ଉପେକ୍ଷିତ ‘ଚାଣକ୍ୟ’

‘କିତ୍‌ନା ହୈ ବଦ୍‌ନସିବ ‘ଜାଫର’ ଦଫ୍‌ନ କେ ଲିୟେ/ଦୋ ଗଜ୍‌ ଜମିନ୍‌ ଭି ନା ମିଲି କୁ-ଇ-ୟାର ମେଁ।’ ଭାରତର ଶେଷ ମୋଗଲ ସମ୍ରାଟ ବାହାଦୁର ଶାହ ଜାଫରଙ୍କ ଲିଖିତ ଏହି କରୁଣ ପଦ୍ୟା˚ଶ ସହ ଅଧିକା˚ଶ ଭାରତୀୟ ପରିଚିତ। ନିଜର ଜନ୍ମଭୂମି ଭାରତର ରାଜଧାନୀ ଦିଲ୍ଲୀରେ କବର ନେବାର ସୌଭାଗ୍ୟରୁ ବ˚ଚିତ ବାହାଦୁର ଶାହ ୧୮୬୨ରେ ନିଜର ମୃତ୍ୟୁ ପୂର୍ବରୁ ବର୍ମା (ବର୍ତ୍ତମାନ ମିଆଁମାର)ର ରାଜଧାନୀ ରେଙ୍ଗୁନ୍‌ କାରାଗାରରେ ଏହା ଲେଖିଥିଲେ। ଦିଲ୍ଲୀ ମାଟିରେ ସମାଧି ନେବାର ଏଭଳି ପ୍ରବଳ ଇଚ୍ଛା ପାମୁଲାପର୍ତ୍ତି ଭେଙ୍କଟ ନରସି˚ହ ରାଓ (୧୯୨୧-୨୦୦୪)ଙ୍କ ଅନ୍ତରରେ ଥିଲା କି ନାହିଁ ତାହା ଅବଶ୍ୟ ଜାଣିବାର ଅବକାଶ ନାହିଁ; ମାତ୍ର ୨୦୦୪ର ଶୀତଳ ଡିସେମ୍ବରରେ ଭାରତର ନବମ ପ୍ରଧାନମନ୍ତ୍ରୀ ଏବ˚ ଅଖିଳ ଭାରତ କ˚ଗ୍ରେସ ପାର୍ଟିର ଏକଦା ସଭାପତି ନରସିଂହରାଓଙ୍କୁ ଦିଲ୍ଲୀରେ ସମାଧି ନେବାର ବ୍ୟବସ୍ଥାରୁ ବ˚ଚିତ କରାଗଲାବେଳେ ସୁଦୂର ହାଇଦ୍ରାବାଦ‌େର କେହି ନା କେହି ବାହାଦୁରଶାହ ଜାଫରଙ୍କ ସହ ନରସି˚ହରାଓଙ୍କ ଭାଗ୍ୟକୁ ତୁଳନା କରିଥିବେ। ପାର୍ଥକ୍ୟ ଏତିକି ଯେ ବୃଦ୍ଧ ବାହାଦୁରଶାହ ଜାଫରଙ୍କୁ ବିଦେଶୀ ଇ˚ରେଜ ସରକାର ରେଙ୍ଗୁନକୁ ସ୍ଥାନାନ୍ତରିତ କରିଥିବାବେଳେ ନରସି˚ହରାଓଙ୍କ ଶବାଧାରକୁ ତାଙ୍କ ନିଜ ଦଳର ହାଇକମାଣ୍ଡ ଦିଲ୍ଲୀ ସମାଧିସ୍ଥଳରୁ ନିର୍ବାସିତ କରିଥିଲେ। ଦୁଇ ଘଟଣା ଭିତରେ ନିୟତିର ନିଷ୍ଠୁର ପରିହାସର ସାମ୍ୟ ଅବଶ୍ୟ ଖୋଜି ପାଇ ହୁଏ। କାରଣ ଦିହେଁ, ଏକଦା ଭାରତବର୍ଷର କ୍ଷମତାର ସର୍ବୋଚ୍ଚ ଆସନରେ ଆସୀନ ଥିଲେ।

ପୂର୍ବ ପ୍ରଧାନମନ୍ତ୍ରୀ ପି ଭି ନରସି˚ହଙ୍କ ପ୍ରତି ସୋନିଆ ଗାନ୍ଧୀ ଏବ˚ ତାଙ୍କ ପରିବାରର ଅନାଦର କେତେ ଗଭୀର ଥିଲା ତାହା ୨୦୦୪ ମସିହାରେ ଆଉ ଥରେ ଜଣାପଡ଼ିଥିଲା, ଯେତେବେଳେ କ˚ଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ନରସି˚ହରାଓଙ୍କ ପରିବାର ସଦସ୍ୟଙ୍କ ଆଗ୍ରହ କ୍ରମେ ତାଙ୍କର ଶବାଧାରକୁ ହାଇଦ୍ରାବାଦ ପଠାଯାଉଛି। ବାସ୍ତବ ସତ୍ୟ ଥିଲା ଏହାଠାରୁ ସ˚ପୂର୍ଣ୍ଣ ଦୂରବର୍ତ୍ତୀ ଯାହା ସେ ସମୟରେ ବିଭିନ୍ନ ସମ୍ବାଦପତ୍ର ମାନଙ୍କରେ ଅବଶ୍ୟ ପ୍ରକାଶିତ ହୋଇଥିଲା। ରାଓଙ୍କ ପ୍ରତି କ˚ଗ୍ରେସର ଏହି ଅନାଦର, ଷୋହଳ ବର୍ଷର ବ୍ୟବଧାନ ସତ୍ତ୍ବେ, ଏବେ ମଧୢ ଅନାହତ ରହିଛି, ଏହାର କାରଣ ଗଲା ୨୮ ତାରିଖରେ ଏହି ପୂର୍ବ ପ୍ରଧାନମନ୍ତ୍ରୀଙ୍କର ଶତବାର୍ଷିକୀ ବର୍ଷ ଆରମ୍ଭ ହେବା ଦିନ କ˚ଗ୍ରେସ ପକ୍ଷରୁ ତାଙ୍କର ଜୟନ୍ତୀ ପାଳନ ଦିଗରେ ଯେଉଁ ଆଗ୍ରହ ଦେଖାଦେଇଛି ତାହାକୁ ଶୀତଳ ସଂସ୍ମରଣ ବୋଲି କୁହାଯିବ। ତାହା ତୁଳନାରେ ତେଲେଙ୍ଗାନା ରାଜ୍ୟ ସରକାର ଏବଂ ଭାରତୀୟ ଜନତା ପାର୍ଟିର ଆଗ୍ରହ ଅଧିକ ସମ୍ମାନଜନକ। ଦିଲ୍ଲୀ ସମାଧିସ୍ଥଳରେ ଜାଗା ଖଣ୍ତେ ପାଇବା ଅବଶ୍ୟ କାହାରି ଜୀବନର ଚରମ ଲକ୍ଷ୍ୟ ବୋଲି କୁହାଯାଇନପାରେ। ମାତ୍ର ଗାନ୍ଧୀ ପରିବାରର ନେହରୁ, ଇନ୍ଦିରା ଏବ˚ ରାଜୀବଙ୍କ ସହ ଦେଶ ଶାସନର କୌଣସି ପଦପଦବିରେ ଆସୀନ ନଥିବା ସ˚ଜୟ ଗାନ୍ଧୀଙ୍କ ପାଇଁ ରାଜଘାଟରେ ଭବ୍ୟ ସମାଧିସ୍ଥଳ ନିର୍ମାଣ ପରିପ୍ରେକ୍ଷୀରେ ନରସି˚ହରାଓଙ୍କୁ ତହିଁରୁ ବ˚ଚିତ କରିବା ନିଶ୍ଚୟ ଅଭିସନ୍ଧିହୀନ ଏକ ପଦକ୍ଷେପ ହୋଇନପାରେ। ପ୍ରସଙ୍ଗତଃ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନରସି˚ହରାଓଙ୍କୁ ଭାରତ ଇତିହାସରେ ଉଜ୍ଜ୍ବଳତମ ପ୍ରଧାନମନ୍ତ୍ରୀ ବୋଲି ତାଙ୍କର ପ୍ରିୟତମ ସମର୍ଥକମାନେ ସୁଦ୍ଧା ଦାବି କରିବେ ନାହିଁ, ମାତ୍ର କ˚ଗ୍ରେସ ଦଳର ତଥା ଦେଶର ଏକ ବିପର୍ଯ୍ୟୟ ସମୟରେ, ସ˚ଖ୍ୟାନ୍ୟୂନ ସରକାରର ନେତୃତ୍ବ ନେଇ କାର୍ଯ୍ୟ କାଳ ଶେଷ କରିବା ସହ ରାଓ ଯେଉଁପରି ପରମାଣୁ ପରୀକ୍ଷା କାର୍ଯ୍ୟକ୍ରମକୁ ଆଗେଇବା ସହ ମୁକ୍ତ ଅର୍ଥନୀତି ଲାଗି ଦ୍ବାର ଉନ୍ମୁକ୍ତ କରିଥିଲେ ତାହାକୁ ସାଧାରଣ କହି ନଜରଅନ୍ଦାଜ କରିହେବନାହିଁ। ପରବର୍ତ୍ତୀ ସମୟରେ, ଗାନ୍ଧୀ-ନେହରୁ ପରିବାରର ପ୍ରିୟ ପ୍ରଧାନମନ୍ତ୍ରୀ ଭାବେ ଆଦୃତ ହୋଇଥିବା ଡକ୍ଟର ମନମୋହନ ସି˚ହଙ୍କୁ ନରସି˚ହରାଓ ହିଁ ନିଜର ଅର୍ଥମନ୍ତ୍ରୀ ଭାବେ ବରଣ କରି ଆଣି ତାଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଥିଲେ। ନେହରୁଙ୍କ ଅମଳରୁ ରାଜୀବଙ୍କ ପର୍ଯ୍ୟନ୍ତ ଅନୁସୃତ ସମାଜବାଦୀ ଚିନ୍ତାଧାରାରେ ପରିବର୍ତ୍ତନ ଆଣି ନରସି˚ହରାଓ ସରକାର ହିଁ ଭାରତରେ ନୂଆ ଅର୍ଥନୀତିର ମାର୍ଗ ପ୍ରଶସ୍ତ କରିଥିଲେ ଯାହା ଆଜିଯାଏଁ ଅପରିବର୍ତ୍ତିତ ରହିଛି। ଏଥିପାଇଁ, ତାଙ୍କ କାର୍ଯ୍ୟକାଳ ଭିତରେ ବହୁ ନିନ୍ଦିତ ଘଟଣା ସତ୍ତ୍ବେ ତାଙ୍କୁ ଜଣେ ବିଚକ୍ଷଣ ପ୍ରଧାନମନ୍ତ୍ରୀ ବା ରାଜନୀତିରେ ଚାଣକ୍ୟ ଭାବେ ଅଭିହିତ କରାଯାଇଅଛି।

ଏକଥା ଉଲ୍ଲେଖ କଲାବେଳେ ନରସି˚ହରାଓଙ୍କ ସମୟରେ ଘଟିଯାଇଥିବା ଅଘଟଣଗୁଡ଼ିକ ସ˚ପର୍କରେ ଆମେ ଆଦୌ ସଚେତନ ନୋହୁଁ ବୋଲି କୁହାଯିବା ଅନୁଚିତ। ତାଙ୍କ ସମୟରେ ବାବ୍ରି ମସଜିଦ୍‌ ପତନ ଓ ସେଇ ପ୍ରକରଣରେ ହିନ୍ଦୁ-ମୁସଲମାନ ଦଙ୍ଗା ପରି ଦୁର୍ଭାଗ୍ୟଜନକ ଘଟଣା ଘଟିଥିଲା। ନିଜ ସରକାରର ଶକ୍ତି ସଂଗ୍ରହ ନିମନ୍ତେ ସେ ଅନୈତିକ ଭାବେ ଅନ୍ୟ ଦଳ ନେତାଙ୍କୁ ଉତ୍କୋଚ ଦେବାର ଅଭିଯୋଗ ସୁଦ୍ଧା ସେତେବେଳେ ଆସିଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ରାଓ ସେସବୁ ଅପବାଦରୁ ମୁକ୍ତ ହୋଇଥିଲେ। ଅନ୍ୟପକ୍ଷରେ ଗାନ୍ଧୀ-ନେହରୁ ପରିବାର ବାହାରୁ ଆସିଥିବା ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ଦେଶର ଶିଳ୍ପ, ପ୍ରତିରକ୍ଷା, ବୈଦେଶିକ ସ˚ପର୍କ ଓ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ଯେଉଁ ଦକ୍ଷତା ଦେଖାଇଥିଲେ ତାହାକୁ ମଧ୍ୟ କେହି ଅସ୍ବୀକାର କରିପାରିବେ ନାହିଁ। ନରସିଂହରାଓ ଥିଲେ ଏଭଳି ଜଣେ ପ୍ରଧାନମନ୍ତ୍ରୀ ଯିଏ ନିଷ୍ପତ୍ତି ନ ନେବାଟାକୁ ମଧୢ ଏକ ନିଷ୍ପତ୍ତି ବୋଲି ଧାରଣାକୁ ଗ୍ରହଣ କରାଇବାରେ ସମର୍ଥ ହୋଇଥିଲେ। ଆଶ୍ବାସନାର କଥା ହେଉଛି ଯେ ଦିଲ୍ଲୀରୁ ରାଓଙ୍କୁ ନିିର୍ବାସିତ କରିବାର କ˚ଗ୍ରେସୀ ଷଡ୍‌ଯନ୍ତ୍ର କିଛି ପରିମାଣରେ ସଫଳ ହୋଇଥିଲେ ମଧୢ ତାହା ସ˚ପୂର୍ଣ୍ଣ ସଫଳ ହୋଇନାହିଁ। ଗାନ୍ଧୀ ପରିବାରର ସଦସ୍ୟମାନଙ୍କୁ ମିଳିଥିବା ମରଣୋତ୍ତର ଭବ୍ୟ ସମାଧିତ୍ବ ପରି ନହେଲେ ମଧୢ ନରେନ୍ଦ୍ର ମୋଦୀ ସରକାର, ରାଓଙ୍କ ପରଲୋକର ଦୀର୍ଘ ଦଶବର୍ଷ ପରେ, ୨୦୧୫ରେ, ଦିଲ୍ଲୀର ଏକତା ସ୍ଥଳରେ ସ୍ମାରକୀ ନିର୍ମାଣ କରାଇ ଏହି ଦିବ˚ଗତ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିକୁ ନ୍ୟାୟ ଦେବାକୁ ଉଦ୍ୟମ କରିଛନ୍ତି। ଏକତା ସ୍ଥଳ ହେଉଛି, ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ବା ସେହିପରି ତୁଙ୍ଗନେତା ମାନଙ୍କ ସ୍ମୃତିରକ୍ଷା ନିମନ୍ତେ ନିର୍ମିତ ଗଣସମାଧିସ୍ଥଳ।

ଏଆଇସିସିର ପ୍ରାକ୍ତନ ସଭାପତି ନରସିଂହରାଓଙ୍କ ଶତବାର୍ଷିକୀ ଅବକାଶ ଦଳର ବର୍ତ୍ତମାନର ନେତୃତ୍ବକୁ ଅହଙ୍କାର କିମ୍ବା ଏକାଧିପତ୍ୟ ବଦଳରେ ଆତ୍ମସମୀକ୍ଷାର ଅବକାଶ ଦେଇପାରିଲେ ତାହା ସେହି କ୍ରମକ୍ଷୟିଷ୍ଣୁ ଦଳ ଏବ˚ ଦେଶ ଉଭୟ ପାଇଁ କଲ୍ୟାଣକର ହୋଇପାରନ୍ତା। ଏକଦା ସମଗ୍ର ଭାରତବାସୀଙ୍କର ରାଜନୈତିକ ମଞ୍ଚ ଭାବରେ ବିଚାର କରାଯାଉଥିବା କ˚ଗ୍ରେସ ଦଳକୁ ଆଜି ଯୁବପିଢ଼ି ଗାନ୍ଧୀ-ନେହରୁ ପରିବାରର ଦଳ ବୋଲି ଆକ୍ଷେପ କରୁଅଛି ଏବ˚ ଦଳର ନେତୃବର୍ଗ ଏହାକୁ ମିଥ୍ୟା ପ୍ରମାଣିତ କରିବା ଲାଗି କୌଣସି ଉଦ୍ୟମ କରୁନାହାନ୍ତି। ଯେନତେନ ପ୍ରକାରେଣ, ଦଳକୁ ନେତୃତ୍ବ ଦେବାରେ ଅସମର୍ଥ ରାହୁଳ ଗାନ୍ଧୀଙ୍କୁ ପୁଣି କଂଗ୍ରେସ ସଭାପତି କରାଇନେବା ଲାଗି ଯେମିତି ଦରବାରୀ ଉଦ୍ୟମ ଚାଲିଛି ତାହା ଯେକୌଣସି ହାସ୍ୟୋଦ୍ଦୀପକ ନାଟକର ଦୃଶ୍ୟଠାରୁ ଅଧିକ ହାସ୍ୟୋଦ୍ଦୀପକ। ଏଭଳି ସମୟରେ କଂଗ୍ରେସ ଦଳ, ଆଉ କିଛି କାଳ ବ˚ଚିରହିବାକୁ ଆଗ୍ରହୀ ଥିଲେ, ଗାନ୍ଧୀ ପରିବାରର ସ୍ତାବକତା ଭୁଲି ଆଉ ଜଣେ ନରସି˚ହରାଓଙ୍କୁ ଖୋଜିବା ଆବଶ୍ୟକ। ନରସି˚ହରାଓଙ୍କ ଶତବାର୍ଷିକୀ ଅବକାଶ ଅପେକ୍ଷା ଏଭଳି ବିକଳ୍ପ ଅନ୍ବେଷଣ ଲାଗି ଅଧିକ ଉତ୍ତମ ଅବକାଶ କ˚ଗ୍ରେସ ଦଳକୁ ମିଳନ୍ତା ନାହିଁ।

ସମ୍ବନ୍ଧିତ ଖବର