ମଣିଷ ଯେତେ ଦୃଢ଼ମନା ହୋଇଥାଉନା କାହିଁକି, ତଥାପି ତା’ ମନକୁ ବେଳେ ବେଳେ ପାପ ଛୁଇଁଥାଏ। ଯେଉଁଭଳି ସ˚ଯୋଗମାନ ମାନବ ଇତିହାସରେ ଦୀର୍ଘକାଳ ଧରି ଏହି ପାପ ମନକୁ ଶଙ୍କାଗ୍ରସ୍ତ କରିବା ଦେଖାଯାଇଛି, ତହିଁରୁ ଗୋଟିଏ ବର୍ତ୍ତମାନ ଆମ ସମ୍ମୁଖରେ ଉପସ୍ଥିତ। ଏହି ସ˚ଯୋଗଟି ହେଲା- ଚୀନ୍ରୁ ବାହାରି ନଭେଲ୍ କରୋନା ଭୂତାଣୁ ସାରା ପୃଥିବୀର କୋଣ ଅନୁକୋଣରେ ଖେଳାଇ ହୋଇ ଯାଇ ଯେତେବେଳେ ଏକ ପ୍ରଳୟର ଶଙ୍କା ସୃଷ୍ଟି କରିଛି, ଠିକ୍ ସେତିକି ବେଳେ ସନ୍ଧ୍ୟା ଆକାଶରେ ଆମକୁ ଦେଖିବାକୁ ମିଳିଛି ଏକ ଲଞ୍ଜା ତାରା ବା ଧୂମକେତୁ।
ଭାରତରେ ବୈଦିକ ଯୁଗରୁ ଧୂମକେତୁକୁ ଏକ ଅଶୁଭ ସ˚କେତ ରୂପେ ବିଚାର କରାହୋଇ ଆସିଥିବା ବେଳେ ପ୍ରାଚୀନ ଗ୍ରୀକ୍ ସଭ୍ୟତା ସମୟରୁ ଧୂମକେତୁ ମନୁଷ୍ୟ ହୃଦୟରେ ଅନୁରୂପ ଭୀତି ସଞ୍ଚାର କରି ଆସିଥିଲା। ଅଥର୍ବ ବେଦର ଏକ ଶ୍ଳୋକରେ ଧୂମକେତୁର ଆବିର୍ଭାବକୁ ମୃତ୍ୟୁ ସହିତ ତୁଳନା କରାଯାଇଥାଏ, କାରଣ ତାହାର ପୁଚ୍ଛ ଦେଖାଯାଏ ଚିତାନଳରୁ ନିର୍ଗତ ଧୂଆଁ ଭଳି। ସେଇଭଳି ମହାଭାରତ ମହାକାବ୍ୟର ରଚୟିତା ତଥା ଋଗ୍ବେଦର ଅନ୍ୟତମ ସମ୍ପାଦକ ବେଦବ୍ୟାସ ମହାଭାରତ ଯୁଦ୍ଧ ବିଭୀଷିକା ଆସନ୍ନ ବୋଲି ଦୃଷ୍ଟିହୀନ ରାଜା ଧୃତରାଷ୍ଟ୍ରଙ୍କୁ ପୂର୍ବସୂଚନା ଦେବାକୁ ଯାଇ ଯେଉଁ କାରଣ ଶୁଣାଇଛନ୍ତି, ତାହା ହେଲା ଆକାଶରେ ପୁଷ୍ୟା ନକ୍ଷତ୍ର ଏକ ଧୂମକେତୁ ଦ୍ବାରା ଘୋଡ଼ାଇ ହୋଇ ଯାଇଛି। (କେତେକଙ୍କ ଅନୁମାନ, ମହାଭାରତ ଯୁଦ୍ଧ ସମୟରେ ଆକାଶରେ ଦେଖା ଦେଇଥିବା ସେ ଧୂମକେତୁ ଥିଲା ପ୍ରସିଦ୍ଧ ହ୍ୟାଲିଙ୍କ ଧୂମକେତୁ ବା ‘ହ୍ୟାଲିସ୍ କମେଟ୍’।)।
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟ୍ଲ ବିଶ୍ବାସ କରୁଥିଲେ ଯେ ଧୂମକେତୁ ଦେଖି ଦୁର୍ଭିକ୍ଷ, ଭୂମିକମ୍ପ ଓ ପ୍ରଳୟଙ୍କରୀ ବର୍ଷା ସମ୍ବନ୍ଧରେ ଭବିଷ୍ୟବାଣୀ କରି ହେବ। ପାଶ୍ଚାତ୍ୟ ଜନମାନସରେ ଧୂମକେତୁର ଅନୁରୂପ ପ୍ରଭାବର ଅନେକ ଉଦାହରଣ ମଧୢରୁ ଗୋଟିଏ ହେଉଛି ୧୦୬୬ ସାଲରେ ଆକାଶରେ ଦେଖାଯାଇଥିବା ଏକ ଉଜ୍ଜ୍ବଳ ଧୂମକେତୁ, ଯାହା ସେଇ ବର୍ଷ ଘଟିଥିବା ହାଷ୍ଟିଙ୍ଗ୍ସ ଯୁଦ୍ଧ ଏବ˚ ପରିଣାମ ସ୍ବରୂପ ଇ˚ଲାଣ୍ତ୍ରେ ଆଙ୍ଗ୍ଲୋ-ସାକ୍ସନ୍ ବ˚ଶ ଶାସନର ଅନ୍ତର ସ˚କେତ ଥିଲା ବୋଲି ବିଶ୍ବାସ କରାଯାଏ। ୧୪୫୬ରେ ଏକ ବଡ଼ ଧୂମକେତୁର ଆବିର୍ଭାବ ପୋପ୍ଙ୍କ ସମେତ ସାରା ଖ୍ରୀଷ୍ଟିଆନ୍ ଇଉରୋପକୁ ଏକ ଅଜଣା ବିପଦ ଆଶଙ୍କାରେ ଥରହର କରି ଦେଇଥିଲା। ଯଦି ଆଜି ସେ ଯୁଗ ହୋଇଥାନ୍ତା, ତା’ହେଲେ ସନ୍ଧ୍ୟା ଆକାଶକୁ ଚାହିଁଲେ କାହାରି ମନରେ ସନ୍ଦେହ ରହନ୍ତା ନାହିଁ ଯେ କୋଭିଡ୍-୧୯ ପୂର୍ବସୂଚନାବହନକାରୀ ଏକ ମହାଜାଗତିକ ଦୂତ ସେଠାରେ ଲାଞ୍ଜ ମେଲାଇ ଆମକୁ ସତର୍କ କରିବାରେ ଲାଗିଛି। କିନ୍ତୁ ବିଜ୍ଞାନର ଅଗ୍ରଗତି ସହିତ ସମୟ ବଦଳି ଯାଇଛି। ଧୂମକେତୁକୁ ଦେଖି ଭୟ ପାଇବା ପରିବର୍ତ୍ତେ, ଆକାଶରେ ସେ ସୃଷ୍ଟି କରିଥିବା ବିରଳ ଦୃଶ୍ୟକୁ ଉପଭୋଗ କରିବା ପାଇଁ ସମସ୍ତେ ଅଧିକ ଉତ୍ସାହ ପ୍ରଦର୍ଶନ କରୁଛନ୍ତି। ଆମ ଅଞ୍ଚଳରେ ଅନେକ ଆଗ୍ରହୀ ଦର୍ଶକ ବର୍ତ୍ତମାନ ଜୁଲାଇ ୨୨-୨୩ ତାରିଖକୁ ଅପେକ୍ଷା କରି ରହିଛନ୍ତି, ଯେତେବେଳେ ଯଦି ଆକାଶ ମେଘମୁକ୍ତ ରହେ, ସନ୍ଧ୍ୟା ୭.୦୦ରୁ ୭.୩୦ ମଧୢରେ ପ୍ରାୟ ୨୦ ମିନିଟ୍ ଧରି ‘ନିଓଵାଇଜ୍’ ନାମକ ଏହି ଧୂମକେତୁଟି ଉତ୍ତର-ପଶ୍ଚିମ ଆକାଶରେ ଦୃଶ୍ୟମାନ ହେବ। ସହରର ଆଲୋକର ଧାସ ନଥିବା କୌଣସି ସ୍ଥାନରୁ ଏହାକୁ ଚାହିଁଲେ ଖାଲି ଆଖିରେ ଏହାକୁ ଦେଖିବା ସହଜ ହେବ। ତେବେ, ସେଠାରେ ଦିଗ୍ବଳୟ ପର୍ଯ୍ୟନ୍ତ ଦୃଷ୍ଟିପଥରେ କୌଣସି ପ୍ରତିବନ୍ଧ ନଥିବା ଆବଶ୍ୟକ।
