‘ମନସ୍ତାତ୍ତ୍ବିକ ବିଶ୍ଳେଷଣ’ ବା ‘ସାଇକୋଆନାଲିସିସ୍’ର ପ୍ରତିଷ୍ଠାତା ସିଗ୍ମଣ୍ତ ଫ୍ରଏଡ୍ଙ୍କର ଜୀବଦ୍ଦଶାରେ ତାଙ୍କର ତତ୍ତ୍ବ ବେଶ୍ ଦୃଢ଼ ଭାବରେ ପ୍ରମାଣିତ ଓ ଗ୍ରହଣୀୟ ହୋଇ ସାରିଥିଲା। କିନ୍ତୁ ତଥାପି ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ବର୍ଷ ପରଲୋକ ଗମନ କରିଥିବା ପୃଥିବୀର ଏହି ସର୍ବାଧିକ ପ୍ରସିଦ୍ଧ ମନସ୍ତତ୍ତ୍ବବିତ୍ ଯଦି ବର୍ତ୍ତମାନ ଜୀବିତ ଥା’ନ୍ତେ, ଆନ୍ତର୍ଜାତିକ ରାଜନୈତିକ-କୂଟନୈତିକ ଜଗତ୍ର ସର୍ବୋଚ୍ଚ ସ୍ତରରେ ମଧୢ ତାଙ୍କର ତତ୍ତ୍ବ କିଭଳି ଅସଲରେ ଘଟଣାବଳୀକୁ ନିୟନ୍ତ୍ରଣ କରିଥାଏ, ତାହାର ଏକ ସଦ୍ୟ ଉନ୍ମୋଚିତ ପ୍ରମାଣ ଦେଖି ନିଶ୍ଚିତ ରୂପେ ଗଭୀର ଆତ୍ମସନ୍ତୋଷ ଲାଭ କରନ୍ତେ। ଫ୍ରଏଡ୍ଙ୍କ ବୈପ୍ଳବିକ ତତ୍ତ୍ବ ଅନୁସାରେ ମାନବୀୟ ଆଚରଣ ମୁଖ୍ୟତଃ ଅବଚେତନ ପ୍ରକ୍ରିୟାମାନଙ୍କ ଦ୍ବାରା ପ୍ରଭାବିତ ହୋଇଥାଏ। ସେ ବିଶ୍ବାସ କରୁଥିଲେ ଯେ ଏହି ପ୍ରକ୍ରିୟାମାନଙ୍କୁ ଯାହା ପରିଚାଳିତ କରିଥାଏ, ତାହା ହେଉଛି ପ୍ରବୃତ୍ତିର ତାଡ଼ନା। ଏବ˚ ତାଙ୍କ ମତରେ ଯେଉଁ ପ୍ରବୃତ୍ତିର ତାଡ଼ନା ହେଉଛି ସର୍ବାଧିକ ଶକ୍ତିଶାଳୀ, ତାହା ହେଉଛି ଯୌନ ପ୍ରବୃତ୍ତି ବା ‘ଲିବିଡୋ’। ଗତ ସପ୍ତାହରେ ପ୍ରଥମ ଥର ପାଇଁ ସରକାରୀ ଭାବରେ ଅନାବୃତ (ଡିକ୍ଲାସିଫାଏଡ୍) ହୋଇ ପ୍ରକାଶ ପାଇଥିବା ଆମେରିକା ରାଷ୍ଟ୍ରପତି ଭବନ ହ୍ବାଇଟ୍ ହାଉସ୍ ଟେପ୍ସରୁ ଯାହା ସାବ୍ୟସ୍ତ ହୋଇଛି ତାହା ହେଲା ୧୯୭୦ ଦଶକ ଆରମ୍ଭ କାଳରେ ଭାରତୀୟ ଉପମହାଦେଶ ଅଞ୍ଚଳରେ ଆମେରିକା ସମ୍ମୁଖୀନ ହୋଇଥିବା କୂଟନୈତିକ-ରାଜନୈତିକ ବିପର୍ଯ୍ୟୟ ଏବ˚ ଭାରତ-ଆମେରିକା ସମ୍ପର୍କରେ ଦେଖା ଦେଇଥିବା ତିକ୍ତତା ପଛରେ ଯେଉଁ ଅସଲ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥିଲା, ତାହା