବର)ଙ୍କ ହାତରେ ଅଥବା ପୈଗମ୍ବର ମହମ୍ମଦ କହିଥିବା ଭଳି କୌଣସି ଏକ ଅଞ୍ଚଳ ‘ପ୍ଲେଗ୍‌’ ବା ମହାମାରୀ ଦ୍ବାରା ଆକ୍ରାନ୍ତ ହେଲେ, ସେହି ସ୍ଥାନର ଲୋକେ ସେହି ଅଞ୍ଚଳ ପରିତ୍ୟାଗ କରିବା ଅନୁଚିତ। ତେବେ, ଏକବି˚ଶ ଶତାବ୍ଦୀରେ ବିଶ୍ବର ସ୍ବରୂପ ଯେଉଁଭଳି ଭାବେ ପରିବର୍ତ୍ତିତ ହୋଇସାରିଛି ଏବ˚ ଚୀନରେ କରୋନା ସ˚କ୍ରମଣର ପରିସ୍ଥିତି ଯାହା; ତହିଁରେ ଏଭଳି ଭାଗ୍ୟବାଦୀ ଯୁକ୍ତି କେତେଦୂର ଗ୍ରହଣୀୟ, ତାହା ଅବଶ୍ୟ ବିଚାର୍ଯ୍ୟ।

ଏଣେ, ଯଦି ପାକିସ୍ତାନ ବିଚାର କରୁଥାଏ ଯେ ଚୀନର ଘୋର ଦୁର୍ବିପାକ କ୍ଷଣରେ ତା ପ୍ରତି ଅତ୍ୟନ୍ତ ସହୃଦୟତା ପ୍ରଦର୍ଶନ କରିଥିବା ହେତୁ ଏହା ଭବିଷ୍ୟତ୍‌ରେ ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ବନ୍ଧୁତାକୁ ପ୍ରଗାଢ଼ ଓ ଅପରିବର୍ତ୍ତନୀୟ କରିବ, ତେବେ ହୁଏତ ତାହା ମାତ୍ରାତିରିକ୍ତ ଆଶାବାଦ ହୋଇପାରେ। ସ୍ମରଣ ଥାଉ କି, ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଚୀନ-ଜାପାନ ଯୁଦ୍ଧ ବେେଳେ ଆହତ ଚୀନା ସୈନିକମାନଙ୍କୁ ସେବା ପ୍ରଦାନ କରିବା ସକାଶେ ସେଠାରେ ଯେଉଁ ଡାକ୍ତରୀ ଦଳ ପ୍ରଥମେ ପହଞ୍ଚିଥିଲା, ତାହା ଥିଲା ଏକ ଭାରତୀୟ ଡାକ୍ତରୀ ଦଳ। ସେହି ଦଳର ଡାକ୍ତର ଦ୍ବାରିକା ନାଥ କୋଟନିସଙ୍କ ସେବା ଚୀନରେ ଏବେ ବି ଏକ କି˚ବଦନ୍ତିର ବିଷୟ। ତତ୍କାଳୀନ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ଚେୟାରମ୍ୟାନ ମାଓ ସେ ତୁ˚ ମଧୢ ଏହି ଭାରତୀୟ ଡାକ୍ତରୀ ଦଳ ପ୍ରଦାନ କରିଥିବା ସେବାର ଭୂୟସୀ ପ୍ରଶ˚ସା କରିଥିଲେ। କିନ୍ତୁ ଏହାର ଦୁଇ ଦଶନ୍ଧି ପରେ ଚାଉ ଏନ୍‌ ଲାଇଙ୍କ ଶାସନ କାଳରେ ଭାରତ ଗସ୍ତରେ ଆସି ‘ଭାରତ ଚୀନ ଭାଇ ଭାଇ’ ବୋଲି ସ୍ଲୋଗାନ୍‌ ଦେଇ ଆପଣା ଦେଶକୁ ପ୍ରତ୍ୟାବର୍ତ୍ତନ କରିବାର ଠିକ୍‌ ପରେ ତାଙ୍କରି ଆଦେଶରେ ଚୀନ ଭାରତ ଉପରେ ଆକ୍ରମଣ କରିଥିଲା। ସୁତରା˚, ଚୀନର ଏହିଭଳି ରାଜନୈତିକ ଆଡ଼ବାୟାପଣ ତଥା ସୁବିଧାବାଦୀ ମନୋଭାବର ଅନ୍ୟାନ୍ୟ ଉଦାହରଣ ଦୃଷ୍ଟିରୁ ଏହା କହିଲେ ଭୁଲ ହେବ ନାହିଁ ଯେ ଭୂ-ରାଜନୀତିରେ ମୁହୁର୍ମୁହୁଃ ବଦଳୁଥିବା ଆବଶ୍ୟକତା ପରିପ୍ରେକ୍ଷୀରେ ହୁଏତ ଆଜିର ଏ ଲୌହ ବନ୍ଧନ ଆଗାମୀକାଲି ଶିଥିଳ ପଡ଼ିଯାଇପାରେ। କିନ୍ତୁ ପାକିସ୍ତାନର ଆଜିର ଏ ନିଷ୍ପତ୍ତି ପଥରରେ ଏକ ଗାର ଭଳି ହୋଇ ରହିଯିବ।

ସମ୍ବନ୍ଧିତ ଖବର