ଦେଶର ଅର୍ଥନୀତି ବର୍ତ୍ତମାନ ଏକ ଅମା ଅନ୍ଧାର ଭିତରେ ଉଦ୍ଧାରର ବାଟ ଉଣ୍ତାଳି ହେଉଥିବା ବେଳେ, ଗୋଟିଏ କୋଣରେ ଏପରି ପୁଳାଏ ଆଲୁଅର ଛିଟାର ଆବିର୍ଭାବ ଘଟିଛି, ଯାହା ପ୍ରଥମେ ଅବିଶ୍ବାସ୍ୟ ମନେ ହୁଏ। ଭାରତର ବୈଦେଶିକ ମୁଦ୍ରା ଗଚ୍ଛିତ ପାଣ୍ଠିର ଆକାର ଏକ ସର୍ବକାଳୀନ ରେକର୍ଡ ସ୍ଥାପନ କରି ପ୍ରଥମ ଥର ପାଇଁ ଅଧ ଟ୍ରିଲିଅନ୍ ଆମେରିକୀୟ ଡଲାର୍ (୫୦,୦୦୦ କୋଟି ଡଲାର୍) ଅତିକ୍ରମ କରିଛି। ଏସିଆର ଦେଶମାନଙ୍କ ମଧୢରେ ଏହା ହେଉଛି ତୃତୀୟ ବୃହତ୍ତମ ବୈଦେଶିକ ମୁଦ୍ରା ପାଣ୍ଠି। ଦେଶର ବୈଦେଶିକ ମୁଦ୍ରା ପାଣ୍ଠିରେ ଏଭଳି ଚମକପ୍ରଦ ବୃଦ୍ଧି ପଛରେ ରହିଥିବା କାରଣ ହେଉଛି ଦୁଇଟି। ଗୋଟିଏ ହେଉଛି ଆନୁଷ୍ଠାନିକ ବୈଦେଶିକ ପୁଞ୍ଜି ନିବେଶରେ ଦେଖା ଦେଇଥିବା ବୃଦ୍ଧି ଏବ˚ ଅନ୍ୟଟି ହେଉଛି ଦେଶର ଆମଦାନି ବିଲ୍ରେ ହ୍ରାସ। ଚୀନା କରୋନା ସୃଷ୍ଟି କରିଥିବା ଛାନିଆ ପ୍ରଭାବରେ ମାର୍ଚ୍ଚରେ ଅନେକ ବୈଦେଶିକ ନିବେଶକ ଏଠାରୁ ପୁଞ୍ଜି ପ୍ରତ୍ୟାହାର କରି ପଳାଇଥିଲେ, କିନ୍ତୁ ପରବର୍ତ୍ତୀ ମାସ ମାନଙ୍କରେ ସେମାନେ ପୁଣି ଭାରତୀୟ ନିବେଶ ବଜାରରେ ପ୍ରବେଶ କରିବା ଦେଖା ଯାଇଛି। ପ୍ରଥମେ ଏପ୍ରିଲ୍ରେ ପୃଥିବୀର ସର୍ବବୃହତ୍ ସୋସିଆଲ୍ ନେଟ୍ଵର୍କ କମ୍ପାନି ‘ଫେସ୍ବୁକ୍’ ଭାରତ ପାଇଁ ତାର ଗାଞ୍ଜିଆ ଫିଟାଇବା ଘୋଷଣା କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲା। ଭାରତର ସର୍ବବୃହତ୍ କମ୍ପାନି ରିଲାଏନ୍ସ ଇଣ୍ତଷ୍ଟ୍ରିଜ୍ର ଡିଜିଟାଲ୍ ଶାଖା ‘ଜିଓ ପ୍ଲାଟ୍ଫର୍ମ୍ସ’ରେ ୯.୯% ଅ˚ଶପତ୍ର ୫.୭ ବିଲିଅନ୍ ଡଲାର୍ ଦେଇ କ୍ରୟ କରିବାକୁ ଯାଉଛି ବୋଲି ‘ଫେସ୍ବୁକ୍’ ପ୍ରକାଶ କଲା। ଏହା ପରେ ପରେ ନ’ଟି ଅନ୍ୟ ସ˚ସ୍ଥା ମଧୢ ‘ଜିଓ’ରେ ପୁଞ୍ଜିନିବେଶ କରିବାକୁ ଆଗେଇ ଆସିଲେ। ଏମାନଙ୍କ ମଧୢରେ ସାଉଦୀ ଆରବ ଏବ˚ ‘ୟୁଏଇ’ର ସରକାରୀ ପାଣ୍ଠି ବା ‘ସୋଭରେନ୍ େଵଲ୍ଥ ଫଣ୍ତ୍’ମାନ ତଥା ‘କେକେଆର୍’ ପରି ବିଶାଳ ପ୍ରାଇଭେଟ୍ ଇକ୍ବିଟି ସ˚ସ୍ଥାମାନ ଅନ୍ତର୍ଭୁକ୍ତ। ସେମାନେ ସମସ୍ତେ ମିଶି ଏ ବର୍ଷ ‘ଜିଓ’ରେ ୧୫ ବିଲିଅନ୍ ଡଲାର୍ରୁ ଅଧିକ ବୈଦେଶିକ ପୁଞ୍ଜି ନିବେଶ କରିଛନ୍ତି।
ବୈଦେଶିକ ପୁଞ୍ଜି ନିବେଶକମାନଙ୍କ ପାଇଁ ଭାରତର ବିଶ୍ବସନୀୟତା କେବଳ ‘ଜିଓ’ର ଡିଜିଟାଲ୍ ଆକର୍ଷଣରେ ସୀମିତ ନୁହେଁ। ଅନ୍ୟତମ ପ୍ରମୁଖ ଶିଳ୍ପଗୋଷ୍ଠୀ ଆଦାନି ଗ୍ରୁପ୍ ତାର ମୁମ୍ବାଇ ଶକ୍ତି ଉତ୍ପାଦନ ବ୍ୟବସାୟର ୨୫% ଅ˚ଶ ୪୫୦ ନିୟୁତ ଡଲାର୍ ମୂଲ୍ୟରେ କାତାର୍ ସରକାରଙ୍କୁ ବିକ୍ରୟ କରିଥିବା ବେଳେ ତା’ର ଗ୍ୟାସ୍ ବ୍ୟବସାୟର ୨୫% ଅ˚ଶ ୯୦୦ ନିୟୁତ ଡଲାର୍ ମୂଲ୍ୟରେ ଫ୍ରାନ୍ସର ବିଶାଳ ତୈଳ କମ୍ପାନି ‘ଟୋଟାଲ୍’କୁ ବିକ୍ରୟ କରିଛି। ‘ଲକ୍ହିଡ୍ ମାର୍ଟିନ୍’ କମ୍ପାନି ମଧୢ ଏଠାରେ ଭାରତୀୟ ବାୟୁସେନା ପାଇଁ ଯୁଦ୍ଧ ବିମାନ ନିର୍ମାଣ କରିବା ପାଇଁ ଏହାକୁ ଅ˚ଶୀଦାର କରି ପୁଞ୍ଜି ନିବେଶ କରିବାର ଦୃଢ଼ ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ପୁଞ୍ଜିନିବେଶ ମାଧୢମରେ ଦେଶ ଭିତରକୁ ଅଧିକ ବୈଦେଶିକ ମୁଦ୍ରା ପ୍ରବେଶ କରୁଥିବା ବେଳେ ସେପଟେ ଆନ୍ତର୍ଜାତିକ ତୈଳ ବଜାରରେ ତୈଳ ଦରରେ ତୀକ୍ଷ୍ଣ ସ୍ଖଳନ ଘଟି ଭାରତର ତୈଳ ଆମଦାନି ବାବଦ ଖର୍ଚ୍ଚରେ ବିଶେଷ ହ୍ରାସ ଘଟିଛି। ଆମଦାନି ପାଇଁ ବୈଦେଶିକ ମୁଦ୍ରା ବ୍ୟବହୃତ ହୋଇଥାଏ, ଏଣୁ ଏଥିଯୋଗୁଁ ଆମର ବୈଦେଶିକ ମୁଦ୍ରା ପାଣ୍ଠିରେ ମଧୢ ବୃଦ୍ଧି ଦେଖା ଦେଇଛି।
ଏକ ପ୍ରଶ୍ନ ଉଠିପାରେ ଯେ ବୈଦେଶିକ ମୁଦ୍ରା ପାଣ୍ଠିରେ ଏଭଳି ବୃଦ୍ଧି ଘଟିଥିଲେ ହେଁ, ଏହା ଆମ ପାଇଁ ଯଥେଷ୍ଟ କି? ଯଦି ବା ଏଭଳି ପ୍ରଶ୍ନର ଉତ୍ତର ସିଧାସଳଖ ଏକ ‘ହଁ’ ବା ‘ନାଁ’ରେ ଦେବା କଷ୍ଟକର, ତେବେ ଏଥିପାଇଁ ବେଳେ ବେଳେ ଏକ ମାର୍ଗଦର୍ଶିକା ବ୍ୟବହାର କରାଯାଇଥାଏ। କୌଣସି ଏକ ଦେଶ ପାଇଁ ବୈଦେଶିକ ମୁଦ୍ରାର ମୁଖ୍ୟ ଆବଶ୍ୟକତା ହେଉଛି ବିଦେଶରୁ ଆମଦାନିରେ ଏହାର ବ୍ୟବହାର। ଭାରତୀୟ ମୁଦ୍ରା ଟଙ୍କା ଦ୍ବାରା ଏହା କରାଯାଇ ପାରିବ ନାହିଁ। ଆମ ପାଖରେ ମହଜୁଦ ଥିବା ବୈଦେଶିକ ମୁଦ୍ରା ପାଣ୍ଠି ଦ୍ବାରା ଆମର କେତେ ମାସର ଆମଦାନି ଚାହିଦା ପୂରଣ କରାଯାଇ ପାରିବ, ତାହା ଅନୁସାରେ ଆମର ପାଣ୍ଠିର ଯଥେଷ୍ଟତା ବିଚାର କରାଯାଏ। ସାଧାରଣତଃ ଛ’ମାସର ଆମଦାନି ଆବଶ୍ୟକତା ପୂରଣ କଲା ଭଳି ବୈଦେଶିକ ମୁଦ୍ରା ଆମ ପାଣ୍ଠିରେ ଗଚ୍ଛିତ ଥିଲେ, ତାହାକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ। ୨୦୧୯ ଡିସେମ୍ବରରେ ଆମର ବୈଦେଶିକ ମୁଦ୍ରା ପାଣ୍ଠିରେ ପ୍ରାୟ ୦.୪ ଟ୍ରିଲିଅନ୍ ବା ୪୦,୦୦୦ କୋଟି ଡଲାର୍ ଗଚ୍ଛିତ ଥିବା ବେଳେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ତାହା ପ୍ରାୟ ୧୦ ମାସର ଆମଦାନି ସମ୍ଭାଳିବା ପାଇଁ ଯଥେଷ୍ଟ ବୋଲି ଘୋଷଣା କରିଥିଲା। ତେଣୁ ବର୍ତ୍ତମାନ ଉପଲବ୍ଧ ପାଣ୍ଠି ଅତି କମ୍ରେ ଏକ ବର୍ଷର ଆମଦାନି ଭରଣା କରିବା ପାଇଁ ଯଥେଷ୍ଟ ବୋଲି ବିଚାର କରାଯାଇପାରେ।
ଏକ ମଧୁର ବିଡ଼ମ୍ବନା ସଦୃଶ ଏପରି ଏକ ସମୟରେ ଏହି ବିଶାଳ ବୈଦେଶିକ ମୁଦ୍ରା ପାଣ୍ଠିର ଆବିର୍ଭାବ ଘଟିଛି, ଯେଉଁ ସମୟରେ ଆମର ଆମଦାନି ତାଲିକାରେ ଥିବା ‘ଏକା ମାଧିଆ ବାଇଶି ପଳ’ ତୈଳ ଆନ୍ତର୍ଜାତିକ ବଜାରରେ ଶସ୍ତା ହୋଇ ଯାଇଛି, କେବଳ ତାହା ନୁହେଁ, ଆମ ସରକାର ମଧୢ ଏକ ନୂତନ ଅର୍ଥନୈତିକ ମନ୍ତ୍ର ପାଠ ଆରମ୍ଭ କରି ଦେଇଛନ୍ତି- ‘ଆତ୍ମନିର୍ଭରତା’। ଦେଶ ଯେତେ ଅଧିକ ଆତ୍ମନିର୍ଭର ହେବ, ଆମଦାନିର ଗୁରୁତ୍ବ ସେତେ ହ୍ରାସ ପାଇବ। ଏଣୁ ଏକ ବିଶାଳ ବୈଦେଶିକ ମୁଦ୍ରା ପାଣ୍ଠିକୁ ଅକ୍ଷୁଣ୍ଣ ରଖିବାର ଉତ୍କଣ୍ଠା ମଧୢ ସେଇ ଅନୁପାତରେ ହ୍ରାସ ପାଇବା ଉଚିତ। ଆବଶ୍ୟକ ହେଲେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିରୁ ମଧୢ ଋଣ ଉଠାଇବାର ସୁଯୋଗ ଆମ ପାଇଁ ଉପଲବ୍ଧ ଅଛି। ବର୍ତ୍ତମାନ କରୋନା ଜର୍ଜରିତ ଅର୍ଥନୀତିରେ ପ୍ରାଣ ସଞ୍ଚାର କରିବା ପାଇଁ ତଥା ନାଗରିକମାନଙ୍କୁ ପରିସ୍ଥିତିର ମୁକାବିଲା କରିବାରେ ସହାୟତା ପ୍ରଦାନ କରିବା ପାଇଁ ସରକାର ବିପୁଳ ବ୍ୟୟ କରିବା ଅପରିହାର୍ଯ୍ୟ ହୋଇ ପଡ଼ିଛି। ସରକାର ଏ ଦିଗରେ କେତେକ ପଦକ୍ଷେପ ନେଇଥିଲେ ହେଁ, ତାହା ଦୁର୍ବଳ ଶ୍ରେଣୀର ଓ ଆବଶ୍ୟକତାଠାରୁ ବହୁତ କମ୍। ସରକାର ତା’ହେଲେ ଉପଲବ୍ଧ ବୈଦେଶିକ ମୁଦ୍ରା ପାଣ୍ଠି ବ୍ୟବହାର କରି ବିଭିନ୍ନ ପ୍ରକଳ୍ପ ଓ ଭିତ୍ତିଭୂମି ସୃଷ୍ଟି ଆଦି ମାଧୢମରେ ପରିସ୍ଥିତିର ମୁକାବିଲା କରୁନାହାନ୍ତି କାହିଁକି? ବୋଧହୁଏ ‘ମୁଡିଜ୍’ ବା ‘ଫିଚ୍’ ବା ‘ଏସ୍ ଆଣ୍ତ୍ ପି’ ଭଳି ରେଟିଙ୍ଗ୍ ଏଜେନ୍ସିମାନଙ୍କର ସମ୍ଭାବ୍ୟ ପ୍ରତିକୂଳ ପ୍ରତିକ୍ରିୟାକୁ ଭୟ କରି ସରକାର ବୈଦେଶିକ ମୁଦ୍ରା ପାଣ୍ଠିରେ ହାତ ମାରୁ ନାହାନ୍ତି।
ଅପରପକ୍ଷେ ଏକ ଦୃଢ଼ ସନ୍ଦେହ ଉଙ୍କି ମାରିବାକୁ ଆରମ୍ଭ କଲାଣି ଯେ ମୋଦୀ ସରକାର ବୋଧହୁଏ ଏକ ପୁରୁଣା ଉଦ୍ୟମକୁ ପୁନର୍ଜୀବିତ କରି ବ୍ୟାଙ୍କ୍ମାନଙ୍କରେ ଥିବା ଗ୍ରାହକମାନଙ୍କର କଷ୍ଟ ଉପାର୍ଜିତ ସଞ୍ଚୟର କିଛି ଅ˚ଶ ହଡ଼ପ କରି (ତଥା କଥିତ ‘ବେଲ୍ ଇନ୍’) ନିଜର ସମ୍ବଳ ଆବଶ୍ୟକତା ପୂରଣ କରିବାକୁ ଉଦ୍ୟତ ହେଉଛି। ଏହା ଯଦି ସତ ହୁଏ, ତେବେ ବିମୁଦ୍ରୀକରଣ ପରେ ମୋଦୀ ସରକାର ବା ଖୋଦ୍ ମୋଦୀଙ୍କ ପକ୍ଷରେ ଏହା ଆଉ ଏକ ଭାଷଣ ଅବିମୃଶ୍ୟକାରିତାରେ ପରିଣତ ହେବ। ଏହା ହେବ ଗ୍ରାହକମାନଙ୍କ ସହିତ ବିଶ୍ବାସଘାତକତା ଏବ˚ ଅର୍ଥନୀତିର ଇଞ୍ଜିନ୍ ରୂପେ ବିବେଚିତ ମଧୢବିତ୍ତ ଶ୍ରେଣୀର ଅଣ୍ଟା ଉପରେ ଆଉ ଏକ ପାହାର, ଯେତେବେଳେ ଏକ ବିଶାଳ ବୈଦେଶିକ ମୁଦ୍ରା ପାହାଡ଼ ହାତ ଠାରି ଡାକି କହୁଚି ଯେ ମୋତେ ବ୍ୟବହାର କର, ନାଗରିକଙ୍କୁ ହନ୍ତସନ୍ତ କର ନାହିଁ।