ସେଭଳି ସ୍ଥାନରୁ ‘ନିଓଵାଇଜ୍’କୁ ଠାବ କରିବାର ଏକ ସୁବିଧା ଉପାୟ ହେଉଛି ପ୍ରଥମେ ସପ୍ତର୍ଷିମଣ୍ତଳକୁ ଠାବ କରିବା। ସପ୍ତର୍ଷିମଣ୍ତଳର ପ୍ରଶ୍ନବାଚକ ଚିହ୍ନର ପ୍ରଥମ ଚାରିଟି ତାରା- କ୍ରତୁ, ପୁଲହ, ପୁଲସ୍ତ୍ୟ, ଅତ୍ରି-ଙ୍କ ଉପରେ ଦର୍ଶକଙ୍କୁ ଧୢାନ ନିବଦ୍ଧ କରିବାକୁ ହେବ। ସପ୍ତର୍ଷିମଣ୍ତଳ ସହିତ ପରିଚିତ ସମସ୍ତଙ୍କୁ ଜଣା, ଏହି ଚାରିଟି ତାରା ଏକ ହାତର ଆଞ୍ଜୁଳା ପରି (କାହା କାହା ଦୃଷ୍ଟିରେ ସପ୍ତର୍ଷିମଣ୍ତଳ ଏକ ସସ୍ପ୍ୟାନ୍ ଭଳି ଦିଶିଥାଏ, ଏବ˚ ପ୍ରଥମ ଚାରିଟି ତାରା ‘ପ୍ୟାନ୍’ଟିର ଅଙ୍କନ କରୁଥିବା ବେଳେ ବାକି ତିନିଟି ଅଙ୍କନ କରିଥାନ୍ତି ତାହାର ବେଣ୍ଟ ଅ˚ଶ) ଆକୃତି ସୃଷ୍ଟି କରିଥାନ୍ତି। ସପ୍ତର୍ଷିମଣ୍ତଳର ସେଇ ଆଞ୍ଜୁଳା ବା ପ୍ୟାନ୍ ତଳେ ଦେଖିବାକୁ ମିଳିବ ‘ନିଓଵାଇଜ୍’ ଧୂମକେତୁକୁ ଏକ ଅସ୍ପଷ୍ଟ ତାରା ପରି ରୂପରେ। ଆକାଶ ପରିଷ୍କାର ଥିଲେ ତା’ର ପୁଚ୍ଛ ମଧୢ ଦୃଷ୍ଟିଗୋଚର ହୋଇପାରେ।
ଧୂମକେତୁ ପ୍ରତି ମନୁଷ୍ୟ ମନରେ ଥିବା ଅହେତୁକ ଭୟ ଦୂର କରିବାରେ ଯିଏ ନେତୃତ୍ବ ନେଇଥିଲେ ବୋଲି ସମସ୍ତେ ସ୍ବୀକାର କରନ୍ତି, ସେ ହେଉଛନ୍ତି ମହାନ୍ ପଦାର୍ଥବିଜ୍ଞାନୀ ଆଇଜାକ୍ ନିଉଟନ୍ଙ୍କର ସମସାମୟିକ ଗଣିତ ଜ୍ୟୋତିଷବିତ୍ ଓ ବନ୍ଧୁ ଏଡ୍ମଣ୍ତ୍ ହ୍ୟାଲି। ହ୍ୟାଲି ହିଁ ନିଉଟନ୍ଙ୍କୁ ତାଙ୍କର ଯୁଗାନ୍ତକାରୀ ପଦାର୍ଥବିଜ୍ଞାନ ତତ୍ତ୍ବ ସମ୍ବଳିତ ପୁସ୍ତକ ‘ପ୍ରିନ୍ସିପିଆ ମାଥେମାଟିକା’ ପ୍ରକାଶ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଏବ˚ ଷଟ୍ପଦୀ ଲାଟିନ୍ କବିତା ଆକାରରେ (ନିଉଟନ୍ ଲାଟିନ୍ ଭାଷାରେ ‘ପ୍ରିନ୍ସିପିଆ’ ରଚନା କରିଥିଲେ) ସେ ପୁସ୍ତକର ମୁଖବନ୍ଧ ଲେଖିଥିଲେ। କୌତୂହଳର କଥା, ହ୍ୟାଲି ତାଙ୍କର ଏହି ମୁଖବନ୍ଧରେ ନିଉଟନ୍ ଆବିଷ୍କାର କରିଥିବା ମାଧୢାକର୍ଷଣ ତତ୍ତ୍ବର ବର୍ଣ୍ଣନା କରିବା ପରିବର୍ତ୍ତେ ମନୁଷ୍ୟ ଜୀବନର ଅନ୍ୟାନ୍ୟ ଦିଗମାନ ଉପରେ ନିଉଟନ୍ଙ୍କ ଚିନ୍ତାଧାରାର ପ୍ରଭାବ କିଭଳି ହୋଇପାରେ, ତାହା କବିତା ଆକାରରେ ଲେଖିଥିଲେ।
ଧୂମକେତୁ ପ୍ରତି ମନୁଷ୍ୟର ପାରମ୍ପରିକ ଭୟର ଅନ୍ୟତମ ପ୍ରଧାନ କାରଣ ଥିଲା ଏହାର ଆବିର୍ଭାବର ଅନିଶ୍ଚିତତା। ନିଉଟନ୍ଙ୍କର ତତ୍ତ୍ବ ଓ ଗଣିତ ସେଇ ଅନିଶ୍ଚିତତା ଦୂର କରିବାରେ ସହାୟକ ହୋଇ ମନୁଷ୍ୟର ଗୋଟିଏ ଅନ୍ଧବିଶ୍ବାସ ଦୂର କରିବା ଆରମ୍ଭ କରିଥିଲା। ବାସ୍ତବରେ ହ୍ୟାଲି ତାହାକୁ ବ୍ୟବହାର କରି ସିଦ୍ଧାନ୍ତରେ ପହଞ୍ଚିଥିଲେ ଯେ ୧୫୩୧, ୧୬୦୭ ଏବ˚ ୧୬୮୨ରେ ଯେଉଁ ଧୂମକେତୁ ମାନଙ୍କର ଆବିର୍ଭାବ ଘଟିଥିଲା, ସେ ଗୁଡ଼ିକ ଭିନ୍ନ ଭିନ୍ନ ଧୂମକେତୁ ନଥିଲେ, ସେମାନେ ଥିଲେ ଗୋଟିଏ ମାତ୍ର ଧୂମକେତୁ ଯିଏ ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରୁଥିବା ଅବସ୍ଥାରେ ପ୍ରତି ୭୫-୭୬ ବର୍ଷରେ ଥରେ ଆମ ଆକାଶରେ ଦେଖା ଦିଏ। ସେଇ ଧୂମକେତୁଟି ପୁଣି ୧୭୫୮ରେ ଆମକୁ ଦେଖାଦେବ ବୋଲି ହ୍ୟାଲି ଭବିଷ୍ୟବାଣୀ କରିଥିଲେ, ଯାହା ସତରେ ଘଟିଥିଲା- ହ୍ୟାଲି ଅବଶ୍ୟ ସେତେବେଳକୁ ଇହଧାମ ତ୍ୟାଗ କରିସାରିଥିଲେ। ସେଇ ଧୂମକେତୁ ହ୍ୟାଲିଙ୍କ ନାମ ବହନ କରି ପ୍ରସିଦ୍ଧତମ ଧୂମକେତୁରେ ପରିଣତ ହୋଇଛି, ଯାହାକୁ ପୃଥିବୀବାସୀ ଶେଷଥର ଦେଖିବାକୁ ପାଇଥିଲେ ୧୯୮୬ରେ। ଯେଉଁମାନେ ୨୦୬୧ରେ ପୃଥିବୀ ପୃଷ୍ଠରେ ବିଚରଣ କରୁଥିବେ, ସେମାନେ ପୁଣି ଥରେ ସେଇ ‘ହ୍ୟାଲିସ୍ କମେଟ୍’କୁ ଆକାଶରେ ଦେଖିପାରିବେ।
