ଦେଶରେ ଚୀନା କରୋନାର ତାଣ୍ତବ ଲୀଳା ଅବ୍ୟାହତ ଥିବା ବେଳେ ବିହାର, ମଧୢପ୍ରଦେଶ, ଓଡ଼ିଶା, ଭଳି ନିର୍ବାଚନ/ଉପନିର୍ବାଚନ ମୁହାଁ ରାଜ୍ୟମାନଙ୍କରେ ଚାଲିଥିବା ପ୍ରଚାର ଅଭିଯାନମାନଙ୍କରେ ଦେଖାଯାଉଥିବା ଭିଡ଼ ତୀବ୍ର ଭ୍ରୂକୁଞ୍ଚନରୁ ଆରମ୍ଭ କରି ଅଦାଲତୀ ଆବେଦନ ପର୍ଯ୍ୟନ୍ତ ସୃଷ୍ଟି କରିବା ଦେଖାଯାଉଛି। କିନ୍ତୁ ୧୯୮୧ରେ ସାହିତ୍ୟ ପାଇଁ ନୋବେଲ୍ ପୁରସ୍କାର ଲାଭ କରିଥିବା ଏଲାଇଆସ୍ କାନେଟ୍ଟି ତାଙ୍କର ୧୯୬୦ର ପ୍ରସିଦ୍ଧ ପୁସ୍ତକ ‘କ୍ରାଉଡ୍ସ ଆଣ୍ତ୍ ପାଵାର’ (‘ସମାଗମ ଓ ଶକ୍ତି’)ରେ ପ୍ରଦାନ କରିଥିବା ଯୁକ୍ତିକୁ ଯଦି ଅନୁସରଣ କରାଯାଏ, ତେବେ କୁହାଯାଇପାରେ ଯେ ଏହି ଅଭିଯାନମାନ ମନୁଷ୍ୟର ଏକ କୋଭିଡ୍-ଅବଦମିତ ଶକ୍ତିଶାଳୀ ମୌଳିକ ପ୍ରବୃତ୍ତି ଚରିତାର୍ଥ ହେବା ପାଇଁ ସୁଯୋଗ ସୃଷ୍ଟି କରି ଏହି ଅସ୍ବାଭିକ ସମୟରେ କେତେକଙ୍କର ମାନସିକ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇଛି। କାନେଟ୍ଟି ତାଙ୍କ ପୁସ୍ତକରେ ଲେଖିଥିଲେ, ‘‘ଏକ ଅଜଣା ସ୍ପର୍ଶ ଅପେକ୍ଷା ମନୁଷ୍ୟ ଆଉ କିଛିକୁ ଅଧିକ ଭୟ କରେ ନାହିଁ।’’ ପ୍ରକୃତରେ ଏପରି କେହି ନ ଥିବେ ଯାହାଙ୍କ ଠାରେ କୌଣସି ନା କୌଣସି ନିର୍ଦ୍ଦିଷ୍ଟ ପରିସ୍ଥିତିରେ କୌଣସି ଅଚିହ୍ନା ଅଜଣା ଲୋକଙ୍କ ଅଯାଚିତ ସ୍ପର୍ଶ ଭୟ କିମ୍ବା ବିକାର ସୃଷ୍ଟି କରିନଥାଏ (କଳ୍ପନା କରନ୍ତୁ ଆପଣ ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିବା ସମୟରେ ପାଖରେ ଛିଡ଼ା ହୋଇଥିବା ଅପରିଚିତ ଲୋକ ଜଣକ ଆପଣଙ୍କ ହାତକୁ ଧରି ପକାଇଲେ; ଏକ ଲୋକଭର୍ତ୍ତି ଲିଫ୍ଟ ଭିତରେ ଆପଣ ଦେହକୁ ଦେହ ଲାଗି ଛିଡ଼ା ହେବାକୁ ବାଧୢ ହୋଇଛନ୍ତି; ଆପଣ ମୁମ୍ବାଇ ଲୋକାଲ୍ ଟ୍ରେନ୍ରେ ତିଳ ପକାଇବାକୁ ଜାଗା ନ ଥିବା ଅବସ୍ଥାରେ ଯାତ୍ରା କରୁଛନ୍ତି...)।
କିନ୍ତୁ ସୁଦୀର୍ଘ କୋଭିଡ୍ଜନିତ କ୍ବାରେଣ୍ଟିନ୍, ଲକ୍ଡାଉନ୍ ଆଦି ମନୁଷ୍ୟଠାରେ ଏଭଳି ସ୍ପର୍ଶକାତରତା ଅପେକ୍ଷା ଆହୁରି ଭୀଷଣ ଯେଉଁ ଏକ ଭୟ ସୃଷ୍ଟି କରିଛି, ତାହା ହେଉଛି ସ୍ପର୍ଶ ବିରଳତା- ଅନ୍ୟ ମନୁଷ୍ୟଙ୍କର ଶାରୀରିକ ସାନ୍ନିଧୢର ଅଭାବ ବା ସମ୍ପୂର୍ଣ୍ଣ ଅନୁପସ୍ଥିତି। ଏହା ଯେଉଁ ମାନସିକ ଅବସ୍ଥାକୁ ଜନ୍ମ ଦେଇଛି, ତାହା ସ୍ପର୍ଶକାତରତା ନୁହେଁ, ତାହା ହେଉଛି ତା’ର ଠିକ୍ ବିପରୀତ- ସ୍ପର୍ଶ ଆତୁରତା। ନିର୍ଜନ ଦ୍ବୀପରେ ନିର୍ବାସିତ ନାବିକ ଆଲେକ୍ଜାଣ୍ତର୍ ସେଲ୍କାର୍କ ବିଳାପ କରିଥିବା ଭଳି ଦୀର୍ଘ ସ˚ଗରୋଧଗ୍ରସ୍ତ ମନୁଷ୍ୟମାନଙ୍କ ମଧୢରୁ ଅନେକଙ୍କ ମନରେ ନିଶ୍ଚିତ ରୂପେ ଏହି ଭାବନା ଲହଡ଼ି ମାରୁଥିବ: ‘‘ବର˚ ନିବାସ ଭଲ ରଣ କ୍ଷେତ୍ରରେ/ଭୟରେ ଯହିଁ ସଦା ହୃଦୟ ଥରେ।’’ ଖୋଦ୍ କାନେଟ୍ଟି କବି ଵିଲିଅମ୍ କାଓପର୍ଙ୍କର ଏହି ଚିନ୍ତାଧାରାକୁ ଆଉ ଟିକିଏ ଆଗେଇ ନେବା ଭଳି ତାଙ୍କର ଉପରୋକ୍ତ ସ୍ପର୍ଶକାତରତା ତତ୍ତ୍ବର ପରବର୍ତ୍ତୀ ପାହାଚର ଉପସ୍ଥାପନା କରିଛନ୍ତି।
ମନୁଷ୍ୟ ତା’ର ଏହି ସ୍ପର୍ଶକାତରତାକୁ ଅତିକ୍ରମ କରେ କିପରି? କାନେଟ୍ଟିଙ୍କ ଉତ୍ତର ହେଲା: ‘‘କେବଳ ଏକ ଭିଡ଼ ଭିତରେ ହିଁ ମନୁଷ୍ୟ ସ୍ପର୍ଶ ପ୍ରତି ଥିବା ତା’ର ଏହି ଭୟରୁ ମୁକ୍ତି ପାଇପାରିବ।’’ ଏହାକୁ ଅଧିକ ବ୍ୟାଖ୍ୟା କରିବାକୁ ଯାଇ କାନେଟ୍ଟି କହିଛନ୍ତି ଏଥିପାଇଁ ସେ ଯେଉଁଭଳି ଗହଳି ଆବଶ୍ୟକ କରିଥାଏ, ତାହା ଅତ୍ୟନ୍ତ ସାନ୍ଦ୍ର ହୋଇଥିବା ଆବଶ୍ୟକ, ଯେଉଁଥିରେ ଶରୀରକୁ ଶରୀର ଚାପି ରଖିଥିବ; ଭିଡ଼ ଏପରି ସାନ୍ଦ୍ର ହୋଇଥିବ ଯେ କାହାର ଶରୀର ଯେ ତା’ ଶରୀରକୁ ଚାପି ଦେଇଛି, ତାହା ପ୍ରତି ବ୍ୟକ୍ତିର ଧୢାନ ନ ଥିବ। କାନେଟ୍ଟି ପୁଣି କହିଛନ୍ତି ଭିଡ଼ ଭିଡ଼କୁ ଜନ୍ମ ଦିଏ, ଛୋଟ ଗହଳିରୁ ବଡ଼ ଗହଳି ସୃଷ୍ଟି ହୋଇଥାଏ। ଉଦାହରଣ ସ୍ବରୂପ, ଅଳ୍ପ କେତେଜଣ ଏକାଠି ଛିଡ଼ା ହୋଇଥିବେ- ହଠାତ୍ ସେ ସ୍ଥାନ ଲୋକରେ ଭର୍ତ୍ତି ହୋଇଯିବ ଏବ˚ ଆହୁରି ଲୋକମାନେ ସେଆଡ଼େ ମୁହାଁଇବା ଦେଖାଯିବ, କିନ୍ତୁ କେହି ତାହାର କାରଣ ଜାଣି ନ ଥିବେ; ମନୁଷ୍ୟ ହିଁ ମନୁଷ୍ୟଙ୍କୁ ଆକର୍ଷଣ କରିଥାନ୍ତି- କାନେଟ୍ଟିଙ୍କ ବର୍ଣ୍ଣନା ଅନୁସାରେ ଲୁହାଗୁଣ୍ତ ସବୁ ଚୁମ୍ବକ ପ୍ରତି ଆକର୍ଷିତ ହେବା ଭଳି। ସେ କହିଥିବା ଭଳି ମନୁଷ୍ୟର ଅନ୍ତର୍ନିହିତ ସ୍ପର୍ଶକାତରତା ପ୍ରବୃତ୍ତିକୁ ଯାହା ଦମନ କରି ଏକ ସ୍ପର୍ଶ ଆତୁରତା ପ୍ରବୃତ୍ତିକୁ ଆବିର୍ଭୂତ କରାଇଥାଏ, ତାହା ହେଉଛି ଗହଳି ବା ଜନସମାଗମ ବା ନିତିଦିନିଆ ଭାଷାରେ- ଭିଡ଼। ଯେଉଁମାନେ ରଥଯାତ୍ରାରୁ ବାଲିଯାତ୍ରା କିମ୍ବା ଭସାଣିରୁ ଶୀତଳଷଷ୍ଠୀ ପର୍ଯ୍ୟନ୍ତ ବାର ମାସର ତେର ପର୍ବମାନଙ୍କରେ ଉତ୍ସାହର ସହ ସାମିଲ ହେବା ପାଇଁ ଅନାଇ ରହିଥାନ୍ତି କିମ୍ବା ବଜାର ହାଟର ନିତିଦିନିଆ ଭିଡ଼ର ଅ˚ଶରେ ପରିଣତ ହେବାକୁ ଦୈନନ୍ଦିନ ଜୀବନଚର୍ଯ୍ୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ ରୂପେ ବିଚାର କରନ୍ତି, ସେମାନେ ସହଜରେ କାନେଟ୍ଟିଙ୍କ ଏହି ଭିଡ଼-ଭିତ୍ତିକ ସ୍ପର୍ଶ-ଆତୁରତା ତତ୍ତ୍ବକୁ ବୁଝିପାରିବେ ଓ ସମର୍ଥନ କରିବେ। ଚୀନା କରୋନା କିପରି ମନୁଷ୍ୟର ସ୍ପର୍ଶାତୁର ପ୍ରବୃତ୍ତିରେ କୃତ୍ରିମ ଲଗାମ ଲଗାଇ ତା’ ପାଇଁ ନାବିକ ଆଲେକ୍ଜାଣ୍ତର୍ ସେଲ୍କାର୍କସୁଲଭ ଅସହ୍ୟ ହତାଶା ଓ ଅବସାନ ସୃଷ୍ଟି କରିଛି, ଏମାନେ ହେଉଛନ୍ତି ତା’ର ସର୍ବତ୍ର ବିଦ୍ୟମାନ ପ୍ରମାଣ।
ଏହି ପ୍ରବୃତ୍ତିକୁ ଚରିତାର୍ଥ କରୁଥିବା ସମସ୍ତ ପ୍ରକାର ପାରମ୍ପରିକ ଯାନିଯାତରୁ ବଞ୍ଚିତ ସ୍ପର୍ଶାତୁର ମନୁଷ୍ୟମାନଙ୍କ ପାଇଁ ଏକ ସାମୟିକ ସନ୍ତୋଷ ବିଧାନର ସୁଯୋଗ ସୃଷ୍ଟି କରିଛି ଯେଉଁ ଏକ ଭିନ୍ନ କିସମର ଯାନିଯାତ୍ରା, ତାହା ହେଉଛି ଉପରବର୍ଣ୍ଣିତ ନିର୍ବାଚନ ପ୍ରଚାର ଅଭିଯାନ ମାନ। ଏହି ପ୍ରଚାର ଅଭିଯାନର ଯେଉଁ ଦୃଶ୍ୟ ସବୁ ଗଣମାଧୢମମାନଙ୍କରେ ପ୍ରଦର୍ଶିତ ହେଉଛି, ସେଥିରେ ଶାରୀରିକ ସାନ୍ନିଧୢକୁ ଯେଉଁଭଳି ସ୍ବାଗତ କରିବା ଏବ˚ ମୁଖୋସ୍ ବା ମାସ୍କ୍କୁ ଯେଉଁଭଳି ହତାଦର କରିବା ଦେଖାଯାଉଛି, ସେଥିରୁ ମନେ ହେଉଛି ବନ୍ଦୀଶାଳାରୁ ମୁକୁଳିଥିବା ଭଳି ସ୍ପର୍ଶାତୁରମାନେ ଏହି କ୍ଷଣସ୍ଥାୟୀ ସୁଯୋଗର ସମ୍ପୂର୍ଣ୍ଣ ସଦ୍ବ୍ୟବହାର (ବା ଅସଦ୍ବ୍ୟବହାର) କରିବାକୁ ବଦ୍ଧ ପରିକର ହୋଇ ବାହାରି ପଡ଼ିଛନ୍ତି।
ଆମ ରାଜନେତାମାନେ ଯେ ଏଥିରେ କେବଳ ସେମାନଙ୍କୁ ନେତୃତ୍ବ ଦେଉଛନ୍ତି, ତାହା ନୁହେଁ, ଆମ ନ୍ୟାୟପାଳିକା ମଧୢ ସ୍ପର୍ଶାତୁରମାନଙ୍କ ମର୍ମବେଦନା ଅନୁଭବ କଲା ଭଳି ସେମାନଙ୍କୁ ସହାୟକ ହୋଇଛି। କାରଣ, ମଧୢପ୍ରଦେଶ ହାଇକୋର୍ଟ ନିର୍ବାଚନ ପ୍ରଚାର ଅଭିଯାନରେ ଶାରୀରିକ ସମାବେଶକୁ ନିଷିଦ୍ଧ କରି ଆଦେଶ ଜାରି କରିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍କୋର୍ଟ ତାହାକୁ ସ୍ଥଗିତ କରି ସେପରି ସମାବେଶ ଉପରୁ ପ୍ରତିବନ୍ଧ ହଟାଇ ଦେବା ଦେଖାଯାଇଛି। ଏ ଦୃଶ୍ୟ ଦେଖି ଯେଉଁମାନଙ୍କର କରୋନା ଭୟରେ ଗାତ୍ରକମ୍ପ ହେଉଥିବ, ସେମାନେ ହେଲେ ଅସୁସ୍ଥ, ଭୟାଳୁ ଏବ˚ ପ୍ରସାରିତ ବିଜ୍ଞାନଭିତ୍ତିକ ସତର୍କ ବାଣୀକୁ ବିଶ୍ବାସ କରି ଘର ଭିତରେ ଲୁଚି ରହିଥିବା ସମାଜର ଅନ୍ୟାନ୍ୟ ଅସ˚ଖ୍ୟ ସଦସ୍ୟମାନେ। ସ୍ପର୍ଶାତୁରମାନଙ୍କର ଏତାଦୃଶ ଉଚ୍ଛୃ˚ଖଳତା ଦେଶରେ ପୁଣି ଏକ କରୋନା ଲହରି ସୃଷ୍ଟି କରିବାକୁ ଯାଉଛି ବୋଲି ସେମାନେ ସ୍ବାଭାବିକ ଭାବରେ ଆଶଙ୍କା କରୁଛନ୍ତି। ଏହି ଭୟାଳୁ ଗୋଷ୍ଠୀର ଭୟ ଅନେକା˚ଶରେ ଦୂର ହୋଇଯାଆନ୍ତା ଯଦି ଚଳିତ ମାସ ପ୍ରଥମ ସପ୍ତାହରେ ଏକ ମର୍ଯ୍ୟାଦାଜନକ ଜନସ୍ବାସ୍ଥ୍ୟ ବିଶେଷଜ୍ଞ ଗୋଷ୍ଠୀ ଦ୍ବାରା