ଥିଲା ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ୍ଙ୍କର ଏହି ଫ୍ରଏଡୀୟ ଲିବିଡୋ ଓ ତାକୁ ଇନ୍ଧନ ଯୋଗାଉଥିବା ତାଙ୍କର ତତ୍କାଳୀନ ଜାତୀୟ ନିରାପତ୍ତା ଉପଦେଷ୍ଟା ହେନ୍ରି କିସିଞ୍ଜର୍ଙ୍କର ଚାଟୁକାରିତାପୂର୍ଣ୍ଣ ସମର୍ଥନ। ଅବିଶ୍ବାସ୍ୟ ଭାବେ ଏବେ ଜଣାପଡ଼ିଛି ଯେ ଏ ଦୁଇ ଚରିତ୍ରଙ୍କ ଠାରେ ଭାରତୀୟମାନଙ୍କ ପ୍ରତି ଏକ ଘୃଣା ଭାବ ଭରି ହୋଇ ରହିଥିଲା, ଯାହାର ମୂଳରେ ପୁଣି ଥିଲା ସେମାନଙ୍କ ଦୃଷ୍ଟିରେ ଭାରତୀୟ ନାରୀମାନଙ୍କର ଆକର୍ଷଣହୀନ ଯୌନତା।
Sambad is now on WhatsApp
Join and get latest news updates delivered to you via WhatsApp
୧୯୭୧ ମାର୍ଚ୍ଚରେ ପୂର୍ବ ପାକିସ୍ତାନର ଜାତୀୟତାବାଦୀ ବଙ୍ଗାଳି ନାଗରିକମାନେ ଅବିଭକ୍ତ ପାକିସ୍ତାନରେ ଅନୁଷ୍ଠିତ ଏକ ସାଧାରଣ ନିର୍ବାଚନରେ ସ˚ଖ୍ୟାଗରିଷ୍ଠତା ଲାଭ କଲା ପରେ ପାକିସ୍ତାନର ସେ ସମୟର ସାମରିକ ଶାସକ ପୂର୍ବ ପାକିସ୍ତାନରେ ଜନସାଧାରଣଙ୍କ ଉପରେ ଏକ ବର୍ବର ଦମନ ଲୀଳା ଆରମ୍ଭ କରିଦେଲେ। ପୃଥିବୀରେ ଗଣତନ୍ତ୍ରର ରକ୍ଷାକାରୀ ରୂପେ ସର୍ବଦା ଡିଣ୍ତିମ ପିଟି ଆସୁଥିବା ଆମେରିକାର ରାଷ୍ଟ୍ରପତି ନିକ୍ସନ୍ ଓ ତାଙ୍କର ଘନିଷ୍ଠ ଉପଦେଷ୍ଟା କିସିଞ୍ଜର୍ କିନ୍ତୁ ଏହି ବିବାଦରେ ଯେଉଁ ପକ୍ଷକୁ ସମର୍ଥନ କଲେ, ସେ ଥିଲା ପାକିସ୍ତାନୀ ସାମରିକ ଶାସନ ଯିଏ ପୂର୍ବ ପଟେ କେବଳ ଯେ ଗଣତନ୍ତ୍ରର ହତ୍ୟା କରିବାକୁ ଚେଷ୍ଟା କରୁଥିଲା, ତାହା ନୁହେଁ, ଅକଥନୀୟ ବର୍ବରତାର ସହ ସେଠାରେ ମାନବାଧିକାର ଉଲ୍ଲ˚ଘନ କରିଚାଲିଥିଲା। ଅତ୍ୟାଚାର ଜର୍ଜରିତ ପୂର୍ବ ପାକିସ୍ତାନୀ ବଙ୍ଗାଳିମାନେ ପ୍ରାଣ ବିକଳରେ ସୀମା ଅତିକ୍ରମ କରି ଭାରତ ଭିତରକୁ ପଳାଇ ଆସି ଭାରତ ପାଇଁ ଏକ ବିଶାଳ ଶରଣାର୍ଥୀ ସମସ୍ୟା ସୃଷ୍ଟି କରିଥିଲେ। ଭାରତରେ ଆଶ୍ରୟ ନେଇଥିବା ଏକ କୋଟିରୁ ଅଧିକ ସ˚ଖ୍ୟକ ଶରଣାର୍ଥୀ ପାକିସ୍ତାନର ଏହି ବର୍ବରତାର ସୁସ୍ପଷ୍ଟ ପ୍ରମାଣ ହୋଇଥିଲେ ହେଁ, ନିକ୍ସନ୍-କିସିଞ୍ଜର୍ ଯୋଡ଼ି ଏହି ବିବାଦରେ ପାକିସ୍ତାନ ପକ୍ଷଭୁକ୍ତ ହୋଇ ଭାରତକୁ ବିରୋଧ କରିବାକୁ ଏବ˚ ଭୟ ପ୍ରଦର୍ଶନ କରିବାକୁ ମଧୢ ନିଷ୍ପତ୍ତି ନେଇଥିଲା। ଶରଣାର୍ଥୀ ସମସ୍ୟା ପାଇଁ କିସିଞ୍ଜର୍ ସିଧାସଳଖ ଭାରତକୁ ହିଁ ଦାୟୀ କରି କହିଥିଲେ ଯେ ଭାରତ ପୂର୍ବ ପାକିସ୍ତାନର ସ୍ବାଧୀନତା ସ˚ଗ୍ରାମୀମାନଙ୍କୁ ପ୍ରଚ୍ଛନ୍ନ ସହାୟତା ପ୍ରଦାନ କରିବାରୁ ହିଁ ସେମାନେ ପାକିସ୍ତାନର ଅତ୍ୟାଚାର ବିରୋଧରେ ବିଦ୍ରୋହ କରିବାକୁ ସାହସ କଲେ ଏବ˚ ତା’ର ପରିଣାମ ସ୍ବରୂପ ଶରଣାର୍ଥୀ ସମସ୍ୟାର ସୃଷ୍ଟି ହେଲା। ଏହା ଯଦି କାହାକୁ କିସିଞ୍ଜର୍ଙ୍କର ଏକ ବିଶୁଦ୍ଧ କୂଟନୈତିକ କୌଶଳ ଭଳି ମନେ ହେଉଥାଏ, ବାସ୍ତବରେ ଏହା ପଛରେ ନିହିତ ଥିବା ଭାରତୀୟମାନଙ୍କ ପ୍ରତି ତାଙ୍କର ପ୍ରବଳ ଘୃଣା ଭାବ ସେଭଳି ଧାରଣାକୁ ଭ୍ରମାତ୍ମକ ସାବ୍ୟସ୍ତ କରିଥାଏ।
ବର୍ତ୍ତମାନ ପ୍ରକାଶିତ ହ୍ବାଇଟ୍ ହାଉସ୍ ଟେପ୍ସରେ ଠାଏ ୧୯୭୧ ଜୁନ୍ ୩ ତାରିଖରେ କିସିଞ୍ଜର୍ ଭାରତୀୟମାନଙ୍କ ସମ୍ବନ୍ଧରେ କହିବା ଶୁଣାଯାଏ: ‘‘ସେମାନେ ହେଉଛନ୍ତି ଏକ ମଇଳା ସଫାକାରୀ ଜାତି।’’ କିସିଞ୍ଜର୍ ଭାରତୀୟମାନଙ୍କ ସମ୍ବନ୍ଧରେ ଏଭଳି ବିଷୋଦ୍ଗାର କରିବା ପାଇଁ ନିଜର ମାଲିକ ରାଷ୍ଟ୍ରପତି ନିକ୍ସନ୍ଙ୍କଠାରୁ ଯେ ସାହସ ପାଇଥିଲେ, ତାହା ଉପରୋକ୍ତ ଟେପ୍ସରେ ଥିବା ହ୍ବାଇଟ୍ ହାଉସ୍ର ଓଭାଲ୍ ଅଫିସ୍ରେ ୧୯୭୧ ଜୁନ୍ରେ ନିକ୍ସନ୍, କିସିଞ୍ଜର୍ ଓ ହ୍ବାଇଟ୍ ହାଉସ୍ର ଚିଫ୍ ଅଫ୍ ଷ୍ଟାଫ୍ ଏଚ୍ ଆର୍ ହାଲ୍ଡେମ୍ୟାନ୍ଙ୍କ ମଧୢରେ ହୋଇଥିବା ବାର୍ତ୍ତାଳାପରୁ ସ୍ପଷ୍ଟ ହୋଇଥାଏ। ଏଥିରେ ନିକ୍ସନ୍ ଭାରତୀୟ ନାରୀମାନଙ୍କୁ ସମ୍ପୂର୍ଣ୍ଣ ଅନାକର୍ଷଣୀୟ ଓ ଯୌନତାହୀନ ବସ୍ତୁ ରୂପେ ବର୍ଣ୍ଣନା କରି ସେମାନଙ୍କୁ ଲକ୍ଷ୍ୟ କରି ବାନ୍ତି କରିବା ଭଳି ଶବ୍ଦ କରିବା ଶୁଣା ଯାଉଛି। ଏଥି ସହିତ କୃଷ୍ଣକାୟ ଆଫ୍ରିକୀୟ ନାରୀମାନଙ୍କର ଏକ ପଶୁସୁଲଭ ଆକର୍ଷଣ ରହିଛି ବୋଲି କହି ନିଜର ବର୍ଣ୍ଣବିଦ୍ବେଷ ଓ ଯୌନ ବିକୃତିକୁ ନିଜ ବନ୍ଧୁମାନଙ୍କ ସମ୍ମୁଖରେ ସଗର୍ବରେ ପ୍ରକାଶ କରିଛନ୍ତି। ତେବେ ଏ ସବୁ ନିକ୍ସନ୍ଙ୍କର ବ୍ୟକ୍ତିଗତ ଚାରିତ୍ରିକ ବିକୃତି ରୂପେ ହୁଏତ ଆଡ଼େଇ ଦେଇ ହୁଅନ୍ତା ଯଦି ସେ ଫ୍ରଏଡ୍ଙ୍କ ତତ୍ତ୍ବକୁ ଅକ୍ଷରେ ଅକ୍ଷରେ ଅନୁସରଣ କଲା ଭଳି ତାଙ୍କ ଦେଶର ବୈଦେଶିକ ନୀତିକୁ ଏହାଦ୍ବାରା ପ୍ରଭାବିତ ହେବାକୁ ଦେଇ ନଥାନ୍ତେ। ୧୯୭୧ ନଭେମ୍ବର ୪ ତାରିଖ ଦିନ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଓ ରାଷ୍ଟ୍ରପତି ନିକ୍ସନ୍ଙ୍କ ମଧୢରେ ହ୍ବାଇଟ୍ ହାଉସ୍ରେ ଏକ ଶୀର୍ଷ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଆଦୌ ସୌହାର୍ଦ୍ଦ୍ୟପୂର୍ଣ୍ଣ ନଥିଲା। ଆଲୋଚନାର ଏକ ବିରତି ସମୟରେ ନିକ୍ସନ୍ ଏକାନ୍ତରେ କିସିଞ୍ଜର୍ଙ୍କୁ ଭେଟି ଯାହା କହିଥିଲେ ତାହାକୁ ଏକ ଫ୍ରଏଡୀୟ ସ୍ବୀକାରୋକ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ ବସ୍ତୁତଃ କିସିଞ୍ଜର୍ଙ୍କୁ କହିଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସାନ୍ନିଧୢ ତାଙ୍କ ଠାରେ କୌଣସି ଯୌନ ଆବେଗ ସୃଷ୍ଟି କରିପାରି ନଥିଲା, ବା ତାଙ୍କ ଯୌନ ଆବେଗକୁ ପ୍ରଶମିତ କରି ଦେଇଥିଲା। ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଭାରତୀୟ ନାରୀମାନେ ଅନ୍ୟମାନଙ୍କଠାରେ କିପରି ଯୌନାବେଗ ସୃଷ୍ଟି କରନ୍ତି, ‘‘ମତେ କୁହ ହେନ୍ରି!’’