ଏବେ କିନ୍ତୁ ଯେଉଁ ‘ନିଓଵାଇଜ୍’ ଧୂମକେତୁ ଆମକୁ ଦର୍ଶନ ଦେଇଛି, ସିଏ ଆମ ଆକାଶକୁ ଫେରିବ ଯାଇ ଆଉ ୬,୮୦୦ ବର୍ଷ ପରେ। କାରଣ ଅକଳ୍ପନୀୟ ଦୂରତାରେ ଥିବା ‘ଉର୍ଟ କ୍ଲାଉଡ୍’ ହେଉଛି ଏହାର ବାସସ୍ଥାନ, ଯେଉଁଠୁ ବାହାରି ସୂର୍ଯ୍ୟଙ୍କୁ ପ୍ରଦକ୍ଷିଣ କରିବା ପାଇଁ ଏହାକୁ ଅତି ଦୀର୍ଘ ସମୟ ଲାଗିଥାଏ। କେତେକ ବିଶ୍ବାସ କରନ୍ତି ଯେ ହ୍ୟାଲିସ୍ କମେଟ୍ର ମୂଳ ବାସସ୍ଥଳୀ ମଧୢ ହେଉଛି ସେଇ ‘ଉର୍ଟ କ୍ଲାଉଡ୍’, କିନ୍ତୁ ସେ ସୌରଜଗତ୍ର ଅଭ୍ୟନ୍ତର ଅଞ୍ଚଳରେ ଥିବା ଗ୍ରହମାନଙ୍କ ଆକର୍ଷଣରେ ପଡ଼ିଯାଇ ଆଉ ସ୍ବସ୍ଥାନକୁ ପ୍ରତ୍ୟାବର୍ତ୍ତନ ନକରି ଏଇଠି ଆମ ପାଖ ଆଖ ଅଞ୍ଚଳରେ ସୂର୍ଯ୍ୟଙ୍କୁ ପରିକ୍ରମା କରିବାରେ ଲାଗିଛି, ଯେଉଁଥିପାଇଁ ତାକୁ ମାତ୍ର ୭୫ ବର୍ଷ ସମୟ ଲାଗୁଛି।
ଧୂମକେତୁ ହେଉଛି କୌଣସି ସୁପର୍ନୋଭାର ବିସ୍ଫୋରଣ ପରେ ତା’ର ଭଗ୍ନାବଶେଷରୁ ସୌରଜଗତ୍ ସୃଷ୍ଟି ସମୟରେ ବଳି ପଡ଼ିଥିବା ବରଫ, ଧୂଳି ଓ ପଥର ଖଣ୍ତ ମାନ ଦ୍ବାରା ସୃଷ୍ଟି ଅସ˚ଖ୍ୟ ପିଣ୍ତମାନ ମଧୢରୁ ଗୋଟିଏ, ଯିଏ ଅପେକ୍ଷାକୃତ ନିକଟ ଅଞ୍ଚଳ ‘କୁଇପର୍ ବେଲ୍ଟ’ କିମ୍ବା ସୁଦୂର ‘ଉର୍ଟ କ୍ଲାଉଡ୍’ରୁ ଖସି ଆସି ଏକ ଅତ୍ୟନ୍ତ ଚେପା ଅଣ୍ତାକୃତି କକ୍ଷ ପଥରେ ସୂର୍ଯ୍ୟଙ୍କୁ ପରିକ୍ରମା କରିଥାଏ। ସୂର୍ଯ୍ୟଙ୍କ ନିକଟବର୍ତ୍ତୀ ହେବା ବେଳେ ତାହାର ତାତିରେ ଏହାର ଗ୍ୟାସ୍ ଓ ଆଇଅନ୍ର ପୁଚ୍ଛ ବା ଦାଢ଼ି ଭଳି ବାହାରିଥାଏ, ଯାହାକୁ ଦେଖି ଆମେ ଭୟ ପାଉଥିଲୁ। କିନ୍ତୁ ନିଉଟନ୍ଙ୍କ ଆବିଷ୍କାର ପରେ ହ୍ୟାଲି ଲେଖିଥିବା ଭଳି: ‘‘ନୋ ଲଙ୍ଗର୍ ନିଡ୍ ଉଇ ଫିଅର୍/ ହ୍ବେନ୍ ବିଅର୍ଡେଡ୍ ଷ୍ଟାର୍ସ ଆପିଅର୍।’’ ଦାଢ଼ିଆ ତାରା ଦେଖାଦେଲେ ଆମେ ଆଉ ଡରିବୁ ନାହିଁ।