ଆଜକୁ ଠିକ୍‌ ପ୍ରାୟ ଏକ ଶତାବ୍ଦୀ ତଳେ ୧୯୨୦ରେ ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ନେତୃତ୍ବରେ ଭାରତୀୟ ଜାତୀୟ କ˚ଗ୍ରେସ ଖିଲାଫତ୍‌ ଆନ୍ଦୋଳନ ନେତାମାନଙ୍କ ସହିତ ହାତ ମିଳାଇଲା। ମହାତ୍ମା ଗାନ୍ଧୀ ଯାହା ଉପଦେଶ ଦିଅନ୍ତି, ତାହା ନିଜ ଆଚରଣର ମଧୢ ସର୍ବଦା ପାଳନ କରିଥାନ୍ତି ବୋଲି ବିଶ୍ବବ୍ୟାପୀ ପ୍ରସିଦ୍ଧି ଲାଭ କରିଥିଲେ। ସେ ଥିଲେ ସତ୍ୟ ଓ ଅହି˚ସାର ସାଲିସ୍‌ହୀନ ପୁଜାରୀ। ତାଙ୍କର ଆଉ ଏକ ଜୀବନ ଦର୍ଶନ ଅନୁସାରେ କେବଳ ଲକ୍ଷ୍ୟ ମହତ୍‌ ହେଲେ ଚଳିବ ନାହିଁ; ଲକ୍ଷ୍ୟ ହାସଲ କରିବା ଉଦ୍ଦେଶ୍ୟରେ ଅବଲମ୍ବନ କରାଯାଉଥିବା ଉପାୟ ମଧୢ ଅନୁରୂପ ଭାବେ ମହତ୍‌ ହେବା ଆବଶ୍ୟକ। ବ୍ରିଟିସ୍‌ ଶାସନ ବିରୋଧରେ ଅସହଯୋଗ ଆନ୍ଦୋଳନକୁ ମଜଭୁତ କରିବା ନିଶ୍ଚିତ ଭାବରେ ଏକ ମହତ୍‌ ଲକ୍ଷ୍ୟ ଥିଲା। କିନ୍ତୁ ସେ ଉଦ୍ଦେଶ୍ୟ ସାଧନ ପାଇଁ ତୁର୍କୀର ଖଲିଫା ଶାସନ ସପକ୍ଷରେ ଆନ୍ଦୋଳନ କରିବା କେବେହେଲେ ଏକ ମହତ୍‌ ଉପାୟ ନ ଥିଲା, କାରଣ ଅଟୋମାନ୍‌ ସାମ୍ରାଜ୍ୟର ଖଲିଫା ଶାସନ ସଦ୍ୟ ସଦ୍ୟ ସେ ସମୟରେ ବିଶ୍ବ ଇତିହାସରେ ବୋଧହୁଏ ଜଘନ୍ୟତମ ଗଣହତ୍ୟା ସହିତ ସମ୍ପୃକ୍ତ ଥିଲା। ଏହା ଥିଲା ତୁର୍କୀର ଦଖଲରେ ଥିବା କକେସସ୍‌ ଅଞ୍ଚଳରେ ପ୍ରାୟ ୩୦୦୦ ବର୍ଷ ଧରି ବାସ କରୁଥିବା ଆର‌୍‌ମେନିଆନ୍‌ମାନଙ୍କର ସମୂଳେ ବିନାଶ ସାଧନ କରିବା ଯୋଜନାର ଅ˚ଶ।

Advertisment