ପାକିସ୍ତାନ ସହିତ ଯୁଦ୍ଧର ସମ୍ଭାବନା ନେଇ ସେ ଇନ୍ଦିରା ଗାନ୍ଧୀଙ୍କ ସହିତ ଜୋର୍ସୋର୍ ଯୁକ୍ତିତର୍କ କରିବା ସମୟରେ ପାକିସ୍ତାନ ସପକ୍ଷରେ ଦୃଢ଼ ମତ ବ୍ୟକ୍ତ କରିବା ଦେଖାଯାଇଥିଲା। ଏପରି ଭାରତ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିବା ତାଙ୍କ ପାଇଁ କିପରି ସ୍ବାଭାବିକ ଥିଲା, ସେ କଥାବାର୍ତ୍ତା ମଝିରେ କିସିଞ୍ଜର୍ଙ୍କ ସହିତ ଆଲୋଚନା ସମୟରେ କିଭଳି ପ୍ରକାଶ କରିଥିଲେ, ତାହା ଉପରୋକ୍ତ ଟେପ୍ରୁ ଶୁଣିଲେ ଆଶ୍ଚର୍ଯ୍ୟ ନହୋଇ ରହିହୁଏ ନାହିଁ। ତାଙ୍କର ଯୌନ ପ୍ରବୃତ୍ତି ତାଙ୍କର ବୈଦେଶିକ ନୀତିକୁ ପ୍ରଭାବିତ କରୁଛି ବୋଲି ସେ କିସିଞ୍ଜର୍ଙ୍କ ନିକଟରେ ସ୍ବୀକାର କରିଥିଲେ। ନିକ୍ସନ୍ କିସିଞ୍ଜର୍ଙ୍କୁ କହିବା ଶୁଣାଯାଏ: ‘‘ସେମାନେ ମୋର କାମୋତ୍ତେଜନାକୁ ମାରି ଦେଉଛନ୍ତି। ସେମାନେ ବିରାଗ ସୃଷ୍ଟି କରନ୍ତି ଏବ˚ ସେମାନଙ୍କ ପ୍ରତି କଠୋର ହେବା (ତେଣୁ) ସହଜ।’’ ଏଠାରେ ନିକ୍ସନ୍ଙ୍କ ‘ସେମାନେ’ ହେଉଛନ୍ତି ଅବଶ୍ୟ ଇନ୍ଦିରା ଗାନ୍ଧୀ। ନିକ୍ସନ୍ଙ୍କର ଏହି ବିକୃତ ଯୌନ ତାଡ଼ନା ଏତେ ଗଭୀର ଥିଲା ଯେ ଏହାର ପ୍ରାୟ ସପ୍ତାହକ ପରେ ନଭେମ୍ବର ୧୨ ତାରିଖରେ କିସିଞ୍ଜର୍ ଓ ପରରାଷ୍ଟ୍ର ସଚିବ ଵିଲିଅମ୍ ରଜର୍ସଙ୍କ ସହିତ ଭାରତ-ପାକିସ୍ତାନ ଉତ୍ତେଜନା ସମ୍ବନ୍ଧରେ ଆଲୋଚନା କରିବା ସମୟରେ ରାଷ୍ଟ୍ରପତି ନିକ୍ସନ୍ ପୁଣି ସେଇ ବିକୃତ ଚିନ୍ତା ପ୍ରକଟ କରିବା ଏହି ଟେପ୍ରେ ଶୁଣାଯାଉଛି। ଵିଲ୍ ରଜର୍ସ ଯେତେବେଳେ ସେ ଇନ୍ଦିରା ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି ବୋଲି ନିକ୍ସନ୍ଙ୍କୁ ଜଣାଇଛନ୍ତି, ନିକ୍ସନ୍ ତତ୍କ୍ଷଣାତ୍ କହିପକାଇବା ଶୁଣାଯାଉଛି: ‘‘ମୁଁ ଜାଣିପାରୁ ନାହିଁ ସେମାନେ କେମିତି ପ୍ରଜନନ କରୁଛନ୍ତି!’’ ଆମେରିକା ପରିି ଏକ ମହାଶକ୍ତିର ବୈଦେଶିକ ନୀତିକୁ ନିଜର ଯୌନ ବିକୃତି ଦ୍ବାରା ରାଷ୍ଟ୍ରପତି ନିକ୍ସନ୍ ପ୍ରଭାବିତ କରିବାର ପରିଣାମ ହେଲା ଆମେରିକା ସମର୍ଥିତ ପାକିସ୍ତାନ ଦୁଇଖଣ୍ତ ହୋଇଗଲା ଓ ଶୀତଳ ଯୁଦ୍ଧ ସମୟରେ ଭାରତ ସୋଭିଏତ୍ ଶିବିରର ଆହୁରି ନିକଟତର ହୋଇଗଲା। ଆମେରିକାର ଏ ବିଫଳତା ପାଇଁ ପ୍ରକୃତରେ ଦାୟୀ ଥିଲେ ଫ୍ରଏଡ୍!