ପ୍ରକାଶିତ ଏକ ଘୋଷଣାନାମା ଉପରେ ସେମାନଙ୍କର ଦୃଷ୍ଟି ପଡ଼ନ୍ତା। ଆମେରିକାର ଦୁଇ ମର୍ଯ୍ୟାଦାଜନକ ବିଶ୍ବବିଦ୍ୟାଳୟ-ହାର୍ଭାର୍ଡ୍ ଓ ଷ୍ଟାନ୍ଫୋର୍ଡ ଏବ˚ ବ୍ରିଟେନ୍ର ଖ୍ୟାତନାମା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏହି ବିଶେଷଜ୍ଞମାନେ ଏକତ୍ର ଭାବରେ ପ୍ରକାଶ କରିଥିବା ଏହି ଘୋଷଣା ପତ୍ରରେ (ମାସାଚୁସେଟ୍ସର ଯେଉଁ ସହରରୁ ଏହି ଘୋଷଣା ପତ୍ର ପ୍ରକାଶ ପାଇଛି, ସେ ଅନୁସାରେ ଏହାକୁ ‘ଦି ଗ୍ରେଟ୍ ବାରିଙ୍ଗ୍ଟନ୍ ଡିକ୍ଲାରେସନ୍’ ରୂପେ ନାମିତ କରାଯାଇଛି) ବିଶେଷଜ୍ଞମାନେ ସରକାରମାନଙ୍କୁ ସେମାନଙ୍କ କୋଭିଡ୍ ମୁକାବିଲା କୌଶଳର ଦିଗ ପରିବର୍ତ୍ତନ ଘଟାଇବା ପାଇଁ ଆହ୍ବାନ ଦେଇଛନ୍ତି।
ସେମାନେ ଦେଇଥିବା ପ୍ରସ୍ତାବ ଅନୁସାରେ ଲକ୍ଡାଉନ୍ରେ ଅନ୍ତ ଘଟାଇ ସମାଜର ଅପେକ୍ଷାକୃତ ଅଧିକ ସ୍ବାସ୍ଥ୍ୟବାନ ଏବ˚ ଯୁବଗୋଷ୍ଠୀ ମଧୢରେ କରୋନା ସ˚କ୍ରମଣକୁ ଅବାଧରେ ପ୍ରସାର ଲାଭ କରିବାକୁ ଦିଆଯିବା ଉଚିତ। ଏକ ସ˚ଯୋଗ ଭଳି ଏଇ ଗୋଷ୍ଠୀମାନଙ୍କ ମଧୢରେ କାନେଟ୍ଟି ବର୍ଣ୍ଣିତ ସ୍ପର୍ଶଆତୁରତା ଅଧିକ ହୋଇନଥାଏ କି? ଆଉ ଆମ ନିର୍ବାଚନ ରୢାଲି ଓ ସଭାମାନଙ୍କରେ ଏଇମାନଙ୍କ ସ˚ଖ୍ୟା ବହୁ ଅଧିକ ହୋଇନଥାଏ କି? କହିବା ବାହୁଲ୍ୟ ଯେ ବିଶେଷଜ୍ଞମାନଙ୍କ ମତରେ ଯେହେତୁ ଏମାନଙ୍କର ରୋଗ ସହିତ ଲଢ଼ିବା କ୍ଷମତା ଅଧିକ ହୋଇଥାଏ, କରୋନା ଏମାନଙ୍କୁ ବିଶେଷ କ୍ଷତି କରିପାରିବ ନାହିଁ ଏବ˚ ଏମାନଙ୍କ ଠାରେ ପ୍ରତିରୋଧିନୀ ଶକ୍ତି ସୃଷ୍ଟି ହୋଇ ସମାଜରେ ‘ହର୍ଡ ଇମ୍ୟୁନିଟି’ ବା ‘ଗୋଠ ପ୍ରତିରୋଧିନୀ ଶକ୍ତି’ ସୃଷ୍ଟି ହୋଇ ଶେଷରେ କରୋନା ଭୂତାଣୁକୁ ବାସହରା କରି ନିର୍ବାସିତ କରିବ। କିଏ ଜାଣେ, ଶେଷରେ ନିର୍ବାଚନ ହିଁ କରୋନାର ନିଦାନ ରୂପେ ପ୍ରମାଣିତ ନ ହେବ? ଏହାକୁ କରୋନାର ସ୍ପର୍ଶୋପଚାର କୁହାଯାଇପାରେ।