ଆର‌୍‌ମେନିଆନ୍‌ମାନଙ୍କର ଦୋଷ ହେଲା ସେମାନେ ଥିଲେ ଇସ୍‌ଲାମୀୟ ଅଟୋମାନ୍‌ ସାମ୍ରାଜ୍ୟରେ ବାସ କରୁଥିବା ବିଧର୍ମୀ ଖ୍ରୀଷ୍ଟିଆନ୍‌। ୧୯୧୪ରେ ଆରମ୍ଭ ହୋଇଥିବା ପ୍ରଥମ ବିଶ୍ବଯୁଦ୍ଧରେ ତୁର୍କୀ ଜର୍ମାନୀ ପକ୍ଷରେ ଯୋଗ ଦେଇଥିଲା। ୧୯୧୫ରେ ତୁର୍କୀ ସରକାର ଆର‌୍‌ମେନିଆନ୍‌ମାନଙ୍କର ନିଧନ ଓ ବିତାଡ଼ନ ଯୋଜନା କାର୍ଯ୍ୟକାରୀ କରିବା ଆରମ୍ଭ କରି ଦେଇଥିଲା। ୧୯୨୨ରେ ଏହାର ସମାପ୍ତି ଘଟିବା ବେଳକୁ ପ୍ରାୟ ଛ’ଲକ୍ଷରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଆର‌୍‌ମେନିଆନ୍‌ ମୃତ୍ୟୁ ମୁଖରେ ପଡ଼ିଥିଲେ ଏବ˚ ଆହୁରି ଅନେକଙ୍କୁ ଦେଶରୁ ଜବରଦସ୍ତ ବିତାଡ଼ିତ କରି ଦିଆଯାଇଥିଲା। ତୁର୍କୀ ସରକାର ଏ ପର୍ଯ୍ୟନ୍ତ ଏହି ଗଣହତ୍ୟା ଘଟିଥିବା କଥା ସ୍ବୀକାର କରୁନାହାନ୍ତି, କିନ୍ତୁ ଐତିହାସିକମାନେ ଏହାର ସତ୍ୟତା ସମ୍ବନ୍ଧରେ ଏକମତ। ଊନବି˚ଶ ଶତାବ୍ଦୀର ଶେଷ ସମୟକୁ ସୁଲ୍‌ତାନ୍‌ ଦ୍ବିତୀୟ ଅବଦୁଲ୍‌ ହମିଦ୍‌ ‘ଆର‌୍‌ମେନିଆନ୍‌ ପ୍ରଶ୍ନର ଅନ୍ତିମ ସମାଧାନ’ କରିବେ ବୋଲି ଯେଉଁ ଘୋଷଣା କରିଥିଲେ, ତାହାର ପ୍ରାୟ ତିନିଦଶନ୍ଧି ପରେ ତାହା ଏହି ଗଣହତ୍ୟା ମାଧୢମରେ ସତ୍ୟରେ ପରିଣତ ହୋଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଏକ ବିଡ଼ମ୍ବନା ସଦୃଶ ୧୯୦୮ରେ ଅବଦୁଲ୍‌ ହମିଦ୍‌ଙ୍କୁ ଗାଦିଚ୍ୟୁତ କରିଥିବା ତରୁଣ ତୁର୍କ ସରକାର ସୁଲତାନ୍‌ ହମିଦ୍‌ଙ୍କର ଏହି ନରସ˚ହାର ସ୍ବପ୍ନ ସାକାର କରିଥିଲା। ଇତିହାସରେ ଲିପିବଦ୍ଧ ହୋଇଥିବା ଆର‌୍‌ମେନିଆନ୍‌ମାନଙ୍କ ବିରୋଧରେ ତୁର୍କୀ ସରକାର ପ୍ରଦର୍ଶନ କରିଥିବା ବର୍ବର ଆଚରଣର ବର୍ଣ୍ଣନା ଏବେବି ଲୋମ ଟାଙ୍କୁରାଇ ଦିଏ। ୧୯୧୫ ଏପ୍ରିଲ ୨୪ରେ ଆରମ୍ଭ ହୋଇଥିବା ଏହି ଗଣହତ୍ୟାରେ ସେଇ ପ୍ରଥମ ଦିନ ତୁର୍କୀ ସରକାର କେତେ ଶହ ଆର‌୍‌ମେନିଆନ୍‌ ବୁଦ୍ଧିଜୀବୀଙ୍କୁ ଗିରଫ କରି ହତ୍ୟା କରିଥିଲା। ତା’ପରେ ସାଧାରଣ ଆର‌୍‌ମେନିଆନ୍‌ମାନଙ୍କୁ ସେମାନଙ୍କ ଘରୁ ତଡ଼ି ଆଣି ଖାଦ୍ୟ ପାନୀୟ ବିନା ମେସୋପଟାମିଆ ମରୁଭୂମିରେ ମୃତ୍ୟୁ ଯାତ୍ରାରେ ପଠାଇ ଦିଆଯାଇଥିଲା। ଅନେକ ସମୟରେ ସେମାନଙ୍କୁ ସମ୍ପୂର୍ଣ୍ଣ ଉଲ୍ଲଗ୍ନ ଅବସ୍ଥାରେ ମରୁଭୂମିର ନିଆଁ ଝୁଲ ଭଳି ଖରାରେ ଚାଲିବାକୁ ବାଧୢ କରାଯାଉଥିଲା। ଅନେକ ଯାତ୍ରୀ ବାଟରେ ଟଳି ପଡ଼ୁଥିଲେ; ଯେଉଁମାନେ ବିଶ୍ରାମ ନେବାକୁ ଉଦ୍ୟମ କରୁଥିଲେ, ସେମାନଙ୍କୁ ଗୁଳି କରି ଦିଆଯାଉଥିଲା। ଆର‌୍‌ମେନିଆନ୍‌ମାନଙ୍କୁ ହତ୍ୟା କରିବା ପାଇଁ ବିଶେଷ ଘାତକ ଦଳମାନ ଗଠିତ ହୋଇଥିଲା। ଏହି ଘାତକମାନେ ପାହାଡ଼ କାନ୍ଥିରୁ ଠେଲି ଦେଇ, ନଦୀରେ ବୁଡ଼ାଇ, କ୍ରୁଶ ବିଦ୍ଧ କରି ଏବ˚ ଜିଅନ୍ତା ଜଳାଇ ଅସ˚ଖ୍ୟ ଆର‌୍‌ମେନିଆନ୍‌ମାନଙ୍କୁ ହତ୍ୟା କରିଥିଲେ। ତୁର୍କୀର ଗ୍ରାମାଞ୍ଚଳରେ କୁଢ଼ କୁଢ଼ ଆର‌୍‌ମେନିଆନ୍‌ ଶବ ବିଛାଡ଼ି ହୋଇ ପଡ଼ିଥିଲା।

ସେତିକି ନୁହେଁ ସରକାରୀ କର୍ମୀମାନେ ଆର‌୍‌ମେନିଆନ୍‌ ଶିଶୁମାନଙ୍କୁ ଅପହରଣ କରି ସେମାନଙ୍କର ଧର୍ମାନ୍ତରଣ ଘଟାଇ ମୁସଲମାନ ପରିବାରରେ ଛାଡ଼ି ଦେଉଥିଲେ। ଅନେକ ସ୍ଥାନରେ ଆର‌୍‌ମେନିଆନ୍‌ ମହିଳାମାନଙ୍କୁ ଧର୍ଷଣ କରି ତୁର୍କ ହାରେମ୍‌ମାନଙ୍କରେ ଛାଡ଼ି ଦିଆଯାଉଥିଲା ବା ଦାସୀ କରି ରଖାଯାଉଥିଲା। ଆର‌୍‌ମେନିଆନ୍‌ମାନେ ଛାଡ଼ି ଦେଇ ଯାଇଥିବା ଘରଦ୍ବାର ସବୁକୁ ମୁସଲମାନମାନେ ଦଖଲ କରି ନେଇଥିଲେ। ଗଣହତ୍ୟା ଆରମ୍ଭ ସମୟରେ ଅଟୋମାନ୍‌ ସାମ୍ରାଜ୍ୟରେ ପ୍ରାୟ ୨୦ ଲକ୍ଷ ଆର‌୍‌ମେନିଆନ୍‌ ଥିବା ବେଳେ, ଗଣହତ୍ୟା ସମାପ୍ତ ହେବା ପରେ ସେମାନଙ୍କ ସ˚ଖ୍ୟା ୪ ଲକ୍ଷ ତଳକୁ ଖସି ଆସିଥିଲା। ୨୦୧୯ ଅକ୍ଟୋବର ୨୯ରେ ଆମେରିକା କ˚ଗ୍ରେସରେ ଆର‌୍‌ମେନିଆନ୍‌ ଗଣହତ୍ୟାର ସତ୍ୟତାକୁ ସ୍ବୀକୃତି ପ୍ରଦାନ କରି ଏକ ସ˚କଳ୍ପ ଗୃହୀତ ହୋଇଛି।
