‘‘ଏକ ଲୁଟେରା ଭଳି ହି˚ସ୍ର, ଏକ ସଶସ୍ତ୍ର ଡକାୟତ ଭଳି ଭୟାନକ ଏବ˚ ଏକ ଘାତକ ଭଳି ମାରାତ୍ମକ।’’ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନିଜ ପାଇଁ ପ୍ରଚାର କରିବା ସମୟରେ ପ୍ରାର୍ଥୀ ରୋନାଲ୍‌ଡ ରେଗାନ୍‌ ଯାହାର ଏପରି ବର୍ଣ୍ଣନା କରିଥିଲେ, ସେ ତାଙ୍କର କେହି ପ୍ରତିଦ୍ବନ୍ଦ୍ବୀ ନ ଥିଲେ, ତାହା ଥିଲା ସେ ସମୟରେ ଆମେରିକାରେ ଦେଖା ଦେଇଥିବା ଊର୍ଦ୍ଧ୍ବମୁଖୀ ମୁଦ୍ରାସ୍ଫୀତି। ମୁଦ୍ରାସ୍ଫୀତି କୌଣସି ରାଷ୍ଟ୍ରର ସର୍ବୋଚ୍ଚ ସ୍ତରରେ କିପରି ଭୀତି ସଞ୍ଚାର କରିପାରେ, ଏହା ତା’ର ଏକ ଲିପିବଦ୍ଧ ଉଦାହରଣ। ମୁଦ୍ରାସ୍ଫୀତିର ମୁକାବିଲାକୁ ତେଣୁ ସେ ଦେଶର ଆର୍ଥିକ ନୀତି ନିର୍ଦ୍ଧାରଣରେ ଯେଉଁ ମୁଖ୍ୟ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଛି, ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଏହି ରଣକୌଶଳ ସେଠାରେ ଏପରି ଫଳପ୍ରଦ ହୋଇଛି ଯେ, ରହସ୍ୟରେ କୁହାଯାଉଛି -ଆଜି ସେ ମାରାତ୍ମକ ଘାତକ ନିଖୋଜ ହୋଇଯାଇଛି। ଆର୍ଥିକ ନୀତିରେ ମୁଦ୍ରାସ୍ଫୀତି ହାରକୁ ୨ ଶତା˚ଶରେ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲେ ହେଁ, ସେଠାରେ ଯେତେ କୋହଳ ନୀତି, ଅବଲମ୍ବନ କରାଗଲେ ମଧୢ ମୁଦ୍ରାସ୍ଫୀତି ଅର୍ଥାତ୍‌ ଦରଦାମ ବୃଦ୍ଧି ହାର ୨ ଶତା˚ଶ ମଧୢ ଛୁଉଁନାହିଁ, ଯାହା ଏକ ଓଲଟା ଚିନ୍ତାର କାରଣ ହୋଇ ଦେଖାଦେଇଛି। କେବଳ ଆମେରିକା ନୁହେଁ, ‘ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି’ (‘ଆଇଏମ୍‌ଏଫ୍‌’) ଦ୍ବାରା ପ୍ରକାଶିତ ସୂଚନା ଅନୁସାରେ ତା’ର ସଦସ୍ୟ ଦେଶମାନଙ୍କ ମଧୢରୁ ୟୁରୋପିଆନ୍‌ ୟୁନିଅନ୍‌ ଅନ୍ତର୍ଗତ ‘ୟୁରୋଜୋନ୍‌’ (ୟୁରୋ ମୁଦ୍ରା ବ୍ୟବହାର କରୁଥିବା ୧୯ଟି ଦେଶ)କୁ ମିଶାଇ ୪୩ଟି ଦେଶ ନିଜ ନିଜର ଆର୍ଥିକ ନୀତିରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଏକ ବିଧିବଦ୍ଧ ସ୍ଥିରୀକୃତ ଲକ୍ଷ୍ୟ ରୂପେ ଗ୍ରହଣ କରିଛନ୍ତି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ୨୦୧୯ରେ ଏମାନଙ୍କ ମଧୢରୁ ୨୮ ଦେଶ ଏହି ନିର୍ଦ୍ଧାରିତ ମୁଦ୍ରାସ୍ଫୀତି ହାରଠାରୁ ନିମ୍ନରେ ରହିଥିବା ଦେଖାଯାଇଛି, ଯାହାକୁ ମୁଦ୍ରାସ୍ଫୀତି ଲକ୍ଷ୍ୟ ଧାର୍ଯ୍ୟ ନୀତିର ମାତ୍ରାଧିକ ସଫଳତା ରୂପେ ବିଚାର କରାଯାଉଛି।

Advertisment

ଭାରତ ହେଉଛି ଏହି କ୍ଲବ୍‌ରେ ଅପେକ୍ଷାକୃତ ବିଳମ୍ବରେ ପ୍ରବେଶ କରିଥିବା ଏକ ସଦସ୍ୟ। ଗତ ୨୦ ତାରିଖରେ ନୀତିଗତ ଭାବରେ ଭାରତ ଏହି କୌଶଳ ଅବଲମ୍ବନ କରିବାକୁ ସ୍ଥିର କରିବାର ୫ ବର୍ଷ ପୂରିଲା ବୋଲି କୁହାଯାଇପାରେ। ଫେବ୍ରୁଆରି ୨୦ ତାରିଖ, ୨୦୧୫ରେ ଯେଉଁ ‘ମନିଟାରି ପଲିସି ଫ୍ରେମ୍‌ଵର୍କ ଆଗ୍ରିମେଣ୍ଟ୍‌’ ସ˚ପାଦିତ ହେଲା, ତାହା ମୁଦ୍ରାସ୍ଫୀତି ଲକ୍ଷ୍ୟ ନିର୍ଦ୍ଧାରଣକୁ କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ଏବ˚ ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ ମଧୢରେ ଏକ ଚୁକ୍ତି ରୂପେ ପ୍ରତିପାଦିତ କଲା। ଏହି ଅନୁଯାୟୀ ଏହାର ଏକ ବର୍ଷ ପରେ ରିଜର୍ଭ ବ୍ୟାଙ୍କ ଆଇନ୍‌ରେ ଆବଶ୍ୟକ ସ˚ଶୋଧନ କରାଗଲା। ରିଜର୍ଭ ବ୍ୟାଙ୍କ ସହିତ ବିଚାରବିମର୍ଶ କରି କେନ୍ଦ୍ର ସରକାର ଅଗଷ୍ଟ ୨୦୧୬ରେ ଏକ ବିଜ୍ଞପ୍ତି ଜାରି କଲେ ଯାହା ଆମ ଦେଶରେ ୪ ଶତା˚ଶ ହାରରେ ମୁଦ୍ରାସ୍ଫୀତିକୁ ଧାର୍ଯ୍ୟ ଲକ୍ଷ୍ୟ ରୂପେ ଘୋଷଣା କଲା। ଅବଶ୍ୟ ଏହି ଲକ୍ଷ୍ୟ ପ୍ରକୃତରେ ହେଉଛି ୪ ଶତା˚ଶକୁ କେନ୍ଦ୍ର କରି ଏକ ବଳୟ, ଯାହାର ଉପର ଓ ତଳ ସୀମା ୪ ଶତା˚ଶ ଠାରୁ ୨ ଶତା˚ଶ ଅଧିକ ବା କମ୍‌ ହୋଇପାରେ; ଅର୍ଥାତ୍‌ ମୁଦ୍ରାସ୍ଫୀତି ବଳୟ ବାର୍ଷିକ ୨ ଶତା˚ଶରୁ ୬ ଶତା˚ଶ ହାର ମଧୢରେ ସୀମାବଦ୍ଧ। ମାର୍ଚ୍ଚ ୩୧ ତାରିଖ, ୨୦୨୧ ପର୍ଯ୍ୟନ୍ତ ଏହି ନିର୍ଦ୍ଧାରିତ ଲକ୍ଷ୍ୟ ବଳବତ୍ତର ରହିବ। ଯେ କୌଣସି ଦେଶରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଦେଶବାସୀଙ୍କ ମଙ୍ଗଳ ପାଇଁ ଅଗ୍ରାଧିକାର ଲାଭ କରିଥାଏ ଏବ˚ ଭାରତ ଭଳି ଦେଶରେ ଏହା ଅଧିକ ଗୁରୁତ୍ବ ବହନ କରିଥାଏ, କାରଣ ଏହା ଗରିବଙ୍କ ପାଇଁ ଅଧିକ କଷ୍ଟଦାୟକ ହୋଇଥାଏ। ଏଥିଯୋଗୁଁ ଏଠାରେ ଏହା ଅଧିକ ରାଜନୈତିକ ତାତ୍ପର୍ଯ୍ୟ ମଧୢ ବହନ କରିଥାଏ; କାରଣ ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ବିଫଳ ହୋଇଥିବା ସରକାରକୁ ପରବର୍ତ୍ତୀ ନିର୍ବାଚନରେ ମତଦାତାମାନେ ପ୍ରତ୍ୟାଖ୍ୟାନ କରିବାର ଦୃଢ଼ ସମ୍ଭାବନା ଥାଏ। ମୁଦ୍ରାସ୍ଫୀତି ଯେତେବେଳେ ଅଣାୟତ୍ତ ହୁଏ, କ୍ଷମତାସୀନ ସରକାର ଅନ୍ୟ ସମସ୍ତ କାର୍ଯ୍ୟ ଛାଡ଼ି ଏହାକୁ ଆୟତ୍ତ କରିବାକୁ ନିଜର ସମସ୍ତ ଶକ୍ତି ସାମର୍ଥ୍ୟ ବିନିଯୋଗ କରନ୍ତି, ଯାହାଦ୍ବାରା ପ୍ରଶାସନିକ ଓ ଜନମଙ୍ଗଳ ଦାୟିତ୍ବ ଅବହେଳିତ ହୁଏ।
ମୁଦ୍ରାସ୍ଫୀତିକୁ ସର୍ବଦା ଆର୍ଥିକ କୌଶଳ ବ୍ୟବହାର କରି ନିୟନ୍ତ୍ରଣ କରିବା ହେଉଛି ସର୍ବୋତ୍କୃଷ୍ଟ ଉପାୟ। ସୁଧହାର, ମୁଦ୍ରା ଯୋଗାଣ ଆଦି ନିୟନ୍ତ୍ରଣ ମାଧୢମରେ ମୁଦ୍ରାସ୍ଫୀତି ଭଳି ଏକ ଆର୍ଥିକ ଜନ୍ତୁକୁ ହିଁ ଫଳପ୍ରଦ ଭାବରେ କାବୁ କରାଯାଇପାରେ। ଯଦି ତା ନୁହେଁ ରାଜନୈତିକ ଚାପ ଯୋଗୁଁ ଯେ କୌଣସି ଅନ୍ୟ ଉପାୟ ପ୍ରୟୋଗ କରି ସରକାର ଯେତେବେଳେ ମୁଦ୍ରାସ୍ଫୀତିକୁ ଲଗାମ ଦେବାକୁ ଚେଷ୍ଟା କରିବେ, ତାହା ଅର୍ଥନୀତିରେ ବିକୃତି ପ୍ରବେଶ କରାଇବ; ଯେମିତି ସରକାରୀ ଆଦେଶ ବଳରେ ଦରଦାମ ଉପରେ ଅଙ୍କୁଶ ଲଗାଇବା। କେବଳ ଆମ ଭଳି ବିକାଶଶୀଳ ଦେଶ ନୁହେଁ, ଆମେରିକା ଭଳି ଉନ୍ନତ ଦେଶରେ ମଧୢ ଏଭଳି ଛାନିଆ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଯେମିତି, ୧୯୭୧ରେ ତତ୍‌କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍‌ସନ୍‌ ଟେଲିଭିଜନ୍‌ ପର୍ଦ୍ଦାରେ ଆବିର୍ଭୂତ ହୋଇ ସାରା ଆମେରିକାରେ ସମସ୍ତ ଦରଦାମ ଓ ମଜୁରିକୁ ଫ୍ରିଜ୍‌ କରି ଦେଇଥିଲେ; ଯାହାର ଅର୍ଥ ସ୍ବାଭାବିକ ଭାବେ ଯୋଗାଣ ଓ ଚାହିଦା ମଧୢରେ ବଳ କଷାକଷି ମାଧୢମରେ ଦରଦାମ ଓ ମଜୁରି ନିର୍ଣ୍ଣୟ ନ ହୋଇ, ସରକାରୀ ଆଦେଶ ଦ୍ବାରା ନିୟନ୍ତ୍ରିତ ହେବ। ବିଡ଼ମ୍ବନା ହେଲା ଏହା ହେଉଛି କମ୍ୟୁନିଷ୍ଟ ଦେଶରେ ଅନୁସୃତ କୌଶଳ।