ଆର‌୍‌ମେନିଆନ୍‌ ଗଣହତ୍ୟା ଏବେ ତୁର୍କୀରେ ରଚିତ ସର୍ବାଧିକ ସୁପରିଚିତ ଗଣହତ୍ୟା ହୋଇଥିଲେ ହେଁ, ଇତିହାସ ସାରା ତୁର୍କୀ ଗଣହତ୍ୟାମାନ ସହିତ ଅପରିଚିତ ନୁହେଁ। ବାସ୍ତବରେ ଏକ ଐତିହାସିକ ସ˚କଳନ ଅନୁସାରେ ଖ୍ରୀ:ପୂ ୪୯୪ ରୁ ୨୦୧୭ ଖ୍ରୀଷ୍ଟାଦ୍ଦ ମଧୢରେ ତୁର୍କୀରେ ପ୍ରାୟ ୫୦ଟି ଛୋଟ ବଡ଼ ଗଣହତ୍ୟାମାନ ଘଟିଛି। ତେଣୁ ସେଇ ତୁର୍କୀର ବର୍ତ୍ତମାନର ରାଷ୍ଟ୍ରପତି ରିସେପ୍‌ ତାୟିପ୍‌ ଏର୍ଡୋଗାନ୍‌ ଗତ ସପ୍ତାହରେ ପାକିସ୍ତାନ ପାର୍ଲିଆମେଣ୍ଟରେ ଭାଷଣ ଦେଇ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ପୂର୍ଣ୍ଣ ସମର୍ଥନ କରିବା, ଭାରତକୁ ସମାଲୋଚନା କରିବା ଏବ˚ ‘‘କାଶ୍ମୀରୀ ଭାଇଭଉଣୀମାନଙ୍କ’’ ପାଇଁ ସମବେଦନା ପ୍ରକାଶ କରିବାରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?

ମନେ ରଖିବା କଥା ଯେଉଁ ‘ଇଉରୋପ୍‌ର ରୁଗ୍‌ଣମାନବ’ ରୂପେ ପରିଚିତ ତୁର୍କୀକୁ ମୁସ୍ତାଫା କେମାଲ୍‌ ପାଶା ଏକ ସମ୍ପୂର୍ଣ୍ଣ ପ୍ରଗତିଶୀଳ, ଅଣ-ଧର୍ମୀୟ, ଉଦାର ରାଷ୍ଟ୍ରରେ ପରିଣତ କରିଥିଲେ, ପ୍ରାୟ ଏକ ଛତ୍ର କ୍ଷମତା ଅଧିକାର କରିଥିବା ଏର୍ଡୋଗାନ୍‌ ତାହାକୁ ପୁନରାୟ ଏକ ରକ୍ଷଣଶୀଳ ଇସ୍‌ଲାମୀୟ ରାଷ୍ଟ୍ରରେ ପରିଣତ କରି ନିଜକୁ ଜଣେ ଆଧୁନିକ ଖଲିଫା ରୂପେ ଦେଖିବାକୁ ଆରମ୍ଭ କଲେଣି ବୋଲି ମତ ପ୍ରକାଶ ପାଇଲାଣି। ଗଣହତ୍ୟା ପ୍ରବଣ ଏହି ଦେଶର ଏହି ନୂତନ ଖଲିଫା ଯେତେବେଳେ ତାଙ୍କର ତଥାକଥିତ କାଶ୍ମୀରୀ ଭାଇଭଉଣୀମାନଙ୍କ ପାଇଁ ଅନାବଶ୍ୟକ ଲୁହ ଝରାଉଥିଲେ, ସେ ଭାଇଭଉଣୀମାନଙ୍କ ମଧୢରେ ଯେଉଁମାନେ ଅନ୍ତର୍ଭୁକ୍ତ ନ ଥିଲେ ଏବ˚ ଯେଉଁମାନେ ପ୍ରକୃତ ସମବେଦନା ପାଇଁ ହକ୍‌ଦାର, ସେମାନେ ହେଉଛନ୍ତି, ଆର‌୍‌ମେନିଆନ୍‌ମାନଙ୍କ ଭଳି କାଶ୍ମୀରରୁ ଅତ୍ୟାଚାରିତ ହୋଇ ବିତାଡ଼ିତ ହୋଇଥିବା ‘କାଶ୍ମୀରୀ ପଣ୍ତିତ’ମାନେ। ୧୯୯୦ ଜାନୁଆରି ୧୯ ତାରିଖରେ ୫ ଲକ୍ଷରୁ ଅଧିକ କାଶ୍ମୀରର ସ˚ଖ୍ୟାଲଘୁ ହିନ୍ଦୁ ଧର୍ମାବଲମ୍ବୀ ପଣ୍ତିତମାନେ ଏକ ଗଣହତ୍ୟା ଅଭିଯାନର ସମ୍ମୁଖୀନ ହୋଇ ନିଜ ଭିଟାମାଟି ଛାଡ଼ି ଉପତ୍ୟକା ବାହାରକୁ ପଳାୟନ କରିଥିଲେ। ସେମାନଙ୍କ ମଧୢରୁ ଅନେକ ଏ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ ଶରଣାର୍ଥୀ ଶିବିରରେ ଜୀବନ ବିତାଉଛନ୍ତି। ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇ କାଶ୍ମୀରର ସମଗ୍ର ସ˚ଖ୍ୟାଲଘୁ ହିନ୍ଦୁ ପଣ୍ତିତମାନେ ପଳାୟନ କଲେ, ଭାରତର ‘ଜାତୀୟ ମାନବାଧିକାର କମିସନ’ ତାହା ଗଣହତ୍ୟା ସଦୃଶ ଥିଲା ବୋଲି କହିଛନ୍ତି। ଚଳିତ ବର୍ଷ ଜାନୁଆରି ୧୯ରେ ସେଇ ଭୀଷଣ ମାନବୀୟ ଟ୍ରାଜେଡ଼ିର ୩୦ ବର୍ଷ ପୂରିଛି। ବିତାଡ଼ିତ କାଶ୍ମୀରୀ ପଣ୍ତିତମାନଙ୍କର ଆନ୍ତର୍ଜାତିକ ସ˚ଘ ‘ଗ୍ଲୋବାଲ୍‌ କାଶ୍ମୀରୀ ପଣ୍ତିତ ଡାଏସ୍ପୋରା’ (ଜିକେପିଡି) ଆମେରିକା, କାନାଡ଼ା, ବ୍ରିଟେନ୍‌ ଓ ଭାରତରେ ଏହି ଦିନଟିକୁ ‘ହଲୋକଷ୍ଟ ଡେ’ ରୂପେ ପାଳନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ, ଯାହା ଏର୍ଡୋଗାନଙ୍କ ପାକିସ୍ତାନ ଆଗମନର ମାତ୍ର ପ୍ରାୟ ତିନି ସପ୍ତାହ ତଳର କଥା। କିନ୍ତୁ କାଶ୍ମୀରୀ ପଣ୍ତିତମାନଙ୍କ ଆର୍ତ୍ତ ଚିତ୍କାର ଏହି ନୂତନ ଖଲିଫାଙ୍କୁ ଶୁଣା ନ ଯିବା ସ୍ବାଭାବିକ।