ଏହି କାରଣରୁ ମୁଖ୍ୟ ଦାୟିତ୍ବ ଆର୍ଥିକ ବ୍ୟବସ୍ଥାର ଶୀର୍ଷରେ ଥିବା ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ ହାତରେ ନ୍ୟସ୍ତ କରାଯିବା ଏକ ସର୍ବସମ୍ମତ ମତରେ ପରିଣତ ହୋଇଛି। ବିଗତ ଚାରି ବର୍ଷ ମଧୢରେ ଭାରତ କ୍ଷେତ୍ରରେ ଏହାର ଉପଯୋଗିତା ପ୍ରତିପାଦିତ ହୋଇଛି ବୋଲି କୁହାଯାଇପାରେ। ୨୦୧୬ରେ ରିଜର୍ଭ ବ୍ୟାଙ୍କ୍‌ ଉପରେ ଏହି ମୁଦ୍ରାସ୍ଫୀତି ଲକ୍ଷ୍ୟ ହାସଲ ଦାୟିତ୍ବ ନ୍ୟସ୍ତ କରାଯିବା ପରଠାରୁ ଏ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ଏହି ବଳୟ ମଧୢରେ ରହି ଆସିଥିଲା। ଡିସେମ୍ବରରେ ପ୍ରଥମ ଥର ପାଇଁ ଖାଉଟି ମୁଦ୍ରାସ୍ଫୀତି ହାର ବଳୟ ଅତିକ୍ରମ କରି ୭.୩୫ ଶତା˚ଶ ହେବା ପରେ ଜାନୁଆରିରେ ସେଇ ଧାରା ଅବ୍ୟାହତ ରହି ୭.୫୯ ଶତା˚ଶ ହୋଇଥିଲା। ଏହା ଚିନ୍ତାଜନକ କିନ୍ତୁ ପିଆଜ ଓ ପରିବା ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଏପରି ଘଟିଥିବା ଜଣାପଡେ଼। ଭାରତୀୟ ଷ୍ଟେଟ ବ୍ୟାଙ୍କ ପ୍ରକାଶ କରିଥିବା ଏକ ଆକଳନ ଅନୁସାରେ ଯଦି କେବଳ ପିଆଜ ଦର ବୃଦ୍ଧିକୁ ବାଦ୍‌ ଦେଇ ଦିଆଯାଏ, ତା ହେଲେ ଡିସେମ୍ବରରେ ମୁଦ୍ରାସ୍ଫୀତି ହାର ହେବ ୪.୪୮ଶତା˚ଶ, ଯାହା ସମ୍ପୂର୍ଣ୍ଣ ରୂପେ ବଳୟ ଭିତରେ। ଯଦି ଏଭଳି ଖାଦ୍ୟ ଦ୍ରବ୍ୟ ଦରବୃଦ୍ଧିରେ ନିକଟ ଭବିଷ୍ୟତରେ ସୁଧାର ଆସେ, ତେବେ ମୁଦ୍ରାସ୍ଫୀତି ହାର ପୁଣି ବଳୟ ଭିତରକୁ ଫେରିଆସିବ। କିନ୍ତୁ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ହେଉଛି, ଆମ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଆବଶ୍ୟକତା ଦୃଷ୍ଟିରୁ ଏହି ବଳୟ କ’ଣ ଟିକିଏ ସ˚କୀର୍ଣ୍ଣ ହେଉଛି କି, ଯେଉଁଥିପାଇଁ ରିଜର୍ଭ ବ୍ୟାଙ୍କ ଏକ ଅଭିବୃଦ୍ଧି ଅନୁକୂଳ କୋହଳ ଆର୍ଥିକ ନୀତି ଅବଲମ୍ବନ କରିପାରୁ ନାହିଁ? ସୁଧ ହାର ଖସାଇ ପାରୁନାହିଁ? ୨୦୨୧ରେ ମୁଦ୍ରାସ୍ଫୀତି ଲକ୍ଷ୍ୟର ନବୀକରଣ ପୂର୍ବରୁ ଏହାର ସମୀକ୍ଷା କରି ଉପଯୁକ୍ତ ନିଷ୍ପତ୍ତି ନିଆଯିବା ଆବଶ୍ୟକ।